Lopamudra Parida

Drama Action

4  

Lopamudra Parida

Drama Action

ଇଭ୍ ର ମଟର ଦାନା

ଇଭ୍ ର ମଟର ଦାନା

9 mins
165



ବସ ର ପୁରା ଆଗ ସିଟ୍ ଟା ଜାଣି ଭଲ । ଟିକେ ଗୋଡ ଲମ୍ବା କରି ବସି ପାରିବ ମଣିଷ । ସକାଳୁ ଆଠ ବାଜି ନଥିଲା ବାହାରିଥିଲା ଘରୁ, କଣ ଦିଟା ପାଟିରେ ପୁରେଇ ।କଲେଜ ସରିଗଲାଣି । ଲାଗୁଥିଲା ଏଇ କଲେଜର ଚାରିଟି ବର୍ଷ ସରିବ କି ନାହିଁ ଚାକିରି ଯେମିତି ଥୁଆ । କ୍ୟାରିଅର୍ ବି ତ କିଛି ଖରାପ ନୁହେଁ, କୋଉଠି ଝୁଣ୍ଟିନି କି ଆଣ୍ଠେଇନି । ଆଗେଇଛି, ସାବାସୀ ପାଇଛି । ଏବେ ଏଇଠି କିଛି ଏମିତି ତୀରକମାଣ ଧରିଲା ପରି କଥା ନୁହେଁ । ସମସ୍ତେ ତରାଜୁର ଗୋଟିଏ ପଟରେ ।


ବୟସ ର ଏଇ ଡେଣାଲଖା ଗତିଚଳନରେ ଲାଗେ ହେଇ ହାତ ମୁଠାରେ ଆକାଶ । ମାୟାମିରିଗ ପଛରେ ଧାଇଁବା ଆରମ୍ଭି ନ ଥାଏ ତ ଜୀବନ ବୋଧେ ସେଇଥି ଲାଗି ।


ହେଲେ ଏବେ ଏବେ ଲାଗୁଛି କଲେଜ ଦିନ ସବୁ ଗୋଟେ ମପାଚୁପା ବନ୍ଦ ବାକ୍ସର ରଙ୍ଗମଖା ସ୍ବପ୍ନ ପରି, ଲୁଡୁପାଲିରେ ପଡୁଥିବା ଲାଗ ଲାଗ ତିନି ଛଅ ପରି । ଲାଗୁଥିବା ବହୁତ ଜିନିଷ ହୁଏନି । ସତ ଥିଲେ ସିନା ଧରାଦିଅନ୍ତା, ମରିଚିକା ତ ଚହଲା ପାଣି ବି ନୁହେଁ ।ପ୍ରଥମେ ପ୍ରଥମେ ଅନ୍ବେଷଣ ରେ ବାହାରିଥିବା ପାଦ ଦିଟା ବଡ ଆଗ୍ରହ, ଉତ୍ସାହ ନେଇ ଆଗଉଥିଲେ, ଆଜି ଯେମିତି ଫେରିଲା ବେଳେ ହି ଧରି ଆସିବି ନିଯୁକ୍ତି ପତ୍ର ର ନିଶ୍ଚିତତା । ହେଲେ ଏବେ ଏବେ ସେ ଆଦିଦାସ ଲେଖା ଜୋତା ହଳକ ବି ବୁଝିଗଲେଣି । ଗଲାବେଳେ ଅତର ମଖା କମିଜ ଟା ଅତଳ ଅନ୍ଧାର କୁ ଅଣ୍ଡାଳି ଅଣ୍ଡାଳି ଫେରିବା ବେଳେ ସେଇ ହଳକ ଜୋତା ହି ତ ତାକୁ ଜବରଦସ୍ତ ଟାଣି ଆଣି ପକେଇ ଦିଅନ୍ତି ଘର ଦରଜା ବାହାରେ, 'ଯା ଭିତରକୁ' କହି ।


ସିଏ ଫେରିପାଏ ନିଶ୍ବାସ, ଫାଟକରେ ଝୁଲୁଥିବା ବାପାଙ୍କ ନାମଫଳକକୁ ଦେଖି ।ଆଉ ବାପା ..... ଫାଟକ ଖୋଲା ଶବ୍ଦ ରୁ ହି ତଉଲି ନିଅନ୍ତି ଦିନ ଯାକର ଘୋଷରା ପେଲା ଶବ ଘେରା ନିବୁଜ ନିଶ୍ବାସ ର ଫିଟିପଡିବାକୁ ଉଦ୍ଯତ ତାର ଜୀବନ ର ଏଇ ରାହାଟିକୁ ।ସଜାଡି ହେଇଯାନ୍ତି ତଣ୍ଟି ଝାଡି । କୁହନ୍ତିନି କି , " କିରେ ,କଣ ଆଜି ବି ଫେରିଲୁ ଖାଲି? " ଓଲଟି କୁହନ୍ତି, " ଆ ,ଆ ..... ଭୋକ ହବଣି ।" ରାଗ ଲାଗେ ନିଜ ଉପରେ ଦିଟା ଆଶାୟୀ ଆଖି କୁ ପ୍ରତିଥର ନିଜ ସହ ସାଲିସ୍ କରିନେଇ ତାକୁ ଖସିପଡିବାରୁ ସମ୍ଭାଳିବାର ପ୍ରତିଶ୍ରୁତି ଭରା ହାତ ଦିଟିକୁ ଦେଖିଲେ ।ସେଇ ହାତ ଦିଟି ତାର ମୁଣ୍ଡ ଉପରକୁ ଆଶିଷ ମୁଦ୍ରାରେ ଖଞ୍ଜି ହୋଇ ରହିଥାନ୍ତି ଚିରକାଳ ।ଏତେ ଧୈର୍ଯ୍ୟ କଣ ସତରେ ଲୋଡା ପଡେ ସନ୍ତାନ ଟିଏ କୁ ଆଶ୍ରା ଦେବାକୁ ! 


ସେଇ ଧୈର୍ଯ୍ୟ ରୁ ଧାରେ ଧାର୍ ଆଣି ପୁଣି ନୂଆ ସକାଳ କୁ ପୁଞ୍ଜି କରି ବାହାରେ ସେ ।ନିଜର ଘୋଷା ଉପକ୍ରମଣିକା କୁ ସାରା ରାସ୍ତା ମନତଳେ ଦୋହରାଇ ଦୋହରାଇ ।କୃତିମ ହସଟେକୁ ଜୋର କରି ଓଠରେ ଝୁଲେଇ ନିଜ ଉପରକୁ ଫିଙ୍ଗାଯାଇଥିବା ଅବୁଝା ପ୍ରଶ୍ନ ତକ ର ଯଥାସାଧ୍ଯ ସନ୍ତୁଷ୍ଟ କରିବାର ଉତ୍ତର ସହ କାଚ ଦରଜା ଏପାରିକୁ ଫେରି ଆସି ପୁଣି ବସି ରହେ ।


ପିଲାଦିନୁ ସ୍ବପ୍ନ ର ଗୁଡି ତିଆରିବା, ସେଥିରେ ରଙ୍ଗ ଭରିବା ଆଉ ନିଶ୍ଚିତରେ ଉଡେଇଦେଉଥିବା ପିଲାଟା ଅର୍ପିତ । ଆଜି ନିଜ ନଟେଇ ସୂତା କୋଉ ଖୁଣ୍ଟରେ ବାନ୍ଧିବ ବୋଲି ଟଳମଳ । କାଲିକୁ କାଲି ଚାକିରୀ ଟେ ନିହାତି ଯେ ଦରକାର ତା ବି ନୁହେଁ, କିନ୍ତୁ ପଢା ପରେ ଆହୁରି ଆଗକୁ ପଢିବା ର ଇଛ୍ଛା ଟିକୁ ବଞ୍ଚେଇରଖିବା ଥିଲା ଚାକିରୀ ଖୋଜିବାର ଲକ୍ଷ୍ୟ । ଆଉ ଗୋଟେ ସ୍ବାଭିମାନ ଦୀପଟେ ବି ତେଜୁଥିଲା ସ୍ବାବଲମ୍ବୀ ହେବାର ,ବାପାଙ୍କ ଆଖି ର ସ୍ବପ୍ନ ତକ ସତ କରିବାକୁ, ଆଉ ତାଙ୍କ ପାଇଁ ଏକ ଆତ୍ମସନ୍ତୋଷ ର କାରଣ ଦେବାକୁ । ଏତେ ଖଟି ଥିବା, ଗଢିଥିବା ମଣିଷ ଟିର ଏତିକି ତ ପ୍ରାପ୍ଯ ଅନ୍ତତଃ । ସେ ଜାଣୁଥିଲା ଯଦି ସେ ଝିଅ ଟେ ହୋଇଥାନ୍ତା ତେବେ ହୁଏତ ଚାକିରି ନ ପାଇ ହୋଇଯାଇପାରନ୍ତା ଖାଲିଟାରେ ତାର ବାହାଘର ସେ ନଣ୍ଡା ଟୋପି ଓ ମୋଟା ଚଷମା ପିନ୍ଧା ପାନଜକା ମଧ୍ଯସ୍ଥି ଆଣୁଥିବା ଥାକେ ଫଟୋ ରୁ କାହା ସହିତ ଗୋଟେ ବି ।ହେଲେ ତାର ଏବେ ସେ ସ୍ବପ୍ନ ନଥିଲା ।


ସେ କିଛି ବି ଚାହୁଁ ନଥିଲା କଦାପି । ଉଡିବ, ବସିବ, ଡେଣା ମେଲିବ କି କଚଡା ଖାଇବ ? ସମୟ ତାକୁ କିଛି ବୁଝଉନଥିଲା । ସେ ଖାଲି ଖାଲି ଥିଲା । ନେଳିଆ ଛାତିର ଆକାଶକୁ ଫୁଲ କାମିଜ କରି ହ୍ଯାଣ୍ଡକଫ୍ ଭିତୁରିଆ ମୋଡିଦିଏ ସିଏ, ମାଟିରେ ଜଙ୍ଗଲଟେ ଗଢିବାର ସ୍ବପ୍ନ ଭରି ।


ସେ ଚାହୁଁଥିଲା କଣ ସେ ଏବେବି ବୁଝି ନଥିଲା ।ହଠାତ୍ କି ବଦଳୁଥିବା ସବୁକିଛି କୁ ଆଦରିବାକୁ ତାକୁ ଲାଗୁଥିଲା ବେଶ୍ ସମୟ ରୁ ପୁଳେ ।ଏମିତି ଘଣ୍ଟା ତ ଘୁରୁଥାଏ, ବର୍ଷ ଟେ ମାନେ ଏଇ ପାସ୍ ହବା ତାରିଖର ବର୍ଷପୁରାଣି ।


ଏଇଠୁ ଆରମ୍ଭ ହୁଏ ନୂଆ ଅଧ୍ୟାୟ ଟେ ।ସବୁ ସାକ୍ଷାତକାରରେ ନୂଆ ପ୍ରଶ୍ନ ଟେ ଅଧିକ ଯୋଡି ହେଇଯାଏ କାନ୍ଥରେ କଣ୍ଟାଟିଏ ଅଯାଚିତ ଭାଗରେ ଲାଖି ଥିବା ପରି ।ଏ ବର୍ଷ ଟି କଣ କରୁଥିଲ ? ମିନିଟ ଓ ଘଣ୍ଟା କଣ୍ଟା ର ସନ୍ଧିରେ ମିଳିତ ଚକ୍ରାନ୍ତ ଟିଏ ତିଆରିଦେଏ ଏକ ସୁଦୃଶ୍ଯ ଫାଙ୍କ, ଯାହା ଏକ ଏମିତି ପ୍ରଶ୍ନବାଚୀ ଯିଏ ହଲେଇ ଦେଇପାରେ ତୁମର ଅସ୍ତିତ୍ଵ ।କରୁଥିଲ କଣ ବର୍ଷ ପରେ ବର୍ଷ ? ସେ ଫାଙ୍କ କୁ ଫାଙ୍କିପାରେ କିଛି ଭେଜାଲ କିଣା ଦସ୍ତା କାଗଜ ରୁ ଖଣ୍ଡେ, ଦୁଇ ଖଣ୍ଡ, ବା ଆହୁରି ଅଧିକ .... ନିର୍ଭର କରେ ବର୍ଷ ସଂଖ୍ୟା ଉପରେ । ସମସ୍ତେ ଜାଣନ୍ତି ତାହା ଫେକ୍ ସାର୍ଟିଫିକେଟ୍ । କିନ୍ତୁ ତାରି ଉପରେ ତିଆରିବା ଚାହାଁନ୍ତି ବିଶ୍ବାସ ର ମହଲ ଜୀବନ କୁ ନେଇ ,ଜୀବିକା କୁ ନେଇ । ପ୍ରହେଳିକାର ପଙ୍କ ।କାହିଁକି? ପରଖୁ ନାହାନ୍ତି ପାରିବାପଣର ମହୀଖୁଣ୍ଟ କେତେ ଦମ୍ଭ ।ଫମ୍ପା ଗୁଡିଆ ସୂତାର ଢୋଲ ଏବେ ର ପଢା ଆଉ ଚାକିରୀ ର ଗୁଳା ।


ସେଦିନ ବି ସେ ସକାଳୁ ଉଠିଲା । ସବୁଦିନ ପରି ବାହାରିଗଲା ନେଳିଆ ପ୍ଲାଷ୍ଟିକ କଭର ଫାଇଲରେ ଫାଇଲେ ମାନପତ୍ର ଧରି । ସବୁ ହାତରେ ଏବେ ଏଇ ଫାଇଲ ଥାକ । ସବୁଦିନ ପରି ଗଣି ଦେଖିଲା, ଆଟେଷ୍ଟେଟ୍ ପାସପୋର୍ଟ ସାଇଜ ଫଟୋ ରୁ ଦଶଟି ଅଛି, ଜେରକ୍ସ କପି ସବୁ ସାର୍ଟିଫିକେଟ୍ ର ଦୁଇ ଦୁଇଟି ଓ ମୂଳ ସାର୍ଟିଫିକେଟ୍ ର ଥାକ ସହ ନୂଆ କିଣା ଫେକ୍ ସାର୍ଟିଫିକେଟ୍ ରୁ ଦିଟି । ତାକୁ ମାଡି ମାଡି ପଡେ ମିଛ ସହ ତା' ପରିଶ୍ରମ ର ଦସ୍ତାବିଜ ତକ ଙ୍କୁ ଏକାଠି ଦେଖି ।


ପ୍ରତି ସକାଳ ନୂଆ ସକାଳ , ଆଜିର ଅବସ୍ଥା ବଦଳିବ ଏକ ଆଶା ନେଇ ଉଏଁ ତପନ । ଲିଖିତ ପରୀକ୍ଷା ହଲରେ ନିଜ ପରିଚୟ ପତ୍ର ସହ ପହଞ୍ଚି ଜାଣିଲା ତାର ସମାନ ନାଆଁ ଓ ସାଙ୍ଗିଆ ର ଅନ୍ଯ ଏକ ପିଲାର ସିଟ୍ ଏଇଟି । ବିରକ୍ତ ହେଲା ନିଜ ନାଆଁ ଟି ଉପରେ । ଆଜିକାଲି ବିରକ୍ତ ହେବା ଗୋଟେ ଜିଦ୍ ।


ବହେ ଏପଟ ସେପଟ ଧାଁ ଦଉଡ ପରେ ସେ ପାଇପାରିଲା ତା ସିଟ୍ ସେ ଗୋଲାପି ଦ୍ବିତଳ ସ୍କୁଲଟିରେ ।ସେତବେଳକୁ କୋଡିଏ ମିନିଟ୍ ହେଲା ପରିକ୍ଷା ଆରମ୍ଭ ହେଇସାରିଥାଏ ।ନଟରାଜ ଡାର୍କ ହାର୍ଡ ପେନସିଲରେ ତରତର ହୋଇ ମୁଣ୍ଡୁଳି ବୁଲେଇଚାଲିଲା ଉତ୍ତର ଫର୍ଦ୍ଦ ରେ ।ଉଠୁଥିବା ପଡୁଥିବା ସ୍ପନ୍ଦନ ତଥାପି ଥୟ ପଡିନଥାନ୍ତି, ସମୟ ଶେଷ ।ଖାତା ଦେଇ ବାହାରି ଆସି ପାଣି ବୋତଲ ଠିପି ଖୋଲି ପିଇଗଲା କେତେ ଜନ୍ମ ର ତୁଷାର୍ତ୍ତ ପରି ବୋତଲେ ପାଣି ଢକଢକ କି । ବାହାରି ଆସିଛି ରାସ୍ତା କୁ ,ଫେରିବାକୁ ହେବ ନୀଡକୁ ।


ଛନ୍ଦି ହେଉଛି ଗୋଲକ ଧନ୍ଦା ଚକରେ ।ଅଟୋ, ଅଟୋ ପରେ ବସ୍, ବସ୍ ପରେ ପୁଣି ଅଟୋ ....ଆଉ କୋଡିଏ ହାତ ଚଲାବାଟ ପରେ ଯାଇ ବସା ।ଆସିଲା ବେଳେ ଏତିକି ବାଟ ଲାଗେ ହେଇଟି ପରି କିନ୍ତୁ ଫେରିବା ବେଳେ ? ପିଚୁର ଲମ୍ବ ରାସ୍ତା ସବୁ କ୍ଯାସେଟର ପୁରୁଣା ରିଲ୍ ଘେର ପରି ଯେତେ ଆଙ୍ଗୁଳି ଗୁଡେଇଲେ ବି ଛନ୍ଦି ହୁଅନ୍ତି କୋଉଠି ନା କୋଉଠି ।


ଚାରିପଟୁ ଅନ୍ଧାର କରି ମାଡିଆସୁଥାଏ ମେଘ ।ଅଦିନିଆ ।ଭଲଲାଗୁଥାଏ ଏଥିପାଇଁ ଯେ କିଛି ତ ଗୋଟେ ନିତିଦିନିଆ ନୁହେଁ ।ହେଲେ ସଂଧ୍ୟା ଆଗରୁ ବସ୍ ନ ମିଲିଲେ ରହିବ କୋଉଠି ? ଏ ଅଚିହ୍ନା ସହରରେ ଚିହ୍ନା ମୁହଁ ଟେ କୋଉଠୁ ଖୋଜିବ? 


ପାଦ ଦିଟି ଚଞ୍ଚଳ ହେଲେ ।ବରକୋଳିଆ ଟୋପା ମାଟି ଛୁଇଁଲା ।ମାଟିରୁ ମହକ ଖେଳିଗଲା ।ପ୍ରକୃତି ତାର ତା ବାଟରେ ସଂଚରୁଥାଏ ଜୀବନ, ଖେଳଉଥାଏ ସ୍ପନ୍ଦନ.... ଚାରିପଟର କୃତ୍ରିମତା ପରେ ବି ।ମାଟି ବାସ୍ନା ର ଉଚ୍ଚାଟରେ ବିଭୋର ମନ ଗୁଣୁଗୁଣେଇଲା ।ପଟିକିଆ ଟିଣ ଟେ ଦି ପଟ ଲୁହା ଡେରା ଖୁମ୍ବର କାନ୍ଧ ଭରସାରେ ଠିଆ ବସ ରହିବା ଥାକରେ ସିଏ ମୁଣ୍ଡ ଗଳେଇ ଚାହୁଁ ଥିଲା ତା ' ବସ୍ ର ଅଗମନୀ ପଥକୁ ।ବର୍ଷା ର ରିମ୍ ଝିମ୍ ଚୁଡି ଝଙ୍କାର ତାକୁ ଅନ୍ଯମନସ୍କ କରୁଥିଲା ।ହଠାତ୍ ତା ' ନାକରେ ବାଜିଲା କିଛି ଚିହ୍ନା ବାସ୍ନା ।ସିଏ ନାକେଇଲା ଆଉ ସେଇ ଦିଗକୁ ଝୁଙ୍କିଲା ।ଉହୁଙ୍କି ଆଉଟି ଆସୁଥିବା ଲାଲି ଚା ' ତା ନଜର କୁ ଭିଜେଇ ଫୁଟି ଯାଉଥିଲେ ଫଟା ତାଟିଆ ଟିଏ ରେ ଟିକେ ପଛକୁ ସେଇ ସମାନ ଟିଣ ଛପର ତଳେ ।ନିଜ ବ୍ଯସ୍ତତା ଭିତରେ ସିଏ ଏ ଯାଏ ଆବିଷ୍କାର କରି ନଥିବା ବୁଜୁଳାଏ ପୁରୁଣା କପାଟିକନା ପରି ଅଙ୍କା ବଙ୍କା ଗାର ଥିବା ଲୋଚାକୋଚା ମଣିଷ ଟିକୁ ।ଏକ ଲୟରେ ମେଲେଇ ଥିବା ଜରିଟିକୁ ନିଜ ପିଠି ଉପରକୁ ଘୋରେଇ ଆଣି ଘୋସାରୁ ଥିଲା ବାକିତକ ଆୟୁଷ କୁ ।ଭିଜିସାରିଥିଲେ ତାର ଅଧାକିଆ ଝୁଲା ପଣତ ମେଘଛିଟାର ଅଦଉତି ରେ ।ପଣତଟିଏ କିଏ ବା ନ ଲୋଡେ! 


ଫୁଟୁଥିବା ନାଲି ଚା' ଉପରକୁ ଦୃଷ୍ଟି ଟେ ପକେଇ ସିଏ ପୁଣି ମନ ଦେଲା ତା କାମ ରେ ।ଆଉ ଟିକେ ଫୁଟିବ ବୋଧେ କି କଣ।

ଏ ମେଘ କୁ ଏ ଅପେକ୍ଷା ,ତା ସହ ପୁଣି ଏ ଚାହା ବାସ୍ନା ।ମନ ତ ହଉଥିଲା ବୁଢୀ ସହ ଗପ ପେଡିର ଆସର ମେଲିବାକୁ ହେଲେ ସମୟ କାହାକୁ ନିଜ ମନ ମୁତାବକ କରିବାକୁ ଦିଏ ଯେ !


ତଥାପି ବସ୍ ଆସି ନଥାଏ ।ବର୍ଷା ବଢୁଥାଏ ।ତାର ପାଦ ଜୋତାଠୁ ଆଣ୍ଠୁ ଉପର ଯାଏ ବର୍ଷାଛିଟାରେ ଆଉ ପଛ ପଟୁ କାନ୍ଧ ରୁ ଫାଳେ ଚିରୁଳେ ଭିଜି ସାରିଥାନ୍ତି କଣା ଟିଣର ଟପ୍ ଟପ୍ ଟୋପା ଗଣନାରେ ।ବୁଢୀ କିନ୍ତୁ ନିର୍ବିକାର ।ବୋଝ ବୋହି ବୋହି କୁରୁମ ସାଜିଥିବା ପିଠି ସବୁକୁ ଆଉ କେତେ ଅବିଚଳ କରିପାରନ୍ତା ମାତ୍ର କେଇଠୋପା ବର୍ଷା ! ବ୍ଯର୍ଥ ଚେଷ୍ଟା ଯାହା ।


ଟିକେ ନିରିଖେଇ ଦେଖିବାକୁ ଚାହିଁଲା ଏତେ ମନ ଦେଇ ବକ ଧ୍ଯାନ ପରି ବୁଢୀ କରୁଛି କଣ ? ଅଧ ବାଉଁଶିଆଏ ଗୋଲ ସବୁଜ ମଟର ଦାନା ,ଆର ହାତରେ ଚିମୁଟାଏ ଗାଢ ସବୁଜ ରଙ୍ଗ ।ଥମକି ଗଲା ଅର୍ପିତ ।ବୁଢୀ ମଟର ସବୁକୁ ରଙ୍ଗରେ ତା ଧୁଡୁଧୁଡୁ ଚମ ପାପୁଲିରେ ରକଟି ଘସି ଏମିତି ମିଶଉଥାଏ ଯେମିତି ଏଇ ତ ସଜ ସଜ ତୋଳା ହେଇ ଆସିଛି ବିଲରୁ ମଟର ତକ ।ମୁଣ୍ଡ କୁ ପିତ୍ତ ଚଢିଗଲା ଅର୍ପିତ ର ।ବଦମାସ ବୁଢୀ, ଖାଦ୍ଯକୁ ଅଖାଦ୍ଯ କରୁଛି ।ଏଇମାନଙ୍କ ଯୋଗୁ ପୁରା ଦୁନିଆ ଅବିଶ୍ବାସ ନିଆଁ ରେ ଅପଚ୍ଯ ।


ଭାବନା ସବୁ ଡେଇଁ ପଡନ୍ତି ଆଖି ପାଟି ଚୁପ୍ ଥାଇ ବି ।ବୁଢୀ କୁ ବି ଭନକ ଲାଗିଲା ପରି ଏତେବେଳେକେ ପତା ଉଠେଇ ଚାହିଁଲା ତଳେଇକି ।ଏ ତରଳମାଂସ ଗଦାର ଦିକ୍ ତେଜଟି ସେଇ ଡୋଳାରେ ଥିଲା ।ଅର୍ପିତ ଚମକିଗଲା ସେ ଚାହାଣୀରେ ।ବୁଢୀ ପୁଣି ତା କାମରେ ମନ ଦେଲା ।ଧିକ୍କାର ଟେ ଥିଲା ସେଠି, ନିଜର ଅସ୍ତିତ୍ବ ଝୁଲୁଛି ତ୍ରିଶଙ୍କୁ ପରି ଫାଇଲ ଟେ ଭିତରେ ।ଭୁଲ ଠିକ୍ ର ବିଚାରପତି ହବା କେତେ ସମୀଚିନ? ଏମିତି ପବନ ତାକୁ କହିଲା ବୁଢୀ ସପକ୍ଷରେ ।ହେଃ ,ନିଜ କଥା ନିଜେ ବୁଝ ଆଗେ ପରି ଠାଏ କିଆ ଧାଡିଟେ ବାଜିଲା ଗାଲରେ ଅଦୃଶ୍ୟ ରେ । ଏ କଣ୍ଟା ମରା ଡାଙ୍ଗ ପରି ପ୍ରଶ୍ନ ସବୁ ଏଇଠି ସେଇଠି ବୁଲୁଥାନ୍ତି, ଟିକେ ଗଳାବାଟ ଦେଖିଲେ ଟୁପ୍ କି ଫୁଟିଯାନ୍ତି ଛାତି ସେପଟ ଯାଏ ।ରକ୍ତ ଦିଶେନି ।


ପୁଣି ସିଏ ଅନ୍ଯମନସ୍କ ହେଲା ।ଆଉ ପଟିକିଆ ଲୋକଟେ ବସିଥିବା ଧିର ଚାଲୁଥିବା ଅଟୋ ଟିଏକୁ ହାତ ଦେଖେଇ ଅଟକେଇଲା ପୁରା ପୁରା ଭିଜି ତରତରରେ ।ବସିଗଲା କଳା ପଲିଥିନ ର ଓଜନ ତକ ବୋହୁଥିବା କଳାଆକାଶକୁ ଟେକି ।ତା ଜୋତା ତଳ ଯାଏ ପାଣି ସରସର କରି ବୋହି ହଜିଯାଉଥିଲେ କୋଉ ଗୋଟେ ଧାର ସହ ଏକାକି ହେବାର ଆଲ୍ହାଦରେ ରାସ୍ତାକୁ ।ଅଟୋ ଚକ ମାନେ ଜମିଥିବା ପାଣି ମଝିକୁ ଦି ଫାଳ କରି ଚିରି ଫୁଆର କରି ଚିକ୍ ମିକ୍ ଜଳମୋତି ବିନ୍ଦୁରେ ବଦଳେଇଦେଉଥିଲେ ମୂହୁର୍ତ୍ତ ଟେ ପାଇଁ ସାମ୍ନାରୁ ଆସୁଥିବା ଆଉ କୋଉ ଗାଡିର ମଳିନ ଆଲୁଅରେ ବି ।ଅଟୋରେ ବାଜୁଥିଲା " ରିମଝିମ ଗିରେ ସାବନ " ର ଧୁନ୍ ।ଏତେ ସବୁ ଭିତରେ ମନଟେ ହଜିଯିବା କୋଉ ନୂଆ କଥା ଯେ ! ସେ ହଜିସାରିଥିଲା କେତେବେଳୁ ।


ଗନ୍ତବ୍ୟରେ ପହଞ୍ଚି ସାରିଥିଲେ ବି ଅନ୍ତର ଥିଲା ଚେତନାରୁ । ଅଟୋ ବାଲାର ଡାକରେ ପକେଟରୁ ପଚାଶ ଟଙ୍କିଆଟେ ବଢେଇଦେଇ ଓହ୍ଲେଇ ଯାଉ ଯାଉ ବର୍ଷା ରୁ ମୁଣ୍ଡ କୁ ଓଢେଇ ନବାକୁ ଯେତେବେଳେ ହାତ ଟି ବଢିଆସିଲା ତାର , ସେ ଭାବିଥିଲା ଫାଇଲ ଟି ଅଛି ।କିନ୍ତୁ ଚେତିଲା ତା ନାକକୁ ବଡ ଟୋପା ମେଘବିନ୍ଦୁଟେ ଆକ୍ତାମାକ୍ତା କରିଦେଲା ମାତ୍ରେ । ସେହିକ୍ଷଣି ସେ ହେଜିଲା, ତା ଫାଇଲ୍? ତା ଫାଇଲ କାଇଁ? କୋଉଠି ପକେଇଲା? କଣ କରିବ? କୋଉଠି ଛାଡିଲା? କାଠଖମ୍ବ ପରି ସେମିତି ଠିଆ ହେଇଥାଏ ମଝିରାସ୍ତା ରେ । ସଂଧ୍ୟା ର ରାସ୍ତା ଟି ତାକୁ ଅନ୍ଧାର ଘୁଡୁଘୁଡି ପରି ଲାଗୁଥାଏ ।


ଆଉ ଗୋଟେ ଗାଡିର ହର୍ଣ୍ଣ ରେ ସିଏ ପାଦେ ପଛକୁ ସିନା ଘୁଞ୍ଚିଗଲା, କିନ୍ତୁ ତା ' ସ୍ମୃତି ରେ ସିଏ ଘୁଞ୍ଚୁଥିଲା ସକାଳୁ ଘରୁ ବାହାରିବା ବେଳଠୁ ଯେ ଅଟୋ ରେ ବସିବା ଯାଏ ।ସମୟ କୁ ସ୍ଥିର କରି କରି ସେ ମନେପକଉଥାଏ ସବୁଜ ଖୋଳରେ ହଜିଯାଇଥିବା ତାର ଥାକକ ଭାଗ୍ଯକୁ ।


ହେଲେ ଏବେ ସିଏ କାହାକୁ ପଚାରିବ? ଅଟୋ କୁ କୋଉଠୁ ଖୋଜିବ ନା ସେଇ ବୁଢୀ ବସିଥିବା ବସ୍ ଷ୍ଟପ କୁ ଫେରିବ?


 ଏଣେ ଢାଳିଯାଉଥିବା ପାଣି ପରି ସମୟ ବି ଘଡି ଭିତରେ ଢଳି ଢଳି ଯାଉଥାଏ ।

ତା ' ପାଦ ଆପେ ଘର ମୁହାଁ ହେଲେ । ସେ ଭାବୁଥିଲା ଏବେ ସେ ଘରେ କହିବ କଣ ? ଯେ ହଜିଗଲେ ସବୁ ସମ୍ଭଳ ଆନନ୍ଦ ରେ ତେବେ ତାର ଉପାୟ କଣ , ନା କହିବ ସିଏ ମୁକୁଳି ଆସିଛି ଗୋଲକଧନ୍ଦା ର କବଜାରୁ ଅଜାଣତେ ପଛେ ହଉ, ନା କହିବ ହଜିଗଲେନି ଯେ ମୋ ମୁଣ୍ଡ ରୁ ଓହ୍ଲେଇଗଲେ ନିତିଦିନିଆ ଅବସାଦରୁ ଡାଲାଏ ଅକ୍ଲେଶରେ । କିନ୍ତୁ ବାପା? ସେ ତ ଚିନ୍ତାମଗ୍ନ ହେଇ ମିଳେଇଯିବେ ଏଇ ବର୍ଷା ବିନ୍ଦୁ ମାନଙ୍କ ପରି । ତାକୁ ଲାଗୁଥିବା ହାଲୁକାପଣ ଟା ବାପାଙ୍କୁ ନେଇ ଭାବନାଟିର ଧକ୍କାରେ ମାଧ୍ୟାକର୍ଷଣ ଶକ୍ତି ବୋହିଲା ପରି ଓଜନିଆ ହେଇଗଲା । ତା ପାଦ ଘୋଷାରିହେଲେ ଆଉ କାନ୍ଧ ସହ ଅଣ୍ଟା ତିରିଶ ଡିଗ୍ରୀ ରେ ନଇଁ ଗଲେ ।


ସେ ସେମିତି ଚାଲୁଥିଲା । ଆଗପଛ ଅନୁମାନ କରିବା ତା ବିଚାର ଶକ୍ତି ବାହାରେ ଥିଲା ।


ଏଥର ତା' ପାଦ ମାନେ ତିନିଗୁଣା ବେଗ ଧରିଥିଲେ .....




Rate this content
Log in

Similar oriya story from Drama