ଈଶ୍ବର
ଈଶ୍ବର
ପ୍ରତୀକ ମୂର୍ତ୍ତି: ରିକ୍ତ ହସ୍ତେ ବହିରଙ୍ଗ ସାଧନା ।କଠିନ ।
ମୋତେ ପାଇବାକୁ କି ମୋଠୁ କିଛି ପାଇବା,ମାଗିବା ଆଶାରେ ଖୋଜୁଛ କି ? ମୁଁ କୋଉଠି ଅଛି, କଣ କରୁଛି ଆସ କହିବି ।
ତପଃ : ମନ ଓ ଶାରିରୀକ କଷ୍ଟ କୁ ସହିଯିବା ଏକ ମହତ୍ ଉଦ୍ଦେଶ୍ୟ ସାଧନେ
ଅଠର ମାସରୁ ପେଟରେ ଥିଲି ମୁଁ ।ଥୋରରେ ଜଳାଶୟୀ କରି ମାଆ ମୋର ପାଣି ସିଞ୍ଚି ଦେଉଥିଲା ତା ପେଟରେ, ମୁଁ ଅନୁଭବୁଥିଲି ଜଳଧାରର ଅମ୍ଲାନ ଆନନ୍ଦକୁ ।ଆକାଶେ ନୀଳ ରଙ୍ଗ ମୋ ଆଖିରେ ସ୍ବପ୍ନ ସାଜି ଲେସି ହେଇଯାଉଥିଲେ ।ଆଜି ଶେଷ ଥର ପାଇଁ କଡ ଲେଉଟାଇ ବାହାରିଆସିଥାନ୍ତି ମୁଁ ମାଟିର ମହକ ଛୁଇଁ ଆକାଶକୁ ଡାହି ଡାହି ସବୁଜିମା ଭେଦି ନିରେଖିବାକୁ ।ମୁଁ ଭୃଣ ମାତଙ୍ଗ ଟେ ତପଃ ରେ।
ଏବେ ଚାରିଆଡେ ଖେଳେଇ ପଡିଛି ଖାଲି ଆଇଭୋରୀ ଦାନ୍ତର ବନ୍ତ ।
ଜପଃ: ନିରନ୍ତର ଆବର୍ତ୍ତନରେ ନାମଜପ
କୌତୁକିଆ ବୋଲି ମୁଁ ସୁନେଲି ଟିପା ଟିପା ଦେହ ସାରା ନାଇ ଟିକି ଲାଞ୍ଜଟିକୁ ଫରଫରେଇ ଏମିତି ଛିଟିକି ଛିଟିକି ଡିଏଁ ଯେ ଚିତ୍ରକରର ବିଚିକ୍ଷଣ ମନ ଆଉ ତୀକ୍ଷ୍ଣ ଆଖି ବି ସ୍ଥିର ଛବିଟେ ତୋଳି ପାରେନି ମୋର ଶତଚେଷ୍ଠା ପରେ ।ଆଜି ବି ମାଆ ଚାଟୁଥିଲା ଶରଧା ବୋଳି ବୋଳି ପିଠି ସାରା ଆଉ କୁଦୁଥିଲି ମୁଁ ତା ଚାରିକରେ ଅଗନାକରେ ବସିଥିବା ତିତିଲି ଟିକୁ ଚାହୁଁ ଚାହୁଁ ।ହଠାତ୍ ସାରା ଜଙ୍ଗଲ ଘରଟା ଆମର ମୋ ପିଠି ପରି ସୁନେଲି ସୁନାଘେରା ରଙ୍ଗ ଚଢି ଆସୁଥିଲା ।ମାଆ ମତେ ବୁଦାକୁ ପେଲିଦେଇ ଧାଉଁଥିଲା, ଆଉ ଚାହୁଁଥିଲା ବୁଲି ବୁଲି ...ଆଖିରେ ତାର କରୁଣା ଓ କ୍ଲୀଷ୍ଟ ଏକାଠି... ଆଜି ତା ପେଟ ତଳ ଶିତଳତା ଭାରି ଜଳୁଥିଲା ।
ମୁଁ ଶୈଶବ ରେ ଥିବା ଚଉଶିଙ୍ଗା କୃଷ୍ଣସାର ମୃଗଶିଶୁଟେ ।ମୁଁ କୋଉ ଫେରିଥିଲି ଯେ ।ମଗ୍ନତା ମୋର ଏବେ ଜପରେ ।
ଏଇ ତ ଏଠି ସେଠି ସବୁଠି ମେଞ୍ଚା ମେଞ୍ଚା ଦଗ୍ଧମାଂସ ।
ତୀର୍ଥ : ସାନିଧ୍ଯ ସତ୍ ର
ମୁଁ ସେଇ ଯିଏ ତପସ୍ୟା କରେ ହଜାରେ ଧିକାରକୁ ସହି ନିବୁଜ ପ୍ଯୁପା ଭିତରେ ।ନିଜ ଲାଳ ଅଠାର କୋକନ ର ନିର୍ଲିପ୍ତ ଅନ୍ତରାଳରେ ଯୁଗଟେରୁ ।ଅପେକ୍ଷା ତ ଥିଲା ଏଇ ଫଗୁଣେ ଫିଟେଇଦେବି ଅଫୁରନ୍ତ ଫୁଆର ଡେଣାରେ ମୋର ରଙ୍ଗେଇ ସ୍ପନ୍ଦନ ସ୍ପନ୍ଦନ ମୋ ସ୍ପର୍ଶରେ ।ହେଲେ ଇଛ୍ଛାଟେ ଅଭିଶପ୍ତ ହେଲା ପରେ ବହ୍ନିଧୂମା ଚାରିଆଡେ ।ଛାଟ ଛିଟ ଯିଏ ଖୋଲିରଖିଥିଲି ଗବାକ୍ଷ ସାଜିବାକୁ ସାକ୍ଷୀଟିଏ ଚମତ୍କାର ର ନିଜ ସାନିଧ୍ଯେ ସ୍ବୟଂ ।ମୁଁ ଛୋଟ ପ୍ରଜାପତି ଚାଲିଗଲି ଅଭିପ୍ସାର ତୀର୍ଥ ରେ ।
ଉଡୁଥିଲି ଯେ ଧରିବାକୁ ନୀଳିମା, ହାତେ ଧରାଦେଲା ଲାଲିମା ଆପେ ।
ଉପାସନା: ଈଶ୍ବର ଚିନ୍ତନେ ସମିପାବର୍ତ୍ତି ସର୍ବବ୍ଯାପକ ସତ୍ତାଙ୍କର ଅଭିପ୍ସା
ବିଲୁପ୍ତ ବୋଲି ସଂରକ୍ଷିତ ଥିଲି ମୁଁ ସଯତ୍ନେ ।
ଚାରୋଟି ଶାବକ ମୋର ଖେଳୁଥିଲେ ଚତୁର୍ପାର୍ଶ୍ବେ ।ଶିଖୁଥିଲେ ଗଛଚଢୁଥିବା, ସନ୍ତରଣରତ ହେବା । ଶାର୍ଦ୍ଧୁଳ ଶିଶୁ ମାନଙ୍କୁ ଶିଖେଇବାକୁ ହୁଏନି ହିଂସ୍ରତା ।ଦୁଇଟି ବର୍ଷ ମାଆ କୋଳଆଶ୍ରା ପରେ ନିଜେ ରାଜା ।ଏଇ ଦୁଇଟି ବର୍ଷ ଅମୃତମୟ, ସ୍ନିଗ୍ଧ ,ପ୍ରଯତ୍ନେ ଉପବେଶିତ ।ତା'ପର ହୁଙ୍କାର କିନ୍ତୁ ଆଉ କେହି ଶୁଣିବେନି ଅନନ୍ତ କାଳ ଯାଏ ଏଥର ।
ଶହେ ପାଞ୍ଚ ଦିନୁ ପାଳୁଥିଲି ଆଉ ତିନୋଟିକୁ ଅଭ୍ଯନ୍ତରେ ।ସ୍ବପ୍ନିଳ ଆଭାରେ ଉଦ୍ଭାସିତ ହେଉଥିଲେ ତିନିହେଁ ଗର୍ଭରେ ।ଉକୁଟି ଉଠିଥାନ୍ତେ ପଟାପଟିଆ ନାରଙ୍ଗୀ କଳା କରେ କରେ ସୁନେଲୀ ଧାରେ ଭୂଲମ୍ବ ରେଖାଗାର ଦେହ ସାରା ତାଙ୍କର ।ମାତୃତ୍ବ ଏକ ଉପସନା ପ୍ରତି ପ୍ରାଣରେ
କିନ୍ତୁ ବିସ୍ତରି ଗଲା ନାରଙ୍ଗୀମା ଗଗନେ ପବନେ ।
ଅଧିଶ୍ବର ର ଅହଂ ବା କେତେ କ୍ଷୀଣ ଏଇ ଅଗ୍ନି ର ଅଭିମାନ ସମ୍ମୁଖେ ।
ବିଚାର: ବୈଦିକ ( ସନାତନ ) ସାଧନା ଚେତନା ର ଉନ୍ନତି ପଥେ ଏବଂ
ଓ ବ୍ରତ: ଦୃଢ ସଂଙ୍କଳ୍ପ ,ଅନୁଶାସନ ସଦା ଚଞ୍ଚଳ, ଅମାନିଆ ମନକୁ
ମୁଁ ରକ୍ତିମ ରକ୍ତ ବର୍ଣ୍ଣାଳୀ ଶିମୁଳି ।ମୋ ନାଁ ରେ ପୁରା ବଣ ।ମୋ ଅସ୍ମିତା ମୋ ରଙ୍ଗ ।ପଞ୍ଚ ପାଖୁଡାର କଳିକା, କୋଷିକା, କୁସୁମିତାରେ ଲଦା ଲଦା ଭରା ଭରା ମୋ ଡାହି ଡାହି ।ଶାଖାୟିତ ପ୍ରତି ଶାଖା ସହସ୍ରଧାରାରେ ।ଖୋଲି ଧରି ଦଣ୍ଡାୟମାନ ମୁଁ ପ୍ରସସ୍ତ ହାତରେ, କଅଁଳ ଇଛ୍ଛା ଟେ ..... ଛୁଇଁଦେବି 'ଖ' କୁ ଖଗ ପରି ।ନିର୍ଲିପ୍ତ ନିରୀହ କୋମଳତା ।ମୁଁ ଘରଟେ ମାତ୍ର ଅସଂଖ୍ୟ କଥାକୁହା ,ଚଞ୍ଚୁଘସା ହଳଦୀବସନ୍ତର, କପୋତର, କୁମ୍ଭାଟୁଆର, କାଠହଣାର, ବାଇର,ଘରଚଟିଆର, କୋଇଲିର, ଆହୁରି କେତେ ଯାତିଯାତିଆ ବିହଙ୍ଗମ ମାନଙ୍କର ।ବାନର, ସର୍ପ, ଗୁଣ୍ଡୁଚି, ପିପିଲିକା, ନେଉଳ, ହଜାରେ ପ୍ରକାରେ ପୋକର,ଜୋକର ।
ଚାକ୍ଷୁଷ ପ୍ରଦର୍ଶିତ ଲେଲିହାନ ଶିଖା ସବୁ ଶାଖାରୁ ଶାଖାକୁ ଡେଉଁ ଥିଲେ ସେଦିନ ।ତୁଳା ତୁଳା ଫଳ ମୋର ଆଦରି କୋଳେଇ ମେଲେଇ ଦେଉଥାନ୍ତି ଝୁଲ ମାନଙ୍କୁ ବଡ କରି କ୍ଷଣଟିଏ ରେ ।ପରିବ୍ଯାପ୍ତ ହେଉଥାଏ ମୁଁ ଭିନ୍ନ ଏକ ରୂପରେ ଯନ୍ତ୍ରଣା ସବୁକୁ ବୁକୁରେ ଚାପିଧରି ।
ମୋ ଦେହ ସାରା ଫୋଟକା, ଅଧା ଚମ ସିଝା ସିଝା, ଜରଜର ଲାଲି ପଡିଛି ।ପୋଡାବାଇଗଣ ଦେଖିଛି ଟି ,ସେମିତି ଧରୁ ଧରୁ ଖୋଳ ଛାଡିବ ।ଆଉ ଫାଳେ ଦେହ ଭସ୍ମ ।ସାବଧାନ ।ଛୁଇଁବନି, ଛୁଇଁବନି ।ଝରିଯାଇ ଅସ୍ତିତ୍ଵ ହରେଇବି ଅଚିରେ ।ଆଉ ବର୍ଣ୍ଣବିଭା ଖୋଜିବନି କି ଜାଙ୍ଗୁଲୁ ଜାଙ୍ଗୁଲୁ ଅନ୍ଧାର ତଳେ ଲୁଚା ଲୁଚା ସଜ ପ୍ରକୃତି କୁ ଲୋଡିବନି ମନେରଖ ।ମୋ ଦେହର ଜ୍ବଳନ ଏଯାଏ କମିନି ।ଦଗ୍ଧ ହେଇନି ମୁଁ ତୁମ ପ୍ରତି କିଛି ବି କ୍ରୋଧାଗ୍ନି କୁ ପୋଷି ।ତୁମେ ତିଆରୁଥିବା ଜୁଇରେ କିଏ ତ ଜଳିଥାନ୍ତା ଆଗେ ।ତେବେ ମୁଁ କାଇଁ ନୁହେଁ ।ଟାଣିନେଲି ଯେ ,ମତେ କି ଜଣାଥିଲା ଏମିତି ଦଗ୍ଧୀଭୂତ ହବ ଗଗନ ପବନ ।ଯେତେ ହେଲେ ନିଆଁ, ସେ ତାର ସ୍ବଧର୍ମେ ରହିବ ହି ।ମତେ ଖାଲି ଜଣାଥାଏ ଅମାପ ପ୍ରେମ, ଲହଡି ଲହଡି ପ୍ରେମ ।ସେଥିପାଇଁ ବୋଧେ ମୋ ଭାଗରେ କୁଢ କୁଢ କଷ୍ଟ ।ତମେ ସମସ୍ତେ ମୋଠି ଗୁହାରି କରୁଥାଅ ଦିନରାତି ଲାଘବିବାକୁ ତମ ବୋଝ ଭାର ।ହେଲେ ରିକ୍ତହସ୍ତ ମୁଁ ।ଦେଖ ନିଜକୁ କି ବଞ୍ଚେଇପାରିଲି ତିଳ ତିଳ ଫାଳ ଫାଳ ହେଇ ଜଳିଗଲା ବେଳେ? ପିଙ୍ଗଳ ନୀଳ ଲୋହିତ ବହ୍ନି ର ପୀତ ସ୍ବର୍ଣ୍ଣାଭ ଜୀଭ ଲହରେଇ ଲହରେଇ ବ୍ଯାପୁଥିଲା କିଲୋମିଟର କିଲୋମିଟର ।ପ୍ରତିଟି ସବୁଜ ଦୁର୍ବାରେ ମୁଁ ଛଟପଟଉଥିଲି ।ଅଗ୍ନିଜ୍ବାଳା ମୋ ପାଦରୁ ଜାନୁ କମର ବେଷ୍ଟନ କରି ଧିରେ ଧିରେ ଶିଖରକୁ ଚଢିବାରେ ଲାଗିଥିଲା ।ମହାଜଳା ବହ୍ନିରେ ଭୁ ଠୁ ଶୂନ୍ୟ ଯାଏ ସବୁ ଦହିହେଲେ ।ଅନଳର ତେଜ ପ୍ରଚଣ୍ଡ ରୂପା ।ମୋ ବଶରେ ନଥିଲେ ।ପାଳଗଦାରେ ଚଟ୍ କି ନିଆଁ ଧରେ ।ତପନ ତାପ ରେ ତପିତ ଶୁଷ୍କ ପଲ୍ଲବ, ପର୍ଣ୍ଣ, ସବୁ ଯେମିତି ଭୟାତୁର ଥିଲେ ।ବାସ୍ ଜଳିଗଲେ ଅକ୍ଲେଶ ରେ ମୂହୁର୍ତ୍ତଟକରେ ।ବିଚାର ସବୁ ଦୋହଲୁ ଥିଲେ ସମୀରରେ ଅନଳର ଛବି ଆଙ୍କି ।
ମୁଁ ଅଦୃଶ୍ୟ ହେଲି ।ବାଦଲରେ ପରିବର୍ତ୍ତିତ ହେଇ ଶୂନ୍ୟ ରେ ହଜିଲି ।ଭାସିଗଲି ଭାସିଗଲି ଦୂରେ କାହି ଦୂରେ ।ଦିଶିଲା ଦରିଆ ।ଶିତଳି ଗଲା ପିଣ୍ଡ ଶିଥିଳ ହୋଇ ।ଭାରି ହୋଇଗଲି ବୁନ୍ଦ ବୁନ୍ଦ ଭାରରେ ।କୃଷ୍ଣରୂପା ଦିଶିଲି ଫଗୁଣର ଫଗୁବୋଳା ଆକାଶରେ ବି ।ତଥାପି ସେଇ ଧୁ ଧୁ ଜଳୁଥିବା ମୁଲକ ମୁଲକ ବଣର ପୋଡା ଗନ୍ଧ ବିବ୍ରତ କରୁଥିଲା ।ନିଃସଙ୍ଗତା ନା ଏକାକୀତ୍ବ ଗୋଡଉଥିଲା ମୋ ପଛେ ପଛେ ସବୁ ରୂପରେ ଥର ଥର କି ସହସ୍ରାଥର ଜଳିଯିବା ପରେ ,ଭୟରେ ।ଏକାକୀତ୍ବ ଟି କାଳେ ଖୁବ ଜରୁରୀ ହୋଇପଡେ କେବେ କେବେ ଗଢିବାକୁ ନିଜକୁ ।ମୁଁ ତ ଭସ୍ମ ମୁଠାଏ ରୁ ଜଳଦ ଗଦାଏରେ ବଦଳସାରିଥିଲି ।ଚିହ୍ନୁଥିଲି ନିଜକୁ ନୂଆ ରୂପରେ ।ସଂଙ୍କଳ୍ପ ନେଉଥିଲି ପରିପୂରକ ହେବାକୁ ପରିବର୍ତ୍ତନର ।ମୋହରୁ ମୁକୁଳି ନ ହେବା ସେଇ ଇଲାକାରେ ଟାଙ୍ଗି ହେବା ପରି ଝୁଲନ୍ତ ତ୍ରିଶଙ୍କୁ ।ମାଡି ମାଡି ପଡିଲା ନିଜ କଥା ନିଜ ଉପରେ । ଝରିଗଲି ଏକାନିଶ୍ବାସକେ ସଦା ସବୁଜ ପଞ୍ଚପାଖୁଡିଆ ନାଲି ଫୁଲ ବଣର ଜଳା କଳାମାଟିଆ ଛାତି ଉପରେ ।ସେଁ କରି ନିଶ୍ବାସ ଫେରେଇଲା ସେ ତଳୁ ।କାନ୍ଦିଲି ମନ ଭରି ।ଲିଭେଇଦେଲି ଚିଙ୍ଗାରି ର ଶେଷ ବୁନ୍ଦା ଏକ ଦୃଢ ଜିଦ୍ ରେ ।ଅଙ୍ଗାର ବି ଚିକ୍ ଚିକ୍ କରେ ପାଣିର ଛୁଆଁରେ ।
ମୁଁ ବିବଶ ଈଶ୍ବର ।ବଦଳଉଥାଏ, ଧାଉଁଥାଏ ଅହର୍ନିଶି ଏ ରୂପରୁ ସେ ରୂପକୁ ପଡି ଉଠି ।ଭୋଗୁଥାଏ ମୂହୁର୍ତ୍ତ ସବୁକୁ ଝାଳ,ଲୁହ,ହସ,ଲହୁ ଦେଇ ।
ଟିକେ ଶୋଇପଡନ୍ତି କି ।ଟୋପେ ବିଶ୍ରାମ ଲୋଡା ।
ହେଲେ ନୂଆ ଘାସ ହେଇ କଅଁଳିବ କିଏ, ସ୍ବପ୍ନ ସବୁକୁ ଗୋଟି ଗୋଟି ବାଛି ବୁଣିବ କିଏ !
ମୁଁ ପରା ଈଶ୍ବର ,ଶୋଇବାର ଅବକାଶ କାହିଁ ?
