Sunita Barik

Fantasy Thriller

3  

Sunita Barik

Fantasy Thriller

ଝର୍କା ସେପାଖେ

ଝର୍କା ସେପାଖେ

7 mins
576


ଅବେଳରେ ଘଡଘଡି ସହ ବର୍ଷା ଆରମ୍ଭ ହୋଇ ଯାଇଥିଲା। ଏ ଅଦିନିଆ ବର୍ଷାର ବି ଜବାବ ନାହିଁ। ଖୋଜିଲା ଵେଳେ ତାର ଦେଖା ନ ଥାଏ କିନ୍ତୁ ଯେବେ ଖୋଜାନଥାଏ କୋଉଠି ଥାଏ କେଜାଣି ଅଜାଡ଼ି ହୋଇ ପଡେ। ଅଚାନକ ପାଗର ପରିବର୍ତ୍ତନ ଯୋଗୁଁ ଅଫିସ୍ ସାରି ଫେରିବାକୁ ବିଳମ୍ବ ହେଉଥିଲା ମନ୍ଦିରାର।

ଆଜି ଭଳି ଦିନରେ ତାକୁ ଶିଘ୍ର ପହଞ୍ଚିବାର ଥିଲା ଘରେ। ବିବାହ ର ଛଅ ବର୍ଷ ଲାଗେ ଯେମିତି ଏବେ ଏବେ ବାହାଘର ହୋଇଛି। ଭାରି ବ୍ୟସ୍ତ ଲାଗୁଥିଲା ତାକୁ। ହେଲେ ଖାଲି ଅପେକ୍ଷା କରିବା ଛଡା କିଛି ଅନ୍ୟ ଉପାୟ ନଥିଲା ପାଖରେ। ସବୁଥର ପରି ମୁଁ ତା ଆସିବା ବାଟକୁ ଚାହିଁରହିଥିଲି । ମୁଁ ଆଲୁଅ ଲିଭାଇ ମୋ ଝରକାର ପର୍ଦ୍ଦା ଫାଙ୍କରୁ ତାକୁ ଦେଖିବାକୁ ଚେଷ୍ଟା କରୁଥିଲି । ଅଟୋରିକ୍ସା ତାଠୁଁ ପଇସା ମାଗି ନ ଥିଲା । ଭାରି ଆଶ୍ଚର୍ଯ୍ୟ ଲାଗେ ଏ ଅଟୋବାଲାଟାକୁ ମୋତେ। କୋଉଠି ,କେମିତି ,କେଜାଣି ମନରେ ଏକ ଅଜଣା ଆଶଙ୍କା ଅହରହ ଲାଗି ରହିଥାଏ।

ଆଜି କାଲିର ଯେଉଁ ଦରଦାମ୍ ଅଟୋଵାଲା ଟା ଏତେ ରାତିରେ ଅଫିସ ଠୁ ଏତେ ବାଟ ଛାଡିବାକୁ ଆସୁଛି ଅଥଚ ପ‌ଇସା ମାଗୁନି କି ଯାଚିଲେ ନ‌ଉନି। କେବଳ ଏକ ବିସ୍ମୟ ର ହସ ଖେଳେଇ ଚାଲିଯାଏ ତା ବାଟରେ। ସେଥିପାଇଁ ମନ୍ଦିରା ଆଉ ମୋ ଭିତରେ ଏ କଥା କୁ ନେଇ ଯୁକ୍ତି ତର୍କ ବି ହୁଏ । ମନ୍ଦିରା ରାଗି ଯାଇ କହେ ମୁଁ କ'ଣ ପ‌ଇସା ଦେବାକୁ ମନା କରୁଛି ସେ ତ ନ‌ଉନାହାନ୍ତି। ସେଥିରେ ମୋର କ'ଣ ଭୁଲ୍। ତମକୁ ଯଦି ଏତେ ଖରାପ ଲାଗୁଚି ତମେ ନିଜେ ଯାଇ ପ‌ଇସା ଦେଇ ଆସ। ହଁ ହଁ ସେଇଆ କରିବି।

ଆଜିର ଏ ଦୁନିଆରେ ନିଜ ଲୋକ ମାନେ ଟଙ୍କା ଟେ ଛାଡ଼ୁ ନାହାନ୍ତି ହେଲେ ସେ ସାମାନ୍ୟ ଅଟୋବାଲା ଟା ଏତେ ଦୟା କାଇଁ ଦେଖୋଉଛି ତମ ପାଇଁ। କିଛି ଗୋଟେ ଚାଲିଛି ତା ମୁଣ୍ଡ ଭିତରେ। ଖବର ନଵାକୁ ପଡ଼ିବ ତା ବିଷୟ ରେ। ଏଇ କିଛି କଥାରେ ହସଖୁସିର ଅପେକ୍ଷା ଏକ ଘଞ୍ଚ ନିରବତା ଭରିଦିଏ ଦୁହିଁଙ୍କ ଭିତରେ। ଗୋଟେ ଖଟରେ ଶୋଉଥିବା ଦୁଇ ମଣିଷ ସେଇ ରାତିରେ ପାଲଟି ଯାଆନ୍ତି ଦୁଇ ଅଜଣା ଭିନ୍ନ ମଣିଷ। ରାତି ଲମ୍ଵେ ସିନା ଚାହିଁଲେ ବି ଦୂରତା କମେନି। କିଛି ଦିନ ପରେ ପୁଣି ସବୁ ଠିକ୍ ହେଇଯାଏ।

ଏଥର କିନ୍ତୁ ମୁଁ ମନେ ମନେ ସ୍ଥିର କରିନେଇଥିଲି ଯଦି ପୁନର୍ବାର ଏମିତି କିଛି ଘଟଣା ଘଟେ ସେ ଅଟୋବାଲାକୁ କିନ୍ତୁ କୈଫତ୍ ଦବାକୁ ହିଁ ପଡ଼ିବ। କର୍ମମୟ ଜୀବନ ସାଥିରେ ଦାମ୍ପତ୍ୟ ଧିରେ ଧିରେ ବଢେ ସୁରୁଖୁରୁରେ। ଏଭିତରେ ଅନେକ ଦିନ ବିତି ଯାଏ। ସେ ଅଟୋବାଲା କଥା ମନରୁ ପାଶୋରି ଯାଏ।

ପରିବର୍ତ୍ତନ ତ ସମୟ ର ନିୟମ। ଅଫିସ୍ ରେ ନିଜ କାମରେ ସୁନାମ ଅର୍ଜନ କରିପାରିଥିବା ମନ୍ଦିରା ର ପ୍ରମୋସନ୍ ପାର୍ଟି ଥାଏ ଅଫିସ୍ ରେ। ପାର୍ଟିରେ ମସଗୁଲ୍ ହୋଇ ଢେର୍ ରାତିରେ ଘରକୁ ଫେରୁଥାଏ ମନ୍ଦିରା। ଅଟୋ କି ବସ୍ ମିଳିବା ଭାରି ମୁସ୍କିଲ ଏ ସମୟରେ।ଶୂନଶାନ ରାସ୍ତା ରେ ମଝିରେ ମଝିରେ ଗାଡି ମାନଙ୍କ ର ଯିବା ଆସିବା। ରାସ୍ତା କଡ଼ରେ ବୁଲା କୁକୁର ମାନଙ୍କ ର ଏକ ଅଜବ ପ୍ରକାର ଭୁକିଵା ପରିବେଶ କୁ ଆହୁରି ଗମ୍ଭୀର କରୁଥାଏ। ସତେ ଯେମିତି ଆଗତ ଵିପଦର ସୂଚନା ଦେବାକୁ ଚାହାନ୍ତି ସେମାନେ। ମନ୍ଦିରା ଏଥର ପାଦର ଗତି ଆହୁରି ବଢ଼େଇଲା। ଭିତରେ ଭିତରେ ଆଜି ସେ ଅଟୋଵାଲା ଟାକୁ ଭାରି ଝୁରି ହେଉଥିଲା। ମନେ ମନେ ଭାବୁଥିଲା କୁଆଡେ ଗଲା ସେ !

ଆଜି ଯେଉଁ ଅସୁବିଧା ଉପୁଜିଛି ସେ ଥିଲେ ଅନ୍ତତଃ ପକ୍ଷେ ଏଥିରୁ ସେ ମୁକ୍ତି ପାଇ ଯାଇ ଥାଆନ୍ତା। କିଛି ବାଟ ଗଲାପରେ ସେ ଦେଖିଲା ପାଖ ମନ୍ଦିର ରେ ଗାଡି ରଖି ତିନି ଚାରି ଜଣ ବସିଛନ୍ତି। ମନେ ମନେ ସ୍ଥିର କଲା ସେମାନଙ୍କୁ ଯାଇ କିଛି ସାହାଯ୍ୟ ମାଗିବ। ଯେମିତି ବି ହେଉ ଘରେ ପହଞ୍ଚିବାକୁ ପଡ଼ିବ। ସେ ପାଦ ବଢ଼େଇଲା ମନ୍ଦିର ଆଡେ।

କିଛି ସମୟର କଥାବାର୍ତ୍ତା ଆଉ ତାପରେ କ'ଣ ଘଟିଲା ତା ସହ କିଛି ବି ମନେ ନାହିଁ ତା'ର। କିନ୍ତୁ ମୋର ସବୁ କିଛି ମନେ ଅଛି। କି ଅସହାୟ ଥିଲି ମୁଁ ସେଇ ସମୟରେ। ରାତି ବଢିବା ସହ ଏକ ଅଜଣା ଆତଙ୍କ ସମଗ୍ର ଶରୀରକୁ ଭାରାକ୍ରାନ୍ତ କରି ଜାବୁଡ଼ି ଧରିଥିଲା। ହଠାତ୍ ବାହାରେ ଅଟୋ ଟିଏ ରହିବାର ଶବ୍ଦ ଶୁଣି ଝରକା ପାଖକୁ ଯାଇ ନଜର ପକେଇଲି। ହେଲେ ତଳକୁ ଧାଇଁ ଯାଇ ମନ୍ଦିରା କୁ ପ୍ରଶ୍ନ କରିବା ଭଳି ଅବସ୍ଥାରେ ନଥିଲି। ତା ସହିତ ସେ ପୁରୁଣା ଅଟୋବାଲା କୁ ଦେଖି ମୁଁ ରାଗ ଜରଜର ହୋଇ ସାରିଥିଲି। ମନ ଘୃଣା ରେ ଭରି ଉଠୁଥିଲା। 

କଲିଂ ବେଲ୍ ବାଜି ଉଠିଲା। ଡୋର ଖୋଲି ଯାହା ଦେଖିଲି ମୋ ପାଦ ତଳୁ ମାଟି ଖସିଗଲା। ଭାବିଲି ଆଜିଯାଏଁ ହୁଇଲ ଚେୟାର ଉପରେ ବସି ବସି ନିଜକୁ ଯେତେ ପଙ୍ଗୁ ଅଥର୍ବ ଭଳି ଲାଗୁ ନଥିଲା ଆଜି କିନ୍ତୁ ଲାଗୁଛି ସତରେ ମୁଁ ପଙ୍ଗୁ ଟାଏ। ସେଦିନ ମନ୍ଦିରାର ରେପ ହୋଇଥିଲା । ତା ବେହୋଶ ଦେହରେ ଗୋଟିଏ ନିର୍ବାଚନ ପୋଷ୍ଟର ଗୁଡେ଼ଇ ଅଟୋରିକ୍ସା ବାଲାଟେ ତାକୁ ଗଟର କଡ଼ରୁ ଉଠାଇ ଆଣିଥିଲା । ଘର ଭିତର ଖଟରେ ମନ୍ଦିରାକୁ ଶୁଏଇ ଦେଇ ଅଟୋବାଲା ଚାଲିଗଲା ବେଳେ ତା ହାତ ଧରି ବହେ କାନ୍ଦିଲି। ଯାହାକୁ ମୁଁ ସନ୍ଦେହ କରୁଥିଲି ସିଏ ହିଁ ଆଜି ରକ୍ଷକ ସାଜି ଫେରିଛି। ତା ହାତ ଧରି ଭୁଲ୍ ମାଗିବାକୁ ଟିକେ ବି ସଙ୍କୋଚ କଲିନି। ତାକୁ ଅନୁରୋଧ କଲି ଟିକେ ମୋ ପାଖରେ ବସିବା ପାଇଁ। କାହିଁକି ନା ତାଠୁ ମୋର ବହୁତ କିଛି ଜାଣିବାର ଥିଲା। ତାକୁ ଦେଖିଲେ ଲାଗୁଥିଲା ସତେ ଯେମିତି ଅନେକ ରହସ୍ୟ ଲୁଚି ରହିଛି ତା ଭିତରେ। ମୁଁ କିଛି ପଚାରିବା ପୂର୍ବରୁ ଅଟୋବାଲା କହିଲା ବାବୁ ମୁଁ ଜାଣିଛି ଆପଣଙ୍କ ମନରେ ମୋତେ ନେଇ ଅନେକ ପ୍ରଶ୍ନ। ମୁଁ ସବୁ କହିବି ପ୍ରଥମେ ଆପଣ ମୋ ଭ‌ଉଣୀ ର ଧ୍ୟାନ ରଖନ୍ତୁ।ଏବେ ଆପଣଙ୍କ ର ସମ୍ପୂର୍ଣ୍ଣ ସହାୟତା ଲୋଡ଼ା ତା ପାଇଁ।

ତାକୁ ସେଠି ବସିବା ପାଇଁ କହି ମୁଁ ଭିତରକୁ ଚାଲିଗଲି। ମନ୍ଦିରାର ଦେହକୁ ପରିଷ୍କାର କରି ଡ୍ରେସ୍ ପିନ୍ଧେଇ ଲାଇଟ୍ ବନ୍ଦ କରି ପୁଣି ଚାଲି ଆସିଲି । ପାଖ ସୋଫାରେ ବସି ପଡ଼ିଲି ଏକ ନିରବତା ସହ। ଇତିହାସ ପୁଣି ଦୋହୋରେଇ ଥିଲା ତାର ପୃଷ୍ଠା।ଏକ ଅସହ୍ୟ ଯନ୍ତ୍ରଣା ରେ ମୁଣ୍ଡ ଫାଟି ପଡୁଥିଲା। ଏଭଳି ସ୍ଥିତିରେ କ'ଣ କରିବା ଉଚିତ କ'ଣ ଅନୁଚିତ୍ କିଛି ବି ମୁଣ୍ଡରେ ଢୁକୁ ନ ଥିଲା। ମୋର ମାନସିକ ସ୍ଥିତିକୁ ସବୁ ଠ‌ଉରେଇ ନେଲା ଭଳି ଅଟୋବାଲା କହିଲା ଏଥିରେ ତାର କିଛି ଦୋଷ ନାହିଁ । ଦୋଷ ତ୍ରୁଟି ଏଇ ଖଳ ପ୍ରକୃତି ଲୋକ ମାନଙ୍କ ର। ଯେଉଁ ମାନଙ୍କ ପାଖରେ ମଣିଷ ପଣିଆ ବୋଲି କିଛି ନାହିଁ।ଏମାନେ ସବୁ ନାରୀ ମାଂସ ଖିଆ ରାକ୍ଷସ ସବୁ। ହେଲେ ଏଠି ଏସବୁ ଶୁଣୁଛି କିଏ? ମୋର ବି ଗୋଟିଏ ଭ‌ଉଣୀ ଥିଲା। ନାଁ ତାର ରୀତା। ଗାଁ ରେ ଚଳିବାକୁ ଅସୁବିଧା ହେଉଥିଲା ତା ସହ ଭ‌ଉଣୀ କୁ ବି ପାଠ ପଢେଇବାର ଥିଲା। ରୀତା ମୋର ଭଲ ପାଠ ପଢ଼ୁଥିଲା। କଲେଜ ପଢା ପରେ ଏକା ଜିଦି ଧରିଲା ଚାକିରି କରିବା।ବାପା ବୋଉ ଙ୍କ ପରେ ସେ ହିଁ ତ ମୋର ଗୋଟିଏ ବୋଲି ଆଶରା ଥିଲା। ତା କଥା ରଖି ତାକୁ ସହରକୁ ଛାଡିଲି ଚାକିରି ପାଇଁ। ମୁଁ ଅଟୋ ଚଲୋଉଥିଲି ଆଉ ସେ ତା ଚାକିରି ରେ ବ୍ୟସ୍ତ। ଏମିତି ରେ ଆମ ଜୀବନ ସୁରୁଖୁରୁରେ ଗଡିବା ମାତ୍ର ଆରମ୍ଭ ହୋଇଥିଲା। କିନ୍ତୁ ଆମର ସେ ସୁଖ ବେଶି ଦିନ ରହିଲାନି।

ଭ‌ଉଣୀ ମୋର ପ୍ରେମ ରେ ପଡିଗଲା। ଦୁନିଆର ଭିଡ଼ରେ ମଣିଷ ଚିହ୍ନି ପାରିଲାନି। ଯାହାକୁ ହୃଦୟ ଦେଇ ଭଲ ପାଉଥିଲା ସେ ହିଁ ତାର ମରିବାର କାରଣ ସାଜିଲା। ରାତିରେ ଅଫିସ ରୁ ଫେରିବା ଡେରିହେବ ବୋଲି ମୋତେ ଫୋନ୍ କରି କହିଥିଲା। ହେଲେ ଏତେ ଡେରି ଯେ ଆଉ ଫେରିବେନି ବୋଲି ମୋତେ ଜଣା ନ ଥିଲା। ସେଇ ରାତିରେ ତା ପ୍ରେମିକ ସାଙ୍ଗ ମାନଙ୍କ ସହ ମିଶି ବଳାତ୍କାର ପରେ ମୋ ଭ‌ଉଣୀ କୁ ରାସ୍ତା କଡ଼ରେ ମରିବାକୁ ଛାଡି ଦେଇ କୁଆଡେ ଉଭାନ ହୋଇଗଲା ତାକୁ ଆଉ ଖୋଜି କେହି ପାଇଲୁନି। ଭାଗ୍ୟ କୁ ନିନ୍ଦି ଏ ସହରରେ ପଡ଼ି ରହିଛି। ଯେଉଁ ଦିନ ଭେଟ ହେବ ତାକୁ ପଚାରିବି ମୋ ଭ‌ଉଣୀର କ'ଣ ଭୁଲ୍ ଥିଲା? କାହିଁକି ତା ସହ ଏ ନାରକୀୟ କାଣ୍ଡ ଭିଆଇଲୁ? ଏସବୁ କରି ପ୍ରତି ବଦଳରେ କ'ଣ ମିଳିଲା ତୋତେ? ଏସବୁ ପ୍ରଶ୍ନର ଉତ୍ତର ଉତ୍ତର ଦେବାକୁ ପଡ଼ିବ ତାକୁ। ହେଲେ କେମିତି? ଜଣା ନାହିଁ ଶୁଣା ନାହିଁ ଏମିତି ଏକ ଲୋକ କୁ ଏତେ ବଡ଼ ସହରରେ କୋଉଠୁ ପାଇବି? ଯାହା ସହ କେବେ ଦେଖା ହେଇନି କି ଯାହାର ଠିକଣା ଜଣା ନାହିଁ କେମିତି ପାଇବି ତାକୁ? ସେବେଠାରୁ ଘୂରି ବୁଲୁଛି ସହରରେ। ଅସୁବିଧା ରେ ଥିବା ଝିଅ ମାନଙ୍କୁ ଟିକେ ସାହାଯ୍ୟ କରେ ଏଇ ଆଶାରେ ଯେମିତି ଆଉ କେହି ଝିଅ ରାତିରେ ହ‌ଇରାଣ ନ ହ‌ଉ। ସେଥିପାଇଁ ବେଳ ଅବେଳରେ ମୁଁ ମନ୍ଦିରା କୁ ଆଣି ଛାଡ଼ି ଦେଇ ଯାଏ। ତା ଭିତରେ ମୋ ଭ‌ଉଣୀ ରୀତା କୁ ଖୋଜେ। ସେଥିପାଇଁ ତାଠାରୁ ଅଟୋଭଡା ଟା ନିଏନି। 

ଭାଇ ଟେ କ'ଣ ଭ‌ଉଣୀ ଠୁ ସାହାଯ୍ୟ ର ପ‌ଇସା ନିଏ? ତା କଥା ଶୁଣି ଲାଗୁଥାଏ କେଉଁଠି ନା କେଉଁଠି ଏକ ସମ୍ପର୍କର ଖିଅ ଯୋଡ଼ି ହୋଇଛି ଯେମିତି। ଏସବୁ କହୁ କହୁ ଆପେ ଆପେ ତା କଣ୍ଠ ବାଷ୍ପରୁଦ୍ଧ ହୋଇ ଉଠେ। ଆଖିରୁ କେଇ ଟୋପା ଲୁହ ଖସି ଚଟାଣରେ ପଡ଼ିଯାଏ। ତାକୁ ସାନ୍ତ୍ଵନା ଦବାକୁ ଯାଇ ପକେଟ୍ ରୁ ରୁମାଲ ବାହାର କରି ବଢୋଉ ଵଢୋଉ ତଳେ ଖସି ପଡେ ପର୍ସଟି । ପର୍ସ ଭିତରେ ପାସପୋର୍ଟ ସାଇଜର ଯୋଡ଼ି ଫଟୋଟିଏ। ତଳୁ ଗୋଟୋଇ ଦ‌ଉ ଦ‌ଉ ଫଟୋ ଉପରେ ନଜର ପଡେ ଅଟୋ ରିକ୍ସା ବାଲାର । ରାଗ ଆଉ ଘୃଣା ରେ ଅଟୋଵାଲାର ମୁହଁ ଲାଲ ହୋଇ ଉଠେ। ତଥାପି ନିଜକୁ ଆୟତ୍ତ କରି ସେ ପଚାରେ ଏ ତ ମନ୍ଦିରାର ଫଟୋ ନୁହେଁ? ଏ ପୁଣି କିଏ! ତା କଥା ଶୁଣି ପୁରୁଣା ଘାଆ କୁ ପୁଣି ଥରେ ଉଖୁରେଇଲା ଭଳି ଲାଗେ। ଛାତିରେ କୋହ ଉଠେ। ନା ଏ ମନ୍ଦିରା ନୁହେଁ ମୋ ପ୍ରଥମ ପ୍ରେମ।

ଯାହା ସହ ସାରା ଜୀବନ କାଟିବା ର ପଣ କରିଥିଲି ଏମିତି ଏକ ଦୁର୍ଘଟଣାରେ ସେ ମୋତେ ଛାଡ଼ି ଦେଇ ଚାଲିଗଲା। ସେତେବେଳେ ବି ଠିକ୍ ଏମିତି ମୁଁ ଅସହାୟ ଥିଲି। ହାତ ଗୋଡ ଥାଇ ବି ନିରୂପାୟ ଥିଲି। ମୋ ଆଖି ସାମ୍ନାରେ ସେମାନେ ତାକୁ ଅତି ଅମାନୁଷିକ ଭାବରେ ଝୁଣି ଗଲେ। କେତେ କାକୁତି ମିନତି ହେଲି ସେମାନଙ୍କୁ ତାକୁ ଛାଡି ଦେବା ପାଇଁ। ହେଲେ ଅମଣିଷ ଗୁଡା ମୋତେ ବାଡ଼େଇ ମୋ ଗୋଡ଼ ଦିଇଟାକୁ ସାରା ଜୀବନ ଅଥର୍ବ କରି ଦେଲେ। କେଜାଣି କେତେ ଦିନ ପରେ ମୋ ହୋସ ଆସିଲା। ସେତେବେଳକୁ ସବୁ ସରି ଯାଇଥିଲା। ଏକ ଅଵସୋସ କୁ ସାଥିରେ ଧରି ମୁଁ ଆଜି ଯାଏଁ ଜୀବନ ଜିଉଁଛି। କେବଳ ମନ୍ଦିରାର ସାହାସ ଓ ଧୈର୍ଯ୍ୟ ପାଇଁ।ସେ ସଵୁ କଥା ଜାଣେ। ହେଲେ ଦେଖ ପୁଣି କ'ଣ ଘଟିଗଲା। ମୁଁ ଜାଣି ପାରୁନି ମୋ ନିଜ ଉପରେ ରାଗିବି ନା ଭଗବାନ ଙ୍କ ଉପରେ। ମୋ ସହିତ ବାରମ୍ବାର ଏମିତି କାହିଁକି ଘଟୁଛି? କ'ଣ ଦୋଷ ଥିଲା ମୋ ପ୍ରେମିକା ର ସେତେବେଳେ ! ଆଉ ଏବେ ବା କ'ଣ ଦୋଷ ଥିଲା ମନ୍ଦିରାର!

ଏଠି ଦିନରେ ଝିଅଟେ ସୁରକ୍ଷିତ ନା ରାତି ରେ। ଏସବୁକୁ ନେଇ କେତେ ଦିନ ଜଳିଜଳି ଜିଇଁ ବାକୁ ପଡ଼ିବ ମୋ ପରି ପଙ୍ଗୁ ମାନଙ୍କୁ। ଏତକ କହି ହୁଇଲ ଚେୟାର ରୁ ଉଠିବାର ବୃଥା ଅପଚେଷ୍ଟା ରେ ପଡୁ ପଡୁ ଅଳ୍ପକେ ହାତ ଧରି ନିଏ ଅଟୋବାଲା। ତା ହାତ ର ଦୃଢ଼ତା ଏତେ ଥିଲା ଯେ ଲାଗିଲା ସତେ ଯେମିତି ଆପଣାର ଲୋକ ଟିଏ ଅଛି ପାଖରେ ଛାଇ ହୋଇ। ଧିରେ ଧିରେ ସିନ୍ଦୂରା ଫାଟୁଥିଲା। ପୂରୁବ ଆକାଶ ରୁ ସୂର୍ଯ୍ୟ ଙ୍କ ର ପହିଲି କିରଣ ଘରକୁ ଆଲୋକିତ କରିଵା ସହ ଅଟୋବାଲା ର ମନକୁ ବି ଆଲୋକିତ କରିବା ରେ ଲାଗିଥିଲା। ମୋ ଠାରୁ ବିଦାୟ ନେଲା ବେଳେ କହୁଥିଲା ଏ ସହରରେ ଯେଉଁଥି ପାଇଁ ପଡ଼ି ରହିଥିଲି ମୋର ଖୋଜ ସରି ଯାଇଛି।ଏବେ ମୁଁ ଗାଁ କୁ ଫେରିଯିଵି। ଏକଥା ଶୁଣି ମୁଁ କହିଲି ଆଉ ରୀତାର ଅପରାଧି!!!

ଯାହାକୁ ଅପରାଧୀ ବୋଲି ଆଜି ଯାଏଁ ଭାବୁଥିଲି ସେ ବାସ୍ତବରେ ଅପରାଧ କରିନି । ଯେଉଁ ମାନେ ଅପରାଧ କରିଛନ୍ତି ସେମାନଙ୍କୁ ଦିନେ ନା ଦିନେ ଉଚିତ ଦଣ୍ଡ ମିଳିବ ନିଶ୍ଚିତ ମିଳିବ । ଏ ଅଦାଲତରେ ନହୋଉ ପଛେ ଭଗବାନ ଙ୍କ ଅଦାଲତ ରୁ ମୁକ୍ତି ନାହିଁ। ଏତକ କହି ଅଟୋବାଲା ମୋତେ ଜୋରରେ ରେ କୁଣ୍ଢେଇ ଧରି ବହୁ ସମୟ କାନ୍ଦିଲା। ଦୀର୍ଘ ଦିନ ର କୋହ ସବୁ ନିଗିଡ଼ି ଯାଉଥିଲା ଲୁହ ହୋଇ। କାହିଁକି କେଜାଣି ମନ ଜମା କହୁନଥିଲା ତାକୁ ପାଖରୁ ଛାଡିବା ପାଇଁ। ପର୍ସରୁ ବାହାରିଥିବା ଫଟୋକୁ ହାତରେ ଧରି ଅଟୋବାଲା ବାହାରି ଯାଉଥିଲା ଏକ ପରିତୃପ୍ତିର ହସ କୁ ସାଥିରେ ଧରି....।

... 

ଶ୍ରୀଯୁକ୍ତ ଅଜୟ ମହାଲା ଙ୍କ ଦ୍ଵାରା ପ୍ରଦତ୍ତ ଗଳ୍ପାଶଂ ମୋ ହୃଦ ତନ୍ତ୍ରୀକୁ ଦୋହୋଲାଇ ଦେଇଥିଲା। ଆଜି ବି ସ୍ଵାଧୀନତା ଭିତରେ ପରାଧିନତା ଭୋଗୁଛି ନାରୀ ଟିଏ। ନାରୀ ଟି ଏ ସୁରକ୍ଷିତ ନୁହେଁ ନିଜ ପରିବେଶ ରେ। ସାର୍ ଦେଇଥିବା ଗଳ୍ପାଶଂ ପଢି ଏକ କ୍ଷୋଭ ସୃଷ୍ଟି ହେଲା ନିଜ ଭିତରେ। ଯେଉଁଥିପାଇଁ ଗଳ୍ପ ଲେଖିବାକୁ ବିଶେଷ ଆଗ୍ରହ ସୃଷ୍ଟି ହେଲା।



Rate this content
Log in

Similar oriya story from Fantasy