ଝିଅର ଚିଠ,
ଝିଅର ଚିଠ,
ଚିଠିଟି ପାଇବା ପରଠୁ ଦିବ୍ୟଶଙ୍କର ବାବୁଙ୍କ ଆଖିରୁ ନିଦ ହଜିଯାଇଛି। ଚିଠି ଲେଖା ଯୁଗ କେବେଠୁ ସରିଥିଲେ ମଧ୍ୟ ଫୋନ ନକରି ପାଟିର ଭାଷା ବଦଳରେ ଅନ୍ତରର ଦିବ୍ୟ ଭାଷା ଲେଖିଛି, ତାଙ୍କ ଏକମାତ୍ର ଝିଅ। ଝିଅ ଜନ୍ମ ହେବା ପରେ ସେ ଏତେ ଖୁସି ହୋଇଥିଲେ ମୁକୁଟ ବିହୀନ ରାଜା ହୋଇଯିବାର ଅର୍ଥ ବୁଝିଯାଇଥିଲେ, ଝିଅର ପ୍ରତିଟି କ୍ରମବର୍ଦ୍ଧିଷ୍ଣୁ କାର୍ଯ୍ୟ କଳାପରେ ତଟସ୍ଥ ଓ ମୁଗ୍ଧ ହୋଇ ଘଡ଼ିଏ ଅନ୍ତର କରୁନଥିଲେ ଝିଅକୁ ତ ମାଆ ଚିଡାନ୍ତି, ଆଉ କେହି ଦୁନିଆଁରେ ବାପା ହୋଇଛନ୍ତି କି ଝିଅର?? ପୁଣି କେବେ କହନ୍ତି, ତାକୁ ପରଘରୀ ନକରି ନିଜ ଘରେ ରଖିବୁ ସବୁଦିନ ବୋଧେ। ହାତ ଧରି ଝିଅକୁ ଚାଲି ଶିଖାଉ ଶିଖାଉ, ସ୍ତ୍ରୀ ସୁଜାତାଙ୍କ ବଦଳୀ ହେଲା ତ ଝିଅ ଠାରୁ ବିଛିଣ୍ଣ ହୋଇ ଦୁଃଖୀ ହୋଇଗଲେ ପିତା ଦିବ୍ୟଶଙ୍କର।
ପ୍ରତି ଶନିବାର ରବିବାର ଝିଅକୁ ଦେଖିଯିବା ଲାଗି କିଣିଲେ ଗାଡ଼ି ଶିଖିଲେ ଚଲେଇବା ପୁଣି ଶହେ କୋଡ଼ିଏ କିଲୋମିଟର ଟପି ପ୍ରତି ଶନିବାର ଝିଅ ପାଖକୁ ଯିବା ଦେହରେ ଗଲାନି ।ଆଉ ସ୍କୁଟିରୁ ପଡ଼ି ସୁଜାତା ମଧ୍ଯ ଝିଅ ଓ କର୍ମସଂସ୍ଥାନ ଦୁଇଟି ଯାକ ସମ୍ଭାଳି ପାରିଲେନି ତ ଝିଅକୁ ସେତେବେଳେ ମାତ୍ର ବର୍ଷେ ପୁରିଛି କି ନାହିଁ ନେଇଆସିଲେ ସାଙ୍ଗରେ ବାପାମାଆଙ୍କ ସହଯୋଗରେ ଝିଅ ପାଇଁ ବନିଗଲେ ଉଭୟ ପିତା ମାତା। କ୍ଷୀର ଛାଡ଼ିନଥିବା ପିଲାକୁ ସମ୍ଭାଳିବା କଷ୍ଟ ଲାଗୁନଥିଲା ସେ ଯେବେ ପାପା ଡାକିବା ଆରମ୍ଭ କରିଦେଲା। ଅଦିନିଆ ମାଆକୁ ଦେଖିଲେ ବି ଖୋଜେ ମୋ ପାପା।
ଜାତକ ଗଣନା କରୁ କରୁ ଝିଅ ରାଜିରେ ଲଭ୍ ମ୍ୟାରେଜ୍ କରିବ ଶୁଣି ତାତି ଯାଇଥିଲେ ଦିବ୍ୟଶଙ୍କର। ଶଶୁର ଶାଶୁଙ୍କୁ ସିଧା ଜଣେଇ ଦେଇଥିଲେ ମୋ ଝିଅ ସେମିତି କରିପାରିବନି। ନାହାକ ପଣ୍ଡିତ କହନ୍ତି ମିଛ.... ଦ୍ୱାରେ ଦ୍ୱାରେ ମାଗି ବୁଲନ୍ତି ଭିକ। ମଳାଶୁର ବୁଝାଇଥିଲେ ରାଗନି ଦିବ୍ୟ, ସେତେବେଳକୁ ଯୁଗ କୋଉଠି ପହଞ୍ଚି ଥିବ। ଅସନ୍ତୁଷ୍ଟ ଦିବ୍ୟ ବୁଝନ୍ତିନି। ମାଆ ପାଖରୁ ଆଣି ଝିଅକୁ ରଖି ଶିକ୍ଷା ଦୀକ୍ଷା, ସଂସ୍କାର ଦେଇ ଡାକ୍ତର କଲା ପରେ, ଝିଅର ଏକାଜିଦ୍ ମୁଁ ଯଦି ବିବାହ କରିବି ସୁରେଶକୁ। ପିତାଙ୍କର ସ୍ନେହ ଶ୍ରଦ୍ଧାକୁ ଠୋକର ମାରି ଚାଲିଗଲା ସ୍ନେହା, ସୁଜାତା କେତେ କାକୁତି ମିନତି କରିଛିନ୍ତି ହେଲେ ଏକାଜିଦ ଦିଵ୍ୟଙ୍କର, ଝିଅ ମୁହଁ ଚାହିଁବିନି , ତେବେ ଆଜି ହୃଦୟ ହଲଚଲ କାହିଁକି?
ଉତ୍ତର ଦେବାକୁ, କାନ୍ଧରେ ହାତ ରଖିବାକୁ, ନା ଅଛନ୍ତି, ଶାଶୁ ଶଶୁର ନା ଅଛନ୍ତି ପିତା ମାତା, ନା ଅଛି ସେ ବଳ ବୟସ। ସେହିକଥା ଲେଖିଛି ଝିଅ, ମୋ ଉପରେ ଅଭିମାନ କରନି ପାପା। ମାଆକୁ ନେଇ ନାତି, ଏକୋଇଶିଆ କୁ ନିଶ୍ଚୟ ଆସିବ। ତୁମ ଗୋଡ଼ରେ ମୋ କୁନି କୁନି ପାଦ ରଖି ପ୍ରଥମ ଚାଲି ଶିଖିଛି, ତୁମ କାନ୍ଧର ଉଷୁମ ସ୍ପର୍ଶ ପାଇ ଶୋଇଛି। ମାମା ପାଖରେ ନାହିଁ ବୋଲି ଅଭିମାନ କଲାବେଳେ ତୁମ ଛାତିରେ ଆଉଜି ଦୀର୍ଘ ନିଶ୍ବାସ ନେଇ ପାପାହିଁ ମୋ ସ୍ୱର୍ଗ, ମୋ ଦେବତା, ମୋ ଧର୍ମ ମୋ କର୍ମ ଭାବିଛି। ତୁମେ ପଥର ନୁହଁ ପାପା, ମୁଁ ଜାଣେ ତୁମ ଭଳି ଭରସା, ଆଶା, ବିଶ୍ୱାସ ଓ ନିଶ୍ବାସ କେହି ଦ୍ୱିତୀୟ ନାହାନ୍ତି ମୋର ପାପା। ତୁମେ କଣ ଭାବୁଛ ତୁମ ପସନ୍ଦର ସ୍ବାମୀ, ମୋତେ ଟୁମଠୁ ଅଧିକା ସ୍ନେହ ପ୍ରେମ, ଭଲପାଇବା ଦେଇପାରିଥାନ୍ତା??? ନାହିଁ ପାପା, ତୁମେ ମୋର ରାଜା ଆଉ ମୁଁ ତୁମ ରାଜକୁମାରୀ, ଥିଲି, ଅଛି, ଥିବି। ତୁମ ହୃଦୟକୁ ପଚାର ଥରେ। ଫୋନ୍ କରି, ଏତେସବୁ କଥା କହିହେଇପାରି ନଥାନ୍ତା। ନିସ୍ଚୟ ଆସିବ ମାମାକୁ ନେଇ। ମୋ ପାଇଁ, ମୋ ସ୍ନେହର ସମ୍ପୂର୍ଣ୍ଣ ଅଧିକାର ପାଇବା ପାଇଁ, ମାମାର ଦ୍ୱିତୀୟ ସନ୍ତାନ ସୁଖ ଛଡେଇ ନେବା ସହ ବଡ ହେଲାପରେ ମଧ୍ଯ ତା ପାଖକୁ ଛାଡ଼ିଦିଅନି ମତେ।ନିଜେ ହୋଇଯାଅ ମୋ ଅମୃତ୍ କଳସୀ ସଦୃଶ ମାଆ ଓ ତୁଳସୀ କର୍ପୁର ଚନ୍ଦନ ବୋଳା ଖିଲେ ପାନ ପରି ମୋ ପାପା। ଯାହାଙ୍କ ବାସ୍ନା ମୋ ଚାରିପଟେ। ଥରେ ଆସ ପାପା, ମୋ ପୁଅକୁ ତୁମ ହାତର ସ୍ପର୍ଶ ଦେବା ସହ ମମାକୁ ତା କୋଳରେ ନାତିକୁ ଶୁଆଇବା ସୁଖର ସୁଖଦ ଅନୁଭବ ଥରେ ଦିଅ। ଜାନୁଆରି ଛବିଶ ଦିନ ଏକୋଇଶିଆକୁ ଆସିବ ପାପା, ମାମାକୁ ଆଣିବ ନିଶ୍ଚୟ.
କାକୁତି ମିନତି ଯେତେ ହେଲେ ବି ସୁଜାତା, ଏକାଯିଦ୍ ବିବ୍ୟଙ୍କର, ସେ ଯିବେନି। ସୁଜାତା କହି ଶୁଣେଇଦେଲେ ତୁମେ ଯାଅ କି ନଯାଆ, ମୁଁ ଯିବି। ସୁଜାତା ନିର୍ଦ୍ଦିଷ୍ଟ ଦିନ ସବୁ ସଜାଡ଼ି ବାହାରିଥାନ୍ତି ଯିବାକୁ ନାତି ବାହାନାରେ ତାଙ୍କ ଝିଅକୁ ଦେଖି।ହଠାତ୍ ଗାଡି ଲାଗିଲା ଦୁଆରେ। ଝିଅ ସ୍ନେହା କୋଳରେ ଶିଶୁପୁତ୍ର ପଛେ ପଛେ ଜୋଇଁଙ୍କ ସହ ଦିବ୍ୟଙ୍କୁ ଦେଖି ଚମତ୍କୃତ ସୁଜାତା ଙ୍କ ପାଟିରୁ ବଚନ ବାହାରୁ ନଥିବା ବେଳେ ଦିବ୍ୟ କହୁଥିଲେ, ମୋ ନାତିର ଏକୋଇଶିଆ ମୋ ଘରେ ହେବ। ସମସ୍ତେ ଲାଗିପଡିଥିଲେ ଆୟୋଜନରେ। ସ୍ନେହା ମାଆ ଗୋଡ଼ରେ ନାତିକୁ ଶୁଆଇ କହିଥିଲା, ଇଏ ତୋର ତୁ ସମ୍ଭାଳେ ମୋର ସରକାରୀ ଛୁଟି ସମାପ୍ତ ପ୍ରାୟ। ଦିବ୍ୟଶଙ୍କର କହୁଥିଲେ, ମୁଁ ଅଛି ବ୍ୟସ୍ତ କଣ?? ସମସ୍ତେ ହସୁଥିଲେ ଗଡିଯାଉଥିଲା ଆଖିରୁ ଆନନ୍ଦାଶ୍ରୁ ।ପାଖ ସ୍କୁଲରୁ ଜନରାଜ୍ୟ ଦିବସ ପାଳନର ଜୟଧ୍ୱନି ସହ ଜନ ଗଣ ମନ ଅଧିନାୟକ ଜୟ ହେ, ଶୁଭୁଥିଲା, ଶୁଭଶଙ୍ଖ ପରି.
