STORYMIRROR

Trushna Das

Drama Tragedy

4  

Trushna Das

Drama Tragedy

ଜୀବନ୍ତ ନିଶ୍ଚଳ ବସ୍ତୁ

ଜୀବନ୍ତ ନିଶ୍ଚଳ ବସ୍ତୁ

7 mins
320

ଜୀବନ ସବୁବେଳେ ଅନିଶ୍ଚିତ। କେତେବେଳେ କାହା ସହ କଣ ଘଟି ଯିବ କାହାକୁ ଅବା ଜଣା। ସୁଖର ସଂସାରରେ କେତେ ବେଳେ ଦୁଃଖର କଳାବାଦଲ ଆସି ଯିବ କାହାକୁ ବା ଜଣା। ଆଉ ସେ ଦୁଃଖର କୋହ ନା କହି ହୁଏ ନା ସହି ହୁଏ। ଏମିତି ଏକ କାହାଣୀ ହେଉଛି ପବନର।


ପବନ : ରୀତା ଏ ରୀତା କୁଆଡେ଼ ଗଲ ?

( ରୀତା ପବନଙ୍କ ସ୍ତ୍ରୀ )


ପବନ ଘର ଯାକ ଖୋଜୁ ଖୋଜୁ ଯାଇ ପହଞ୍ଚିଲେ ଛାତ ଉପରେ। ରୀତା ଦୋଳିରେ ମୁହଁ ଶୁଖାଇ ବସିଛନ୍ତି।


ପବନ : ଆରେ ଏ ଯାଏଁ ମୁହଁ ଶୁଖାଇ ବସିଛ ଯେ।


ରୀତା କିଛି ନ କହି ଉଠି ପଳାଇଲେ।


ପବନ : ଏ ଏତେ ରାଗ କଣ ପାଇଁ ?


ରୀତା : ଆଉ ରାଗିବିନି ତ କ'ଣ କରିବି ?ମୋ ମନ‌ କଥା ଏଇଠି କିଏ ବା ବୁଝେ ?


ପବନ : ତୁମେ ଛୋଟ ପିଲା ପରି କଣ ପାଇଁ ହେଉଛ ?


ରୀତା : ତୁମକୁ ଭଲ ପାଇ ବିବାହ କରିବା ଥିଲା ମୋ ଜୀବନର ସବୁଠାରୁ ବଡ଼ ଭୂଲ ।


ପବନ : କଣ କହିଲ ତୁମେ ମୋତେ ଭଲ ପାଇ ବିବାହ କରିବା ତା ତୁମ ଜୀବନର ଭୂଲ?


ରୀତା : ହଁ ହଁ ଭୂଲ ।


ସେହି ସମୟରେ ପବନ ଓ ରୀତାଙ୍କ ତିନି ବର୍ଷ ର ଝିଅ କାନ୍ଦି ଶୋଇ ଉଠିଲା। ରୀତା କାନ୍ଦ ଶୁଣି ଝିଅ ପାଖକୁ ଚାଲି ଗଲେ।


ପବନ ରାଗରେ ଘରୁ ବାହାରକୁ ବାହାରି ଗାଁରେ ରହୁଥିବା ବାପା ମାଆ ଙ୍କ ଅଭିମୁଖେ ବାହାରି ଗଲେ।


ଗାଡ଼ିରେ ଡ୍ରାଇଭର ହାଲୁକା ଗୀତ ଚଳାଇ ଥାଏ।‌ ପବନ ରାଗି ଯାଇ ମୋବାଇଲ ସୁଚିତ ଅଫ କରି ଦେଇଛନ୍ତି ଏବଂ ଅତୀତର କଥା ଭାବୁ ଥାଆନ୍ତି। ପିଲା ଦିନର କଥା। କେତେ ସୁନ୍ଦର ଥିଲା ସେ ସମୟ। ସେତେବେଳେ ‌ପରିବାର କହିଲେ ସେ, ତାଙ୍କ ବାପା ବୋଉ ଓ ସାନ ଭଉଣୀ।ହସ ଖୁସିରେ ଘର ପୁରି ଉଠୁ ଥିଲା। ବାପା ଗାଁ ର ଜଣେ ଛୋଟ ବ୍ୟବସାୟୀ। ବେଶୀ ଟଙ୍କା ନ ଥିଲେ ମଧ୍ୟ କେବେ ଅଭାବ ଅନାଟନ ନ ଥିଲା।


ଦିନେ ବାପା ଘରକୁ ବହୁତ ମିଠା ପାଚିଲା ଆମ୍ବ ଆଣି ଥିଲେ। ତାର ସ୍ବାଦ ବହୁତ ଭଲ ଲାଗିଲା। ପବନଙ୍କ ମାଆ ସେଇ ଆମ୍ବର ଟାଙ୍କୁ ନେଇ ବାଡ଼ିରେ ପୋତିଲେ। ପବନଙ୍କ ଭଉଣୀ ଲୀନା ପଚାରିଲା ଏ କଣ ବୋଉ ? ଆମେ ତ ବଜାରରୁ ପାଇ ଯିବା ।


ବୋଉ : ହଁ ଯେ । ନିଜ ଗଛର ଆମ୍ବ ଆଉ ବଜାରରୁ ଆମ୍ବ ଆଣି ଖାଇବା ମଧ୍ୟରେ ମଜା ବହୁତ ଅଲଗା। ନିଜ ଗଛରୁ ତୁ ଯେତେ ଇଚ୍ଛା ଆମ୍ବ ଖାଇ ପାରିବୁ । ହେଲେ ବଜାରରୁ ତୁ କେତେ କିଣି ପାରିବୁ।


ଲୀନା : ହେଲେ ବୋଉ ଆମକୁ ତା'ର ଯତ୍ନ ନେବାକୁ ହେବ। ସବୁ ଦିନ ଗାଈ ଗୋରୁ, ଛେଳି ଠାରୁ ବଞ୍ଚାଇ ରଖିବାକୁ ହେବ, ପାଣି ଦେବାକୁ ହେବ। 


ବୋଉ : ଆରେ ଏ ଗଛ ପରା ଆମ ପରିବାର ର ସଦସ୍ୟ ହେବ। ଆମ ସୁଖ ଦୁଃଖ ର ସାଥୀ। ପରିବାର ସଦସ୍ୟଙ୍କ ଯତ୍ନ ନେବା ଆମ କର୍ତ୍ତବ୍ୟ। ତାଛଡା ଆମ୍ବ ଗଛର ଉପକାରିତା ବହୁତ। ସେ ଆମକୁ ଛାଇ ଦିଏ, ତାର ପତ୍ର ଆଉ ଡାଳ‌ ପୂଜାରେ ଲାଗେ, ତାର ଫଳ ମଧୁର, ସେ ଆମକୁ ଅମ୍ଳଜାନ ଦିଏ। ଏତେ ସବୁ ଉପକାର ଆମେ ପାଉ ତ କ'ଣ ତାର ଟିକିଏ ସେବା ଯତ୍ନ କରି ପାରିବା ନାହିଁ!


ଲୀନା : ହଁ ବୋଉ ସତ କହିଲ। 


ପବନ‌ : ହଁ ବୋଉ ଏ ହେଉଛି ଆମ ଘରର ନିଶ୍ଚଳ ସାଥୀ..... ସୁଖ ଦୁଃଖ ର ମୁକ ସାକ୍ଷୀ।


କିଛି ଦିନ ପରେ ଲୀନା ଖୁସି ହୋଇ ବୋଉ ଓ ଭାଇ ପବନଙ୍କୁ ଡାକି କହିଲା ଏ ବୋଉ ଏଇ ଦେଖ ଆମ୍ବ ଗଛ ର କୁନି କୁନି ପତ୍ର ବାହାରିଛି। ପବନ ଓ ଲୀନା ଖୁସି ରେ ନାଚିବାକୁ ଲାଗିଲେ। ପ୍ରତି ଦିନ ତାର ଯତ୍ନ ନେଲେ। ଗଛଟି ଆସ୍ତେ ଆସ୍ତେ ବଢ଼ିବାରେ ଲାଗିଲା। ତାର ଛାଇରେ ଖରା ଦିନେ ଦୁଇ ଭାଇ ଓ ଭଉଣୀ ପାଠ ପଢୁ ଥିଲେ। ସନ୍ଧ୍ୟା ସମୟରେ ବାପା, ବୋଉ , ଲୀନା ଓ ପବନ ତା ପାଖରେ ବସି କେତେ ହସ ଖୁସି ହେଉ ଥିଲେ। ବିଦ୍ୟାଳୟରୁ ଫେରିଲେ ପବନ, ଲୀନା ଓ ତାଙ୍କ ସାଙ୍ଗମାନେ ଲୁଚକାଳି , ବୋହୂ ଚୋରି ଆଦି କେତେ ସେଇ ଆମ୍ବ ଗଛ ମୂଳରେ ଖେଳୁ ଥିଲେ। ଆଉ ସେ ଆମ୍ବ ଗଛଟି ପରିବାରର ନିଶ୍ଚଳ ସଦସ୍ୟ ହୋଇ ସବୁ ଦେଖୁ ଥିଲା। କିଛି ବର୍ଷ ମଧ୍ୟରେ ଆମ୍ବ ଗଛରେ ବଉଳ ଆସିଲା। ଘରର ସମସ୍ତଙ୍କ ଖୁସି କହିଲେ ନ ସରେ।ସେ ବର୍ଷ ଆମ୍ବ ଗଛଟି ରେ ଏତେ ଆମ୍ବ ହେଲା ଯେ ଗାଁ ଲୋକଙ୍କ ନଜର ସେଇ ଆମ୍ବ ଉପରେ। ଆମ୍ବ ପାଚିଲା ପରେ ପ୍ରଥମ ଫଳ ଗାଁ ର ଶିବ ମନ୍ଦିରରେ ଭୋଗ ଲଗାଇଲେ ତାପରେ ଗାଁ ଲୋକଙ୍କ ମଧ୍ୟରେ ବାଣ୍ଟି ଦେଲେ ଏବଂ କିଛି ଘର ପାଇଁ ରଖା ହେଲା।ସତରେ ଆମ୍ବର ସ୍ଵାଦ ବହୁତ ଭଲ ଥିଲା।


କିଛି ବର୍ଷ ପରେ ପବନ ପାଠ ପଢା ସାରି ଚାକିରୀ ପାଇଁ ‌ସହରକୁ ଆସିଲେ। ସେଠାରେ ତାଙ୍କର ରୀତାଙ୍କ ସହ ଦେଖା ହେଲା। ରୀତା ପବନଙ୍କ ମାଲିକଙ୍କ ଝିଅ। ପବନ କମ୍ପାନୀ ର ଲିଗାଲ ଏଡଭାଇଜର ଥିଲେ। ରୀତା ପାଠ ପଢା ସାରି ବାପାଙ୍କ କମ୍ପାନୀ ରେ ଯୋଗ ଦେଇଥିଲେ। ସେଇଥିରେ ରୀତା ଓ ପବନଙ୍କ ର ଦେଖା ସାକ୍ଷାତ। କେତେବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇ ଗଲା ଦୁହେଁ ଜାଣି ପାରିଲେ ନାହିଁ।


ଏ କଥା ଯେତେବେଳେ ରୀତାଙ୍କ ବାପା ଆଉ ଭାଇ ସୁରଜ ଜାଣିଲେ ସେମାନେ ପବନଙ୍କୁ ଚାକିରୀରୁ ବାହାର କରି ଦେଲେ । ଏମିତି କି ରାଗି ଯାଇ ମାରିବାକୁ ଖୋଜିଲେ। ଏସବୁ ଯେତେବେଳେ ରୀତା ଜାଣି ପାରିଲେ ଘରୁ ଲୁଚି ପଳାଇଲେ ଏବଂ ପବନଙ୍କୁ ବିବାହ କଲେ।


ବିବାହ କରି ରୀତା ଓ‌ ପବନ ଗାଁ କୁ ପଳାଇଲେ। ପବନ ଗାଁ ରେ ରହି ବାପାଙ୍କ ବ୍ୟବସାୟ ସମ୍ଭାଳିବା ସହ ଘରେ ଅନଲାଇନ ଚାକିରୀ କଲେ। ପ୍ରଥମେ କିଛି ମାସ ରୀତା ପବନଙ୍କ ସହ ବହୁତ ଖୁସିରେ ଗାଁ ରେ ରହିଲେ। ତାପରେ ଘରକୁ ଖୁସି ଖବର ଆସିଲା ଯେ ରୀତା ମାଆ ହେବାକୁ ଯାଉଛନ୍ତି। ଏ କଥା ଶୁଣି ରୀତା ଆଉ ରହି ନ ପାରି ନିଜ ମାଆଙ୍କୁ ଖୁସି ଖବର ଦେଲେ।


ତାପରେ ରୀତାଙ୍କ ବାପ ଘର ଲୋକ ଆସି ଝିଅ ଜୁଇଁଙ୍କୁ ଆପଣାଇ ନେଲେ ବୋଲି କହିଲେ। ସୁରଜ ଓ ରୀତାଙ୍କ ବାପା ପବନଙ୍କୁ କ୍ଷମା ମାଗିଲେ। ଆଉ ପବନ ଙ୍କୁ ତାଙ୍କ କମ୍ପାନୀ ରେ ଯାଇ କାମ କରିବାକୁ କହିଲେ। ହେଲେ ପବନ ସ୍ୱାଭିମାନି ଥିଲେ .... ସେ ସ୍ତ୍ରୀର ବାପଘରେ ରହି କାମ କରିବାକୁ ମନା କଲେ।


ରୀତା ଗର୍ଭବତୀ ସମୟରେ ସେ ଆମ୍ବ ଗଛରୁ କଞ୍ଚା ଓ ପାଚିଲା ବହୁତ ଆମ୍ବ ଖାଇଲେ। ସମୟ ବିତିବା ସହ ରୀତାଙ୍କ ବ୍ୟବହାର ବହୁତ ପରିବର୍ତ୍ତନ ହେଲା। ତାଙ୍କୁ ଏବେ ପବନଙ୍କ ଘର ଛୋଟ ଲାଗିଲା। ସେ ସେଇ ଆମ୍ବ ଗଛ କାଟି ସେଠାରେ ନିଜ ପାଇଁ ରୁମ କରିବାକୁ କହୁଥିଲେ। ହେଲେ ପବନ ଓ ଲୀନା ରାଜି ହେଲେ ନାହିଁ। ସେମାନେ କହିଲେ ଏ ନିଶ୍ଚଳ ଆମ୍ବ ଗଛ ଆମ ଘରର ସଦସ୍ୟ । ତାକୁ କାଟି ଦେବା ଅର୍ଥ ଆମେ ଆମ ଘର ସଦସ୍ୟକୁ ମାରି ଦେବା। ଇତି ମଧ୍ୟରେ ରୀତାଙ୍କ ପ୍ରସବ ସମୟ ପାଖେଇ ଆସିଲା।ସେ ତାଙ୍କ ବାପା ଘରକୁ ପଳାଇଲେ। ଝିଅଟି ହେଲା। ତାପରେ ଆଉ ରୀତା ଗାଁ କୁ ଆସିବା ପାଇଁ ବାହାରିଲେ ନାହିଁ।‌ ପବନଙ୍କୁ ତାଙ୍କ ବାପା ବୋଉ ବୁଝାଇ ସୁଝାଇ ସହରକୁ ରହିବା ପାଇଁ ପଠାଇଲେ। ହେଲେ ପବନ ବି ନିଜ ଜିଦ୍ ରେ ଅଟଳ ଥିଲେ। ସେ ଅନ୍ୟ ଜାଗାରେ ଘର ଭଡା ନେଇ ଅଲଗା କମ୍ପାନୀ ରେ କାମ କଲେ। ମାସରେ ଥରେ ଦୁଇ ଥର ସେ ଗାଁକୁ ଯାଆନ୍ତି।ଏଇ କଥା ରୀତା ସହି ନ ପାରି ପବନଙ୍କ ଉପରେ ରାଗି ଯାଆନ୍ତି।


ଆଜି ବି ସେଇ କଥା ପାଇଁ ରୀତା ରାଗି ଛନ୍ତି। କାମ ବ୍ୟସ୍ତତା ଯୋଗୁଁ ପବନ ଦୁଇ ମାସ ହେବ ଗାଁ କୁ ଯାଇ ପାରି ନ ଥିଲେ। ତେଣୁ ହୋଲି ରେ ଗାଁ କୁ ଯିବେ ବୋଲି ଯୋଜନା କଲେ। ହେଲେ ରୀତା ଗାଁ କୁ ଛୁଆ ହେବା ପର ଠାରୁ ଯାଇ ନାହାଁନ୍ତି କି ଏବେ ମଧ୍ୟ ଯିବା ପାଇଁ ରାଜି ନୁହଁନ୍ତି । ଆଉ ହୋଲି ରେ ପବନକୁ ଯିବା ପାଇଁ ମନା କଲେ। ହେଲେ ପବନ ଜିଦ୍ କରି ଯାଉଥିବାରୁ ଆଜି ସକାଳେ ଏତେ ଝଗଡ଼ା।


ଏମିତି ଭାବୁ ଥାଆନ୍ତି ପବନ ଅତୀତର ଭାବନାରେ। ହଠାତ ଡ୍ରାଇଭରର ମୋବାଇଲକୁ ରୀତାଙ୍କ ଫୋନ‌ ଆସିଲା। ହେଲେ ପବନ ଡ୍ରାଇଭର ଠାରୁ ଫୋନ ନେଇ କାଟି ଦେଲେ। ବାରମ୍ବାର ଫୋନ ଦେଖି ମୋବାଇଲକୁ ସାଇଲେଣ୍ଟ କରି ଦେଲେ।


କିଛି ସମୟ ପରେ ପବନ ନିଜ ଘରେ ପହଞ୍ଚିଗଲେ। ବାପା ବୋଉ କିଛି ଦିନ ତଳେ କହୁଥିଲେ ଗାଁ କୁ ଆସିଲେ ଲୀନାର ବାହାଘର ବିଷୟରେ କଥା ହେବେ। ତେଣୁ ସେ ଲୀନା ପାଇଁ ଗୋଟିଏ ସୁନ୍ଦର ଲାଲ ରଙ୍ଗର ବନାରସୀ ପାଟ ଶାଢ଼ୀ ସାଙ୍ଗରେ ଆଣିଛନ୍ତି। ଯେତେବେଳେ ସେ ଘର ସାମ୍ନାରେ ପହଞ୍ଚିଲେ ଏତେ ଲୋକଙ୍କ ଭିଡ଼ ଦେଖି ଆଶ୍ଚର୍ଯ୍ୟ ହେଲେ। ଆଉ ଭାବୁ ଥାଆନ୍ତି କ'ଣ ହୋଲି ପାଇଁ ଏତେ ଆମ ଘରକୁ ଆସିଛନ୍ତି।


ପବନଙ୍କୁ ଦେଖି ଲୀନାର ସାଙ୍ଗ ଦଉଡି଼ ଆସି ଟାଣି ନେଲା ଭିତରକୁ।ଭିତରେ ତିନୋଟି ଶବ..... ଲୀନା , ଆଉ ବାପା ବୋଉ ଙ୍କର। ଏହା ଦେଖି ପବନ ଚମକି ଗଲେ। ହାତରେ ଥିବା ପାଟ ଶାଢ଼ୀ ତଳକୁ ଖସି ପଡ଼ିଲା। ଧୈର୍ଯ୍ୟ ହରା ହୋଇ କାନ୍ଦିବାକୁ ଲାଗିଲେ। ପଡିଶା ଜଣେ କହୁ ଥାଆନ୍ତି ଆମେ ତମକୁ କେତେ ଫୋନ କଲେ । ହେଲେ ତୁମ ମୋବାଇଲ ଲାଗିଲା ନାହିଁ। ଶେଷରେ ବୋହୂ ମାଆଙ୍କୁ କହିଲୁ। ଏବେ ପବନ ବୁଝି ପାରିଲେ ଯେ ରୀତା କଣ ପାଇଁ ଏତେ ଡ୍ରାଇଭରକୁ ଫୋନ କରୁ ଥିଲେ। ପୋଲିସ ତାର ଯାଞ୍ଚ କରୁ ଥାଏ। ପବନଙ୍କ ସାଙ୍ଗ ପବନଙ୍କୁ ଟାଣି ଟାଣି ସେଇ ଆମ୍ବ ଗଛ ମୂଳକୁ ନେଇ ଗଲେ।


ପବନ କାନ୍ଦି କାନ୍ଦି ସେଇ ଆମ୍ବ ଗଛକୁ କହୁ ଥାଆନ୍ତି ତୁ ତୋ ଆମ ଘର ସଦସ୍ୟ.....ତୁ ତୋ ସବୁର ମୂକସାକ୍ଷୀ ..... କହି ଦେ ମୋତେ ମୋ ପରିବାର ର ଏକ ଅବସ୍ଥା କଲା କିଏ?


ହଠାତ ଜୋରରେ ପବନ ବୋହିଲା। ଆମ୍ବ ବୋଉଳ ଝଡି ପବନଙ୍କ ମୁଣ୍ଡରେ ପଡୁ ଥାଏ। ଗୋଟିଏ ଛିଣ୍ଡା କାଗଜ ଉଡ଼ି ଆସି ପବନଙ୍କ ହାତରେ ପଡିଲା। ସେଇଟା ହେଉଛି ଲୀନାଙ୍କ ଆତ୍ମହତ୍ୟା ଚିଠି।


ସେଥିରେ ଲେଖା ହୋଇ ଥିଲା ଭାଇ ମୋତେ କ୍ଷମା କରିବୁ। ଏ ସବୁ ମୋ ପାଇଁ ଘଟିଛି। ଦୁଇ ମାସ ତଳେ ବାପା ବୋଉ ମାମୁଁ ଙ୍କ ଦେହ ଖରାପ ପାଇଁ ମାମୁଁ ଘରକୁ ଯାଇ ଥିଲେ।ସେଇ ସମୟରେ ଭାଉଜଙ୍କ ଭାଇ ସୁରଜ ଆମ ଘରକୁ ଆସିଲେ। ମୁଁ ତାଙ୍କୁ ଯିବା ପାଇଁ କହି ପାରିଲି ନାହିଁ। ରାତିରେ ମୁଁ ତାଙ୍କୁ ଖାଇବାକୁ ଦେଲି। ତାପରେ ତାଙ୍କ ରମକୁ ପାଣି ନେଇ ଗଲି। ହେଲେ ସେଠାରେ କ'ଣ ହେଲା ମୋର ମନେ ନାହିଁ। ସକାଳୁ ଉଠିଲା ବେଳକୁ ମୁଁ ଦେଖି ଆମ ଦୁଇ ଜଣଙ୍କ ମଧ୍ୟରେ ସବୁ କିଛି ସରି ଯାଇଛି। ମୁଁ କାନ୍ଦିବାରୁ ସେ କହିଲେ ସେ ବି ଜାଣି ନାହାଁନ୍ତି ଏ ସବୁ କେମିତି ହେଲା। ହେଲେ ସେ ମୋତେ ବିବାହ କରିବେ କହି ମୋ ମୁଣ୍ଡରେ ସିନ୍ଦୂର ଦେଲେ। ଆଉ ଦୁଇ ଦିନ ମୋ ସହ ରହିଲେ। ସେ ଯିବା ଆଗରୁ ମୋତେ କହିଲେ ସେ ଘରକୁ ଯାଇ ତାଙ୍କ ବାପା ମାଆଙ୍କୁ କହି ବିବାହ ପ୍ରସ୍ତାବ ପକାଇବେ।


ଆଉ ଗଲା ପରେ ସୁରଜ ମୋତେ ଫୋନ କଲେ ନାହିଁ।ବାପା ବୋଉ ସପ୍ତାହ ପରେ ଆସିଲେ। ମୁଁ ଲାଜରେ ବାପା ବୋଉଙ୍କୁ ଏ ବିଷୟରେ କହି ପାରୁ ନ ଥାଏ। ହେଲେ କିଛି ଦିନ ତଳେ ମୁଁ କଲେଜ ରେ ଅଚେତ ହୋଇ ପଡ଼ିଗଲି। ଆଉ ଚେତା ଆସିଲାରୁ ଜାଣିଲି ମୁଁ ମାଆ ହେବାକୁ ଯାଉଛି।ଏ କଥା କଲେଜରେ ସବୁ ଜାଣି ଗଲେ। ବାପା ବୋଉଙ୍କ ମୁଣ୍ଡ ଲାଜରେ ନଇଁଗଲା। ସେମାନେ ମୋ ଠାରୁ ସବୁ ଶୁଣିଲେ। ତୋତେ କହିବାକୁ ମନା କଲେ କରାଣ ଏ ସବୁ ନେଇ ତୋର ଓ ଭାଉଜ ମଧ୍ୟରେ ଅଶାନ୍ତି ହେବ। କାଲି ସେମାନେ ଭାଉଜଙ୍କ ଘରକୁ ଯାଇ ଥିଲେ ‌। ସେମାନେ ଫୋନରେ କହିଲେ ସୁରଜ ଏ ମୋ ଗର୍ଭର ବାପା ନୁହେଁ ବୋଲି ମନା କଲେ।ଆସିବାରେ ଡେରି ହେବାରୁ ମୋ ଆଖି ଲାଗି ଯାଇ ଥିଲା। ସକାଳେ ‌ଉଠିଲା ବେଳକୁ ବାପା ଆଉ ବୋଉ ଆତ୍ମହତ୍ୟା କରିଛନ୍ତି।ଏ ସବୁ ମୋ ପାଇଁ। ତେଣୁ ମୁଁ ବି ତାଙ୍କ ପାଖକୁ ଯାଉଛି।


ଚିଠି ପଢ଼ି ପବନ ଅବାକ୍ ହୋଇ ନିଶ୍ଚଳ ବସ୍ତୁ ପରି ଆମ୍ବ ଗଛ ମୂଳରେ ବସି ଥାଆନ୍ତି। ରୀତା ଗାଁ କୁ ଆସି ପବନଙ୍କ ପାଖକୁ ଯାଇ ତାଙ୍କୁ ସମ୍ଭାଳିବା ପାଇଁ ଚେଷ୍ଟା କଲେ।ହେଲେ ପବନ ଜୀବନ୍ତ ନିଶ୍ଚଳ ବସ୍ତୁ ପରି ବସି ଥାଆନ୍ତି।ରୀତା ପବନଙ୍କ ହାତରୁ ଚିଠି ନେଇ ପଢିଲେ। ତାଙ୍କ ଆଖିରୁ ଲୁହ ଝର ଝର ହୋଇ ବହି ଗଲା। ପବନଙ୍କୁ କହିଲେ ଏ ସବୁ ମୋ ଭାଇ ପାଇଁ ହୋଇଛି।ମୋତେ କ୍ଷମା କରି ଦିଅ କହି ଚିଠିକୁ ନେଇ ପୋଲିସକୁ ଦେଇ ଦେଲେ।ଆଉ ପବନଙ୍କୁ ସମ୍ଭାଳିବାରେ ଲାଗିଲେ ଏବଂ ଶାଶୁଘର ଲୋକଙ୍କୁ ବାପଘର ଲୋକଙ୍କ ପାଇଁ କରିଥିବା ବ୍ୟବହାରକୁ ନେଇ ଅନୁତାପ କଲେ। ପୋଲିସ ସୁରଜକୁ ଗିରଫ କଲା।


Rate this content
Log in

Similar oriya story from Drama