Nityananda Nandi

Classics Inspirational

4  

Nityananda Nandi

Classics Inspirational

ଜାମୁକୋଳି

ଜାମୁକୋଳି

5 mins
232



ଫେସବୁକରେ ଗୋଟାଏ ଗପ ଉପରେ ଆଖି ପଡ଼ିଲା," ଅଙ୍ଗେ ନିଭା କଥା। ଜଣେ ଓକିଲଙ୍କ କାହାଣୀ

ମୋ ବାପା ବି ଜଣେ ଓକିଲ ଥିଲେ, ସାଧାରଣତଃ ଓକିଲମାନଙ୍କ ବାବଦରେ ପ୍ରଶଂସା କିମ୍ବା ସକାରାତ୍ମକ ଆଲୋଚନା ହୋଇ ନ ଥାଏ। ଜୀବନରେ ଜଣେ ଓକିଲଙ୍କ କଥା ଜାଣିବା ପାଇଁ ଆଗ୍ରହ ହେଲା ବୋଲି ପଢିବାକୁ ଆରମ୍ଭ କଲି ଲେଖିକାଙ୍କ ଅଙ୍ଗେନିଭା କଥାଟି ଅଙ୍ଗେନିଭା କଥା ଜଣେ ଓକିଲଙ୍କ କାହାଣୀ ।

ବିବାହର ପ୍ରଲୋଭନ ଦେଖେଇ ମୋର ସତୀତ୍ୱ ନଷ୍ଟ କରିଦେବାଟା ଆଜି ଏଇ ବୟସରେ ମୋତେ ଏତେ ବିବ୍ରତ କରେ ନାହିଁ। ତା'ଠୁ ବେଶି ବିବ୍ରତ ହୁଏ ସେଇ ବିଚରା ଓକିଲଙ୍କ କଥା ମନେ ପଡିଲେ। ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆମ କେସଟିକୁ ସେ ମନ ଦେଇ ଲଢ଼ିଥିଲେ ପୁଅଟିର କୋର୍ଟ ଚାଲାଣ ହୋଇ ବେଲ ବି ମିଳି ସାରିଥିଲା ସେତେବେଳକୁ। ଗୋଟାଏ ଓକିଲ ପାଇଁ କୋର୍ଟ ପାଖରେ ଭଟକୁ ଥିଲେ ମୋ ବାପା। ବଡ ଓକିଲଙ୍କୁ କେସ ଦେବାଟା ବାପାଙ୍କ ସାମର୍ଥ୍ୟର ବାହାରେ। ଟୋକାଟିକୁ ପାନେ ଚଖେଇବେ ବୋଲି ଓକିଲ ଖୋଜା ଆରମ୍ଭ କରିଥିଲେ ସେ। ଜଣେ ଦୁଇ ଜଣ ଓକିଲଙ୍କ ପାଖକୁ ଗଲେ। ବ୍ଲକ୍ ଚେୟାରମେନଙ୍କ ପୁଅ କାଣ୍ଡଟି କରିଛି ଶୁଣି ରୁକ୍ ଠୁକ୍ ମନା କରିଦେଲେ ସେମାନେ। ଆଉ ଜଣେ, ପ୍ରତି ଶୁଣାଣି ପାଇଁ ପାଞ୍ଚ ହଜାର ନେବେ ବୋଲି କହିଲେ। ବାପା ନିରୁପାୟ ! ଏତେ ପଇସା ବି ସମ୍ଭବ ନ ଥିଲା ତାଙ୍କ ପାଇଁ। 

ଦିନେ ମୋତେ ନେଇ ବସିଥାନ୍ତି କୋର୍ଟ ସାମ୍ନାରେ ଥିବା ବଟଗଛ ମୂଳରେ । ଜଣେ ଓକିଲ ଆସି ନିଜର ପରିଚୟ ଦେଲେ, ପଚାରିଲେ ଓକିଲ ଦରକାର କି ?ବାପା ଛିଡା ହୋଇ ହାତ ଯୋଡ଼ି ନମସ୍କାର କଲେ। ପୁରା କାହାଣୀ ବତେଇଲେ ଓକିଲଙ୍କୁ। ମୋ ଝିଅର ଦୁର୍ବଳତା ଥିଲା ଜାମୁକୋଳି ପାଇଁ। ଯୁବକଟି ନିଶା ପାଉଡର ମିଶେଇ ଦେଇଥିଲା ଜାମୁକୋଳିରେ। ଝିଅର ଚେତା ଚାଲିଗଲା, ତାପରେ ଦୁଷ୍କର୍ମ ବାପାଙ୍କ ଆଖିରେ ଲୁହ ଦେଖି ମୁଁ ନିଜକୁ ଧିକ୍କାର କଲି, କାହିଁକି ବନ୍ଧୁତା ରଚେଇଲି ଟୋକାଟା ସାଥିରେ ? ବାପାଙ୍କ ଲୁହ, ଯନ୍ତ୍ରଣା ସଂଲଗ୍ନ ହେଲେ ଧରାଶାୟୀ ହୋଇଯାଏ ତାଙ୍କ ଆକାଶ ଭରା ଅଭିମାନ। କେହି ବାପା କଣ କେବେ କାନ୍ଦନ୍ତି, ଅତି ଦରକାର ନ ହେଲେ । ଶରଶଯ୍ୟାରେ ନୀରବ , ନିଶ୍ଚଳ ହୋଇ ଶୋଇବାର କ୍ଷମତା ଥାଏ ବାପାଙ୍କ ପାଖରେ ଅମାପ ସହିବା ଶକ୍ତି ଥାଇ ବି ମୋ ବାପା କାନ୍ଦିଲେ, ଓକିଲଙ୍କ ଆଗରେ। ହୃଦୟ ବିଦାରକ ଥିଲା ଘଟଣା ଟି।

ଓକିଲ ବାବୁ ! ଆପଣଙ୍କ ଫିସ୍ ?

ଏମିତି ପ୍ରତି ଶୁଣାଣିରେ ମୁଁ ହଜାରେ ନିଏ, ଅତି କମରେ ପାଞ୍ଚ ବର୍ଷ ଲାଗିବ। କୋଡିଏ ପଚିଶ ଶୁଣାଣି ହେବ ହିଁ ହେବ। ଭାବି ନିଅନ୍ତୁ ! କୋଡିଏ, ପଚିଶ !

ଏତେ ପଇସା !

ଠିକ୍ ଅଛି, କିଛି ଗୋଟେ ରାସ୍ତା ବାହାର କରିବା। ତମେ ଅଡ଼ୁଆରେ ପଡ଼ିଛ। ତମ ଝିଅ, ଧରି ନିଅନ୍ତୁ ମୋ ଝିଅ। କେସ ମୁଁ ଲଢ଼ିବି। ଜିତିଗଲା ପରେ ଯାହା ଇଚ୍ଛା ଦେବ। ମୁଁ ସେମିତି କିଛି ଡିମାଣ୍ଡ କରିବି ନାହିଁ। 

ମୋର କାହିଁକି କେଜାଣି ଜମାରୁ ବଳ ପାଉ ନ ଥିଲା ଓକିଲ ଉପରେ। ଛିଣ୍ଡା ଟାଇ , ପଛ ପଟରୁ ସେପ୍ଟିପିନ ଲାଗିଛି। ତାଙ୍କର ବି ଆମ ପରି ଦହନୀୟ ଅବସ୍ଥା।

ତା ପରେ କିନ୍ତୁ ତାଙ୍କ ବାବଦରେ ସବୁ ସନ୍ଦେହ ଦୂର ହୋଇ ଯାଇଥିଲା ମୋ ମନ ଭିତରୁ। ତାଙ୍କର ବିଚକ୍ଷଣ ପ୍ରତିଭା ଦେଖି ମୁଁ ସ୍ତବ୍ଧ ହୋଇଗଲି। ରାଜନୀତିରେ ସଂପୃକ୍ତ ନୁହଁନ୍ତି ବୋଲି ତାଙ୍କୁ ବଡ ବଡ କେସ ମିଳେ ନାହିଁ, ଯଦିଓ ଯୋଗ୍ୟତା ଅଛି। ତାଙ୍କର ସବୁଠୁ ବଡ ଯୋଗ୍ୟତା, ମାନବିକତା। ଇଂରାଜୀରେ ସମ୍ପୂର୍ଣ୍ଣ ଦକ୍ଷତା, ଏତେ ସୁନ୍ଦର ଯୁକ୍ତି ବାଢୁଥିଲେ ଯେ ବିରୋଧୀ ଓକିଲ ଜବାବ ଦେବାକୁ ସକ୍ଷମ ନ ଥିଲେ ।

ବାଜି ଲଗେଇ ଦେଲେ ସେ କେସ ଜିତିବା ପାଇଁ। ଥାନା ପାଖରୁ ଆରମ୍ଭ କରି ଫରେନ୍ସିକ ଲାବ ପର୍ଯ୍ୟନ୍ତ ସବୁ ଯୋଗାଡ ଲଗେଇଲେ, ଯେମିତିକି ସାକ୍ଷୀ ଓ ପ୍ରମାଣରେ କିଛି ଭୁଲ ଭଟକା ନ ହେଉ।

ପ୍ରତିଥର ବାପାଙ୍କ ହାତରେ ମୋ ବୋଉ ତିଳ ଲଡୁ ପଠାଉଥିଲେ ଓକିଲଙ୍କ ପାଇଁ। କିଛି ସମ୍ପର୍କ ଆପେ ଆପେ ଗଢି ଉଠେ, ଅକାରଣରେ। ଗୋଟାଏ ସ୍ଥାୟୀ ସମ୍ପର୍କ ଗଢିବାକୁ ହେଲେ ଅଳ୍ପ ସମୟ ସାଥିରେ କିଛି ସହାନୁଭୂତି, କିଛି ନିଃସ୍ୱାର୍ଥପରତାର ଆବଶ୍ୟକତା ପଡ଼େ। ଶୁଷ୍କ ବୁଦା ମୂଳରେ ଲୁଚି ରହିଥିବା କଲରାପତରିଆ ବାଘ ସାଥିରେ କଣ ସମ୍ପର୍କ ବାନ୍ଧି ହୁଏ ? ସେଇଠି ଛଳନା ଆଉ ବିଶ୍ୱାସଘାତକତା। ଶିକାରୀ ବାଘ, ଲୁଚିଛି ବୋଲି ଜାଣି ହୁଏନି।  

କାହିଁକି କେଜାଣି ଚନ୍ଦନ ବାସ୍ନାର ପ୍ରଲେପ ଥାଏ ସ୍ୱର୍ଗୀୟ ସଂପର୍କରେ ସୁତରାଂ ଆମ ପରିବାର ସହିତ ସମ୍ପୂର୍ଣ୍ଣ ଯୋଡ଼ି ଯାଇଥିଲେ ଓକିଲ ଅଙ୍କଲ।

ଏହା ଭିତରେ ପାଞ୍ଚ ବର୍ଷ ବିତି ଗଲାଣି। ଖବରଟା କାଗଜରେ ଛାଇଗଲା। ବହୁ ଚର୍ଚ୍ଚିତ ସଂଘମିତ୍ରା ବଳାତ୍କାର କେସରେ ଶୁଣାଣି ଆସନ୍ତା କାଲି ହେବ। ବ୍ଲକ୍ ଚେୟାରମେନଙ୍କ ପୁଅର ଜେଲ ଯିବା ସୁନିଶ୍ଚିତ। ବାପା ବୋଧେ ଜାଣିଥିଲେ ଆମେ ଜିତୁଛୁ ବୋଲି। ଶେଷ ସମ୍ବଳ, ଘର ଡିହକୁ ଲାଗିଥିବା ଛୋଟ ଚାଷ ଜମିଟିକୁ ବାପା ବିକ୍ରି କରିଦେଲେ, ଓକିଲ ଅଙ୍କଲଙ୍କୁ ପଇସା ଦେବେ ବୋଲି। ଖୁସି ଖବରଟା ଆଗୁଆ ପ୍ରଚାର ହୋଇ ଯାଇଥିଲା ଖବର କାଗଜରେ। ଅତି ଖୁସି ହୋଇ ବାପା ସଂଜରେ ବସ ଧରି ଓକିଲ ଅଙ୍କଲଙ୍କ ଗାଆଁକୁ ଗଲେ। କେଜିଏ ରାଶି ଲଡୁ ସାଥିରେ ପାଞ୍ଚ ହଜାର ଦେଇ ଆସିଲେ ଆଗୁଆ। 

ସକାଳୁ ସକାଳୁ ବାପା ବୋଉ ଓ ମୁଁ ବାହାରି ପଡିଲୁ, କୋର୍ଟ ଯିବାକୁ ହେବ। ଓକିଲ ଅଙ୍କଲ ନୂଆ କୁର୍ତ୍ତା ପିନ୍ଧି ଆସିଥାନ୍ତି କୋର୍ଟକୁ। ମଥାରେ ଚନ୍ଦନ ତିଳକ, ଆମକୁ ଦେଖି ଦୂରରୁ ହସି ଦେଲେ ଜୀବନରେ କିଛି ଗୋଟାଏ ଜିତିବାର ଆଭାସ ପାଇଲେ ମନ ଭିତରେ ରଙ୍ଗ ବେରଙ୍ଗ ପ୍ରଜାପତି ଘୁରି ବୁଲନ୍ତି। ଆମ ପାଦ ଆଉ ତଳେ ପଡୁ ନ ଥାଏ ।

ରାୟ ଶୁଣିବାର ସମୟ ଆସିଲା। ଜଜ୍ ରାୟ ପଢ଼ିଲେ

"ଯଥେଷ୍ଟ ଓ ଉପଯୁକ୍ତ ସାକ୍ଷ୍ୟ ଅଭାବରୁ ବିଧାନ ଗଡକରିକୁ ସମସ୍ତ ଆରୋପରୁ ମୁକ୍ତ କରାଗଲା" ଦ କେସ ଇଜ୍ ଓଭର !

ସ୍ତବ୍ଧ ହୋଇଗଲେ ଓକିଲ ଅଙ୍କଲ। ବାପା ପଥର ପାଲଟି ଗଲେ ବସିଥିବା ବେଞ୍ଚ ଉପରେ।

କୋର୍ଟ ଖାଲି ହୋଇଗଲା। ଧୀରେ ଧୀରେ ଆମେ ସମସ୍ତେ ବାହାରି ଆସିଲୁ କୋର୍ଟରୁମ୍ ଭିତରୁ। ଓକିଲ ଅଙ୍କଲ ଆମ ଅଟୋ ପର୍ଯ୍ୟନ୍ତ ଆସିଲେ ହୃଦୟଟା ଭାରି ଭାରି ହୋଇଗଲେ ଲାଗେ ଯେମିତି ମୁଣ୍ଡ ଉପରେ ଆଉ ଆକାଶ ନାହିଁ। ପୃଥିବୀଟା ନିଶ୍ଚଳ ଆଉ ନିର୍ବାକ ହୋଇଯାଏ। ସମୟ ରାସ୍ତା ଭଟକି ଯାଏ। ଶ୍ୱାସରୁଦ୍ଧ ଲାଗେ। ଘୂର୍ଣ୍ଣିଝଡରେ ମଞ୍ଚା ଭୁଷୁଡି ଗଲେ ଏକା ସାଥିରେ ଧରାଶାୟୀ ହୁଅନ୍ତି ସବୁ ଲତା ମାନେ। ଭଙ୍ଗା ଗଢା ଜୀବନରେ ସବୁ କିଛି ଅନିୟନ୍ତ୍ରିତ ହୁଏ କିଛି ବୁଝି ହୁଏନି।

ପାଞ୍ଚ ହଜାର ଟଙ୍କା ବାପାଙ୍କ ହାତକୁ ଗୁଞ୍ଜି ଦେଇ କହିଲେ, ପଇସା ରଖ ! ସଂଘମିତ୍ରା ବି ମୋ ଝିଅ ପରା। ଉପର ଅଦାଲତରେ ଅପିଲ କରିବା।

ବଳାତ୍କାରର ଶିକାର ହେବା ପରେ ବଦନାମ ସାଙ୍ଗ ହୋଇ ଘୁରି ବୁଲେ ମରିବା ପର୍ଯ୍ୟନ୍ତ। ସମାଜ ଠିକ୍ ଭାବେ ଗ୍ରହଣ କରି ପାରି ନ ଥାଆନ୍ତା, ସନ୍ଦେହ ଘେରରେ ଅଣନିଶ୍ୱାସୀ ହୋଇ ଯାଇ ଥାଆନ୍ତି ମୁଁ। ସଙ୍ଗେ ସଙ୍ଗେ ଦୁବାଇ ଚାଲି ଆସି ପେଟ୍ରୋଲ ବଙ୍କରେ ସୁପର ଭାଇଜର ଭାବେ କାମ କଲି। 

ଓକିଲ ଅଙ୍କଲ ଏଆର ପୋର୍ଟକୁ ଆସିଥିଲେ, କାହାଠୁ କେମିତି ଜାଣିଲେ କେଜାଣି ?

ଦଉଡି ଦଉଡ଼ି ଆସି ଗେଟ ପାଖରେ ଅଧା ବେଗ ଭରା ଜାମୁକୋଳି ଧରେଇ ଦେଲେ ମୋ ହାତରେ। ଜାମୁକୋଳି ପ୍ରତି ଦୁର୍ବଳତା ! ବୁଝି ପାରିଲିନି କେମିତି ପ୍ରତିକ୍ରିୟା କରିବି ? ହାତରେ ସମୟ ନ ଥିଲା, ପାଦରୁ ଧୂଳି ନେଇ ଗେଟ ଭିତରକୁ ପଶିଗଲି। ପଛକୁ ଅନେଇଲି, ଆଖି ଦଳୁଥିଲେ ଓକିଲ ଅଙ୍କଲ।

କିଛି ଲାଭ ହେଲା ନାହିଁ, ସିକ୍ୟୁରିଟି ଚେକ୍ ପାଖରେ ଜାମୁକୋଳି ବେଗଟିକୁ ରଖିନେଲେ ସିକ୍ୟୁରିଟି ଅଫିସର। ନେହୁରା ହେଲି, କିନ୍ତୁ ଦେଲେନି।

ୱେଟିଂ ହଲରେ ବସି ଅପେକ୍ଷା କରିଥିଲି ବୋର୍ଡିଂ ପାଇଁ। ସମ୍ପର୍କୀୟ ମାମୁଁ ସାଥିରେ ଥାଆନ୍ତି ସିକ୍ୟୁରିଟି ଚେକ ଆଡ଼କୁ ଅନେଇଲି, ବଡ ଖୁସିରେ ଜାମୁକୋଳି ଖାଉ ଥାଆନ୍ତି ସିକ୍ୟୁରିଟି କର୍ମଚାରୀ ମାନେ। ଇଚ୍ଛା ହେଉଥିଲା, ସେମାନଙ୍କ ପାଖକୁ ଯାଇ ଦୁଇ ଚାରିଟି ଜାମୁକୋଳି ମାଗନ୍ତି। ଭାବୁଥିଲି

କେସ ହାରିଲି, ଜାମୁ କୋଳି ହରେଇଲି ! ଜଣେ ଅତି ଦରଦୀ ମଣିଷ ଙ୍କୁ ଜିତିଲି ସର୍ବ ଶେଷରେ ଓକିଲ ଅଙ୍କଲ। ଅତି ନିଃସ୍ଵାର୍ଥପର ଭାବେ କେସ ଲଢ଼ିଲେ, ଗୋଟାଏ ବି ପଇସା ନେଇ ନ ଥିଲେ ଆମ ପାଖରୁ। ମୋ ହୃଦୟର ନିଭୃତ କୋଣରେ ଟିକିଏ ଜାଗା ରହିବ ତାଙ୍କ ଉଦ୍ଦେଶ୍ୟରେ, ସବୁଦିନ ପାଇଁ ।

ପନ୍ଦର ବର୍ଷ କଟିଗଲାଣି ଏହା ଭିତରେ।ବାହା ସାହା ହୋଇ ଦୁବାଇରେ ରହି ଯାଇଛି। ଭାରତକୁ ଆଉ ଫେରିନି। ଭାବୁଛି ଫେରିଲା ବେଳକୁ ଓକିଲ ଅଙ୍କଲଙ୍କ ପାଇଁ ଖଜୁରୀ କୋଳି ନେଇଯିବି ଦୁବାଇରୁ। 

ହଁ, ତାଙ୍କ ନାଁ ଟି ନ କହିଲେ ଘୋର ଅନ୍ୟାୟ ହେବ ତ ! ମୋ ଓକିଲ ଅଙ୍କଲ ନାଁ ପର୍ଶୁରାମ ପତି, ଶୁଣିଥିଲି ତାଙ୍କର ସେତେବେଳେ ପାଞ୍ଚ ବର୍ଷ ବୟସର ଝିଅ ଟିଏ ଥିଲା। ନାଁ ଟା ଉର୍ବଶୀ ବୋଧେ ।

ଗପ ଶେଷ ହେବା ବେଳକୁ ମୁଁ ସମୂର୍ଣ୍ଣ ଭିଜି ଯାଇଥିଲି। ମୋ ବାପାଙ୍କ ନାଁ ପର୍ଶୁରାମ ପତି ଆଉ ମୁଁ ହିଁ ଉର୍ବଶୀ ।

କି ସଂଯୋଗ, ମୁଁ କେବେ ଭାବି ନ ଥିଲି ଅଙ୍ଗେନିଭା କଥା ଟି ମୋ ବାପାଙ୍କୁ ନେଇ ଲେଖା ହୋଇଥିବ ବୋଲି ମୋ ବାପାଙ୍କ ଅସଲ ପରିଚୟ ସଙ୍ଗେ ପୁଙ୍ଖାନୁପୁଙ୍ଖ ଭାବେ ଜଡ଼ିତ କିଛି ଲୋକ ଏଇ ଦୁନିଆରେ ଅଛନ୍ତି, ଆଇ ସେଲ୍ୟୁଟ ଇଉ ମାଇ ଡାଡ ।

ହଁ, ଗପଟିକୁ ଲାଇକ କରି କମେଣ୍ଟରେ ଲେଖିଲି ସିଷ୍ଟର ! ହୃଦୟ ଛୁଆଁ ସତ କଥାଟି। ମୁଁ ହିଁ ସେଇ ହତଭାଗିନୀ ଝିଅ ଉର୍ବଶୀ। ଠିକ୍ କହିଛ ଦିଦି, ମୋ ବାପା ଠିକ୍ ସେମିତି। କଚେରୀ ପାଖରେ ଘୁରି ବୁଲନ୍ତି। ଅସହାୟ ଲୋକଙ୍କୁ ଯାଇ ପଚାରନ୍ତି, ଓକିଲ ଦରକାର ?

ହଁ, ଆଜି ପର୍ଯ୍ୟନ୍ତ ସେ ଛିଣ୍ଡା ଟାଇ ପିନ୍ଧୁଥିଲେ। ନୂଆ ଟାଇ ଟିଏ ଦେଇଥିଲି ତାଙ୍କୁ ତାଙ୍କ ଜନ୍ମ ଦିନରେ। ନୂଆ ଟାଇ ପିନ୍ଧି ବହୁତ ସ୍ମାର୍ଟ ଲାଗୁଥିଲେ ସେ।

ଦିଦି ! ଖଜୁରୀ କୋଳି ଆଣିବାକୁ ହେବନି, ମୋ ବାପା ଆଉ ଦୁନିଆରେ ନାହାନ୍ତି। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜୀବନ ହରେଇଲେ, ଦୁଇ ବର୍ଷ ଆଗରୁ। ଫୋନ ନମ୍ବର ଦିଅ, କଥା ହେବା। ବାପା ବାର ବାର ତୁମକୁ ଝିଅ ବୋଲି କହୁଥିଲେ ନା, ସେଇ ହିସାବରେ ତୁମେ ମୋ ବଡ ଭଉଣୀ, ମୋ ବାହାଘରକୁ ନିଶ୍ଚୟ ଆସିବ !


Rate this content
Log in

Similar oriya story from Classics