STORYMIRROR

Nityananda Nandi

Classics

3  

Nityananda Nandi

Classics

ଇତି, ସ୍ନେହର ଭଉଣୀ ରେଖା

ଇତି, ସ୍ନେହର ଭଉଣୀ ରେଖା

5 mins
36



ଭାଇ !

ପଳାଶ ପାଖୁଡ଼ା କୁ ଦେଖିଲେ ମନେ ହୁଏ , ସୌନ୍ଦର୍ଯ୍ୟର ଏକ ଐତିହାସିକ ବ୍ୟତିକ୍ରମ । କିନ୍ତୁ, ଜାଣିଛ ! ସମୟର ଚକ୍ରବାତରେ କେତେ ନିଷ୍ପେସିତ ସେ । ତାକୁ ଦେଖିଲେ ମୁହଁ ମୋଡ଼ି ଦିଅନ୍ତି ସମସ୍ତେ, ବାସ୍ନା କଣ ନିହାତି ଜରୁରୀ ଗୋଟାଏ ପରିଚୟ ପାଇଁ।  


ସମୟ ହିଁ ଭଗବାନ। ସେ ଚାହିଁଲେ ସବୁ କିଛି, ଶୁଷ୍କ ପଳାଶ ଫୁଲରେ ବି ବାସ୍ନା ମାଖି ହୋଇଯାଏ। କିନ୍ତୁ ସମୟ କେବେ ଚାହିଁ ନି ! ଆଜନ୍ମ ରୁ ଟିକିଏ ବାସ୍ନା ପାଇଁ ପଳାଶ ଟିଏ ମରୁଛି, ସ୍ବପ୍ନ ଦେଖୁଛି। ସବୁ ବୃଥା !


ସମୟ କେତେ ବଳବାନ ଭାଇ !!

ଆମ ଦୁଇ ଜଣ ଅଲଗା ହୋଇଗଲୁ, ସମୟ ଚୁପ ରହିଲା। ବିଚାରୀ ପଳାଶ ଫୁଲ ପରି ମୁଁ ବି ସମୟର ଆଘାତରେ ଦଗ୍ଧିଭୂତ ହେଲି। ନା ସୁବାସିତ ଫୁଲଟିଏ ହୋଇ ପାରିଲି ମାେ ଭାଇର ପାଦ ପାଖରେ ନା ଭାଇ ମତେ ହୃଦୟରେ ଜାଗା ଦେଲେ !!


ମୁଁ କଣ ଲେଖିଥିବି ଭାବି ତମେ ଡରିଯାଇ ଥିବ ନା !!! 

ଭଉଣୀ ଟିଏ ଭାଇକୁ କଣ ଲେଖିବ। ମନଟା ଅମାନିଆ ହୋଇ ବନ୍ୟାପ୍ଲାବିତ ହୋଇଗଲେ ଭାଇ ପାଇଁ କିଛି ମମତାର ବିସ୍ଫୋରଣ ହୁଏ, ମନ ଭିତରେ ବନ୍ଧ ସବୁ ସ୍ନେହର ସ୍ରୋତରେ ଖଣ୍ଡ ଖଣ୍ଡ ହୋଇ ଭାସି ଯାଏ। ଠିକ୍ କହିଲି ନା ଭାଇ।


ଭାବୁ ଥିବ ମୁଁ ଅଭିମାନ କରିଥିବି, ତମେ ମୋ ବାହାଘରକୁ କାହିଁକି ଆସିଲନି ! ସେଇଟା ତମର ବ୍ୟକ୍ତିଗତ ଇଚ୍ଛା ଓ ସିଦ୍ଧାନ୍ତ । ତମ ଜୀବନର ବିଶେଷ ଅଧିକାର ଭିତରେ ମୁଁ କାହିଁକି ହସ୍ତକ୍ଷେପ କରିବି ଭାଇ। ବାପା ଫୋନ କରିଥିଲେ ମୋ ସାମ୍ନାରେ। ତମେ ଫୋନ କାଟିଦେଲ। ମୋର ସବୁ ଇଚ୍ଛା ବରଫ ପାଲଟି ଯିବାପରେ ମୁଁ କେତେ ନିରୁପାୟ ଥିଲି ଜାଣିଛ !!


ଛ ବର୍ଷ ରୁ ଅଧିକ ହେବ ତମେ ଫୋନ କରିନ, ମୁଁ ବି କଥା ହୋଇନି ତମ ସାଥିରେ। ବେଳେ ବେଳେ ମନ ଭିତରେ କିଛି ଅଭିମାନ ଥିଲେ, ଆଗରେ ଥିବା ଅତି ନିଜର ସମ୍ପର୍କ ମାନଙ୍କୁ ଭୁଲି ନ ଯିବାର ବାହାନା ଟିକକ ମନ ଭିତରେ ସାଇତି ରହେ। ଆଉ କଣ ଅଛି ଯେ, ମଣିଷ ତ ସ୍ୱାଭିମାନ କୁ ନେଇ ବଞ୍ଚେ।


ଖାଲି ମୁଁ ମୋ ଜିଦ୍ ରେ ଅଟଳ ରହିଲି, ତମକୁ କହିଲି ସୁବଳ ଭଞ୍ଜ ନୀଚ ଜାତିରେ ହେଲେ କଣ ହେଲା, ମୁଁ ତାକୁ ହିଁ ବାହା ହେବି ! 

ତମେ ଉତକ୍ଷିପ୍ତ ହୋଇ ପଡ଼ିଲ, ଛୋଟ ପିଲାଙ୍କ ପରି ବାସନ କୁସନ ଫିଙ୍ଗି ଦେଲ ବାରଣ୍ଡାକୁ। ବାପା ମା ଚୁପ ରହିଲେ, ତଥାପି ତମ ରାଗ କମିଲା ନାହିଁ। ମାେ ଗାଲକୁ ଖିଚି ଦେଲ , ଲମ୍ବିବାର ଅତ୍ୟଧିକ ସୀମା ପର୍ଯ୍ୟନ୍ତ। ଓଃ, ସେ ଯନ୍ତ୍ରଣା ଆଜି ବି ଭୁଲିନି। କାର ଷ୍ଟାର୍ଟ କରି ଚାଲିଗଲ ସହରକୁ। ଡରୁ ଥିଲି, ଅନର କିଲିଂ କୁ ମୋର ଭାରି ଭୟ। ଧନ୍ୟବାଦ ଭାଇ, ତମେ ମତେ ମାରିବାକୁ ଚେଷ୍ଟା ବି କରିନ।


ତମେ ଚାହିଁଥିଲେ ମାେ ବାହାଘରକୁ ଆସି ପାରିଥାଆନ୍ତ ଭାଇ। ଜାତିରେ କମ୍ ହେଲେ ବି ସୁବଳ ବହୁତ ଭଲ ମଣିଷ ଟିଏ, So caring !!!

କେବେ କିଛି କହନ୍ତିନି। ଆମ ବାପାଙ୍କ ପରି ଭୋଳା ମହେଶ୍ୱର। ଯାହା କହିଲେ ହଁ, ଭରନ୍ତି । ଯଦି କେବେ ଆସ, ତମେ ବି ତାକୁ ପସନ୍ଦ କରିବ ଭାଇ। ହୃଦୟରୁ ହୃଦୟ ପର୍ଯ୍ୟନ୍ତ ଦୂରତା ଯଦି ଖାଲି ଆଖିରେ ମାପି ହୁଏ, ତେବେ ଜାତି କଥା ମନକୁ ଆସିବ କେଉଁଠୁ ! ଜୀବନର ଚାରି ଛକରେ ଛିଡ଼ା ହୋଇ ରାସ୍ତା ବାଛିବା ସମୟରେ କେହି ଯଦି ହାତ ଧରି ଠିକ୍ ରାସ୍ତାରେ ପହଞ୍ଚେଇ ଦିଏ, ସେ ହିଁ ତ ସାଙ୍ଗ। ଭିଡ ଭିତରୁ ସମସ୍ତେ କଣ ସାହାଯ୍ୟର ହାତ ବଢ଼େଇ ପାରନ୍ତି ଭାଇ !! ମାେ ବିପଦ ଆପଦ ରେ ମାେ ପାଦ ଚିହ୍ନ ସାଉଁଟି ସାଉଁଟି ମୋତେ ସେ ଖୋଜି ନିଅନ୍ତି। ଜାତି ପ୍ରଥା ମନ ଭିତରେ ଗୋଟାଏ ଅସହଜ ଅଳୁନ୍ଦି , ଆଖିକୁ ସ୍ପଷ୍ଟ ଦେଖିବାକୁ ଦିଏନି। 


ମହାଭାରତ ଯୁଦ୍ଧରେ କେହି କଣ ପଛଘୁଞ୍ଚା ଦେଲା। ଆମ ଛୋଟ ପରିବାରରେ ଏଇଟା ବି ଗୋଟେ ଛୋଟ ମହାଭାରତ। ତମେ କୌରବ ମାନଙ୍କ ପରି ଜିଦ୍ ରେ ଅଟଳ ରହିଲ, ମୁଁ ପାଣ୍ଡବ ମାନଙ୍କ ପରି ସ୍ୱାଭିମାନକୁ ମଥାରେ ଲଦି ଶାଶୁ ଘରକୁ ଚାଲି ଆସିଲି।


ବେଳେ ବେଳେ ଭାବେ, ଯେଉ

ଁ ଭାଇ ଏତେ ସ୍ନେହ ଦେଉଥିଲା ସେ ବଦଳି ଗଲା କେମିତି।

ଆମେ ଛୋଟ ଥିଲୁ, କ୍ରିକେଟ ଖେଳୁଥିଲୁ ଆମ ଘର ସାମ୍ନା ପଡ଼ିଆରେ। ତମେ ଅମ୍ପେୟାର ଥିଲ ସେଦିନ। ତୃତୀୟ ରନ ଟି ନେଉ ନେଉ ମୁଁ ଲାଇନ୍ ଛୁଇଁବା ଆଗରୁ କିଏ ଜଣେ ଷ୍ଟମ୍ପ ଭାଙ୍ଗିଦେଲା। ସମସ୍ତେ ଆଉଟ୍, ଆଉଟ୍ ଚିତ୍କାର କଲେ, ମୁଁ କିନ୍ତୁ କ୍ରିଜ୍ ଛାଡିଲି ନାହିଁ। ଛୋଟ ବୟସରେ ତମେ ସତ୍ୟବାଦୀ ବୋଲି ଗାଁରେ ସମସ୍ତ ବହୁତ ଭରସା କରନ୍ତି, ଫିଲ୍ଡର ମାନେ ମଧ୍ୟ ବହୁତ ଭରସା କରି ଥିଲେ ତମ ଉପରେ। ତମେ କିନ୍ତୁ ଜାଣି ଶୁଣି ଭୁଲ ଡିସିସନ ଦେଲ। ସେଦିନ ତମେ ନଟ ଆଉଟ୍ ଡିସିସନ ଦେଇ ମୋ ମନଟା କିଣି ନେଇଥିଲ ଭାଇ। କନସାଇନ୍ସ ବ୍ୟବହାର କରିବାର ବୟସ ବି ହୋଇ ନ ଥିଲା। ସେଇ ବୟସରେ ସତ ଠାରୁ ମିଛ ହିଁ ବେଶି ଚାଲେ। ଲାଇନ ଛୁଇଁ ନ ଥିଲି, ତମେ ବି ଭଲଭାବେ ଜାଣି ଥିଲ ମୁଁ ଲାଇନ୍ ଛୁଇଁନି। ସାନ ଭଉଣୀର ମନ ରଖିବା ପାଇଁ ତମେ ତମ ନିଷ୍ଠାର ବଳିଦାନ ଦେଲ। ଆଜି ଭାବିଲେ ହସ ଲାଗେ। ଭଉଣୀ ପାଇଁ ଭାଇ କିଛି ବି କରିପାରେ। ସେଇଥି ପାଇଁ ଲୋକେ କହନ୍ତି, ଭାଇ ହିଁ ସୁରକ୍ଷା କବଚ ଭଉଣୀ ଟିଏ ପାଇଁ। ଆସନ୍ତା ସୋମବାର ଦିନ ରାକ୍ଷୀ ଉତ୍ସବ, ଏଇ ଚିଠି ଭିତରେ ତମ ପାଇଁ ରାକ୍ଷୀ ପଠେଇଛି।


ଆଉ ଗୋଟାଏ କଥା, ତମର ମନେ ଥିବ କି ନାହିଁ କେଜାଣି। ସେଦିନ ବଡ଼ ବାପା ଙ୍କ ଝିଅ ଲିଜା କୁ ଦେଖିବା ପାଇଁ କିଛି ଲୋକ ଆସିଥିଲେ ପାଖ ଗାଁରୁ। ସେମାନେ ଯିବା ପରେ ଆମେ ସମସ୍ତେ ଖାଇ ବସିଲୁ। ଗୋଟାଏ ମାଛ ଭଜା ବଳିଥିଲା। ବୋଉ ମୋତେ ଦେବ ନା ତମକୁ। ବୋଉର ମୁଣ୍ଡ କାମ କଲାନି। ତମ ଭାତ ଭିତରେ ଲୁଚେଇ ତୋତେ ହିଁ ଦେଇଥିଲା,ଦୂରରୁ ଥାଇ ମୁଁ ଦେଖି ନେଇଥିଲି, ବୋଉ କିନ୍ତୁ ଜାଣି ନ ଥିଲା, ମୁଁ ଦେଖିଛି ବୋଲି। ମୁଁ ଖାଇ ବସିଲି , ସେ ମାଛ ଭଜାଟିକୁ ମାେ ଭାତ ଭିତରେ ତମେ ରଖିଦେଇ ଥିଲ। ବୋଉର ମନ ଦୁଃଖ ହେବ ବୋଲି ବେଶି ହାଲା ଗୋଲା କଲିନି । ବୋଉ ତୁମକୁ ଭଲପାଏ, ଆଉ ତୁମେ ସେଇ ଭଲ ପାଇବା ମତେ ଦେଇ ଦିଅ। ଭଲ ପାଇବାର ଏଇ ଦିଆ ନିଆ ହିଁ ଜୀବନର ସାରାଂଶ ଭାଇ ! ମୋତେ ଯଦି ତୁମେ ଭଲ ପାଅନି, ତେବେ ମାଛ ଭଜା ମାେ ଭାତରେ ଲୁଚେଇଥିଲ କାହିଁକି ? ଜୀବନରେ ଅନେକ କଥା, ନ ବୁଝି ବି ବୁଝିଲା ଭଳି ଲାଗେ ଭାଇ। ମୁଁ ମୋ ଭାଇ ପାଇଁ ଗର୍ବ କରି ବସିଲି। କିନ୍ତୁ ପାଇଲି କଣ, ତମେ ମୋ ବାହାଘରକୁ ଆସିଲନି।


ଭାଇ ପାଇଁ ହୃଦୟରେ ଦ୍ଵାର ନ ଥାଏ ! ଦ୍ଵାର ନ ଥିଲେ ହୃଦୟରେ କାନ୍ଥ ର ମୂଲ୍ୟ କଣ। ଦୁଃଖ ଆସି ନିର୍ଦ୍ଵନ୍ଦରେ ବସା ବାନ୍ଧିଲା। ସମୟ ନିଜେ ଆସି ଛିଡା ହେଲା ବିଶାଳ ପ୍ରାଚୀର ହୋଇ ଆମ ଦୁହିଁଙ୍କ ଭିତରେ।


ବୋଉ ଠିକ ମୋ ବାହାଘର ପୂର୍ବରୁ ମରିଗଲା। ବାପା ଆଉ ଅପେକ୍ଷା କରିବା ପାଇଁ ଇଚ୍ଛା କଲେ ନାହିଁ। ବାପାଙ୍କ ଭିତରେ ମୁଁ ମୋ ବୋଉକୁ ବି ଦେଖିଲି, ଦୁନିଆ ବାବଦରେ କିଛି ବୁଝୁ ନ ଥିବା ଭୋଳା ମହେଶ୍ୱର ମାେ ବାବାଙ୍କୁ ଫୁଟ ଫୁଟ କରି କାନ୍ଦିବାର ମୁଁ ଦେଖିଲି, ମାେ ବିଦାୟ ବେଳାରେ। ମୁଁ ଭିଡ଼ି ଧରିଲି ବାବାଙ୍କୁ। ତମେ ଥିଲେ ବାବାଙ୍କୁ ସାନ୍ତ୍ଵନା ଟିକିଏ ଦେଇ ଥାଆନ୍ତ ନା ! ବୋଉ ଥିଲେ ବାବା କାନ୍ଦି ବି ନ ଥା'ନ୍ତେ।


ଜାଣିଛ ନା ଭାଇ, ବିଦାୟ ବେଳେ ବାପା କାନ ପାଖରେ କଣ କହିଲେ, କହିଲେ ତ ଭାଇ କିନ୍ତୁ ସେମିତି ନୁହଁ, ତା ବାହା ଘରକୁ ନିଶ୍ଚୟ ଆସିବୁ। ମୁଁ ଆହୁରି କାନ୍ଦିଲି..ବାପା ଡରି ଯାଇ ଚୁପ ହୋଇଗଲେ। ଆହୁରି କାହିଁକି କାନ୍ଦିଲି ଜାଣିଛ, ତମ କଥା ବାବା ମନେ ପକେଇ ଦେଲେ। କୋଉଠୁ ମୁଁ ପଢ଼ିଥିଲି ମନେ ନାହିଁ, ଜୀବନ ଟା ଏତେ ସହଜ ନୁହଁ, ନିଜକୁ କଠୋର କରି ଜୀବନ କାନ୍ଧରେ କାନ୍ଧ ମିଳାଇ ଆଗେଇ ବାକୁ ହୁଏ । ସମୟ ସବୁବେଳେ କଷ୍ଟ ଦାୟକ, ଭାଇ। ତାକୁ ବୁଝେଇ ଶୁଖେଇ ଜୀବନ ଯାତ୍ରାର ନକ୍ସା ଆଙ୍କିବାକୁ ହୁଏ।

ଭାବିଥିଲି ମୁଁ ବି ତମ ବାହାଘର କୁ ଆସିବିନି !

ବାପାଙ୍କ ମନ ରଖିବା ପାଇଁ , ମୁଁ ତମ ବାହାଘରକୁ ଆସିବି ଭାଇ। ନିଶ୍ଚୟ ଆସିବି। ତମ ପସନ୍ଦର ରାକ୍ଷୀ ପଠେଇଛି, ପିନ୍ଧିବ...

ଇତି

ସ୍ନେହର ଭଉଣୀ ରେଖା



Rate this content
Log in

Similar oriya story from Classics