KRUTIBAS NAYAK

Children

2.0  

KRUTIBAS NAYAK

Children

ଜେଜେଙ୍କ ଖୁସି

ଜେଜେଙ୍କ ଖୁସି

5 mins
222



ମୁନା ଲକ୍ଷ୍ୟକଲା-ଚାକିରିରୁ ଅବସର ନେବାପରେ କେତେଦିନ ହେଲା ଜେଜେ ଉଦାସ ରହୁଛନ୍ତି । କାହାରିକୁ କିଛି କହୁନାହାନ୍ତି । ତାଙ୍କର କ'ଣ ଅସୁବିଧା ହେଇଛି, ସେ କେବଳ ଚୁପଚାପହେଇ ବସୁଛନ୍ତି । ତା' ସହିତ ବି ଆଗଭଳି ହସଖୁସି କଥା ହେଉନାହାନ୍ତି । ବାପାଙ୍କୁ ପଚାରିଲେ, ସେ କହୁଛନ୍ତି-" ବାପାଙ୍କ ଦେହ ପୂରାଭଲ ଅଛି । ଡାକ୍ତରଙ୍କୁ ଦେଖାଇଥିଲି, ସେ କହିଲେ-ବାପାଙ୍କର କିଛି ହେଇନାହିଁ ।"

ମୁନାକୁ ମାଆ କହିଲେ-" ବାପା ତ ଠିକ ଭାବରେ ଖିଆ-ପିଆ କରୁଛନ୍ତି । ବୟସ ହେଇଗଲାଣି ତ ପିଲାବେଳ କଥା ତାଙ୍କର ମନେ ପଡୁଥିବ ସେଇକଥାକୁ ବସି ଭାବୁଥିବେ । ଜେଜୀମା' କହିଲେ- "ତାଙ୍କର ମୁଣ୍ଡ ଖରାପ ହେଇଗଲାଣି । ସବୁବେଳେ ମୋ ଉପରେ ଚିଡିଚିଡ଼ି ହେଉଥିଲେ । ଏବେ ସେ ଗୋଟିଏ ଜାଗାରେ ଚୁପହେଇ ବସିଛନ୍ତି, ଭଲ ହେଇଛି । ସେଇମିତି ଏକୁଟିଆ ବସିଥାଆନ୍ତୁ । ବୁଢ଼ାଲୋକ ସେ ଠାକୁର ପୂଜା-ଯୋଗ, ପ୍ରାଣାୟମ କରିବା କଥା । ସିଏ ତ କାହାରି କଥାକୁ ଶୁଣିବା ଲୋକନୁହନ୍ତି । ଛାଡ଼ ତାଙ୍କ କଥା ।"

ଦିନେ ମୁନା ଜେଜେଙ୍କ ପାଖକୁ ଯାଇ ଆଗ ତାଙ୍କୁ ଟିକେ ଗେଲ କରିଦେଲା । ଜେଜେ ମୁନାକୁ କୋଳକୁ ଟାଣିନେଇ ଟିକେ ହସିଦେଲେ । ସୁଵିଧାଦେଖି ମୁନା ପଚାରିଦେଲା-"ଜେଜେ ! ତମେ ଏମିତି ଗୁମମାରି ଏକାଏକା ବସି ରହୁଛ କାହିଁକି ? ଆମ ସମସ୍ତଙ୍କର ମନଦୁଃଖ ହେଇଯାଉଛି । ତମର ଯଦି କ'ଣ ଅଭାବ ଅଛି କି କିଛି ଅସୁବିଧା ହେଇଛି, ମୋତେ ମନଖୋଲି କୁହ । ମୁଁ ତା'ର ସମାଧାନ କରିଦେବି ।"

ଜେଜେ ଆଉ ଚୁପହେଇ ରହିପାରିଲେ ନାହିଁ । ସେ ମୁନାକୁ କହିଲେ-" ନାଇଁ ରେ ବାପା ! ମୋ ଦେହ ତ ପୂରା ଠିକଅଛି । ଘରେ ଧନ ସଂପତ୍ତିର ଅଭାବ ନାହିଁ । ଝିଅକୁ ଭଲ ଜାଗାରେ ବାହା କରିଦେଇଛି । ସମସ୍ତେ ମୋର ଯତ୍ନ ନେଉଛନ୍ତି । କୋଠାଘର ଖଣ୍ଡେ କରିଦେଇଛି । ମୋର କିଛି ଅଭାବ ନାହିଁ । ପେନସନ ଟଙ୍କା ତ ମିଳୁଛି । ଖୁସିରେ ତାକୁ ମୁଁ ଖର୍ଚ୍ଚକରି ପାରୁଛି । କିନ୍ତୁ ଗୋଟାଏ ଜିନିଷକୁ ମୁଁ ଖୋଜି ଖୋଜି କୋଉଠୁଁ ପାଇ ପାରୁନାହିଁ । ସେଇଟା ହେଉଛି ଶାନ୍ତି । ଯେତେଯାହା କଲେ ବି ମୋତେ କାହିଁକି ସୁଖ କି ଶାନ୍ତି ମିଳୁନାହିଁ । ଠାକୁର ପୂଜା ତ କରୁଛି । କେତେ ଠାକୁରଙ୍କୁ ପ୍ରାର୍ଥନା ବି କରୁଛି । ବାବାଜୀଙ୍କ ମଠକୁ ଯାଇ ପଚାରିଲି, ସେ ମୋତେ ଯାହା ଯାହା କହିଲେ, ସେ ସବୁକୁ ନିଷ୍ଠାର ସହିତ ପାଳନ କଲି । ତଥାପି ସୁଖ କି ଶାନ୍ତି ପାଇପାରୁ ନାହିଁ । ହତାଶ ହେଇ ଏବେ ମୁଁ ଚୁପ ହେଇଯାଇଛି ।"

ଜେଜେଙ୍କ ମନର କଥାକୁ ବାହାର କରିଦେଇଥିବାରୁ ମୁନା ବହୁତ ଖୁସି ହେଇଗଲା । ସେ କହିଲା-" ଜେଜେ ! ତମେ ବ୍ୟସ୍ତ ହୁଅନା । ମୁଁ ତମପାଇଁ ସୁଖ-ଶାନ୍ତିର ଉପାୟ ବାହାର କରିଦେବି ।"

ଜେଜେଙ୍କ ପାଖରୁ ବିଦୟନେଇ ସେ ସ୍କୁଲକୁ ଗଲା । ତା' ମନରେ ସବୁବେଳେ ଜେଜେଙ୍କ ଚିନ୍ତା ଲାଗି ରହିଥାଏ । ସେ ଜଣେ, ଶିକ୍ଷକମାନେ ହିଁ ସବୁକଥା ଜାଣିଥା"ନ୍ତି । ଶିକ୍ଷକମାନେ ତ ତାକୁ ଭଲ ପାଆନ୍ତି । ତେଣୁ ମୁନା ବିଜ୍ଞାନ ଶିକ୍ଷକଙ୍କୁ ପଚାରିଦେଲା-" ସାର ! ପ୍ରକୃତ ସୁଖ-ଶାନ୍ତି କେଉଁଠୁ ମିଳେ ? ଦୟାକରି ମୋତେ କହିବେ । ମୁଁ ସେକଥା ମୋ ଜେଜେଙ୍କୁ କହିବି ।"

ବିଜ୍ଞାନ ଶିକ୍ଷକ ମୁନାର ପ୍ରଶ୍ନ ଶୁଣି ଆଶ୍ଚର୍ଯ୍ୟ ହେଇଗଲେ । ସେ କହିଲେ-" ତମର ଜେଜେ ପରା ମୋର ପ୍ରିୟ ଶିକ୍ଷକ ଥିଲେ । ସେ ଥିଲେ, ଜଣେ ଗୁଣି-ଜ୍ଞାନୀ ଆଦର୍ଶ ଶିକ୍ଷକ । ତାଙ୍କୁ ମୁଁ କ'ଣ ସୁଖ-ଶାନ୍ତି ବିଷୟରେ କହିବି ?" ତୁ ଲାଇବ୍ରେରୀକୁ ଯାଇ କିଛି ଭଲବହି ଖୋଜି ପଢ଼ାପଢି କର । ବଡ଼ବଡ଼ ମନସ୍ତତ୍ତ୍ୱବିଦ ସେ ବିଷୟରେ କିଛି ଯଦି ଲେଖିଥିବେ, ତାଙ୍କୁ ସେହିକଥା କହିଲେ, ଠିକହେବ ।"

ମୁନା ଶିକ୍ଷକଙ୍କ ଅନୁମତି ନେଇ ଲାଇବ୍ରେରୀକୁ ଗଲା । କେତେ ପ୍ରକାର ବହି, ପତ୍ର ପତ୍ରିକା ଆଣି ସୁଖ-ଶାନ୍ତି ବିଷୟକୁ ଖୋଜିହେଲା । କଥାରେ ଅଛି, ଏ''ମନ ଖୋଜୁଥାଏ ଯାହା, କାଳେ ପ୍ରାପ୍ତ ହୁଏ ତାହା । ହଠାତ ଗୋଟାଏ ପତ୍ରିକାରେ ଲେଖାଟିଏ ତାକୁ ମିଳିଗଲା- "ସୁଖ-ଶାନ୍ତି ପାଇବାର ସହଜ ଉପାୟ ।"

ମୁନାର ଆନନ୍ଦ କହିଲେ ନସରେ । ସେ ତାକୁ ମନ-ଧ୍ୟାନଦେଇ ଦୁଇ-ଚାରି ଥର ପଢି ମୁଖସ୍ଥ କରିପକାଇଲା । ସ୍କୁଲ ଛୁଟିପରେ ମୁନା ଘରକୁ ଫେରି ଆଗ ଜେଜେଙ୍କ ପାଖକୁ ଚାଲିଗଲା । ଜେଜେଙ୍କ ପିଠିରେ ଲାଉହେଇ ପଡ଼ି କହିଲା-"ଜେଜେ ! ତମ ଜିନିଷ ଆଜି ମୋତେ ମିଳିଗଲା । ତମେ ମୋତେ କଥାଦିଅ । ମୁଁ ଯାହା କହିବି, ତାକୁ ତମେ ଅକ୍ଷରେ ଅକ୍ଷରେ ପାଳନ କରିବ । ମୁଁ ତମର ଗୁରୁ ହେଇ ସୁଖ-ଶାନ୍ତିର ମନ୍ତ୍ରଦେବି । କୁହ, ମୋ କଥା ମାନିବ ତ ?"

କୋଟିନିଧି ପାଇଲା ପରି ଖୁସିହେଇ ଜେଜେ ମୁନା ମୁହଁକୁ ଭଲକରି ଦେଖି ଭାବିଲେ- ନିଜେ ଭଗବାନ ମୁନା ରୂପରେ ଆସି ନିଶ୍ଚୟ ମୋତେ ସୁଖ-ଶାନ୍ତିର ମନ୍ତ୍ର ଶିଖାଇବାକୁ ଆସିଛନ୍ତି । ତେଣୁ ସେ ମୁନାକୁ କୋଳକୁ ଟାଣିନେଇ କହିଲେ-" ବାପରେ ! ତୁ ଯାହା କହୁବୁ, ମୁଁ ତାକୁ ଈଶ୍ୱରଙ୍କ ବାଣୀ ମନେକରି ପାଳନ କରିବି । ତୁ କହିଚାଲ, ମୁଁ ତାକୁ ମୋ ଟିପଖାତାରେ ଟିପି ରଖିବି ।"

ଏଥର ମୁନା ଜଣେ ପୋଖତ ପଣ୍ଡିତ, ପ୍ରବଚକ ଭଳି ଚକା ପକେଇ ବସିଗଲା । କହିଲା- "ଜେଜେ ! ତମେ ଯଦି ଦିନକ ପାଇଁ ସୁଖ-ଶାନ୍ତି ପାଇବାକୁ ଚାହୁଁଛ ତେବେ ଗୋଟିଏ କାମ କରିବ, ଆମ ସେହି ପଡ଼ିଶାର ଲୋକଙ୍କୁ ନିମନ୍ତ୍ରଣ କରି, ଆଦରରେ ସୁମିଷ୍ଠ-ସୁସ୍ୱାଦୁ ଭୋଜନ କରିବାକୁ ଦେବ । ସେମାନେ ଖୁସିରେ ଖାଇ ଚାଲିଗଲେ ତମେ ସେଦିନ ସାରା ନିଶ୍ଚୟ ସୁଖ ଆଉ ଶାନ୍ତି ପାଇ ପାରିବ ।

ହଁ, ତମେ ଯଦି ସପ୍ତାହକ ପାଇଁ ସୁଖ-ଶାନ୍ତି ପାଇବାକୁ ଚାହୁଁଛ , ତେବେ ଆଖ ପାଖରେ ରହୁଥିବା ଲୋକମାନଙ୍କୁ ଡାକି ଗୋଟାଏ ବଡ଼ଭୋଜି ଖାଇବାକୁ ଦିଅ । ତମର ତ କିଛି ଅଭାବ ନାହିଁ । ଦେଇପାରିବ ନିଶ୍ଚୟ । ବାପା-ମାଆ ଆଉ ମୁଁ ସେଥିରେ ସହଯୋଗ କରିବୁ । ସଉଦା-ପତ୍ର କିଣାକିଣି ଆଉ ଲୋକଙ୍କୁ ଡକାଡକିରେ ତମେ ବି ସପ୍ତାହଟାଯାକ ବ୍ୟସ୍ତ ରହିବ । ସେହି ସପ୍ତାହଟି ଆମ ସମସ୍ତଙ୍କୁ ସୁଖ ଆଉ ଶାନ୍ତି ପ୍ରଦାନ କରିବ ।"

ଜେଜେ ଅବୋଧ ଶିଶୁପରି ମୁନା ମୁହଁକୁ ଚାହିଁ ରହିଥିଲେ । ସବୁକଥା ଶେଷରେ ଖାଲି ମୁଣ୍ଡ ହଲେଇ ହଁ କହୁଥିଲେ । ମୁନା ପୁଣି କଥା ଆରମ୍ଭ କରିଦେଲା-" ତମେ ଯଦି ମାସକ ପାଇଁ ସୁଖ-ଶାନ୍ତି ପାଇବାକୁ ଇଚ୍ଛା କରୁଛ, ତେବେ ଟିକେ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଜେଜୀମାଆଙ୍କୁ ସାଙ୍ଗରେ ଧରି ତମକୁ ତୀର୍ଥ ଭ୍ରମଣରେ ଯିବାକୁ ହେବ । ତମ ପାଖରେ ତ ଟଙ୍କାର ଅଭାବ ନାହିଁ । ମନ ଖୁସିରେ ବିଭିନ୍ନ ଦେବ-ଦେବୀ ଦର୍ଶନ କରି ମନଖୁସିରେ ବୁଲିବ । ନୂଆଜାଗା ଦେଖିବ, ତୀର୍ଥର ପବିତ୍ରତା ତମକୁ ମାସକ ପର୍ଯ୍ୟନ୍ତ ସୁଖ ଆଉ ଶାନ୍ତି ଦେଇପାରିବ ।"

କଥା ମଝିରେ ଜେଜେ କହିଲେ-" ତେବେ ବର୍ଷକ ପାଇଁ କେମିତି ସୁଖ-ଶାନ୍ତି ମିଳିବ ? ସେ କଥା କହ । ମାସକ ପରେ ତ ପୁଣି ସେଇକଥା ହେବ ନା !"

ମୁନା କହିଲା- "ତା'ର ବି ଉପାୟ ଅଛି । ତମେ ଯଦି ବର୍ଷକ ପାଇଁ ସୁଖ-ଶାନ୍ତି ଖୋଜୁଛ ତେବେ ତମେ ମୋ ସାଙ୍ଗରେ ମିଶି ଆମ ବାଡ଼ି-ବଗିଚା କାମରେ ଲାଗିରୁହ । ଫୁଲଗଛର ଯତ୍ନ ନେଲେ, ଫୁଟିଥିବା ଫୁଲକୁ ଦେଖିଲେ ତମେ ବହୁତ ଆନନ୍ଦ ପାଇବ । ଫୁଲ ହେଉଛି-ପ୍ରକୃତିର ଶ୍ରେଷ୍ଠ ଆଉ ସୁନ୍ଦରତମ ପଦାର୍ଥ । ସେ କେବଳ ମଣିଷ ମନରେ ଆନନ୍ଦ ହିଁ ଦେଇଥାଏ । ସେଇ ଆନନ୍ଦରୁ ସୁଖ-ଶାନ୍ତି ଦୁଇଟା ଯାକ ମିଳିପାରିବ ।"

ମୁନାର କଥାଶୁଣି ଜେଜେଙ୍କୁ ମୁହଁ ହସ ହସ ଦିଶୁଥିଲା । ସେ ଭାବୁଥିଲେ, ସତରେ ଆମ ମୁନା କେବଳ ଭଲ ପାଠପଢ଼େ ନାହିଁ । ତା'ର ଉପସ୍ଥିତ ବୁଦ୍ଧି ତ ଅଛି ,ବୁଝେଇବା କୌଶଳ ବି ଜାଣିଛି । ତେଣୁ ତାଙ୍କୁ ବହୁତ ଖୁସି ଲାଗୁଥିଲା । ସେ କହିଲେ-" ହଉ, ସେଇ କାମକୁ ମୁଁ ଆଜିଠୁ ଆରମ୍ଭ କରିବି । କିନ୍ତୁ ସାରା ଜୀବନ ସୁଖ-ଶାନ୍ତି ମିଳିବା ପାଇଁ ଆଉକିଛି ଉପାୟ ଅଛି କି ?"

ମୁନା କହିଲା-" ଅଛି । ତା’ର ଉପାୟ ମଧ୍ୟ ଅଛି । କିନ୍ତୁ ତମେ ଯେଉଁକାମ କେବେ କରୁନା ସେହିକାମକୁ କରିବାକୁ ପଡ଼ିବ ।

ଜେଜେ ଏଥର ଚମକି ପଡ଼ିଲେ । ସେ ଭାବିଲେ ଏଡ଼େ ବକଟେ ଛୁଆ, ଏଇ ମୁନା ମୋ କାମକୁ ମଧ୍ୟ ସମୀକ୍ଷା କରୁଛି ? ମୁଁ କେଉଁକାମ କରିବା କଥା, ତାକୁ କରୁନାହିଁ, ସେକଥାକୁ ବି ଲକ୍ଷ୍ୟ କରୁଛି ।

ସତରେ ଆଜି ମୁନା ଉପରେ କୌଣସି ଦୈବୀଶକ୍ତି ସବାର ହେଇଛି । ସେ ଆଜି ମୋତେ ଯାହା କହିବ, ତାକୁ ମୁଁ ନିଶ୍ଚୟ ମାନିନେବି ।

ମୁନା କଥା କହିଚାଲିଥିଲା-"ଜେଜେ ତମେ କେବଳ ଧନ ରୋଜଗର କରିବା ପାଇଁ ଚାକିରୀ କରିଥିଲ । କିନ୍ତୁ ନିରନ୍ତର ଜ୍ଞାନ ଅର୍ଜନ କରିବା କଥାଟିକୁ ଭୁଲି ଯାଇଛ । ଶେଷ ଜୀବନ ପର୍ଯ୍ୟନ୍ତ ପ୍ରତ୍ୟେକ ମଣିଷକୁ ଶିକ୍ଷା ଦରକାର । ତମେ ଯଦି ସାରା ଜୀବନ ପାଇଁ ସୁଖ-ଶାନ୍ତି ପାଇବାକୁ ଚାହୁଁଥାଅ, ତେବେ କିଛି ଭଲବହି ସଂଗ୍ରହକରି ପଢ଼ । ସେଥିରୁ ସବୁ ପ୍ରକାର ସମସ୍ୟାର ସମାଧାନ ଆଉ ଉପାୟ ରହିଛି । ଉଦାସ ମନକୁ ସତେଜ କରିବାର ଉପାୟ କେବେଳ ବହିରୁ ହିଁ ମିଳିପାରିବ । ଅନେକ ସାଧୁ ସନ୍ଥ-ମୁନିଋଷି, ବଡ଼ବଡ଼ ମନୋବିଜ୍ଞାନୀ କେତେ ବହି ଲେଖିଛନ୍ତି । ତାକୁ ସବୁ ପଢ଼ । ଦେଖିବ, ସେହି ବହି ତମକୁ ସବୁବେଳେ ସୁଖ-ଶାନ୍ତି ଦେଇଚାଲିବ । କହିବ ଯଦି ଆମସ୍କୁଲ ଲାଇବ୍ରେରୀରୁ ଭଲଭଲ ବହି ଆଣି ମୁଁ ଯୋଗେଇଦେବି । କ'ଣ ପଢ଼ିବ ତ ?"

ଜେଜେ କହିଲେ-"ଏଇଟା ସବୁଠୁ ସହଜ ଆଉ ଭଲ ଉପାୟ । କାଲିଠାରୁ ମୁଁ ବହିପଢା ଆରମ୍ଭ କରିବି । ଖାଲିରେ ବସିଲେ ସିନା ବିରକ୍ତ ଲାଗୁଛି । ଏଣିକି ତୋ କଥା ମାନି ମୁଁ ନିଶ୍ଚୟ ବହି ପଢ଼ିବି । ଆଜି ବହି ଦୋକାନକୁ ଯାଇ ଆମେ କିଛି ଭଲବହି କିଣି ଆଣିବା ।"


Rate this content
Log in

Similar oriya story from Children