ଜୀବନ
ଜୀବନ
ଅରଖ ନୂଆ ଚୂନ ଧଉଳା କାନ୍ଥ ଟା ଉପଟେ ପାଆଶଁ ପାବାର ହଳଦିଆ ବଲବ୍ ଟା ତଳେ ଲାଙ୍ଗୁଡ ବୁଲେଇ ବୁଲେଇ ବୁଲୁଥିବା ଦର୍ପିଳ ଠାଣିର ଜୀବଟା ଅଗତ୍ଯା ଭୋକରେ ଥିଲା । ନୂଆ ରଙ୍ଗ ଗନ୍ଧରେ ନା ଗୋଟେ ପୋକ, ନା ,ମାଛି ଟେ କି ମଶାଟେ, ଏମିତି କି ଝୁଲନ୍ତ ବୁଢିଆଣୀ ପିଚିକାଟେ ବି ଜୁଟୁନି । ଲାଇଟ୍ ଚାରିପଟେ ଦିନ ରାତି ଭିଣିଭିଣି ଆଲୁଅ ପୋକ, ଝରିପୋକ, କି ରାଣୀପିମ୍ପୁଡିଟେ ବି ହାବୁଡୁନି । ଇଏ ତାର କାନ୍ଥ ସାରା ଘେରା ମାରି ମାରି ଥକି ଶୋଷରେ ଲେଉଟି ଲଥ୍ କି ତଳେ ପଡିଲା ସଶବ୍ଦେ " ଥପ୍ " । ସରସରେଇକି ପୁଣି ଚଢି ଲୁଚିଗଲା ବାଗେଇକି କୋଣରେ କୋଦା ଧଳା ଝିଟିପିଟି ଟା ଆଉ କହିଲା, " ସତ୍, ସତ୍, ସତ୍ " । କଣ ସତ୍ କେଜାଣି ତାର ?ଚଟକଣାଏ ବସେଇବାକୁ ମନ ହେଲା ତା 'ଗାଲରେ । ପୁଣି ନିଜ ଉପରେ ଦୟା ଆସିଲା ।
ଅନ୍ୟ କୁ କଷ୍ଟ ରେ ଦେଖି ତା କଷ୍ଟ ରେ ନିଜ କଷ୍ଟ ମିଶେଇ ଘାଣ୍ଟିଲେ ଗୋଟେ ଅପୂର୍ବ ଶାନ୍ତି । ମାନେ ମୁଁ ଏକା ନୁହେଁ ଆଉ କିଏ ସବୁ ବି ଭୋଗୁଥାନ୍ତି ପୃଥିବୀ ଯାକ ଠିକ୍ ମୋରି ପରି । ମଣିଷ ର ମୁଣ୍ଡ .... ଆଶ୍ଚର୍ଯ୍ୟ ଗଢା । ଏଇ ବୁଢା ବୟସ ଟା ବି ତ ସେମିତି । ଜଣାପଡେନି ସିନା କିନ୍ତୁ କାମ ଖଟୁ ଥିବା ପାଦ ଦିଟା ଘୋଷାଡି ହୁଅନ୍ତି ଗୁଡେ କାରଣ ସବୁ କୁ ବୋହୁ ବୋହୁକା । କାନକଲି ତଳୁ ଆରମ୍ଭ ହୁଏ ଧୂସରିଆ ଗାର ସବୁ ସହ ବୁଢା ହବାର ଶ୍ରୀଗଣେଷ । ଏ ଅନ୍ନମୟ କୋଷ ସବୁକୁ ପୋଷୁ ପୋଷୁ, ଜୀବିକା ଚକ ରେ ଜୀବନକୁ ପେଶୁ ପେଶୁ ଜୀବନ ରୁଷିହଜିଯାଇ ମାଟିରେ ପଡେ ସଶବ୍ଦେ " ଲଥ୍ " ।
ଜୀବନ ସାଙ୍ଗେ ଜୀବିକା କୁ ଜଉମୁଦ ଦେଇ ସାମଞ୍ଜସ୍ୟ ଘଟେଇପାରୁଥିବା କରିତ୍କର୍ମା ଯୋଗାଡିଆ ମାନେ ଜାଣି ଯୋଗ୍ଯ ଆନନ୍ଦିଆ ଜୀବନ ଟେ ଜୀଅଁନ୍ତି । ହେଲେ ଅଧାରୁ ବେଶୀ ମୋରି ପରି " ଲଥ୍ " । ଚାକିରୀ ଥିବ, ବଳ ବୟସ ଥିବ ,ଯାହାର ଯାହା ଦରକାର ଜାଚି ଜାଚି ହାତ ଖୋଲି ଆଉ ଯୋଡେ ଅଧିକାକି ଯେ ଯାଏ ତମେ ଦେଉଥିବ ତମେ ହେଲ ଠାକୁର, ଲୋଡା । ନହେଲେ, ନ ପାରିଲେ, ବଳ ଖସିଲେ ,ସମୟ ହାତ ଛାଡିଲେ ସେଇ ଆଜନ୍ମ ତମଠୁ ନବା ହାତ ତକ ସାଏଁ କି ବୁଲି ପଡି ତମକୁ ଅଚିହ୍ନା କରିଦେବେ । ହଅ ତମେ କୋଉ ଅନେଇଥିଲ କି ସେମାନଙ୍କ ସ୍ତୁତି ପ୍ରସସ୍ତିଗାନକୁ ? ଇଏ ତ ଚିରାଚରିତ କଥା । ରାମଯୁଗଠୁ ଦେଖୁଛେ ।
ଆଉ ତମେ ଯଦି ଟୋପେ ତମ କଥା ଭାବିଲ, ମାନେ ଜୀଇଁବାକୁ ମନ କଲ ଟିକେ ଜୀଇଁଲା ପରି ତା ହେଲେ ତ କଥା ସରିଲା । ତମେ ଲୋଭୀ, ସ୍ବାର୍ଥପର, ବାଟ ଓଗଳା, ଅଥର୍ବ, ସୁଉକିଏ ତମ ହାତରୁ ଖସେନା, କାମ୍ପି କାଉ ..... ଯିଏ ସମସ୍ତଙ୍କ ମଳି ଖାଏ ହେଲେ ନିଜ ଚମ ଉଙ୍କୁଣି ବି ଦିଏନା । ହେଃ ଛାଡ ହେ । କିଏ ଶୁଣୁଛି ! କିଏ କୋଉ ଆସି ପିଠିରେ ପଡିବ ନା ଗୋଡରେ ହାତ ବୁଲେଇ ଉସୁଆସ କରି ପରାସ ଘେନିବ! ନିଜ ବୁଜୁଳି ନିଜେ ବୋହିବ କି ନାଇଁ ?
ହେଇ ହେଇ ମତେ ଦେଖୁନ ! ରଜାପୁଅ ଭଳିଆ ଚାଲି, ଠାଣିମାଣି,କଲି, ବୋଲି । ପୁଣି ଏଇ ଦେହର ଥିଲା କି ନାହିଁ! ଉତ୍ତମ ମହାନ୍ତି ପରି ବେଲ୍ ପୁରା ପ୍ଯାଣ୍ଟ ସାଙ୍ଗେ ଫୁଲପକା ଫୁଲ୍ ସାଟ୍ କପ୍ କୁ ଫୋଲ୍ଡ କରି କରି ଦାଣ୍ଡ ରେ ଗଲାବେଳେ ପଛପଟୁ ହଳ ହଳ ଆଖି ଯେ ହଜି ହଜି ଚାହାଁନ୍ତି କଣ ଜଣାପଡେନି କି ! ମହୁମାଛି ଭଳିଆ ମୋ ଚାରିପଟେ ଲୋକେ ଘେରା ବାନ୍ଧୁଥିଲେ । ଆହାଃ କି ଦିନ ଥିଲା ସତେ । ଅଫିସ୍ ବେଢାରେ ମୋ ବ୍ଯକ୍ତିତ୍ବ, ଚେହେରା, ତେଜ୍ ନେଇ କେତେ ଆଲୋଚନା କାନରେ ନ ପଡୁଥିଲା !ଛାଡ, କହନା କି ମନ ଦହନା । ଏଇଲେ କଥା କହୁନ, ଗଲା କଥା ତ ଗଲାଣି । ତାକୁ ଝୁରିଲେ କଣ ପେଟ ପୁରିବ? ଝିଲିମିଲି ଝଲସା ଜୀବନ ଖରା ଧାସରେ ଝାଳେଇଯାଏ ।
ମୋ ବାପା ଆଉ ତାଙ୍କ ନାତି ମାନେ ମୋ ଏକଇରବଳା ପୁଅର ରାଶି ସମାନ । ବୃଷ । ହଁ ଜଣଙ୍କର କୃତ୍ତିକା ତ ଆର ଜଣଙ୍କର ରୋହିଣୀ । ନକ୍ଷତ୍ର ସିନା ଭିନ୍ନ ହେଲେ ପ୍ରକୃତ ଏକ । ଏ ରାଶି ସବୁର ଚିତ୍ର ପରି ଏ ମଣିଷ ମାନଙ୍କ ପ୍ରକୃତିର ସାମଞ୍ଜସ୍ୟ କୁ ନେଇ ବୋଧେ ଏମିତି ଚିତ୍ରଖଞ୍ଜା । ମୋର ସଭା ଶେଷ ରାଶି ବାରିଟି ଯାକ ଛବିର ସଭା ପଛରେ । କର୍କଟ । କଟ କଟ । କି କଷ୍ଟିଆ ରାଶିଟା କେଜାଣି? ସବୁ କରିବ, ଧରିବ ଆଉ ଶେଷକୁ ଭୋଗିବ ବି ତମେ ।
ପିଲାଦିନୁ ଦେଖିଲି ଷଣ୍ଢ ଗୋଟେ ଯେମିତି ହେଲେ ଖୋଜା ହେଇ ଆସିବ । ପ୍ରତିଦିନ । ନହେଲେ ବାପା ଯିବେ ତା ପାଖକୁ । ଗରମ ଗରମ ଘିଅ, ମୁଗ ପକା ଖେଚଡି ତାକୁ ଖୋଇ ନିଜେ ମୁଗ୍ଧ ହେବେ । ତା ବେକଦଣ୍ଡି କୁ ସାଉଁଳୁ ସାଉଁଳୁ ସିଏ ପାକୁଳା କରୁଥିବ । ସବୁଦିନେ ଗାଁ ଲୋକନାଥଙ୍କୁ ଗୁହାରି ପଡି ପାଦୁକପାଣି ପାଇସାରିଲେ ପାଟିରେ ପାଣି ଦେବେ । ସିଏ ତାଙ୍କ ଜୀବନ ସୁରୁଖୁରୁ ରେ କାଟି ଭୁରିଭୋଜନେ ନିଜକୁ ଆପ୍ଯାୟିତ କରି ସସମ୍ମାନେ ଆରପାରିକି ବାଟ କାଟିଲେ । ଦିନେ କାଳେ ମୋ କଥା ନ ଭାବିଲେ ।
ମୁଁ ମୋ ଶିଙ୍ଘ ରେ ମାଟି ତାଡି ଉଆସ କଲି । ଝାଳ ମେହେନତ ଲଗେଇ କାନ୍ଥ ଉଠେଇଲି । ଚଉରାଠି ଦୀପ ଜାଳିବାକୁ ଜୀବନ ଦୀପାଳି ଟିଏ ମୋ ହାତ ଧରି ଆସିଲା । କୋଳ ଝୁଲଣାରେ ହାତି ଘୋଡା ପେଁ ପେଁକାଳୀ ଫୁଙ୍କିଲେ ଜୀବନ୍ତ କଣ୍ଢେଇ ମାନେ । ସବୁ ସଜିଲ ସୁନ୍ଦର ଥିଲା ମ । କହୁ ନ ଥିଲି, ମଣିଷ ହାଇ, ଗଛର ଛାଇ । ସେଇ ହାଇ ପଡିଗଲା ଓ ହସଖୁସିର ଚାନ୍ଦୁଆଟଣା ଅଗଣାରେ । ଦୀପ ଲିଭିଗଲା । ଅଧା ମୋଡି ହେଇ ଭାଙ୍ଗିଖସି ପଡିଲି । ପଡୁ ପଡୁ ସମ୍ଭାଳିଲି କଅଁଳ କୋଳ ଫୁଲ ମାନଙ୍କୁ । ମୁଣ୍ଡ ରେ ଟୋକେଇ ଥୋଇଲି ଭାର ବୋହିବାକୁ ଏକା । ପାଦ ତଳ ମାଟି ତଳକୁ ଦବିଯାଉଥିଲେ । ଯୁଗେ ଗଲା । ଡାଳ ପତ୍ର ମେଲିଲେ କଢି ମାନେ ମୋର ।
ଝିଅ କୁ ସୁଯୋଗ୍ଯ ବରପାତ୍ର ହାତେ ଟେକି ଦେଇ ସୁକନ୍ଯା ଟିଏ ବୋହୂ କରି ଆଣିଲି ସର୍ବମଙ୍ଗଳା ଜଗନ୍ନାଥେ ଙ୍କୁ ସାକ୍ଷୀ ରଖି ଯେ ,ବୁଢା ହଡା .... ଅଡୁଆ ଖଡା ପରି ଅଲୋଡା ହେଲି । ବୋହୁ ତାର ବାପଘର ବାହୁଡିଗଲେ ପଣସ ଅଠା ତକ ମୋ ମୁଣ୍ଡ ରେ ବୋଳି । ଅକାଳେ ସକାଳେ ମାଡି ମାଡି ପଡିଲା ବିନାଦୋଷେ ଦଣ୍ଡ ଭୋଗୁ ଭୋଗୁ ।
" ମଠ , ମନ୍ଦିର, ବୃଦ୍ଧାଶ୍ରମେ ଛାଡିଦେଇ ତୋ ଜୀବନ ସଜାଡ" , ପ୍ରସ୍ତାବ ରେ ପୁଅ ଅରାଜି ହେଲା । ଏକାଜିଦ କାହିଁକି ତୁମେ ଘରୁ ଯିବ ? ସିଏ ତା ଭୁଲ ବୁଝି ଫେରୁ । ଆମେ ଯେମିତି ଚଳୁଥିଲେ ଚଳିବା । ବାରମହଣ ଘିଅ ହବ ନା ରାଧା ନାଚିବ ଭଲା । ରୁଖାଶୁଖା ଚକ ଘୋଷାଡିଲୁ ବାପପୁଅ ।
ଦିନେ ସ୍ବପ୍ନରେ ଆସି ସୁଲକ୍ଷଣା ଆମର କହିଲେ, " ତୁମ କଥା କିଏ ବୁଝିବ? ଏଡେ ହିନିମାନି ହଉଛ, ଦିତିଅପକ୍ଷରେ ଆଉ ଜଣଙ୍କର ହାତ ଧର । ନୋହିଲେ ପାଣି ଗିଲାସେ କିଏ ଦବ? ପୁଅ ମୋର ଚୁଲି ଫୁଙ୍କି ଫୁଙ୍କି ବେହାଲ ହେଲାଣି । ତମକୁ ମୋ ରାଣ । ବହୁତ ପର ପାଇଁ ଜୀଇଁଲ, ଏବେ ନିଜ କଥା ଟୋପେ ଭାବ " । ନିଦ ଭାଙ୍ଗିଲାରୁ ହେଜ ପଶିଲା ସପନ ଥିଲା ବୋଲି । ମନ ଥୟ କଲି । ସତରେ ଆଉ ତ ପାରୁନି । ପିଲାଟା ବି କେତେ ଖଟିବ ଭଲା । ହାଣ୍ଡି ଚୁଲି ଠୁ ଦପ୍ତର କାଗଜ ଯାଏ ଏ ବୟସରେ ଏକୁଟିଆ ପଡିଯାଉଛି । ପେଟକୁ ଦାନା ବି ଢଙ୍ଗରେ ପାଉନି । କି କାଳ ହେଲା କେଜାଣି ? ଭଲ କର୍ମ ର ମନ୍ଦଫଳ ଭୋଗିବାକୁ ହେଲା । ଅକାରଣେ ପୁଅ ମୋର କଷ୍ଟ ପାଇଲା । ମନ ଟାଣ କଲି । କହିଲି ହଉ ପଛେ ସମାଜେ ନିନ୍ଦା ଭାତ ଗଣ୍ଡେ ତ ଫୁଟେଇ ଦବ କାହାକୁ ଜଣଙ୍କୁ ଘରକୁ ଆଣିଲେ ।
ହେଲେ ଏ ବୟସେ ଏ କଥା କହିବ କିଏ ? ଯଦି ଓଲଟା ଦାସେ ଘୋଡା ଚଢିଲେ? ଯଦି ଦିଅଁ ଗଢୁ ଗଢୁ ବାନର ହେଲା? ଏମିତି ଭାବି ଭାବି ଦଶ ବରଷେ ଗଲା ।ବିଲେଇ ବେକରେ ଘଣ୍ଟି କେହି ବାନ୍ଧି ପାରିଲେନି । ସାହାସ କୁଳେଇଲାନି କାଳେ ଭୁଲ୍ ବୁଝାମଣା ହେବ ବୋଲି କିନ୍ତୁ ଅବସ୍ଥା ବାର ବାଜିଗଲା ଦିନୁ ଦିନ । ଦିନେ ଛେପ ଢୋକି ପୁଅ ଆଗରେ ସମାଜ କାଗଜର ମାଟ୍ରିମୋନି/ ସାଥୀଖୋଜା ବିଭାଗୀୟ ଫର୍ଦ୍ଦ ରେ ଛପା ପଚାଶ ବର୍ଷିୟା ଏକୁଟିଆ ଶିକ୍ଷୟତ୍ରୀ ତାଙ୍କର ବାକି ଜୀବନ ପାଇଁ ପରିବାର ଟିଏ ଖୋଜୁଥିବାର ବିଜ୍ଞାପନ କୁ ନାଲି କଲମରେ ମୁଣ୍ଡୁଳି ବୁଲେଇ ଥିରି କି ବଢେଇଦେଲି ,ଯେମିତି ସିଏ ମୋର ବାପା ମୁଁ ତାର ଆଜ୍ଞାଧିନ ପୁଅ । "କଣ ଟେ" ବୋଲି ନେଇ ଆଖିବୁଲେଇ ଆଣି ସିଏ ମତେ ଏମିତି ଅନେଇଲା ଯେମିତି ମୁଁ ତାକୁ ଶୂଳୀରେ ବସେଇ ମୋ ପାଇଁ ସରଗ ଚାନ୍ଦ ମୋ ପାପୁଲିରେ ଥୋଇବାକୁ କହିଲି । ମୁଁ ଚୁପ୍ ରହିଲି । ସିଏ କିନ୍ତୁ କହିଲା, " ଆଜି କହିଲ ଆଉ ଯେମିତି ଦିନେ ଏମିତି କଥା ନ କୁହ । ଯାହା ତ ଭାଗ୍ୟ ରେ ଚାଲିଛି ଚାଲିଛି " । ଆଉ କାଗଜ ଟିକୁ ମୁଣ୍ଡୁଳା ମାରି ମୋର ନିହାତି ଆବଶ୍ୟକତା ସବୁକୁ ଲୋଚାକୋଚା କରି ମୁଁ ଦେଖିଲା ପରି ଅଳିଆଗଦାରେ ପକେଇଗଲା । ଭାଗ୍ୟ କୁ ବଦଳେଇବାକୁ ନ ଚାହିଁ ଅରମାରେ ଫିଙ୍ଗିଦେଲା ।
ଏବେ ଦେଖୁଛି ଗୋଟେ ବିରାଟ କାଳିଆ ଷଣ୍ଢ ନିତି ଖାଉ ନ ରାବୁଣୁ ଆସି ସୁନାପିଲା ପରି ବଇଠି ମାରି ଦାଣ୍ଡ ପିଣ୍ଢା କୁ ଆଉଜି ବସୁଛି । ପୁଅ ମୋର ତା ପାଇଁ ହଳଦୀ ମୁଗଜାଇ ପକା ଖେଚଡି ନିଜେ ରାନ୍ଧି ଥୋମଣୀ ଠି ଓଜାରି ଆସୁଛି ବଡ ଘାମେଲା ଟାରେ । ସିଏ ଘଣ୍ଟେ କାଳ ସେ ନନ୍ଦିଆ ଟାରେ ଜିଭକୁ ବୁଲେଇ ବୁଲେଇ ଘଡର ଘଡର କରୁଛି ଶେଷ ଦାନା ଭାତ ଥିବା ଯାଏ । ଛାଁ ଆସୁଛି, ଛାଁ ଖାଇକି ଛାଁ ପଳଉଛି କୋଉ ଜନ୍ମ ର କର୍ମ ଫଳତକ ଚାକୁଳେଇ ଚାକୁଳେଇ । କେବେ ସବୁ ଭୋଗ ତକ ଖାଇସାରିବ କେଜାଣି ? ମଣିଷ ବଞ୍ଚିଯିବ ତ ।
