Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Sambit Srikumar

Drama Inspirational Children

4.7  

Sambit Srikumar

Drama Inspirational Children

ଜବରଦଖଲ

ଜବରଦଖଲ

3 mins
109


ପ୍ରକାଶ ରେଡ୍ଡୀ, ଏଇଟା କେବଳ ମାତ୍ର ତାର ନାଁ ନଥିଲା। ତା ନାଁ ସହ ଯୋଡ଼ା ହୋଇଥିଲା ତା ଗାଁର ଓ ପୂର୍ବପୁରୁଷଙ୍କ ନାଁ ବି। ଦାଣ୍ଡେପାଲ୍ଲୀ ବିଜୟ ଭାସ୍କର ପ୍ରକାଶ ରେଡ୍ଡୀ, ସଂକ୍ଷେପରେ D.V.B.P.R. , ଏଇଟା ହିଁ ଥିଲା ତାର ପୁରା ନାମ। ଦୋକାନର ଫଳକରେ ଗାଢ଼ା ଅକ୍ଷରରେ ଲେଖାହୋଇଥିଲା। ପୈତୃକ ଗ୍ରାମ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ସୋମପେଟାରେ। ମାତ୍ର ତାର ଜନ୍ମ ଏଇ ଭୁବନେଶ୍ଵରରେ, ଏଇଠି ହିଁ ତାର ସବୁ କିଛି ଆଉ ପୁଣି କିଛି ନାହିଁ! ଏଇ ନାହିଁ ନାହିଁର ଭାବ ହିଁ ତାର ଜୀବନ।

ନ' ନମ୍ବର ମାର୍କେଟର ପାଖାପାଖି ସରକାରୀ କ୍ବାଟର୍ସକୁ ଲାଗି ସାଇକେଲ ମରାମତି ଦୋକାନ ପ୍ରକାଶର। କାଠପଟାରେ ତିଆରି ଉଠା ଦୋକାନ, କେବିନ। ଏଥିରେ ତାର କୁଟୁମ୍ବ ପୋଷା ହୁଏ। ଡେଙ୍ଗା ସରସର କାଳିଆ ଚେହେରାକୁ ଚନ୍ଦା ମୁଣ୍ଡ। ଭାରି ଗମ୍ଭୀର ସ୍ବଭାବର ମଣିଷଟେ ସେ, ସାଧାସିଧା ଆଉ ସଚ୍ଚୋଟ ବି। କେବେ କାହା ସହ ସେ ବେଶୀ କଥା ହେବା କି କଳି ତକରାଳ କରିବା କେହି ଦେଖି ନାହିଁ।

ଆମେ ଯେବେ ପିଲାଦିନେ ସାଇକେଲ୍ ଚଲେଇବା ଶିଖିଲୁ, ଚକାରେ ହାୱା ଦେବା ପାଇଁ ବଡ଼ ଅସୁବିଧାରେ ପଡୁ। ମାର୍କେଟ୍ କମ୍ପ୍ଲେକ୍ସରେ ଥିବା ଅନ୍ୟ ସାଇକେଲ ଦୋକାନୀମାନେ ଆମ ପୁଅ ପିଲାଙ୍କ ସାଇକେଲରେ ହାୱା ଦେବାକୁ ଅମଙ୍ଗ ହୁଅନ୍ତି। "ମଉସା, ଭାଇନା, ଅଙ୍କଲ, ସାରେ" ଏମିତି କେତେ କଥା କହି ନେହୁରା ହେବାକୁ ପଡେ ଚକା ଦିଇଟାରେ ଟିକେ ହାୱା ଦେବା ପାଇଁ, ବେଳେ ବେଳେ ନିଜେ ବି ପମ୍ପ୍ ମାରିବାକୁ ପଡେ। ତାପରେ ପୁଣି ଟଙ୍କାଏ ଚାର୍ଯ୍ କରିବେ! କିନ୍ତୁ ଝିଅ ପିଲା କେହି ଗଲେ ସବୁ କାମ ଛାଡ଼ିକି ବିନା ଡାକରାରେ ଚାଲିଆସିବେ ତାଙ୍କ ସାଇକେଲରେ ହାୱା ଦେବା ପାଇଁ ହଉ କି ସଜ କରିବା ପାଇଁ। କି ବିଚିତ୍ର ଏମାନଙ୍କର ବ୍ୟବହାର! ବଡ଼ ଚିଡିଚିଡା ଲାଗେ, କିନ୍ତୁ ନିରୁପାୟ। କହି ହୁଏନି କି ସହି ହୁଏନି।

ହେଲେ ମୋର ଯେବେ ଠାରୁ ପ୍ରକାଶ ସହିତ ଚିହ୍ନା ପରିଚୟ ହେଲା, ସେବେଠୁ ଆଉ କିଛି ଅସୁବିଧା ହେଲାନି। ତା ଦୋକାନ ଆଗରେ ପହଞ୍ଚିବା ମାତ୍ରେ ସେ ହାୱା ଭରି ଦିଏ ଚଟାପଟ୍ । ଇଲେକ୍ଟ୍ରିକ୍ ମଟର ଥିବାରୁ ଟଙ୍କାଏ ଜାଗାରେ ଦି ଟଙ୍କା ନିଏ ଯାହା। ରୋକଠୋକ ହିସାବ ବିନା କୌଣସି କଥାବାର୍ତ୍ତାରେ। ଆମମାନଙ୍କୁ ବି ଭଲଲାଗେ ପ୍ରକାଶ, ଅନ୍ୟମାନଙ୍କ ପରି ତାକୁ ତେଲ ମାରିବାକୁ କି ଅଯଥାରେ କଥା ହେବା ପାଇଁ ପଡୁନଥିବାରୁ।

କିଛି ଦିନ ପରେ ହଠାତ ଦେଖିବାକୁ ମିଳିଲା ନାହିଁ ତାର କେବିନ। ବହୁ ଦିନ ଧରି ଦେଖାମିଳିଲାନି ପ୍ରକାଶର। କିଏ କହିଲା ସେ ତା ଗାଁକୁ ପଳେଇଛି ଆନ୍ଧ୍ରା, କିଏ କହିଲା ତାକୁ ପୁଲିସ୍ ନେଇଛି ବାନ୍ଧିକି, ଏମିତି କେତେ କଣ...

କାହାର କଣ ହେଉ କି ନହେଉ ଆମ କଲୋନୀ ପିଲାମାନଙ୍କର କିନ୍ତୁ ଦୁଃଖ କହିଲେ ନସରେ। ପୁଣି ଆମେ ସବୁ ଯାଉଥିଲୁ ପୁରୁଣା ଦୋକାନମାନଙ୍କୁ, ଅପେକ୍ଷା କରି କରି ଚିଡ଼ା ଲାଗେ। ଦୋକାନୀଙ୍କ ସେଇ ପୁରୁଣା ବେପରୁଆ ମନୋଭାବ ହାପ୍ ପ୍ୟାଣ୍ଟ୍ ପିନ୍ଧା ଛୋଟ ପୁଅ ପିଲାମାନଙ୍କ ପାଇଁ। ମନ ବିଦ୍ରୋହୀ ହୋଇ ଉଠେ।

ଏ ଘଟଣାର କିଛି ଦିନ ପରେ ପୁଣି ସେଇ ପୁରୁଣା ଜାଗାରେ ପ୍ରକାଶ କେବିନଟେ ପକେଇବାର ପ୍ରସ୍ତୁତି କରୁଥିଲା। ସେଦିନ ସନ୍ଧ୍ୟାରେ ଆମେ ସବୁ ସାଇକେଲ ଚଲେଇବା ପାଇଁ ବାହାରିଥିଲୁ ଆମ କଲୋନୀର ଗଳିରେ। ପ୍ରକାଶ ସହ ଦେଖାହେଲା ଆମର। ସେଦିନ ସେ ଗମ୍ଭୀର ନଥିଲା। ତା ମୁହଁରେ ହସ ଫୁଟାଇବା ପାଇଁ ସେ ଚେଷ୍ଟା କରୁଥିଲା ଆମମାନଙ୍କୁ ଦେଖି।

ଆମେ ପଚାରିଲୁ, "ପ୍ରକାଶ ଭାଇ! କୁଆଡ଼େ ଯାଇଥିଲ କି? ଦେଖା ନଥିଲା ତୁମର ଢେର୍ ଦିନ ଧରି.."

ସେ ଉତ୍ତର ଦେଲା, "ଗାଁ କୁ ଯାଇଥିଲି.."

: ଆଉ ତୁମ କେବିନ?

: ବିଏମସି ଭାଙ୍ଗି ଦେଲା।

: କିନ୍ତୁ କାହିଁକି?

: ହପ୍ତା ଦେଲିନି ବୋଲି।

: ଆଛା, ଏବେ ନୂଆ କେବିନ ହବ ଟି?

: ହଁ, ଆର ସପ୍ତାହରୁ। ବିଏମସି କେତେ ଭାଙ୍ଗୁଛି ଭାଙ୍ଗୁ। ମୁଁ ପୁଣି ତିଆରିବି। ଆମକୁ ଅଳିଆ ଭାବି ଅଳିଆ ସାଙ୍ଗକୁ ନର୍ଦ୍ଦମାରେ ଯେତେଥର ପକେଇବ ପକା, ଆମେ ପୁଣି ନର୍ଦ୍ଦମାରୁ ଉଠିକି ଠିଆ ହେବୁ ନିଜ ଗୋଡ଼ରେ। କାହାର ହାତ ଟେକା ଲୋଡ଼ା ନାହିଁ ଆମର। ଯଦି ସରକାରଙ୍କ ଦମ୍ ଅଛି ତ ଯେଉଁ ନେତା, ମନ୍ତ୍ରୀ, ଯନ୍ତ୍ରୀ, ତନ୍ତ୍ରୀ, ଅଫିସର, ଠିକାଦାର ରାଜଧାନୀକୁ ଜବରଦଖଲ କରି ନିଜର କୋଠାବାଡି ତିଆରି କରିଛନ୍ତି ତାକୁ ଆଗ ହଟାଅ, ତା ପରେ ମୋ କେବିନ ମୁଁ ନିଜେ ହଟେଇ ଦେବି।

ପ୍ରକାଶ ରେଡ୍ଡୀ କହି ଚାଲିଥିଲା, ଆମେ ଛୋଟ ଛୋଟ ପିଲାମାନେ ଏସବୁ କିଛି ବୁଝି ପାରୁନଥିଲେ ବି ମୁଣ୍ଡ ଟୁଙ୍ଗାରି ସବୁ କିଛି ବୁଝିବା ପରି  ଅଭିନୟ କରୁଥାଉ ଯାହା...



Rate this content
Log in

More oriya story from Sambit Srikumar

Similar oriya story from Drama