ଜେଜେ ବାପାଙ୍କର କଲମ
ଜେଜେ ବାପାଙ୍କର କଲମ


ଘରର ଗୋଟିଏ କୋଣରେ, ଝରକା ଆଡୁ ଆସୁଥିବା କଅଁଳିଆ ଖରାରେ, ଉତ୍ତପ୍ତ ମେଜ ଉପରେ ମୋର ଅସ୍ଥିର ଜଗତରେ ସ୍ଥିରତା ସନ୍ତକ ହେଲା କଲମଟି I ନିହାତି ପୁରୁଣା କାଳିଆ କଲମଟିଏ, ତାହାର ପାଲିରେ କଳଙ୍କି ଲାଗି ଗଲାଣି I ମୋତେ ଯେମିତି ବହୁତ କିଛି କହେ, ମୃତପ୍ରାୟ କଲମଟି, ଜେଜେବାପାଙ୍କ ବିଷୟରେ I ଗଞ୍ଜେଈର ଅଭ୍ୟସ୍ତ ମୋ ଜେଜେବାପା କିନ୍ତୁ ଏକ ସରଳ ମଣିଷ ଥିଲେ I ଲୋକେ କୁହନ୍ତି ନିଜର ତେଲ ଲୁଣର ସଂସାରକୁ ମାଷ୍ଟ୍ର ଦରମାରେ କୌଣସି ପ୍ରକାର ଚଳେଇ ପାରିଛନ୍ତି I ତାଙ୍କର ଜୀବନର ଦର୍ଶନ ଥିଲା ନିହାତି ସାଧାରଣ I "ସାଇକେଲଟିଏ ଆଉ ଘଡ଼ିଟିଏ ଦୁଇଟି ହିଁ ଉପକରଣ ଯାହା ଏକ ମଣିଷର ଦରକାର I ସେତିକି ସୁବିଧା ହୋଇଗଲେ ମଣିଷଟିର ପେଟ ଆଉ ପରିବାର ପୋଷିବାରେ ଆଉ କୌଣସି ଅସୁବିଧା ନାହିଁ I କାମକୁ ଯିବା ଆସିବା ଆଉ ପରେ ଘରେ ରହି ଗଂଜେଇ ଟାଣି, ନିଜ କଲମରେ ନିଜର ଦିନକର ଇତିହାସକୁ ଲେଖିବା, ନଚେତ ନିଜର ଛାତ୍ର ମାନଙ୍କର ଇତିହାସକୁ ରଚିବା ଥିଲା ତାଙ୍କର କାମ I ସତରେ କେତେ ସରଳ ଜୀବନଟିଏ ଥିଲା; କଲମର ମୁନରେ ଲିପିବଦ୍ଧ ହେଉଥିଲା ପ୍ରତିଦିନ !
ଜେଜେ ବାପାଙ୍କର ଏହି କଲମଟି ଫରାସୀ ଉତ୍ପାଦାନଟିଏ I କୌଣସି ଏକ ବନ୍ଧୁ ଉପହାର ଦେଇଥିଲେ ଏବଂ ତାକୁ ବହୁତ ଯତ୍ନର ସହ ବ୍ୟବହାର କରୁଥିଲେ ଜେଜେବାପା I ଅନ୍ୟ କାହାକୁ ଛୁଇଁବାକୁ ଦେଉନଥିଲେ କଲମଟିକୁ I ବହୁତ ଭାବେ ମୁଁ ବସି, ଲୋକ ମାନେ ପୁଣି ଏତେ କାମ କରୁଥିଲେ? କଲମରେ କାଳି ଭର୍ତ୍ତି କରୁଥିଲେ ତାହା ପରେ ଲେଖୁଥିଲି, ନ ହେଲେ ନାହିଁ!
ଏମିତିରେ ଦେଖିବାକୁ ଗଲେ କଳମଟି କିନ୍ତୁ ଅଟକେଇ ରଖିଦେଇଛି ପରିବାରର ବିଭାଜନ I ଜେଜେବାପାଙ୍କ ଅସୁସ୍ଥତା ଦେଖି ତାଙ୍କର ପୁତ୍ରପୁତ୍ରୀ ମାନେ ସ୍ଥିର କଲେ, ସମ୍ପତ୍ତିକୁ ଭାଗ କରି ଯିଏ ଯାହାର ନିଜ ନିଜର ତେଲ ଲୁଣର ସଂସାରକୁ ସମ୍ଭାଳିବେ I କୌଣସି ପ୍ରକାର ଓକିଲଟିଏ ଯୋଗାଡ଼ କରି ଏକ ପ୍ରକାର ଉଇଲ କରେଇ ନେଲେ ଜଣେ କକା I ଅନ୍ୟ ଭାଇ ଭଉଣୀଙ୍କର ନଜର ପଡିବା ମାତ୍ରେ ଆରମ୍ଭ ହୋଇଗଲା ଟଣା ଓଟରା I ବଦଳି ଚାଲିଲା ଉଇଲର ରୂପ ଆଉ ବିବରଣୀ ବହୁତ ମାସ ଯାଏଁ, ଏବଂ ଯେତେବେଳେ ତାହା ସମ୍ପୂର୍ଣ୍ଣ ସମସ୍ତଙ୍କ ମନକୁ ପାଇଲା, ଜେଜେବାପା ଶଯ୍ୟାଶାୟୀ !
"ମୁଁ ବଞ୍ଚି ଥାଉ ଥାଉ କ'ଣ ତୁମେ ସବୁ ଏମିତି ଅଲଗା ହେଇଯିବ ? କ'ଣ ମିଳିମିଶି ରହିବା ଏହି ପରିବାରର ସଂସ୍କାରରେ ନାହିଁ?" ଜେଜେବାପା ପଚାରିଲେ ଆଖିରେ ଲୁହ ଛଳ ଛଳ କରି I
"ଆଜି କାଲି ଯୁଗ ବଦଳିଗଲାଣି ବାପା, ଯାହାର ପରିବାର ସମ୍ଭାଳିଲା ବେଳକୁ ତାହାର ଅବସ୍ଥା ବାର ବାଜି ଯାଉଛି, ତୁମେ ବଞ୍ଚି ଥାଉ ଥାଉ ଯଦି ଏଥିରେ ସନ୍ତକ କରିଦେବ, ଆମେ ମାନେ ତୁମର ଇଛା ଅନୁସାରେ ଭାଗ କରି ପାରିବୁ,” କକା କହିଲେ I ଅନ୍ୟ ଭାଇ ଭଉଣୀ ମାନେ ମୁଣ୍ଡ ଟୁଙ୍ଗାରିଲେ ଆଉ ବୋହୁ ଆଉ ଜ୍ବାଇଁ ମାନେ ଫୁସୁରୁ ଫାସୁରୁ ହେଲେ I ଦୀର୍ଘ ନିଶ୍ଵାସ ନେଇ ଜେଜେବାପା କହିଲେ," ହଉ ତୁମେ ସବୁ ସବୁ ଯାହା ଚାହୁଁଛ I ମୋ କଲମଟି ଦେ,ଦୁଇ ମାସ ହେଲା ଛୁଇଁ ପାରିନି ଦେହ ଖରାପ ଯୋଗୁଁ କଲମଟିକୁ " I କଲମଟି ଆଡକୁ ଇଙ୍ଗିତ କଲେ ଜେଜେବାପା I କକା ଯାଇ କଲମଟିକୁ ଆଣି ଧରେଇ ଦେଲେ I କଲମଟି କିନ୍ତୁ ଚାଲିଲାନି I
"ସ୍ୟାହିଟି ଶୁଖି ଯାଇଛି, ସକାଳୁ ଧୋଇକି ଭଲ କାଳି ଭର୍ତ୍ତି କରେ I ତା ପରେ କରିଦେବି ସନ୍ତକ," ଜେଜେବାପା କହିଲେ I
"ମୋତେ ଆସେନି ଏ କଲମକୁ କେମିତି ବ୍ୟବହାର କରା ଯାଏ, ଆଉ କାହାକୁ କୁହ," କହିକି ବିରକ୍ତରେ ପ୍ରସ୍ଥାନ କଲେ କକା କକ୍ଷରୁ, ବଡ଼ ବାପାଙ୍କୁ କଲମଟି ଧରେଇ ଦେଇ I ଜୁଳୁଜୁଳୁ ହୋଇ ଭକୁଆ ହୋଇ ଚାହିଁ ରହିଲେ ବଡ ବାପା ଜେଜେବାପାଙ୍କର ମୁଁହକୁ I
"ତୁମେ ସବୁ କେହି ମଧ୍ୟ ମୋ କଲମ ଧରିବା ଶିଖିଲ ନାହିଁ," ଦୀର୍ଘ ଶ୍ଵାସ ନେଇ ଜେଜେବାପା କହିଲେ ," ଯଦି ହବ କାଲି ମୋ ସାଙ୍ଗ ଜଗନକୁ ଡାକ, ସିଏ ଜାଣିଛି, କେମିତି ମୋ କଲମଟିକୁ ବ୍ୟବହାର କରାଯାଏ I “
ମୁଣ୍ଡ ଟୁଙ୍ଗାରି ବଡ ବାପା ଚାଲିଗଲେ I ରାତି ଭିତରେ କେତେବେଳେ ଜେଜେବାପା ସ୍ଥିର କଲେ ଆଉ ତା ପରଦିନଠାରୁ ଆମ୍ଭ ସହିତ ଗେଲ ବସରର ହେବେନି I ରାତି ଭିତରେ ମଧ୍ୟ ବଦଳି ଯାଇଥିଲା ମୋର ଜଣେ ଖୁଡ଼ୀଙ୍କର ଉଇଲ ଉପରେ ଧାରଣା I ସକାଳୁ ଉଠି ଆରମ୍ଭ ହୋଇଗଲା ପୁଣି ମତାନ୍ତର ଉଇଲକୁ ନେଇ I
"ବାପା ଆମର ଆଉ ଟିକେ କଥାବାର୍ତ୍ତା ଚାଲିଛି, ନୂଆ ଉଇଲ ହେଲେ ସନ୍ତକ କରିବ," କହିଲେ କକା ଜଣକ ଜେଜେବାପାଙ୍କ ପାଖକୁ ଯାଉ ଯାଉ I ଜେଜେବାପା ଆଖି ବୁଜି ସାରିଥିଲେ ସବୁ ଦିନ ପାଇଁ I ଜେଜେ ବାପାଙ୍କର ଈହଲୋକରେ ଲୀଳା ସରିଗଲା କିନ୍ତୁ ଆମ ପରିବାରର ଏ ନାଟକର ମଞ୍ଚାସିନ ଅଭିନେତା ମାନେ ଆଜି ମଧ୍ୟ କାକ ଚାହାଣୀରେ ଚାହିଁଛନ୍ତି ସମ୍ପତ୍ତିରୁ କିଛି ମିଳିଲେ ଗ୍ରାସିଯିବେ ରାହୁ ଗ୍ରାସ କଲା ଭଳି ଗ୍ରହଣର ଦିବସରେ I
ହଁ, ଜେଜେ ବାପାଙ୍କର କଲମଟି ସେମିତି ପଢିଛି ଏଯାଏଁ ମେଜ ଉପରେ ଆଉ ହସୁଛି ଆମ ବଂଶର ନିତିଦିନିଆ "ମିଳିଗଲେ ଖାଇଯିବି" ଚିନ୍ତାଧାରାରେ ଆବଦ୍ଧ ସଦସ୍ୟ ମାନଙ୍କର ସମ୍ପତ୍ତି ପାଇଁ ଚାଲୁଥିବା ଝଗଡ଼ାକୁ ଦେଖି I କେହି ମଧ୍ୟ ବୁଝି ପାରିଲେନି ମୋ ଜେଜେବାପାଙ୍କର ବିଦ୍ୱାନତାକୁ I ଅତ୍ୟାଧିକ ଲୋଭରେ କେବଳ ପଇସା ପାଇଁ ପାଗଳ ହୋଇ ଭୁଲିଗଲେ ନିଜର ଜୀବନ ବଂଚିବାକୁ, ଆଉ କରି ଚାଲିଲେ କେବଳ ସମ୍ପତ୍ତିର ଅନ୍ଵେଷଣ I
ସେଥି ପାଇଁ ବୋଧ ହୁଏ କଲମଟି ଲେଖୁ ନାହିଁ ଆଉ କାହାର ଜୀବନୀ ?ଆଜି ମଧ୍ୟ ଆମ ଘରର ସମ୍ପତି ଅଭିଭକ୍ତ ଆଉ ତାଙ୍କର ପୁତ୍ରପୁତ୍ରୀ ମାନେ ସବୁ ବିଭକ୍ତ ଆଉ ସେ ଅଭିଭକ୍ତ ସମ୍ପତ୍ତିର ନାୟକ ଏବଂ ଅଭିନ୍ନ ଅଙ୍ଗ ସେହି ଝରା କଲମଟି !