Satyabati Swain

Drama Tragedy

3  

Satyabati Swain

Drama Tragedy

ଜାଣିଛ ! ଏ ମୋ ବାପା

ଜାଣିଛ ! ଏ ମୋ ବାପା

5 mins
458



ବାପା ଅଟୋକୁ ତୁମେ ଏହି ଜାଗାରେ ରଖ।ଗାଡିରୁ ବାହାରକୁ ବହାରିବନି,ଜଦି କିଏ କିଛି ପଚାରେ କୌଣସି ଉତ୍ତର ଦେବନି।ଆଜି ଅଫିସରେ ମୋର ପ୍ରଥମ ଦିନ।ମୋ ସହ ବହୁତ ବଡ଼ ବଡୁଆ ଲୋକଙ୍କ ପିଲାଏ ନିଯୁକ୍ତି ପାଇଛନ୍ତି।ସେ ପିଲାମାନେ ଦାମୀ କାର ରେ ନିଜ ବାପମାଙ୍କ ସହ ଆସିଥିବେ ନିହାତି।ପରିଚୟ ସମାରୋହ ମହା ଧୁମ ଧାମରେ ହେବ ବୋଲି ଚିଠିରେ ଲେଖା ଥିଲା।ସବୁ ସରିଲେ ମୁଁ ଫୋନ୍ କରିଦେବି।ଭୋକ ଲାଗିଲେ କଣ ଟିକେ ଖାଇଦେଇ ଅଟୋରେ ବସିଥିବ।ପକେଟରୁ ମଳିଛିଆ ରୁମାଲ କାଢି ଝିଅ ଆଡକୁ ଚାହିଁଲେ ବୃଦ୍ଧ ରାମ।


ତୁ ଜମା ବ୍ୟସ୍ତ ହେବୁନିରେ ମା ତୋ ବୁଢା ବାପା ଏ ଜାଗାରେ ଅପେକ୍ଷା କରିଥିବ।ମୋର ଏତେ ବର୍ଷର ତପସ୍ୟା ଆଜି ସଫଳ ହୋଇଛି,ତୋ ମା ବଞ୍ଚିଥିଲେ ଆଜି ଖୁସି ହୋଇଥାନ୍ତା,ନା।


ସେତିକି ବେଳେ ନିତା ଆଖି ସାମାନରୁ ଅଦୃଶ୍ୟ ହୋଇ ସାରିଥିଲା।


ଅଟୋଭିତରେ ବାଡାକୁ ଆଉଜି ରାମ ଦୁଇ ହାତ ଛକି ଭିତରେ ମୁଣ୍ଡ ରଖି ଆଖି ବୁଜି ଦେଲା।କିଏ ସେଠି?ଝାପ୍ସା ଦିଶୁଛି ମୁହଁ।ଓଃ... ତୁ କି ନୀତା ବୋଉ ପମି...ତୁ ବି ଆସିଛୁ ନା ଆମ ଝିଅ କେମିତି ସାହେବାଣୀ ହେବ ଦେଖିବାକୁ?ହଁ ଲୋ ଆ.. ଆ ମୋ ପାଖକୁ ଟିକେ ଆ।ସେଇ ଯେ ଛାଡି ଚାଲିଗଲୁ ସାତ ମାସର ଝିଅକୁ ଯେ ଯାଇଛୁ।ଆମ ଝିଅକୁ ଏଇ ମାସେ ହେବ ପଚିଶି ବର୍ଷ ପଶିଲାଣି।ବୁଝି ପାରୁଛୁ,ପ...ଚି..ଶି।ଗୋଟାଏ ଯୁଗ ଲୋ ପମି।


ପମି!ତୋର କେବେ ମୁଁ କି ଆମ ଝିଅ ନୀତା କଥା ମନେ ପଡେନି?କେମିତି କଂସେଇଟିଏ ତୁ ଯେ...।ସ୍ୱାର୍ଥପର ହୋଇ ମୋତେ ଏକା କରି ଚାଲିଗଲୁ?ଜାଣିଛୁ ଏଇ ନୀତା ତୋ ଛାତି ଭାବି ଯେତେବେଳେ ମୋ ଛାତି ରକଟି ଭେଁ କିନା କାନ୍ଦି ଉଠେ ମୋତେ କେମିତି ଲାଗେ?ମରି ଯିବାକୁ ଇଚ୍ଛା ହୁଏ।ରକ୍ତ ହୀନତା ରୋଗର ଶିକାର ହୋଇ ତୁ ସେ ପୁରକୁ ଚାଲିଗଲୁ।ମୋର ତ ସେତେବେଳେ କିଛି ରୋଜଗାର ନଥିଲା।ଛୁଆଟିକୁ କ୍ଷୀର ଟୋପେ ଦେବାକୁ ମୁଁ କି କଷ୍ଟ କରିଛି ତୁ କଣ ସେ କଥା ବୁଝି ପାରିବୁ?ଖଲି ପତ୍ରରେ ଦନା,ଥାଳି ତିଆରି କରେ।କାଗଜରେ ଠୁଙ୍ଗା ବନାଏ।ଜିରା,ସୋରିଷ ପ୍ୟାକେଟ କରେ।କାକୁତି ମିନତି କରିବାରୁ ଶିବା ବାବୁଙ୍କ ଲୋକେ ସବୁ ଆଣି ଘରେ ଦେଇ ଯାଆନ୍ତି।।ସେଥିରେ ଦନା,ଥାଳି,ଠୁଙ୍ଗା ଓ ପ୍ୟାକେଟ କରେ।ପ୍ୟାକେଟ ପିଛା ପଚିଶି ପଇସା।ଶହେ ଠୁଙ୍ଗାକୁ ଦଶ ଟଙ୍କା। ଦିନକୁ ଖୁବେଶୀରେ କୋଡିଏ ଟଙ୍କା ରୋଜଗାର ହେବା କଷ୍ଟ।ମୂଲକୁ ଗଲେ କି ପଥର ଫଟେଇ ଚୁନା କଲେ ଭଲ ଦି ପଇସା ମିଳନ୍ତା। କିନ୍ତୁ ଆମ ଝିଅକୁ କାହା ଜିମା ଦେଇ ଯିବି? ଛୁଆ ଜଗିବା ସହ ଯାହା ଯେତିକି ମିଳେ ଛୁଆ କ୍ଷୀର କିଣାକୁ ନିଅଁଣ୍ଟ।ବେଳାଏ ବେଳାଏ ଖାଲି ପାଣି ମୁନ୍ଦେ ପିଇ ରହିଯାଏ।ସାତ ଆଠ ଦିନେ ଭାତ ମୁଠେ ଖାଇବା ମୋ ଭାଗ୍ୟରେ ଜୁଟେନି ଲୋ।


ତୋତେ ଭାରି ଝୁରେ ମୁଁ ଆଉ ମୋ ଝିଅ।ତୁ କାମରୁ ଆସିଲେ ଯେଉଁ ବଳେଇ ବଳେଇ କହୁ ଆଉ ଦିଟା ଖାଅ ଆଉ ଦିଟା ଖାଅ।ନ ଖାଇଲେ ଗଧ ଖଟଣୀ ଖଟିବି କେମିତି।ଦି ପଇସା ନ ରଖିଲେ ଆମ ପିଲା ପଢିବି କେମିତି?ମୁଁ ଖୁସିରେ ତୋ ପେଟରେ ଟିକେ ହାତ ବୁଲେଇ ଆଣେ।ଧନ କିଏ ତୁ ରେ ଆମ ଘର ଆଲୁଅ କରି ଆସିବୁ।କି ଅପେକ୍ଷା ତୋତେ ରେ ଧନ।ଦେଖୁଛୁ ତ ଗରିବ ବାପା ଟା ତୋର।ତୋ ମା କୁ ଟିକେ ଭଲ ମନ୍ଦ ଖାଇବାକୁ ଦେଇ ପାରୁନି।ସେଥିରେ ପୁଣି ଯାହା ଯେତିକି ଅଛି ତୋ ମା ସବୁ ମୋ ପେଟରେ ପୁରାଉଛି"।ମୋତେ ଭଲ ରଖିବାକୁ ଯାଇ ଶେଷରେ ରକ୍ତ ନ ଥିବାରୁ ତୁ ଆର ପାରିକୁ ଚାଲିଗଲୁ।


ତୁ ଗଲା ପରେ କିଏ କେତେ ଲଗେଇଲେ ଦ୍ଵିତୀୟ ବାହା ହେବାକୁ।କିନ୍ତୁ ଆମ ଝିଅର କଣ ହୋଇଥାନ୍ତା।ଆମ ବହାଘରର ଦଶ କି ବାର ବର୍ଷ ପରେ ଏଇ ଝିଅଟିକୁ ଠାକୁର ମହାପୃ ଆମ କୋଳକୁ ଦେଇଥିଲେ।ତୋର ଇଚ୍ଛା ଥିଲା ପରା ଆମ ନୀତା ବଡ଼ ହାକିମ ହେବ।ଦ୍ୱିତୀୟ ବିବାହ କରିଥିଲେ ମୁଁ ବାଣ୍ଟି ହୋଇଯାଇଥାନ୍ତି।ମା ଛେଉଣ୍ଡ କ୍ଷୀର ଖିଆ ଛୁଆଟା ବାପ ସ୍ନେହ ବି ପାଇବା କଷ୍ଟ ହୋଇ ଥାନ୍ତା।ସେଇଥିପାଇଁ ଲୋ ତୁ ଗଲା ଦିନୁ ଗୋଟିଏ କାଖରେ ନୀତା ଓ ଅନ୍ୟ କାଖରେ ଆମ ସ୍ୱପ୍ନ କୁ କାଖେଇ କେତେ ବାଟ ଗୋଟେ ଆବେଶରେ ଚାଲି ଆସିଲି ଏଇ କାଲି ପରି ଲାଗୁଛି।


ନୀତା ବଡ଼ ହେଲା ଅଙ୍ଗନ ବାଡ଼ି ତାପରେ ସ୍କୁଲ ଗଲା।ସରକାରଙ୍କ ତରଫରୁ ଟଙ୍କିକିଆ ଚାଉଳ ଆମ ବାପା ଝିଅଙ୍କ ପେଟ ପୁରାଇବାରେ ବହୁତ ସାହାଯ୍ୟ କଲା।ଝିଅଟି ଆମର ଖୁବ୍ ବୁଦ୍ଧିଆ।ପାଠ ଚର ଚର ମାଡ଼ିଗଲା।

ସବୁଥିରେ ବୃତ୍ତୀ ପାଇଲା।ଗାଁ ଠାରୁ ସ୍କୁଲ ଯାଏ ସଭିଏଁ ନୀତାକୁ ବହୁତି ଭଲ ପାଆନ୍ତି।ସମସ୍ତେ କୁହନ୍ତି ରାମ ତୋର ଦୁଃଖ ଗଲା ଜାଣ।ସାକ୍ଷାତ ସରସ୍ୱତୀ ଓ ଲକ୍ଷ୍ମୀ ଉଭୟ ନୀତା ରୂପରେ ତୋ ଘରେ ଜନ୍ମ ନେଇଛନ୍ତି।ସେତିକିବେଳେ ମୋ ଛାତି ଢେର ଫୁଲିଯାଏ।ହାତ ଯୋଡ଼େ ଉପର ବାଲାକୁ "କୋଟି ପରମାୟୁ ଦେଉଥାଅ ମହାପୃ ମୋ ରାଣୀ କଣ୍ଢେଇ ସୁନା ଧନ ନୀତା କୁ।


ଜାଣିଛୁ ପମି ଲୋନ କରି ଗୋଟେ ଅଟୋ କଲି।ସ୍କୁଲ ପଢ଼ା ସାରିଲେ ନୀତା କଲେଜ ଯିବ।କେତେ ପଇସା ଲୋଡ଼ା।ଜାଣିଛୁ ଏହା ଭିତରେ ମୁଁ ନିଜକୁ ପୁରା ଭୁଲି ଯାଇଛି।କେବଳ ନୀତା ଓ ତାର ପଢ଼ା ଛଡା ମୋତେ କିଛି ଦିଶିନି।


ଆଲୋ ମୁରୁକି ହସୁଛୁ କଣ?ଦେଖ୍ ଆମ ନୀତା ଆଜି ଓ ଏ ଏସ୍ ପାଇଛି।ଆଜି ସେ ତା ଅଫିସ୍ ଆସିଛି।ରାମ କର୍ଜି

ଝିଅ ନୀତା କର୍ଜି ସାହେବାଣୀ ହୋଇଛି ଲୋ ପମି।


ଝିଅ ସଫଳତାରେ ରାମ କର୍ଜି ଗୋଡ଼ ତଳେ ଲାଗୁନାହିଁ।ପଚିଶି ବର୍ଷର ତପସ୍ୟା କଣ ଏମିତି ସେମିତି ହୋଇଛି ପମି।ହେଉ ଏଇଠି ମୋ ପାଖେ ଟିକେ ବିଶ୍ରାମ ନେ।ନୀତା ଆସିଲେ ଆଖି ପୁରାଇ ଦେଖିବୁ।ବୃଦ୍ଧ ରାମ କର୍ଜି ନିଜ ଭିତର ସୁଖ ବାଣ୍ଟୁଥିଲା ପଚିଶି ବର୍ଷ ତଳେ ମରିଥିବା ନୀତା ମା ସହ।

 

ସ୍ୱପ୍ନରେ ଉଡୁ ଉଡୁ ଆଖି ଲାଗି ଯାଇଛି ରାମର।ଆଖି ଖୋଲିଲା ବେଳକୁ ପାଞ୍ଚଟା ବାଜିଲାଣି।ବୋତଲରୁ ପେଟେ ପାଣି ପିଇ ଅପେକ୍ଷା କଲା ସେ ତା ଝିଅକୁ।ଜଣେ ପରେ ଜଣେ ଅଫିସ୍ ବାହାରକୁ ଆସୁ ଥାଆନ୍ତି।ଗେଟ୍ ଯାଏ ଗଲା।କାହିଁ ତା ଝିଅ ତ ଦେଖା ଯାଉନି।ଗହଳି ଲାଗିଥିଲା ଗେଟ୍ ପାଖେ।ଟିପ ଉପରେ ଠିଆ ହୋଇ ରାମ ଖୋଜୁଥିଲା ତା ଝିଅକୁ।ଯାଉଥିବା ଲୋକେ ରାମକୁ ଦେଖି ନାକ ଟେକୁଥିଲେ।ମେଳିଛିଆ ରୂପକୁ ଦେଖି ଉହୁଁ କହି ଚାଲି ଯାଉଥିଲେ।ଏସବୁ ନୀତା ଲକ୍ଷ୍ୟ କରୁଥିଲା।ଜଣେ କହିଲା ଏ ଭିକାରୀ ଯା...ଏଇଟା ମନ୍ଦିର,ବସଷ୍ଟାଣ୍ଡ ନୁହଁ ରେଲୱେ ଷ୍ଟେସନ କି ରାସ୍ତା ଦାଢ଼ ନୁହଁ।ଯା.. ଯା ଏଠି ଭିକ ଫିକ୍ ମିଳିବନି।ଇହି କି ଦୁର୍ଗନ୍ଧ ବାହାରୁଛି ଏଇଟା ଦେହରୁ କହିଲା ଆଉ ଜଣେ।ଏ ଦର ୱାନ୍ ଏ ଲୋକଟାକୁ ତଡ଼ ଏଠୁ।


ଏସବୁ ଦେଖି ଶୁଣି ନୀତା ଆଉ ସହି ପାରିଲାନି।ସମସ୍ତଙ୍କୁ ଠେଲି ରାମର ହାତ ଧରି ଅଫିସ୍ ଭିତରକୁ ନେଇ ଯାଇ କହିଲା "ଆଟେନ୍ସନ ପ୍ଲିଜ଼।ଏଇ ଯାହାକୁ ଆପଣ ମାନେ ଭିକାରୀ,ମେଳିଛିଆ,ଦୁର୍ଗନ୍ଧ ବାହାରୁଛି ଏବେ ତଣ୍ଟିଆ ମାରି ତଡିବାକୁ କହୁଛନ୍ତି ଜାଣିଛ ସେ କିଏ?


ରାମକୁ କୁଣ୍ଢେଇ ନୀତା କହିଲା ଜାଣିଛ !ଏ ହେଉଛନ୍ତି ମୋ ଈଶ୍ୱର,ମୋ ବାପା,ରାମ କର୍ଜି।ଏ ବର୍ଷ ଓଏ ଏସ୍ ଟପ୍ପର ନୀତା କର୍ଜି ର ବାପା।ଯାହାକୁ ଆପଣ ମାନେ ଏଇ ଟିକିଏ ପୂର୍ବରୁ ପ୍ରଶଂସାରେ ପୋତି ପକାଉଥିଲେ।ଯାହା ପାଇଁ ଆପଣ ମାନେ ଗର୍ବିତ ବୋଲି ଜତାଉଥିଲେ।ଇଏ ଏମିତି ବାପା ଯିଏକି ସାତ ମାସର ଗୋଟିଏ ମା ଛେଉଣ୍ଡ ଛୁଆକୁ ପିଠିରେ ବାନ୍ଧି କାମ କରିଛନ୍ତି।କେତେ ଦିନ ସେ ଉପାସ ରହିଛନ୍ତି ତାର ହିସାବ ବି ନାହିଁ।କେତେ ରାତି ଅନିଦ୍ରା ରହି ଜର ହେଲେ ମୋତେ ଗୋଡ଼ରେ ପକାଇ ହଲାଇ ଛନ୍ତି।ମାକୁ ଝୁରିବି ବୋଲି କେବେ ଛାତିରୁ ଅଲଗା କରି ନାହାନ୍ତି।ସ୍ୱାଭିମାନି ମଣିଷଟିଏ ଏ ରାମ କର୍ଜି।ଯିଏ ଆପଣ ମାନଙ୍କୁ ଗନ୍ଧାଉଛନ୍ତି ସେ ମୋତେ ବାସୁଛନ୍ତି ବାପା ବାପା।ଯାହାଙ୍କ ମେଳିଛିଆ ବେଶ୍ ପୋଷାକ ଆପଣ ମାନଙ୍କୁ ନାକ ଟେକାଉଛି ସେଠି ମୋତେ ଜଣେ ମମତାର ତ୍ୟାଗର ଈଶ୍ୱରଙ୍କ ଛବି ମୁଁ ଦେଖୁଛି।ସରି ଟୁ ସେ ମୁଁ ଏ ଲୋକଟି ଭିତରେ ଯାହା ଦେଖି ପାରୁଛି ଆପଣ ମାନେ ଏଇତକ ଦେଖିବା ପାଇଁ ଅନେକ ଜନ୍ମ ଆବଶ୍ୟକ।ତା ପୁଣି ମଣିଷ ପରି ମଣିଷ ହେଲେ ଯାଇ ଚିହ୍ନି ପାରିବ।


ଏତକ କହି ଦୁଇ ହଜାର ଉଣେଇଶି ଓ ଏ ଏସ୍ ଟପ୍ପର ନୀତା କର୍ଜି; ରାମ କର୍ଜି ହାତ ଧରି ଗର୍ବର ସହ ଲୋକ ଗହଳି ଆଡେଇ ବାହାରି ଯାଉଥିଲା ଅଟୋ ପାଖକୁ।


ବଲ ବଲ କରି ନୀତା ମୁହଁକୁ ଅନେଇଁ ରାମ କର୍ଜି ଆଖିରୁ ଗଳି ପଡିଲା ଦୁଇ ଟୋପା ଲହୁ।ସତରେ ତା ଝିଅ ଆଜି ବଡ଼ ଅଫିସର୍ ଟିଏ ହୋଇ ଯାଇଛି।ପମି ଲୋ ଦେଖୁଛୁ ନା ନାଇଁ ଏଇ ଆମ ଝିଅ ନୀତା ....


ବାପ ଝିଅ ଦୁହେଁ ଅଟୋରେ ପୋଛୁଥିଲେ ପରସ୍ପରର

ଲୁହ ହସି ହସି।


(ଅରବିନ୍ଦ ରଥଙ୍କ ଗଳ୍ପ...)



Rate this content
Log in

Similar oriya story from Drama