Satyabati Swain

Classics

3  

Satyabati Swain

Classics

ହିରଣ୍ୟକଶିପୁ

ହିରଣ୍ୟକଶିପୁ

3 mins
289



ଜେଜେ ନଳକୂଅ ପାଖରେ ଗାଧୋଇ ସାରି ଉପର,ତଳ,ଚାରିଆଡ଼କୁ ଚାହିଁ ପ୍ରଣାମ କରୁଥିଲେ।


ମୁଁ ସେଇଠି ବଲ୍ ଗଡାଉଥିଲି।ଜେଜେଙ୍କୁ ବୁଲି ବୁଲି ପ୍ରଣାମ ହେବା ଦେଖି ଆଶ୍ଚର୍ଯ୍ୟ ହେଲି।ଜେଜେଙ୍କ ସାଙ୍ଗରେ ଖାଇ ସାରିଲା ପରେ ପଚାରିଲି,ଜେଜେ ଗାଧୋଇଲା ପରେ ତୁମେ ହାତ ଯୋଡି କାହାକୁ ଏଣେ ତେଣେ ଚାହିଁ ପ୍ରଣାମ ହେଉଥିଲ !


ଠାକୁରଙ୍କୁ।


ଠାକୁରଙ୍କୁ ! ମୁଁ ହୋ ହୋ ହୋଇ ହସି ଉଠିଲି।ଠାକୁର ବା ଘରେ କି ମନ୍ଦିରରେ ଥାଆନ୍ତି ନା।


ଆମେ ତ ଠାକୁର ଘରେ କି ମନ୍ଦିରରେ ଠାକୁରଙ୍କୁ ପ୍ରଣାମ ହେଉ ତୁମେ କଣ ଉପର ତଳ ସବୁଆଡକୁ ଚାହିଁ ଗୁଣୁ ଗୁଣୁ ହୋଇ ପ୍ରଣାମ ହେଉଥିଲ !


ଜେଜେ ଟିକେ ମୂର୍କି ହସି କହିଲେ , ଠାକୁର କଣ ଖାଲି ଘରେ କି ମନ୍ଦିରରେ ଅଛନ୍ତି ! ସେ ସବୁଆଡେ ଅଛନ୍ତି।


ସ.. ବୁ ..ଆ ଡେ !


ମୋ ଆଖିରେ ଅୟୁତ ବିସ୍ମୟ।


ଜେଜେ କହିଲେ ବୁଝିଲୁ ସୋନୁ ,ଭକ୍ତି ଥିଲେ ଠାକୁର ସବୁଥିରେ ଦିଶନ୍ତି।


କେମିତି !


ତୁ ପ୍ରହ୍ଲାଦକୁ ଜାଣିଛୁ ?


ପ୍ରହ୍ଲାଦ!


ତୋ ପରି ଛୋଟ ପିଲାଟିଏ।ଵିଷ୍ଣୁଙ୍କୁ ଭାରି ଭକ୍ତି କରେ।କିନ୍ତୁ ତା ବାପା ହିରଣ୍ୟକଶିପୁ ଜଣେ ଅମିତ ବଳଶାଳୀ ଅତ୍ୟାଚାରୀ ରାକ୍ଷସ ।ସେ ବିଷ୍ଣୁଙ୍କ ଘୋର ଶତ୍ରୁ।


ହିରଣ୍ୟକଶିପୁ ଓ ହିରଣାକ୍ଷ ଦୁଇ ରାକ୍ଷସ ଭାଇ ଥିଲେ।ଖୁବ୍ ଅତ୍ୟାଚାରୀ ଥିଲେ ସେ ଦୁଇ ଭାଇ।ତାଙ୍କ ଅତ୍ୟାଚାରରେ ସମସ୍ତେ ତ୍ରାହି ତ୍ରାହି ଡାକିଲେ।ବିଷ୍ଣୁ ତ ପାଳନ କର୍ତ୍ତା।ଜଗତ ପାଳିବା ଦାୟିତ୍ୱ ତାଙ୍କର।ଯେତେବେଳେ ପୃଥିବୀରେ ପାପ ଭାର ବଢ଼େ,ପାପିଙ୍କୁ ମାରିବା ପାଇଁ ବିଷ୍ଣୁ ଅବତାର ନେଇ ଜନ୍ମ ନିଅନ୍ତି ଓ ପାପିଙ୍କୁ ନାଶ କରନ୍ତି।ସେମିତି ହିରଣାକ୍ଷକୁ ବିଷ୍ଣୁ ବରାହ ଅବତାର ରୂପେ ମାରି ଦେଲେ।ସେଇଥିପାଇଁ ହୀରଣ୍ୟକଶିପୁର ଭଗବାନ ବିଷ୍ଣୁଙ୍କ ଉପରେ ପ୍ରଚଣ୍ଡ ରାଗ।


ହିରଣ୍ୟକଶିପୁ ଭଗବାନ ବିଷ୍ଣୁଙ୍କୁ ମାନେ ନାହିଁ।ବିଷ୍ଣୁଙ୍କୁ ତାଙ୍କ ରାଜ୍ୟରେ କେହି ପୂଜା କଲେ ତାଙ୍କୁ ଜୀବନରୁ ମାରି ଦିଆଯାଏ।ପ୍ରତିଶୋଧ ପରାୟଣ ହୋଇ ସେ ବିଷ୍ଣୁଙ୍କୁ ମାରିବାକୁ ଚାହୁଁଥିଲା।ଏଣୁ ବିଷ୍ଣୁ ପୂଜାକୁ ସେ ତାଙ୍କ ରାଜ୍ୟରେ ନିଷେଧ କରିଥିଲେ।


ସେ ଶିବ ଭକ୍ତ।


ବିଧିର ବିଧାନ ବଡ଼ ବିଚିତ୍ର।ହିରଣ୍ୟକଶିପୁ ସିନା ବିଷ୍ଣୁ ବିରୋଧୀ, କେହି ବିଷ୍ଣୁ ଆରାଧନା କରିବେ ନାହିଁ ନିଷେଧାଜ୍ଞା ଜାରି କରିଦେଲେ ରାଜ୍ୟରେ।ମାତ୍ର ତାଙ୍କ ଗର୍ଭରୁ ଜନ୍ମ ଶିଶୁ ପୁତ୍ର ପ୍ରହ୍ଲାଦ ଜନ୍ମ ହେଉ ହେଉ ବିଷ୍ଣୁ ,ବିଷ୍ଣୁ ହେଲା।ଏକଥା ଦେଖି ହିରଣ୍ୟକଶିପୁ ଅତ୍ୟନ୍ତ ରାଗିଗଲେ।"ନିଜ ପୁଅ ହୋଇ ମୋର ପରମ ଶତ୍ରୁ ବିଷ୍ଣୁଙ୍କୁ ଜପୁଛି !"ଯେତେ ପ୍ରହ୍ଲାଦକୁ କହ ଶିବ କହିଲେ ସେ ବିଷ୍ଣୁ ହିଁ କହିଲେ।କୌଣସି ମତେ ପ୍ରହ୍ଲାଦକୁ ବିଷ୍ଣୁ ଭକ୍ତିରୁ ବାରଣ କରି ପାରିଲେ ନାହିଁ।ଏଣୁ ସେ ଜଣେ ଶିକ୍ଷକ ନିଯୁକ୍ତି କଲେ ଯିଏ ପ୍ରହ୍ଲାଦଙ୍କୁ ଶିବ ଶିବ ଶିଖାଇବେ।


ଶିକ୍ଷକ ଆସିଲେ।ବହୁତ ବୁଝାଇଲେ।ବିଷ୍ଣୁ ତୁମ ପିତାଙ୍କ ଶତ୍ରୁ।ହେ ରାଜକୁମାର! ତୁମେ ବିଷ୍ଣୁଙ୍କୁ ନ ପୂଜି ଶିବଙ୍କୁ ପୂଜ।ଶିକ୍ଷକ କହିଲେ କୁହ ଶିବ।ପ୍ରହ୍ଲାଦ କହିଲେ ବିଷ୍ଣୁ।କୁହ ଶିବ ନା ବିଷ୍ଣୁ।କାହାରି ପ୍ରଭାବ ପ୍ରହ୍ଲାଦ ଉପରେ ପଡିଲା ନାହିଁ ।ସେ ପ୍ରତିକ୍ଷଣେ ବିଷ୍ଣୁ ନାମ ଜପ କଲେ।


ପ୍ରହ୍ଲାଦ ସବୁବେଳେ ବିଷ୍ଣୁ ବିଷ୍ଣୁ ହେଲେ।


ହିରଣ୍ୟକଶିପୁ ଅତି ମାତ୍ରାରେ ରାଗିଗଲେ।ଶତ୍ରୁକୁ ପୂଜା କରୁଥିବା ଅବାଧ୍ୟ ପୁତ୍ର ତାଙ୍କରର ଦରକାର ନାହିଁ ବୋଲି କହିଲେ ସେ ନିର୍ଦ୍ଦୟ ହୋଇ ଆଦେଶେ ଦେଲେ କଳେ ବଳେ କୌଶଳେ ପ୍ରହ୍ଲାଦକୁ ମାରି ଦିଆଯାଉ।


ରାଜକର୍ମଚାରୀ ମାନେ ପ୍ରହ୍ଲାଦକୁ ନେଇ ପାହାଡ଼ ଉପରୁ ତଳକୁ ପକାଇ ଦେଲେ।ପ୍ରହ୍ଲାଦ ବିଷ୍ଣୁ ବିଷ୍ଣୁ ହୋଇ ଶୁନ୍ୟେ ଶୁନ୍ୟେ ଆସି ତଳେ ଦାଲୁ କି ପଡିଲେ।କିନ୍ତୁ ତାଙ୍କର କିଛି ବି ହେଲା ନାହିଁ।


ହାତୀ ଗୋଡ଼ ତଳେ ପ୍ରହ୍ଲାଦକୁ ମଡ଼ାଇ ଦେଲେ।ସେଥିରେ ବି କିଛି ହେଲା ନାହିଁ।


ଖଣ୍ଡାରେ ହାଣିଲେ।ଖଣ୍ଡା ଭାଙ୍ଗିଗଲା ସିନା ପ୍ରହ୍ଲାଦର କିଛି ହେଲାନି।


ଭଣ ଭଣ ସାପ ଭିତରେ ଛାଡିଲେ।ସାପ କାମୁଡ଼ାରେ ବି ସେ ମଲେନି।


ନିଆଁରେ ପୁରାଇ ଜାଳିଲେ କିନ୍ତୁ ପ୍ରହ୍ଲାଦଙ୍କର ଏତେ ଟିକେ ବି କିଛି ହେଲା ନାହିଁ।


ରାଜକର୍ମଚାରୀ ମାନେ ଶେଷରେ ହତାଶ ହୋଇ ଜଣାଇଁଲେ, "ଯେ ହେ ମହାରାଜ !ଆପଣଙ୍କ ପୁତ୍ର ସାମାନ୍ୟ ମଣିଷ ବାଳକ ନୁହନ୍ତି।ସେ ଅଜର ଅମର।ସେ ନିଆଁରେ ପୋଡ଼ୁ ନାହାନ୍ତି,ଅସ୍ତ୍ର ରେ ଛିଡୁ ନାହାଁନ୍ତି,ସର୍ପ ଦଂଶନରେ ବି ତାଙ୍କ ମୃତ୍ୟୁ ହେଉନାହିଁ।ବିରାଟ କାୟ ହସ୍ତୀ ବି ୟାଙ୍କୁ ଚାପି ମାରି ପାରୁ ନାହିଁ।ସୁଉଚ୍ଚ ରୁ ପଡିଲେ ବି ଟିକେ ବି ଆଘାତ ହେଉ ନାହାଁନ୍ତି।ଏ ଅସମାନ୍ୟ।ଆମେ କୌଣସି ଉପାୟରେ ବାଳକ କୁମାରଙ୍କୁ ମାରି ପାରୁ ନାହୁଁ।


ହିରଣ୍ୟକଶିପୁ ରାଗରେ କାଳଯମ ପରି ଦିଶିଲେ।ତାଙ୍କୁ ଦେଖି ଭୟରେ ଥରି ଥରି ପ୍ରହ୍ଲାଦ ବିଷ୍ଣୁ ବିଷ୍ଣୁ ହେଉଥାଆନ୍ତି।


ହିରଣ୍ୟକଶିପୁ ମେଘ ଭଳି ରଡି ଛାଡି କହିଲେ, " ପ୍ରହ୍ଲାଦ ତୁମେ ଯେଉଁ ବିଷ୍ଣୁ ବିଷ୍ଣୁ ହେଉଛ ଆଜି ଯଦି ମୋତେ ତାଙ୍କୁ ନ ଦେଖାଅ,ତାହେଲେ ପିତା ହେଲେ ମଧ୍ୟ ମୋ ହାତରୁ ତୁମର ନିସ୍ତାର ନାହିଁ।ରଡ ନିଆଁ ପରି ହିରଣ୍ୟକଶିପୁ ଆଖି ଜଳୁଥିଲା।


ସେ ବର ପାଇଛନ୍ତି ଯେ ତାକୁ କେହି ମାରି ପାରିବେ ନାହିଁ। 


କୌଣସି ଅସ୍ତ୍ର କି ଶସ୍ତ୍ରରେ ତାଙ୍କ ମରଣ ହେବ ନାହିଁ।


ଭିତରେ କି ବାହାରେ ମରିବେ ନାହିଁ।


ରାତି କିବା ଦିନରେ ମରିବେ ନାହିଁ।


ନରନାରୀ,ବାନର,ପଶୁ ପକ୍ଷୀ କାହା ହାତରେ ତାଙ୍କ ମରଣ ହେବ ନାହିଁ।


ମାଟିରେ କିବା ଆକାଶରେ ମରିବେ ନାହିଁ।


ଏପରି ବର ପାଇଁ ହିରଣ୍ୟକଶିପୁ ନିଜକୁ ଅମର ଭାବୁଥିଲେ।ଧାରାକୁ ସରା ମନ କରୁଥିଲେ।


ପ୍ରହ୍ଲାଦ ଉପରେ ରାଗି ହିରଣ୍ୟକଶିପୁ କହିଲେ, ଦେଖା ତୋ ବିଷ୍ଣୁ,କେଉଁଠି ଅଛନ୍ତି,ନଚେତ... ଏହା କହି ଖଣ୍ଡା ଉଦ୍ୟତ କଲାବେଳକୁ,ପ୍ରହ୍ଲାଦଭୟରେ ଥରି ଥରି କୁଆଡୁ କିଛି ନ ପାଇଁ ସେଇଠି ଥିବା ଖୁଣ୍ଟରେ ବିଷ୍ଣୁ ଅଛନ୍ତି ବୋଲି ଦେଖାଇ ଦେଲା।


ଅଟହାସ୍ୟ କରି ଖୁଣ୍ଟକୁ ହିରଣ୍ୟକଶିପୁ ମାରିଲେ ଏକ ଶକ୍ତ ଗୋଇଠା।


ମାତ୍ର ଏ କଣ ! ଖୁଣ୍ଟରୁ ସତକୁ ସତ ବାହାରିଲା ଏକ ଭୟଙ୍କର ମୁର୍ତ୍ତୀ।


ସେ ନରନାରୀ କି କୌଣସି ପଶୁପକ୍ଷୀ ନଥିଲେ।ଥିଲେ ଅଧେ ମଣିଷ ଅଧେ ପଶୁ।ମଣିଷ ଶରୀର ମୁଣ୍ଡ ସିଂହର।


ଏହା ଭଗବାନଙ୍କ ନୃସିଂହ ଅବତାର ଥିଲା।


ସମୟ ରାତି କି ଦିନ ନଥିଲା : ଥିଲା ମଧ୍ୟାହ୍ନ।


ଅସ୍ତ୍ର କି ଶସ୍ତ୍ର ବି ନଥିଲା।ନଖରେ ହିରଣ୍ୟକଶିପୁ ବକ୍ଷ ବିଦାରି ଥିଲେ।


ଭୂମି କି ଶୁନ୍ୟରେ ତାକୁ ନୃସିଂହ ଦେବତା ମାରି ନଥିଲେ।ନିଜ ଜଙ୍ଘ ଉପରେ ଥୋଇ ତାର ବକ୍ଷ ବିଦାରି ମାରି ଥିଲେ।


ଏପରି ଦୃଷ୍ଟ ରାକ୍ଷସ ହିରଣ୍ୟକଶିପୁର ମୃତ୍ୟୁ ହେଲା।


 ଜେଜେ ଖୁଣ୍ଟରୁ ନୃସିଂହ ଦେବତା ବାହାରିଥିଲେ! କି ଚମତ୍କାର !


ହଁ ରେ ସୋନୁ ବିଶ୍ୱାସ ଓ ଭକ୍ତିରେ ଡାକିଲେ ସବୁଠି ଭଗବାନ ମିଳନ୍ତି।ମୂଳ କଥା ହେଲା ସରଳ ନିଷ୍କପଟ ବାଳୁତ ପ୍ରହ୍ଲାଦ ହୃଦୟ ଥିଲା ଭକ୍ତିରେ ଭର୍ତ୍ତୀ।ସେଥିପାଇଁ ଭକ୍ତର ମାନ ରଖି ପୃଥିବୀ ପୃଷ୍ଠରୁ ହିରଣ୍ୟକଶିପୁ ନାମକ ପାପ ନାଶି ଧରାରେ ଧର୍ମ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଭଗବାନ ବିଷ୍ଣୁ ନୃସିଂହ ରୂପ ଧାରଣ କରିଥିଲେ।


ସେଇଦିନ ଠାରୁ ମୋର ବି ବିଶ୍ୱାସ ହୋଇଗଲା ଈଶ୍ୱର ସର୍ଵବ୍ୟାପି।




Rate this content
Log in

Similar oriya story from Classics