sushama Parija

Drama Comedy

3  

sushama Parija

Drama Comedy

ଗୁରୁମନ୍ତ୍ର

ଗୁରୁମନ୍ତ୍ର

7 mins
263



ସେଦିନ ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିଲା ବେଳକୁ ସନ୍ତୋଷ ବୋଉର ଧାନ ଉଷୁଆଁ ହାଣ୍ଡି ଟା ଭଳିଆ ମୁହଁକୁ ଦେଖି ତରକି ଗଲା ନରିଆ। ନରିଆ ଓରଫ ନରହରି ଦାସର ଭାରି ଭୟ ସନ୍ତୋଷ ବୋଉ ସୁଲୋଚନାର ଏଇ ରାଗ ତମ ତମ ମୁହଁକୁ । ମନେ ମନେ କଳି ନେଲା ନରିଆ ଆଜି ନିଶ୍ଚୟ ରାତିରେ ଅଧାପେଟରେ ନହେଲେ ପୁରା ଉପାସରେ ଶୋଇବାକୁ ପଡିବ । ପରିସ୍ଥିତିକୁ ହାଲୁକା କରିବାକୁ ଯାଇ ସେ ଡାକ ପକାଇଲା “ ସନ୍ତିଆ! ଆରେ ହେ ସନ୍ତିଆ! ସେତେବେଳୁ ଆସି ମୁଁ ଏଠି ବସିଲିଣି, କ’ଣ କେହି ଦେଖି ପାରୁନ ନା’ କ’ଣ ? ମଣିଷ ଦିନରାତି ଖଟି ଖଟି ଅଧା ପ୍ରାଣ ହେଲାଣି, ଏମାନଙ୍କର ହୋଅଲେ ଯାଉଛି ନା ଢୋଅଲେ ।ଘରେ ବସି ସବୁ କଥା ହାତ ପାଖକୁ ମିଳି ଯାଉଛି ତ ! ସେଇଥିପାଇଁ କିଛି ଜଣା ପଡୁନି “। 


ସତେ କି ବାଘୁଆ ବିରୁଡି ବସା ଟାରେ ହାତ ମାରିଦେଲା ନରହରି, ଚୁଲ୍ଲୀ ମୁଣ୍ଡ ଛାଡି ବାଘୁଣୀ ଭଳିଆ ମାଡି ଆସିଲା ସୁଲୋଚନା , ଅଣ୍ଟାରେ ଲୁଗାକାନି ଭିଡୁ ଭିଡୁ କହିଲା “କ’ଣ କହିଲ? ଆମେ ମାଆ ପୁଅ ଏଠି ଘରେ ବସି ଖାଉଛୁ? ଆଉ ତମେ ଖଟି ଖଟି ମରୁଛ ? ଆହେ ଆଗ କହିଲ ମତେ “ ଖଟି ଖଟି କ’ଣ ଟା କରି ପକେଇଛ ଆମ ପାଇଁ? ଦୁଇ ଓଳି ଦୁଇ ମୁଠା ଭାତ ଆଉ ପିନ୍ଧିବା ପାଇଁ ବରଷକେ ଦୁଇ ଖଣ୍ଡ ଲୁଗା , ତା’ ଛଡା କ’ଣ କରି ପକେଇଛ ? କୋଉ ସୁଖରେ ରଖିଛ ଆମକୁ ବା ? କୋଉଥିପାଇଁ ଏତେ ପତିଆରା ? ଆହେ , ଆମ ମହିଳା ସମିତିରେ ପରା କହୁଥିଲେ , ତମରି ଭଳିଆ ଚାହା ଦୋକାନୀ ଟିଏ ନରେନ୍ଦ୍ର ମୋଦୀ, ସିଏ ପୁଣି ଆଜି ପ୍ରଧାନମନ୍ତ୍ରୀ ହୋଇ ଦେଶକୁ ଚଳଉଛି, ଆଉ ତମେ କୋଉ ଗାଈ ଗୋବର ମ ! ଆଜି ଯାଏଁ ଉଆଡ ମେହେମ୍ବର ଟିଏ ହେଲଣି? କଥା କ’ଣ ନା’ ମୁଁ ଦିନରାତି ଖଟୁଛି “ । କଥା କହିସାରି ହୁଁ ବୋଲି ମୁହଁ ଟା’ କୁ ଜୋର୍ ରେ ଛାଟି ଦେଇ ଯୋଉଠୁ ଆସିଥିଲା ସେଇଠିକି ଫେରିଗଲା ସୁଲୋଚନା । ନରହରି ମୁଣ୍ଡରେ ଏବେ କଥାଟି ପଶିଲା, ସେଇ ମହିଳା ସମିତିର ସଭାରେ ଯାହା ଶୁଣି ଆସିଛି ସୁଲୋଚନା, ଏଇ ବାକ୍ୟବାଣ ସବୁ ସେଇଥିପାଇଁ । ତା’ର ଖୁବ୍ ରାଗ ହେଉଥିଲା ସେ ମହିଳା ସମିତିବାଲାଙ୍କ ଉପରେ, ସବୁ କେଳେଙ୍କାରୀର ମୂଳ କାରଣ ସେଇଠୁ ଆରମ୍ଭ । କେତେ ସୁନ୍ଦର ଭାବରେ ଗାଆଁର ପାଠୁଆ, ଅପାଠୁଆ ସବୁ ମାଇପି ମାନେ ନିଜ ନିଜର ଘରକରଣା ସମ୍ଭାଳି କେତେ ଆନନ୍ଦରେ ଥିଲେ,ଏଇ ଚୌଧୁରୀ ଘର ସହରୀ ପାଠ ପଢୁଆ ବୋହୁ ନନ୍ଦିନୀଟା ଆସି ସମସ୍ତଙ୍କୁ ଖରାପ କରିଦେଲା । ଚୌଧୁରୀଏ ବଡ ଲୋକ ବୋଲି ବୋହୁକୁ ଟିକେ ଅଧିକ ସ୍ୱାଧୀନତା ଦେଇଛନ୍ତି । ସେଇ ସ୍ୱାଧୀନତା ପାଇ ସିଏ ପନ୍ଦର ଠାରୁ ପଚସ୍ତରୀ ବର୍ଷ ଯାଏଁ ସ୍ତ୍ରୀ ଲୋକଙ୍କୁ ମେଳ କରି ଗୋଟାଏ ନାଟ ଲଗାଇଛି। ସଞ୍ଜ ବେଳକୁ ସମସ୍ତଙ୍କୁ ତାଙ୍କ ଘରେ ବସେଇ ସଭା ସମିତି କରୁଛି । ଗାଆଁ , ସହର, ଦେଶ ବିଦେଶର ସବୁ ଖବର ଶୁଣୋଉଛି, କାହାକୁ ସିଲେଇ ତ କାହାକୁ ମାଟି କଣ୍ଢେଇ, କାଠ କଣ୍ଢେଇ, ତୁଳା କଣ୍ଢେଇ ଗଢିବା ଶିଖାଉଛି । ତା’ ସ୍ୱାମୀ ଶୁଭଙ୍କର ଚୌଧୁରୀଙ୍କର ଗେହ୍ଲା ପୁଅ, ସିଏ କୁଆଡେ ବିଦେଶରେ ରହି ଗ୍ରାମ୍ୟ ଉନ୍ନୟନର ପାଠ ପଢି ଗାଆଁ କୁ ଆସିଛି ଗାଆଁର ଉନ୍ନତି କରିବାକୁ ।


ଉନ୍ନତି ନା ଚୋପା? ସାଆନ୍ତ ଘର ପୁଅ, ଟୋକା ଟାକଳିଆ ମାନଙ୍କୁ ଏକାଠି କରି ହରିଜନ ସାହିରେ ପଶି ଝାଡୁ କରୁଛି, ସେଇଟା କୁଆଡେ ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଅଭିଯାନ ବୋଲି କହୁଛି। ଖାଲି ସେତିକି ନୁହଁ, ଗାଆଁ ରେ ମୂଲ ଲାଗୁଥିବା ପିଲାମାନଙ୍କୁ ନେଇ ସହରରେ ବିଭିନ୍ନ ପ୍ରକାରର ଧନ୍ଦାମୂଳକ ଶିକ୍ଷା ଦେଇ ଆତ୍ମନିର୍ଭରଶୀଳ କରାଉଛି ଯେ ମୂଲିଆଟିଏ ପାଇଁ ଗାଆଁ ଲୋକେ ବାର ଅବସ୍ଥା ହେଉଛନ୍ତି । ଚୌଧୁରୀ ଘର ପୁଅ ବୋହୁ ହଳକ ଏ ଗାଆଁକୁ କୁଆଡେ ସରଗ କରି ଦେବେ ବୋଲି କହୁଛନ୍ତି । ଆଉ କୂଅ ମୂଳେ କି ଗାଧୁଆ ତୁଠରେ କି ଗାଁ ପଡିଆରେ ନିତ୍ୟକର୍ମ କଲାବେଳେ ସଭା ବସୁନାହିଁ ମାଇପି ମାନଙ୍କର, ଯିଏ ଯାହାର କାମ ଧନ୍ଦା ସାରି ଏକାଠି ହେଉଛନ୍ତି ଚୌଧୁରୀ ଘର ଅଗଣାରେ ଥିବା କୋଠଘରେ । ସେଇଠି ଢିଙ୍କିଶାଳ ଠାରୁ ଆରମ୍ଭ କରି ଢେଙ୍କାନାଳ ଯାଏଁ ଗପ ମେଲୁଛନ୍ତି ମାଇପି ଦଳ ମହିଳା ସମିତି ଗଢି। ଦେଶବିଦେଶର କୌଣସି ଖବର ଆଉ ଅଜଣା ହୋଇ ରହିନାହିଁ ସେମାନଙ୍କ ପାଖରେ। ଏବେ ନିକଟରେ ନିର୍ବାଚନ ଫଳାଫଳ ଘୋଷଣା ହୋଇଛି।


 ସୁଲୋଚନାଙ୍କ ଆଜିର ଏଇ ମହାଭାରତର ଆଦ୍ୟ କାଣ୍ଡଟି ଏଇଥି ପାଇଁ । ମହିଳା ସମିତିରେ ନିଶ୍ଚୟ ଆଲୋଚନା ହୋଇଥିବ ଯେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ନିର୍ବାଚନ ଜିଣି ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି ଆଉ ତା’ ସହିତ ତାଙ୍କର ବାଲ୍ୟ ଜୀବନ, ତାଙ୍କର ଅତୀତର ଘଟଣାବଳୀ ନିଶ୍ଚୟ ଆଲୋଚନା କରିଥିବ ନନ୍ଦିନୀ । ନରେନ୍ଦ୍ର ମୋଦି ଯେ ଅତୀତରେ ଜଣେ ଚାହା ଦୋକାନୀ ଥିଲେ ସେ କଥା ସେଇଠୁ ଜାଣିଥିବ ସୁଲୋଚନା । ଆଉ ସାଙ୍ଗେ ସାଙ୍ଗେ ତୁଳନା କରି ପକେଇଥିବ ନିଜର ସ୍ୱାମୀ ନରହରି ସାଥିରେ । ସ୍ତ୍ରୀ ଲୋକ ମାତ୍ରେ ପରା ସେମିତି । କାହାର କ’ଣ ଅଛି ଆଉ ମୋର ନାହିଁ, ସେଇ କଥାଟା ମୋଟେ ହଜମ କରି ପାରିବେନି । ସେଇଟା ସମ୍ଭବ କି ଅସମ୍ଭବ, ଠିକ୍ କି ଭୁଲ୍ ସେ କଥା ମୋଟେ ଚିନ୍ତା କରିବେ ନାହିଁ, ତୁଚ୍ଛା ଟାରେ ଭଲ ଘରେ ଅଶାନ୍ତି ସୃଷ୍ଟି କରିବେ । ନରହରି ମୁଣ୍ଡରେ ତେନ୍ତୁଳିଆ ବିଛା କାମୁଡିଲା, କ’ଣ କରିବ? କେମିତି ବୁଝେଇବ ସୁଲୋଚନାକୁ ଯେ ସବୁ ଚାହା ଦୋକାନୀ ନରେନ୍ଦ୍ର ମୋଦି ହୋଇ ପାରନ୍ତି ନାହିଁ, କି ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି ନାହିଁ । ସୁଲୋଚନା ନ ବୁଝି ପାରିଲେ ତା’ର ପନ୍ଦର ବର୍ଷର ସୁଖୀ ସଂସାର ଉଜୁଡ଼ି ଯିବ । ସନ୍ତିଆକୁ ପାଠ ପଢେଇ ବଡ ମଣିଷଟିଏ କରିବାର ସ୍ୱପ୍ନ ତାଙ୍କର ଧୂଳିସାତ୍ ହୋଇଯିବ । କ’ଣ କରିବ, କ’ଣ କରିବ ବୋଲି ଭାବି ଭାବି ବାଟ ପାଇଲାନି ନରହରି । ସୁଲୋଚନା ସିନା ଟିକିଏ ମୁଖରା ହେଲେ ତା’ ଭଳିଆ ଘରଣୀଟିଏ ମିଳିବା କଷ୍ଟ । ସକାଳୁ ସଞ୍ଜ ଯାଏଁ ନିରନ୍ତର ଖଟୁଥିବ, ସୁଖ ଦୁଃଖ ସବୁ ସମ୍ଭାଳିବ, ମୁହଁ ଟା ସିନା ଖର ହେଲେ ଅନ୍ତର ଟି ଏକବାର ନରମ। ତା’ର କି ସନ୍ତିଆର ଦେହ ମୁଣ୍ଡ କିଛି ଟିକିଏ ଖରାପ ହେଲେ ଦିନରାତି ସେଇ ବିଛଣା ପାଖରେ ଜଗିବସି ସେବା ଶୁଶ୍ରୁଷା କରୁଥିବ । କେବେ ହେଲେ କିଛି ଦାବୀ କରେ ନାହିଁ ସୁଲୋଚନା, ଯାହା ଦେଲେ ଖାଇ ପିନ୍ଧି ସୁଖରେ ଥାଏ। ଅର୍ଥ ଅଭାବରୁ ପଞ୍ଚମ ଶ୍ରେଣୀ ପରେ ଆଉ ପାଠ ନପଢି ବାପର ଏଇ ଚାଳିଆ ଦୋକାନରେ ଚାହା ଜଳଖିଆ ବେପାରରେ ସାହାଯ୍ୟ କରିଥିଲା ନରହରି । ବାପ ଗଲା ପରେ ଆଉ ଅନ୍ୟ ବ୍ୟବସାୟ ନକରି ସେଇ ଚାଳିଆ ଦୋକାନକୁ ପକ୍କା ଘର କରି ବେପାର କଲା ସେ।

ସକାଳେ ସଞ୍ଜରେ ଲୋକମାନେ ଆସନ୍ତି, ତା’ ଦୋକାନ ଆଗରେ ପଡିଥିବା ବେଞ୍ଚରେ ବସି ଚାହା ପିଉ ପିଉ ସମ୍ବାଦପତ୍ର ପଢାପଢି କରି ଆଲୋଚନା କରନ୍ତି, ହେଲେ ନରହରିର ସମୟ କିମ୍ବା ଆଗ୍ରହ ନଥାଏ ସେଥିପାଇଁ । ସିଏ ତା’ର କାମରେ ଲାଗି ଥାଏ, ଖଟିଲେ ସିନା ଦି’ ପଇସା ହାତକୁ ଆସିବ? ଗପସପରୁ କ’ଣ ମିଳିବ? ବେପାର ଭଲ ତ ସିଏ ଭଲ , ଏଇ ଧ୍ୟାନରେ ଥାଏ ସେ। ବାହାସାହା ହେଲା ପରେ ସଂସାର ବଢିଲା, ଖର୍ଚ୍ଚ ବଢିଲା, ଟାଣଟୁଣ କରି କୌଣସିମତେ ସଂସାରଟା ଚଳିଯାଏ ସିନା ପୁଅ ସନ୍ତୋଷର ଭବିଷ୍ୟତ ତା’କୁ ଚାହା ଡେକଚିରୁ ଉଠୁଥିବା ବାଷ୍ପ ଭଳି ଧୂଆଁଳିଆ ଦିଶେ । ତା’ରି ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ସେ ସବୁ କିଛି ଭୂଲିଯାଇ ଖାଲି ବେପାର କଥାଟି ମନରେ ରଖିଥାଏ । ହେଲେ ଆଜି ସୁଲୋଚନାର କଥା ଗୁଡିକ ଶୁଣିବା ପରେ ସେ ଭାବୁଥିଲା ସତରେ ତ ! ଜୀବନରେ ସେ କରିଛି କ’ଣ ? କେତେ ସୁଖ ଦେଇ ପାରିଛି ସେ ତା’ର ସ୍ତ୍ରୀ ଆଉ ପୁଅକୁ? ଏମିତି ଦୁଃଖରେ ଦୁଃଖରେ ଜୀବନଟା କଟିଗଲା କିନ୍ତୁ ସୁଲୋଚନା ପାଖରେ ଥିବାରୁ ଏତେ କଷ୍ଟ ଜଣା ପଡିଲାନି । ସୁଲୋଚନା ଯଦି ରାଗି ମାଗି ଘର ଛାଡି ଚାଲିଯିବ , ତେବେ ସେ କ’ଣ କରିବ । ମୁହଁ ଫୁଲାଫୁଲି ହୋଇ ଦିହେଁ ସେମିତି ଉପାସରେ ଶୋଇଲେ ସାରାରାତି । ସକାଳୁ ଉଠି ଯଥାରୀତି ଦୋକାନକୁ ଚାଲିଗଲା ନରହରି । ମନଟା ଭଲ ଲାଗୁନଥାଏ । ସେଦିନ ସକାଳୁ ବୁଢା ଚୌଧୁରୀଏ କୁଆଡେ ଯାଇଥିଲେ କେଜାଣି ଚାଲ ଚାଲ ହୋଇ ତା’ ଦୋକାନ ଆଡକୁ ଆସିଲେ । ଚୌଧୁରୀ ସାଆନ୍ତଙ୍କୁ ଦେଖି ତରବର ହୋଇ ଦୋକାନ ଆଗରେ ପଡିଥିବା ବେଞ୍ଚଟିକୁ ନିଜ କାନ୍ଧରେ ପଡିଥିବା ଗାମୁଛାଟି କାଢି ପୋଛି ପକାଇଲା ନରହରି । ଚୌଧୁରୀ ସାଆନ୍ତେ ଦେବ ତୁଲ୍ୟ ଲୋକ । ତାଙ୍କର ଜମିଦାରି ଥିଲାବେଳେ କେତେ ଦୁଃଖୀରଙ୍କିଙ୍କୁ ସାହାଯ୍ୟ କରୁଥିଲେ ସିଏ। ଗାଆଁରେ କାହାର ବିପଦ ଆପଦ ପଡିଲେ ଆଗ ଯାଇ ହାଜର ହେଉଥିଲେ, ସମସ୍ତଙ୍କୁ ନିଜର ପରିବାର ଭଳି ଦେଖୁଥିଲେ ଚୌଧୁରୀ ସାଆନ୍ତେ। ଆଜି ସକାଳଟାରୁ ନରହରି ମୁହଁର ବିଷାଦ ଲୁଚି ପାରିନଥିଲା ତାଙ୍କ ଅନୁଭବୀ ଆଖିରୁ। ପଚାରିଲେ “ କ’ଣ ହୋଇଛି କିରେ ବାପା? ବୋହୁ ସାଙ୍ଗରେ କଳିଗୋଳ ଲାଗିଛୁ କି ବାପା ନରହରି? ତୋ ହସିଲା ମୁହଁଟା କାହିଁକି କାନ୍ଦୁରା ଦିଶୁଛି କିରେ? ନା କାହାର ଦିହମୁଣ୍ଡ ଖରାପ ଅଛି ମ ? ଚୌଧୁରୀ ସାଆନ୍ତଙ୍କ କଅଁଳିଆ କଥାରେ ଛଳ ଛଳ ହୋଇ ଯାଇଥିଲା ନରହରିର ଆଖି । କାଲି ରାତିର ଘଟଣା ଆଉ ତା’ ସହିତ ସୁଲୋଚନା କହିଥିବା ଖୁଞ୍ଚାଣିଆ କଥା ଗୁଡିକ କେମିତି ତା’ ଦେହରେ ଛୁଞ୍ଚି ହୋଇ ଫୋଡି ହୋଇ ଯାଉଛି, ସେକଥା ସେ ଜଣାଇଲା ଚୌଧୁରୀ ସାଆନ୍ତଙ୍କୁ । 


ସବୁ ଶୁଣି ସାରି ହୋ, ହୋ, ହୋଇ ହସି ଉଠିଲେ ଚୌଧୁରୀ ସାଆନ୍ତେ । କହିଲେ “ ଓଃ ! ବୋହୂର ଏଇ କଥାକୁ ତୁ ଦିହକୁ ନେଇ ଏତେ ଦୁଃଖ ପାଉଛୁ ? ଆରେ ପାଗଳା ! ତୁ ପରା ଅଣ୍ଡିରିପୁଅ ! ଛାର ସ୍ତ୍ରୀ କଥାରେ ଏମିତି ଭାଙ୍ଗି ପଡିଲେ ଘର କରିବୁ କେମିତି? ଆରେ, ସବୁ ରୋଗକୁ ଔଷଦ ଅଛି, ଧୈର୍ଯ୍ୟ ଚ୍ୟୁତ ନହୋଇ ବୁଝି ବିଚାରି କାମ କଲେ ତୁ ଜିତିବୁ ସିନା “। ନରହରି ଭକୁଆ ହୋଇ ଚାହିଁ ରହିଥିଲା ଚୌଧୁରୀ ସାଆନ୍ତଙ୍କୁ । ହସ ବନ୍ଦ କରି ଚୌଧୁରୀ ସାଆନ୍ତେ ତା’ କାନ୍ଧରେ ହାତ ପକାଇ ବେଞ୍ଚରେ ନିଜ ପାଖକୁ ଟାଣି ବସାଇ ଦେଲେ ତା’କୁ । ଧୀରେ ଧୀରେ ତା’ କାନ୍ଧରେ ପାଖକୁ ନିଜ ମୁହଁ ଲଗାଇ କହିଲେ “ ଆରେ ବାବୁ ରେ, ମୋ କଥା ମନ ଦେଇ ଶୁଣ , ମୁଁ ଯାହା କହିବି ଗୁରୁମନ୍ତ୍ର ଭଳି ମନେ ରଖିବୁ ଆଉ ସେଇ ଅନୁସାରେ କାମ କରିବୁ । ଦେଖିବୁ, ସବୁ ଆପେ ଆପେ ଠିକ୍ ହୋଇଯିବ । ଦେଖ୍ , ତୁ ଆଜି ସଞ୍ଜ ବେଳକୁ ଘରକୁ ଯାଇ ବୋହୂକୁ ସ୍ନେହରେ ଡାକିବୁ, କହିବୁ” ମୁଁ ଆଜି ଜଣେ ସାଧୁଙ୍କ ପାଖକୁ ଯାଇଥିଲି। ତାଙ୍କ ପାଖରୁ ପ୍ରଧାନମନ୍ତ୍ରୀ ହେବାର ମନ୍ତ୍ର ଆଉ ଗୋଟିଏ ସରଳ ଉପାୟ ବୁଝି ଆସିଛି । ସେଇ ଉପାୟ କଲେ ଅଳ୍ପ କିଛି ଦିନ ମଧ୍ୟରେ ମୁଁ ନିଶ୍ଚୟ ପ୍ରଧାନମନ୍ତ୍ରୀ ନହେଲେ ବି ତାଙ୍କରି ଭଳି ବଡ ନେତା ଟିଏ ହେବି, ସବୁ ଲୋକ ମୋର ଜୟ ଜୟକାର କରିବେ । ସାଧୁ ମତେ କହିଲେ ନରେନ୍ଦ୍ର ମୋଦି ତାଙ୍କର ଆଦ୍ୟ ଯୌବନରେ ବିବାହ କରିଥିଲେ, ମାତ୍ର ସେ ସଂସାର କରି ନାହାଁନ୍ତି, ବିବାହର ଅଳ୍ପ ଦିନ ମଧ୍ୟରେ ସେ ତାଙ୍କର ପତ୍ନୀ ଶ୍ରୀମତୀ ଯଶୋଦାବେନ୍ ଙ୍କୁ ଏକା ଛାଡିଦେଇ ହିମାଳୟକୁ ଯାଇ ତପସ୍ୟା କରିଥିଲେ, ସେଇଠି ସିଦ୍ଧି ଲାଭ କରି ଆଉ ଘରକୁ ଫେରି ନଥିଲେ, ସିଧା ଆଶ୍ରମକୁ ଯାଇ ଗୈରିକ ବସନ ଧାରଣ କରି ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘରେ ଯୋଗଦାନ କରି ତାଙ୍କର କର୍ମଯଜ୍ଞ ଆରମ୍ଭ କରିଥିଲେ । ସେଇ ଦିନଠାରୁ ସେ ଆଉ ଯଶୋଦାବେନ୍ ଙ୍କ ପାଖକୁ ଫେରି ନାହାଁନ୍ତି କି ତାଙ୍କ ସହିତ କୌଣସି ପ୍ରକାର ସଂପର୍କ ରଖି ନାହାଁନ୍ତି,କେବଳ ରାଷ୍ଟ୍ର ପାଇଁ କାର୍ଯ୍ୟ କରି ଚାଲିଛନ୍ତି, ତେଣୁ ଆଜି ସେ ଜଣେ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ହୋଇ ପାରିଛନ୍ତି “ । ମୁଁ ବି ଭାବିଛି ସେଇଆ କରିବି ।ତେଣୁ ଆଜି ମୁଁ ସ୍ଥିର କରିଛି ଯେ ଆଗ ତୁମକୁ ଓ ସନ୍ତୋଷକୁ ନେଇ ତୁମ ବାପଘରେ ଛାଡିଦେବି ଆଉ ହିମାଳୟକୁ ଚାଲିଯିବି ତପସ୍ୟା କରିବାକୁ । ସେଇଠି ସିଦ୍ଧି ଲାଭ କରି ଫେରିଲେ ବାକୀ ଯାହା ହେବ ଦେଖାଯିବ “। ଆଉ ଅଧିକ କିଛି କହିବୁନି ରେ ବାପ । କହିଲେ ଫସିବୁ। ଗୁରୁ ମନ୍ତ୍ରଟି ଦେଇ ସାରି ହସି ହସି ଘରକୁ ଫେରିଗଲେ ଚୌଧୁରୀ ସାଆନ୍ତେ ।

ସଞ୍ଜବେଳକୁ ଦୋକାନ ବନ୍ଦ କରି ନରହରି ଫେରିଲା ଘରକୁ । ଗୋଡ ହାତ ଧୁଆଧୋଇ କରି ଅତି ସରାଗରେ ପତ୍ନୀକୁ ଡାକି ସାଉଁଳେଇ ହୋଇ ଗୁରୁମନ୍ତ୍ରଟି କହିଲା ଆଉ ପତ୍ନୀର ଉତ୍ତରକୁ ଅପେକ୍ଷା ନକରି ଖଟ ଉପରେ ଶୋଇପଡିଲା। ମିଛରେ ଆଖି ବନ୍ଦ କରି ପଡିଥାଏ ସେମିତି । ରାତି ଅଧ ସରିକି ହେବ , ନିଜ ଗୋଡ ଉପରେ ସୁଲୋଚନାଙ୍କର ମୃଦୁ ଚାପ ଆଉ ନାକ ସୁଁ ସୁଁ ଶବ୍ଦରେ ଭିଡି ମୋଡି ହୋଇ କଡ ଲେଉଟାଇଲା ନରହରି । ସୁଲୋଚନା କଇଁ କଇଁ ହୋଇ କାନ୍ଦି କାନ୍ଦି ଲୋଟି ପଡିଲା ତା’ର ଛାତିରେ ଆଉ କହିଲା “ ହେଇଟି, ଶୁଣୁଛ ଟି ! ତମକୁ ମୋ’ ରାଣ ,ଆଉ ଦିନେ ହେଲେ ସେମିତି ଅଲକ୍ଷଣା କଥା ଗୁଡିକ ମନକୁ ଆଣିବନି । ପୋଡିଯାଉ ସେ ନରେନ୍ଦ୍ର ମୋଦି, ପୋଡି ଯାଉ ସେ ପ୍ରଧାନମନ୍ତ୍ରୀ ପଣିଆ । ମୋର କିଛି ଲୋଡାନାହିଁ । ମୁଁ ପୋଡାମୁହୀଁ, ଚଣ୍ଡାଳୁଣୀ ଟା କାହିଁକି ସେ କଥା କହୁଥିଲି ଟି। ପୋଡିଯାଉ ମୋ ତୁଣ୍ଡ । ହେଇଟି, ତମ ଗୋଡ ତଳେ ପଡୁଛି, ତମକୁ ନେହୁରା ହେଉଛି, ମତେ ମାଫ୍ କରିଦିଅ । ହେଇ ଦେଖ ତମରି ଆଗରେ ମୋ ଦୁଇ କାନ ମୋଡି ହୋଇ ଦୁଇ ଗାଲରେ ଜାବୁଡା ଖାଉଛି, ଆଉ ଦିନେ ହେଲେ ତମକୁ ସେ ନରେନ୍ଦ୍ର ମୋଦି କଥା କହିବିନି । ମୋ ସୁନାଟା ପରା , ମୋ ଧନ ଟା ପରା, ଏଇ ଥରକ ମତେ କ୍ଷମା କରିଦିଅ । 


ମୋର ସବୁ ଭୁଲ୍ ମୁଁ ମାନି ନେଉଛି । ହେଲେ ମୋତେ ଆଉ ସନ୍ତିଆକୁ ଛାଡି ତୁମେ କୁଆଡେ ଯିବା ଦରକାର ନାହିଁ । ଆମର ସେଇ ଚାହା ଦୋକାନ ଭଲ। ସେଇଥିରେ ଆମେ ଭଲରେ ଚଳିବା । ଭଲରେ ରହିବା । ମୋର ଆଉ କିଛି ଦରକାର ନାହିଁ, ତମେ ମୋର ସ୍ୱର୍ଗ ତମେ ମୋର ସୁଖ, ତମେ ମୋର ପ୍ରଧାନମନ୍ତ୍ରୀ, ତମେ ସବୁ। ନିଜ ପେଟ ଭିତରୁ ଉଠି ଆସୁଥିବା ହାବୁକା ହାବୁକା ହସକୁ ଚାପି ରଖି ନରହରି ଚୌଧୁରୀ ସାଆନ୍ତଙ୍କୁ ମନେମନେ ପ୍ରଣାମ ଜଣାଉଥିଲା ।।


Rate this content
Log in

Similar oriya story from Drama