ହୀରା
ହୀରା
ଏମିତିରେ ସବୁ ପିଲାଙ୍କ ମଧ୍ୟରେ ମୁଁ ତ କାଉ ଥିଲି। ବଶ୍ୟ କାଉର କେଉଁ ଗୁଣ ନ ଆଣି ଆଣିଥିଲି ହଳଦୀ ବସନ୍ତର। କିନ୍ତୁ ପିଲା ମନ ଝାଉଁଳି ଯାଏ ଯେତେବେଳେ ସୋନା ନୀ ସଂଗେ ନିଜକୁ ତୁଳନା କରେ। ତା ହାତ ପାଖରେ ମୋ ହାତ ତୁଳନା କରି ମନ ଦୁଃଖରେ ଭରିଯାଏ। ସୋନା ନୀ ଏତେ ହଳଦିଆ ଚମ୍ପାଫୁଲ ପରି ଅଥଚ ମୁଁ ଏତେ କଳା ଅପରିଜିତା
ବିଲୁ ଭାଇନା ବି ଆକାଶର ଜହ୍ନ ପରି; ଅନ୍ଧାର ଘରେ ଦାଉ ଦାଉ। ହେଲେ ମୋ ମନରେ ପ୍ରଶ୍ନ ଗୋଟିଏ ନନା ବୋଉ ଠାରୁ ଆମେ ତିନି ପିଲା;ମାତ୍ର ଏତେ ଫରକ୍ କଣ ପାଇଁ। ଆକୁଳ ଭାଵ ଅନେକ ବାର୍ ଅବୁଝା ବୟସରେ କାନ୍ଦିଛି "ବୋଉଲୋ ମୋତେ ଏମିତି କାଇଁ କଲୁ"କହି।
ବୋଉ କୁହେ ପିଲା ବାପା କି ମା ପରି ହୁଅନ୍ତି। ତୁ ମୋ ସୁନାଟା ପରା ତୋ ନନା ପରି ହେଇଛୁ । ଭାଇନା ଓ ନାନୀ ମୋ ପରି। ମୁଁ ଜିଦି କରେ" ତୁ ଆଉଥରେ ମୋତେ ତୋ ପରି ଜନ୍ମ କର,ପୁରା ତୋ ପେଟରେ।"
ବୋଉ ହସୁ ହସୁ ତା ଆଖିରେ ଲୁହ ଆସିଯାଏ। ବାସ୍ ମୋ ହଳଦୀ ବସନ୍ତ ରୂପ ହେବା କୁଆଡେ ହଜି ଯାଏ। ମୁଁ ମୋ ବୋଉ ଆଖି ଲୁହ ପୋଛି ଦେଇ କୁହେ "ତୁ କାନ୍ଦି ଦେଲୁ ଟି। ଯା ମୁଁ ଆଉ ତୋ ପେଟରେ ପସିବିନି"। ତୁ କାନ୍ଦ ବନ୍ଦ କର୍ ତ।
ବୋଉ କାନ୍ଦେ କାହିଁକି ମୋ ରୂପ ପାଇଁ .....ନା ତା ଅସହାୟତା ପାଇଁ
ପିଲାରୁ କେତେବେଳେ ଆସ୍ତେ ଆସ୍ତେ ଆମେ ବଡ଼ ହେଉଥିଲୁ। ସୋନାନୀ ଦଶମ ପରୀକ୍ଷା ଦେଲା। ଭାଇନା ଅଷ୍ଟମ ଆଉ ମୋର ପଞ୍ଚମ। ସୋନା ନୀ,ଭାଇନାଙ୍କୁ ପଛରେ ପକାଇ ମୁଁ ଜିଲ୍ଲାରେ ଟପ୍ପର ହୋଇଥିଲି ସ୍କଲାରସିପ୍ ପାଇଁ। ନନା ଖୁସିରେ ମୋତେ କାନ୍ଧରେ ବସାଇ ଘିର୍ ଘିର୍ ବୁଲି ଗଲେ ଘେରାଏ। ଯାହା ଖୋଜୁଥିଲି ଆତୁରେ ନଅ ବର୍ଷ ଧରି। ଭାଇନା ପରେ ଆଉ ଗୋଟେ ଜେଜେ ନାତି ଓ ନନା ପୁଅ ଚାହୁଁଥିଲେ। ମାତ୍ର ମୁଁ ତ ଝିଅ ହେଲି ପୁଣି ନନା ପରି କଳା.....ଏଣୁ ନନାଙ୍କ ଗେହ୍ଲା ମୋ ଭାଗ୍ୟରେ ଜୁଟି ନଥିଲା। ସୋନା ନୀ କୁହେ ଏ କଥା। ନହକା ବେତ ଶରୀରକୁ ଡବ ଡବ ଆଖି ମୋର କଷ୍ଟରେ ଫାଟି ପଡେ ନାନୀ କଥା ଶୁଣି।
ଓଃ ମୁଁ ଅନ୍ ୱାଣ୍ଟେଡ୍
ଏ କଥା ଯେତେ ଥର ଭାବିଛି ସେତେ ଥର ମୁଁ ମନରେ ଦୁରେଇ ଯାଇଛି ମୋ ବୋଉ, ନନା ତଥା ମୋ ପରିବାର ଠାରୁ। ନୀରବତାକୁ ସାଥୀ କରିନେଲି। ସବୁବେଳେ ଗୁମ୍ ସୁମ୍। ମୋ ଦୁନିଆଁରେ ବ୍ୟସ୍ତ,ବିବ୍ରତ। ଯେଉଁ ଦୁନିଆଁରେ ମୋର କେହି ନାହିଁ। କେବଳ ମୁଁ ସେଠି ଏକା।
ହେଲେ ଜିଲ୍ଲାରେ ଟପର୍ ହେଲା ପରେ ମୋ ନନା ଙ୍କ ଖୁସି ଆଉ ମୋତେ ଭଲ ପାଇବା ଦେଖି ଆତ୍ମହରା ହୋଇଗଲି। ମୋ ଏକାକୀ ପଣ କୁଆଡେ ଛୁ ମନ୍ତ୍ର ହୋଇଗଲା। ମୁଁ ବୁଝି ଗଲି ଭଲ ପଢିଲେ ଭଲ ଗୀତ ଗାଇଲେ ନନା ମୋତେ ଭଲ ପାଇବେ।
କାଉ କଣ୍ଠରେ ଈଶ୍ୱର ମୋତେ କୋଇଲିର୍ ସ୍ୱର ବି ଦେଇଛନ୍ତି। ମୁଁ ଗୀତ ଗାଇଲେ ସ୍କୁଲରେ ବାଟରେ ଯାଉଥିବ ଲୋକ ଅଟକି ଯାଇ କୁହନ୍ତି ଵିଷ୍ଣୁ ନନା ଝିଅ କିରନ୍ ଗାଉଛି ଟି। ସରସ୍ୱତୀ ତା କଣ୍ଠରେ। ସାର୍ କୁହନ୍ତି କଣ୍ଠରେ ନୁହେଁ ସେ ଆଉ ଜଣେ ସରସ୍ୱତୀ ଗୋଟା ସୁଦ୍ଧା। ଗୀତ,ଚୁତ୍ର,ଓ ପାଠ ସବୁଥିରେ ଟପ୍।
ଥରେ ବିନି ମୋ ହିସାବରେ ବଡ଼ନନାଙ୍କ ଝିଅ ଓ ମୁଁ ଖେଳୁଥାଉ। ଏକା ଶ୍ରେଣୀରେ ପଢୁ। ବଡ଼ ବୋଉ କେଜାଣି ମୋତେ ଭାରି ରାଗନ୍ତି। ବିନି ଭଲ ପଢେନି ବୋଲି ବୋଧେ। ବିନି ନ ପଢିଲା ସେଥିକୁ ମୋର ଦୋଷ କଣ ଯେ ଦିନେ କଥାରେ କଥାରେ ବଡ଼ ବୋଉ କହିଦେଲେ ପେଟରୁ ମରିବୁ ବୋଲି ଘର ଲୋକେ ମସୁଧା କରୁଥିଲେ ଲୋ କିନା।
ଚମକି ପଡିଲା ମୋ ଛୁଆ ମନ। ଭାରି ଭାଵ ପ୍ରବଣ ମୋ ହୃଦ। ବହୁ ଅଭିମାନୀ। ମୁଁ ପଚାରିଲି କଣ କହିଲ ବବୋଉ ପେଟରୁ କେମିତି ଚାହିଁଲେ ମରନ୍ତି। ମୋତେ କାହିଁକି ମାରିବାକୁ ଚାହୁଁଥିଲେ?
&nbs
p; ସେ କେତେ କଥା। ତୁ ପିଲାଟା କଣ ବୁଝିବୁ ବା। ତୋର ତ ଜନ୍ମ ହେବାର ଥିଲା ଯିଏ ଯେତେ ଔଷଧ ଖାଉ ନା କାହିଁକି?
କୁହ ନା ବବୋଉ ମୁଁ ଗେହ୍ଲେଇ କହିଲି। କିନ୍ତୁ ମୁଁ ଜାଣି ପାରୁ ନଥିଲି ମୋ ଜନ୍ମ ବୃତ୍ତାନ୍ତ ଜାଣିବାରେ ମୋର ଏତେ ଆଗ୍ରହ କାହିଁକି
ବବୋଉ ମୋ ପିଲା ମନକୁ ଚୁନା କରିବା ଲକ୍ଷ୍ୟରେ ଥିଲେ। ଏଣୁ ସେ ମୋ ଅନୁରୋଧ ଏଡାଇ ନ ପାରି କହିଲେ ଦୁଇ ପୁଅଝିଅ ପରେ ତୋ ନନା ବୋଉ ଆଉ ପିଲା ଚାହୁଁ ନଥିଲେ। ହେଲେ ତୁ ହେବା ସେ ତିନି ମାସ ପରେ ଯେତେବେଳେ ଜାଣିଲେ ତୋତେ ନଷ୍ଟ କରିଦେବାକୁ ବହୁ ଚେଷ୍ଟା କଲେ। ଘରୋଇ ହୋମିଓପ୍ୟାଥିକ ଡ଼ାକ୍ତରଙ୍କ ଠାରୁ ଔଷଧ ଖାଇଲେ। କିଛି ଫଳ ହେଲା ନାହିଁ। ଶେଷରେ ତୋ ନନା କହିଲେ ହେଉ ପୁଅଟିଏ ହୁଅନ୍ତାକି ପୁଅ କରି ପଠାଇ ଦିଅନ୍ତେ ତାଙ୍କ ଶଳା ପାଖକୁ। ଶାଳାର ପୁଅ ପାତି କିଛି ନଥିଲା ଯେଣୁ। ବୁଝିଲୁ କିନୁ ତୁ ତ ପୁଅ ହେଲୁନି,ବରଂ ଦେହ ମୁଣ୍ଡ ସାରା ଘା ହୋଇ ଜନ୍ମ ନେଲୁ। ଖାଲି ବଡ଼ ବଡ଼ ଫୋଟକା। ତୁ ନଲେ କି କଲା ହୋଇଥାନ୍ତୁ। ସମସ୍ତେ ଭାବିଲେ ଏପରି ଦେହ ମୁଣ୍ଡ ସାରା ଏଡ଼େ ଏଡ଼େ ଫୋଟକା ଏ ଛୁଆ ବଞ୍ଚିବ ନାହିଁ। ମଶାରୀ ଟାଣି ଶୁଆଇଲେ। ନଲେ ପିମ୍ପୁଡି,ଅସରପା ତୋ ଘା ଦେହରେ ଲାଗିଯାଉଥିଲେ।
ହେଇଟି ଅନା କିନୁ ଏକଥା "ମୁଁ କହିଛି ବୋଲି ତୋ ବୋଉକୁ କହିବୁ ନାହିଁ" ବବୋଉ କହିଲେ।
ମୁଁ କାଠ ହୀ ଯାଇଥିଲି ଏ କଥା ଶୁଣି। ବୋଉ ତାହେଲେ ମୋତେ କାଇଁ କଳା କଲୁ କହିଲେ ଏଥିପାଇଁ କାନ୍ଦେ
ଇଛାହେଲା ଘର ଛାଡି ପକେଇବି। ଏଇ ବବୋଉ କଥା ଭାବି ଭାବି ମୋତେ ଜର ହୋଇଗଲା। ପନ୍ଦର ଦିନ ମୁଁ ଶେଯରେ ପଡି ରହିଲି। ଦେହ ଭଲ ହେଲା ପରେ ବି ସ୍କୁଲ ଯିବାକୁ ଇଚ୍ଛା ହେଲାନି। ଖାଲି ମନ ଭର୍ତ୍ତୀ ମୋର ଅବ୍ୟକ୍ତ ଯନ୍ତ୍ରଣା। ବବୋଉ ମନେ ମନେ ଖୁସି ଏଣିକି ମୁଁ ଆଉ ଭଲ ପଢି ପାରିବି ନାହିଁ।
ବୋଉ କିନ୍ତୁ ମୋ ଆଖି ପଢି ପାରୁଥିଲା ବୋଧେ। ମୋତେ କୋଳରେ ପୁରେଇ ଶୋଇଲା ବେଳେ ମୁଁ ତାଠୁ ଦୁରେଇ ଅଲଗା ଶୋଉଥିଲି। ନିଜେ ଏକା ଏକା ଗାଧୋଉଥିଲି। ଖାଇବା ପିଇବା ବି ଠିକରେ କଲି ନାହିଁ। ବୋଉ କହିଲା କଣ ହୋଇଛି ମା। ଏତେ ଉଦାସ କଣ ପାଇଁ। କାହିଁକି ତୋ ମନ ଦୁଃଖ କାହିଁକି ସ୍କୁଲ ଯାଉନୁ
କଣ କହିବି ବୋଉ ତୁ ମୋତେ ଜନ୍ମ କରିବାକୁ ଚାହୁଁ ନଥିଲୁ ମୁଁ ତୁମର କାହାର ଦରକାର ନଥିଲି। ମୁଁ ଅନ୍ ୱାଣ୍ଟେଡ଼.......ନା ଥାଉ। ବୋଉ ମନ କଷ୍ଟ ହେବ ଯେ।
କିନ୍ତୁ ମୁଁ ଶୋଇଗଲା ପରେ ନନା ବୋଉକୁ କହିଲେ ଆମ ତିନି ପିଲାଙ୍କ ମଧ୍ୟରେ କିନୁ ଟି ଭାରି ଅଭିମାନିନୀ,ଭାଵ ପ୍ରଗଳ୍ଭ।ତା କଥା ଆଗ ବୁଝିବ। ସେ ଆମ ଝିଅ ହେବା ଆମ ଗୌରବର କଥା। ସେ ଝିଅ ନୁହେଁ ଗୋଟିଏ "ହୀରା"। ବୁଝିଲ କିନୁ ବୋଉ ମୋତେ ଯେତେ କଷ୍ଟ ସ୍ୱୀକାର କରିବାକୁ ପଡିଲେ ବି ମୁଁ କିନୁ କୁ ଖୁବ୍ ପଢ଼ାଇବି। ଗୀତ ମାଷ୍ଟ୍ରର ଟିଏ ଠିକ୍ କରିଛି,ତାକୁ ଗୀତ ଶିଖାଇବାକୁ ଆସିବ। ଜଣେ ଟିଉସନ ଶିକ୍ଷକ ବି ଆସିବେ। ମୋ ସୁନାଟା କାଇଁକି ଅମଙ୍ଗ ହେଉଛି ସ୍କୁଲ ଯିବାକୁ,ମୁଁ ବୁଝି ପାରୁନି। ତା ଦେହ ଖରାପ ଟା ତାକୁ ଡରାଉଛି କି!!
ଏହା କହି ନନା ମୋ ମୁଣ୍ଡ ସାଉଁଳେଇ ଦେଲେ। ତାଙ୍କ କୋଳକୁ ଟାଣି ନେଇ କହିଲେ ଜାଣିଲ କିନୁ ବୋଉ ଏ କିନୁ ଟି ଭିତରେ ମୋ ଜୀବନ ନାଟିକା ଅଛି। ବହୁତ ଭଲ ପାଏ ମୁଁ ୟାକୁ। ୟା ମୁହଁ ଶୁଖିଲେ ମୁଁ ସହି ପାରେନି।
ମୁଁ ସତ ସତିକା ଶୋଇ ନଥିଲି। ଏହା ଶୁଣି କାବା ହୋଇଗଲି। ମୋ ନନା ମୋତେ ଏତେ ଭଲ ପାଆନ୍ତି। ଅଥଚ ମୁଁ....
ତାପର ଦିନ ହସି ହସି ମୁଁ ସ୍କୁଲ ଗଲି। ମୋ ବବୋଉ ଟା ସୁଦୁ ମିଛେଇ ମୁଁ ବୁଝିଗଲି।