ନିଶାସକ୍ତ ନିଶାକର
ନିଶାସକ୍ତ ନିଶାକର
ଭାଉଜ ପାଣି ମନ୍ଦେ ମିଳିବ କି? ଦାଣ୍ଡରେ ଏପରି ଡାକ ଶୁଣି କିଏ ବୋଲି ଘର ଭିତରୁ ବାହାରକୁ ବାହାରିଲା କାବେରୀ। ଦେଖିଲା ଠିଆ ହୋଇଛି ନିଶାକର। ତାଙ୍କ ସାହିର ପିଲାଟିଏ। ଗାଁ ଲେଖାରେ ଭାଇ ହେବ।
କାବେରୀ ଓ ନିଶାକର ଏକା ଗାଁର। କାବେରୀ ସେହି ଗାଁରେ ରବୀନ୍ଦ୍ରକୁ ବିବାହ କରିଛି। ଏଣୁ ଏବର ଲେଖାରେ ଭାଉଜ ହେବ। କାବେରୀ ଚଷା ଜାତିର ନାୟକ ଘର ଝିଅ। ନିଶାକର ସେହି ଚଷା ଜାତିର ପ୍ରଧାନ ଘର ପୁଅ।
କାବେରୀର ନାୟକ ସାହିରେ ଘର ହୋଇଥିବା ବେଳେ ନିଶାକରର ଘର ତଳ ସାହିରେ।
ରବୀନ୍ଦ୍ର ଓ ସୁରେନ୍ଦ୍ର ଦୁଇ ଭାଇ। ରବୀନ୍ଦ୍ର ସ୍ନାତକ ପାଠ ପଢ଼ି ସାରିବା ପରେ ଭଲ ରୋଜଗାର ପାଇଁ ଦୁବାଇ ଚାଲି ଯାଇଛି। ଭଲ ରୋଜଗାର କରି ବେଶ ଦୁଇ ପଇସା ଘରକୁ ପଠାଏ। ସାନଟି ଜମି ବାଡ଼ି ଦେଖାଶୁଣା କରେ। ଚାଷି ଗାଁ। ପରିବାପତ୍ର କରି ଭଲ ପଇସା କମାନ୍ତି।
ନିଶାକର ବିବାହିତ। ସାନ ଝିଅଟିଏ ତା’ର ବୟସ ପାଞ୍ଚ ବରଷ। ନାଁଟି ତା’ର କଣ୍ଢେଇ। ନିଶାକର ନିଶାର ଦାସ। ମଦ ପିଏ। ମଦ ସିଏ ପିଏନି ତ ମଦ ତାକୁ ପିଏ। ପାହାନ୍ତା ପହରୁ ମଦ ପିଇ ଦେଇଛି ବୋଧେ।
ପାଟିରୁ ମଦ ଗନ୍ଧ ଆସୁଛି। କହିଲା କାବେରୀ ଭାଉଜ ପାଣି ଗ୍ଳାସଟେ ଦେଲ। କାବେରୀ ଦୁଇଟି ପିଲାର ମାଆ। ମାଟ୍ରିକ ଯାଏଁ ପଢ଼ିଛି। କହିଲା ଆଣୁଛି।
ପାଣି ଆଣି ଆସିଲା ବେଳକୁ କାବେରୀ ଦେଖିଲା ତାକୁ ଅରଣା ମଇଁଷି ପରି ଚାହିଁଛି ନିଶାକର। ପ୍ୟାଣ୍ଟଟିଏ ପିନ୍ଧିଛି। ଛୋଟ ହାତ ବାଲା ଚେକ୍ ସାର୍ଟଟିଏ ପିନ୍ଧି ବେକରେ ଗାମୁଛାଟିଏ ପକେଇଛି। କଳା ମଚ ମଚ ଚେହେରା। ଆଲୁଳାଇତ କେଶ। ଲାଲ ଲାଲ ଆଖି। ନଡ଼ବଡ଼ ହେଉଛି ଗୋଡ଼।
ତାକୁ ଦେଖି ଟିକେ ଅଟକି ଗଲା କାବେରୀ। ଘରେ କେହି ନାହାଁନ୍ତି। ଶାଶୂ, ଶ୍ଵଶୂର, ଦିଅର ସୁରେନ୍ଦ୍ର ସମସ୍ତେ ଜମିକୁ ପରିବା ତୋଳିବା ପାଇଁ ଯାଇଛନ୍ତି। ସ୍ଵାମୀ ରବୀନ୍ଦ୍ର ତ ବିଦେଶରେ। ପିଲାମାନେ ଟ୍ୟୁସନ ଯାଇଛନ୍ତି।
ସାମାନ୍ୟ ଚିନ୍ତା କଲା ବେଳକୁ ପାହାଚ ଚଢ଼ି ପିଣ୍ଡା ଉପରକୁ ଚଢ଼ି ଆସିଲାଣି ନିଶାକର।
ସେ ଜାଣିଛି ବୋଧେ ଘରେ କେହି ନାହାନ୍ତି। ବିଲମାଳ ପଟୁ ଆସୁଥିଲା ସମସ୍ତଙ୍କୁ ବିଲରେ ଦେଖିଛି କି କ’ଣ! ଏକୁଟିଆ ପାଇ ତା’ ମନ ଭିତରର ରାକ୍ଷସ ଜାଗି ଉଠିଛି କି କ’ଣ?
ତାକୁ ଦେଖି ଆଗକୁ ଆସିବ କି ନାହିଁ କ୍ଷଣେ ଭାବିଲା କାବେରୀ। ପୁଣି ଭାବିଲା ଗାଁ ପିଲାଟା କ’ଣ ବା କରିବ। ହେଲେ ଭୁସ କରି ପିଣ୍ଡା ଉପରକୁ ନିଶାକରକୁ ଚଢ଼ି ଯିବାର ଦେଖି ଟିକେ ସଂକିତ ହେଲା କାବେରୀ। ପଛେଇ ପଛେଇ ଘର ଭିତର ବାରଣ୍ଡାକୁ ଚାଲି ଗଲା ସେ। ନିଶାକର ବି ପଶିଗଲା ସେଇ ବାରଣ୍ଡାକୁ। ପାଣି ଗ୍ଳାସ ସହ ଧରି ପକେଇଲା କାବେରୀକୁ। କାବେରୀ ଛାଟିପିଟି ହେଲା। ହାଁ ହାଁ କରି ପାଟି କରିବାକୁ ଲାଗିଲା। ନିଶାଗ୍ରସ୍ତ ନିଶାକର ତାକୁ କୁଣ୍ଢେଇ ଧରିଥିଲା। ସମସ୍ତ ବଳ ଖଟେଇ ନିଶାକରର ବାହୁ ବନ୍ଧନରୁ ମୁକ୍ତି ଚାହୁଁଥିବା କାବେରୀ ତା ବାହୁକୁ ଜୋରରେ କୁମୁଡ଼ି ଦେଲା। ଯେମିତି ଟିକେ ହାତ ହୁଗୁଳା ହୋଇଛି ସେଠାରୁ ଦୈାଡ଼ି ପଡ଼ିଶାଘର ରାଣୀଆ ନାନୀ ଘରକୁ ଦୌଡ଼ି ଗଲା ସେ।
ନିଶ୍ଵାସର ଗତି ତୀବ୍ର ହୋଇ ଯାଇଛି। ଅତର୍ଚ୍ଛା ଦୌଡ଼ିଆସି ରାଣୀଆ ନାନୀଙ୍କ ପାଖରେ ନଥକରି ବସି ପଡ଼ିଲା କାବେରୀ। ମୁହଁ ସାରା ଝାଳରେ ଭର୍ତ୍ତି। ରାଣୀଆ ନାନୀ କ’ଣ ହେଲା ବୋଲି ଦେଖିଲା ବେଳକୁ ଚେତା ନାହିଁ କାବେରୀର। ପାଣି ଆଣି ନାକକାନ ଚିପି ଚେତା କରିବାକୁ ଲାଗିଲେ। ଘରର ଅନ୍ୟମାନେ ବି ଆସି ପହଞ୍ଚି ଗଲେ। ଅନେକ ପ୍ରଚେଷ୍ଟା ପରେ ଚେତା ଆସିଲା କାବେରୀର। ଗୋଟା ପଣେ ଥରୁଥାଏ ସେ। ନିଜ ଶୋଇବା ଘର ଭିତରକୁ ନେଇ ଖଟ ଉପରେ ତାକୁ ଶୁଆଇ ଦେଇ ଫ୍ୟାନ ଲଗେଇ ଦେଲେ ରାଣୀଆ ନାନୀ।
ଧିରେ ଧିରେ ଗୋଡ଼, ହାତ, ପିଠି ଓ ସାରା ଶରୀରଟାକୁ ଆଉଁସୀ ଦେଲେ। ଧିରେ
ଧିରେ ପିଠି ଥାପୁଡେ଼ଇ ଦେଲେ। କାବେରୀକୁ ପ୍ରକୃତିସ୍ଥ କରିବାକୁ ତଥା ସାମାନ୍ୟ ଅବସ୍ଥାକୁ ଆଣିବାକୁ କିଛି ସମୟ ଲାଗିଲା। ରାଣୀଆ ନାନୀଙ୍କ କୋଳରେ ନିଶ୍ଚିନ୍ତରେ ଶୋଇ ଗଲା କାବେରୀ।
କାବେରୀ ଲେଖାରେ ଯାଆ ହେବ। ରାଣୀଆ ନାନୀଙ୍କୁ ବଡ଼ ଭଉଣୀ ପରି ଦେଖେ ସେ। କାବେରୀ ପ୍ରତି ସାନ ଭଉଣୀ ପରି ସ୍ନେହ ଦେଖାନ୍ତି ରାଣୀ। ରବୀନ୍ଦ୍ର ଦୁବାଇ ଗଲା ପରେ ଏଇ ରାଣୀଆ ନାନୀ ତା’ର ସାଙ୍ଗ, ସାଥି ତଥା ଦିଗଦର୍ଶକ।
କିଛି ସମୟ ପରେ ସ୍ଵପ୍ନରେ ଚିହିଁକି ଉଠି ନିଦରୁ ଉଠି ପଡ଼ିଲା କାବେରୀ। ସମସ୍ତେ ସେତେବେଳକୁ ଯିଏ ଯାହା ଘରକୁ ଚାଲି ଯାଇଥିଲେ। ସ୍ନେହରେ ସାହସ ଦେଇ ଗେହ୍ଲେଇ ହୋଇ ରାଣୀ ପଚାରିଲେ, “କାବେରୀ! କ’ଣ ହେଲା? ଘଟଣାଟି କ’ଣ ଟିକେ ବୁଝେଇ କହିବ ଟି?”
ସାହସ ପାଇ କାବେରୀ ଆରମ୍ଭ କଲା, “ପାଣି ମାଗିବାକୁ ଆସିଲା ନିଶାକର। ଗାଁ ପିଲା ପାଣି ଦେବାକୁ ଗ୍ଳାସ ଧରି ଆସିଲା ବେଳକୁ ତା’ ଭାବଭଙ୍ଗି ମୋତେ କାହିଁକି ଭଲ ଲାଗିଲାନି। ଘରକୁ ପଳେଇବି ଭାବୁଛି ହଠାତ୍ ଆସି ମୋତେ କୁଣ୍ଢେଇ ଧରିଲା। ଗାଲରେ ଚୁମା ଦେବାକୁ ଚେଷ୍ଟା କଲା। ପେଟେ ମଦ ପିଇଛି। ଭଣଭଣ ଦୁର୍ଗନ୍ଧ ହେଉଛି। ଜୀବନ ବିକଳରେ ସମସ୍ତ ବଳ ଜୁଟାଇ ହାତକୁ ତା’ର କାମୁଡ଼ି ଦେଲି। ସେ ହାତ ସାମାନ୍ୟ ହୁଗୁଳା କରିଦେବାରୁ ଦୌଡ଼ି ଆସିଛି। ଘରେ କେହି ନ ଥିବା ସେ ଜାଣିଛି ବୋଧେ। ଏକୁଟିଆ ନାରୀଟିଏ ଏମାନଙ୍କୁ କୁକୁଡ଼ା ରୋଷ୍ଟ ପରି ଦିଶେ। ଏମାନଙ୍କର ଦୃଷ୍ଟି ଦୋଷ ରହିଛି। ବୋଧହୁଏ, ତମ ଦିଅର ବିଦେଶରେ ଥିବାରୁ ସେ ଏମିତି ସାହସ କଲା କି କ’ଣ।”
ରାଣୀଆ ନାନୀ କହିଲେ, “ହଁ କାବେରୀ! କଥାରେ ଅଛି-କବିତା ବନିତା ଲତା ନବର୍ତ୍ତନ୍ତି ବିନାଶ୍ରୟେ। ନିରାଶ୍ରୟ ନାରୀଟିଏ ଦେଖିଲେ ଲୋକମାନେ ତାକୁ ସାହାଯ୍ୟ କରିବେ କ’ଣ ତା’ର ଅସହାୟତାରୁ ଲାଭ ଉଠେଇବାକୁ ଚେଷ୍ଟା କରନ୍ତି। ତୁ ଠିକ୍ କରିଛୁ। ଆମେ ଅବଳା ନୁହଁ ବୋଲି ଦେଖେଇବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ନାରୀ ଯେ କାତ୍ୟାୟିନୀ ରୂପ ନେଇ ମହା ବିନାଶର ତାଣ୍ଡବ ରଚନା କରି ପାରେ ତାହା କାଯ୍ୟର୍ରେ ବୁଝେଇଦେବାକୁ ହେବ। ନାରୀ ସୃଷ୍ଟି କର୍ତ୍ତୀ, ପାଳନ କର୍ତ୍ତୀ ଓ ସଂହାର କର୍ତ୍ତୀ ମଧ୍ୟ। ସେ ଅବଳା ନୁହେଁ। ତା ଛୁଆ ପାଇଁ ସେ ବାତ୍ସଲ୍ୟମୟୀ। ସରଳତାକୁ ଅସହାୟତା ମନେ କରୁଥିବା ବୁଦ୍ଧିଆ ମଣିଷ ମାନେ ମା’ର ସ୍ନେହ ମମତାକୁ ଅକ୍ଷମତା ବା ବଳହୀନତା ମନେ କରି ତା’କୁ ଅବଳା ମନେ କରି ଥା’ନ୍ତି। ବେଳା ଭୂମିରେ ଘୁଞ୍ଚି ଯାଉଥିବା ଲହଡ଼ିକୁ ଦେଖି ଶିଶୁଟିଏ ତା’ ଭୟରେ ସମୁଦ୍ରର ଲହଡ଼ି ପଛକୁ ପଛକୁ ପୁଞ୍ଚି ଯାଉଛି ବୋଲି ମନେ କରେ। ମହାମାନି ଦୁଯ୍ୟୋର୍ଧନ ପରିସ୍ରାରେ ବଟଫଳଟିଏ ଭାସି ଯାଉଥିବା ଦେଖି ନିଜକୁ ନିଜେ ଭାବିଥିଲେ ସତରେ ମୁଁ କେଡେ଼ ଶକ୍ତିମାନ। ସେହିପରି ପୁରୁଷ ପ୍ରଧାନ ଏ ସମାଜ ଭାବୁଛି ନାରୀ ତା’ର ଉପଭୋଗର ବସ୍ତୁ। ତା’ଘର ସଜ୍ଜା ପାଇଁ ଏକ ସୁନ୍ଦର ସାମଗ୍ରୀ। ତା’ ଇଚ୍ଛାନୁସାରେ ଖେଳିବାର ଏକ କ୍ରୀଡ଼ନକ। ସେ ଭୁଲି ଯାଉଛି ପରୋକ୍ଷରେ ସମାଜକୁ ନିୟନ୍ତ୍ରଣ କରୁଥିବା ରିମୋଟଟି ହିଁ ନାରୀ।”
ସାହସ ପାଇ କାବେରୀ କହିଲା, “ହଁ ନାନୀ।”
ରାଣୀଆ ନାନୀ କହିଲେ, “ତୁ ଚିନ୍ତା କରନି। ତୋ ମରଦ ଘରେ ନାହିଁ ବୋଲି ସେ ବୋଧେ ତୋ ଉପରେ ଦୃଷ୍ଟି ପକେଇବାକୁ ସାହସ କରିଛି। ସେ ନିଶାକର ତ ରୁମାକୁ ବାହା ହୋଇଛି। ରୁମା ଆମ ପଡ଼ିଶା ଘରର ଝିଅ। ଲେଖାରେ ନଣନ୍ଦ ହେବ। ମୁଁ ତାକୁ ଫୋନ କରୁଛି।”
ରାଣୀଆ ନାନୀ ଫୋନ ଲଗେଇଲେ ରୁମାକୁ। ରୁମାକୁ ସବିସ୍ତାରେ ସମସ୍ତ କଥା କହିଲେ। ପୁଣି ତାଗିଦ କରି କହିଲେ, “ତାକୁ ବୁଝା; ଯଥାଶୀଘ୍ର ଆସି ଭୁଲ ମାଗୁ; ନ ହେଲେ ଗାଁ ସଭାପତିଙ୍କୁ ବିଚାର ପାଇଁ ଦରଖାସ୍ତ ଦିଆଯିବ। ତୁ ତ ଜାଣିଛୁ ତୋ ଭାଇଙ୍କର ଗାଁ ସଭାରେ ପ୍ରଭାବ କେତେ; ଜୋରିମନା ଅତି କମରେ ଦେଢ଼ ଲକ୍ଷ ଟଙ୍କା ପଡ଼ିବ, ପୁଣି ମୁଣ୍ଡ ଲଣ୍ଡା କରି, ମୁହଁରେ ଚୂନ କାଳୀ ବୋଳି, ସାରା ଗାଁରେ ବୁଲାଯିବ।”
ଘଣ୍ଟାଏ ପରେ ନିଶାକର ଆସି ରାଣୀଆ ନାନୀ ପାଖରେ ହାଜର। ଗୋଡ଼ ଦିିଟା ଧରି ଲମ୍ବ ଦଣ୍ଡା ହୋଇ ଗୋଡ଼ତଳେ ପଡ଼ିଗଲା। ସେତେବେଳକୁ ନିଶା ଛାଡ଼ି ଯାଇଥିଲା, ମାଇପର ଧମକ ତଥା ଅଗ୍ନୀବର୍ଷି ଗାଳିରେ। କହିଲା, “ଭାଉଜ ଭୁଲ ହୋଇ ଯାଇଛି। ମଦ ନିଶାରେ ଭୁଲ କରି ପକେଇଛି। ଏଇ ଥରକ ପାଇଁ କ୍ଷମା କରି ଦିଅ ଭାଉଜ; ଜୀବନରେ ଆଉ ଏ ଭୁଲ କରିବି ନାହିଁ।”
ରାଣୀଆ ନାନୀ କହିଲେ, “ହଇ ହେ ତୁମ ଘରେ ପରା ରୁମା ପରି ସୁନ୍ଦରୀ ଭାରିଜା ଅଛି। ତାକୁ ଯଦି କେହି ଯାଇ ତା’ ଉପରେ ଏମିତି ହରକତ କରିବ ତୁମେ ସମ୍ଭାଳିବ ତ? ତୁମର ପରା ଝିଅଟିଏ ପାଞ୍ଚ ବର୍ଷର ହେଲାଣି? ଆହୁରି ବଜାରିଙ୍କ ଭଳି ହେଉଛ? ତୁମର କୁନି ଝିଅ ପ୍ରତି ଯଦି କିଏ ଆଖି ପକେଇବ ତୁମେ ସହି ପାରିବ ତ? ରୁଆ ଧାନ ଥୁଆ। ତୁମେ ଅନ୍ୟ ପ୍ରତି ଯେମିତି ବ୍ୟବହାର ଦେଖେଇବ, ଅନ୍ୟମାନେ ତୁମ ପ୍ରତି ସେମିତି ବ୍ୟବହାର ଦେଖେଇବେ। ତୁମେ କରିଥିବା ପ୍ରତ୍ୟେକ କର୍ମ ଦୁଇ ଗୁଣା ହୋଇ ତୁମ ପାଖକୁ ଫେରି ଆସିବ ହିଁ ଆସିବ। ତୁମେ ନିଜେ ଅନ୍ୟାୟ କାମ, ପାପ କାମ କରିବ ଅଥଚ ତୁମ ଉପରେ କିଛି ଅନ୍ୟାୟ ଘଟିବା ବେଳକୁ ମୋ ଭାଗ୍ୟ ବୋଲି ରଡ଼ି ବୋବାଳି ଛାଡ଼ିବ।”
ନିଶାକର କାନ୍ଦୁଥିଲା। ଆଖିରୁ ଧାର ଧାର ଲୁହ ବୋହି ଚାଲିଥିଲା। ରାଣୀଆ ନାନୀଙ୍କର ପାଦ ଦୁଇଟିକୁ ସେମିତି ଧରି କାନ୍ଦୁଥିଲା। ମୋତେ କ୍ଷମା କରିଦିଅ ବୋଲି ନେହୁରା ହେଉଥିଲା।
ରାଣୀଆ ନାନୀଙ୍କର କିନ୍ତୁ ଗାଳି ସରିବାର ନାଆଁ ଧରୁ ନ ଥାଏ। ସେ ବକି ଚାଲିଥା’ନ୍ତି। ଘର ଭିତରେ ଥାଏ କାବେରୀ। କାବେରୀ ଭିତରେ ଥାଇ ସେ ଭୟାନକ ଦୃଶ୍ୟ କଥା ମନେ ପକାଉ ଥାଏ। କ୍ଷଣେ ଓଲମ ବିଲମ ହୋଇ ଯାଇଥିଲେ ତା’ ଭବିଷ୍ୟତ କ’ଣ ହୋଇଥା’ନ୍ତା ସତେ। ଦେହ ତା’ର ଶିରିଶିରି ହୋଇ ଯାଉଥାଏ। ତାକୁ ଲାଗୁଥାଏ ସତେ ଯେମିତି ଉଣେଇଶ ଶହ ଅନେଶ୍ଵତ ମସିହା ମହାବାତ୍ୟାରୁ ସେ ମୁକୁଳି ଆସିଛି।
ରାଣୀଆ ନାନୀ ପୁଣି ଗାଳି ଦେଇ କହିଲେ, “ଆରେ ନିର୍ଲଜ, ତୋ ମାଆ ମୁହଁରେ ତତେ କ’ଣ ମାଇପ ଦିଶିଲା? ଯଦି ବେଶି ପେରେମ ବୋହି ପଡ଼ିଲା ତୋ ମାଆ ପାଖକୁ ପଳେଇଲୁ ନି! ତୋ ଭଉଣୀ ପାଖରେ ଶୋଇ ପଡ଼ିଲୁନି? ନାହିଁ କେହି ମିଳିଲେନି ଯଦି ତୋ’ର ସେ ପାଞ୍ଚବରଷର କୁନି ଝିଅ ପାଖରେ ଶୋଇ ପଡ଼ିଲୁନି। ସତରେ ତୁଟା ଗୋଟେ ଜହ୍ଲାଦ।”
ନିଶାକର ସେଇମିତି ମୁହଁଟା ପୋତି ବସିଥାଏ ଗୋଡ଼ ତଳେ। ଆଖିରୁ ଝିଅ ପିଲା ପରି ଲୁହ ଢାଳୁଥାଏ।
କାବେରୀ ଭିତରେ ରହି ସବୁ ଶୁଣୁଥିଲା। ତାକୁ ଲାଗିଲା ସମ୍ଭବତଃ ନିଶାକର ଢେରେ ପଶ୍ଚାତ୍ତାପ କଲାଣି। ନାରୀ ସେ, ଏତେ କଟୁ କଥା ତାର ହଜମ ହେଉ ନ ଥିଲା। ଭିତରୁ କାବେରୀ କହିଲା, “ତାକୁ ଛାଡ଼ି ଦିଅ ନାନୀ, ଗୁହ ଖିଆଟା, ଗୁହ ତ ଖାଇଲା, ଏବେ ତାକୁ ଛାଡ଼ି ଦିଅ।”
ରାଣୀଆ ନାନୀ କହିଲେ, “ହଇରେ ହାରାମଜାଦା! ଶୁଣିଲୁ ତ ଇଏ ହେଉଛି ନାରୀ, ସେ ମମତାମୟୀ ମାଆ ସ୍ଵରୂପା। କାହାର ଦୁଃଖ ସହି ପାରନ୍ତି ନାହିଁ। ସେ ସର୍ବ ସହା। ତୁ ଯାହା ଉପରେ ବାତ୍ୟା ଚଳେଇ ଦେଲୁ ସେ ତୋତେ କ୍ଷମା ଦେବା କଥା କହୁଛି। ସଂସାରର ସବୁ ନାରୀଙ୍କୁ ନିଜର ସ୍ତ୍ରୀ ବୋଲି ଭାବୁ ଥିବା ତୋ ପରି ରାବଣ ମାନଙ୍କର ସତରେ ନିଧନ ହେବା ଦରକାର। ‘ମାତୃବତ ପର ଦାରେଷୁ’ ତୁ ସିନା ଭୁଲି ଗଲୁ ସେ ଭୁଲିନି ତା’ର ନାରୀ ସୁଲଭ କ୍ଷମାଶୀଳତା। ଯା, ପାରୁଛୁ ଯଦି ତା’ ଗୋଡ଼ ଧରି କ୍ଷମା ମାଗ।
କାନ୍ଦି କାନ୍ଦି ନିଶାକର କହିଲା, “କାବେରୀ ଭାଉଜଙ୍କୁ ଡାକ, ମୁଁ ତାଙ୍କ ପାଦ ଧରି କ୍ଷମା ମାଗିବି। ପାଦଧରି ଶପଥ କରିବି ଜୀବନରେ ଆଉ ଏପରି ମନ୍ଦ କର୍ମ କରିବି ନାହିଁ। ଆଉ ମଦ ପିଇବି ନାହିଁ। ସତରେ ମୁଁ ହୀନ, ମୁଁ ନୀଚ୍ଚ, ମୁଁ ସତରେ କ୍ଷମା ପାଇବାକୁ ମଧ୍ୟ ଯୋଗ୍ୟ ନୁହେଁ।”
ରାଣୀଆ ନାନୀ କାବେରୀକୁ ଘରୁ ବାହାରକୁ ଆସିବା ପାଇଁ ଡାକିଲେ। ନିଶାକର ତା’ଙ୍କ ଗୋଡ଼ ତଳେ ଲମ୍ବ ହୋଇ ଶୋଇ କ୍ଷମା ମାଗି କହିଲା, “ଭାଉଜ ମୁଁ ମଦନିଶାରେ ଭୁଲ କରିଛି। ମୋତେ କ୍ଷମା କରିଦିଅ।”
ସେଇ କଥା ପଦକରେ କାବେରୀ ଶାନ୍ତ ହୋଇ ଯାଇଥିଲା। ରଣଚଣ୍ଡୀ ରୂପ ତା’ର ତିରୋହିତ ହୋଇ ସାରିଥିଲା। ସେ ପାଲଟି ସାରିଥିଲା ହାସ୍ୟମୟୀ, ଲାସ୍ୟମୟୀ, ସ୍ନେହମୟୀ ସର୍ବସହା ମାଆଟିଏ। ସେହି ସର୍ବ ସହା ମା ମୁହଁରେ ଝଲସି ଉଠୁଥିଲା ଚେନାଏଁ ମାତୃସୁଲଭ ଆଲୋକର ଆଭା।


