ଭୋକ: ରୂପରେଖ
ଭୋକ: ରୂପରେଖ
୧: ଉଲୁଗୁଣା
---------
ଛିଞ୍ଚାଡିଦେଲା ନାଟୁର ହାତ ମାଳ,
କହିଲା ଆଉ କେତେଦିନ ଯାଏ ଏମିତି ଏ ଝୋପଡପଟ୍ଟିରେ ମୁଣ୍ଡ କୋଢି ହଉଥିବା ? ଯାଉନୁ ବିଦେଶ।କିଏ କେତେ କୁଆଡେ ଯାଉଛନ୍ତି। ଏମିତି ମାଇକିନିଆ କାନିରେ କେତେ ଦିନ ମୁହଁ ଗୁଞ୍ଜି ପଡିଥିବୁ।ମରଦ ପିଲା ।ଘରୁ ଗୋଡ କାଢିଲେ ଯାଇ କାନି ଭରିବ,ଉଛୁଳିବ,ଲହଡି ମାରିବ। ଯା।ସେ ଅଲଣା ସୁଆଗ ଗୁଡା ଆଉ ଭଲ ଲାଗୁନି।
ପଖାଳ ତୋରାଣି ମୁନ୍ଦେ ବାରି ଶାଗର ମହକ ସହ ଖାଇ ଏଉଡିଟେ ମାରୁ ମାରୁ ମାଳ କାନିରେ ସନ୍ତୋଷିଆ ହାତ ପୋଛୁଥିଲା ନାଟୁ । ଏତକ ଶୁଣି ଘଡିଏ ମାଳ ମୁହଁକୁ ହାଁ କାଢି ଅନେଇଲା ଆଉ ଫିଁଇ କରି ହସିଦେଇ କହିଲା," ଆଲୋ.... ଦାଦନ ଖଟିଆକୁ କହୁଛୁ କିଲୋ ? ମୁଁ କଣ ନିଲଠା ହେଇ ଗୁଣ୍ଡା ଗଣୁଛି? ମୋର ସେ ଭୋକ ନାଇଁ ଲୋ।ଭଉତୁ ଖାଇବି,ଭଉତୁ ଲଗେଇବି ବଲି ବାପ ଗୋସେଇଁବା ଡିହ ଛାଡି ମାଟି କାମୁଡିବି ଯାଇ କା'ଦୁଆରେ? କି କଥା ନ କହୁଛୁ? ଚାଖଣ୍ଡକର ପେଟ। ଏତେ ହୀନିମାନି କାହିଁକି ଲୋ। ମ । ଲକ୍ଷ୍ମୀ ସାନ୍ତାଣୀ ରୋସା ହେବେନି ମାଟି ଛାଡିଲେ !
ଏ ହାତ ଚାଲଥିଲେ କେତେ ମୁହଁରେ ଭାତ ପରା ମୁଁ ଦେବି।କଣ ଅପୋଷା ରଖିଛି ଆଜତଲକ କାହା ହାତ ଟେକାକୁ ? କହ। ଆଲୋ ଗେରସ୍ତ ପାଖରେ ଥିଲେ ପରା ସରଗ ତୁଚ୍ଛ । ତୁ କା' କଥାରେ ପଡି ଏ ନିଉଛୁଣା ଜିଦି ଗୁଡା କୋଳରେ ପୁରଉଛୁ ବା ।
- ହଁ ପରା ଗହଣାରେ ଲଦି ଦଉଥିବୁ ,ଖିରସରରେ ଭସେଇ ଦଉଥିବୁ ଆ ? ଦୋଳି ପରେ ପଞ୍ଚଉଥିବେ ପୋଇଲିଏ ବେଢିକି ଆ ।
ଆଉ ଜ୍ଞାନ ଦେନା ବା । "ଝିଙ୍ଗାସି ହେଲା ମାଳ ।
ହସିଦେଲା ନାଟୁ । ମେଲାପଟକୁ ଉଠି ଚାଲି ଯାଉ ଯାଉ କହୁଥିଲା," ବାୟାଣୀ ଟା ଏକା । ଆଲୁରିଟା । ବୁଝୁନି, ଏ ନିଆଁର ଭୋକ ଦାଉ ଦାଉ ହେଇ ଜିଭ ବୁଲାଏ।ସବୁ ଚଟ କରିଯାଏ।ଆଉ କ'ଣ ଥାଏ ଯେ ପଛେରେ ସାଉଁଟିବ ! ଯିଏ ଭୋଗିଛି କି ଦେଖିଛି ସିଏ ଜାଣିଛି ।
ହଉ ବୁଝିଯାଉ
ବେଳ ଥାଉ ଥାଉ ।
କାଆଲି ପରା ଦେଖିଆସଛି ସାଧୁଆକୁ ବଡ ମେଡିକଲରେ, କି ଅଜଣା ରୋଗ ଘିନିକି ଆସିଛି ସେ ରିଆଦ କି ଆଣ୍ଡାମାନ କଣ ଗୋଟେ କି ଦେଶରୁ।ପଇସା ଯେମିତି ପାଣି ଭଳିଆ ବହିଯାଉଛି । କେତେ କେତେ କଣ୍ଟା ମାଡିକି ଶେଷରେ ଘର ପାହାଚ ଚଢିକି ଫେରିଛି ବିଦେଶରୁ। କାଲି ପା ତାରି ଘରମଣିଷ ମାନେ କହୁ କହୁ କୋହ ଭରୁଥିଲେ , ସେଇ ଯୋଉ ମାନେ ତାସ୍ଚଲ୍ୟ କରି ଫୁଟୁକି ମାରୁଥିଲେ ତାକୁ ବିଲବାରିରେ ଖଟୁଥିବା ଦେଖି । ହାଡଭଙ୍ଗା,ଝାଳବୁହା ଖଟଣିର ଫଳ ଯେ କେଡେ ସୁଆଦିଆ ଚାଖିଥିଲେ ଯାଇ ମୂଲ ଜାଣି ।
---------
୨: ମଳିମୁଣ୍ଡିଆ
------------
ମଣିଷ ଖଟି ଖଟି ଖଟି କୁରୁମ ପାଲଟିଗଲାଣି । କାଇଁ ଦଉଡୁଛି , କୁଆଡିକି ଦଉଡୁଛି ଜାଣିଥାନ୍ତା ହେଲେ । ଜୀବନ ଓ ତାର ଗତିକୁ ପଛରେ ପକେଇ ଧାଉଁଛିଗଲା ।
ଗାଁରୁ ଖରାଛୁଟି ସାରି ଆର ସପ୍ତାହରେ ଫେରିଥିଲୁ ଆମେ । ଗାଁର ସକାଳ , ତାର ମହକ,ସେ ନଈ ବନ୍ଧ,ସେ ବାରିଶାଗ, ଗଡିଆମାଛ ,ବୋଉ,ବଡିଚୁରାକୁ ଖାସେ ଝୁରି ହେଉଥିଲେ ଇଏ ।ସାତ ଦିନ ଭିତରେ ସତର ହଜାରେ ଥର ।
କାଲି ରାତିରେ ଖାଇ ବସିଲା ବେଳେ କହିଲେ," ଭାବୁଛି ଓଡିଶା ଫେରିଯିବା । ନା କ'ଣ କହୁଛ ? ରହିଲେଣି ତ ବାହାରେ ଆଠ ଦଶ ବର୍ଷ ହେଲାଣି । ଏବେ ମାଟିକୁ ଫେରିବା। ନୀଡ଼ ଡାକରା ଦେଲାଣି ।କେତେ ଆଉ ଖଟିବା ଯେ ।
ମୁଁ କିଛି କହିବାକୁ ହି ଯାଉଥିଲି କି ତାଙ୍କ ଫୋନ ବାଜି ଉଠିଲା ଓ ସିଏ ସେଇ ଅଧାଖିଆରୁ ଉଠିଯାଇ ଡେବିରି ହାତରେ ଲ୍ୟାପଟପ୍ ଖୋଲି ଟପ୍ ଟପ୍ ଚଲେଇଲେ ।
ମୁଁ ଭାବୁଥିଲି ଶାନ୍ତିର ଭୋକ ରଖୁଥିବା ମନଟି ପୁଣି କର୍ତ୍ତବ୍ୟର ଭୋକ ତଳୁ ନିଜକୁ ଟାଣି ଆଣି କେବେ ଖୋଜି ପାଇବ କେଜାଣି !
୪ : ସ୍ନେହରଙ୍କୁଣୀ
--------------
ଅମୃତା ବସିଥିଲା ପାର୍କରେ । ସବୁଦିନ ବସେ। ଏକା ବସେ ।ନିତିଲିନ୍ ଆସୁ ଆସୁ ରାତି ଆଠ। ଏବେ ଏବେ ତାଙ୍କର ଘରକୁ ଫେରିବା ଡେରି ହୁଏ। ଶିଘ୍ର ଆସିଲେ ବି କୋଉ କଥା ବଢେ ଯେ ।ନୀରବତାର ଅଖଣ୍ଡ ରାଜୁତି ଆଲଣାରୁ ସାବୁନ୍ ଯାଏ ।
କଣ କରିବ ଯେ ଏକା ସେ ଘର କୋଣଟାରେ ପହର ପରେ ପହର ଗଡେଇ ? ତେଣୁ ସିଏ ସେପଟ ଗଳି ଏପଟ ଲେନ୍ ଦେଇ ଏଇ ପାର୍କରେ ପହଞ୍ଚେ। ଏଇ ଠିକଣା ବେଞ୍ଚଟିକୁ ଘଣ୍ଟାଏ ଅକ୍ତିଆର କରେ ଓ ଗଛ , ଘାସ ସହ ଗପେ। ଦେଖେ ସାନସାନ ଡେଣାଲଗା ଚଢେଇ ପରି ଶିଶୁତକଙ୍କ କିଚିରିମିଚିରି । ତାଙ୍କୁ ହିଁ ଅପେକ୍ଷା କରେ।
ପିଲେ ପରା ସମସ୍ତଙ୍କର କାଳେ।
ଉପର ଓଳି ଚାରିଟା ବାଜିଲା ମାତ୍ରେ ତା ଭିତରଟା ମାଆ ପାଲଟି ଯାଏ ଯେମିତି।ତା ଭିତରେ ମମତାର ଭୋକ ତାକୁ ଟାଣିଆଣେ ସେଇ ଜୀବନ୍ତ କଣ୍ଢେଇ ମାନଙ୍କ ଗହଳିକୁ। ସେଇ ଘଡିକ ସିଏ ଜିଈଁ ଯାଏ ।
ମାଆଠୁ ଆଉ ଅମୃତ ଶବ୍ଦ କଣ ଥାଇ ପରେ। ଅନୁଭବର କଥା ।
-------
୩ : ଗାଦି
ଭୋକ ଗୋଟେ ନିଆଁଲଗା ନିଆଁର ନାଁ । ଜିଭଥିବା ନିଆଁ। ଲହଫହ କରି ସବୁ ଚାଟିନିଏ।ଭସ୍ମ କରି ଫୁ ..... ଉଡେଇଦିଏ ।
ଭନକ୍ ବି ଲାଗେନା ଆଉ ସବୁ ଶେଷ୍। ଏଇ ଚଉକିର ମୋହ ଭୋକକୁ ଘିଅ ଢାଳେ।ପ୍ରତିପତି ଦେଖେଇବାକୁ ଯାଇ ସଂପର୍କ , ମାନବିକତା ଆଦିର ଆହୁତି ଦେଇଦିଆ ହୁଏ ଅକ୍ଲେଶରେ। ଭୁକ୍ ଭୁକ୍ ଜଳୁଥାଏ ନିଆଁ । ଧର୍ମାଶୋକକୁ ଚଣ୍ଡାଶୋକ କରାଏ।ବଦଳେଇଦିଏ ଇତିହାସର ଫର୍ଦ୍ଦ। ମୁଖା..... ମୁଖା ପିନ୍ଧିନେବାକୁ ହୁଏ ସର୍ବ ଇଛ୍ଛାରେ ।ଫାଶୀ ପାଇଯାଏ ଭିତରଟା ।
ଜଣାଥାଏ ଯେ ଏହି ମୁଖାଦିନେ ମିଶିଯିବ ମୁହଁ ସହ ଦୁନିଆଆଗରେ। ଆକୁଇ ବଜାୟ ରଖିବାକୁ ହିଁ କରିବାକୁ ହୁଏ ଯଥେଛ୍ଛା ଭଦ୍ର ରାହାଜାନି।ପରଦା ପଛରେ ଥାଇ । ନିଜେ ଘାଆ ଦେଇ ନିଜେ ବେଳ ଦେଖି ଲୁଣ ନହେଲେ ମଲମ ଲେପିବାକୁ ହୁଏ ।ସବୁ ବୁଝି ଅବୁଝା।ସବୁ ଦେଖି ଅନ୍ଧାର । ଖେଳ ଗୋଟେ ଚଉକିର ।
ଆରାମ ଚଉକିରେ ବସି ଝୁଲୁ ଝୁଲୁ ଭାବୁଥାନ୍ତି ନିଶିକାନ୍ତ ଭଞ୍ଜଦେଓ ।ଏ ଭୋକର କଣ ଅନ୍ତ ନାହିଁ ।ଆଉ ଏତେ ପାପବୋଝ ଉଠେଇବାକୁ ସମର୍ଥ ହେଉନି ତାଙ୍କ କାନ୍ଧ। ସମର୍ଥନ ଦେଉନି ତାଙ୍କ ଆତ୍ମା.....ସେବେଠୁ ଯେବେଠୁ ନିଶିକୁ ଟେକିନେଲେ ବିରୋଧି ଦଳ ଆଉ ଦଳିମକଚି ଫିଙ୍ଗିଦେଇଗଲେ ନିଶିଅଧରେ ବିରାଟ ଢୋରଣ ଫାଟକ ବାହାରେ । ଆଗାମୀ ସମୟ କଣ ଛବି ଘେନି ଆସିବ,କିଏ କହିବ। ଏଇଠି ବସି ଅପେକ୍ଷା କରିଛନ୍ତି ପୁଅ ଓ ସ୍ତ୍ରୀ ରମାଙ୍କ ଫୋନକୁ। ବାଙ୍ଗାଲୋର ଫ୍ଲାଇଟ୍ ରେ ପଠେଇଦେଇ ସେମାନଙ୍କୁ ଏଇ ପୁରୁଖା ଗାଁ ଘରେ ଲୁଚି ବସିଛନ୍ତି ସିଏ ଜୀବନ ଦୀପକୁ ଘଣ୍ଟ ଘୋଡେଇ ।
କଣ ମିଳିବ ସେ ଗାଦିର ଭୋକରୁ।
ସାପକୁ ବାପ ଡାକି ବିଷ ଢୋକିବାରେ ବା କି ବୁଦ୍ଧିମତା ?
ଝିଅଟା କୁନ୍ଥଉଛି ସେପଟ ଘରେ ପଡି ପଡି। ପଦବୀ କି ପିଠିରେ ପଡେ !
୫: ମିଡ୍ ଡେ
---------------
ମିସେସ୍ ଜିନିଲାନ୍ ।
ଛଦ୍ମ ନାମ ପରା ।
ସତ ନାଁ ଲୁଚେଇ ରଖିବାର ଯୋଉଠି ଏତେ ପ୍ରୟୋଜନ ସେଠି ତୁମର ବା ସ୍ଥିତି କାଇଁ ।
ମିଷ୍ଟର ରାୟ ସକାଳୁ ଅଫିସ୍ କାମରେ ବାହାରି ଗଲା ପରେ ଫେରୁ ଫେରୁ ସମୟ ତାର କଣ୍ଟା ମାନଙ୍କୁ ଧରି ଚାରି ଘେରା ନିଜ ପେଟ ଉପରେ ବୁଲି ଆସିଥାଏ ଘେରାଏ । ରାୟବାବୁ ଫେରିକି ସେଇ ଡ୍ରଇଂ ବଖରା ସୋଫାଟିରେ ଗଳି ପଡନ୍ତି ନହେଲେ ଫେରନ୍ତି ହିଁ ଭୋର ସୂର୍ଯ୍ୟ ସହ। କାମ କାମ କାମ । ସମୟ କାଇଁ ଘର, ସ୍ତ୍ରୀ,ପିଲେ ସବୁ ବୁଝିବାକୁ । ଆବଶ୍ୟକତା ବି କଣ ଅଛି ? କୁକ୍ ଠୁ ମେଡ୍ ତ ଖଟୁଥାନ୍ତି କରିଡର୍ ରୁ ପୋର୍ଟିକୋ ଯାଏଁ ।
ମିସେସ୍ ଜିନିଲାନ୍ ଙ୍କର ଗାଡି ନିତି ଯାଇ ଅଟକେ ଭବ୍ୟ ବହୁତଳ ପ୍ରାସାଦ ବା ତାଜ୍ ପ୍ୟାଲେସ ପରି ହୋଟେଲ ବେସ୍ ମେଣ୍ଟରେ । ସେଠୁ ଲିଫ୍ଟ। ହଁ ତା ପରେ ଆଉ ପଚାରିବନି କୁଆଡେ,କଣ, କାହିଁକି। ସଂଧ୍ୟାରେ କିନ୍ତୁ ମିସେସ୍ ରାୟ ଥାନ୍ତି ତାଙ୍କ ଗାର୍ଡେନ ଦୋଳିରେ ବା କିଟିପାର୍ଟିରେ ।
ରାତିର ଛାତିରେ ଠକ୍ ଠକ୍ କରେ ଗୋଟେ ଭୋକ ।
ମିଷ୍ଟର ରାୟ ବସିଥାନ୍ତି କିଛି ମଲ୍ଲି ଗୁଡେଇ ଗଳିର ପାହାଚରେ। ଘଡିକି ଘଡ଼ି ଘଡି ଦେଖୁଥାନ୍ତି । ନୃଶଂସ ବିକଳପଣଟେ ଫୁଟି ଉଠୁଥାଏ ଚେହେରା ଯାକ। ଚମେଲି ଆସି କହେ " ବାବୁ ବସ ଆଉ ଟିକେ । ସିଏ ତା ଜରୁଆ ଛୁଆକୁ ଖିର ଖୋଉଛି । ଆସିବ ।ଥୟ ଧର ।"
୬: ଗରାଖ
--------------
ଲୋକେ ସନ୍ଧ୍ୟା ଭ୍ରମଣ କରୁଥାନ୍ତି। ଗୁପଚୁପ,ଦହିବରା,ମୋମୋବାଲା ଚାରିପଟେ ଝିଅ ମାନେ ମହୁମାଛି ଭଳିଆ ବେଢ଼ି ଥାନ୍ତି । ପୁଅ ମାନେ ଗୋଟେଠି ଆଳୁ ବସ୍ତା ଭଳିଆ ଡେରିଲଦି ହେଇ ଦୂରରୁ ଆଖି ସେକୁଥାନ୍ତି। ସିନେମା ହଲ ସାମନା ଆଉ ଲେଡିଜ ପିଜି ଆଗରେ ବୁଲା ବିକାଳି ମାନେ ସବୁ ମାନେ ସବୁ ବିକୁଥାନ୍ତି ।
ସିଏ କିନ୍ତୁ କଚରାଡବାକୁ ଦି ହାତ ଲଗେଇ ଅଣ୍ଡାଳୁ ଥାଏ। ଘାଣ୍ଟୁଥାଏ ତଳ ଉପର କରି ।କୁକୁର ମାନେ ଆଉ ସିଏ ଏକାଠି ଚାଟି ଦେଉଥାନ୍ତି ଫିଙ୍ଗା ପତ୍ର ।ପାଖର ଗହଳିକୁ ଯେମିତି ସିଏ ଅଦୃଶ୍ୟ ସମ । ହଠାତ୍ ଗୋଟେ ଦୋକାନ ବାଲା ତା ଉପରକୁ ଅଧଗ୍ଲାସ ପାଣି ମାଡ କରିଦେଲା ଏହା କହିକି ଯେ ," ଥୟ ଧରୁନୁ ବେ। ଖାଇକି ଯାନ୍ତୁ ଗରାଖି । ଅସନା ପାଉଛନ୍ତି ତତେ । ଭିକାରି କୋଉଠିକାର। ଯା ପଳା ଏଠୁ। ବେପାର ବେଳେ କେଜାଣି କୋଉଠୁ ଉଠି ଆସନ୍ତି ଏରା ?"
କରଡି ଜଳିଲା ବେଳେ କି ବା ଥୟ ଧରା ଯେ ସିଏ ଧରନ୍ତା ?
-------------
୭ : ବଡଭାଗ ଭୋକ
---------------
ସେ ବଡ ବୋଲି କଣ ସବୁ ତାର ? ବଡ ଭାଗ ଜମି ନେଲା। କହିଲା କଣ ନା ଜେଷ୍ଠା । ତା ଉପରେ ପୁଣି ନଈ କୂଳ ଜମି,ବଡବାରି ଜମି ।ଏଇକ୍ଷିଣା କହୁଛି ପୁଣି ଜଗନ୍ନାଥ ସଡକ କଡ ସେ ଦି ଗୁଣ୍ଡ ବି ତାର। ଭଗାରି ଶଃ । ଆଉ ମୁଁ କଣ ବଡ଼ଦାଣ୍ଡରେ ଥାଳ ଧରି ବସିବି?
ମନ କହୁଛି ଦାଆ ପଚେଇ ବେକ ମୂଳେ ଲଗେଇ ଦିଅନ୍ତି।
ଦାନ୍ତ ଚାପି ରନ୍ଥାଳି ହେଉଥିବା ବଇରାଗୀ ହାତକୁ ନାଲିଚାହା ବେଲେ ବଢେଇ ଦଉଦଉ ବୋଧ ଦେଲା ତା ସ୍ତ୍ରୀ ସୁମତି । କହିଲା," ହଇ଼ଏ,ରକତର ଭାଇଟାକୁ କିଏ ଏମିତି ସମ୍ପାକଟା କରେ ! କଣ ମିଳିବ ସେ ଜଞ୍ଜାଳ ଭୋକରୁ । ଯେତିକି ଦେଇଛି ହାତ ମେଲି ଦଇବ ଖାଇବାକୁ ପେଟ କାଇଁ । କୋଉ ପାଞ୍ଚ ପ୍ରାଣୀ କୁଟୁମ୍ବ ମୁଖ ଅଛନ୍ତି? ଟୁଆଁଟେ କୁ ଟୁଇଁଟେ । ମାମୁଁ ମାଇଁ ହଳେ ଆମେ କଣ କରିବା ସେ ଏକର ଏକର ସମ୍ପତ୍ତି ।
ହେଇଟି କହିବି ତମେ ମୋ ସାଙ୍ଗରେ. .... ମାନେ ଏଇ ମଥାର ନାଲଗାର ଥାଇ ଦି ପରାଣି ଆମେ ଏଇ ମାଟି ଅଗଣାରେ ଏକାଠି ବସି ପାଣି ପଖାଳ ଖାଉଥିବା ମୁଠେ ସିଏ କ'ଣ ଆଉ କୋଉ ରାଜଭୋଗକୁ ସରି ହବକି ।ହେ ନାଃ ।ଦେ ,ଦେବଟି ସେପଟୁ ଭୁଜା ଚାଙ୍ଗୁଡିଟା ବଢେଇ।ମୁଠେ ଚାହାରେ ପକାଏ।
ତମେ ପକେଇବ ?
-----------------------
୮: କାଙ୍ଗାଳି
--------------
" କଣ କହିବ ହେ ପ୍ରଭୁ ଏ ଲୋକ ଗୁଡାଙ୍କୁ, ଇୟୁୟୁ ....ଏଡେ ଭୁକ୍କଡ। ଡିସ୍ ଗସ୍ ଟିଙ୍ଗ୍ । ନୋ । ଦ ଟିପିକାଲ କାଙ୍ଗାଳି ଟାଇପ୍ ।" ହିନ୍ଦୀ ଇଙ୍ଗିଲିସି ଓଡିଆ ଭାଷା ସମୂହକୁ ବତୁରେଇକି ଶିଳରେ ଘୋଳିବାଟିକି ଚିନିରେ ଗୋଳେଇକି ଓଗାଳି ପକଉଥାଏ ମୋ ଆଗ ସିଟ୍ ରେ ବସିଥିବା ଝିଅଟି ତାର ମୋବାଇଲପସା ପୁରୁଷ ବନ୍ଧୁଙ୍କୁ ଚାହିଁ । ଉତ୍ତର କଣ ପାଇଲେ ଫେରସ୍ତ ମୁଁ ଜାଣେନି କିନ୍ତୁ ମୋ କାନ ତାର ଧାର୍ଯ୍ୟ କାମ କଲା । ମତେ ଶୁଣେଇଦେଲା । ମୁଁ ବୁଲି ଚାହିଁଲି କନ୍ୟାଟିକୁ ଆପାଦ ମସ୍ତକ । କାନ୍ଧ ଖସା ଜାଲିକାମ ଟପ୍ ଯାଇ ଯାଇ ନାହିଠି ଅଟକିଯାଇଛି। ତା ପରେ ଗଳେଇଥିବା ନଳପେଣ୍ଟଟି ଜାନୁରୁ ଯେ ନଳିଗୋଡଠି ଗୋଲ ବୁଲେଇ ପେଣ୍ଡା ଯାଏ ଚିରିଚିରା କଟକଟା । ଯିଏ ନୂଆକରି ବା ଧଡ୍ କି ଦେଖିବ ଭାବିବ," ଆହାଃରେ ପିଲାଟି କେମିତି କୋଉଠି ପଡିପାଡି ଯାଇଛି କି କଣ ! ଆଣ୍ଠୁ ଗଣ୍ଠି ଛିଣ୍ଡିନି ତ ।" ହେଲେ ଆଜିକାଲି ଏ ସବୁ ଦେହସୁହା । ପ୍ରକୃତ କଥା ହେଲା ଏ ସବୁ ଜାତୀୟ ପୋଷାକ ଉଦ୍ଭାବନ କରୁଥିବା ମୁଣ୍ଡଟି ମାନ ଖାସ୍ ଖତ ଦେଇ ତିଆରି ।କିଣିବା ପିଲେ ବି ଉଦ୍ଭଟ । ଛାଡ।ସେ ଦ୍ବିତୀୟ ବିଷୟ। ଏତକ ଦେଖିବାକୁ ଆଠ ସେକେଣ୍ଡ ସମୟ ବି ଲାଗିଲାନି ।
ପ୍ରଥମ କଥାଟି ହେଲା ସିଏ ଯାହାକୁ ଚାହିଁ ମନ୍ତବ୍ୟ ଧାଡିଟି ଫିଙ୍ଗିଥିଲା ସେ ଲୋକଟିକୁ ମୁଁ ତୁରନ୍ତ ବୁଲି ଚାହିଁଲି । ଲୋକଟିର ଫାଙ୍କା ....ଦୁଃଖ ସିକ୍ତ ଚାହାଣୀ ସହ କାମ କରୁଥିବା ଶିରାଳ ହାତ , ରକ୍ତ ଶୂନ୍ୟ ଚେହେରା ଯଥେଷ୍ଟ ଥିଲା ତା ଦୁହିଁହେଇଯାଉଥିବା ପେଟଅବସ୍ଥାର ଚିଠା ପ୍ରସ୍ତୁତ କରିବାକୁ । ସିଏ ବି ପିନ୍ଧିଥିଲା ତା ପଞ୍ଜରାକୁ ଗଳ ଗଳ ହେଉଥିବା ମଳିଲଟପଟ ଗଞ୍ଜି ଖଣ୍ଡେ । ପିଠିରେ ଲାଖି ଯାଉଥିବା ଉଦର ତାର ବଖାଣୁ ଥିଲା ତା ଥାଳିର ଦାନା କେତେ ।ଥାଉ ! ଘୋରି ହେଇଆସୁଥିବା ପ୍ୟାଣ୍ଟ କଥା ଆଉ କହିବାନି।
ଇୟୁୟୁ...... ର କାରଣ ଥିଲା ସିଏ ମାଜିବାକୁ ସବୁ ଟେବୁଲୁ ଉପରୁ ଗୋଟେଇ ନେଉଥିବା ଥାଳି ସବୁରେ ପାଣି ଢାଳିବା ଆଗରୁ ନିଜେ ପୋଛି ଖୁଣ୍ଟି ଶେଷ କଣିକା ଟିକକ ଖାଇନେଉଥିବାର ଛବି । ହୃଦୟ ଥିବ ଯଦି କାହାର ବିଦାରି ହେବା ଥୟ ।
ହା ସତେ କି ବିକରାଳରେ ତୁ ଭାଗ୍ୟ ଦେବ ।
ସୁନା ଥିଲେ କାନ ନାହିଁ ନା କାନ ଥିଲେ ସୁନା ନାହିଁ।
------------------------
୯ : କ୍ଷୁଦା
-----
ସକାଳ ଆଠ ହବକି ନାଇଁ ଶ୍ରୀମନ୍ତ କନାବସ୍ତାନି ଖଣ୍ଡେ ସହ ତା ବୋଉ ହାତବୁଣା ତାଳପତ୍ର ଚଟଟେ ନେଇ ହାଜର ହେଇଯାଉଥିଲା ଆପଣେଙ୍କ ଚାଟଶାଳୀ ଦୁଆରେ । ଲମ୍ବ ଦଣ୍ଡବତ ପରେ ଅକ୍ଷରମଡା ହେଉଥିଲା କଳାପଟାରେ.... ଗୋଲଗୋଲକି ଯତ୍ନେଇକି ।
କାଉ କା' ରାବି ନ ଥିବ ଶୁଆ ପରିକା ଗୀତ ଗାଇ ଗାଇ ପଣିକିଆ ସବୁ ପାଣି କରୁଥିବ ସିଏ ।ପାଖରେ ବସି ମୁଣ୍ଡ ଆଉଁସୁ ଆଉଁସୁ ବୋଉ ତାର କହିବ," ଏଇ ଧନ , ଏମିତି ପାଠକୁ ନିଘା ରଖିଥିବୁଟି । ଏ ଭୋକ ଯେମିତି ନ କମେ। ଦେଶଜାତିର ନାଁ ରଖିବୁ।କାଳିଆ ଘୋଡାରେ ଚଢିବୁ। ମଧୁବାବୁ ସାଙ୍ଗେ ଲଢିବୁ ।କୋଟି ପରମାୟୁ ହେଉ ଲୋ ମୋ ପିଲାର ।ଆହେ ମହାପୁରୁ ।"
ଶୂନ୍ୟମୁହାଁକୁ ଉଠଉଥିବ ହାତ ଲୁହଲୁହ ଆଖିନେଇ ।
--------
ପାଠ
_____
ଆଜି ସିଏ ବଡ ଚାକିରିଟେ କରିଛି। ଠାକୁରେ ତା ବାପାବୋଉଙ୍କର ତପସ୍ୟା ଫଳ ତାକୁ ଦେଇଛନ୍ତି । ସିଏ ଆଜି ଗୋଟେ କାମରୁ ଫେରିବା ବାଟରେ ତାରି ଗାଁ ସ୍କୁଲ ପରି ସରକାରୀ ସ୍କୁଲ ଟିଏ ଦେଖି ଗାଡି ଅଟକେଇଛି। ଦେଖିବାର ଇଛା ନେଇ ପାଦ ବଢେଇଛି। ଦୂରରୁ ଦିଶୁଛି କାନ୍ଥ ନୂଆ ରଙ୍ଗ ଦିଆହେଇଛି। ଗାନ୍ଧୀ,ନେହେରୁ,ସୁଭାଷ କାନ୍ଥ ଛବିରେ ଆଉଜି ଥାଇ ହସୁଛନ୍ତି । ଖୁସି ଖୁସି ଆଗେଇ ଯାଉଥିଲା ସିଏ।
ସ୍କୁଲ ଫାଟକ ପାଖରେ ତା ପାଦ ଅଟକି ଗଲେ କିଛି ଗୋଟିଏ ଦୃଶ୍ୟାୟନରେ । ସିଏ ସେଇ ଗେଟ୍ ରେ ଝୁଲୁ ଝୁଲି ଖେଳୁଥିବା ଟୁମୁକା ପେଟୁଆ ଅହଣ୍ଡିଆ ପିଲାଟିର ପାଖକୁ ନୋଇଁ ପଡ଼ି ପଚାରିଲା," କଣ ! ଏଇଠି ଠିଆ ହେଇଛ ଯେ । ଶ୍ରେଣୀରେ ବସିଲନି? " ସିଏ ତାର ସଡସଡ ସିଙ୍ଗାଣି ନାକରୁ ବାଁହାତ କହୁଣୀଯାଏ ସୁଜୁକି ନେଇ କହିଲା ," ସକାଳେ ଆଇଥିଲି ବା। ପେଜେଣ୍ଟ କଇକି ଯାଇଥେଲି। ଭାତଡାଲେଣା ଦିଆ ହବ ବା ଇଲେ । ଓ.....ସେଇଠି ମୋ ବୁଢୀ ମାଆ ବେଲା କଂସା ଧରି ବଇଚି । ନବ ବା ସିଏ।ନେଇକି ଯିବ। ମୁଁ ସେଇଥିନାଗି ଜଗିଛି ।"
ସମୟ .......ଏଇ ଅଢେଇଟା ଖଣ୍ଡେ ହଵ ।
ପାଠଡେଣା ଆଉ ତା ' ସ୍ବପ୍ନର ଆକାଶ ଭିତରେ ଦୂରତା..... କିଏ ମାପି ପାରିବ?
--------------------
10: ଜରିଗୋଟାଳି
---------
ସମୁଦ୍ର ଯାକରେ ଏତେ ବାଲି ନାହଁ ଯେତେ ଭୋକକଣା ତା ପେଟରେ । ତା ଗାତୁଆ ଆଖିକୁ ଦେଖି ମନେ ପଡିଲା
ଆଖିରେ ଧରିବ ତାର ପୋଷେ ପୋଷେ
ହାତ ଧରି ବାଟ ଚାଲେ ଟିକି ଝିଅ ବଉଳ
ମୁଁ ବଉଳ ହବାକୁ ରାଜି ଥିଲି
ହେଲେ ଲୁଣି ଲୁହ ପେଟେ ପିଇସାରିଥିବା ସିଏ ସମୁଦ୍ର ଫେଣପରି କୁଆଡେ ମିଳେଇ ଗଲା ଯେ ମୁଁ ଆଉ ପାଇଲିନି ତାକୁ ସନ୍ଧ୍ୟାର ଶେଷ ଯାଏ।
ଅଗତ୍ୟା ଫେରିବାକୁ ହେଲା ଖାଲି ହାତରେ।
ହୁଏ ଏମିତି...... ଅନେକ ସମୟରେ ।
-------
୧୧: ପ୍ରେତ ଯୋନି
_____
ପିଣ୍ଡ ତର୍ପଣରେ କହୁଣୀଯାଏ ଜଳ ଝରେଇ ଓଲଟ ମୁଠିରେ ଶ୍ରାଦ୍ଧ ବାଢୁଥିଲେ ପୁଅବୋହୁ । ହଜାରେ ଲୋକଙ୍କୁ ଗଙ୍ଗା ନିମନ୍ତ୍ରଣ ଥିଲା।ଭୁରି ଭୁରି ପ୍ରଶଂସାରେ ପୋତି ହେଉଥିଲେ ଦମ୍ପତି । ମାତୃଭକ୍ତି ଆହାଃ ହା ...... ଅମାପମାପ.... ଶବ୍ଦ କାହିଁ ବଖାଣିବାକୁ। ସାମାଜିକ ସମ୍ମାନ ଆକାଶ ଛୁଁ ଥିଲା ।
ମହଲ ପରିକା ଘରର ଭିତର ପାଚେରୀ କୁ ଲାଗି ଲଟେଇଥିବା ଏକଜୋଟିକ୍ ଅର୍ନାମେଣ୍ଟାଲ୍ ଲଟାରୁ ଝୁଲି ରହି ବୁଢୀ ଭାବୁଥିଲା," ଜୀଁ ଥିଲା ବେଳେ ମୁଠେ ଦେଇଥାନ୍ତ ହେଲେ ରେ ? କରଡିରେ ଭାରି ଭୋକ । ଦହକେଇ ଦହକେଇ ଜାଳୁଛି । ଆଃ ।"
୧୨ : ଲବି
-----------
ଚାରିବର୍ଷରୁ ଜନସେବାରେ ଥିବା ସବଜାନତା ଟୋକାଟି ସେଇ ସଭା ପାଖାପାଖି ଟହଲ ମାରୁ ମାରୁ କାହାକୁ ଗୋଟେ କହୁଥିଲା ଜଗନ୍ନାଥ କୁଣ୍ଡୁଠୁ ବି ଏମାନେ ଆହୁରି ଯକ୍ଷ। ଶୁଖିଲା କାଠ । ଚମ ମଳି ଦେବେନି ଛାଲ ଉତାରି ଦେଲେ ବି। ର,ଠୁ,ପ ,ଖ ଗୁଣରେ ଗୁଣି ।
ଆଉ ଆଜି ଦେଖ ହୋ ପୁରସ୍କାର, ମାନପତ୍ର,ମଞ୍ଚର ଭୋକ କେତେ ବାଟ ଟାଣି ନ ଆଣିଛି ୟାଙ୍କୁ। ଜାଚିକି ଆମ କାର୍ଯ୍ୟକ୍ରମ ପାଇଁ ହାତଖୋଲି ଦାନ ! ଆଖି ଥିଲେ କିସ୍ ନ ଦେଖେ ନୟନ ଆହାଃ ।ସିଏ ଯାହା ହଉ ମ ଆମ ପକେଟ ତ ଗରମ ହେଲା।
ଦେ ରେ ସାରେଙ୍କୁ ଥଣ୍ଡା ଆଣିକି ଦେ। ଆଗଧାଡିରେ ଚଉକିଟା ପକା।
ଆଜ୍ଞା ଆସନ୍ତୁ ଆସନ୍ତୁ
ଅହୋ ଭାଗ୍ୟ ଆମର
ଆପଣ ଆସିଲେ। ଆମେ ଧନ୍ୟ ହେଲୁ ।
ଆତ୍ମା ଆଉ ଆତ୍ମସମ୍ମାନ ଯାଉ ଚୁଲିକୁ ହୋ ।
------------
13: ଡାହାଣା କାଚ
__________
ପୁଅ ମୋର ବରାଦ କରିଥିଲା ବ୍ଲାକ୍ କରେଣ୍ଟ
ଦି ଚାମଚ ଚାଟି ପେଲୁଥିଲା ମତେ," ତୁ ଖାଇଦେ ପ୍ଲିଜ୍ ନା ମମୀ,ମତେ ସନ୍ଡେ ଫ୍ଲେଭର୍ ବି ଚାଖିବାର ଅଛି। " ମୁଁ ତାକୁ ଗେଲଉ ଥିଲି," ଖାଇଦେ ମୋ ବାପା,ମୋର ପରା ଦେହରେ ଯିବନି।" ମୁଁହ ଫେରେଇ ନଉଥିଲା ସିଏ।
କାଚ ସେପଟେ ସେଇ ସମାନ ବୟସର ହଳେ ଆଖି ଲାଖି ଚେପେଟି ହେଇଯାଉଥିଲା ମୋ ପୁଅର ଆଇସକ୍ରିମ ବାଉଲ୍ ଉପରେ ।
ସେ ହଳକ ଭେଦିଯାଉଥିବା ଆଖି ମୋ ପାଖକୁ ସଞ୍ଚରି ଆସୁଆସୁ ମଝି ପାରଦର୍ଶି କାଚଟି ଅଦୃଶ୍ୟ ହେବା ବଦଳରେ ତୀବ୍ର ଗତିରେ ବଦଳିଯାଉଥିଲା କଠିନ ଲୁହା ପ୍ରାଚୀରରେ ।
ଉଫ୍.......ଆଭିଜାତ୍ୟର ଭୋକଟେ ପୁଣି ଅଛି କି ନା !
___________
14: କୁକୁର
ହଷ୍ଟେଲର ବଖରା।
ଜେଝାକାମରେ ଯିଏ ବ୍ୟସ୍ତ ଥାଇ ବି ଜମିଥାଏ ଗପ।
ନିହାରିକା କହିଲା," ଆଜି ପରୀକ୍ଷା କେମିତି ହେଲା ? ଆରେ ସେ ଛ ନମ୍ବର ପ୍ରଶ୍ନର ଉତ୍ତରରେ କଣ ଲେଖିଲ ସବୁ ।"
ସିନି ଉତ୍ତର ରଖିଲା," ଯାବେ! ମୁଁ ମୋର ଏ ମୋଟା ଶରୀର କେମିତି ହଟେଇ ଏ ଜିନି ଭଳିଆ ଦିଶିବି ଭାବି ଭାବି ସେଇଟା ଲେଖିଛି।"
ବେତ ନହକା ଜିନି ଫିଡକିକି କହିଲା," ହଁ ଲୋ ମତେ ହେଲେ ତୋ ଭଳିଆ ଗୋଲଗାଲିଆ ଚେହେରା ଟୈ ମିଳିଥାନ୍ତା ଲୋ।"
ନିହାରିକା ପୁଣି କହିଲା," ଆଉ ମତେ, ତମ ଦିଜଣଙ୍କ ପରି ରଙ୍ଗ। ଦରକାର କଣ ଥିଲା ଯେ ସେ ଠାକୁରଙ୍କର ମତେ ଏମିତି ତାଙ୍କ ଭଳିଆ କୋଇଲି ରଙ୍ଗ କରିବା। "
କଣଖଟରେ ପେଟେଇଥିବା ନେହା କିଛି କହୁନଥିଲା
ତାର ସାଙ୍ଗ ମାନଙ୍କ ଏକାସାଙ୍ଗରେ ଡାକ ଶୁଣି ସିଏ ବୁଲି ଚାହିଁଲା ।ତା ଆଖିରେ ଅଗାଧେ ଲୁହ ।
ସମସ୍ତେ ଆଶ୍ଚର୍ଯ୍ୟ ।
ଆଲୋ ତୋର କଣ ହେଲା _ପଚାରିଲେ ସମସ୍ତେ ।
ସଳଖି ବସି ଝରକା ଦେଇ ବାହାରକୁ ଚାହିଁଲା ନେହା, ଆଉ କହିଲା," ଛିଃ ସେ ମାଷ୍ଟର ଆଖିରେ କେତେ ଭୋକ ।ଡାହାଳ ଆଖିଆ। ପରୀକ୍ଷା ସାରା ମତେ ଗୋଟା ଗିଳି ଗଲା ପରି ଆଖି ପଲକ ପକଉନଥିଲା । ଖାଇଦବ ଯେମିତି ଏବେ । ମୋ ପାଦ ହାତ ଥରୁଥିଲା।ମୁଁ କିଛି ଉତ୍ତର ଲେଖି ପାରିଲିନି କେବଳ ସେଇ ଛ ନମ୍ବର କୁ ଛାଡି," ପ୍ରଶ୍ନ ଥିଲା ଭୋକର ସ୍ବରୂପ ନିର୍ଣ୍ଣୟ.... ମୁଁ ଉତ୍ତରରେ ଲେଖିଲି ନଳିସାର୍।"
ଉଦାସୀ ଜହ୍ନ ମୁହଁ ଲୁଚେଇଦେଲା ବାଦଲ ପଛରେ।
୧୫: ପଥ
_________
ଆଉ ଏତେ କ୍ଷୁଦାର ଶେଷରେ ଏକ ତୃଷ୍ଣା ସହ ପରିଚୟ
ନୀଳ ଉନ୍ମୁକ୍ତ ଆକାଶଛାତିକୁ ଚାହିଁ ତନ୍ମୟ ଚାଲିଥିଲା ମୋକ୍ଷପଥେ.....
ସଂସାରର ସ୍ଥିତି ତା'ପାଇଁ ଏବେ ଅଦୃଶ୍ୟ ସମ ।
ଭକ୍ତି ପଥରେ ଅବିଚଳିତ ହେ ପନ୍ଥପଥିକ
ତୁମ ତୃଷ୍ଣା ମେଣ୍ଟୁ ।
ଯାଉ
ଯିବାକୁ ଦିଆଯାଉ ।
-------
ଲାଳସା,କାମନା,ମୋହ, ଇଛ୍ଛା, ବାସନା ଆଦି ଆଦି .....
ସବୁ ତ କଙ୍କାଳର ଭୋକ ହି ।
ଭୋକ ନ ଥିଲେ ସଂସାର ବା କାହିଁ ।