ହୃଦୟରେ ସ୍ଥାନ
ହୃଦୟରେ ସ୍ଥାନ
ବିଶୁ ବାବୁ ଓ ମାନସୀ ଙ୍କର ବିବାହ ର ପାଞ୍ଚ ବର୍ଷ ପରେ ଯାଇ ପୁତ୍ରଟିଏ ହେଲା। ବିଶୁ ବାବୁଙ୍କ ମାଆ ସୁଜାତା ଦେବୀଙ୍କ ଖୁସି କହିଲେ ନ ସରେ।କେତେ ଯେ ପୂଜା ଦାନ ଧର୍ମ ଡାକ୍ତରୀକଲା ପରେ ଯାଇ ସନ୍ତାନଟି ଜନ୍ମ ହେଲା , ସେ ବି ପୁଅଟି। ଯେଉଁ ବୋହୂ କୁ ସୁଜାତା ଦେବୀ ଏତେ ରାଗି ହେଉଥିଲେ ସେ ବୋହୂକୁ ଆଜି ଯାଇ ସେ ଘରର ଲକ୍ଷ୍ମୀ ବୋଲି କହିଲେ।
ସୁଜାତା ନାତିର ନାମ ଦେଲେ ରୁଦ୍ର। ଏବେ ପରିବାର ବହୁତ ହସଖୁସିରେ ଚଳୁ ଥାଏ। ବିଶୁ ବାବୁ ଜଣେ ଛୋଟ ବ୍ୟବସାୟୀ।ଆୟ ଅଳ୍ପ ଥିଲା ହେଲେ ପରିବାର ସହ ଖୁସିରେ ସମୟ କଟୁ ଥାଏ।
ରୁଦ୍ର ଜନ୍ମର ପାଖାପାଖି ଚାରି ବର୍ଷ ପରେ ବିଶୁ ବାବୁ ଆଉ ମାନସୀଙ୍କର ଆଉ ଗୋଟିଏ ସନ୍ତାନ ଜନ୍ମ ହେଲା। ହେଲେ ତାକୁ ନେଇ ସୂଜାତ ଦେବୀ ଜମାରୁ ଖୁସି ନ ଥିଲେ କାରଣ ସେ ନାତି ନୁହଁ, ସେ ଥିଲା ନାତୁଣୀ। ନାତୁଣୀ ଦେଖି ସୁଜାତା ଦେବୀ କହିଲେ ପର ଘରଇ ଆସିଗଲା ଆମର ସବୁ ନେଇ କି ଯିବ। ସୁଜାତା ଦେବୀ ପୁଅ ଝିଅ ମଧ୍ୟରେ ଭେଦଭାବ କରନ୍ତି। ତାଙ୍କ ନିଜର ଝିଅ ନାହିଁ ତ ତେଣୁ ଝିଅର ମୂଲ୍ୟ ସେ କେବେ ବୁଝି ପାରି ନାହାଁନ୍ତି ।ସେ ନାତୁଣୀକୁ କେବେ ତାଙ୍କ ହୃଦୟରେ ସ୍ଥାନ ଦେଇ ନାହାଁନ୍ତି।
ବିଶୁ ବାବୁ ଆଉ ମାନସୀ ଝିଅର ନାମ ଦେଲେ ସିଆ।
ବିଶୁ ବାବୁ ସବୁ ଟଙ୍କା ମାଆଙ୍କୁ ( ସୁଜାତା ଦେବୀଙ୍କୁ) ଦେଉଥିଲେ ଘର ଚଳାଇବା ପାଇଁ। ହେଲେ ସୁଜାତା ଦେବୀ ନାତି ରୁଦ୍ର ପ୍ରେମରେ ପାଗଳୀ । ରୁଦ୍ର ଯାହା ମାଗେ ତାକୁ ସାଙ୍ଗେ ସାଙ୍ଗ ମିଳିଯାଏ।ହେଲେ ସିଆକୁ ତାର ଦରକାର ଜିନିଷ ବି ବହୁତ କଷ୍ଟରେ ମିଳେ।
ବିଶୁ ବାବୁ ଯେତେବେଳେ ସିଆକୁ ଇଂରାଜୀ ମିଡିୟମ ବିଦ୍ୟାଳୟରେ ଆଡମିଶନ କରିବା ପାଇଁ କହିଲେ ମାଆ ସୁଜାତା ଦେବୀଙ୍କ ରାଗ କହିଲେ ନ ସରେ।
ସୁଜାତା ଦେବୀ : ଏ ପର ଘରୀ ( ସିଆ ) କୁ ପାଠ ପଢାଇ ହେବ କଣ ? ଆଜି ନ ହେଲେ କାଲି ତ ସିଏ ଶାଶୁ ଘରକୁ ଯିବ। ଝିଅ ଜନ୍ମ ପରା ପର ଘରକୁ।
ଯେତେବେଳେ ବିଶୁ ବାବୁ କହିଲେ ମାଆ ଯାହା ହେଲେ ବି ସିଆ ଆମର ଝିଅ। ତାକୁ ପାଠ ପଢାଇ ବଡ ମଣିଷ କରିବା ଆମ କାମ। ସୁଜାତା ଦେବୀ କହିଲେ ଯଦି ସିଆ ପାଠ ପଢିବ ସରକାରୀ ବିଦ୍ୟାଳୟରେ। ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଯଦି ପାଠ ପଢାଇବୁ ମୁଁ ଅନ୍ନ ଜଳ ତ୍ୟାଗ କରିବି। ସେ ମୋ ରୁଦ୍ର ବିଦ୍ୟାଳୟରେ ପାଠ ପଢି ପାରିବ ନାହିଁ। ମାଆ ଜିଦ୍ ଆଗରେ ହାର ମାନି ଶେଷରେ ବିଶୁ ବାବୁ ସିଆକୁ ସରକାରୀ ବିଦ୍ୟାଳୟରେ ପାଠ ପଢାଇଲେ।
ଜେଜେମା ସ୍ନେହ ଶ୍ରଦ୍ଧାରେ ରୁଦ୍ର ବିଗିଡିବାରେ ଲାଗିଲା। ତାର ପାଠ ଅପେକ୍ଷା ସାଠରେ ବେଶୀ ମନ ଥିଲା।
ସେପଟେ ସିଆ ବିଦ୍ୟାଳୟରେ ପ୍ରଥମ ହେଉ ଥାଏ। ହେଲେ ଝିଅ ବୋଲି ଏ ଯାଏଁ ଜେଜେମା ଙ୍କ ହୃଦୟରେ ସେ ସ୍ଥାନ ପାଇ ନାହିଁ। ତେଣୁ ତାର ମନ ଦୁଃଖ ରହୁ ଥାଏ। ଜେଜେମା ସବୁବେଳେ କହୁ ଥାଆନ୍ତି ମାଆ ମାନସୀଙ୍କୁ କାମରେ ସାହାଯ୍ୟ କରିବା ପାଇଁ। ସବୁବେଳେ ସିଆ ଉପରେ ବିରକ୍ତ ହେଉ ଥାଆନ୍ତି। ବିଶୁ ବାବୁକୁ କହୁ ଥାଆନ୍ତି ସିଆକୁ ବେଶୀ ପାଠ ପଢାଇ କଣ ପାଇଁ ବାଜେ ଖର୍ଚ୍ଚ କରୁଛନ୍ତି ବୋଲି ? ସିଆ ପାଇଁ କିଛି ବି ଖର୍ଚ୍ଚ କରିଲେ ସେ ତାକୁ ବାଜେ ଖର୍ଚ୍ଚ ବୋଲି କହି କୁହନ୍ତି ଏ ପର ଘରୀ ପଛରେ ବାଜେ ଖର୍ଚ୍ଚ କରି କଣ ମିଳିବ ? ଦିନେ ନା ଦିନେ ସେ ତ ତା ଶାଶୁ ଘରକୁ ପଳେଇବ।ଏ କଥା ସିଆକୁ ଭଲ ଲାଗେ ନାହିଁ। ମନ ଦୁଃଖ କରି ମାଆ ମାନସୀଙ୍କ ପାଖରେ କାନ୍ଦେ।
ଇତି ମଧ୍ୟରେ ରୁଦ୍ରର ଡିଗ୍ରୀ ସରି ଗଲାଣି। ହେଲେ ସେ ପୁରା ଅବାଟକୁ ପଳାଇଲାଣି। ଖାଲି ସାଙ୍ଗମାନଙ୍କ ସହ ବୁଲିବା ଆଉ ବାଜେ ଖର୍ଚ୍ଚ କରୁ ଥାଏ। ହେଲେ ଜେଜେମା ସୁମିତ୍ରା ଦେବୀ ଙ୍କ ପାଇଁ ସେ ଏବେ ବି ସୁନାର ପିତୁଳା। ହେଲେ ରୁଦ୍ର ଲୁଚି ଲୁଚି ସବୁ ପ୍ରକାର ନିଶା ଦ୍ରବ୍ୟ ନେବାରେ ଲାଗିଲା।
ସିଆ ଡିଗ୍ରୀ କଲେଜ ରେ ଆଡମିଶନ ନେବା ସମୟରେ ଜେଜେମା ସିଧା ସିଆର ପାଠ ପଢା ପାଇଁ ବାଜେ ଖର୍ଚ୍ଚ କରିବାକୁ ମନା କଲେ। ହେଲେ ସିଆ କହିଲେ ସେ ନିଜ ପଢା ଖର୍ଚ୍ଚ ନିଜେ ଉଠାଇବେ। ଜେଜେମା କହିଲେ ଘରର ସବୁ କାମ ସାରିଲା ପରେ ଯାଇ ପାଠ ପଢିବ କି ପଢାଇବ।
ସିଆ ରାଜି ହୋଇ ଗଲା। ନିଜ ଡିଗ୍ରୀ କରିବା ସହ ସେ ଟିଉସନ କରି ନିଜ ପଢା ଖର୍ଚ୍ଚ ଉଠାଇଲା। ସେହିପରି ସେ ଏମବିଏ ବି କଲା। ଏମବିଏ ଫାଇନାଲ ବର୍ଷ ପରୀକ୍ଷାକୁ କିଛି ମାସ ଥାଏ ବିଶୁ ବାବୁ ଦୁର୍ଘଟଣାରେ ପାରାଲିସିସ୍ ଆକ୍ରାନ୍ତ ହେଲେ। ଏବେ ଘର ଚଳିବା ବି ବହୁତ କଷ୍ଟ। ରୁଦ୍ର ପୁରା ଅବାଟକୁ ଚାଲି ଯାଇଥାଏ। ବିପାଙ୍କ ଦୋକାନରେ ଜମାରୁ ବସେ ନାହିଁ। ଆଉ ଯଦି ବି ବସେ ଯାହା ବିକ୍ରି ହେଲା ସେ ସବୁ ନେଇ ମଦ ପିଇଲା। ଘର ଚଳିବ କେମିତି ସୂଜାତା ଦେବୀ ଭାବୁ ଥାଆନ୍ତି। ରୁଦ୍ର ତ ଆଉ ତାଙ୍କ କଥା ଶୁଣୁ ବି ନାହିଁ। ଠିକ ସେହି ସମୟରେ କରୋନା ପାଇଁ ଲକ ଡାଉନ ହୋଇ ଗଲା। ଆହୁରି ଘର ଉପରେ ବିପଦ ଆସିଲା। ଲାଗିଲା ଯେମିତି ଏବେ ଭିକ ମାଗିବାକୁ ପଡିବ। ଏକରେ ତ ଆୟ ବି ନାହିଁ ପୁଣି ବିଶୁ ବାବୁଙ୍କ ଚିକିତ୍ସାରେ ଖର୍ଚ୍ଚ। ଜେଜେମା କାହାକୁ କିଛି ନ କହି ଗୁମ ମାରି ବସି ଥାଆନ୍ତି। ସିଆ ପଚାଶ ହଜାର ଟଙ୍କା ଆଣି ଜେଜେମାଙ୍କୁ ଦେଲା।
ସୁଜାତା ଦେବୀ ଆଶ୍ଚର୍ଯ୍ୟ ହୋଇ ଚାହିଁ ଥାଆନ୍ତି।ସେ ପଚାରିଲେ ଏତେ ଟଙ୍କା କେଉଁଠୁ ଆଣିଲୁ।
ସିଆ କହିଲେ ସେ ଟିଉସନ କରି ଯାହା ଟଙ୍କା ପାଉ ଥିଲେ ପଢାରେ ଖର୍ଚ୍ଚ କଲା ପରେ ଯାହା ବଳି ପଡୁ ଥିଲା ସଞ୍ଚୟ କରି ରଖି ଥିଲେ। ଜେଜେମା ସୁଜାତା ଦେବୀଙ୍କ ଆଖିରୁ ଲୁହ ବହି ଗଲା। ବୁଝି ଗଲେ ସିଆଙ୍କୁ ପାଠ ପଢାଇବା ବିଶୁଙ୍କର ବାଜେ ଖର୍ଚ୍ଚ ନ ଥିଲା। ଆଜି ଝିଅ ହୋଇ ମଧ୍ୟ ପୁଅ ପରି ଘର ଖର୍ଚ୍ଚ ଉଠାଇବା ସହ ବାପାର ଚିକିତ୍ସାରେ ବି ସାହାଯ୍ୟ କଲା। କିଛି ମାସ ମଧ୍ୟରେ ସିଆ ଏମବିଏ ଘରେ ରହି ଅନଲାଇନ୍ ପରୀକ୍ଷା ଦେଇ ପ୍ରଥମ ସ୍ଥାନରେ ପାସ କଲେ ଏବଂ କଲେଜ କେମ୍ପସ ତରଫରୁ ଚାକିରୀ କଲେ। କରୋନା ପାଇଁ ସେ ଘରେ ରହି କାମ କଲେ। ଏବେ ସିଆ ହିଁ ଘରର ଏକ ମାତ୍ର ଆୟ କରୁଥିବା ଲୋକ। ଘରର ସବୁ ଦାୟିତ୍ବ ସିଆଙ୍କର। ଜେଜେମା ସିଆଙ୍କୁ ଭଲ ପାଇଲେଣି।
ବିଶୁ ବାବୁ ଏବେ ଟିକିଏ ଟିକିଏ ଭଲ ହେଲେଣି। ଦିନ କର କଥା ସିଆ ବିଶୁ ବାବୁଙ୍କର ଡାକ୍ତର ଦେଖାଇବା ଆଉ ଔଷଧ କିଣିବା ପାଇଁ ପାଞ୍ଚ ହଜାର ଟଙ୍କା ଏଟିଏମ ରୁ ଆଣି ଘରେ ରଖିଲେ। ସକାଳୁ ଉଠି ଦେଖିଲା ବେଳକୁ ତାଙ୍କ ରୁମରେ ଆଉ ଟଙ୍କା ନାହିଁ। ସିଆ, ମାନସୀ, ଜେଜେମା ସବୁ ବ୍ୟସ୍ତ ହୋଇ ଖୋଜୁ ଥାଆନ୍ତି ହେଲେ ଟଙ୍କା ନ ଥାଏ। ତାପରେ ସେମାନେ ଦେଖିଲେ ଯେ ରୁଦ୍ର ବି ଘରେ ନାହିଁ।
ରୁଦ୍ରକୁ ଘରୁ ବାରମ୍ବାର ଫୋନ ଯାଉ ଥାଏ। ହେଲେ ସେ ଉଠାଉ ନ ଥାଏ। ସବୁ ଚିନ୍ତିତ ହେଲେଣି।
କିଛି ସମୟ ପରେ ପୋଲିସଙ୍କ ଠାରୁ ଫୋନ ଆସିଲା ଯେ ରୁଦ୍ର ଡ୍ରଗସ୍ ନିଶା ରେ ଡ୍ରଗସ୍ ସହ ଗୋଟିଏ ହୋଟେଲର ରୁମରେ ସେକ୍ସ ଗୋଟିଏ ଝିଅ ସହ ଧରା ପଡିଛି। ଫୋନଟି ସୁଜାତା ଦେବୀ ଉଠାଇ ଥିଲେ। ଏ ଖବର ପାଇ ସେ ପାଟି କରି ଚୁପରେ ବସି ଗଲେ।
ସିଆ ତାଙ୍କର ଜଣେ ଭଲ ବନ୍ଧୁ ଆଦିତ୍ୟଙ୍କ ସହ ପୋଲିସ ଷ୍ଟେସନକୁ ଯାଇ ତିରିଶ ହଜାର ଟଙ୍କା ଦେଇ ରୁଦ୍ରଙ୍କୁ ବେଲ୍ ରେ ଆଣିଲେ।
ରୁଦ୍ର ଘରକୁ ଆସିଲାରୁ ଜେଜେମା ରୁଦ୍ରକୁ ଜୋରରେ ବାଡେଇବାକୁ ଲାଗିଲେ। କହିଲେ ତୋ ପରି ନାତି ଠାରୁ ନାତି ନ ରହିବା ତା ଭଲ। ତୋ ପାଇଁ ଖର୍ଚ୍ଚ କୁ ମୁଁ ଭାବୁଥିଲି ଠିକ। ହେଲେ ଆଜି ବୁଝିଲି ସିଆ ପାଇଁ ହେଉ ଥିବା ଖର୍ଚ୍ଚ ବାଜେ ନ ଥିଲା ବରଂ ତୋ ପାଇଁ ହୋଇ ଥିବା ଖର୍ଚ୍ଚ ବାଜେ ଥିଲା। ତୋତେ ନାତି କହିବା ପାଇଁ ଲାଜ ଲାଗୁଛି।ତୁ ଆଉ ମୋ ହୃଦୟରେ ନାହୁଁ।
କିଛି ସମୟ ମଧ୍ୟରେ ନିଶା ବାରଣ କେନ୍ଦ୍ରରୁ ଷ୍ଟାଫ୍ ଆସିକି ରୁଦ୍ରକୁ ନେଇ ଗଲେ। ସିଆ ପଚାରିଲେ ଏ ମାନଙ୍କୁ କିଏ ଡାକି ଥିଲେ?
ଜେଜେମା ( ସୁଜାତା ଦେବୀ ) କହିଲେ ସେ ଡାକି ଥିଲେ। ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ ଯେ ସୁଜାତା ଦେବୀ ପୁଣି ରୁଦ୍ରକୁ ନିଜ ଠାରୁ ଏତେ ଦୂରକୁ ପଠାଇଲେ।
ଜେଜେମା ସିଆକୁ ଡାକି ପ୍ରଥମ ଥର ମାଆ କହି ଗେହ୍ଲ କରି କହିଲେ ଯେ ତୁ କେତେବେଳେ ତୋ ପାଇଁ ମୋ ହୃଦୟରେ ସ୍ଥାନ କରି ଦେଲୁ ମୁଁ ଜାଣି ବି ପାରିଲି ନାହିଁ। ମୋତେ କ୍ଷମା କରି ଦେ। ମୁଁ ତୋ ସହ ବହୁତ ଅନ୍ୟାୟ କରିଛି। ଆଜି ବୁଝିଗଲି ପୁଅ ଝିଅ ମଧ୍ୟରେ ପ୍ରଭେଦ ନାହିଁ। ଆଉ ଝିଅ ପଢା ପାଇଁ କରିଥିବା ଖର୍ଚ୍ଚ ବାଜେ ଖର୍ଚ୍ଚ ନୁହଁ।
ସିଆ ଜେଜେମାଙ୍କୁ କହିଲେ ତୁମେ ବଡ ହୋଇ କ୍ଷମା ମାଗିଲେ ଆମକୁ ପାପ ହେବ। ବସ୍ ତୁମେ ଏମିତି ମୋତେ ଭଲ ପାଅ, ମୋର ଆଉ କିଛି ଦରକାର ନାହିଁ।
ଜେଜେମା ସିଆକୁ ଆଦିତ୍ୟ ବିଷୟରେ ପଚାରିବାରୁ ସିଆ ଲାଜ କରିଗଲେ। ଜେଜେମା ବୁଝି ପାରିଲେ ସିଆ ମନ କଥା। ତାପରେ ଆଦିତ୍ୟଙ୍କ ପରିବାର ଲୋକଙ୍କୁ ଡାକି ବିବାହ ଠିକ କରି ଦେଲେ।
କଛି ମାସ ପରେ ରୁଦ୍ର ସୁଧାର କେନ୍ଦ୍ରରୁ ଠିକ ହୋଇ ଫେରି ଆସିଲେ। ବିଶୁ ବାବୁଙ୍କ ଦେହ ବି ଭଲ ହୋଇ ଆସିଲା। ଏବେ ବାପ ପୁଅ ଦୁହେଁ ମିଶି ଦୋକାନ ସମ୍ଭାଳିଛନ୍ତି। ଆଉ ସିଆଙ୍କ ବାହାଘର ଆଦିତ୍ୟଙ୍କ ସହ ଧୁମ୍ ଧାମରେ ହୋଇଛି।
( କାହାଣୀଟିର ମୁଖ୍ୟ ସାରାଂଶ ଏହି କି ଯେ ପୁଅ ଆଉ ଝିଅ ମଧ୍ୟରେ ଭେଦଭାବ କରିବା ଉଚିତ ନୁହେଁ। ଝିଅକୁ ପାଠ ପଢାଇ ଶିକ୍ଷିତ କରାଇଲେ ନିଜ ପରିବାରର ମଙ୍ଗଳ ସହ ସମାଜ ବି ଶିକ୍ଷିତ ହେବ)
