Arabinda Rath

Comedy Drama

2.5  

Arabinda Rath

Comedy Drama

ହଟହଟିଆ କବି

ହଟହଟିଆ କବି

10 mins
14.1K


ଲେଖକ- ଅରବିନ୍ଦ ରଥ

--- କିଓ ସଦାବେଳେ ଗାଈ ପାକୁଳି କଲା ପରି ପାଟିରେ ସେ ନିଆଁଲଗା ପାନକୁ ଚୋବଉ ଥିବ ନାଁ ଘର କଥା ଆଡେ ଟିକେ ମୁଣ୍ଡଦେବ। ଘର ଏଣେ ଚୁଲିକୁ ଗଲାଣି ବାବୁଙ୍କ ପାନ ନିଶା ଛାଡୁନି। ଏ ବୟସରେ ବି ବେହିଆମି ଛାଡିବାକୁ ମନ ହଉନି। ତୁମ ମୁହଁକୁ ଲାଜ ନାହିଁ ଯାହା। ବିରକ୍ତି ଭରା ସ୍ବରରେ କହିଲେ ରେବ।

----- ସେମିତି ବେଶି ବକବକ୍ କରି ସକାଳୁ ମୁଣ୍ଡଟା ଖରାପ୍ କରନି କହିଦେଉଛି। ପୁରୁଣା ରେଡିଓ ପରି ଚବିଶ ଘଣ୍ଟା ରାଉରାଉ ନହେଲେ ତୁମ ଭାତ ହଜମ ହେବ କୁଆଡୁ। ଆରେ ନିଜ ପଇସାରେ ପାନ ଖାଉଛି, କାହାଠୁ ମାଗିଛି ନା ଧାରିଛି। ଘର ଭାସୁ କି ତୁମେ ଭାସ, ମୋତେ କେତେ ଯାଏ ଆସେ। ପାନ ଖଣ୍ଡେ ଚୋବଉଛି ମାନେ ସେଇଟା ମୋ ପାଇଁ ସବୁଠୁ ବଡ କାମ। ଆଗ ଚୋବା ସରୁ ତାପରେ କାମ କଥା ଦେଖିବା। ଆଉ ବେଶି କେଁ କାଁ କଲେ ପିଚକାରୀ ମାର୍କା ପାନଛେପ ଥୁକିବି ଯେ ସିଧା ମୁହଁ ଉପରେ ଯେ ହିଡିମ୍ବା ପରି କାଳିଆ ମୁହଁଟା ନାଲି ଟହଟହ ଦିଶିବ।

ଏତିକି କଥା କହିବାକୁ ମନ ହେଉଥିଲେ ବି କହିଲେନି ମଦନ, କାରଣ ପାଟିରେ ପାନଛେପ ବଢିଲା ନଦୀର ପାଣି ପରି ଉବୁଟୁବୁ ହେଉଥିଲା।

ସକାଳଟାରୁ ଘରଣୀଙ୍କର ପ୍ରେମ ସମ୍ଭାଷଣରେ ମଦନଙ୍କର ମନ ରାଗରେ ଫାଟି ପଡୁଥିଲା। କିନ୍ତୁ ସେ ଜାଣିଥିଲେ, ଏହି ଘଡିସନ୍ଧି ମୁହୂର୍ତ୍ତରେ ଯଦି ପାଟିରୁ ଗୋଟେ ପଦ କଥା ବି ଖସିଗଲା, ରେବ ତାଙ୍କୁ ତଳେ ଗଡେଇ ଦେଇ ଛାତି ଉପରେ କୁଚିପୁଡି ନାଚ ଆରମ୍ଭ କରିଦେବେ। “ଆପେ ବଞ୍ଚିଲେ ବାପର ନାମ" ନ୍ଯାୟରେ ଢିମା ଆଖି କରି ଖବର କାଗଜରୁ ଖବର ସବୁ ସୁଡୁସୁଡୁ କରି ପିଇବାରେ ଲାଗିଲେ।

--- ଆଜ୍ଞା, ମଦନବାବୁ ଘରେ ଅଛନ୍ତି କି?

ସୁବର୍ଣ୍ଣ ସୁଯୋଗ ହାତଛଡା ନ କରି, ମଦନ ବାହାରକୁ ଗଲେ କିଏ ଡାକୁଛି ଦେଖିବା ପାଇଁ। ସେତିକି ବେଳେ ବାହାରେ ପାନଛେପ ଥୁକି ଗଳାକୁ ଟିକେ ଝାଡି କହିଲେ--

--- କୁହନ୍ତୁ ଆଜ୍ଞା, ମୁଁ ନିଜେ ମଦନବାବୁ।

– ଆଜ୍ଞା, ଆମ କଲେଜର ବାର୍ଷିକ ଉତ୍ସବରେ ଆପଣଙ୍କୁ ମୁଖ୍ଯବକ୍ତା ଭାବରେ ନିମନ୍ତ୍ରଣ କରିବାକୁ ଆସିଛୁ। ଯଦି ଆପଣଙ୍କ ବହୁମୂଲ୍ଯ ସମୟରୁ କିଛି କାଢି ପାରନ୍ତେ, ଆମେ ନିଜକୁ ଧନ୍ଯ ମନେ କରନ୍ତୁ। ଗୋଟେ ନିଶ୍ବାସରେ କୋଡିଏ ବର୍ଷର ମେଞ୍ଚଡ ପିଲାଟେ ଯାତ୍ରାପାର୍ଟିର ଡାଇଲଗ୍ ଗାଇବା ପରି ଗାଇ ଦେଇ,ଜୁଳୁଜୁଳୁ ହୋଇ ମଦନାଙ୍କ ଉତ୍ତର ଅପେକ୍ଷାରେ ରହିଲା।

ମନ ଭିତରେ ଖୁସି ଗୁଡାକ ମାଛ ପରି ଫକଫକ ଡେଉଁ ଥିଲେ ବି ଟିକେ ଗମ୍ଭୀର ଗଳାରେ କହିଲେ,

--ହଉ ଦେଖିବା। ଆହୁରି କିଛି ଦିନ ବାକି ଅଛି। ମୁଁ ଟିକେ ବ୍ଯସ୍ତ ରହୁଛି। ତୁମେ ମାନେ ମୋତେ ଫୋନ ନମ୍ବର ଦିଅ, ମୁଁ ନିଜେ ତୁମକୁ ଜଣେଇ ଦେବି।

ପିଲା ଗୁଡା ଗେଟ୍ ବନ୍ଦ କରି ଯିବା ପରେ ମୁହଁରେ ଚନ୍ଦ୍ରଉଦିଆ ହସଟେ ଫୁଟେଇ, ମଦନା ସ୍ତ୍ରୀଙ୍କୁ ସବୁ କଥା କହିଲେ। ଯେତେ ଯାହା ହେଲେ ବି ସେ ଜଣେ ଆଗଧାଡିର କବି। ତାଙ୍କୁ ଅତିଥି ରୂପରେ ପାଇଲେ ପିଲା ଗୁଡା ଧନ୍ଯ ହୋଇଯିବେ। ରେବଙ୍କ ମୁହଁରେ ଖୁସିର ଚିହ୍ନବର୍ଣ୍ଣ ନ ମିଳିବାରୁ ମନଟିକୁ କଈଁଥ ଖାଇଲା ପରି କରି ସେ ଯାଗାରୁ ଚାଲିଗଲେ।

ତେଣେ ପିଲାମାନଙ୍କ ଭିତରେ ଘମାଘୋଟ ଆଲୋଚନା ଚାଲିଛି। ଯାହାହେଲେ ବି କଲେଜ୍ ରେ ଜମେଇକି ଉତ୍ସବଟେ ନ କଲେ କଣ ହେବ ?

ଜଣେ ପିଲା କହିଲା-- ଆରେ ହେବନି କଣ ପାଇଁ ମ ? ଏତେ ଟଙ୍କା ଦେଇ ହିରୋଇଣି ବେଙ୍ଗୁଲି ସେନ୍ କୁ ଡାକିଛେ ପରା। ସେ ପରା ଥରେ ନାଚିଦେଲେ, ଆମ କଲେଜ୍ ର ଛାତ ଉଡିଯିବ। ସିନେମା ପରଦାରେ ତୁମେ ଦେଖିନ ନା କଣ। ସେ ସିନେମା ହଲରେ ଅଣ୍ଟା ହଲେଇ ନାଚିଲା ବେଳକୁ, ଯୁଆନ୍ ଟୋକା ଗୁଡା ମଶାବତୀ ଲାଗିଲେ ମଶା ଗଳି ପଡିବା ପରି ଓଲଟି ପଡନ୍ତି। ବୁଢା ହଡା ସବୁ ଆଖିରେ ପାପୁଲି ମାଡି ଆଙ୍ଗୁଠି ଫାଙ୍କରୁ ତା ନାଚ ଦେଖି ଏଣ୍ଡୁଅ ପରି ଓଠରେ ଜିଭ ବୁଲାନ୍ତି। ସିଟି ସୁସୁରି ମାଡରେ ଜାଗାଟା କମ୍ପମାନ ହୁଏ। ତା ଚନ୍ଦ୍ରବଦନ ଜାଦୁରେ ସବୁ ସିନେମା ହିଟ୍ ହୋଇଯାଏ। ଆଉ ଯେତେବେଳେ ଆମ ଷ୍ଟେଜ୍ ରେ ସେ ଜଗନ୍ନାଥଙ୍କୁ ପହଣ୍ଡି କଲା ପରି ନାଚିବ ଟୋକାଙ୍କ ଅବସ୍ଥା କଣ ହେବ ଭାବ ? ବେଙ୍ଗୁଲିର ସ୍ବରଟା ଏତେ ମିଠା ଯେ ତା ବେକ ଚାରିପଟେ ପିମ୍ପୁଡି ମନ୍ଦା କରି ବୁଲିବାର ନଜିର ଅଛି।

--ଆରେ ହେଃ ବଗୁଲିଆ। ସେତିକି ଗାଲୁ ଗପ କର। ଆମକୁ କଣ ବୋକା ଭାବିଲୁ ନା କଣ? ଜଣେ ପିଲା ପାଟିକରି କହିଲା।

– ଭାଇ ସବୁ କଥା ଠିକ୍ ଯେ ସେ ନିଆଁଗିଳା, ଅମଙ୍ଗଳିଆ ମଦନା ବୁଢାକୁ କାଇଁ ଡାକିଲ। ଆମ ଉତ୍ସବରେ ତା’ର କି କାମ ?

--- ଆରେ ଅସଲ କଥାଟା ତୁ ଜାଣିନୁ ପରା!! !!! ହଉ ଶୁଣ୍ । ଆମ କଲେଜ୍ କୁ ସେଦିନ କିଛି ଧୋବଧବଳିଆ ଭଦ୍ରଲୋକ ଆସିବେ। ସେମାନେ କିଛି ଚାନ୍ଦାଭେଦା ନିହାତି ଦେବେ। ତାଙ୍କୁ ସନ୍ତୁଷ୍ଟ କରିବାକୁ ହେବ। ଗୋଟେ ଭଲ ସାଂସ୍କୃ ତିଆ କାର୍ଯ୍ଯକ୍ରମ ନ ହେଲେ ସେମାନେ କଣ ପକେଟ୍ ଉସୁଆସ କରିବେ? ଅତିକମ୍ ରେ , ମାହାପୁରୁଙ୍କ ଆଗରେ ପ୍ରଦୀପ ଜଳେଇବା, ବନ୍ଦେଉତ୍କଳ ଜନନୀ ବନ୍ଦନା କରିବା ଓ ଦୁଇ ତିନିଟା ମାଷ୍ଟ୍ରଙ୍କ ଚୁଟିଉପୁଡା ଭାଷଣ କାର୍ଯ୍ଯକ୍ରମ ସେମାନଙ୍କର ଆଗରେ ହେବ। ତା ପରେ ସେ ନିଉଁଛୁଣିଆ ବକ୍ରତୁଣ୍ଡିଆ କୋବି ମଦନା ନିଜ କବିତା ଗୁଡିକ ସଳସଳ କରି ବୁହାଇ ଦେବ। ଯାହା ହେଲେ ବି ମଦନା ବୁଢା ଏଇ କଲେଜ୍ ରୁ ନଲେଜ୍ ନେଇ ସାରା ଦୁନିଆରେ ନିଜ କବିତାର ମେଜିକ୍ ଦେଖେଇଛି। ଆମେ ବୁଝି ନ ପାରିଲେ କଣ ହେଲା, ତା କବିତା ପଢି ରାଜ୍ଯପାଳ ଆଦି କୁନ୍ଥେଇ ପକେଇଛନ୍ତି। ସେଥିପାଇଁ ପରା ତାକୁ ରାଜ୍ଯପାଳ, ପୁରସ୍କାରଟେ ଦେଇ ପକେଇଛନ୍ତି। ରାଜ୍ଯପାଳ ତା କବିତାକୁ ଜହମ କରିପାରିଲେ ଜାଣିବା ପରେ, କେତେ ଯାଗାରୁ ମଦନାକୁ ସମ୍ମାନିତ କରାଯାଇଛି। ଆମ ମାନଙ୍କ ଘରେ ସେତିକି ଚାହା ପିଆ କପ୍ ନ ଥିବ ଯେତିକି ପୁରସ୍କାର କପ୍ ତା ବୈଠକଖାନାରେ ସଜା ହୋଇଛି। ସେଇ କବିତା ଗାଇ ଗାଇ କେତେଟା ସୁନା ପଦକ ବି ପାଇଥିଲା ବୁଢା। କିନ୍ତୁ ତା ବୁଢୀ ସେ ସବୁକୁ ଭାଙ୍ଗି କାନଫୁଲ, ନାକଫୁଲ କରି ପକେଇଛି। ଲୋକଟା ପ୍ରକୃତିଛଡା ହେଲେ କ’ଣ ହେବ , ତା କବିତାରେ ଦମ୍ ଅଛି ବୋଲି ପଣ୍ଡିତିଆ ଲୋକେ କୁହନ୍ତି।

ଅଧା ପିଲା ବୁଝି ନ ପାରିବାରୁ ସେ ବୁଝାଇ କହିଲା-- ହେ ପଣ୍ଡିତଙ୍କ ବାଛୁରୀ ଗଣ। ମହାନ କବି ମଦନା ସାହୁ ଏହି କଲେଜରେ ପାଠ ପଢିଥିଲେ। ତେଣୁ ସେ କଲେଜ୍ ର ପୁରାତନ ଛାତ୍ର। ଭଦ୍ରଲୋକଙ୍କ ସାମନା ରେ ତାଙ୍କୁ ଛିଡା କରେଇ କିଛି ସମୟ କାଟିବାକୁ ହେବ। ସେତିକି ନହେଲେ କେବେ ପାଞ୍ଚ ପଇଶିଟେ ଦେବେନି ଆମ କାର୍ଯ୍ଯକ୍ରମ ପାଇଁ। ମଦନାଙ୍କ ପରି ଜଣେ ଉଚ୍ଚକୋଟୀର କବିଙ୍କୁ ଆମେ ଅତିଥି କରିଛୁ ଜାଣିଲେ, ସବୁ ଲୋକମାନେ ଭାବିବେ ଆମେ ବହୁତ ସଂସ୍କାରୀ ପିଲା। କବି, କବିତା ଓ ଲେଖକ ମାନଙ୍କ ପାଇଁ ଆମ ମନରେ ଥିବା ଦରଦର କୂଳଥଳ ସେମାନେ ପାଇବେନି । ଭଦ୍ରଲୋକେ ଯାଇ ସାରିଲା ପରେ, ମଦନା ହାତରେ ଶହେ ଟଙ୍କିଆ ନୋଟ୍ ସହ ଚାଲୁ ଗୋପାଳ ପାନ କିଛି ଧରେଇ ଦେଇ ବିଦାୟ ଦେବାକୁ ମନସ୍ଥ କରିଛୁ। ଭଦ୍ରବ୍ଯକ୍ତି ଓ ମଦନା ଯିବା ପରେ, ବେଙ୍ଗୁଲି ସେନ୍ ଏମିତି ନାଚିବ ଯେ ଷ୍ଟେଜ୍ ଫାଟି ପଡିବ। ନୂଆ ହିଟ୍ ଗୀତ ସବୁ ଖାସ୍ ତା ପାଇଁ ସଜେଇ ରଖିଛି। ଯେମତି କି... “କିଏ ନେଲା ମୋ ନଡିଆ ତେଲ”, “ଏ ଫର ଆପୁଲୁ ଆପୁଲୁ ବି ଫର୍ ବାନାନା”, “ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ”, “ଆଞ୍ଜେଲ୍ ପ୍ରିୟା ସୁକୁଟି ସାହୁ” ବୋଲି ଏମିତି କେତେ କଣ। କିନ୍ତୁ ସମସ୍ତଙ୍କୁ ସାବଧାନ କରିଦେଉଛି, କେହି ଯେମିତି ଆମ ହିରୋଇଣି ବିଷୟରେ କାହା ଆଗରେ କହିବନି। ନହେଲେ ସେ ପାଖ ଗାଁଆର ପେଞ୍ଚଦିଆ କଲେଜ୍ ପିଲା ସବୁ ଭଣ୍ଡୁର କରିଦେବେ।

କାର୍ଯ୍ଯକ୍ରମର ସବିଶେଷ ବିବରଣୀ ଜାଣିବା ପରେ ପିଲା ମାନେ ଖୁସିରେ ହେଣ୍ଡୁ ମାରିବାରେ ଲାଗିଲେ। କିଛି ପିଲା, ବାରିକ ପାଖକୁ ଯାଇ ଚୁଟି ରଙ୍ଗ ନାଲି, ନେଳି, କଷରିଆ କରି ପକେଇଲେ। ଆଗଚୁଟି ଠିଆ, କାନ ଉପର ଲାଣ୍ଡିଆ,ଲମ୍ବା କଲିଆ, ଛେଳିଦାଢିଆ, ମାଗୁର ନିଶୁଆ,ପାତି ମାଙ୍କଡିଆ ଏମିତିି କେତେ କଣ ଠାଣିରେ ଚୁଟି କାଟି, ବାରିକ ବ୍ଯାଗ୍ ଭର୍ତ୍ତି ପଇସା ଧରି ଘରକୁ ଗଲା। ମାସ ମାସ ଧରି ଗାଧୋଇ ନ ଥିବା ପିଲେ, ମଇଁଷିଙ୍କ ପରି ପୋଖରିରେ ବୁଡି, ତିନି ଚାରିଟା ସାବୁନ ପାତିଆ ହେବା ଯାଏ ଦେହରେ ଘଷିମାଜି ନିଜକୁ ସଫାସୁତର କଲେ। ମୁହଁରେ ମୁଲତାନି ମାଟି, ବେସନ ଦହି, କ୍ଷୀର ସର ଲଗେଇ କିଛି ପିଲା କେନ୍ଦୁକାଠରଙ୍ଗିଆ ମୁହଁକୁ ଶାଗୁଆନକାଠରଙ୍ଗିଆ କରିବାରେ ହେଳା କଲେନି। ଆଉ କିଛି ପିଲା ଦୋକାନ ଦୋକାନ ବୁଲି ଛାତି ଚିପା ସାର୍ଟ ଓ ପିଚା ଚିପା ପ୍ଯାଣ୍ଟ କିଣିଲେ। ଦେହର ଭୁର୍କୁଟିଆ ଗନ୍ଧ ଲୁଚେଇବାକୁ କିଛି ପିଲା ଅତର ବୋତଲ ଭିତରେ ଡୁବୁକି ମାରିଲେ। ସମସ୍ତଙ୍କ ମନରେ ଗୋଟିଏ ଆଶା, କାଳେ ବେଙ୍ଗୁଲୀ ସେନ୍ ତାଙ୍କୁ ଦେଖି ଟିକେ ହସିଦେବ, ଦୁଇ ପଦ ମିଠା କଥା କହିଦେବ। କିଛି ପିଲା ଭାବିଲେ ବେଙ୍ଗୁଲୀ ସେନ୍ ର ହସର ପ୍ରତ୍ଯୁତ୍ତର ଦେଲା ପରି ଚକମକିଆ ଦାନ୍ତ ତାଙ୍କର ନାହିଁ। ତେଣୁ ବିଚରା ମାନେ ଦିନକୁ ଦଶ ବାର ଥର ଦାନ୍ତ ଘଷି, ଦାନ୍ତକୁ ମୁକ୍ତା ପରି ଚମକାଇବାରେ ଲାଗିଗଲେ। ଆଖ ପାଖର ସମସ୍ତ କରଞ୍ଜ ଗଛର ଡାଳପତ୍ର ଦାନ୍ତକାଠି ରୂପେ ବ୍ଯବହାର ହେଲା। କାଳେ ବେଙ୍ଗୁଲୀ ସେନ୍ ତାଙ୍କୁ ନାଚିବାକୁ ଷ୍ଟେଜ୍ କୁ ଡାକିବ ଭାବି, କିଛି ପିଲା କଲେଜର ଏନସିସି ଜୋତାରୁ କେଇ ହଳ ଚୋରେଇ ଆଣିଲେ। ପିଲାଙ୍କ ସହ ତାଳ ଦେଇ କଲେଜ୍ ହତା ବି କନିଆ ବେଶରେ ସଜେଇ ହେବାରେ ଲାଗିଥିଲା। ଫୁଟବଲ୍ ପଡିଆର ବୁକୁଚିରି ଟେଣ୍ଟହାଉସ ବାଲା, ବାଉଁଶ ପୋତି ତମ୍ବୁ ଭିଡିବାରେ ଲାଗିଗଲା। ଟେମ୍ପୋ ଗାଡିରେ ସାମିଆନା କନା, ରଙ୍ଗବେରଙ୍ଗିଆ ଫିତା, ଚଉକି, ଟେବୁଲ୍ ଆଦି ବୁହା ଚାଲିଥିଲା ଦିନ କେଇଟାରେ କଲେଜ୍ ଓ ପିଲା ମାନଙ୍କର ରୂପରେ ଢେର ପରିବର୍ତ୍ତନ ଆସିଯାଇଥିଲା। ଦେଖିବା ଲୋକ ଭାବୁଥିଲେ, କେଡେ ସୁଧାର ପିଲାଗୁଡିକ। କଲେଜ୍ ରେ ଉତ୍ସବ ହେବ ବୋଲି କେତେ ପରିଶ୍ରମ କରୁଛନ୍ତି। କିନ୍ତୁ ଅସଲ ପେଞ୍ଚ ଯେ ବେଙ୍ଗୁଲୀ ସେନ୍ ପାଖରେ ସେମାନେ ବୁଝିବେ କାହୁଁ?

ତେଣେ ମଦନା ପିଲା ମାନଙ୍କୁ ଫୋନ୍ କରି ଉତ୍ସବରେ ଯୋଗ ଦେବେ ବୋଲି ସମ୍ମତି ଜଣାଇଦେଲେ। ଚଟାପଟ ବସି କଲେଜ ବିଷୟ ଅବତାରଣା କରି ସୁନ୍ଦର କବିତାଟିଏ ମଧ୍ଯ ରଚନା କରିଦେଲେ। ବେଙ୍ଗୁଲୀ ସେନ୍ ଆସିବା କଥା ସେ ନ ଜାଣି ଥିଲେ ବି, ପିଲା ମାନଙ୍କ ପରି ନିଜକୁ ସଜେଇବାରେ ଲାଗି ପଡିଲେ। ଯାହାହେଲେ ବି ସେଇ କଲେଜ୍ ର ପୁରାତନ ଛାତ୍ର ସେ। ପିଲା ମାନଙ୍କ ସାମନାକୁ ଟିକେ ଭଲ ଭେକରେ ନ ଗଲେ ଇଜ୍ଜତ ଉଣା ହେବାର ସମ୍ଭାବନା ଅଛି।

କଲେଜ୍ ର ବାର୍ଷିକ ଉତ୍ସବ ଦିନ ମନ ଖୁସିରେ ରେବଙ୍କୁ ସେଠାକୁ ବିଷୟ କହିଲେ।

ମାତ୍ର ରେବ ଚିଡି ଉଠି କହିଲେ-- କି ନିଆଁ ଲଗା କବିତା ଲେଖୁଛ କେଜାଣି। ସବୁ ତୁମକୁ ଡାକୁଛନ୍ତି ଓ ତୁମେ ଲାଙ୍ଗୁଡ ହଲେଇ ଦଉଡୁଛ। ନା ପୁରସ୍କାର ମିଳୁଛି , ନା ପଇସା। ସେଇ ଦୁଇଟି ସୁନା ପଦକ ଯାହା ମିଳିଥିଲା। ମୋ କାନଫୁଲ ଓ ନାକଫୁଲ ତିଆରିକୁ ନିଅଣ୍ଟ ହେଲା। ଯଦି ଲେଖୁଛ ଭଲରେ ଲେଖ ଯେମିତି ସୁନା ରୂପା ପାଇବ। ନୋହିଲେ ସେ ଲେଖା ଫେଖା ଛାଡି ଅନ୍ଯ କାମ କର। ତୁମ ସଭାରେ ତାଳିମାଡ ଶୁଭିଲେ ମୋର କେତେ ଯାଏ ଆସେ। ମୋ କାନରେ ତ ଖାଲି ତୁମର ସେ ବେଦନିଆ, ଆତୁରିଆ, ଛାତିଫାଟିଆ କବିତା ଗୁଡାକ ପଡୁଛି। ଏଇ କିଛି ଦିନହେଲା ଯୁଆଡେ ଯାଉଛ ଚଦର, ଶାଲ୍ ଘୋଡେଇ ଲୋକ ତୁମକୁ ସମ୍ମାନିତ କରୁଛନ୍ତି। ସେ ଲୁଗା ଦୋକାନୀଟିି ଆଗ ବଡ ସରାଗରେ ସବୁ କିଣିନେଉଥିଲା କିନ୍ତୁ, ଏବେ ଆମ ଠାରୁ ଚଦର, ଶାଲ୍ କିଣିବାକୁ ମନା କରିଦେଉଛି। କହୁଛି ଗୋଦାମରେ ବିକ୍ରି କରିବାପାଇଁ।

– ତୁମେ କଣ ମୋର ଉପଢୌକନ ସବୁକୁ ବିକ୍ରି କରିଦେଉଛ ନା କଣ?

– ଛାଡ ହୋଃ ତୁମର ଉପମାଢାଉକଣା କଥା। ସେ ଗୁଡାକ ବାନ୍ଧି ଦୋଳି ଖେଳିବ ନା କଣ? ବେଶି ମୁହଁ ଖୋଲେଇବ ତ ଶୁଣ, ତୁମର ସବୁ ପୁରସ୍କାର କପ୍ ରେ ମୁଁ ଗଛ ଲଗେଇ ଦେଇଛି। ସେ ସାର୍ଟିଫିକେଟ୍ ଏତେ ହେଲା ଯେ ରଦ୍ଦିବାଲାକୁ ବିକ୍ରି କରିବାକୁ ହେଲା। ସେ ନିଉଁଛୁଣିଆଟା ଏତେ ବଜ୍ଜାତିଆ କଣ କହିବି। ଯମା ପଚାଶ ଟଙ୍କା ଦେଲା।

ଆହୁରି କଣ ସବୁ ବକର ବକର ହୋଇ ରାବି ଚାଲିଥିଲେ ରେବ। କିନ୍ତୁ ସେ ଆଡକୁ ମନ ନ ଦେଇ ମୁଣ୍ଡରେ ହାତ ଦେଇ ମଦନା ଭୂଇଁରେ ବସି ପଡିଲେ। ଥରେ ରେବଙ୍କ ମୁହଁକୁ ଭଲରେ ଦେଖି, ନିଜକୁ ନିଜେ ବିଶ୍ବାସ କରାଇଲେ ସେ ରେବ ମଣିଷ, ମାଙ୍କିଡି ନୁହଁ। ପୁଣି ଭାବିଲେ ତାଙ୍କ ବାହାଘର ତ ଓଡିଶାରେ ହୋଇଥିଲା ଓ ରେବଙ୍କ ପିତାମାତା ଏହି ରାଜ୍ଯର, ଆମାଜନ୍ ର ଘଞ୍ଚ ଜଙ୍ଗଲ ସହ ତାଙ୍କ ମାନଙ୍କର କିଛି ନେଣଦେଣ ନାହିଁ। ତଥାପି ରେବ କିପରି ଭୂମିଷ୍ଠ ହେଲେ ମଣିଷଙ୍କ ଔରସରୁ ପୁଣି ଏହି ରାଜ୍ଯରେ। ତାଙ୍କର ଗୁଣଗ୍ରାମ ଦେଖିଲେ ଆମାଜନ୍ ଜଙ୍ଗଲର ସିମ୍ପାଞ୍ଜି, ଗରିଲା ମାନେ ବି ଲାଜରେ ଲାଲ୍ ପଡିଯିବେ। ଯୁକ୍ତି କରି ଲାଭ ନାହିଁ ଜାଣି ସେ ନିଜକୁ ପ୍ରସ୍ତୁତ କଲେ।ଆଇନାରେ ଦେଖିଲେ, ମୁଣ୍ଡରେ ହାତ ଗଣତି କେତେଟି ଧବଳବର୍ଣ୍ଣୀ କେଶ ପବନରେ ହୋହଲୁଛି ଯାହା। ବୟସ ବଢିବା ସହିତ, ରେବଙ୍କ କୁସ୍ତି କସରତରେ ଅନେଶ୍ବତ ଭାଗ କେଶ ଭୂପତିତ। ବଡ କଷ୍ଟରେ କେଶ ମାନଙ୍କୁ କୃଷ୍ଣ ବର୍ଣ୍ଣରେ ରଙ୍ଗିତ କଲେ। ଆଲମାରୀରୁ ଧୋବ ଫରଫର କୁର୍ତ୍ତା ପିନ୍ଧି, ଜୋତା ବାକ୍ସରୁ ଜୋତା ହଳକ ପାଦରେ ମାଡି କଲେଜ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲେ। ଗଲାବେଳେ ତାଙ୍କ ଅଭିମାନରେ ଜର୍ଜରିତ ମନ ଓ ଆତ୍ମା, ରେବଙ୍କୁ କିଛି ଜଣାଇବାର ଆବଶ୍ଯକତା ଅନୁଭବ କଲାନି।

କଲେଜ ହତା ମାଡିଲା ବେଳକୁ ଆଶ୍ଚର୍ଯ୍ଯରେ ତାଙ୍କ ଚକ୍ଷୁଯୁଗଳ ବିସ୍ଫାରିତ ହୋଇଗଲା। ସେ ଆସିବେ ବୋଲି ପିଲା ମାନେ ଏତେ ସୁନ୍ଦର ସାଜସଜ୍ଜା କରିଛନ୍ତି ବୋଲି ତାଙ୍କର ବିଶ୍ବାସ ହେଲାନି। କାର୍ଯ୍ଯକର୍ତ୍ତା ମାନେ ଆସି ତାଙ୍କୁ ପାଛୋଟି ନେଲେ। ଗରୀବ ରାଜ୍ଯର ରାଜକୁମାର ମାନଙ୍କ ପରି ପିଲା ମାନେ ବେଶଭୁଷା ହୋଇ କଲେଜ ଭିତରେ ଚକ୍କର ମାରୁଥିଲେ। ତାଙ୍କୁ ଲାଗିଲା, ତାଙ୍କ ଠାରୁ ମଧ୍ଯ ଅଧିକ ବିଶିଷ୍ଟ ଅତିଥି ଆସିବାର ଅଛି। ତେଣୁ ସମସ୍ତେ ବ୍ଯଗ୍ର ହୋଇ ଚାହିଁଛନ୍ତି। ସେ ଆଡକୁ ନଜର ନ ଦେଇ, ପାଟିରେ ପାନ ଖଣ୍ଡେ ଜାକି ଧଳା ତଉଲିଆ ପଡିଥବା ଏକ ଚୌକିରେ ବସି ଅପେକ୍ଷା କଲେ। ତାଙ୍କୁ ଶୁଭିଲା “ ବେଙ୍ଗୁଲୀ ସେନ୍ ସ୍ବାଗତମ୍” “ବେଙ୍ଗୁଲୀ ସେନ୍ ଜିନ୍ଦାବାଦ୍”। କିନ୍ତୁ ଭିଡ ଏତେ ଅଧିକା ଥିଲା ଯେ, କିଏ ଆସିଲା ତାକୁ ଦେଖିବାର ଅବକାଶ ନ ଥିଲା। ଧିରେ ଧିରେ ଅତିଥି ମାନଙ୍କ ଆଗମନର ପର୍ବ ଚାଲିଲା। ଅଳ୍ପ ସମୟ ଭିତରେ ସଭାକାର୍ଯ୍ଯ ଆରମ୍ଭ ହୋଇଗଲା। ତା ପୂର୍ବରୁ ମଦନା ପକେଟ୍ ଭିତରୁ କବିତାଟିକୁ କାଢି ମନେ ମନେ ଆବୃତ୍ତି କରିବାରେ ଲାଗିଥାଆନ୍ତି। କାଳେ ମଞ୍ଚରେ ମନେ ନ ପଡିବ ଓ ସେ ଲୋକ ହସା ହୋଇଯିବେ ସେଇ ଭାବନାରେ।

ଜଣଜଣ କରି ମଞ୍ଚକୁ ଅତିଥି ମାନଙ୍କୁ ନିମନ୍ତ୍ରଣ କରାଗଲା। କିଛି ବିଶିଷ୍ଟ ବ୍ଯକ୍ତି ମଞ୍ଚାସୀନ ହେଲେ। କିନ୍ତୁ ମଦନାଙ୍କୁ ଓ ସେ ରହସ୍ଯମୟୀ ବେଙ୍ଗୁଲି ସେନ୍ ଙ୍କ ପାଇଁ କୌଣସି ନିମନ୍ତ୍ରଣ ଆସିଲା ନାହିଁ। ଏ ଘଟଣା ଟିକେ ବ୍ଯଥିତ କଲା ତାଙ୍କୁ। ଯାହା ହେଲେ ବି ସେ ଜଣେ ଅତିଥି। ତାଙ୍କୁ ନ ଡାକି କେମିତି ସଭାକାର୍ଯ୍ଯ ଆରମ୍ଭ ହେବ? କାଳେ କର୍ମକର୍ତ୍ତା ମାନେ ଭୁଲି ଯାଇଥିବେ ଭାବି, ଗୋଟିଏ ପିଲା ପାଖକୁ ଯାଇ ନିଜର ସନ୍ଦେହ ବିଷୟ କହିଲେ। କିନ୍ତୁ ପିଲାଟିର ହାବଭାବରୁ ଜଣା ପଡୁଥିଲା ଯେ ସେ ଆକଣ୍ଠ ମଦ୍ଯପାନ ଜନିତ ଆନନ୍ଦରେ ଟଳମଳ ଅବସ୍ଥାରେ ଅଛି। ଆଖି ଯୋଡିକ କଟା ତରଭୁଜ ପରି ଦିଶୁଛି।

ସେ କେବଳ ଏତିକି କହିଲା – ମଉସା, ଆଜି ବହି ଜଳିବ। ବେଙ୍ଗୁଲୀ ଆଜି କଲେଜ୍ ଜଳେଇ ପକେଇବ। ଚାରି ଆଡେ କେବଳ ନିଆଁ ବରଷିବ। ସବୁ ଛିନଛତର ହୋଇଯିବେ ବେଙ୍ଗୁଲୀ ନିଆଁରେ।

ଏତିକି କହି ପିଲାଟି ଚଉକି ଉପରେ ଗୋଡ ଟେକି ପଡି ରହିଲା। ମଦନାଙ୍କୁ ଲାଗିଲା ଏ ପିଲାଟି ଏକ ଭୀଷଣ ଷଡଯନ୍ତ୍ରର ଅଂଶବିଶେଷ। ନୋହିଲେ ନିଆଁ ଓ ଜଳାପୋଡା କଥା କୁହନ୍ତା କାହିଁକି? କାଳ ବିଳମ୍ବ ନ କରି ସେ ଅସଲ ଆସାମୀ ବେଙ୍ଗୁଲୀ ସଂନ୍ଧାନରେ ବାହାରି ପଡିଲେ। ସେ ହେଲେ କଲେଜ୍ ର ପୁରାତନ ଛାତ୍ର। କଲେଜଟା ତାଙ୍କ ଆଖି ଆଗରେ ଜଳି ଯିବ ଓ ସେ କିଛି କରିବେନି ଏମିତି କଣ ହୋଇପାରେ? ସେତିକି ବେଳକୁ ଡାକବାଜି ଯନ୍ତ୍ରରେ ମଦନାଙ୍କ ପାଇଁ ନିମନ୍ତ୍ରଣ ଆସିଲା। କିଏ ଜଣେ ବଡ ପାଟିରେ କହୁଥାଏ-- ଆମ ଅଞ୍ଚଳର ଗୌରବ, ରାଜ୍ଯପାଳ ପୁରସ୍କାର ପ୍ରାପ୍ତ କବି ମଦନାଙ୍କୁ ମୁଁ ମଞ୍ଚକୁ ଆମନ୍ତ୍ରଣ ଜଣାଉଛି। ତାଙ୍କର ମର୍ମଭେଦୀ କବିତାର ବର୍ଷାରେ ଭିଜିବା ପାଇଁ ଅଗଣିତ ଜନତା ଚାତକ ପରି ଚାହିଁଛନ୍ତି। କିନ୍ତୁ ମଦନାଙ୍କ କାନରେ ସେ ସବୁ କିଛି ପଡୁ ନ ଥିଲା। ଖାଲି ଶୁଭୁଥିଲା ଯେ “ବେଙ୍ଗୁଲୀ ସେନ୍ ନିଆଁ ଲଗେଇଦେବ” “କଲେଜ୍ ଜଳିବ, ସବୁ ଜଳିବେ।”

ବହୁତ ଖୋଜାଖୋଜି କରିବା ପରେ କଲେଜର ବୈଠକ ଖାନା ପାଖରେ କିଛି ଲୋକ ଜମି ଥିବାର ଲକ୍ଷ୍ଯ କଲେ ମଦନା। ସନ୍ତର୍ପଣରେ ପଚାରିଲେ-- ଏ ବଖରାରେ ବେଙ୍ଗୁଲୀ ସେନ୍ ଅଛନ୍ତି କି ? ଉତ୍ତର “ହଁ” ବୋଲି ମିଳିବା ପରେ ସେ ବଖରାକୁ ଧସେଇ ପଶିବାକୁ ଉଦ୍ଯତ ହେଲେ। ମାତ୍ର ଲୋକମାନେ ତାଙ୍କୁ ଅଟକାଇ ଦେଲେ। ମଦନା ଭାବିଲେ ଏ ଲୋକ ମାନେ ସବୁ ବେଙ୍ଗୁଲୀ ସେନ୍ ର ସହଯୋଗୀ। ମିଳିମିଶି ଅପରାଧ ଘଟାଇବାର ଯୋଜନାରେ ଅଛନ୍ତି। ହଠାତ୍ ନିଜର ସମସ୍ତ ବଳ ପ୍ରୟୋଗ କରି ସେ ଲୋକ ମାନଙ୍କୁ ଧକ୍କା ମାରି କବାଟ ଖୋଲି ବଖରା ଭିତରକୁ ପ୍ରବେଶ କଲେ। ଦେଖିଲା ବେଳକୁ ବେଙ୍ଗୁଲୀ ସେନ୍ ଦରପିନ୍ଧା ବସ୍ତ୍ରରେ କିଛି ଗୋଟେ ଜିନିଷ ହାତରେ ଧରି ଛିଡା ହୋଇଛି। ଭଲରେ ଲକ୍ଷ୍ଯ କରିବାରୁ ଗୋଟିଏ ବୋତଲରେ କିଛି ତରଳ ଦ୍ରବ୍ଯ ଦୃଶ୍ଯମାନ ହେଲା। ସେ ଭାବିନେଲେ, ବେଙ୍ଗୁଲୀ ହାତରେ ପେଟ୍ରୋଲ୍ ଧରି ସବୁ କିଛି ଜାଳିବାକୁ ବାହାରିଛି। ବାହାରେ ଜଗି ଥିବା ଲୋକ ମାନଙ୍କ ପାଟିଗୋଳ ଓ ବେଙ୍ଗୁଲୀର ବିକଟ ଚିତ୍କାର ତାଙ୍କ କାନରେ ପଡୁନଥିଲା। ସେ ଚୁଟି ଘୋଷାରି ବେଙ୍ଗୁଲୀକୁ ସେଇ ଅର୍ଦ୍ଧଉଲଗ୍ନ ଅବସ୍ଥାରେ ସଭା ସ୍ଥଳକୁ ଟାଣି ନେଲେ। ସମସ୍ତଙ୍କ ଆଗରେ ସଗର୍ବେ କହିଲେ-- ଦେଖ ସବୁ, ଏ ଚିରିଗୁଣୀର ନୀଚ୍ଚ ପ୍ରାୟାସ। ଏଠି ସବୁ ସଭାରେ ବ୍ଯସ୍ତ ତେଣେ ଏ ଡାହାଣୀ କଲେଜ୍, ଲୋକ ସମସ୍ତଙ୍କୁ ପେଟ୍ରୋଲ ପକେଇ ଜାଳିଦେବାକୁ ବସିଛି। ଏବେ ଆସାମୀ ଆପଣଙ୍କ ସାମନାରେ । ତାକୁ ଯାହା ଦଣ୍ଡ ଦେବା କଥା ଦିଅନ୍ତୁ। ବେଙ୍ଗୁଲୀର ଏ ଅବସ୍ଥା ଦେଖି ଅର୍ଦ୍ଧାଧିକ ପିଲା ମାଟିକାମୁଡି ଚେତା ବୁଡିଗଲେ। ସଭାସ୍ଥଳଟି ମାଆ, ଭଉଣୀ ଗାଳିରେ ପ୍ରକମ୍ପିତ ହେଲା। ମଦନାଙ୍କ ଛାତି ଗର୍ବରେ ଚଉଡା ହୋଇଗଲା। ସେ ଭାବିଲେ ସମସ୍ତ ଗାଳି, ଫଜିତ୍ ବେଙ୍ଗୁଲୀ ନାମ୍ନୀ ଆସାମୀ ପାଇଁ ଉଦ୍ଦିଷ୍ଟ।

କିନ୍ତୁ ହଠାତ୍, ଘୋ ଘୋ କରି ସବୁ ପିଲା ମାଡି ଆସି ମଦନାଙ୍କୁ ଶୂନ୍ଯରେ ଟେକିନେଲେ। ତାଙ୍କ ଧୋତି, କୁର୍ତ୍ତା ଓ ଜାମାପଟା, କାଗଜ ପରି ଚିରି ଆକାଶରେ ଉଡିବାକୁ ଲାଗିଲା। ବିଧା, ମୁଥ, କଣଠେସା, ଚିମୁଟା ଓ ଗୋଇଠାରେ ପୋତି ହୋଇଗଲେ ବିଚରା। କିଛି ସମୟ ପରେ, ସେହି ଅବସ୍ଥାରେ କିଛି ପିଲା ମଦନାଙ୍କ ମୁହଁରେ କଳାବୋଳି, ବେକରେ ଜୋତାମାଳ ପକେଇ ତାଙ୍କ ଘର ଆଗରେ ଛାଡିଦେଇ ଗଲେ। ଗଲା ବେଳକୁ କହିଗଲେ-- ଯଦି ଆଜି ବେଙ୍ଗୁଲୀ ସେନ୍ ର କିଛି ହେଲା, ତୋ ଅବସ୍ଥା କଣ ହେବ ସଂନ୍ଧ୍ଯା ବେଳକୁ ଦେଖିବୁ।

ରେବ କବାଟ ଖୋଲି ଦେଖିଲେ, କିନ୍ତୁ କିଏ ଭିକ ମାଗୁଛି ବୋଲି କବାଟ ବନ୍ଦ କରିଦେଲେ। ମଦନାଙ୍କ ଆତୁର କଣ୍ଠର ଡାକ କାନରେ ପଡିବାରୁ ଶୁଣି କବାଟ ଖୋଲିଲେ। ବଡ କଷ୍ଟରେ ମଦନା ବେକରୁ ଚପଲ ହାରଟା ଖୋଲି କହିଲେ – ଆଜି ଏଇ ଉପହାର ପାଇଛି, ଦେଖ ଯଦି ତୁମର କିଛି କାମରେ ଆସିବ।

କିଛି ସମୟ ଯାଏ ମଦନାଙ୍କ ଘରୁ “ମରି ଗଲି ଲୋ ବୋପା, ମୋତେ ଆଉ ମାରନି ରେବ, ମରିଯିବି ଲୋ ମାଆ” “ଆଉ କେବେ କବିତା ପଢି ଯିବିନି” ର ଧ୍ବନି ଭାସି ଆସିଲା। କିଛି ସମୟ ପରେ ସେ ଅଞ୍ଚଳରେ ଶ୍ମଶାନର ନୀରବତା ବିରାଜମାନ କଲା। ମଦନା ଘାଇଲା ହୋଇ ଘରେ ପଡିଥିବା ବେଳେ, ତାଙ୍କୁ ହଟହଟିଆ କବିର ଉପାଧିଟା କଲେଜ୍ ତରଫରୁ ମିଳିଲା।

*****


Rate this content
Log in

Similar oriya story from Comedy