ଡ.ସୁରେଶ ଚନ୍ଦ୍ର ବରାଡ଼

Romance Tragedy

4  

ଡ.ସୁରେଶ ଚନ୍ଦ୍ର ବରାଡ଼

Romance Tragedy

ଜଗ ଜଗ ନାରୀ(ଭାଗ-୬)

ଜଗ ଜଗ ନାରୀ(ଭାଗ-୬)

6 mins
7



ସନ୍ଧ୍ୟା ନଇଁ ନଇଁ ଆସୁଥିଲା। ପଶ୍ଚିମ ଆକାଶରେ ଲାଲ ଟହଟହ ଅରୁଣ, ଭାଲୁମୁଣ୍ଡିଆ କୋଳରେ ଶୋଇବାକୁ ଯାଉଥିଲେ। ଲାଲ ଲାଲ କିରଣ ବିଚ୍ଛୁଡ଼ି ପଡ଼ୁଥିଲା ପଶ୍ଚିମ ଆକାଶରେ। ପକ୍ଷୀମାନେ ଫେରୁଥିଲେ ଭାଲୁ ମୁଣ୍ଡିଆ ପଟରୁ ନିଜ ନିଜ ବସାକୁ। ପକ୍ଷୀ ମାନଙ୍କର କଳରବରେ ଧିରେ ଧିରେ ଅନ୍ଧାର ଘୋଟିଆସୁଥିବା ଆକାଶ ଶବ୍ଦାୟିତ ହୋଇ ଉଠୁଥିଲା। ବିଚିତ୍ର ଥିଲା ବଗ ମାନଙ୍କର ଗତି। ପଶ୍ଚିମ ଆକାଶ, ସେମାନଙ୍କ ଫେରନ୍ତା ଦଳମାନଙ୍କର ଶୋଭାଯାତ୍ରାରେ ଚମତ୍କାର ଲାଗୁଥିଲା। ଦଳ ଦଳ ବଗ ଉଡ଼ିଆସି ପାଖ ବର, ଆମ୍ବ, ତେନ୍ତୁଳି, ଶାଗୁଆନ, ଚାକୁଣ୍ଡା, ନଡ଼ିଆ, ଫାସି, ଅଶୋକ, ଅର୍ଜୁନ ଆଦି ବୃକ୍ଷମାନଙ୍କରେ ବିରାଟ କୋହାହଳ କରି ଆସ୍ଥାନ ଜମେଇବାକୁ ଲାଗିଲେଣି। ବିଲ ମାଳରେ ବିଲୁଆ ମାନଙ୍କ ହୁକେ ହୋ ରଡ଼ି ରହି ରହି ଶୁଣିବାକୁ ମିଳୁଥିଲା। ଦୂର ବାଣିଝରୀ ଜଙ୍ଗଲ ପାଦଦେଶରେ ମୟୂର ମାନଙ୍କର ଚିତ୍କାର ଶୁଣା ଗଲାଣି। ଜମିକୁ ଯାଇଥିବା ଚାଷୀମାନେ ଫେରିଆସୁଥିଲେ ତରତରରେ ଘରକୁ ନିଜ ନିଜର କାମ ସାରି। ବାଇଗଣ କିଆରିରୁ ବାଇଗଣ, ଟମାଟ କିଆରିରୁ ଟମାଟ ତଥା କଂଚା ପରିବା ତୋଳିବାକୁ ଯାଇଥିବା ଚଷା ତା ମୁଲିଆ ମନଙ୍କ ସହିତ ସଂଗୃହିତ ପରିବା, ବଡ଼ ବଡ଼ ବୋଝ ଓ ଟ୍ରେରେ ଧରି ଧାଡ଼ି ହୋଇ ଫେରୁଥିଲେ। ଫୁଲ କୋବି ଓ ବନ୍ଧା କୋବି ଚାଷ କରିଥିବା ଚାଷୀ କୋବି କାଟି ବସ୍ତାରେ ପୁରାଇ ରାସ୍ତାକାନ୍ଥରେ ସଜେଇ ଥୋଉଥିଲା, ପାହାନ୍ତା ପହରରେ ଗାଡ଼ିରେ ଲଦି ଗଦିକୁ ନେବ ବୋଲି। ଗାଁ ମନ୍ଦିରରେ ପୂଜାରୀ ଲଗେଇ ସାରିଥିଲେ ଡାକବାଜି ଯନ୍ତ୍ର। ସେଥିରୁ ଭାସି ଆସୁଥିଲା ଭିକାରୀ ବଳଙ୍କ କଣ୍ଠରୁ ସାଲବେଗଙ୍କ ହୃଦୟସ୍ପର୍ଶୀ ଭଜନର ସ୍ବର। ଏବେ ବୋଧେ ସନ୍ଦ୍ୟା ଆଳତି ସମୟ ହୋଇ ଗଲାଣି। ପିଲାମାନେ ତର ତରରେ ବସ୍ତାନୀ ସଜେଇ ବାହାରିଲେଣି ଟ୍ୟୁସନ। ପାଖପଡ଼ିଶା ଘରର କୂଳବଧୂମାନେ ଚଉରା ମୂଳରେ ଜଳେଇଲେଣି ସଞ୍ଜବତୀ। କାହା କାହା ଘରୁ ଶୁଭିଲାଣି ସନ୍ଥ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ସେ ଅଭୁଲା ପଦମାନ ସୁଲଳିତ ସ୍ବରରେ କୂଳବଧୂମାନଙ୍କର କଣ୍ଠରୁ। ଗାଁ ଦାଣ୍ଡ ଷ୍ଟ୍ରିଟ ଲାଇଟରେ ଉଦ୍ଭାଷିତ ହେବାକୁ ଲାଗିଲାଣି। ଶ୍ୟାମ ବସିଥିବା ଘର ଭିତରୁ କେଉଁଠୁ କାଠବେଙ୍ଗଟି ବାହାରି ରହି ରହି ଡିଆ ମାରୁଥିଲା ବାହାରକୁ ଯିବ ବୋଲି ତା’ର ଖାଦ୍ୟ ସନ୍ଧାନରେ। ବାହାରୁ ଚୁଚୁନ୍ଦ୍ରାଟିଏ ହଠାତ୍ ଦୈାଡ଼ିଆସି ଘର ଭିତରେ ପଶିଗଲାଣି କେତେ ବେଳୁ। ମୂଷାଟିଏ କୋଉ ବୋଝ ଭିତରେ କୁଟୁରୁ କୁଟୁରୁ କରିବା ଆରମ୍ଭ କରି ଦେଲାଣି।

ଦାଣ୍ଡରେ ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାରର ସୁଯୋଗ ନେଇ କେହି ଜଣେ ଯୁକ୍ତି ବାଢ଼ୁଥିବା ଶୁଣା ଯାଉଥିଲା, “ଭାସିଗଲା ଶ୍ୟାମଟା।” ଅନ୍ୟ ଲୋକଟି କହୁଥିଲା, “ସେ କ’ଣ ଜାଣି ନ ଥିଲା ଘରେ ଟୋକା ଦିଅରଟା ଅଛି। ଏଡେ଼ ସୁନ୍ଦରୀ ମାଇକିନାଟାକୁ ଘରେ କେଉଁ ଭରସାରେ ସେ ତା’ ପାଖରେ ଛାଡ଼ି ବିଦେଶ ଯାଇଥିଲା। ଏଠି କ’ଣ ଆମ ଗାଁରେ ଆଉ କେହି ନାହାଁନ୍ତି? ସମସ୍ତେ କ’ଣ ଗାଁ ଘର ଛାଡ଼ି ବିଦେଶ ପଳେଇଛନ୍ତି। ଆମ ଗାଁର ଏଇ ଶ୍ୟାମ ହେଉଛି ପ୍ରଥମ ବ୍ୟକ୍ତି ଯିଏ କି ଅଧିକ ରୋଜଗାର ଆଶାରେ ବିଦେଶରେ ଦାଦନ ଖଟିବାକୁ ଯାଇଥିଲା। ଆମ ଗାଁ ମାଟି କ’ଣ ବନ୍ଧ୍ୟା ହୋଇ ଯାଇଛି ଯେ ସେ ତା ପିଲାମାନଙ୍କୁ ଦୁଇ ମୁଠା ଖାଇବାକୁ ଯୋଗାଇ ପାରୁନି। ପୁଅ ନାମ ପାଆ...। ତତେ କିଏ କହୁଥିଲା ଏଡେ଼ ସୁନ୍ଦରୀ ମାଇକିନାଟେ ଆଣିବାକୁ, ପୁଣି ଆଣିଲୁ ତ ଆଣିଲୁ ତତେ କିଏ କହୁଥିଲା, ତାକୁ ଛାଡ଼ି ବିଦେଶ ଯିବାକୁ ଏପରି ଏକ ଅକୃତଜ୍ଞ ଭାଇ ବଙ୍ଗର ପାଖରେ ଛାଡ଼ି?

ଅନ୍ୟ ପାଖରେ ଦୁଇ ଜଣ ମାଇପିଙ୍କ ଚୁପିଚୁପି କଥା ଶୁଣିବାକୁ ମିଳୁଥିଲା। ଜଣେ କହୁଥିଲା, “ରାଧାଟା ଭାରି ଚାଲାକ। ସବୁ ଦିନ ସେଇ ଏକା ଭାତ ଡାଲି ଖାଇ ଖାଇ ପାଟିର ସୁଆଦ ମରି ଯାଉଥିଲେ ଜଣେ ଯେମିତି ଟିକେ କୁକୁଡ଼ା ଝୋଳ କି ମାଛ ବେସର ଚାହେଁ କିଛି ନ ହେଲେ ଅଣ୍ଡା ଝୋଳ ଗିନାଏ ବା ଶୁକୁଆ ପୋଡ଼ା ଦୁଇଟା ଚାହେଁ ସେମିତି ବଙ୍ଗରଠୁ ସୁଆଦ ଚାହିଁଥିବ ସିଏ। ଶ୍ୟାମ ଶରୀରରୁ ଭୋକ ମେଣ୍ଟେଇ ସାରିବା ପରେ ବଙ୍ଗର ଶରୀରରୁ ସୁଆଦ ଖୋଜିଥିବ ସିଏ। ଭେଣ୍ଡା ଦିଅର ଥିବା ରମେଇ ମାଆ, ଫୁଲେଇ ବୋଉ, କୋକୀ ମା’ କିଏ ଏ କାମ କରୁନି ଭଲା। ହେଲେ କିଏ ୟା ପରି ସ୍ବାମୀକୁ ଛାଡ଼ି ଦିଅର ପାଖରେ ସବୁ ଦିନ ରହିବାକୁ ଅଡ଼ି ବସୁଛନ୍ତି କହିଲ ଦେଖି। ସମସ୍ତେ ଝାଡ଼ି ଝୁଡ଼ି ହୋଇ ସିନ୍ଥିରେ ବିରାଟ ବିରାଟ ନାଲି ସିନ୍ଦୁର ଟୋପା ନାଇ ସତୀ ପଣିଆ ଦେଖେଇ ହେଉଛନ୍ତି ନା ନାଇଁ। ଇଏ ଏମିତି ରହିଥିଲେ କ’ଣଟା ପୋଥି ଅଶୁଦ୍ଧ ହୋଇଯାଇ ଥା’ନ୍ତା। ଏ ଶ୍ୟାମଟା ଦିନ ଦୁଇ ଚାରି ରହି ପୁଣି ବିଦେଶ ଚାଲି ଯାଇଥା’ନ୍ତା। ତୋର ତୁ ତୋ ଆନନ୍ଦରେ ରହିଥାନ୍ତୁ। କିଏ ତତେ ମନା କରୁଥିଲା ଭଲା। କୋଉ ଶ୍ୟାମ ତତେ ମନା କରୁଥିଲା? ସେ ବା ଜାଣି ଥା’ନ୍ତା କାହିକି? ଜାଣି ଥା’ନ୍ତା କେମିତି? ଏମିତି ସମସ୍ତେ କରୁଛନ୍ତି ନା....। ହେଲେ ୟା ପରି ଏମିତି ବୋକା କାମ କରୁଚି କିଏ? ସୁଦ୍ଧୁ ବୁଦ୍ଦୁଟା।

ଅନ୍ୟ ଜଣେ କହୁଥିଲା, “ବେଶି ଦେଖେଇ ହେଉଛି। ସତୀଟା ତ! ହମହମିଟା ଘଇତାର ଅନୁପସ୍ଥିତି ଦେଖି ଦିଅରକୁ ପାଖକୁ ଟାଣି ଆଣି ମଜା ନେଇଥିବ, ଏବେ ସତୀ ପଣିଆ ଦେଖେଇ ହେଉଛି। ଆରେ! ଏବେ ଦୋଚାରୂଣୀ ହେଲୁ ନା ନାହିଁ। ସେ ପୁଣି କହିଲା-କିଏ ଜଣେ କହୁଥିବାର ଶୁଣିଛି “ଦୁନିଆରେ ସବୁ ଶଳେ ଚୋର, କିନ୍ତୁ ଧରା ନ ପଡ଼ିଲା ଯାଏଁ ସମସ୍ତେ ନିଜକୁ ସଚ୍ଚା ବୋଲାଉ ଥାନ୍ତି। କିନ୍ତୁ ଯେ ଧରା ପଡେ଼ ସେ ଚୋର ସାବ୍ୟସ୍ତ ହୁଏ।” ତୁ ତୋର ନିଜେ ନିଜେ ଚୋର ବୋଲି ଢୋଲ ପିଟିବାର କ’ଣ ଆବଶ୍ୟକତା ଥିଲା। ଯୁଗେ ଯୁଗେ ଏହା ଚାଲି ଆସିଛି-ନେଇ ଆଣି ଥୋଇ ଜାଣିଲେ ଚୋରୀ ବିଦ୍ୟା ସାର। ଯଦି ତୋତେ ଏହା ଜଣା ନ ଥିଲା ଚୋରୀ କରୁଥିଲୁ କାହିଁକି। ଅନ୍ୟ ଜଣକ କହୁଥିଲା, “କହିଲ ନାନୀ ଅହଲ୍ୟା, ଦୋୈପଦୀ, କୁନ୍ତୀ, ତାରା ଓ ମନ୍ଦୋଦରୀ ଯେଉଁ ମାନେ ପଞ୍ଚ ସତୀ ନାମରେ ଅଦ୍ୟ ସ୍ମରଣୀୟା ଏମାନେ କ’ଣ ଏମିତି ହରଡ଼ଘଣାରେ ପଡ଼ି ନ ଥିଲେ। ସେମାନେ କ’ଣ ଏକାଧିକ ପତିଙ୍କ ସାନିଧ୍ୟ ପାଇ ନ ଥିଲେ। ସେମାନେ କ’ଣ ଅଧର୍ମ କରିଥିଲେ। ଶାସ୍ତ୍ର ସମ୍ମତ କାର୍ଯ୍ୟ କରି ନ ଥିଲେ। କିନ୍ତୁ ସେମାନେ କ’ଣ ଏମିତି ଅଧୈର୍ଯ୍ୟ ହୋଇଥିଲେ, ଅଧିରା ହୋଇଥିଲେ। ସେମାନେ ପଡ଼ିଥିବା ବିକଟ ପରିସ୍ଥିତିରେ ନିଜ ସ୍ଥିତିରେ ଅଟଳ ରହିଥିବାରୁ ଆଜି ପୂଜ୍ୟା।” ସତୀ ବା ଅସତୀ ଏ କଥା ମନ ସହିତ ଜଡ଼ିତ। ସେ ହେଲା ମନର ପବିତ୍ରତା କଥା। ମନ ପବିତ୍ର ତ ଗାଡ଼ିଆ ଗଙ୍ଗା। ଆଦିମ ଯୁଗରୁ ଆଜି ପର୍ଯ୍ୟନ୍ତ ଯେତେ ମହାପୁରୁଷ ଅଛନ୍ତି ଏପରିକି ଯେତେ ସାଧାରଣ ମଣିଷ ଅଛନ୍ତି କାହା ମନ ଭିତରେ ଚୋରଟିଏ ନାହିଁ କହିଲ! ସ୍ଥାନ କାଳ ପାତ୍ର ଭିତ୍ତିରେ କିଏ ଭୁଲ କରୁନି? କିଏ ଚୋରୀ କରୁନି? ପ୍ରକୃତ କଥାଟା ହେଲା-ଯେତେ ପାର ସେତେ ଚୋରୀ କର, କିନ୍ତୁ ଧରା ନ ପଡ଼ିଲେ ହେଲା? ହେଲେ ଏ ରାଧା ପରି କିଏ ଏମିତି ଡିଣ୍ଡିମ ପିଟି କିଳାକୁ ହୁଇସିଲ ମାରି, ନିମନ୍ତ୍ରଣ ଦେଇ ପାଖକୁ ଡାକୁଛି କହିଲ ଦେଖି।

ଅନ୍ୟ ଜଣେ କହୁଥିଲା, “ଏ ଯୋଉ ଶ୍ୟାମ! ସେ କ’ଣ କମ ଜନ୍ତୁ ହୋଇ ଥିବ କି। ତା’ ଚାହାଣି ଦେଖୁନ। ସରଳ ପଣିଆ, ତା’ ନିପରାଧ ମୁଖ, ଟଣା ଟଣା ମାଇଚିଆ ଆଖି, ସୁଗଠିତ ଶରୀର, ଓସାରିଆ ଛାତି ଦେଖି ସେଥିରେ ଟିକେ ମୁଣ୍ଡ ରଖିବାକୁ କାହାର ମନ ନ ହେବ କହିଲ ଦେଖି! କାହା ହୃଦୟ ନ ଚହଲିବ କହିଲ। ମୁଁ ତ ଶୁଣୁଥିଲି ଆମ ଓଡ଼ିଆ ଟୋକା ସେ ଜାମ୍ମୁ କାଶ୍ମୀରୀର ମାଇକିନିଆଁଙ୍କୁ କୁଆଡେ଼ ଭାରି ପସନ୍ଦ। ଏମାନଙ୍କୁ ହାବୁଡେ଼ ପାଇଲେ ସେମାନେ କୁଆଡେ଼ ମେଣ୍ଢା କରି ରଖି ଦିଅନ୍ତି।”

ଆଉ ଜଣେ କହୁଥିଲା, “ଆଲୋ! ତୁ ଏ ଶ୍ୟାମଟାକୁ ମନେ ମନେ ଭଲପାଇ ବସିଲୁ ନା କ’ଣ?”

ପୂର୍ବୋକ୍ତ ମହିଳା-ନାଇଁ ମୋ ନାନୀ। ସେମିତି କଥା ନୁହେଁ?

ସେ କଥା ବଦଳେଇ କହିଲା-ଏ ଶ୍ୟାମ କ’ଣ ଗୋଟା ପଣେ ତୁଳସୀ ନାଁ କ’ଣ? ତମେ ଜାଣିନ ନା ଅଜଣା ଚାଉଳର ଭାତ ଖାଉଛ ମୋ! ନନା; ତମ ମରଦ ମୋ, ସେ ତ ଭାରି ସାଧାସିଧା ଦେଖା ଯାଉଛନ୍ତି। ଦିନେ ଦୁଇ ଦିନ କୁଆଡେ଼ ଆଡ଼ଛାଡ଼ ହେଲେ କେମିତି ହେଉଥିବେ ତୁମେ ଜାଣିଛ ନା ନାହିଁ? ମୋ ଅଣ୍ଡିରା ତ ମୋତେ ବାପା ହରକୁ ଛାଡ଼ୁନି। କହୁଛି, ସଦା ବେଳେ ବୋପା ହର ବୋପା ହର କାହିଁକି ହଉଛୁ? ତୋର ମୁଁ କ’ଣ ଅଭାବ କରିଛି? କହୁନୁ ତୋର ଆଉ କ’ଣ ଦରକାର? ସବୁ ଅଣ୍ଡିରା ଏମିତି।

ତୁମେ ଜାଣିଛ ନା ନାହିଁ, ସେଇ ଯୋଉ ବଡ଼ପୁଟର ନାହାକ ଘରର ଅଣ୍ଡିରାଟା ଘରେ ଯବାନ ମାଇକିନାଟେ ଛାଡ଼ି ଯାଇଥିଲା, ପୁଅ ଝିଅ ଯୋଡ଼ିଏ ତା’ର। ସିଆଡ଼ୁ କାଶ୍ମୀରୀ ଟୋକୀଟେ ପୁଣି ଧରି ଆସିଲା। ଦୁହେଁ ଏବେ ଏକା ଘରେ ଅଛନ୍ତି।

ଏଇ ଯୋଉ ଶ୍ୟାମ ଇଏ ଯେ ସେଠି କା’ ଘରେ ପଶି ମୁହଁ ଅଇଁଠା ଯେ ନ କରୁଥିବ କିଏ ଜାଣିଛି ଲୋ ମା’। ଅଣ୍ଡିରୀ ପୁଅଙ୍କୁ କ’ଣ ବିଶ୍ଵାସ ଅଛି। ନିଶ୍ଵାସକୁ ବିଶ୍ଵାସ ନାହିଁ କି ଅଣ୍ଡିରାଙ୍କୁ ବିଶ୍ଵାସ ନାହିଁ।

ସବୁ ଶୁଣୁଥିଲା ଶ୍ୟାମ। କାନରେ ତା’ର ସବୁ ପଶୁଥିଲା। ସେ ମଣିଷ। ରକ୍ତ ମାଂସରେ ଗଢ଼ା ତା’ର ଶରୀର।

ବେଙ୍ଗଟିଏ କୂଅରେ ପଡ଼ିଥିଲା ବେଳେ ସମସ୍ତେ ତା’ ଉପରକୁ ଟେକାଟିଏ ଲେଖାଏଁ ଛାଡ଼ନ୍ତି। ମଣିଷ ପରିସ୍ଥିତିର ଦାସ। ଅନେକ କିଛି କହିବାକୁ ଥିଲେ ମଧ୍ୟ ତା ଜିଭ ଓଲଟୁ ନ ଥିଲା। ଲୋକେ ତ କହିବେ। କହିବା ତାଙ୍କର କାମ। ହେଲେ ରାଧାକୁ ଛାଡ଼ି ବିଦେଶ ଯିବାରେ ତା’ର ଭୁଲ ଥିବା ସେ ଅନୁଭବ କରି ପାରୁଥିଲା।

ଏଇ ସମୟରେ ବାହାରେ ଠିଆ ହେଉଥିବା କାହାର କଥା ତାକୁ ଶୁଣାଗଲା। ସେ କହୁଥିଲା-ଖନା ବଚନରେ ଅଛି, ବୁଢ଼ା କାଳେ ବାହା, ଅନ୍ୟ ଟୋକାଙ୍କ ପାଇଁ। ସେହିପରି ଘରେ ଯବାନ ମାଇପ ଥୋଇ ବିଦେଶ ଗଲେ ସେ ମାଇପ ପର ପାଇଁ। ଖାଦ୍ୟ ସୁନ୍ଦର ଭାବେ ରାନ୍ଧି ଥୋଇ ବାହାରକୁ ଗଲେ ବୁଲାକୁକୁର ସେଥିରେ ମୁହଁ ମାରିବେ ହିଁ ମାରିବେ। ଏଥିରେ ଦୋଷ ଦେବା କାହାକୁ। କୁକୁରକୁ, ରାନ୍ଧିବା ବ୍ୟକ୍ତିକୁ ନା ଖାଦ୍ୟକୁ। ରୋଷେଇ ଘର କବାଟ କିଳି ଯୁଆଡେ଼ ଇଚ୍ଛା ସିଆଡେ଼ ଯିବା କଥା ନା।

ଗାଡ଼ି ଚାବି ନ ପକେଇ ବଜାର ଭିତରଟାରେ ଥୋଇ ଯଦି ସଉଦା କରି ବୁଲିବ ଚୋର ନେବ ହିଁ ନେବ। ଏଥି ପାଇଁ ଦୋଷ ଦେବା କାହାକୁ? ଚୋରକୁ, ଗାଡ଼ିକୁ, ପୋଲିସକୁ ନାଁ ଚାବି ପକେଇବାକୁ ଭୁଲି ଯାଇଥିବା ନିଜେ ନିଜକୁ। ଏ କଥା ବୁଝିବାକୁ ହେବ ନା...।

ଶ୍ୟାମ ସବୁ ଶୁଣୁଥିଲା। ଭଗବାନ କହିି ପଥର ମୂର୍ତ୍ତିଟିଏ ତିଆରି କରି ବସେଇ ଦେବା ପରେ ତାଙ୍କ ପାଖକୁ ଯାଇ ତାକୁ ବିଭିନ୍ନ ଲୋକ ବିଭିନ୍ନ କଥା ବକି ଚାଳନ୍ତି। କିଏ ଗାଳି ଦିଏ, କିଏ ଶୋଧେ, କିଏ ପ୍ରାର୍ଥନା କରେ, କିଏ ଦୋଷ ଦିଏ, କିଏ ଅଭିଯୋଗ କରେ, ଯାହାର ଯାହା ଇଚ୍ଛା ସେ କହି ଚାଲେ। ତା କାନରେ କଣା ନ ଥିବାରୁ ସେ କିଛି ଶୁଣେ ନାହିଁ। ସେ ପଥର ବୋଲି କିଛି ପ୍ରତିକ୍ରିୟା ଜଣାଏ ନାହିଁ। କିଛି ପ୍ରତ୍ୟୁତ୍ତର ଦିଏ ନାହିଁ। ସେଇମିତି ହସୁଥାଏ। ସେଇମିତି ଗୋଟିଏ ଭଙ୍ଗିରେ ଥାଏ। ସମ୍ଭବତଃ ଏଥି ପାଇଁ ସେ ଭାଗ୍ୟବାନ। ସେହିପରି ଲୋକମାନଙ୍କ କଥା ଶ୍ୟାମ ଶୁଣୁଥିଲା କିନ୍ତୁ ସେଥିରୁ କିଛି ତା’ କାନରେ ପସୁ ଥିଲା। ସେ ପାଲଟି ସାରିଥିଲା, ଗୋଟେ କାନରେ ରନ୍ଧ୍ର ନ ଥିବା ପଥର ମୂର୍ତ୍ତି।



Rate this content
Log in

Similar oriya story from Romance