ଦେଵୀ
ଦେଵୀ
ଦୁଇଦିନ ହେଲାଣି ଝିଅଟିକୁ ଖୋଜି ଖୋଜି ଆମେ ସ୍ୱାମୀ ସ୍ତ୍ରୀ ଦୁଇଟା ନୟାନ୍ତ ହେଇଗଲୁଣି । ବିଦ୍ୟାଳୟଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ଯାଏ ଏପରିକି ଗାଁ କୂଅମୂଳ ପୋଖରୀତୁଠକୁ ବି ବାଦ୍ ଦେଇନୁ, କିନ୍ତୁ ବାବୁ ଝିଅର କିଛି ଖବର ମିଳୁନି। ସାଙ୍ଗସାଥି କେହି ବି କିଛି କହିପାରୁନାହାନ୍ତି। ଆମକୁ ଦୟା କରନ୍ତୁ ସାହେବ। କାନ୍ଦି କାନ୍ଦି ଧନୁ ମୁଣ୍ଡା ପୁଲିସବାବୁଙ୍କୁ ଗୁହାରି କରୁଥିଲା ।
ଅଥଚ ପୋଲିସ ବାବୁ ସେଥିକି ଖାତିର ନ କରି ତାଙ୍କ କାମରେ ବ୍ୟସ୍ତ । କିଛି ଦୂରରେ ବସିଥିବା କନେଷ୍ଟବଳ ଜଣକ ଧନୁ ମୁଣ୍ଡା ଆଉ ତା ସ୍ତ୍ରୀ ର ଏ ଅବସ୍ଥା ଦେଖି ନିଜକୁ ସମ୍ଭାଳି ପାରିଲେନି।
ହାତ ଠାରି ଦୂରରେ ଇସାରା ଦେଇ ଡାକିଲେ ସେମାନଙ୍କୁ। ଵେଶପୋଷାକରୁ ଯାହା ଜଣା ପଡୁଛି ଦୁହେଁ ଆଦିବାସୀ ବୋଧ ହୁଏ। ସହରରେ ରହି ବି କନେଷ୍ଟବଳ ରାମ ସିଂ ଏ ଆଦିବାସୀ ମାନଙ୍କର କଥା ସବୁ ଭଲ ଭାବରେ ବୁଝି ପାରନ୍ତି। ଭାରି ସରଳିଆ ମଣିଷ ଗୁଡା। ମନରେ ଛନ୍ଦ କପଟ କିଛି ନ ଥାଏ। ସଭିଙ୍କୁ ଵିଶ୍ଵାସ କରି ଯାଆନ୍ତି ସହଜରେ। ସେଥିପାଇଁ ଦୂର ଦୂରାନ୍ତରୁ ଅନେକ ଦଲାଲ୍ ଆସି ଭୁଲେଇଭାଲେଇ ନେଇ ଯାଆନ୍ତି ଏଇ ଆଦିବାସୀ ଝିଅ ଗୁଡାଙ୍କୁ। ପଇସାର ଲୋଭ ଦେଖେଇ ଗରିବ ଆଦିବାସୀ ମାନେ ବିକ୍ରି କରିଦିଅନ୍ତି ଝିଅ ମାନଙ୍କୁ। ଭାବନ୍ତି ଏ ପାହାଡ଼ ଜଙ୍ଗଲ ରେ ରହି ଅବା କ'ଣ ମିଳିବ।ସହର ଯାଇ କିଛି ଶିଖନ୍ତୁ।ପାଠ ପଢନ୍ତୁ। କିନ୍ତୁ ସେମାନେ ଜାଣି ନଥାନ୍ତି ଝିଅ ମାନେ ରପ୍ତାନି ହୋଇ ଯାଆନ୍ତି ଦେଶ ବିଦେଶ କୁ।ପଛରେ ଯେତେ ଖୋଜିଲେ ମିଳେନି ଝିଅଙ୍କ ର ଚିହ୍ନ ବର୍ଣ୍ଣ ସୁଦ୍ଧା। ମନ ଏକ ଅଜଣା ଆଶଙ୍କାରେ ଭୀତତ୍ରସ୍ତ ହୋଇ ଉଠୁଥିଲା ରାମ ସିଂଙ୍କର।
ଧନୁ ମୁଣ୍ଡା ଦୌଡ଼ି ଯାଇ ରାମ ସିଂ ର ପାଦ ତଳେ ପଡି କାକୁତି ମିନତି ହେଲା ଝିଅଟାକୁ ଖୋଜି ଆଣିବା ପାଇଁ। ହେଲେ ସେ ବି କ'ଣ କରିପାରିବେ! ଥାନା ର ବଡ ବାବୁ କାଗଜ ପତ୍ର ଲେଖା ଲେଖି ନକଲା ଯାଏଁ ତା ହାତ ଗୋଡ ବନ୍ଧା। ରାମ ସିଂ ଧନୁ ମୁଣ୍ଡାକୁ ତଳୁ ଉଠେଇ ଆଣି ପାଖ ବେଞ୍ଚ ରେ ଵସେଇ ଦେଲେ। ପାଖରେ ଅଧୈର୍ଯ୍ୟ ହୋଇ ବାହୁନି କାନ୍ଦୁଥାଏ ଧନୁ ମୁଣ୍ଡା ର ସ୍ତ୍ରୀ।
ଉଭୟଙ୍କ ହାତରେ ମାଠିଆରୁ ଗ୍ଲାସ ଲାଖେ ପାଣି ପିଇ ସାଷ୍ଟାମ କଲେ ରାମ ସିଂ। ପାଖକୁ ଲାଗି ପଡ଼ିଥିବା କାଠ ଚୌକିଟା ଟାଣି ଆଣି ବସିପଡିଲେ ନିଜେ। ଧିର କଣ୍ଠ ରେ ପଚାରିଲେ ରାମ ସିଂ ଝିଅ ବିଷୟରେ।
ଧନୁ ମୁଣ୍ଡା ଆରମ୍ଭ କଲା...
ବା ମାଆକୁ ଅଶାନ୍ତି କରି ଗାଁ ଛାଡି ଚାଲି ଆସିଲୁ ଦିହେଁ। ଅଲଗା ଜାତିର ହୋଇଥିବାରୁ ଗାଁ ଲୋକ ଆଉ ମାଟି ମଡ଼େଇ ଦେବେନି ବୋଲି ସିଧା ସିଧା ଶୁଣେଇବା ଦେଲେ। ବାଟ ଘାଟ କିଛି ବି ଜଣା ନଥିଲା । ବସ୍ ରେ ବସିଲା ପରେ ଯେଉଁ ଠି ବସ ଯାଇ ଶେଷରେ ରହିଲା ସେଇଠି ଓହ୍ଲେଇଲୁ ଦିହେଁ। ଚାରିଆଡେ ଜଙ୍ଗଲ। ପାହାଡି ଝରଣାର କୁଳୁକୁଳୁ ନାଦ। ଏବେ ପରିକା ସୁବିଧା ସେତେବେଳେ ନଥିଲା ବାବୁ। ଲୋକ ଗୁଡା କୋଉ ଭାଷାରେ କଥା ହଉଥିଲେ କେଜାଣି କିଛି ବୁଝି ହଉନଥିଲା। ଜଙ୍ଗଲରେ ବୁଲୁ ବୁଲୁ ଗୋଟିଏ ବୁଢୀ ଆମକୁ ଭେଟ ହେଲା। କ'ଣ ଭାବିଲା କେଜାଣି ସେ ଆମକୁ ଆଶ୍ରୟ ଦେଲା ତା କୁଡ଼ିଆରେ। ଧିରେ ଧିରେ ପରିବେଶ ସହ ଆମେ ବି ମିଶିଗଲୁ। ବୁଢ଼ୀ ଆମ ଦିହିଁଙ୍କୁ ପୁଅ ବୋହୁ ଭଳି ଦେଖୁଥିଲା। ବହୁତ ଖୁସିରେ କାଟୁଥିଲା ଦିନ ଗୁଡା। ବୁଢ଼ୀ ମାଆ ଆଉ ମୋ ସ୍ତ୍ରୀ ଦୁହେଁ ପାଖ ଜଙ୍ଗଲରୁ ଜଙ୍ଗଲ ଜିନିଷ ଆଣି ପାଖ ବଜାରରେ ବିକ୍ରି କରୁଥିଲେ। ବେଳ ଅବେଳରେ ସେମାନଙ୍କ କାମ ରେ ସାହାଯ୍ୟ କରୁଥିଲି ମୁଁ। ନଚେତ୍ ଅନ୍ୟ ସମୟରେ ଡାକ ବଙ୍ଗଳାରେ ରାତି ଜଗା କାମଟା କରି ଖୁବ୍ ଖୁସିରେ କାଟୁଥିଲା ଦିନ ଗୁଡା। ସବୁ ଭିତରେ ବି ଗୋଟାଏ ଦୁଃଖ ଯାହା ଖାଉଥିଲା ଦିନ ରାତି।
ନାତି କି ନାତୁଣୀର ମୁହଁ ଟିକେ ଦେଖିବ ଦେଖିବ କହି ବୁଢ଼ୀ ମାଆ ଆରପାରି ଚାଲିଗଲା। ଜଙ୍ଗଲ ଦେବୀ ପାଖରେ କେତେ ଓପାସ ବ୍ରତ ବଳି ଯାଚି ଶେଷରେ ଯାଇ ମାଆ ଡାକ ଶୁଣିଲା।
ମୋ ସ୍ତ୍ରୀ ଗରଭ ହେଲା। ଆଉ ଠିକ ବେଳାରେ ଡଉଲ ଡାଉଲ ଝିଅଟିଏ ହେଲା । ଝିଅ ନୁହେଁ ତ ଦେବୀଟିଏ।
ଗୋରାତକ ତକ ଚେହେରାକୁ ପୁରିଲା ପୁରିଲା ଦେହ। ପୂର୍ଣ୍ଣିମାର ଚାନ୍ଦ ଭଳି ବଢୁଥିଲା ଝିଅ ମୋର। ତା ଟୁକୁ ଟୁକୁ କଥା ଖିଲି ଖିଲି ହସରେ ଘର ପୂରି ଉଠୁଥିଲା ଯେମିତି। ବୟସ ବଢିଲା। ଝିଅ ସାଙ୍ଗ ସାଥି ମେଳରେ ସ୍କୁଲ ଯିବାକୁ ଲାଗିଲା। ବହୁତ ଭଲ ପାଠ ପଢ଼ୁଥିଲା। ଆମ ବାପା ମାଆ ଦିଇଟାକୁ ସ୍କୁଲରୁ ଫେରି କେତେ କ'ଣ କହୁଥିଲା ପାଠ ବିଷୟରେ। ହେଲେ ଆମେ ମୁରୁଖ ଲୋକ। ସେ ସବୁ ଆମ ମୁଣ୍ଡରେ ଢୁକେନି। ତଥାପି ଝିଅର ଖୁସି ପାଇଁ ଶୁଣିବାକୁ ପଡେ ବାଧ୍ୟ ହୋଇ। ଏଇ ସନ ବୋଧେ ୭ ପୁରି ୮ ଚାଲିବ ତାକୁ। ଆମ ଦୁହିଁଙ୍କ ଜୀବନ ସେ। ହେଲେ ଦଇଵ ଦାଉ ସାଧିଲା। ଝିଅକୁ ମୋର କାହା ନଜର ଲାଗିଗଲା। ଦୁଇ ଦିନ ହେଲା ଖୋଜି ଖୋଜି ଆଖି କାନ ଫୁଟି ଗଲାଣି। ହେଲେ ଝିଅକୁ ମୋର ଆଉ ପାଉନି। ଏତିକି କହୁ କହୁ ଧନୁ ମୁଣ୍ଡା ଭାରସାମ୍ୟ ହରାଇ ତଳେ ପଡ଼ିଗଲା।
ପୁଣି ଥରେ ଉଠିଯାଇ ରାମ ସିଂ ପାଣି ଟିକେ ମୁହଁରେ ମାରିବାରୁ ଧନୁ ମୁଣ୍ଡା ଆଖି ଖୋଲିଲା। ଭାରି ବିକଳ ହୋଇ ରାମ ସିଂକୁ ସେ ଚାହିଁ ରହିଥିଲା। ସତେ ଯେମିତି ତା ଆଖି ହଳକ ନିରବରେ କହୁଛି ବାବୁ ଯାହା ହେଉ ପଛେ ମୋ ଝିଅକୁ ମୋତେ ଖୋଜି ଦିଅ। ରାମ ସିଂ ଆଶ୍ଵାସନା ଦେଇ କହିଲେ ଏତେ ଅଧୈର୍ଯ୍ୟ ହେଲେ କଣ ହବ! ବ୍ୟସ୍ତ ହୁଅନା। ମୁଁ ଵାଵୁଙ୍କୁ କହି କିଛି ଗୋଟେ କରୁଛି। ଧନୁ ମୁଣ୍ଡାର କାନ ପାଖରେ ଥିର୍ କିନା ପଚାରିଲେ ରାମ ସିଂ ଝିଅର କିଛି ଫଟୋ ଅଛି। ବହୁତ ଭାବିଲା ପରେ ଧନୁମୁଣ୍ଡାର ସ୍ତ୍ରୀ କହିଲା ହଁ ବାବୁ କୁଡିଆରେ ଅଛି ବୋଧେ।
ଏଇ କିଛି ଦିନ ତଳେ ବାହାରୁ କିଛି ଲୋକ ବୁଲି ଆସିଥିଲେ ଡାକ ବଙ୍ଗଳାକୁ। ସେଇଠି ଝିଅକୁ ଦେଖି ଭାରି ଖୁସି ହୋଇଥିଲେ ସେମାନେ। ଫଟୋ ବି ଉଠେଇଥିଲେ ଗୁଡେ଼। ମୋ ପାଖରେ ସେଥିରୁ କିଛି ଅଛି। ଏତକ ଶୁଣି ରାମ ସିଂ ଆଶ୍ଵାସନା ଦବା ଭଙ୍ଗୀରେ କହିଲେ ଠିକ୍ ଅଛି ତୁମେ ଦୁହେଁ ଆଗେ ଯାଇ ଫଟୋ ଧରିକି ଆସ।
ମୁଁ ବଡ଼ ବାବୁଙ୍କ ସହ ଏ ବିଷୟରେ କ'ଣ କରିବାକୁ ହେବ କଥା ହୋଇ ରଖୁଛି। ପିଣ୍ଡରେ ପ୍ରାଣ ପଶିଲା ପରି ଲାଗିଲା ଏବେ ଉଭୟଙ୍କୁ।
ହଁ ବାଵୁ ଏଇ ସାଙ୍ଗେ ସାଙ୍ଗେ ଆସୁଛୁ। ଲୁହ ପୋଛି ବସିବା ଜାଗାରୁ ଉଠି ଦୁହେଁ ଧାଇଁଲେ ଘର ମୁହାଁ ହୋଇ। ଏବେ ରାମ ସିଂ ଭାରି ଅଡ଼ୁଆରେ ପଡିଲେ।
କଥା ସିନା ଦେଇ ଦେଲେ ହେଲେ ବାଘ ମୁହଁକୁ ଯିବା କଥା ଭାବିଲା ବେଳକୁ ନିଜେ ଭୟ ପାଇଲେ। ବଡ଼ ବାବୁ ଭାରି ରାଗୀ ସ୍ବଭାବର। ବିଶେଷ କରି ତାଙ୍କ ଏକମାତ୍ର ଝିଅ ଏକ ଦୁର୍ଘଟଣାରେ ଯିବା ପରଠାରୁ କଥା କଥାରେ ସେ ଉତ୍ତ୍ୟକ୍ତ ହୋଇ ଉଠନ୍ତି। ବିନା କାରଣରେ ଅଯଥା ଗାଳି ଦିଅନ୍ତି। ଯାହା ବି ହେଲେ ବଡ଼ ବାବୁ। ତେଣୁ ତଳ ତଳିଆ କର୍ମଚାରୀ ମାନେ ସବୁ ସହି ଯାଆନ୍ତି। ତଥାପି ସାହାସ କରି କବାଟ ଠକ୍ ଠକ୍ କଲେ ରାମ ସିଂ ଭିତରକୁ ପ୍ରବେଶ ପାଇଁ ।
ଭିତରେ ଥାଇ ଉତ୍ତର ଆସିଲା- ହଁ ଆସ।
ସାଲ୍ୟୁଟ୍ ଟିଏ ମାରି ଠିଆ ହୋଇ ରହିଲେ ରାମ ସିଂ। ସେ କିଛି କଥା ଆରମ୍ଭ କରିବା ପୂର୍ବରୁ ବଡ଼ ବାବୁ ରାମ ସିଂ ର ହାତକୁ ଚିଠିଟିଏ ବଢେଇ ଦେଇ କହିଲେ ମୋର ଟ୍ରାନ୍ସପର ହୋଇ ଯାଇଛି। କିଛି ସମୟ ମଧ୍ୟରେ ବାହାରିବାକୁ ପଡ଼ିବ। ଗାଡ଼ିର ବନ୍ଦୋବସ୍ତ କର। ହଁ ଆଜ୍ଞା କହି ବାହାରକୁ ବାହାରି ଗଲେ ରାମ ସିଂ। ଏବେ ଚିନ୍ତାରେ ପଡିଗଲେ ରାମ ସିଂ।
ବଡ଼ ଧର୍ମ ସଙ୍କଟରେ ପଡିଗଲେ ସେ। କିନ୍ତୁ ନିରୂପାୟ। କ'ଣ କରାଯାଇପାରେ।ନୂଆ ବାବୁ ଆସିଲା ଯାଏଁ ଅପେକ୍ଷା କରିବା ସାର ଯାହା। ପିଅନ ଆସି ଡାକ ପକେଇଲା ରାମ ସିଂ କୁ।
ବଡ଼ ମାଆ ଡକା ପଠେଇଛନ୍ତି ।
ଏଇ ସାଙ୍ଗେ ସାଙ୍ଗେ ତାଙ୍କ କ୍ୱାର୍ଟରକୁ ଯିବାକୁ ହେବ। ଏତେ ଦିନ ଭିତରେ ସେ ଅନେକ ଥର ଯାଇଥିବ ବଡ଼ ବାବୁଙ୍କ ରୁମକୁ। ମାଆ ତ ନୁହେଁ ସତେ ଯେମିତି ଲକ୍ଷ୍ମୀ ପ୍ରତିମା। ସୁନ୍ଦର ବ୍ୟବହାର।ଭୋକିଲା ପେଟକୁ ସେ ଚିହ୍ନିଵାରେ ଖୁବ୍ ଧୁରନ୍ଧର। କେତେ ଥର ଜୋର କରି ଖାଇବାକୁ ବାଢ଼ି ଦେଇଛନ୍ତି ସେକଥା କହିବା ମୁସ୍କିଲ।
ଝିଅକୁ ହରେଇବା ଦୁଃଖ ରେ ଶଯ୍ୟାଶାୟୀ ହେଵାଠାରୁ ରାମ ସିଂ ଆଉ ଘର ଭିତରେ ପଶେନି।
କୁନି ମାଆଙ୍କର ହାର ଲଗା ଫଟୋ ଭିତରେ ସରଳ ହସ ଆଉ ବଡ ମାଆଙ୍କର ଅଦିନ ଦୁଃଖକୁ ସେ ଦେଖିପାରେନି ଆଖିରେ। ସେଥିପାଇଁ ନାନା ବାହାନା କରି ବଡ଼ ବାବୁଙ୍କ ଘରକୁ ଯିବା ବନ୍ଦ କରି ଦେଇଛି ରାମ ସିଂ। ଏତେ ଦିନ ପରେ ବଡ ମାଆ ଡକା ପଠେଇ ଛନ୍ତି ଜାଣି ସେ ଖୁସି ବିଭୋର ହୋଇ ଉଠିଲା। ଏକା ନିଃଶ୍ୱାସରେ ଯାଇ ପହଞ୍ଚିଗଲା ବଡ଼ ବାବୁଙ୍କ କ୍ୱାର୍ଟର ସାମ୍ନାରେ।
ଧିରେ ଧିରେ କବାଟ ଠକ୍ ଠକ୍ କଲା। ହସ ହସ ମୁହଁରେ କବାଟ ଖୋଲିଲେ ବଡ଼ ମାଆ। ରାମ ସିଂ ପାଦ ଛୁଇଁ ମୁଣ୍ଡିଆ ମାରି ପକେଇଲା।
ହଉ ହଉ। ଭିତରକୁ ଆସ ରାମ ସିଂ।
ଘର ଭିତରେ ପଶୁ ପଶୁ ରାମ ସିଂ ଦେଖିଲେ କୁନି ମାଆଙ୍କ ଫଟୋରେ ଆଉ ସେ ଫୁଲ ହାରଟା ନାହିଁ। ଭିତର ପଟୁ ବଡ଼ ବାବୁ ଙ୍କ ସହ ବୋଧ ହୁଏ ଛୋଟ ଝିଅଟେର ହସ ରୋଳ ଶୁଭୁଚି।
କିଛି ପଚାରିବାକୁ ସାହସ କରି ପାରିଲେନି ରାମ ସିଂ। ଜିନିଷ ପତ୍ର ଧରି ବଡ଼ ବାବୁଙ୍କ ସହ ବାହାରକୁ ଆସିଲା କୁନି ଝିଅଟି। ଝିଅଟିକୁ ଦେଖି ରାମ ସିଂ ଖୁସି ହେବେ କି ଆଶ୍ଚର୍ଯ୍ୟ କିଛି ବୁଝି ପାରୁ ନଥିଲେ। ବଡ଼ ମାଆ କହିଲେ ରାମ ସିଂ ଆମେ ଆସୁଛୁ ନିଜର ଧ୍ୟାନ ନବ। ତୁମକୁ ଟିକେ ଦେଖିବି ବୋଲି ହିଁ ଡାକି ପଠେଇ ଥିଲି। ଏତକ କହି ସମସ୍ତେ ଗାଡ଼ିରେ ଵସିଲେ। ଗାଡି ଧୂଆଁ ଛାଡି ଆଗକୁ ଗଡ଼ି ଚାଲିଲା। କୁନି ଝିଅ ପଛକୁ ଚାହିଁ ହାତ ହଲେଇ ଶେଷ ବିଦାୟ ଦେଉଥିଲା। ଓଠରେ ହସ ଆଖିରେ ଲୁହ ଏ ଭିତରେ ଅଜଣାତରେ ରାମ ସିଂ ହାତ ହଲେଇ ବିଦାୟ ଦେଉଥିଲେ ଗୋଟେ ଛୋଟ ପରିବାରର ସୁଖଦ ଭବିଷ୍ୟତକୁ। ଧଇଁସଇଁ ହୋଇ ପଛ ପଟରୁ ଡାକ ଛାଡ଼ିଲା ଧନୁ ମୁଣ୍ଡା।
ଏ ବାବୁ...।
ତମେ ଆସି ଏଇଠି ଅଛ। ମୁଁ ତମକୁ ସାରା ଥାନାଟା ବାଉଳି ଖାଇ ଖୋଜୁଛି। ଏଇ ନିଅ ମୋ ଝିଅ ଦେଵୀର ଫଟୋ। ତମେ ଦେଖିବ ବୋଲି କହୁଥିଲ ପା। ଏଥର ଆଉ କିଛି ଅସୁବିଧା ନାହିଁ ତ!
ତମେ ବଡ ବାବୁକୁ କହି ମୋ ଝିଅକୁ ଟିକେ ଖୋଜି ଦିଅ। ତମର ମଙ୍ଗଳ ହେବ ବାବୁ। ଏତକ କହି କିଛି ଫଟୋ ବଢେଇ ଥିଲା ଧନୁମୁଣ୍ଡା ରାମ ସିଂ ର ହାତକୁ। କିଛି ବିଦେଶୀ ପର୍ଯ୍ୟଟକଙ୍କ ଗହଣରେ ଛୋଟ ଝିଅଟେ। ଅବିକଳ ସେଇ ମୁଁହ।ସେଇ ଚେହେରା।ସେଇ ରଙ୍ଗ। ଟିକିଏ ବି ଭିନ୍ନତା ନାହିଁ।
ଏ କେମିତି ସମ୍ଭବ!
ଦୁଇଟି ଚେହେରାରେ ଏତେ ସାମଞ୍ଜସ୍ୟ। କିଏ ସେ ଦେବୀ ଆଉ କିଏ ସେ ଆମ କୁନି ମାଆ। ଜୀବନର ଏ କି ବିଚିତ୍ର ମୋଡ଼। କିଏ ସତ ଆଉ କିଏ ମିଛ! କିଏ କାହାର ନିଜର ଆଉ କିଏ ପର!
କିଏ ସ୍ବପ୍ନ ଆଉ କିଏ ମରୀଚିକା!
ଏମିତି ଅନେକ ଗୁଡ଼ିଏ ପ୍ରଶ୍ନର କୁହେଳିକା ଭିତରେ ଅଣନିଃଶ୍ବାସୀ ହୋଇ ରାମ ସିଂ ଗାଡ଼ିର ଧୂଆଁ ଭିତରେ ଦେଖୁଥିଲେ ହାତ ହଲୋଉଥିବା କୁନି ଝିଅକୁ...!!!
ଶ୍ରୀମତୀ ଵିସ୍ମିତା ସାହୁଙ୍କ ଦ୍ୱାରା ପ୍ରଦତ୍ତ ଗଳ୍ପାଶଂ ଏକ ରହସ୍ୟମୟ ଉଦ୍ଭାବନା ସୃଷ୍ଟି କଲା ମୋ ଭିତରେ।ଯାହା ମୋ ହୃଦୟକୁ ରୋମାଞ୍ଚିତ କଲା। ସେଥିପାଇଁ ଗଳ୍ପାଶଂ କୁ ନେଇ ଗଳ୍ପ ଲେଖିବାର ଛୋଟ ପ୍ରୟାସ ଟିଏ କରିଛି ମାତ୍ର।