ନାରୀ: ଶବ୍ଦର ରେଖାଚିତ୍ର
ନାରୀ: ଶବ୍ଦର ରେଖାଚିତ୍ର
୧ ରୂପାନ୍ତର
------------
ସିଏ ତାରି ପରି ଜଣକ ଗର୍ଭରୁ ବାହାରକୁ ଆସିଲା, ଦେଖିଲା ପ୍ରକାଶପୁଞ୍ଜର ଅନନ୍ତ ରଶ୍ମୀଘେର। ସିଏ ଭୟ ପାଇଲା କି ନା କହିହେବନି କିନ୍ତୁ ସିଏ କାନ୍ଦିଲା
.... କାନ୍ଦି ଫଟେଇ ଦେଇଥାନ୍ତା ବସୁଧା ବକ୍ଷ.... ଠିକ୍ ସେତିକି ବେଳେ ଅଭୟ ହସ୍ତ ଦିଟି ବେଢିଲେ ତାକୁ।ଆଉ ସିଏ ଶୁଣିଲା
" ମୋ ମାଆ,ମୋ ଲକ୍ଷ୍ମୀ"
କପାଳରେ ତାର ଉଷ୍ଣ ଓଠଧାରେ ଛୁଇଁଗଲା ମାତ୍ରକେ ସିଏ ପାଲଟିଗଲା " ଦେବୀ" ।
୨: ରୂତୂମ୍ଭରା
_________
ସ୍କୁଲ ଅଗଣା ଖରାବେଳେ ଖାଇବା ଛୁଟିରେ ସିଏ ତାର ଚଟା ପାଇଁ ଖପରା ଗୋଟେଇବାରେ ବ୍ୟସ୍ତ ଥିଲା ।ପଛକୁ ପୁଣି ଗଣିତ, ଭୂଗୋଳ ଲେଖା ସାରିଲେ ସାର୍ ଙ୍କୁ ଦେଖେଇ ଦେଇ ରେଳଠୁ ବେଗ ଗତିରେ ଛୁଟିଯିବାର ଅଛି ଘରକୁ ଆଉ ଚାରିଟା ପିରିଅଡ୍ ପରେ।
ତା ପରେ ପୁଣି ଇନି,ମିନି,ଝୁନି ସହ ବାଗୁଡି,ଡୁ ଡୁ, ଡାଳମାଙ୍କୁଡି,ପାଣି ପାହାଡ,ଦଉଡ ଡିଆଁ, କଣ୍ଢେଇ ବାହାଘର ଖେଳିବାର ଅଛି। ଚାହିଁ ବସିଥିବେ ସବୁ ତାରି ବାଟ । ଘାସଫୁଲଠୁ କଙ୍କି ସଭିଏଁ ତାର ମିତ।
ହଠାତ୍ ବେଢ଼ି ଆସି ପାଖରେ ଠିଆ ହେଲେ ପୁଣି ଦୁଇଟି ଅଭୟ ହସ୍ତ ।ରୂପ ଓ ସମ୍ବୋଧନ ଭିନ୍ନବୋଧ ଯାହା ସିନା । ତାଙ୍କ ଜ୍ୟାକେଟଟି ତା ହାତକୁ ବଢେଇ ଦେଇ ଆଖିରେ ସ୍ନେହ ଭରି କହିଲେ," ଅଣ୍ଟାରେ ବାନ୍ଧିଦେ ମାଆ। ଯାଆ ଏବେ ଘରକୁ ଫେରିଯା। କୋଉଠି ଅଟକିବୁନି ସିଧା ବୋଉ ପାଖକୁ ଯିବୁ। ଯା। " ତା ମଥା ଉପରେ ଆପଣାପଣର ହାତଟିଏ ଥିଲା। ଆଉ ସେ ସ୍ପର୍ଶରେ ଆତ୍ମିୟତା ।
ଅବୁଝା ଆଖିରେ ଚାହିଁ ସିଏ କଥା ମାନିଲା ।
ଗଛ ମାନେ ଫଳରେ ଲଦି ହେଲେ ,ଚାରିଆଡେ ଫୁଲ ଫୁଟିଲା ।
ମାଆ କହିଲା," ଏଣିକି ତୋ ଦେହରେ କାଳେ ରୁତୁଟେ ଅଙ୍କା ହେଲା ।ପାଦ ଗଣି ପାଦ ଥାପିବୁ ।"
୩: ଅଭିସାର
------------------
ପ୍ରଜାପତିର କି ଡେଣା ମ ? ମନର ଡେଣା ସବୁଠୁ ରଙ୍ଗୀନ।
ତାର ଆକାଶ ସାରା ରଙ୍ଗ। ଫଗୁଣେ ସଜ୍ଜା ତାର ଗଭା। ହରିଣୀ ଜିଣି ତାର ଚାହାଣୀ। ନଦୀଠୁ ତଲ୍ଲିନ୍ନ ତାର ଗତି। ଗଙ୍ଗା ସମ ତାର ପବିତ୍ରତା। ମଧୁରପଙ୍କସହ ତନ୍ମୟତାର ନାଁ ପାପ। ଲଜ୍ଜାରୁଣା ମିଠାପ୍ରେମ.... ତାର ତପସ୍ୟା। କଥାରେ କଥାରେ ଫୁଲଫୁଟା
ମହକ । ସିଏ ପଦ୍ମଗନ୍ଧା।
ଚୈତ୍ରରେ ବସନ୍ତର ଶାଢୀ ବେଢି ପବନ ତା ପାଇଁ ଗାଉଥିଲା " ଚନ୍ଦ୍ରମଲ୍ଲୀ ହସେ ଚିତ୍ରଲେଖା ଓଠେ .....ଅଜାଣତେ ମତେ ଭଲପାଇ ବସେ ।"
ସିଏ ସମ୍ମୋହିତ କରୁଥିଲା ସମୟକୁ ।
ସମୟ ଅଟକି ରହିଥିଲା ତାରି ଲାବଣ୍ୟରେ ।
ସିଏ " ଧରିଶ୍ରୀ " ପାଲଟୁଥିଲା।
୪: ସର୍ବଂ ସହା
_________
କନ୍ୟାଦେଖା, ସ୍ବୀକାର ପରେ ହୁଳହୁଳି
ପାଦରେ ଝୁଣ୍ଟିଆ , ଓଠରେ ହସ ହାତେ ଓଢଣା ତଳୁ ଝିଲମିଲ ସରୁ ନାକଚଣା ଅଳତାବୋଳା ସ୍ବପ୍ନ ରାତାରାତି ଓହ୍ଲେଇ ଆସୁଥାନ୍ତି ହଳେ ଆଖିର ମିଳନରେ ସିଏ ପାଲଟୁଥାଏ ବଧୁ ....
" ଲକ୍ଷ୍ମଣରେଖା ଲଘିଂବନି" ର ରାଣ ସେପାଖରୁ।
ଦିନଟେ ଆଗରୁ ସବୁ ଅଦଉତିକୁ ବେଣୀରେ ବାନ୍ଧି ରଖି ଉଡିବୁଲୁଥିବା ଅଲିଅଳି ରାଜଜେମା ପାଶୋରିଗଲା ଆସପାଶ ।
ମଳୟକୁ ପଣତରେ ସାଉଁଟି..... ସ୍ବ ଇଛ୍ଛାରେ ଆଦରି ନେଲା ବନ୍ଧନ ।
ବୁଣିଲା ସୁନାର ସଂସାର ।
୫ : ଅନ୍ତର୍ଦାହ
---------------
ହଜାରେ ଇଛ୍ଛା ଅନିଛ୍ଛାର ନୀଳ ପଟ୍ଟଳ
ସମୁଦ୍ର ବେଶୀ ଲୁଣି ନା ଲୁହ ? ଛାଖିଛି କ'ଣ କିଏ?
ଭାଗମାପ ରଖିଛି କଣ କିଏ ?
ସାଗର _ ଆକାଶର ସୀମାରେଖା ସେପାଖେ ସ୍ବପ୍ନ ବଳିଥାଏ କି ?କେବଳ ମୁଠାଏ ଅସ୍ତରାଗର ରଙ୍ଗ ଢାଳିଦେଇ ଜଳୁଥାଏ ଅନ୍ତର୍ଦାହରେ ଅଂଶୁମାନ ଅହରହ ।
ସମସ୍ତେ କୁହନ୍ତି ଆହାଃ, ସୂର୍ଯ୍ୟ ଉଦୟର ଅତୁଳନୀୟ ସୁନ୍ଦରତା ଆଗରେ କୋଉ ଦୃଶ୍ୟ ବା ସରି ଅଭିନବ ସୌନ୍ଦର୍ଯ୍ୟ ।
କିଏ ବା ଭୋଗିପାରେ ସେଇ ତାତିକୁ..... ସେଇ ସାଗର ଛଡା ।
ମନୁଷ୍ୟ ଯେତେବେଳେ କାହାର ପ୍ରଶଂସା କରେ ଖୁବ୍ କମ ଲୋକ ତାକୁ ବିଶ୍ବାସ କରନ୍ତି, ହେଲେ ନିନ୍ଦୁକକୁ ବିଶ୍ବାସ କରୁଥିବା ମନର ଅଭାବ ନଥାଏ।
୬ : ସଂପୂର୍ଣ୍ଣା
---------
ତାରି କୋଳରୁ ତାରି ପ୍ରତିରୂପଟିଏ ଗଢିହେଲା । ସିଏ ବେଢିହେଲା ଏକ କୂର୍ମ ବେଢା । ଗର୍ଭଗୃହରେ ବିଜେ କଲେ ଈଶ୍ୱର।
ଆଉ ସିଏ ପାଲଟିଗଲା " ମାଆ।
ଏଇଠୁ ଆରମ୍ଭ ହେଲା ତାର ଆଉ ଏକ ଜୀବନ ଫର୍ଦ୍ଦ ରାଶି ରାଶି ମେଘ ,ସୋରା ସୋରା ଆନନ୍ଦ ।।
ବୃତ୍ତାକାର ବିନ୍ଦୁ। ତାରି ପରିକ୍ରମା କରେ ଆକାଶ ଗଙ୍ଗାଠୁ ଅନ୍ତରିକ୍ଷ ।
ସିଏ ଦେବୀ ହେଲା,ମାଆ ହେଲା,ସର୍ବଂସହା ହେଲା, ସଂପୂର୍ଣ୍ଣା ,କ୍ଷମା,ଦୟା, ଶ୍ରଦ୍ଧା, ସ୍ନେହ ବତ୍ଚଳା ହେଲା..... ହେଲା ସ୍ବୟଂ ସିଦ୍ଧା ..... ମାନବୀ.....ପରମ ବ୍ରହ୍ମଙ୍କ ନିରୁତା ଚିତ୍ରଣ ହେଲା ନାରୀଟିଏ ।ତାକୁ କିଏ ବା କଳି ପାରେ ନା କହିପାରେ ତାର ବିସ୍ତୃତି !
ଯା ଦେବୀ ସର୍ବ ଭୂତେଷୁ ନାରାୟଣୀ ରୂପେଣ ସଂସ୍ତିତା
ନମ୍ଃ ତତ୍ସେଇ ୩
ନମୋ ନମଃ ।
ତେବେ କଥାଟେ ପଚାରିବାର ଥିଲା.....
ତେବେ ଦେବୀସୀତାଙ୍କର ଅଗ୍ନି ପରିକ୍ଷାର ନିୟତ୍ତି ସରିବ ,ସରିବ ହେଉଥିଲା ପରା ? ସରିଲାଣି କି ? କିଛି ଖବର ଅଛି ?
_________________
ନାରାୟଣଙ୍କୁ ଆଗୋଚର ଯାହାର କାୟା,ମାୟା.... ତାକୁ ଆମେ ବା କି ପାରନ୍ତେ ଜାଣି ସେହି ଅବ୍ୟକ୍ତା ନାରାୟଣୀଙ୍କୁ , ବ୍ରହ୍ମା ଯାହାର ଧାର ପାଇବାରେ ଅସମର୍ଥ ଯାହାର ଅରି ବୋଲି କେହି ନାହିଁ ସିଏ ହେଲା ନାରୀ।
ନାରୀ କଣ ଏକ ଶବ୍ଦ?
ଏକ ଶବ୍ଦାଂଶ ?
ସିଏ ପୂର୍ଣ୍ଣ.. ସିଏ ହିଁ ଅସ୍ମିତା.....
ଏକ ଏମିତି ଅନୁଭବ ଯାହା ଜୀବର ଯରାୟୁରୁ ଆରମ୍ଭ ହୁଏ, ଯାବତିୟ ଜଞ୍ଜାଳଦେଇ ଅସ୍ତିତ୍ବ ଯାହାର ସ୍ଥିର, ଚତୁର୍ପାର୍ଶ୍ବର ପ୍ରତିଟି ନିଃଶ୍ବାସର ବିଶ୍ବାସରେ ।
ଯୁଇରେ ଜଳିବା ଯାଏ ....ସାଇତି ନେଉଥାଏ ଅଭିମାନ ପିଇ ଦେଉଥାଏ ଜ୍ବାଳା ବିଭିନ୍ନ ଭଙ୍ଗୀର କେତେ ରୂପ କେତେ ରଙ୍ଗ ତାରି ସୁରକ୍ଷାରେ ସଂସାର ତାକୁଇ ସୁରକ୍ଷିତ ରଖିବାର ଭ୍ରମରେ ସଂସାର।।