ସ୍ତ୍ରୀ ଲୋକ
ସ୍ତ୍ରୀ ଲୋକ
ସମସ୍ତେ ତା ନାଁ ରେ ଫିସିଫାସ ହଉଥିଲେ ଯେମିତି ହନ୍ତି ପ୍ରତିଥର । ଚାରି ଯୁଗରୁ ।
ଆଖିରେ ନଦେଖିଲା କି କାନରେ ନ ଶୁଣିଲା ପରି କଥାଟିଏ ଯେମିତି ଘଟୁଥାଏ କି ସଂସାରେ ଚକ ଘୂରେଇ ! ସେଇକଥା ସେଇକଥା ତ ଘଟୁଥାଏ ହି ଘଟଣା ରୂପରେ , ଆମେ କିନ୍ତୁ ପେଚା ପରି ଢେମା ନୟନେ ଓ ମାଛି ପଶିଗଲା ପରି ଆଁ ଟେ ମାନ କରୁ ତାଟକା ହେଇ। କାହିଁକି କେଜାଣି ?
ସିଏ ଠିକ୍ ମୋ ଦୋତାଲା ବାଲକୋନିର ଆଗସାମ୍ନାକୁ ବଖରାଏ ଘର ଭଡା ନେଇ ରହୁଥିଲା ତାର ପାଞ୍ଚ ସାତ ବର୍ଷର ଝିଅଟିଏ ସହ । ସେ ବଖରାଟି ଏକ ଜୀର୍ଣ୍ଣ ଚାରିତାଲା ଗୋଲାପି କୋଠାର କୋଣିକିଆ ନୂଆ ଗଢା ଘର ଥିଲା । ଅଧିକ କିଛି ଲାଭ ପାଇଁ ମାଲିକ ତାର ତାକୁ ରାତାରାତି ଗଢେଇଥିଲା। ଯାହା ଯୋଗୁଁ ମୋ ଘର ଛାଇ ଓ ପବନବିହିନ ହେଲା ।
ଶେଷକୁ ସିନା ପଇସା ଦେହ ସହ ଯାଏନି ,ଶେଷ ଯାଏ ତ ତଣ୍ଟିସରିକି ଗୋଟେଇ ନବା କଥା। ମାଲିକ ବୁଝିଥିଲା। କାମରେ ଆସୁ କି ନ ଆସୁ.... ପୋତାହଉ ଚଉପିଢିକୁ ।
ସିଏ ଛାଡ। ସେ ଘରଟାରେ ଗୋଟିଏ ଦିହାତିଆ କବାଟ ଆଉ ଠଣାପରି ଝରକାଟେ ଥିଲା । କାନ୍ଥରେ ରଙ୍ଗ ମାରୁନଥିଲା ମାଲିକ। ସିମେଣ୍ଟ ବୋଳା , ର ଠ ଗଢ଼ା ଘରଟେ ବି ଏତେ ଲୋକଙ୍କୁ ମାଗଣାଟାରେ ଟାଣେ ଏ କଥା ଏବେ ଜାଣିଲି।
ସେ କୋଠାରେ ଯାବତୀୟ ଟୋକା ଭଡା ରହୁଥିଲେ । ସବୁତକ ଦିନ ମଜୁରିଆ ଶ୍ରେଣୀୟ । ଯେତେ ଉପାୟରେ ସେ ସ୍ତ୍ରୀ ଲୋକଟିର ବଖୁରାଏ ଘରର କାନ୍ଥ ଭେଦିହବ ସେଇ ସବୁ ଲୋଭ ସହ ଗଦାକ ସବୁତକ ଆଖିରେ ଦିଶୁଥାଏ ଯାଉଣୁ ଆସୁଣ ଶିକାରୀ ବିଲୁଆପଣ ।
ବିଲୁଆକୁ କାଇଁ ଲଜ୍ଜା ଦବା.....
ଗଣ ଗଣ ମାଛି ଦଳ । ଛିଃ।
ସିଏ କିନ୍ତୁ ତାର ମେଘନାଦ ପାଚେରୀ ପରି ବିଶ୍ବାସକୁ ଧରି ରଖି ତାଟିକବାଟ ପକେଇ ରହେ। ମତେ ସିଏ ଭଲ ଲାଗେ କି ନା ମୁଁ ଜାଣେନି । କଥା ହବାର ଇଛ୍ଛା ବା ଉପାୟ ତିଆରି ହେଇନି ଏଯାଏଁ । ତଥାପି ସମାନ୍ତରାଳ ଘର ଚଉହଦି ପାଇଁ ଆଖି ମିଶିଯାଏ ଥରକୁ ଥର । ସିଏ କେବେ ଅଳ୍ପ ହସେ ତ କେବେ ମୋଟେ ଚାହେଁନି।
ତାର କୁନି ଝିଅଟି ଭଙ୍ଗାରୁଜା ଖେଳଚିଜରୁ ମୁଠେ ସହ ହସଖୁସି ବାଣ୍ଟିପାରେ ବୋଲି ବେଳେ ବେଳେ ବାହାରେ ତାର ସେଇସବୁ ଠିପିଠୁପା ଖେଳନା କୁହନ୍ତି । ସ୍ତ୍ରୀ ଲୋକଟି ତାକୁ ସଜେଇ ବେଣି ବାନ୍ଧେ ଓ ବଡ କଳା ଟିପାଟିଏ ମାରେ । ତାଙ୍କ ଦିହିଙ୍କ ନାଁ ଅଜଣା ।
ଯେତେ ଶାଗୁଣା ଡେଣା ମେଲେଇ ବସିଲେ ବି ସିଏ ଅତି ତରକା ଗତିରେ ତାର ନିତ୍ୟକର୍ମ ସାରେ ଓ ପହଡ ପକେଇଦିଏ । ଫୁଲ ପରି ସାଇତି ରଖେ ତାର ଦାଣ୍ଡ ଅଗଣା ପରି ଦୁଆର ସାମ୍ନାର ଚକଡାଏ ପଲସ୍ତରା ସିମେଣ୍ଟ ଭାଗକୁ । କେତେ ଚିତା ଆଙ୍କେ। କେବେ କୁସୁମ ଗେଣ୍ଡୁ ଚୁନା ଛିଣ୍ଡେଇ ଦି କଡେ ଦିଏ ।
କେମିତି ଚଳେ? କୋଉଠୁ ପଇସା ଆଣେ? ତାର ଆଉ କିଏ ଅଛନ୍ତି କି ନ ଅଛନ୍ତି? କାହାରିକୁ କିଛି ଖବର ଅନ୍ତର ନଥିବା ପରି ଲାଗେ। ମଝିରେ ମଝିରେ ମାଆ ଝିଅ ହଳକ କୁଆଡେ ଅଦୃଶ୍ୟ ହେଇ ପୁନଃ ସପ୍ତାହକ ପରେ ଆବିର୍ଭୁତ ହୁଅନ୍ତି ଏକ ରହସ୍ୟମୟ କଥାବସ୍ତୁର ଚରିଚ୍ରମାନଙ୍କ ପରି । ଲୋକେ ପୁଣି ଗପ ଗଢନ୍ତି ତାକୁ କେନ୍ଦ୍ର କରି। ତାରି ଚାରିପଟେ ବୁଲେ ଗୁଲିଗପ ..... କଳ୍ପନା ଜଳ୍ପନା ।
ଦିନ ଗଡି ଚାଲେ । ତାର ଝିଅଟି କିଶୋରୀ ହୁଏ ଆଉ ସୁନ୍ଦରୀ ବି । ଆଉ ସିଏ ଆଉ ଟିକେ ପାକଲା । ମାଛିମାନେ ବି ବଦଳଉଥାନ୍ତି ଭାଡିଘର। ନୂଆ ମାଛି ଆସି ପୁରୁଣା ମାଛିଙ୍କ ସାଙ୍ଗେ ବାଜେ ମେଳ ବଢାନ୍ତି । ଗୁଳୁଗୁଳି ପରି ଏବେ ଝିଅଟିକୁ ନେଇ ଚର୍ଚ୍ଚା ଗରମ ଧରେ। ଲାଗି ଆସୁଥିବା ଦେହକୁ କୁନଜର ଘେରା ବଢେ ।
ସିଏ ଆଗ ଅପେକ୍ଷା ଅଧିକ ଶାନ୍ତ ଓ ସତର୍କ ଲାଗେ ଏକ ସଙ୍ଗେ। ସାନ ସାନ ଫୁଲ କୁଣ୍ଡ ସଜାଏ ତା ଦୁଆର ଦାଣ୍ଡ କୁ ନ ଦିଶୁ ବୋଲି । ସ୍କୁଟିଟିଏ ଚଲାଏ। ସବୁର ଯତ୍ନ କରେ।
ବୟସ ସହ ତାଳ ଦେଇ ସମୟ ଚାଲେ କି ଓଲଟାଟି ସତ କେଜାଣି ?
ମୁଁ ସେଇ ଆଗ ପଟ ବାଲକୋନୀରେ ମୋର ନିତ୍ୟ କର୍ମର ଅଧା ସାରେ । ଆଗ୍ରହକୁ ଧରି ରଖେ । ପବନକୁ ବି ଜାଣିବାକୁ ଦିଏନି।
ଦିନେ ସକାଳେ ........
ମୁଁ ଅଫିସକୁ ତରବର ହେଇ ବାହାରି ଯାଇଥାଏ। ସେମାନଙ୍କୁ ଦେଖିବାକୁ ବେଳ ପାଇନଥାଏ। ନିଜ ପାଇଁ ଆଜି କାଲି ତର ନ ଥାଏ ତ ପାରିପାର୍ଶ୍ଵ କଥା ପଚାରେ କିଏ !
ସମୟ ଛାଟ ଧରେ ଆଉ ଦୈାଡାଏ ।
ଏଗାରଟା ଖଣ୍ଡେ ହବ । ଅଫିସରେ ହଲକା ହଇଚଇ ଖେଳିଗଲା। କାହା ସହ ଗୋଟେ ଆଗ ଗୋଲେଇ ବଡ ଛକରେ ଦୁର୍ଘଟଣା ଘଟି ଯାଇଛି । ପାଣିଟାଙ୍କିଟ୍ରକଟିଏ ଗୋଟିଏ ସ୍ତ୍ରୀ ଲୋକକୁ ପଛକୁ ପିଟିଦେଇ ଫେରାର। ସେଇଠି ଟଳି ପଡିଛି ତାର ଦେହ। ପୋଲିସ ସାଇରନ ଶୁଭୁଛି ଘନଘନ। ତନାଘନା ତନଖି ଚାଲିଛି ହେଲେ ଏ ଯାଏ ଜଣା ପଡୁନି କିଏ ? ମୋର କାଇଁ ହଠାତ୍ ସିଏ ମନେ ପଡିଲା । ମୁଁ କଲମଟା ଥୋଇଦେଇ ମ୍ୟାନେଜରକୁ " ଏଇ ଆସିଲି ଦଶ ମିନିଟ ରେ । ଗୋଟେ ଜରୁରୀ କାଗଜ ଭୁଲି ଆସିଛି ଘରେ " କହି ଛକ ଆଡେ ମାଡିଗଲି।
ଲେଉଟିକି ପଡିଥିଲା ଶବଟି । ମୁଁହ ଦିଶୁନଥିଲା । ପୋଲିସ୍ କର୍ଡନ ଥିଲା । ଏମିତି ରଙ୍ଗର ଛିଟ ଶାଢ଼ୀ ଓ ପର୍ସ ତାର ଥିଲା କି ନା ମୋର ମଗଜ ମନେ ପକେଇ ପାରିଲାନି। ପରନ୍ତା ବି କାହିଁକି ?
ମୁଁ ଫେରିଆସିଲି ମୋ ଚଉକିକୁ । କେଜାଣି କାହିଁକି ଦିନଯାକ ଜମା କାମରେ ମନ ଲାଗିଲାନି। ଅଫିସ୍ ସରଗରମ ଥିଲା ହେଲେ କେହି ଜାଣିପାରୁନଥିଲେ କିଏ ଥିଲା ସ୍ତ୍ରୀ ଲୋକଟି ଯିଏ ଏମିତି ମରିଗଲା। ମଲା ସ୍ତ୍ରୀ ଲୋକଟିର ଘର, ସଂସାର..... ଭଲମନ୍ଦ ଆଦିର କଳ୍ପନାକୁ ନେଇ ସମସ୍ତେ ଚୁଚୁ ଆହା କରୁଥିଲେ ରହି ରହିକା।
ଶିଘ୍ର ଫେରିଆସିଲି ଘରକୁ।
ତା ଘର ସାମ୍ନାରେ ଗହଳି ଥିଲା।
ମୋ ମାଆ ମୋ ଘରେ ନଥିଲା। ମୁଁ ତାକୁ ଖୋଜିବାକୁ ବାହାରି ଯାଉଥିଲି କି ଦରବାନ ଖବର କହିଲା ମାଆ ସେ ବାଲକୋନୀରୁ ଦିଶୁଥିବା ଘରକୁ ଯାଇଛି । ମୁଁ ଅଳ୍ପ ବିରକ୍ତ ହେଲି । ଆଶ୍ଚର୍ଯ୍ୟ ବି ।ମାଆ ତ କେବେ ଯାଏନି ଏଠିକୁ ସେଠିକୁ।ତେବେ ଆଜି କାହିଁକି? ସେଇ ଦିଗକୁ ପାଦ ବଢେଇଲି ।
ମାଆ ତଳେ ବସିଥିଲା ସେଇ ବଖୁରିକିଆ ଘର ତଳେ ସପଟେ ଉପରେ। ତା କୋଳରେ ମୁଣ୍ଡ ରଖି ଗୁଣ୍ଡ ଗୁଣ୍ଡ ହେଇ ଝରି ପଡୁଥିଲା ଯେମିତି ଝିଅଟି । ଲାଗୁଥିଲା ଯେମିତି ଏଇଲେ ଏଇଠି ଲୁହ ଢଳ ଢଳ ଆଖିଦିଟା ନଈବଢି ବୁହେଇ ଦେବେ।
ମୁଁ ତରଳିଲିନି । ବରଂ କଠୋର ସ୍ବରରେ ଜୋର ଦେଇ କହିଲି," ମାଆ ତୁ ଏଇଠି କଣ କରୁଛୁ? ଘରକୁ ଆସେ।" ମାଆକୁ ସେ ଝିଅଟି ଆହୁରି ଜୋର ଜାବୁଡି ଧରିଲା । ମାଆ ମତେ ଭିତରକୁ ଯିବାକୁ ଈଶାରା କଲା। ମୁଁ ଗଲିନି । ମତେ ଡର ଓ ଲୋକଲାଜ ଲାଗୁଥିଲା। କଣ ଭାବୁଥିବେ ଏ ଚିରିପଟେ ଗଦା ସମସ୍ତେ । ମୁଁ ପୁଣି ଟାଣ ହେଇ କହିଲି," ମାଆ ତୁ ଆସେ।ଆମର ଏ ସବୁରେ ମୁଣ୍ଡ ପୁରେଇବାର ନାହିଁ । ଜାଣିଶୁଣି କିଏ ହାଣମୁହଁକୁ ଯିବାକୁ ବାଛେ ମାଆ । ଆସେ ।"
କିଛି ସମୟ ଭାବିବା ପରେ ମାଆ ଆସିଲା। ଝିଅଟି ମାଆ ହାତକୁ ଜାବୁଡି ଧରିଥାଏ ଓ ଥରୁଥାଏ। ମତେ ଭଲ ଲାଗୁନଥାଏ। ମାଆ ବଡ ଦମ୍ଭ ସ୍ବରରେ କହିଲା
" ତୋର ମନେ ନ ଥିବ ତୋ ପିଲାବେଳ ମୁନୁ।
କେମିତି ଗୋଟିଏ ଗୋଟିଏ ପାଖୁଡା ଖୋଲିଲା ପରି ଏକୁଟିଆ ଏଇ ସ୍ତ୍ରୀ ଲୋକଟି ପାଳୁଥିଲା ତତେ । କେତେ ଛାଇକୁ ଜଗି ଡରି ଡିଏଁଇ ଆଣିଛି ତତେ । ତତେ ବି ତ ପାଇଥିଲି ମୁଁ ଏମିତି ଗୋଟିଏ ଦୁର୍ଘଟଣାରୁ ଦିନେ ବାପା ! ଆଉ ଆଜି କଣ ଏଇ ନିରିହଟିକୁ ବାଘ ମୁହଁକୁ ପେଲି ଦେଇ ନିଶ୍ଚିତରେ ରହିପାରିବା ଆମେ ? ମଣିଷ ପରା। ନେଇଚାଲ ଆଗେ।ପରେ ବୁଝିବା କଣ କରିହବ। "
ମୁଁ ନିଥର ଠିଆ ହେଇଥିଲି ।
ମୋର ଆଁ ଖୋଲାଥିଲା।
ମାଆକୁ ଗୋଟେ 'ସ୍ତ୍ରୀଲୋକଟିଏ ' ଭାବିବାକୁ ମୋର ମନ ବରଫପଥର ପାଲିଟି ଯାଉଥିଲା ଯେମିତି ।
ମୁଁ କିଏ ଥିଲି ମୋର ମନ ଯେ ହେଜୁ ନ ଥିଲା ଏଯାଏଁ ପରିଚୟ ଖୋଜାରେ।
ମାଆ ମୋ ହାତ ଧରି କହିଲା ," ଆ ପୁଅ ଘରକୁ ଯିବା" ।
ତିନିହଳ ପାଦ ବଢିଲେ ।
ସ୍ତ୍ରୀ ଏକ ତପସ୍ୟା
ଯିଏ ତାର ନିଜ ପୃଥିବୀର ଇପ୍ସିତ ବଳୟ ପାଇଁ ସାଜେ ତପସ୍ଵିନୀ ।
ବୈରାଗ୍ୟ ସହ ଭୋଗକୁ କେବଳ ବିଭୋର ହେଇ ନୁହେଁ,
ଚକ ଲଗେଇ ଅଣ୍ଟାରେ ଲୁଗା ମଜବୁତ କି ଖୋସି
ଟାଣି ନେଇ ଯାଇପାରେ ଯିଏ ସିଏ ସ୍ତ୍ରୀ ।