ଜାତି ଅଜାତି
ଜାତି ଅଜାତି
ନୂଆଗାଁର ସାଆନ୍ତରା ଘର, ଦିନେ ଜମିଦାରୀ ଥିଲା। ଆଜି ଜମିଦାରୀ ନଥିଲେ ବି ଜମିଦାର ବୋଲି ଆଖପାଖ ଅଞ୍ଚଳରେ ଡାକ ଅଛି। ଏବେ ବି ସେଇ ପୁରୁଣା ଥାଟପାଟ ଅଛି କିଛି କିଛି, ଉପରଠାଉରିଆ ଭାବେ ହେଲେ ମଧ୍ୟ। ଗାଁ ଲୋକେ ଯେତେବେଳେ ମାନୁଛନ୍ତି ଆଉ ନରହିବ ବା କେମିତି? କିଏ କହେ ବାବୁଘର ତ ଆଉ କିଏ ରାଜାଘର! ସଭିଏଁ ଅତି ଆଦର ସମ୍ମାନର ସହ ଉଚ୍ଚାରଣ କରନ୍ତି ସାଆନ୍ତରା ଘରର ନାଁ!
ଅପରିମିତ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ଦି' ମହଲା ବିଶିଷ୍ଟ ପ୍ରକାଣ୍ଡ ଅଟ୍ଟାଳିକାଟି ଆଖାପାଖର ମୌଜାର ଲୋକଙ୍କ ପାଖରେ "ସାଆନ୍ତରା କୋଠି" ନାଁରେ ପରିଚିତ। ବିପଦ ଆପଦରେ ଭିଡ଼ ଲଗାନ୍ତି ଲୋକେ ସେଠାରେ। କେହି ବି କେବେ ନିରାଶ ହୋଇ ଖାଲି ହାତରେ ଫେରିବାର ନଜିର୍ ନାହିଁ। ସେଥିପାଇଁ ତ ସଭିଏଁ ସାଆନ୍ତରା ବାବୁଙ୍କ ଗୁଣଗାନ କରନ୍ତି। ମେଳା ମଉଛବରେ ସିଂହଭାଗ ଅର୍ଥ ସେଇଠୁ ଆସେ।
ସାଆନ୍ତରା ପରିବାରର ବୟୋଜ୍ୟେଷ୍ଠା ସଦସ୍ୟା ଭାନୁମତୀ ଦେବୀ। ଗାଁଟା ଯାକର ଲୋକଙ୍କ ପାଇଁ ସେ ଅଟନ୍ତି ସାଆନ୍ତାଣୀ। ବଡ଼ ଧର୍ମପରାୟଣା ଏବଂ ପ୍ରଜା ବତ୍ସଳା ମହିଳା! ରୀତି ନୀତି ପରମ୍ପରା ପାଳନ କରିବାରେ କିନ୍ତୁ ସେ ବେଶ୍ କଠୋର। ଠାକୁର ଠାକୁରାଣୀଙ୍କ ସେବା ପୂଜାରେ ଖୁବ୍ ତତ୍ପର। ସୃଷ୍ଟି ପ୍ରଳୟ ହୋଇଗଲେ ମଧ୍ଯ କୁଳଦେବତା ଗୋପୀନାଥଜୀଉଙ୍କ ପୂଜା ସମାପନ ନହେବା ଯାଏଁ ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ ଭାନୁମତୀ ଦେବୀ।
ବୟସର ସାୟାହ୍ନରେ ପହଞ୍ଚିଥିଲେ ମଧ୍ୟ ସାଆନ୍ତାଣୀଙ୍କର ଗୋଟିଏ ଅବଗୁଣ ଆଜି ପର୍ଯ୍ୟନ୍ତ ରହିଆସିଛି, ଯେମିତିକି ଥିଲା ତାଙ୍କ ଆଦ୍ୟ ଜୀବନରେ। ଏଇ ଦୁନିଆଁରେ ଏତେ ସବୁ ପରିବର୍ତ୍ତନ ଆସିଲାଣି, ମଣିଷ ଯାଇ ଚନ୍ଦ୍ର ପୃଷ୍ଠରେ ଘର କଲାଣି କିନ୍ତୁ ସାଆନ୍ତାଣୀଙ୍କର କିଛି ବି ପରିବର୍ତ୍ତନ ଘଟିନାହିଁ କି ଘଟିବାର ସମ୍ଭାବନା ମଧ୍ୟ ନାହିଁ। ସେଇଟା ହେଉଛି ତାଙ୍କର ଜାତି ଅଜାତି ଛୁଆଁ ଅଛୁଆଁ ଭେଦଭାବ!
ବ୍ରାହ୍ମଣ ବଂଶଜ ବୋଲି ଢେର୍ ଅହଙ୍କାର, ତା ଉପରେ ପୁଣି ଜମିଦାର ଘରର ବୋହୂ। ଯଦି ଅନ୍ୟ ଜାତିର ଲୋକ କେହି ତାଙ୍କ ମହଲରେ ପାଦ ଦେଇ ଦିଏ ଜାଣତ ଅବା ଅଜାଣତରେ ତେବେ ସଂପୂର୍ଣ୍ଣ କୋଠି ଧୂଆ ପୋଛା ନହେବା ପର୍ଯ୍ୟନ୍ତ ଶାନ୍ତିରେ ନିଶ୍ବାସ ନା ନିଜେ ମାରନ୍ତି ନା କାହାକୁ ମାରିବାକୁ ଦିଅନ୍ତି ଭାନୁମତୀ ଦେବୀ। ଆଜିକାଲିର ଯୁଗରେ ତାଙ୍କର ଏହି ଅଯଥା ମରହଟ୍ଟିଆ ରୁଢ଼ିବାଦୀ ରକ୍ଷଣଶୀଳ ମନୋଭାବ ପାଇଁ ପୁଅ ବୋହୂ ନାତି ନାତୁଣୀ ସଭିଏଁ ବିବ୍ରତ। ମାତ୍ର କେହି ମୁହଁ ଖୋଲନ୍ତି ନାହିଁ କେବେ ବି ତାଙ୍କ ପ୍ରତି ଥିବା ସମ୍ମାନବୋଧ ହେତୁ।
ଦିନେ ନାତୁଣୀ ସଂଘମିତ୍ରାର ସାଙ୍ଗ ଆସିଥିଲା ତାଙ୍କ ମହଲ ବୁଲି ଦେଖିବା ପାଇଁ। ଚଷାଘରର ଝିଅ, ନାଁ ତାର ମାଳତୀ। ଚମ୍ପା ଫୁଲିଆ ଚେହେରା ତାର। ସରସ ସୁନ୍ଦର ବୁଦ୍ଧିମତୀ ଝିଅଟେ। ଗରିବଘରର ହେଲେ ବି ପାଠ ପଢ଼ାରେ ସଭିଙ୍କଠୁ ଢେର୍ ଆଗରେ ସେ। ତାଙ୍କ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରେ ସମସ୍ତ ପରୀକ୍ଷାରେ। ଭଲ ଗୀତ ବି ଗାଏ।
ଦୁହେଁ ବାରିପଟ ବାରନ୍ଦାରେ ବସି ଚାହା ବିସ୍କୁଟ୍ ଖାଇ ଖୁସି ଗପ କରୁଥିଲେ। ଦୁହିଁଙ୍କ ଠୋ ଠୋ ହସରେ କମ୍ପୁଥିଲା କୋଠି। କାନରୁ ଅତଡା ଖସି ପଡୁଥିଲା ଭାନୁମତୀ ଦେବୀଙ୍କର। ନିଜ କୋଠରୀରୁ ବାହାରକୁ ଆସି ଦେଖନ୍ତି ତ ଚଷାଘର ଝିଅଟା ନାତୁଣୀ ସହ ଖୁସିଗପରେ ମାତିଛି। ପ୍ରଚଣ୍ଡ କ୍ରୋଧରେ ଗୋଟାପଣେ ଜଳି ଉଠିଲେ ସେ। କେତେ କଟୁ କଥା କହିଗଲେ ଦୁହିଁଙ୍କୁ ଆଗପଛ କିଛି ବି ବିଚାର ନକରି।
ମାଳତୀ କିଛି ବି ବୁଝିପାରୁ ନ ଥିଲା। ସେ ଏମିତି କେଉଁ ଧର୍ତ୍ତବ୍ୟ ଅପରାଧ କରିଥିଲା ଯେ, ଯାହା ପାଇଁ ସାଆନ୍ତାଣୀ ଏତେ କଥା କହି ଗଲେ ତାକୁ? ଅବାରିତ ଦୁଇ ଧାର ଲୁହ ବହିଗଲା ତାର ଦୁଇ ନିରିମାଖି ଆଖିରୁ। ସଂଘମିତ୍ରା ନିଜକୁ ମାଳତୀ ପାଖରେ ଅପରାଧୀ ମନେ କରୁଥିଲା ନିଜ ଜେଜେମାଙ୍କ ଅଭଦ୍ରୋଚିତ ବ୍ୟବହାର ପାଇଁ। କାନ୍ଦି କାନ୍ଦି ମାଳତୀ ଫେରି ଗଲା ତାର ଘରକୁ। ସବୁଥର ଭଳି କୋଠି ଶୋଧ କରାଗଲା କାଳ ବିଳମ୍ବ ନ କରି।
ଏହି ଘଟଣାକୁ ଅନେକ ବର୍ଷ ବିତିଗଲାଣି, ଗାଁ ପାଖରେ ବହିଯାଉଥିବା ଦେବୀନଦୀରେ କେତେ ପାଣି ବୋହିଗଲାଣି। ଭାନୁମତୀ ଦେବୀ ବାର୍ଦ୍ଧକ୍ୟ ଏବଂ ରୋଗର ଭାରରେ ଏବେ ଶଯ୍ୟାଶାୟୀ। ବିଛଣାରୁ ଉଠିବା ମଧ୍ୟ ସମ୍ଭବପର ହେଉନାହିଁ। ପୂର୍ବପରି ଆଉ ଦମ୍ଭ ନାହିଁ କି ଦର୍ପ ମଧ୍ୟ ନାହିଁ। ସଞ୍ଜ ସକାଳେ ପୂଜାରୀ ଆସି ପ୍ରସାଦ ଦେଇଯାଆନ୍ତି ଆଉ ଭାଗବତ ଅଧ୍ଯାୟେ ପଢି ଶୁଣାନ୍ତି। ଦିନସାରା ସେମିତି ବିଛଣାରେ ପଡି ପଡି କଟିଯାଏ ତାଙ୍କର। ପୁଅ ବୋହୂଙ୍କର ବି ଆଉ ଆଗପରି ଆଦର ନାହିଁ। ନାତିନାତୁଣୀ ବାହାସାହା ହୋଇ ଯିଏ ଯାହା ବାଟରେ ଆଗେଇ ଗଲେଣି, ପଛକୁ ଫେରି ଚାହିଁବା ପାଇଁ ବେଳ ନାହିଁ ସେମାନଙ୍କ ପାଖରେ। ହେଲେ ସାଆନ୍ତାଣୀ ବାଧିକି ପଡିଥାନ୍ତି ଅହରହ କୃଷ୍ଣ ନାମ ଜପି ହୁଅନ୍ତି, ଏଇ ଭବସାଗରରୁ ତରିବା ପାଇଁ ଗୁହାରି କରନ୍ତି ଅନବରତ।
ଏମିତି ଦିନେ ସକାଳୁ ସକାଳୁ ସାଆନ୍ତାଣୀଙ୍କ ଦେହ ଭୀଷଣ ଖରାପ ହେବାରେ ଲାଗିଲା। ଡାକ୍ତର ଆସିଲେ, ଇଂଜେକ୍ସନ୍ ଔଷଧ ଦେଇଗଲେ। ଗଲାବେଳକୁ କହିଗଲେ, "ଆଉ ବେଶୀ ସମୟ ନୁହେଁ ସାଆନ୍ତାଣୀଙ୍କର, ବନ୍ଧୁବାନ୍ଧବଙ୍କୁ ଡ଼କା ହକା କରନ୍ତୁ ଆସି ଦେଖିଯିବା ପାଇଁ..."
ସମ୍ପର୍କୀୟ ଯିଏ ଯେଉଁଠି ଥିଲେ ସଭିଏଁ ଆସିଲେ, ସାଆନ୍ତାଣୀଙ୍କୁ ଦେଖିଲେ। ସାଆନ୍ତାଣୀ ବି ସେମାନଙ୍କୁ ଦେଖିଲେ ଆଖି ପୁରେଇ। ଆଖପାଖ ଅଞ୍ଚଳ ଯାକର ଲୋକେ କୋଠି ଆଗରେ ରୁଣ୍ଡ। ହେଲେ ତାଙ୍କ କୁଳର ପ୍ରଦୀପ ଏକମାତ୍ର ନାତି ସନ୍ଦୀପନ୍ କାହିଁ? ତାକୁ କିଏ ଖବର ଦେଲେ ନା ନାହିଁ? ନାତି ରହୁଛି ଏବେ କଟକରେ, ନାତୁଣୀବୋହୂ ଅଧ୍ଯାପିକା ଅଛି ସେଠିକାର କଲେଜରେ।
ବେଳ ରତ ରତ ହେଉଥିଲା। ଦାଣ୍ଡରେ ଗାଡି ଲାଗିଲା ନାତିର। ନାତୁଣୀ ବୋହୂର ବାଟ ଯେପରି ଚାହିଁ ରହିଥିଲେ ଭାନୁମତୀ ଦେବୀ। ଯେଉଁ ମାଳତୀକୁ ଦିନେ ତାର ଜାତି ପାଇଁ ଦୂର୍ ଦୂର୍ ମାର୍ ମାର୍ କରୁଥିଲେ, ତାରି ହାତରୁ ନିର୍ମାଲ୍ୟ ମହାପ୍ରସାଦ ଖାଇଲେ। ଆଶୀର୍ବାଦ କରିବା ପାଇଁ ହାତ ଉଠାଇଲେ ସାଆନ୍ତାଣୀ, କିନ୍ତୁ ରହିଗଲେ...
ପୂଜାରୀ ମହାଶୟ ଭାଗବତ ପଢୁଥାନ୍ତି ଉଚ୍ଚସ୍ୱରରେ। ହଠାତ୍ କାନ୍ଦ ବୋବାଳିରେ ଫାଟିପଡ଼ିଲା ସାଆନ୍ତରା କୋଠି। ଭାନୁମତୀ ଦେବୀ ଇହଧାମ ତ୍ୟାଗ କରିଥିଲେ ନିଜ କୃତକର୍ମର ପ୍ରାୟଶ୍ଚିତ କରି। ଜାତି ଅଜାତି ଛୁଆଁ ଅଛୁଆଁ ଭେଦଭାବର ପାଚେରୀ ଭାଙ୍ଗିଯାଇଥିଲା ସବୁଦିନ ପାଇଁ...
