ଜିତୁ ଜିତୁ ହାରିଗଲି
ଜିତୁ ଜିତୁ ହାରିଗଲି
ଭାରି ଅଝଟ କରେ ସେ ରାସ୍ତାରେ। ଇଆଡୁ ସିଆଡୁ ପଚାରେ ସେ କେତେ କଥା। ଏଇଟା ଦରକାର, ସେଇଟା ଦରକାର, ଆଣି ଦିଅ କହି ଗୋଡ କଚାଡେ। ଦିନେ ପଚାରିଲା, ହଳଦିଆ ପ୍ରଜାପତିଟି ମୋର ଦରକାର, ଧରି ପାରିବ ବାପା !
ଧରିବାକୁ ଚେଷ୍ଟା କଲି, ଧରି ପାରିଲି ନାହିଁ। ଗୋଡ କଚାଡି ଧଙ୍କି ଧଙ୍କି କାନ୍ଦୁଥିଲା ସେଦିନ ସେ ବିକଳ ହୋଇ। ଭାରି ଜିଦିଆ ଥିଲା ମୋ ଝିଅ ପ୍ରତିମା। କାନ୍ଦ ସରି ନ ଥାଏ, ସ୍କୁଲ ଆସିଯାଏ। ନିରୁପାୟ ହୋଇ ପଶି ଯାଉଥିଲା ସେ ସ୍କୁଲ ଭିତରକୁ।
ମନଟା ଭାଙ୍ଗିଯାଏ, ବିଚାରୀ ଝିଅଟା କାନ୍ଦି କାନ୍ଦି ସ୍କୁଲ ଭିତରକୁ ପଶିବା ପରେ ଲାଗେ ଯେମିତି ପୃଥିବୀଟା ଆହୁରି ଶୂନ୍ୟ। ସମସ୍ତେ ଥାଇ କି ବି ଲାଗେ ଯେମିତି କେହି କାହାର ନୁହେଁ ଏଇ ଦୁନିଆରେ, ନିଜକୁ ହିଁ ନିଜ ଉପାୟରେ ବଞ୍ଚିବାକୁ ହେବ।
କାଲି ଶାଶୁ ଘରକୁ ଚାଲିଯିବ ପ୍ରତିମା। ଘର କାନ୍ଥରେ ପ୍ରଜାପତିର ଚିତ୍ର ଦେଖି ମୋ ମନଟା କାହିଁକି କେଜାଣି ଅତୀତର ନିଘଞ୍ଚ ଜଙ୍ଗଲରେ ପଶି ଜୀବନ୍ତ ପ୍ରଜାପତି କଥା ଭାବିଲା। ପ୍ରଜାପତିକୁ ଦେଖିଲେ ସେ ଭାରି ଖୁସି ହୁଏ। ହାତରେ ଧରି ହସି ହସି ବେଦମ୍ ହେଇଯାଏ ପ୍ରତିମା ପିଲା ବେଳେ। କାଗଜ ଡଙ୍ଗା ହାତରୁ ଖସି ଯାଇ ବର୍ଷା ପାଣିସୁଅରେ ଗାଆଁ ଦାଣ୍ଡକୁ ଭାସି ଗଲେ ଗୋଡ କଚାଡି କାନ୍ଦେ। ତଥାପି ବୁଝେଇ ଶୁଝେଇ ନାନା ବାୟା ଗୀତ ଗାଇଲେ କାନ୍ଧ ଉପରେ ଶୋଇଯାଏ ପ୍ରତିମା। ମାଆ ନାହିଁ ବୋଲି ଅନୁଭବ କରିବାକୁ ଦେଇନି ମୁଁ ପ୍ରତିମାକୁ। । ସମସ୍ତେ ଦ୍ୱିତୀୟ ବିବାହ ପାଇଁ ପ୍ରବଳ ଚାପ ପକେଇ ଥିଲେ ମୋ ଉପରେ।ସମସ୍ତଙ୍କୁ କହିଲି, ମୁଁ ବାହା ହେବିନି। ଏଇଟା ଥିଲା ମୋ ପାଇଁ ମୋର ବ୍ୟକ୍ତିଗତ ଆହ୍ଵାନ । ପ୍ରତିଜ୍ଞା କଲି, ମୋ ଝିଅକୁ ମୁଁ ମନେ ପକେଇବାକୁ ଦେବିନି ତା ବୋଉ କଥା। ମୁଁ ଚେଷ୍ଟା କରିବି ତା ବୋଉ ପରି ହେବା ପାଇଁ। ମୋ ଝିଅକୁ ମୁଁ ଉଭୟ ବାପା ବୋଉର ସ୍ନେହ ଦେଇ ପାରିବି ବୋଲି ମୋର ବିଶ୍ବାସ ଥିଲା। ସାରା ଜୀବନଟାକୁ ଗୋଟାଏ ଅଦ୍ଭୁତ ପରୀକ୍ଷାଗାର ଭିତରେ କଟେଇ ଦେଲି। ସ୍କୁଲ ବେଗ କାନ୍ଧରେ ଝୁଲେଇ ତାକୁ ସ୍କୁଲ ଭିତରେ ଛାଡି ଦେବାଠୁ ଆରମ୍ଭ କରି ରାତିରେ କାନ୍ଧରେ ଝୁଲାଇ ବିଛଣାରେ ଶୋଇ ଯିବା ପର୍ଯ୍ୟନ୍ତ କାହିଁକି କେଜାଣି ଲାଗୁଥିଲା ଯେମିତି କେତେ ବଡ ଯୁଦ୍ଧ ଲଢ଼ୁଥିଲି ମୁଁ ଜୀବନ ସାଥିରେ।
ମୁଁ ଏଲ୍ ଆଇ ସି ପଲିସି ବିକ୍ରି କରେ। ପ୍ରତିମା ଆଉ ପଲିସିକୁ ବାଦ ଦେଲେ ମୋ ଜୀବନରେ ଆଉ କିଛି ଘଟଣା ଘଟେନି।
ଦିନେ ଜଣେ ବାଲ୍ୟ ବନ୍ଧୁ ଗୋଟାଏ ପଲିସି ପାଇଁ ଆମ ଘରକୁ ଆସିଥିଲା।
ମୁଁ ସେଇ ସମୟରେ ଝିଅର ବେଣି ବାନ୍ଧୁଥିଲି , ସେ ସ୍କୁଲ ଯିବ ବୋଲି। ମୁଁ ନାଚାର ଥିଲି, କଣ କରିଥାନ୍ତି ଯେ। ଲାଜ ବି ଲାଗିଲା, କଣ କହି ସାଙ୍ଗକୁ ବୁଝେଇବି । କିଛି କାହାଣୀର ରଚନା ହିଁ ଏମିତି, ଅଧା ରାସ୍ତାରୁ ବଦଳେଇ ହୁଏନି। କିଛି ଯନ୍ତ୍ରଣାର ତରଙ୍ଗ ଏମିତି ଯେ, ତା ଭିତରୁ ମାଧୂର୍ଯ୍ୟକୁ ଖୋଜିବାକୁ ପଡେ।
ସାଙ୍ଗ ଭାବବିହ୍ୱଳ ହେଇଯିବା ଦେଖି ଆଖି ଇଙ୍ଗିତରେ କହିଲି, ନୋ..ହାତ ଠାରି କହିଲି , ପାଞ୍ଚ ବର୍ଷ ହେବ ତା ବୋଉ ଦୁନିଆ ଛାଡି ଯାଇଛି। ସାଙ୍ଗକୁ ଘରେ ବସେଇ ଦେଇ ଝିଅକୁ ସ୍କୁଲରେ ଛାଡି ଆସିଲି। ସ୍କୁଲରୁ ଫେରି ଆସି ସବୁ କଥା କହିଲି ମୋ ସାଙ୍ଗକୁ। ତା ଆଖିରେ ଲୁହ ଦେଖି ତାକୁ ବୁଝେଇ ଦେଲି ଏଇଟା ବହୁତ ବଡ ଚେଲେଞ୍ଜ ମୋ ପାଇଁ। ମୁଁ ଚେଷ୍ଟା କରୁଛି ସେ ତା ବୋଉର ଅନୁପସ୍ଥିତି ଅନୁଭବ ନ କରୁ, ମୋତେ ଭାଙ୍ଗି ଯିବାକୁ ଦିଅ ନାହିଁ ବନ୍ଧୁ ! ଆଗରେ ଆହୁରି ଅନେକ ମାଇଲ ଖୁଣ୍ଟ। ମୋତେ ସାହାସ ଦିଅ.. ବାସ୍
ଆଉ ଗୋଟେ ବଡ ମାଇଲ ଖୁଣ୍ଟ ପାଖରେ ଆସି ଦୁମ୍ କରି ବସି ପଡ଼ିଲି। ଦିନେ ଦେଖିଲି ମୁହଁ ତଳକୁ କରି ବସିଛି ପ୍ରତିମା, କାହିଁକି କେଜାଣି। ତା ଶରୀରର ଭାଷା ସମ୍ପୂର୍ଣ୍ଣ ଅଲଗା ଥିଲା ସେଦିନ। ପ୍ରତିମା ବଡ ହେଇଗଲା ବୋଧେ ! ପଡୋଶୀ ଭାଉଜଙ୍କୁ କହିଲି ସବୁ କଥା। ଆମ ଘରେ ଘଣ୍ଟାଏ ରହି କଣ କହିଲେ କେଜାଣି ଲାଗୁଥିଲା ଯେମିତି ପ୍ରତିମା ସବୁ ବୁଝିଗଲା । ତିନି ଚାରି ଦିନ ଭାରି ଲାଜ କଲା ମୋ ଆଗକୁ ଆସିବା ପାଇଁ। ତା ପରେ ସବୁ ଠିକ୍, କିଛି ଅସୁବିଧା ହୁଏନି କିମ୍ବା ବୋଉ କଥା ମନେ ପଡେ ବୋଲି ଜମାରୁ କୁହେନି। ବହୁତ ବଡ ପରୀକ୍ଷାରେ ମୁଁ ପାସ ହେଇଗଲି ପୁଣି ଥରେ।
ଏହା ଭିତରେ କେତେ ବର୍ଷ ବିତି ଗଲାଣି, କାଲି ବେଦିରେ ବସି ଶାଶୁ ଘରକୁ ଚାଲିଯିବ। ଭୂକମ୍ପ ଆସିବା ପୂର୍ବରୁ କିଛି ଜାଣି ହୁଏନି। ସୁପ୍ତ ଆଗ୍ନେୟଗିରି ମନ ହେଲେ ବିସ୍ଫୋରିତ ହୁଏ। ମୁଁ କିନ୍ତୁ ତିବ୍ରତମ ମାନସିକ ବେଦନାକୁ ସ୍ପଷ୍ଟ ଅନୁଭବ କରୁଥିଲି ମୋ ଦେହ ଭିତରେ ଏତେ ବଡ ଘଟଣାଟିଏ ଘଟିବା ଆଗରୁ।
ରାତି ସାରା ବହୁତ ଗପିଲି ଝିଅ ସାଥିରେ। କୁହା ହେଇ ନ ଥିବା ଅନେକ କଥା ସେ କହିଲା, ଅନେକ କଥା ମୁଁ କହିଲି। ତଥାପି ବୋଉ କଥା ପାଟିରେ ଉଚ୍ଚାରଣ କରିନି ସେ ଆଜି ପର୍ଯ୍ୟନ୍ତ। ପ୍ରତିମା ଶାଶୁ ଘରକୁ ଚାଲି ଗଲେ କଥା ସରିବ। ମୁଁ ଜିତି ଯିବି। ଦିତୀୟ ବିବାହ ନ କରିବାର ସିଦ୍ଧାନ୍ତ ଠିକ୍ ଥିଲା ବୋଲି ପ୍ରମାଣିତ ହେବ। ବାପା ବି ବୋଉ ପରି ଛୁଆର ଯତ୍ନ ନେଇ ପାରନ୍ତି। ବୋଧେ ଅଳ୍ପ ଇଚ୍ଛାଶକ୍ତି, ଅଳ୍ପ ସ୍ନେହ ଓ ବହୁତ ଯନ୍ତ୍ରଣାକୁ ନେଇ କାହାଣୀ ଟିଏ ଗଢି ପାରିଲେ ସବୁ ସମ୍ଭବ ହୁଏ। ପୃଥିବୀଟା ଏତେ ସହଜ ନୁହେଁ ଯେ ମନସ୍କାମନା ଆପେ ଆପେ ପୁରା ହେଇଯାଏ। ନିଜ ଭିତରେ ମୁଁ ମୋ ଜୀବନକୁ ଖୋଜୁ ଖୋଜୁ ଅଚାନକ ଖୋଜି ପାଇଲି ଜୀବନକୁ ସଂଘର୍ଷ ଭିତରେ, ବାସ୍।
ସାହାନାଇ ବାଜୁଥିଲା ଘର ଅଗଣାରେ। ବେଦିରେ ହାତ ଗଣ୍ଠି ପଡି ସାରିଛି। ଶାଶୁ ଘରେ ଯାଇ କେମିତି ଚଳିବ କେଜାଣି, ଛୁଆ ବେଳଠୁ ଆଜି ପର୍ଯ୍ୟନ୍ତ ଖୋଇ ଦେଲେ ସେ ଖାଏ। ଭାତ ଗୁଣ୍ଡା କରି ପାଟିକୁ ନେବା ଶିଖିନି।
ଶୂନ୍ୟ ଲାଗୁଥିଲା ଘର ବାରଣ୍ଡାଟି, ଅସମୟ ବର୍ଷା ପରି କିଛି ଘଟଣା ଭୟଭୀତ କରେ ମନକୁ, ଆଉ କିଛି ଘଟଣା କଲିଜାକୁ ପଥର ବନେଇ ଦିଏ। ଚିହ୍ନାଜଣା ସମ୍ପର୍କୀୟଙ୍କ ଆଖିରେ ଲୁହ। ତଥାପି ତାକୁ ତା ବୋଉ କଥା ଭାବି ବାକୁ ଦେଲି ନାହିଁ। ଗାଡିରେ ବସି ଶାଶୁ ଘରକୁ ଯିବାକୁ ପ୍ରସ୍ତୁତ ହେଲା ପ୍ରତିମା। ମୁଁ ପଥର ପରି ଛିଡା ହୋଇ ରହିଲି। ଗାଡି ହର୍ଣ୍ଣ୍ ଦେଇ ଧୀରେ ଧୀରେ ଆଗକୁ ବଢିଲା। କଲିଜା କୁ ପଥର କରି ଛିଡା ହୋଇ ରହିଲି ଜୋର୍ କରି, ଯେମିତି ପୃଥିବୀଟା ପାଦ ତଳୁ ଖସି ନ ଯାଉ।
ତା ପରଦିନ, ସକାଳ ଆସି କେତେବେଳେ ଝର୍କାରେ ଶବ୍ଦ କଲା ଯେ ନିଦ ଭାଙ୍ଗିଗଲା। ଅବସାଦ ମନ, ଝର୍କା ଦେଇ ଦେଖୁଥାଏ ମୁଁ ବାହାରକୁ। କୃଷ୍ଣଚୂଡ଼ା ଗଛରୁ ନାଲି ନାଲି ଫୁଲ ସବୁ ତଳକୁ ଝଡି ପଡୁଛି। ଭାବୁଥିଲି କେତେ କ୍ଷଣ ଭଙ୍ଗୁର ଏଇ ଜୀବନଟା, ସମସ୍ତଙ୍କୁ ଧରା ପୃଷ୍ଠରେ ହିଁ ମିଶି ଯିବାକୁ ହୁଏ, ଫୁଲ ହେଉ ବା ମଣିଷ।
ଫୋନ ଆସିଛି ଝିଅଠୁ..
ବାପା, ତମେ ହାରିଗଲ।
କାହିଁକି ?
ମୁଁ ବିଦା ହେଇ ଆସିବା ବେଳେ ତୁମେ କାନ୍ଦିଲନି କାହିଁକି ?
ବାପା ! ଆଜି କାହିଁକି ବୋଉ କଥା ମନେ ପଡୁଛି। ତମେ କହିଥିଲ ମୋତେ ଏତେ ସ୍ନେହ କରିବ ଯେ ମୁଁ ବୋଉ କଥା ଭୁଲିଯିବି। ଆପାତତଃ ମୋ ପାଇଁ ତମେ କାନ୍ଦି ଥାଆନ୍ତ ନା.. ବୋଉ ଥିଲେ କେତେ କାନ୍ଦି ଥାଆନ୍ତା ଜାଣିଛ ? ତମେ ହାରି ଗଲ ବାପା, ତମେ ହାରିଗଲ ତମ ପ୍ରତିଜ୍ଞାରେ।
ମୁଁ କାନ୍ଦିଲେ ଝିଅ ଆହୁରି କାନ୍ଦିବ ବୋଲି ମୁଁ କଲିଜା କୁ ପଥର କରି ଠିଆ ହୋଇ ରହିଲି। ମୁଁ ଆଉ ଜାଣେନି ଯେ ତା ଭିତରେ ମୁଁ ହାରି ଯାଇଛି !
ମୁଁ ଆଉ ନିଜକୁ ସମ୍ଭାଳି ନ ପାରି ଖାଲି କାନ୍ଦୁଥାଏ, ଫୋନ କେତେ ବେଳଠୁ ହାତରୁ ଖସି ପଡିଛି, ଜାଣି ପାରିନି। ହଁ ମୁଁ ହାରିଗଲି। ତା ବୋଉର ଜାଗା କଣ ମୁଁ ନେଇ ପାରିଲି, ନା ବୋଉର କିଛି ବିକଳ୍ପ ଥାଏ ..ମୁଁ ବି ତା ବୋଉର ଅନୁପସ୍ଥିତି ପ୍ରଥମ ଥର ପାଇଁ ଅନୁଭବ କରୁଥିଲି ଆକାଶ ଭରା ଶୂନ୍ୟତା ଭିତରେ। ସବୁ ଜିନିଷ କଣ ଭୁଲି ହୁଏ ? ପାର୍ବତୀ କଥା ଭାରି ମନେ ପଡୁଥିଲା ଅନେକ ଦିନ ପରେ, କାହିଁକି କେଜାଣି..???
