Lopamudra Parida

Action Inspirational

4.1  

Lopamudra Parida

Action Inspirational

ବୁଢା

ବୁଢା

4 mins
20



ସେ ବୁଢା ଟା ମ ।ସେଇ ଯୋଉ ବୁଢା, ଯାହାକୁ ସମସ୍ତେ ବୁଢା ବୋଲି ହି ଡାକନ୍ତି ।ଆଉ ଯିଏ ଶିରାଳ ପାଉଁଶିଆ ଶୁକୁଟା ଦିଶେ ।ଏଠି ସେଠି ପଡିଥାଏ ।କୋଉଠି ବି ପଡିଥାଏ, ନାଳ କଡ ରେ,ରୋଡ ଧାର ରେ,ସେ ଦୋକାନ ସାଇଡ୍ କୁ ଏମିତି ସବୁ ଜାଗା ରେ ।


ଲିସା ନୂଆ ନୂଆ ଏ ସହର କୁ ଆସିଲା ବେଳେ ତାକୁ ଦେଖି ବ୍ୟସ୍ତ ହେଇ ପଡିଥିଲେ । ଅଫିସ୍ ରୁ ଫେରିଲା ରାସ୍ତା ରେ ପଡିଥିଲା ନିତିଦିନ ପରି।ସେ ଭାବୁଥିଲେ କିଏ ଏ ଲୋକ କହିଁକି ତାଙ୍କର ଏମିତି ଅବସ୍ଥା ।ଯୋଉ ଦିନ ପ୍ରଥମେ ଦେଖି ଥିଲେ ଲିସା ସେଦିନ ବାଦାମ ବାଡି ବସ୍ ଷ୍ଟାଣ୍ଡ ରୁ ଭୂବନେଶ୍ବର ବସ୍ ରୁ ଓହ୍ଲାଇ ଲେବର କଲୋନୀ ଗଡାଣୀ ପାଖେ ପୁଣି ଭେଟିଲେ ସେ ବୁଢା କୁ।ତାଙ୍କ ଆଖି ସାମ୍ନା ରେ ହି ସେ ଧୂମ୍ କି ତଳେ ପଡିଗଲା ।ସମ୍ବେଦନଶୀଳ ଲିସା ଧାଇଁ ଗଲେ ଆରେ ଆରେ ପଡିଗଲେ ଯେ ।ଫୁଲ ଦୋକାନୀ ଉଠି ଆସି କହିଲେ "ତମେ ଯାଅ ମା ।ଏମାନେ ଏମିତି ।ସେଇଟା ମଦୁଆ ଟା।ଆପେ ହୋସ୍ ପାଇଲେ ଯିବ ।ତମେ ଯାଅ ।" 


_ "କିନ୍ତୁ ମଉସା..... ? "


- " ନା' ମା' ତମେ ନୂଆ ଆସିଛ ବୋଧେ କଟକ।ତମେ ଯା' ।"


ଫେରାଗଲେ ଲିସା ।ମନ ଟା ଭାରି ଭାରି ଲାଗିଲା । ସେ ଭାବିଲେ ," ମୋ ବାପା ଙ୍କ ବୟସ ର ହେବେ ବୋଧେ ଏଇ ବୁଢା ଜଣକ। ଯଦି ମୋ ବାପା ଙ୍କ ପରି ବି:ପି ହାଇ ଥିବ ଓ ମୁଣ୍ଡ ବୁଲେଇ ପଡିଯାଇଥିବେ କାଳେ, ଔଷଧ ନବାକୁ ମନେ ନ ଥିବ କାଳେ, ସେଥିରେ ପାଇଁ ସେ ଦଉଡି ଯାଇଥିଲେ ।କିନ୍ତୁ ଫୁଲ ବାଲା ମଉସା ଙ୍କ କଥା ଶୁଣିଲା ପରେ ସେ ଘୃଣା ରେ ଚାଲିଆସିଥିଲେ ।


"କାହିଁକି କେଜାଣି ଏ ଲୋକ ସବୁ ଏମିତି ପିଅନ୍ତି, ଯେମିତି ମାଗଣା ମିଳେ'କି ସତେ।ଛି।ବୁଦ୍ଧି ବୃତ୍ତି, ଘର ଦ୍ବାର ସବୁ କୁ ପଛରେ ପକେଇ ଏ କି ଅବାନ୍ତର ମାୟା କେଜାଣି ।କଣ ମିଳେ ସେ ବିଷ ରୁ ।ସମାଜ ର କଳଙ୍କ ସବୁ ଯେତେ। ମୁଁ ଗଧି ପୁଣି ମୋ ଦେବତୁଲ୍ଯ ବାପା ଙ୍କ କଥା ସାଙ୍ଗେ ତୁଳନା କଲି ।ଛାଡ।"


ସେ ଦିନ ଠୁ ଲିସା ତାକୁ,ସେ ବୁଢା କୁ ମ ,ପୁରା ଭୁଲି ଯାଇଥିଲେ ।ନିଜ କାମ ରେ ନିଜେ ମନ ଦେଇ।


ଏବେ ଲକଡାଉନ ହବାଠୁ ଲିସା ଘରୁ କାମ କରୁଛନ୍ତି।ତାଙ୍କ ଉପର ଘର ବାଲ୍କୋନୀ ରୁ ସେ ହଠାତ୍ ଦିନେ ପୁଣି ଆବିଷ୍କାର କଲେ ସେଇ ବୁଢା କୁ ।ନେଳିଆ ଗାରପକା ସ୍ବେଟର କୁ ମାଟିଆ ଉଲେନ୍ ଟୋପି ଟେ ପିନ୍ଧି ବୁଢା ତାର କଣ ଗୋଟେ ହାତ ରେ ଧରି ଠାକୁରାଣୀ ମନ୍ଦିର ବେଢା ଚାରି ପଟ ମାଟି କୁ ଖୋଳି ସମାନ୍ କରି ଚାଲିଛି ଏକ ଲୟ ରେ।କୋଉ ଆଡକୁ ଆଉ ଲକ୍ଷ୍ଯ ନାହିଁ ।କାହାର ଫୋନ୍ ରିଂ ରେ ସେ ଭିତର କୁ ଚାଲିଆସିଲେ ।ତା ପର ଦିନ ବି ସମାନ୍ କଥା ତାଙ୍କ ଆଖି ରେ ପଡିଲା।ଲଗାତାର ପାଞ୍ଚ ଦିନ ରୁ ସେ ତାକୁ ଦେଖୁଥିଲେ ଆଉ ଆଶ୍ଚର୍ଯ୍ୟ ହେଉଥିଲେ ଯେ ଗୋଟେ ଜାଗା ରେ ଏକ ଲୟ ରେ ଏ ଭଳି ଲୋକ ରହିଛି କେମିତି ?କରୁଛି ,ବା କଣ? ଦୁଇ ଦିନ ପରେ ଦେଖିଲା ବେଳକୁ ମନ୍ଦିର ବେଢା ସାରା ସୁନ୍ଦର ଟିକି ଟିକି ଚାରା ସବୁ ଉଠିଛି।ଗୋଟେ ସବୁଜ ଗାର ଟଣା ହେଲା ପରି ଦୂର ରୁ ପ୍ରତିତ ହେଉଛି।

ମଝି ଚଲା ବାଟ ଖଣ୍ଡ ରେ ସିମେଣ୍ଟ ର ଟାଇଲ୍ ଯାହା ଅନେକ ଦିନ ରୁ ଲଗା ହବ ବୋଲି ମନ୍ଦିର କାନ୍ଥ କୁ ଡେରା ହୋଇ ରଖାଯାଇଥିଲା, ବୁଢା ତାକୁ ସେଠି ପକେଇ ମନ ଦେଇ ଲଗେଇ ଚାଲିଛି।


ଲିସା ଙ୍କୁ ଇଛା ହେଲା କଣ କଥା ବୁଝିବାକୁ ।ସେ ତଳ କୁ ଓହ୍ଲାଇ ଯାଇ ଦରୱାନ କୁ ବୁଝି ଆସିବାକୁ ପଠେଇଲେ ଆଉ ସତର୍କ ବି କରିଦେଲେ ଯେମିତି ଦୂର ରୁ ହିଁ ପଚାରି ଆସ ।ପାଖକୁ ନ ଯାଅ।ମଦୁଆ ଲୋକ ନା।କି ଭରସା ।


ଦରୱାନ ଫେରି ଆସି କହିଲେ, 

" ପାଣି ତ ଟୋପେ ଭଲ ରେ ମିଳୁନି ମା' ,ପିଇବ ସିଏ କୁଆଡୁ।ବୁଢା କୁ ପଚାରିଲି ଏଠି କଣ କରୁଛ।ବଲ୍ ବଲ୍ କି ଆଗେ ମିନିଟିଏ ଚାହିଁଲା, କିଛି କହିଲାନି।ପୁଣି ତା କାମ ରେ ଲାଗିଲା ।ଜୋର କି ଆଉ ଥରେ ପଚାରିଲାରୁ ଗୁଣୁ ଗୁଣୁ ହେଇ କହିଲା 

" ମେତେ ମାରନି ବାପା ।ଏ ମନ୍ଦିର ଦିଅଁ ମତେ ସପନେଇଲେ ।କଇଲେ , ବୃଷୁନି ରେ ମୋ ବାରି ରେ ପୁଞ୍ଜା ପାଞ୍ଚୁଟା ଆମ୍ବ, ପଣସ, ନିମ୍ବ, ଓସ୍ତ ପରିକା ବଡ ବଡ ଗଛ ଲଗାନ୍ତୁନି ।ଏ ସନ ଗରମ ବଡ।ଗଛ କମିଲାରୁ ଧରଣୀ ରେ ରୋଗ ବଢୁଛି ।କି ହୀନିମାନ ହଉଛନ୍ତି ମୋ ପିଲେ ସବୁ ।"


ମୁଁ କଇଲି" ମୁଁ କଣ କରିବି ଯେ ସେଥୁରୁ ।ମୁଁ ତ କୋଉ ଦିନୁ କେତେ କଷ୍ଟରେ ଅଛି ‌।କିଏ ବୁଝୁଛ ? ତମୁକୁ ମୁଁ କିମିତି ସାହାଯ୍ୟ କରିବି ? ତମ ଲୋକେ ପୁଣି ଯଦି ଦେଖିବେ ମୁଁ ମନ୍ଦିର ରେ ପଇଚି ଚୋରି କରିଆକୁ ଆଇଚି ଭାବି ଗୁଡେ କୁଟିବେ। ସମସ୍ତେ ତ ମତେ ନାକ ଟେକିଲେ ।"


ଫୁଣି ଦିଅଁ କଇଲେ "

ଏବେ କେହି ଆସିବେନି ।ତୁ ଯା।ଆଉ ଗଛ ଲଗା  ।କିଛି ହବନି।ସଂସାର ଉଦ୍ଧାରେ।"

ସେଇଠୁ ମୁଁ କିଛି ଚାରା ଏଠୁ ସେ ଠୁ ଗୋଟେଇ ଆଣି ପୋତି ପାଣି ଦେଇଚି । ମଞ୍ଜିଟିଏ ପଡିଲେ ତ ଗଛଟିଏ। ତେଣିକି ମାଟି, ପବନ,ପାଣି ତାର ଚାରାର ଯତନ କରନ୍ତି ଆପେ। ପ୍ରକୃତି ଠାକୁରାଣୀ କରାଏ ।" 


ଆଉ ମୋ ଦୁଃଖ କଥା କିଏ ବୁଝିବ ପଚାରିଲାରୁ କହିଲେ"

" ତୁ ଗଛ ସବୁ ଲଗେଇ ସାରେ ତୋ ଦୁଃଖ ସବୁ ଆପେ ଚାଲିଯିବ।"


ସେଇଠୁ ମୁଁ ପଚାରିଲି ," ଆଉ ତମ ନିଶାପାଣି ।" 


"ନା ' ମଞ୍ଜି ବୁଣିଲା ଦିନୁ ଆଉ ମନ ଡାକୁନି ।ଏ ଚାରା ସବୁ ଦେଖୁନ ବାପା କେମିତି ମନ କିଣୁଚି ।" କହି ତାଙ୍କ କାମରେ ସିଏ ମନ ଦେଲା।


"ବାଇଆଟା ବୋଧେ ମା ' । ମୁଣ୍ଡ ପାଗଳ।ଆଡୁ ସାଡୁ ଗପୁଛି ସପନ ଫପନ ।" ହସି ହସି ଦରୱାନ କହିଲେ ଆଉ ତାଙ୍କ ଚେୟାର କୁ ଚାଲିଗଲେ । 


ପୃଥିବୀ ହିଁ ଏମିତି।ଆମେ ଅନ୍ୟ କୁ ସବୁବେଳେ ନିଜର ସିମୀତତା ଭିତରେ ହିଁ ମାପିଦେଉ। ବୁଝିବା,ବୁଝେଇବାର ଅବକାଶ ନ ଦେଇ।


ଲିସା ଉପର କୁ ଆସୁ ଆସୁ ଭାବିଲେ ଠାକୁରେ ସଂସାର ଯାକ ଲୋକ ଙ୍କୁ ଏଇ ସ୍ବପ୍ନ ଟି ଦେଖାନ୍ତେ ହେଲେ ।ସତରେ କେତେ କଣ ବଦଳିଯାନ୍ତା ।


ଆଉ ସେ ବୁଢା କୁ ଦେଖିଲେ ଲିସା ଙ୍କୁ ଘୃଣା ଆସେନି । ମନ ସଫା ଓ ସମାଜ ଉପକାରୀ ପରି ଲାଗନ୍ତି ସେ।ସେଇ ବୁଢା ମ ଯାହାକୁ ସମସ୍ତେ " ବୁଢା" ବୋଲି ହିଁ ଡାକନ୍ତି ।




Rate this content
Log in

Similar oriya story from Action