ଝିଅଟିଏ ଅତି ଆପଣାର
ଝିଅଟିଏ ଅତି ଆପଣାର
"ଆରତୀକୁ ଶୀଘ୍ର ଛାଡ଼ି ଦେଇ ଆସ, ତା ଗାଆଁରେ !
ମୋ ଦେହ ଭୟରେ ଶୀତେଇ ଗଲା, ଯେତେବେଳେ ଦେଖିଲି, ଆରତୀ ପାଖ ଘର କାମବାଲା ଟୋକା ସାଥିରେ ଗପୁଛି । ବଡ଼ ହେଲାଣି। କେତେବେଳେ କିଛି ଘଟିଯିବ !!!
ଘର କାମ ମୁଁ ନିଜେ କରିବି, ଆଜିଠୁ "। ଜିଦ୍ କଲେ ସୁରଭି।
ସୁରଭି ଠିକ କହୁଛନ୍ତି ଭାବି ପରେଶ ବାବୁ ଚୁପ ରହିଲେ। ବେଳ ଥାଉ ଥାଉ ସତର୍କ ହୋଇଗଲେ, ଆଗକୁ ପଶ୍ଚାତାପ୍ କରିବାକୁ ହେବନି ବୋଲି ସୁରଭି ଙ୍କ କଥାରେ ରାଜି ହୋଇଗଲେ ପରେଶ ବାବୁ।
-ଆରତୀ ! ଶାଢ଼ୀ ପିନ୍ଧି ଖୁବ ସୁନ୍ଦର ଲାଗୁଛୁ ! ଗୋଟାଏ କଥା କହିବି, ମନା କରିବୁନି। ବର୍ଷେ ହେଲା ଘରକୁ ଯାଇନୁ। ଅଙ୍କଲ କାଲି ଗାଆଁ କୁ ଯିବେ। ତୁ ବି ସାଥିରେ ଯା..। କିଛି ଦିନ ବୋଉ ପାଖରେ ରହି ତା ପରେ ଆସିବୁ, ଅଙ୍କଲ ଯାଇ ନେଇ ଆସିବେ।
ଓଠ ଚାପି ହସିଦେଲା ଆରତୀ...
କଥା ଭିତର ଛଳନା କଣ ସମସ୍ତେ ବୁଝି ପାରନ୍ତି ....!
ସମୟର ରଙ୍ଗ ବି ଅଦ୍ଭୁତ। ଅଚାନକ ହାତ ଛାଡି ଚାଲିଯାଏ। ବୁଝିଲା ବେଳକୁ ଅନେକ ଆଗରେ ସେ, ଦୌଡ଼ି ଦୌଡ଼ି ପହଞ୍ଚିବା ସମ୍ଭବ ହୁଏନି ! ସବୁ ବିଶ୍ୱାସ ଜଳି ପୋଡ଼ି ଅଙ୍ଗାର ହୋଇଯିବା ପରେ ସମୟ ଆସି ପୁଣି ଥରେ ଛିଡ଼ା ହୁଏ ଆଖି ଆଗରେ, ହାତ ଧରି ଆଉ ଥରେ ବାଟ କଢ଼େଇ ନିଏ .. ସମୟକୁ ନା କେବେ ବୁଝିହୁଏ ନା ଛାଡି ହୁଏ ସମ୍ପୂର୍ଣ୍ଣ ଭାବରେ !!
ଆରତୀ ଜୀବନରେ ଲୁଚକାଳି ଖେଳୁଛି ଏଇ ଦୁଷ୍ଟ ସମୟଟି, କେତେବେଳେ ବଞ୍ଚିବା ପାଇଁ ଭରସା ଦିଏ ତ କେତେବେଳେ ଚୁପ ଚାପ୍ ଛୁପି ଯାଏ , ଦେଖି ପାରେନି ଆରତୀ। ଅନ୍ଧାର ଭିତରେ ବାଡି ବୁଲାଏ, ସମୟକୁ ଜାବୁଡ଼ି ଧରି ଆଉ କିଛି ରାସ୍ତା ଆଗକୁ ଯିବା ପାଇଁ ଚେଷ୍ଟା କରେ ସେ।
ବେଳେ ବେଳେ ଆରତୀ ବୁଝି ପାରେନି, କଣ କରିବ ସେ। ବଡ଼ ହେଲାଣି ସବୁଦିନ କଣ ଏଇଠି ରହି ପାରିବ !!
ସାବତ ମାଆର ଦାଉରୁ ଉଦ୍ଧାର କରି ପରେଶ ବାବୁ ଓ ସୁରଭି ସହରକୁ ନେଇ ଆସିଥିଲେ ଆରତୀକୁ। ସେତେବେଳେ ଆରତୀକୁ ସାତ ଆଠ ବର୍ଷ ବୟସ ହେବ। ଗରିବ ଝିଅଟି, ଘରେ ଝାଡୁ ପୋଛା ଦେବ, ଆପାତତ୍ ଖାଇ ପିଇ ଭଲରେ ରହିବ ବୋଲି ସୁରଭି ରାଜି ହୋଇ ଯାଇଥିଲେ ଆରତୀ ପାଇଁ।
ଛ ସାତ ବର୍ଷ କଟି ଗଲାଣି ଏହା ଭିତରେ। ସାବତ ମାଆ ପାଖରୁ ଏତେ ଶ୍ରଦ୍ଧା ପାଏନି ବୋଲି ଗାଁକୁ ଯିବା କଥା ମୁହଁରେ ଧରେନି। ସ୍ୱାଭାବିକ ମଧ୍ୟ । ଯାହା କିଛି ସେ ପାଇଛି, ସୁରଭିଙ୍କ ପାଖରୁ ପାଇଛି। ନିଜ ଝିଅ ଠୁ ବି ଅଧିକ ସ୍ନେହ ଦେଇଛନ୍ତି ସେ ଆରତୀକୁ। ଝିଅ ତ ନାହିଁ, ଗୋଟାଏ ବୋଲି ପୁଅ, ବୋର୍ଡିଂ ସ୍କୁଲ୍ ରେ ପଢ଼େ ସେ ଅନ୍ୟ ରାଜ୍ୟରେ। କାମ ସରିବା ପରେ ତାକୁ ବସି ପଢାନ୍ତି। ଆରତୀ କେବେ ସ୍କୁଲ ଯାଇନି କିନ୍ତୁ ଇଂଲିଶ ପଢିପାରେ ବୁଝି ପାରେ ବି। ପରେଶ ବାବୁ ଅଫିସ୍ ରୁ ଫେରି ପ୍ରତିଦିନ ଅଧା ଘଣ୍ଟା ଇଂଲିଶ ପଢ଼ାନ୍ତି ଆରତୀକୁ, କେହି ଜଣେ ଅତି ଆପଣାର ପରି।
ଜୀବନ ଅଚାନକ ଏମିତି ମୋଡ଼ ନିଏ ବୁଝି ହୁଏନି।ଦୁଃଖ ରାସ୍ତା ଉପରେ କାୟା ବିସ୍ତାର କରେ। ପାଦ ଆଡେଇ ଆଡେଇ ଚାଲିବାକୁ ହୁଏ ସତର୍କତାର ସହିତ। ଦୁଃଖ ଯେମିତି ଜାବୁଡ଼ି ନ ଧରୁ !! ହାତେ ମାପି ଚାଖଣ୍ଡେ ଚାଲୁଛନ୍ତି ଏଇଠି ସମସ୍ତେ।
କାଲି ସକାଳେ ଆରତୀକୁ ନେଇ ଗାଁରେ ଛାଡି ଆସିବାକୁ ହେବ। ତା ବାପା ବି ମଣିଷ ନୁହଁ, ଝିଅକୁ କେବେ ଖୋଜେନି !! ନା କାମ କରେ ନା କିଛି ରୋଜଗାର ଅଛି ! ଭୋକ ଉପାସରେ ଦିନ କାଟନ୍ତି। ସହର ପାଣି ପବନରେ ବଢ଼ିଛି ଆରତୀ ହଠାତ ଗାଆଁରେ ଯାଇ ଚଳି ପାରିବ ତ !! ପୁଣି ସାବତ ମାଆ ପାଖରେ। ଏମିତି ଅନେକ ଦୁଶ୍ଚିନ୍ତା ଭିତରେ ରାତିଟା ଅତି କଷ୍ଟରେ କଟେଇଲେ ସୁରଭି।
ଯୌବନର ପ୍ରଥମ ପାହାଚକୁ ଛୁଉଁଥିବା ପର ଝିଅକୁ ନେଇ ବିପଦକୁ ଡାକିବା ଛଡା ଆଉ କିଛି ନୁହଁ।
ମତୁଆଲା ପ୍ରଜାପତିର କିଛି ଠିକଣା ନ ଥାଏ, ପଥଭ୍ରଷ୍ଟ ହୋଇ ଘୁରି ବୁଲେ ଏ ଫୁଲରୁ ସେ ଫୁଲକୁ। ନିନ୍ଦା ଅପବାଦକୁ ମୁଣ୍ଡରେ ଧରି ଫୁଲଟିକୁ ବଞ୍ଚିବାକୁ ପଡେ ।
ଆରତୀ ମୁଣ୍ଡ ଉପରେ ନିନ୍ଦା ଅପବାଦର ବୋଝ । ନିଜେ ଜାଣିନି କଣ ଭୁଲ କରିଛି, ଆଗରେ ବହୁତ ବଡ଼ ଦଣ୍ଡ, ଅପେକ୍ଷାରତ ତା ପାଇଁ...ସୁରଭିଙ୍କ ଚକ୍ରାନ୍ତ ଆଦୌ ବୁଝି ପାରିଲାନି ସେ। ରାଜି ହୋଇଗଲା ସେମାନଙ୍କ କଥାରେ।
କାହିଁକି କେଜାଣି ସୁରଭିଙ୍କ ଆଖି ଜକେଇ ଆସିଲା ଠିକ ଆରତୀ ବାହାରିଲା ବେଳକୁ !
-ଆଣ୍ଟି ! ଟିକିଏ ଡିଜାଇନ୍ କରି ମୋ ବେଣୀ ବାନ୍ଧି ଦିଅ, ଚମ୍ପା ଫୁଲ ଆଣିଛି ଖୋସି ଦିଅ ମୋ ବେଣୀରେ। ସାନ ଭଉଣୀ ଦେଖିଲେ ଭାରି ଖୁସି ହେବ ।
ସମ୍ପର୍କ ଟିଏ ଗଢ଼ିବା ପାଇଁ ଅନେକ ରାତି ଦରକାର। ଜୀବନକୁ ଆଦୌ ବୁଝି ନ ଥିବା ଆରତୀର ହାତ ଧରି ଆଜି ଯୌବନର ପ୍ରଥମ ପାହାଚ ପର୍ଯ୍ୟନ୍ତ ନେଇ ଆସିବାରେ ଅନେକ ସମୟ ଲାଗିଛି, ସମ୍ପର୍କର ସେତୁଟିଏ ବାନ୍ଧିବା କଣ ଏତେ ସହଜ ! ବୁଝାମଣାର ସୂତାରେ ପ୍ରତି ମୁହୂର୍ତ୍ତକୁ ଗୁନ୍ଥି ଗୁନ୍ଥି ସମ୍ପର୍କର ନିର୍ମାଣ ହୁଏ।
ବାସ୍ତବ ସମ୍ପର୍କ ଏତେ କୋମଳ ଯେ, ଟିକିଏ ବି ଆଘାତ ସହି ପାରେନି। ସୁରଭି ମନ ଦେଇ ସମୟ ଦେଇ ଆରତୀ ସହିତ ସମ୍ପର୍କ ଗଢ଼ିଛନ୍ତି ହଠାତ୍ ଭାଙ୍ଗି ଦେବା କଣ ସମ୍ଭବ ତାଙ୍କ ପାଇଁ ?
-ଆଣ୍ଟି ! କାନ୍ଦନି, ମାସ କର କଥା ଫେରି ଆସିବି ନା । ଦେଖ ! ମୁଁ ମୋ ବ୍ରସ୍,କଲଗେଟ୍, ଚପଲ ସବୁ ଛାଡି ଯାଉଛି। ଶୀଘ୍ର ଆସିବି।
ସକାଳ ଟ୍ରେନ ଧରି ପରେଶ ବାବୁ ବାହାରି ଗଲେ ଗାଆଁକୁ। ତିନି ଚାରି ଘଣ୍ଟା ରାସ୍ତା। ଆରତୀକୁ ଛାଡି ଫେରିବାକୁ ହେବ।
ଆରତୀ କିନ୍ତୁ ଜାଣେନି ସେ ଆଉ ଫେରିବନି ବୋଲି ! ସବୁଦିନ ପାଇଁ ରହିଯିବ ସେଇ ଗାଁ ଭିତରେ। ତାର ଗୋଟାଏ ଭୁଲ ଯେ, ବୟସ ବଢିଲାଣି, ଏଠି ଆଉ ନିରାପଦ ନୁହେଁ।
ପ୍ରାୟ ଘଣ୍ଟାଏ ପରେ ସୁରଭିଙ୍କ ଫୋନ ଆସିଲା।
-ଆରତୀ କଣ କରୁଛି ?
-ମୋତେ ଆଉଜି ଶୋଇ ଯାଇଛି ନିଶ୍ଚିନ୍ତରେ...
-ମୋତେ ବି ଜମାରୁ ଭଲ ଲାଗୁନି ପରେଶ, ଖାଁ ଖାଁ ଲାଗୁଛି। ସବୁବେଳେ ପାନିଆଟେ ଧରି ଗୋଡାଉ ଥାଏ ମୋ ପଛରେ, ଆଣ୍ଟି ବସ ତମ ମୁଣ୍ଡ କୁଣ୍ଡେଇ ଦେବି। କେତେବେଳେ ଚମ୍ପା ଫୁଲ ଟିଏ ତ କେତେବେଳେ ତରାଟ ଫୁଲ ଗେଞ୍ଜିଦିଏ ମୋ ଚୁଟିରେ, ପ୍ରତିଦିନ ତମେ କୁହ ଆଜି ଭାରି ବାସୁଛ ସୁରଭି। କିଛି ନ କହି ମୁଁ ସବୁଦିନ ହସି ଦିଏ ତମ ଆଗରେ।
ଜାଣିଛ ନା ! ସବୁ ସାଲୱାର, ଫ୍ରକ୍, ଇନର ଉଇଆର୍ ଭର୍ତ୍ତି କରି ଦେଇଥିଲି ବିଗସପର୍ ଭିତରେ। ଅଧା ଜିନିଷ ତା କପ୍ ବୋର୍ଡ ଭିତରେ ରଖି ଦେଇ ଯାଇଛି ଆରତୀ। ଏବେ ଦେଖିଲି ! ଆମେ ତାକୁ ମିଛ କହି ଭୁଲ କରିନୁ ତ !! କେତେ ବିଶ୍ୱାସ କରେ ଦେଖ ! ବିଶ୍ୱାସରୁ ଭରସାର ଜନ୍ମ। ସେଇଥିପାଇଁ ତ ନିର୍ଭୟରେ ତମ ଉପରକୁ ଆଉଜି ପଡି ଶୋଇ ଯାଇଛି ଆରତୀ...।
ଅତ୍ୟଧିକ ଭାବପ୍ରବଣ ହୋଇଗଲେ ପରେଶ ବାବୁ। ଫୋନ୍ କାଟି ଦେଲେ।
ପୁଣି ଥରେ ଫୋନ୍ ଆସିଲା।
-ଶୁଣ ! ଫୋନ୍ କାଟିବନି, ସେ ତାର ବିନ୍ଦି ପାକେଟ ଛାଡି ଯାଇଛି। ଟ୍ରେନ ଭିତରେ ଫେରିବାଲା ଆସନ୍ତି, ଦୁଇ ତିନିଟା ଭିନ୍ନ ଭିନ୍ନ ରଙ୍ଗର ବିନ୍ଦି ପାକେଟ କିଣିଦେବ ନା। ଠିକ୍ ଅଛି କହି ଫୋନ ରଖିଦେଲେ ପରେଶ ବାବୁ।
ଆରତୀ ନିଦରୁ ଉଠି ବସିଲା। ପରେଶ ବାବୁଙ୍କୁ ଦେଖି ହସିଦେଲା। କେତେ ନିଷ୍ପାପ, କେତେ ସରଳ ତା ହସ। ସମ୍ପର୍କର ସୂକ୍ଷ୍ମ ମଧୁରତା ଭିତରେ କଠୋର ଏଭରେଷ୍ଟ ତରଳି ଯାଏ, ପରେଶ ବାବୁଙ୍କୁ ତରଳି ଯିବାକୁ କେତେ ସମୟ ବା ଲାଗିବ !!!
ପରେଶ ବାବୁ ସିଝା ବାଦାମ, ଲିଟଲ ହାର୍ଟ୍ ବିସ୍କୁଟ କିଣିଦେଲେ ଆରତୀ ପାଇଁ। ମନ ଖୁସିରେ ଖାଇଲା। ଅଙ୍କଲ ! ସାନ ଭଉଣୀ ପାଇଁ ବିସ୍କୁଟ କିଣି ଦେବ ନା ...
ଠିକ୍ ଅଛି କହି ହସି ଦେଲେ ପରେଶ ବାବୁ। ପରେଶ ବାବୁ ପାଉଁ ରୁଟି କିଣି ଖାଇଲେ। ହାତ ଧୋଇବା ପାଇଁ ୱାସ୍ ବେସିନ ପାଖକୁ ଉଠିଗଲେ ସେ।
ପରେଶ ବାବୁଙ୍କ ବେଗ ଭିତରୁ ପ୍ରେସର୍ ଔଷଧ ଓ ପାଣି ବୋତଲ ବାହାର କରି ହାତରେ ଧରି ବସିଥାଏ ଆରତୀ। ଔଷଧ ଖାଇବାକୁ ଭୁଲି ଯା'ନ୍ତି ବୋଲି, ସୁରଭି ଆଣ୍ଟି ମନେ କରି ଔଷଧ ଖୁଏଇବା କାମଟି ଦେଇଛନ୍ତି ଆରତୀକୁ। ଅଙ୍କଲ ଆସିବା ମାତ୍ରେ ଔଷଧ ବଢେଇ ଦେଇ କହିଲା, "ଅଙ୍କଲ ପ୍ରତିଦିନ ଔଷଧ ଖାଇବ ନା.. ଆପାତତ୍ ମୁଁ ଫେରି ଆସିବା ପର୍ଯ୍ୟନ୍ତ !!!
ଆଣ୍ଟିଙ୍କ ବି ଭୁଲା ମନ। ସେ ବି ଭୁଲି ଯା'ନ୍ତି ତମକୁ ଔଷଧ ଦେବା ପାଇଁ।"
ମନକୁ ଛୁଇଁ ଗଲା ଆରତୀର ଏଇ କଥାଟି। କେହି ଜଣେ ଅତି ନିଜର ହେବା ପାଇଁ ବେଶୀ ସମୟ ଲାଗେନି, ହୃଦୟ କଥା କେବଳ ହୃଦୟ ହିଁ ବୁଝି ପାରେ।
ପୁଣି ଥରେ ସୁରଭିଙ୍କ ଫୋନ୍।
-ଜାଣିଛ ! ଆରତୀ ତା'ର ପାଞ୍ଚୋଟି ରୁମାଲ୍ ପଛ ପଟ ତାରରେ କ୍ଲିପ୍ ଲଗେଇ ଶୁଖେଇ କି ଯାଇଛି। ଫେରିବାଲା ପାଖରୁ ପାଞ୍ଚୋଟି ରୁମାଲ୍ କିଣି ଦେବ ଆରତୀ ପାଇଁ।
-ଠିକ୍ ଅଛି କହି ଫୋନ୍ କାଟି ଦେଲେ ପରେଶ ବାବୁ।
******
ସନ୍ଧ୍ୟା ସାତଟା, କଲିଂ ବେଲ ବାଜିବା ଶୁଣି କବାଟ ଖୋଲିଲେ ସୁରଭି। ଆଖି ଆଗରେ ପରେଶ ବାବୁ ଓ ଆରତୀ। ଆରତୀ ଆଉ ଗାଁକୁ ଯାଇନି। ଫେରି ଆସିଛନ୍ତି ସେମାନେ। ସୁରଭିଙ୍କ ମୁଣ୍ଡ କାମ କଲାନି କିଛି ମୁହୂର୍ତ୍ତ ପାଇଁ।
ପରେଶ ବାବୁ କହିଲେ, ପାଖ ଘର କାମବାଲା ସହିତ ଥରେ କଥା ହୋଇଗଲା ବୋଲି ଏତେ ବଡ଼ ଶାସ୍ତି କାହିଁକି ? ସେ ଯଦି ଆମ ନିଜ ଝିଅ ହୋଇଥାଆନ୍ତା ଆମେ କଣ ତାକୁ ଘରୁ ବାହାର କରି ଦେଇ ଥାଆନ୍ତେ , ନା କେବେ ନୁହଁ। ଆଜିଠୁ ଯଦି ଆମେ ଆରତୀକୁ ନିଜ ଝିଅ ପରି ଭାବି ନେଉ କିଛି ଅସୁବିଧା ଅଛି କି ସୁରଭି ?
ଆମେ ତାକୁ ନିଜ ଝିଅ ଭାବି ଆକଟ କରିବା, ବୁଝେଇବା...।
ସେ ଯେତେବେଳେ ଆମକୁ ଅଙ୍କଲ ଆଣ୍ଟି ଡାକେ କେବେ ଅନୁଭବ କରିଛ ସୁରଭି ! ତା ଡାକ ଭିତରେ କେତେ ଅପନାପନ୍ ଥାଏ, କେତେ ଆନ୍ତରିକତା ଥାଏ !!
ଯେତେଦିନ ସମ୍ଭବ ଆମ ପାଖରେ ଥାଉ ସେ.....ନା କଣ କହୁଛ ସୁରଭି ?
ସୁରଭି କୋଳେଇ ନେଲେ ଆରତୀକୁ ଜାବୁଡ଼ି ଧରିଲେ। ପରେଶ ବାବୁଙ୍କ ଆଖି ଭିତରୁ ଦୁଇ ଟୋପା ଅମାନିଆ ଲୁହ ବୋହି ଯାଉଥିଲା ଗାଲ ଉପର ଦେଇ....।
