The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sunita Barik

Tragedy

3  

Sunita Barik

Tragedy

ଭାଗ୍ୟ

ଭାଗ୍ୟ

5 mins
615


ସତରେ କଣ ଭାଗ୍ୟ ବୋଲି କିଛି ଥାଏ?

ନା ଭାଗ୍ୟକୁ ଦାୟୀ କରି କିଛି ମଣିଷ ନିଜ ନିଜର ଦାୟିତ୍ଵ ଆଉ କର୍ତ୍ତବ୍ୟରୁ ଓହରି ଆସିବାର ଏକ ବାହାନା ଟି ଏ ଏଇ ଭାଗ୍ୟ। କ'ଣ କରିବା ଭାଗ୍ୟ ରେ ତ ନାହିଁ ଆଉ!

ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ସତ୍ କର୍ମ ହିଁ ସମଗ୍ର ଭାଗ୍ୟକୁ ଵଦଳେଇଵାର ଯଥେଷ୍ଟ ସାମର୍ଥ୍ୟ ରଖେ।

ତଥାପି ଭାଗ୍ୟକୁ ନିନ୍ଦି କିଛି ଚମତ୍କାର ହେବା ଆଶାରେ ମଣିଷ ଖାଲି ବସି ରହି ସମୟକୁ ଅଯଥା ନଷ୍ଟ କରି ଚାଲେ। ତଥାପି ଏମିତି କିଛି ମଣିଷ ଅଛନ୍ତି ଯେଉଁମାନେ ନିଜ ଭାଗ୍ୟକୁ ନିଜେ ବଦଳେଇବା ଆଶା ରେ କର୍ମ ତ କରି ଚାଲନ୍ତି କିନ୍ତୁ ପେଟ ପୁରେନା ।ଅବା କୁହାଯାଇପାରେ ଆଜିର ଏଇ ମହରଗ ଯୁଗରେ ଚାରି ପ୍ରାଣୀକୁଟୁମ୍ବ ଚଳେଇବା କେତେ ଯେ କଷ୍ଟ ସେ କଥା ଜଣେ ଭୁକ୍ତ ଭୋଗୀ ହିଁ ଜାଣେ। କହିବାକୁ ଗଲେ ତ ସରକାରଙ୍କ ର ଗରିବ ଗୁରୁବା ଙ୍କ ନାଁ ରେ ଅନେକ ଯୋଜନା। 

ହେଲେ କଣ ହେଵ? 


ସେସବୁ ହାତ ଗଣତି କିଛି କାର୍ଯ୍ୟକାରୀ ହେଉଥିଲା ବେଳେ ଦୃଷ୍ଟି ଆଢ଼ୁଆଳରେ ରହିଯାଏ ଅନେକ କିଛି।

ତେଲିଆ ମୁଣ୍ଡରେ ତେଲ ଢାଳିବା ଭଳି ଯେଉଁ ମାନଙ୍କର ସର୍ଵସ୍ଵ ଅଛି ତଥାପି ସେଇ ମାନେ ହିଁ ଏ ଉପରିସ୍ଥ ସରକାରୀ ବାବୁ ଭାୟା ଗୁଡାଙ୍କୁ ହାତେଇ ମାଡ଼ି ବସିଛନ୍ତି ସବୁ। ସତେ ଯେମିତି ସେମାନେ ଗରିବମାନଙ୍କ ଠୁ ଆହୁରି ଗରିବ। ଫରକ୍ କେବଳ ଏତିକି ଗରିବ ଉପାସରେ ରହେ ପଛେ କାହା ଆଗରେ ହାତ ପାତିବାକୁ ଭଲ ପାଏନି।

ଆଉ ଧନୀ ଵୋଲାଉଥିବା ମଣିଷ ଗୁଡାକ ଯେତେ ଖାଇଲେ ବି ହାତ ନ ପାତିଲେ ସେମାନଙ୍କ ପେଟକୁ ନିଅଣ୍ଟିଆ ପଡେ। ତେଣିକି ଆଉ କାହା ପେଟ ପୂରୁ କି ଅଖିଆ ମରୁ ସେଥିରେ କାହାର କିଛି ପରବାୟ ନାହିଁ।

ଦନେଇ ପୁର ଗାଁ ର ଅନେକ ଗରିବ ମୂଲିଆ ପେଟ ଗୁଡା ଏହିଭଳି ଦୁର୍ଦ୍ଦିନକୁ ମଥାପାତି ସହି ଆସୁଛନ୍ତି କାହିଁ କେଉଁ କାଳରୁ।


କିଛି ଲୋକ ତ ଭିଟାମାଟି ଖଣ୍ଡକ ପଡିଆ ପକେଇ ପେଟ ଚାଖଣ୍ଡକ ପାଇଁ ସହର ଚାଲି ଯାଇଛନ୍ତି ଛୁଆ ପିଲା ଧରି।

ଗାଁକୁ ଭଲ ରାସ୍ତା ନାହିଁ। ବର୍ଷା ଦିନେ ଏ ଗାଁରୁ ସେ ଗାଁ ଯିବା ବି ମୁସ୍କିଲ।ପିଇବା ପାଣି କଥା ତ ନକହିବା ଭଲ।

ଏମିତି ରେ ଗାଁ ରେ ତିନି ତିନିଟା ନଳକୂପ।ଅଥଚ ସବୁ ଦରଦରା ଅବସ୍ଥା ରେ ପଡ଼ି ରହିଛି। ସେଇ ଗାଁ ମଝି ଦାଣ୍ଡ କୂଅ ହିଁ ସଭିଙ୍କ ର ସାହା ଭରସା। ବିଜୁଳି ଆଲୁଅ ତ ସାତ ସପନ ଯେମିତି। ଝାଡା, ବାନ୍ତି କି ଗର୍ଭବତୀ ମାଇପି ଗୁଡାକ ଭାରି ହନ୍ତସନ୍ତ ହୁଅନ୍ତି ଏ ସମୟରେ।

ଛୋଟ ଡାକ୍ତରଖାନା ଟେ ନାଁକୁ ଯାହା। ସେଠି କେବଳ କମ୍ପାଉଣ୍ଡର୍ ଟି ଏ ଥାଏ କାମ ଚଳାକୁ।

ବାକି ସମୟରେ ସେଇଠି ଗଞ୍ଜେଇ ମାରି ଘୁଙ୍ଗୁଡ଼ି ମାରୁଥିବ ଅଥଚ ଦରକାର ବେଳେ ଉଭାନ। ତାକୁ ଦୋଷ ଦେଇ ବି କି ଲାଭ। ସରକାର ଠୁ ତ ଠିକ୍ ସମୟରେ ଦରମା ଗଣ୍ଡାକ ମିଳି ଯାଉଛି। ତାର କି ତା ପରିବାର ର ପେଟ ତ ଅପୋଷା ରହୁନି ନା । ବାକି ଏ ଅଳ୍ପ ଶିକ୍ଷିତ ଗାଉଁଲି ଗୁଡାକ ପାଖରେ ହାତ ଗୁଞ୍ଜା ଦେବାକୁ ଵଳ କାହିଁ ଯେ!

ଆକାଶ କ‌ଇଁଆ ଚିଲିକା ମାଛ ପରି ଠିକ୍ ଭୋଟ ଦେବା ବେଳକୁ ଧୋଵ ଧାବଳିଆ ନେତା ମାନେ କାହୁଁ ମାଡ଼ି ଆସନ୍ତି ଏହି ଅପନ୍ତରିଆ ଗାଁକୁ।


ଶାସକ ଦଳ ନାଁ ରେ ବିରୋଧୀ ବାଲାଏ ଆସି ଗୁଡ଼ାଏ ବର୍ଷି ଦେଇ ଯାଆନ୍ତି। ଶାସକ ଦଳ ପକ୍ଷରୁ ନେତା ମାନେ ଆସି ଭାଷଣରେ ପ୍ରତିଶ୍ରୁତି ଦେଇ ଯାଆନ୍ତି ଏସନ ନିହାତି ଦନେଇ ପୁର ଗାଁ ର ସର୍ବାଙ୍ଗୀନ ଉନ୍ନତି ହେବ।

ଏତିକି ବିଶ୍ଵାସ ରଖି ଆମ ଶାସକ ଦଳକୁ ଭୋଟ୍ ଦେଇ ନିଶ୍ଚିତ ଜୟ ଯୁକ୍ତ କରାନ୍ତୁ। ଏମିତି କେତେ କ'ଣ!

ଭୋଟ୍ ପୂର୍ବ ଦିନ ରାତିରେ ମଦ, ମାଂସ ଆଉ ଗାନ୍ଧୀ ଵୁଢା ମୁଣ୍ଡରୁ ଖଣ୍ଡିଏ ଖଣ୍ଡିଏ ପାଇ ଗାଁ ର କିଛି ଲୋକ ଖୁସି।ଘର ଘର ବୁଲି ଭଲରେ ହେଉ ଅବା ଧମକ ଦେଇ ଚେତେଇ ଦିଆ ଯାଏ କେଉଁଠି ଦିଆ ଯିବ ଭୋଟ୍ ଟି।

କଥାରୁ ଟିକିଏ ଓଲମ ବିଲମ ହେଲେ କିଛି ଭଲ ହବନି ଏକଥା ଯେମିତି କେହି ଭୁଲି ନ ଯାଆନ୍ତି ବୋଲି କିଛି ଭଡାଟିଆ ଗୁଣ୍ଡା ସତର୍କ କରି ଦେଇ ଯାଆନ୍ତି।

କାନ ମୁଣ୍ଡ ଆଉଁସି ଅଜାଗା ଜାଗାରେ ଭୋଟ୍ ଦେଇ ପୁଣି ୫ ବର୍ଷ ଭୋଗିବାକୁ ପଡେ ସମ ଦଶାକୁ।ଆର ସନକୁ ଦେଖିବା କହି ମନକୁ ଵୁଝାନ୍ତି ଗାଁ ଲୋକେ। ଗାଁ ମୁଣ୍ଡ ଶେଷ ରେ ରଘୁଆ ପ୍ରଧାନର ଘର। କଷ୍ଟେମଷ୍ଟେ ମାଟ୍ରିକ ଯାଏଁ ପଢି ପାରିଲା। ବାପ ତାର ନିଜ ଜମି ସହ ଭାଗୁଆରୀ କିଛି ଧରି ଯାହା କିଛି ମିଳୁଥିଲା ଛୋଟ ସଂସାର ଟି ସୁରୁଖୁରୁରେ ଚଳି ଯାଉଥିଲା।ବାପା ଥାଉ ଥାଉ ବଡ଼ ଭଉଣୀ ରାଧିକାର ବାହାଘର ଟା ଅଳ୍ପେ ଵହୁତେ କରି ଦେଇଥିଲେ। ଚଳପକ୍ଷ ଭଲ।ପିଲାଟା ଗୁଣର।ପାନ,ବିିଡି,ମଦ କିଛି ନାହିଁ। ସେଥିପାଇଁ ଲାଗି ପଡ଼ି ଭ‌ଉଣୀର ହାତକୁ ଦି ହାତ କରି ଦେଇଥିଲେ ବାପା।

ଯେଉଁ ବର୍ଷ ସେ ମାଟ୍ରିକ ପରୀକ୍ଷା ଦେଇ ଫଳାଫଳ ବାହାରିଲା ପୁଅ ଫାଷ୍ଟ ଡ଼ିଭିଜନ ପାଇଲା ସେଇ ଖୁସିରେ କି କ'ଣ ଆରପାରିକୁ ଚାଲିଗଲେ ବାପା।ଯାହା ତା ମାଆ ଠୁ ସେ ଶୁଣିଛି ଅନେକ ଥର। କିନ୍ତୁ ପ୍ରକୃତ ଘଟଣା ଥିଲା ଅଲଗା ପ୍ରକାର। କଠିନ ପରିଶ୍ରମ ସାଙ୍ଗକୁ ଖିଆପିଆର ଠିକଣା ନ ଥାଏ। ସବୁବେଳେ ଚିନ୍ତା କରି କରି ବାପାଙ୍କ ହୃଦୟ କାମ କରିବା ବନ୍ଦ କରି ଦେଇଥିଲା।

ଏମିତି ନୁହେଁ ଯେ ଏଇଟା ପ୍ରଥମ ଥର ଥିଲା।

ତା ପୂର୍ବରୁ ଆହୁରି ଦୁଇ ଥର ଏମିତି ହୋଇଥିଲା।ସହରକୁ ଯାଇ ଭଲ ଡାକ୍ତର ଦେଖେଇ ନାନୀ ଭେଣେଇ ସବୁ ଵୁଝୁ ଥିଲେ।


କିନ୍ତୁ ନାନୀ ଘରେ ଥାଇ ଚିକିତ୍ସା ହେଲାବେଳେ ଦିନେ ବାପା ଏକ ଭିନ୍ନ ମଣିଷକୁ ଦେଖୁଥିଲେ ଭେଣୋଇଙ୍କ ଭିତରେ।

ସେ ବିରକ୍ତ ହୋଇ ନାନୀକୁ ବହୁ ଗାଳି ମନ୍ଦ କରୁଥିଲେ ବାପାଙ୍କ ଅସୁସ୍ଥତାକୁ ନେଇ। ମୁଁ କ'ଣ ଏଠି ଧର୍ମ ଶାଳା ଖୋଲିଛି। ଟଙ୍କା କେତେ କଷ୍ଟ ରେ ରୋଜଗାର ହୁଏ ତମକୁ କ'ଣ ଜଣା। ସବୁବେଳେ ଖାଲି ଵୋପା ସୁହାଗ ଦେଖେଇଲେ ହବନି! ନିଜର ଆଉ ନିଜ ସ୍ବାମୀଙ୍କ କଥା ବି ଚିନ୍ତା କର। ଆଗକୁ ଆସିବାକୁ ଥିବା ପିଲା କଥା ବି ଚିନ୍ତା କର। ତାଙ୍କ ହାର୍ଟରେ କଣା ଅଛି। ତାକୁ ପୂରା କରିବାକୁ ଗୁଡାଏ ଟଙ୍କା ଦରକାର। ବାହାଘର ବେଳେ କେବଳ ତୁମ ରୂପ ଆଉ ଗୁଣ ଦେଖି ଯୌତୁକ ରେ ଗୋଟିଏ ବି ଟଙ୍କା ମାଗି ନ ଥିଲି।ଯାହା ମିଳିଲା ସେତିକି ରେ ସନ୍ତୁଷ୍ଟ ହେଲି।

ଏବେ ସେମାନେ ଏତିକି ତ ବୁଝିବା ଦରକାର।

ସବୁବେଳେ ଖାଲି ପୁଅ ଚିନ୍ତା।ଆମ ପାଇଁ ଟିକିଏ ଵି ଚିନ୍ତା ନାହିଁ।


ଏସବୁ କଥା ବାପାଙ୍କ ମନରେ ଗଭୀର ଆଘାତ ଦେଇଥିଲା। ଅଥଚ ସେ ଥିଲା ଯାଏଁ କେବେ ନାନୀକୁ ଏକଥା ଜାଣିବାକୁ ଦେଇ ନଥିଲେ। ସହରରୁ ଫେରି  ଘରଡିହକୁ ଛାଡି ବାକି ସବୁ ବିକି ନାନୀ ନାଁ ରେ କରି ଦେଇ ଚାଲିଗଲେ ଏକ ଅବଶୋଷକୁ ସାଥିରେ ନେଇ।

ଏସବୁ କଥା ବି ବୋଉ ବହୁଦିନ ଯାଏଁ ଲୁଚେଇ ରଖିଥିଲା ତାଠୁ। ଏମିତି କି ବାହାଘର ହୋଇ ଦୁଇ ଦୁଇଟି ପିଲା ହେବା ପର୍ଯ୍ୟନ୍ତ। ସଂଧ୍ୟା ସମୟ ହେବ ବୋଧ ହୁଏ।

ବୋଉ ଭାଗବତ ପଢି ସାରି ରଘୁଆକୁ ପାଖକୁ ଡାକି ଏସବୁ କହି ଭୋ ଭୋ ହୋଇ ଵହେ କାନ୍ଦିଲା। କେତେ ଵୁଝେଲା ପରେ ହାତରୁ ପାଣି ଟିକେ ପିଇ ଏଇ କୋଳରେ ସେ ଆଖି ବୁଝିଲା। ସତେ ଯେମିତି ଏ କଥା ସବୁ ତା ମନ ଭିତରେ ରହି ରହି ତାକୁ ଅଣ ନିଃଶ୍ବାସୀ କରି ଚାଲିଥିଲା।

ମନ କଥା ଖୋଲି କହି ଦେଲା ପରେ ଏକ ପରମ ସୁଖ ନିଦ୍ରା ରେ ଶୋଇ ଯିବାକୁ ଯେମିତି କାହିଁ କେଉଁ ଦିନରୁ ଅପେକ୍ଷା କରିଥିଲା ।


ଏତେ ଅସୁବିଧା ସତ୍ତ୍ୱେ ରଘୁଆ କେବେ ହାର ମାନିନି।

ସେ ହାରମାନିଵା ପିଲା ନୁହେଁ।ତଥାପି ବାହାରକୁ ମଜବୁତ ଦେଖା ଯାଉଥିବା ମଣିଷଟା ଯେ ଭିତରେ କେତେ ଅସହାୟ ?ଦିନକୁ ଦୁଇ ମୁଠା ଖାଇବା ଯୋଗାଡିବାକୁ ଯେ କେତେ ଲହୁ ଲୁହ ନିଗାଡିବାକୁ ପଡେ।

ରଘୁଆ ଘର ଛପର , ଇଟା ପକେଇବା, ଧାନ ଗଦା କରିବା, ହେଁସ ମସିଣା ବୁଣିବା, ଗାଈ ଦୁହିଁବା ଆଦି କାମରେ ଧୁରନ୍ଧର।  ଯେତେ କାମ କଲେ ବି ଚାରିପ୍ରାଣୀ କୁଟୁମ୍ବ ପୋଷିବାକୁ ତା ପାଇଁ କାଠିକରପାଟ । 

ତା'ର ଦେହ ମୁଣ୍ଡ ଖରାପ ହୋଇଗଲେ ଦିନେ ଦିନେ ଚୁଲି ଅଜଳା ରହିଯାଏ ।  ଦୁଇ ବଖରା ବାଡତାଟି ଦିଆ ଚାଳ ଛପର ଘର ।ସେଥିରେ ଚାରି ପ୍ରାଣୀ ରହନ୍ତି ।

ଏତେ ବର୍ଷ ଭିତରେ ଗାଁ ର କିଛି ବି ପରିବର୍ତ୍ତନ ଘଟିନି।

ସରକାରୀ ଯୋଜନା ର କିଛି ବି ଲାଭ ପାଇ ନାହାନ୍ତି ଏପର୍ଯ୍ୟନ୍ତ। ଗାଁ ଲୋକମାନେ କୁହାକୁହି ହେଉଛନ୍ତି।

ଆଗକୁ ପୁଣି ନିର୍ବାଚନ ଆସୁଛି।

ଏଥର ନିର୍ବାଚନ ପରେ ସଭିଙ୍କ ଭାଗ୍ୟ ବଦଳିବ।

ଏଥରକ ଆଉ କାହା ସଲା ସୁତୁରା କାମ ଦଵନି।

ଯିଏ ମାଟି ସାଙ୍ଗେ ମାଟି ହୋଇ ଆମ ଦୁଃଖ ରେ ଦୁଃଖି ହୋଇ ଆମ କଥା ଵୁଝିଵ ସେ ହିଁ ଭୋଟ୍ ପାଇବ।

ଖାଲି କଥାକୁହା ରେ ନୁହେଁ ଯିଏ କାମ କରି ଦେଖେଇଵ ସେ ହିଁ ଆମ ଗାଁ ର ନେତା ହେବ।


ଦୁଃଖ ର ଦିନ ଯିବ ସୁଖ ତା ବାଟ ଭୁଲି ପୁଣି ଫେରିଵ।

ସତରେ କଣ ସୁଖ ଲେଉଟିବ ଗରିବର କୁଡିଆକୁ!

ନା ପୁଣି ଥରେ ଇତିହାସ ର ପୁନରାବୃତ୍ତି ଘଟେଇ ଖଟିଖିଆ ନିରୀହ ଲୋକମାନଙ୍କ ର ସ୍ବପ୍ନ ସବୁ ଅଧୁରା ହୋଇ ରହିଯିବ ଶାସନ କଳର କାଗଜ କଲମ ଭିତରେ....!!!!

ଏବେ ସଭିଙ୍କ ର ନଜର ସେହି ନିର୍ବାଚନ ଉପରେ।

ନିର୍ବାଚନ ପରେ ରଘୁଆ ଅନ୍ୟମାନଙ୍କ ମୁହଁରୁ ଶୁଣି ମନେ ମନେ ଖୁସି ହେଉଥାଏ ଯେ ତା'ର ଏ ଅବସ୍ଥା ସୁଧୁରି ଯିବ । ସେ ଆଉ ଗରିବ ହୋଇ ରହିବ ନାହିଁ ।

ଏବେ ଦେଖିବାକୁ ବାକି ରହିଲା ରଘୁଆ ର ଭାଗ୍ୟ ତାକୁ ଏବଂ ତା ପରିବାରକୁ କେଉଁ ଆଡେ ବାଟ କଢୋଉଛି..???


 ଶ୍ରୀଯୁକ୍ତ ଵାଉରୀବନ୍ଧୁ ଲେଙ୍କାଙ୍କ ଦ୍ୱାରା ପ୍ରଦତ୍ତ ଏଇ କିଛି ଗଳ୍ପାଶଂ ଆମ ସାମାଜିକ ଓ ରାଜନୈତିକ ଜୀବନ ର ଏକ ନିଚ୍ଛକ ପ୍ରତିଛବି। ନିର୍ବାଚନକୁ ନେଇ ଖୁବ୍ ସରଗରମ ହୋଇ ଉଠୁଥିବା ଏବଂ ଅନେକ ସ୍ବପ୍ନକୁ ବାସ୍ତବତା ରେ ଭରୁଥିବା କିଛି ପ୍ରତିଶ୍ରୁତି ଯେ ସାଧାରଣ ଲୋକ ଟି ଏ ପାଇଁ କେତେ ଜରୁରୀ ଏଥିରୁ ବେଶ୍ ବୋଧ ଗମ୍ୟ।

ଯେହେତୁ ମୁଁ ଜଣେ ସାଧାରଣ ମଣିଷ ଟି ଏ ଏହି ଗଳ୍ପାଶଂ ଟି ମୋ ହୃଦୟକୁ ଖୁବ୍ ଛୁଇଁ ଥିଲା। ଯେଉଁଥି ପାଇଁ ଏହି ବିଷୟକୁ ନେଇ ଗଳ୍ପ ଲେଖିବାର ପାଇଁ ଆଗ୍ରହୀ ହେଲି।



Rate this content
Log in

More oriya story from Sunita Barik

Similar oriya story from Tragedy