Lopamudra Parida

Tragedy Inspirational

4  

Lopamudra Parida

Tragedy Inspirational

ଖୋଳପା

ଖୋଳପା

2 mins
6


ସିକ୍ତାକୁ ତାର ଇଂଜିନିୟର ସ୍ବାମୀ ଛାଡ଼ପତ୍ର ଦେଲେ ବା ସିକ୍ତା ତାଙ୍କୁ ପଛକରି ଚାଲିଆସିଲା ସେ କଥା ଅଜଣା ।ଏ ଦୁଇଟି ଛଡା ଆହୁରି ଦୁଇ ଚାରୋଟି ସମ୍ଭାବ୍ୟ ଆଶଙ୍କା ଯୁକ୍ତ ପ୍ରଶ୍ନ ସେଠି ଥାଇପାରେ। ହେଲେ ଆମର ଭଲା ଏତେ କଥାରୁ କଣ ଯାଏ, ସିଏ କ'ଣ ଆମ ଝିଅ ! 


ନିଜ କପାଳରେ ଚଡକ ପଡିଲେ ମଣିଷ ଚେତେ।ସେ ଯାଏ ନିଧଡକ ।


ସେ ଯାହା ବି ହେଉ କଥାଟି ବିଶେଷ ଭିନ୍ନ ନ ଥିଲା ଯେ ବର୍ତ୍ତମାନ ସମାଜରେ ଏକାଠି ଘର କରିବା କାଠିକର ହେଲାଣି । ସଂସାର ବା କଣ କରିବ,ଅଗ୍ନିକୁ ସାକ୍ଷୀ ରଖି ନିଜ ନିଜର ହାତ ଧରିଥିବା ମଣିଷ ଦିଟି ବି ସାଥି ହେଇ ଚାଲୁନାହାନ୍ତି ।


ସିକ୍ତା ଫେରିଆସିଥିଲା ତାର ବାପାବୋଉ ନ ଥିବା ବାପ ଘରକୁ ଯୋଉଠୁ ମୋଝାମ ( ଘରର ସମ୍ମାନ ବା ଅନ୍ଯ ଅର୍ଥରେ ଖଣ୍ଡା ଯୁଦ୍ଧ ସମୟରେ ପିନ୍ଧା ଯାଉଥିବା ହାତର ଲୌହ ସାଞ୍ଜୁ ) ବୋଲାଉଥିବା ବଡ ଭାଇ ଭିନ୍ନ ହୋଇସାରିଥିଲେ ଭିନ୍ନକ୍ଷମ ସବୁଠାରୁ ସାନ ଭାଇଟିକୁ ପରିତ୍ୟକ୍ତ ଅବସ୍ଥାରେ ଛାଡିଦେଇ । ବିବାହିତା ତିନି ଭଉଣୀଙ୍କର ସୁନାର ସଂସାର ଥାଇ ବି ବାପଘର ତରଫରୁ କିଛି ଅଭାବ ରଖୁନଥିଲା ସିକ୍ତା ଦାଣ୍ଡ ସୁନ୍ଦର ବିଧିରେ। ଅଦ୍ଭୁତ ଦୁନିଆର ନିୟମ। ଭମା ନିର୍ଧୁମ ଖଟୁଥିଲା ତାର ଚାଲିପାରୁନଥିବା ବର ଆଉ ବର୍ଷକର ଝିଅଟିର ଜଞ୍ଜାଳ ଭିତରେ ଘାଣ୍ଟି ହେଇ । 


ଯୌଥ ପରିବାର କାଳେ ମଇଁଷି ଶିଙ୍ଗ ପରି । ଯୁଝିଲା ବେଳକୁ ଗୋଟା। ଏଠି ଯୌଥ ଶବ୍ଦ ହି ସୁନୁ ଫୋଟକା । 


ଅଳ୍ପ ଦିନରେ ପକ୍ଷାଘାତ ଭୋଗୁଥିବା ଭାଇଟି ତାର ଆରପାରିମୁହାଁ ହେଲା । ଏବେ ତାଙ୍କର ସଂସାର କହିଲେ ଗୋଟିଏ ଆଗାମୀ ପୀଢିର ଶିଶୁ ଓ ଦିଟି ପାଖାପାଖି ସମବୟସ୍କି ସ୍ତ୍ରୀ ଲୋକର ଆତଯାତ। 


ସିକ୍ତା ଏବେ ଏ ଘରର ଦୈବ ବିଧାତା । ହର୍ତ୍ତା କର୍ତ୍ତା । ଅ ଠୁ କ୍ଷ ତାରି ଜିମା । ଘରର ନିଅଁକୁ ଛାତ ସବୁ ସିଏ । ତା ମୁଣ୍ଡରେ ସବୁ ଦାୟିତ୍ୱ । 


କୁମ୍ଭାର ଚକ ପରି ସମୟ ସହ ତାଳ ଦେଇ ବୟସ ଗଡିଚାଲେ । 

ଜଞ୍ଜାଳ କୋଉ ଶେଷ ହୁଏ ନା ହବ । ଭମା ତାର ଝିଅ ଜୋଇଁ ନାତିନାତୁଣୀ ଭରା ସଂସାରଭୋଗରେ ସୁଖରେ ଅଛି।


କୋଠା ଘରେ ଗୋଟିଏ ବଳିକା ପଡିଥିବା ମାତାମାଆ,

। ସିକ୍ତା ।


ଏବେ ଏବେ ସିଏ ପୋଷିଛି କଇଁଛଟିଏ । ଏକୁଟିଆ ସମୟକୁ ପାଳିବା ବେଳେ ବାଣ୍ଟି ନେବାକୁ ସେଥିରୁ ଭାଗେ କିଏ ତ ଗୋଟେ ଲୋଡା !ତାରି ସାଙ୍ଗରେ ଏଇଲେ ତାର ଦିନ..... ରାତି ।


ସେଇ କଇଁଛଟିକୁ ଏକଲୟରେ ଦେଖୁ ଦେଖୁ ସିକ୍ତା ବେଳେ ବେଳେ ଭାବେ ସିଏ ନିଜେ ବି ଏଇ ଅମର ଜୀବଟି ପରି ହି । ଅଛମର ଜୀବନ । ଏଇ " ସିଏ ବି ଖୁସିରେ ଅଛି "ର ଆବରଣ ତଳେ ଏକ ଲୁଚିଥିବା ପଥୁରିଆ ଲୁହ ନା ସମାଜର କଣ୍ଟାଝଟାରୁ ତାକୁ ଘଣ୍ଟ ଘୋଡେଇ ରଖୁଥିବା ଏକ ଅନନ୍ତ ଛତ୍ର ! ଖୋଳପାଟି ସିନା ଚିତ୍ର ବିଚିତ୍ର। ଆକର୍ଷଣୀୟ, କିନ୍ତୁ କିଏ ଜାଣେ ସେ ଖୋଳପା ହେବାର ଦ୍ବନ୍ଦ ।


ଭାବନା ମାନଙ୍କର କଣ ଅଛି ମ ,ଠେଲିପେଲି ଧସେଇ ପଶିଆସିବା କଥା ମନତଳ କାଚଘରକୁ । ସିକ୍ତାକୁ ପରା ଆଜି ଏ ଘରର କାଗଜପତ୍ର ଭମା ଝିଅ ନାଁ ରେ ହସ୍ତାନ୍ତର କରି ଅନ୍ୟ ଆଶ୍ରୟଟିଏ ଆଦରି ନେବାକୁ ହେବ ନାକପବନ ଚଳାଚଳ ଯାଏଁ ।


ଚାଲିବାର ନାମ ହିଁ ତ ଜୀବନ ।


କୂର୍ମ....ଏକ ବେଢାର ନାଁ ଯାହା ରତ୍ନବେଦୀକୁ ବାଟ କଢାଏ

ରତ୍ନ.... ଏକ ମାୟା

ମାୟାପତିଙ୍କ ମାୟାରଜ୍ଜୁରୁ ଛାଡ ହି ମୁକ୍ତି 

କୂର୍ମ.... କଶ୍ୟପ ମୁନିଙ୍କ ଗୋତ୍ରର ନାଁ 

ଗୋତ୍ର ବି ଗୋଟେ ବନ୍ଧନ

ତେବେ ମୁକ୍ତି କାଇଁ !


ରଜା ଇନ୍ଦ୍ରଦ୍ୟୁମ୍ନଙ୍କ ପୋଖରୀ ଖୋଳା,ଦେଉଳ ଗଢାରେ ହଜାରେ ହଜାରେ ମଜୁରିଆ ଅମର କୁରୁମ

ଅମରତ୍ବ ବି ଏକ ମୋହ


କଛ୍ଛପ ଏକ ଅବତାର

ରଗଡା ହେଉଥାଏ ଅମୃତ ଖୋଜାରେ ଯୁଗଯୁଗକୁ 


କଇଁଚ ଆଉ ତାର ଖୋଳପା.... ଏକ ମୋହ ତ ମୋଟେ ନୁହେଁ କିନ୍ତୁ

ତାର ସୁରକ୍ଷା ବା ତାର ପିଠିବୁହା ବୋଝ ବି ନୁହେଁ


ଉଭୟେ ଉଭୟଙ୍କ ପରିପୂରକ 

ପରିଚୟ।


ଜୟ ଜଗନ୍ନାଥ 


Rate this content
Log in

Similar oriya story from Tragedy