ସାଥୀ
ସାଥୀ
ସଙ୍କେତ ଆଉ ମୁଁ। ତାର ମୋର ପକାଟାରେ ଏମିତି ଟହଲୁ ଥିଲୁ। ଖରା ଦିନ ଉପର ଓଳି ସମୟ। ପବନ ଶୀତଳ ହବ ହବ ହୋଇ ଅଳ୍ପ ଉଷୁମପଣ କୁ ତଥାପି ଜାବୁଡ଼ି ଧରିଥିଲା। ଆମେ ଅନାଧୁନିଆ ଆଡୁ ସଡୁ ଗପୁ ଗପୁ ଅନନ୍ତ ଏକ ବିଷୟ ନେଇ କଥାର ସୂତା ଖିଅ ନଟେଇ ଛୁଇଁଲା।
" ତୁ ଯାହା ସବୁ କହୁଛୁ , ସେମିତି କିଛି ନ ଥାଏ ବୋଧେ ",ସିଏ ଆରମ୍ଭ କଲା ।
ମୁଁ ତାକୁ ବୁଝେଇବାକୁ ଚାହୁଥିଲି ଯେ ,
" ଶବ୍ଦ ଅଛି ମାନେ ଅସ୍ତିତ୍ବ ତ ଅଛି ହି ।
ନହେଲେ ଶବ୍ଦ ମାନେ ଥାନ୍ତେ କାହିଁକି । ଆସନ୍ତେ କୁଆଡୁ?
ଯେମିତି ତା ନାଁ ଟା ବା ଯାହା ନାଁ ହଉ ନା କାହିଁକି ..... କଣ ଆକାଶ ରୁ ସିଧା ଗଳନ୍ତା ! ସବୁ ଅଛି ଯାହା ଶୁଣିଛେ । ଦେଖେ, ଥରେ ମନ ଭିତରୁ ଭାବେ ଯଦି ବିଷ୍ଣୁ କହିଲେ ଗୋଟେ ନୀଳ କଳେବର ଠାକୁର ତେବେ ତାଙ୍କର ଆଉ ଯାହା ବିଶେଷତ୍ତ୍ୱ ସହ ସେଇ ସମାନ ବିବରଣୀ ସବୁ ହିମାଳୟରୁ କନ୍ୟା କୁମାରୀ ଯାଏ ମୁନି ଋଷି ମାନେ ଏକା ଭଳିଆ କେମିତି ଦେଲେ, କହୁନୁ ! ମୋବାଇଲ ତ ନଥିଲା ସେବେ କାଳେ ଯେ ନିଜ ଭିତରେ ଆଲୋଚନା କରିଦେଇଥିବେ ! ହା ହା। ଧ୍ୟାନ କରି ଯାହା ଜାଣୁଥିଲେ ତାକୁ ବେଦରେ ଖଞ୍ଜି ସାଉତୁ ଥିଲେ ପର ପୀଢ଼ି ପାଇଁ , ନା ନାହିଁ!"
ସୂର୍ଯ୍ୟ କିରଣ ଖୋଲି ହେଇକି ପଡୁଥିଲା ସିଉଳିଲଗା ପାରଫିଟଠୁ ଯେ ଦିଗବଳୟ ଶେଷ ପଥ ଲୁଚିବା ଯାଏ । ଆଖିର ପହଞ୍ଚ ଅବା କେତେ କି .......ସେଇ ସ୍ରଷ୍ଟଙ୍କ ଚେତନା ଆଗରେ !
ସିଏ ପୁଣି କହିଲା ," ଧରିଲୁ ଦେଖି .....ସବୁ ଅଛି,ସବୁ ଅଛି ଯଦି କହୁଛୁ । ସୂର୍ଯ୍ୟ କିରଣକୁ ହାତ ମୁଠାରେ ମୁଠେଇକି ଦେଖା ।ନହେଲେ ପବନ କୁ ଧର ଆଉ ଦେଖା ।"
ମୁଁ କହିଲି ....." ହେ,ସବୁ କଣ ଧରିହୁଏ ! କିନ୍ତୁ ଥାଏ ।
ଏଇ ଯେମିତି ଉତ୍ତର ଆକାଶ ବି ନୀଳ ,ଶ୍ଯାମଳ, ..... .ଆଉ ପୂର୍ବ, ଦକ୍ଷିଣ, ବାମରେ ବି ମାଟି ହରିତଶ୍ରୀ।
ସମାନ ।
ପରିଭାଷା, ବର୍ଣ୍ଣନା ସବୁ ସମାନ ।ସବୁ ଦିଗରୁ ସମାନ।
ନା ନାହିଁ ଯେ କହୁନୁ! ହଁ ହୋଇପାରେ..... ନ ବି ହୋଇପାରେ।
ଈଶ୍ୱର ପରି କିଛି ଶବ୍ଦ...... ଅପରିସୀମ ଯେ ।ଅମାପ। ଶାନ୍ତ
ହୃଦୟଟେ ଖାଲି ଲୋଡା ଅନୁଭବିବାକୁ।ହଜାର ବର୍ଷ ଆଗରୁ ସମସ୍ତେ କେମିତି ସମାନ କହିବେ ଗୋଟିଏ କଥାକୁ ଭାବୁନୁ , ସମାନ ଥିବ ବୋଲି ସିନା ।ହା ହା।"
ସିଏ କହିଲା ...." ଏଁ ....କିଏ କଣ ଦେଖିଛି କି ! ପ୍ରମାଣ ଅଛି?"
ମୁଁ କହିଲି," ନ ଦେଖୁ ନା ।ସବୁ କଣ ଦିଶେ !
କିନ୍ତୁ ଥାଏ ।ବାସ୍ ବୁଝିହୁଏ । କେମିତି ପଚାରେନି।
କିଛି ମସ୍ତିଷ୍କର କସରତ ଆଉ ଅନେକଟା ଏଇ ହୃଦୟର କରସଦିଆ ପ୍ରେମର ଜାଦୁଗରୀ,ସାଧନା, ଅଧ୍ୟବସାୟ ।ଆଉ କିଛି ଏମିତି ଥାଏ ମୁଣ୍ଡ ଉପରେ ଉପରେ ଯାଏ ବୁଝିଲୁ।ପୁରା ପ୍ରକୃତିର କୋଣେ କୋଣେ ସିଏ ଥାନ୍ତିରେ ....ସଦାକାଳେ ସାଥିରେ । ତାଙ୍କୁ ଆକଳିବା କଣ ଏଡେ ସରଳ ! "
ସେ ବସିବାଠୁ ଉଠିକି ମୋ ହାତ ଧରି ଟାଣିନେଲା ଆଉ କହିଲା, "ଆ ମୁଁ ତତେ ଦେଖେଇବି ।କଣ କହିଲୁ ! ତୁ ଯୋଉ ଟା ବୁଝେଇବାକୁ ଚାହୁଁ ମତେ .....ସେଇଟା ।ଆ ।"
ସିଏ ଉତ୍ସାହିତ ଦିଶିଲା।
"ଆରେ ରହ । ଧିରେ। ପଡିଯିବିନି ନା ! ଏତେ ତରବର କାହିଁକି!" ମୁଁ କହିଲି
ସେ ମଜାଳିଆ ସ୍ବରରେ କହିଲା, " ନା ତୋ ଠାକୁର ବା ଧରିଦେବେ, ପଡିବୁ କାହିଁକି!!ସିଏ କୁଆଡେ ନିଜେ ପାଖେ ପାଖେ ଥାନ୍ତି ପା। ତୁ ତ ଏବେ ହିଁ କହିଲୁ।"
ଛାତବାଡକୁ ଆଉଜି ଠିଆ ହେଲୁ ଦିହେଁ। ଆଗରେ ପିଚୁନଈ ପରି କ୍ରମଶଃ ଦୃଶ୍ୟମାନ ରାସ୍ତା। ଠାଏ ଠାଏ ଗଛ।ଆମେ ରହୁଥିବା ଏ ଘର ଯାଏଁ ସହର ଅଦ୍ୟାବଧି ମାଡିଆସିପାରିନି କହିହେବ। ନିରଳସ,ନିର୍ମଳ, ସୌନ୍ଦର୍ଯ୍ୟବତୀ ପ୍ରକୃତି । ଠିକ୍ ଆମ ବସାର ବିପରୀତରେ ରହୁଥାନ୍ତି.........
ସିଏ ଦେଖାଉଥିବା ଦୃଶ୍ୟ.....ଆଗରେ ଅଙ୍କା ଥିଲା ଚଳଚ୍ଚିତ୍ର ପ୍ରଚ୍ଛଦପଟ ପରି ।
ଅଗଣାରେ ବାପାଟିଏ କୋଳପୋଛାଟିଏକୁ କାନ୍ଧରେ ବସେଇ ଝୁମୁରୁ ଝୁମୁରୁ ନଚଉଥାଏ ଆଉ ବୋଉଟି ଶରଧାପଣତରେ ପୋଛିପାଛି ଦେଉଥାଏ ଶିଶୁମୁଖ.........ତାଙ୍କର ଆହୁରି ଦିଟି କୁନାକୁନି ଆଖିତାରା ଚଢେଇ ମାନେ ମିଶିକି ଏକାଠି ପିଣ୍ଢାରେ ଗୋଟେ ଗିନାରେ ହାତ ପୁରେଇ କିଛି ବାଣ୍ଟି ଖାଉଥାନ୍ତି ଆଉ ହସୁ ଫୁଲ ବୁଣୁଥାନ୍ତି । ସମବେତ କିଚିରି ମିଚିରିରେ ଘର ପୁରିଉଠୁଥାଏ। ନନ୍ଦ ଦାଣ୍ଡ ପରି ବୋଧ ହେଉଥାଏ ହୃଦକୁ।
ସଙ୍କେତ କହିଲା," ଦେଖେ ଜୀବନ୍ତ ଈଶ୍ୱର ।
ଆମର ସେ ଭାଗ୍ୟ,ସେ ସ୍ନେହଭାଗ କାଇଁକିରେ ! ଆମେ ତ ଅର୍ଫାନ ।"
ଦୀର୍ଘଶ୍ୱାସଟିଏ ତା'ର ଭିତରୁ ବାହାରି ଶୂନ୍ୟରେ ମିଳେଇଯିବା ଆଗୁଁ ମୁଁ ତା ହାତକୁ ମୋ ହାତରେ କୋମଳେଇକି ଧରି ନେଇ କହିଲି," ମୁଁ ପରା ଅଛି ତୋ ସହ । ମୁଁ କଣ ତୋ ପରିବାର ନୁହେଁ ? ତୋ ଭାଇ ନୁହେଁ? ଈଶ୍ୱର ସବୁଠି କୋଉ ନା କୋଉ ରୂପରେ ଆମ ସହ ଠିଆ ହୋଇଥାନ୍ତି। ଚିହ୍ନେ। ବୁଝେ ଜୀବନର ସଙ୍କେତକୁ ।ନାଥଙ୍କ ସହ ଥାଇ କିଏ କଣ ଅନାଥ ହେଇପାରେ କେବେ ! ବାଇଆଟା।"
କାହା ଡାକରେ ସଙ୍କେତ ଛାତବାଡରୁ ଝୁଙ୍କିକି ତଳକୁ ଚାହିଁଲା ।ଶାଶ୍ବତ ଡାକୁଥିଲା ତଳ ମେଲାରୁ । କହୁଥିଲା," ତଳକୁ ଆ ସଙ୍କେତ। ସେତେବେଳୁ ଛାତରେ ଏକା ଏକା କଣ କରୁଛୁ? କେତେ ଖୋଜିଲିଣି ତତେ । ଆ ଆ ମିଶିକି ଖାଇବସିବା।ସରିଲାଣି ରୋଷେଇ ତେଣେ।"
ଆଶ୍ଚର୍ଯ୍ୟ ସଙ୍କେତ ଭାବୁଥିଲା ;"ଏକା କୋଉଠି ଥିଲି?ଏ ଶାଶ୍ବତ ତଳକୁ କେତେବେଳେ ଗଲା? ସେତେବେଳୁ ତ ମୋ ସହ ସିଏ ହିଁ ଗପୁଥିଲା। ଆଉ ଏବେ ଏମିତି କଣ କହୁଛି ? ତେବେ କଣ ସତରେ ମୋ ସହ କଥା ହେଉଥିବା ଶାଶ୍ବତ....ଶାଶ୍ବତ ନ ଥିଲା ? ତେବେ କଣ ସେଥିପାଇଁ ତାର ହସଟି ଅପୂର୍ବ ଆନନ୍ଦର ଛିଟା ସୁନ୍ଦର କରି ବହନ କରୁଥିଲା ?ଈଶ୍ୱର ....... .....।
ମହକୁଥିଲା ଛାତଯାକ........ ଚନ୍ଦନ ଚନ୍ଦନ ।