ଗ୍ରୀଷ୍ମାଗମନେ ମହାଲକ୍ଷ୍ମୀ ବିଜେ
ଗ୍ରୀଷ୍ମାଗମନେ ମହାଲକ୍ଷ୍ମୀ ବିଜେ
ଗ୍ରୀଷ୍ମ ଋତୁର ଆଗମନରେ ମନ ଦୁଃଖ ହୁଏ କାରଣ ଅତ୍ଯଧିକ ଗ୍ରୀଷ୍ମ ପ୍ରବାହରେ ଜନ ଜୀବନ ଅସ୍ତବ୍ଯସ୍ତ ହୋଇଯାଏ। ପରିବେଶ ସୂର୍ଯ୍ୟଙ୍କ ଉତ୍ତପ୍ତ କିରଣରେ ଭୀଷଣ ଉଷ୍ମ ହୋଇଯାଏ ଏବଂ ଚାରିଆଡେ ଅଗ୍ନିକାଣ୍ଡ ହେବା ସହିତ ଆକାଶମଣ୍ଡଳରୁ ଅଗ୍ନିବର୍ଷା ହେବାପରି ଅନୁଭବ ହୁଏ। ଇଛ୍ଛା କରି ବି ମଣିଷ, ଜୀବଜନ୍ତୁ ବାହାରକୁ ବାହାରି ପାରନ୍ତି ନାହିଁ। ପ୍ରକୃତିର ବାତାବରଣ ସୁଷ୍କ ହୋଇଯାଏ। ଅସହ୍ଯ ନିଦାଘ ଯୋଗୁ ଗଛ ପତ୍ର ଜଳିଯାଏ, ଜଙ୍ଗଲରେ ନିଆଁ ଲାଗି ବନ୍ଯଜନ୍ତୁ ଜଳିପୋଡି ପ୍ରାଣ ହରାଇଥାନ୍ତି। ଏହିକଥା ଭାବି ଭାବି ରିଙ୍କୁ ବିବ୍ରତ।
ରିଙ୍କୁର ବୋର୍ଡ ପରୀକ୍ଷା ସରିଯାଇଛି, ରେଜଲ୍ଟ ବି ପ୍ରକାଶ ପାଇସାରିଛି। ସେ ଏବେ ପ୍ଲସ ଟୁ ଫାଷ୍ଟ ଇୟର ବିଜ୍ଞାନର ଛାତ୍ର। ମନରେ ଅନେକ ଆଶା ଉଦ୍ଦୀପନା ଡକ୍ଟର ବନିବାକୁ ହେଲେ ବାୟୋଲୋଜି ପଢ଼ିବାକୁ ହୁଏ। ସେଥିପାଇଁ ବହୁତ ବହୁତ ପଢ଼ିବାକୁ ପଡିବ। କିନ୍ତୁ ଏବେ ଗ୍ରୀଷ୍ମ ଛୁଟି ପଡିଯିବ, ସେ ଗାଆଁକୁ ଯିବ ନା ସହରରେ ରହି ଅଧିକ ପଢାପଢିରେ ଧ୍ୟାନ ଦେବ! ଏହିଭଳି ଏକ ଦ୍ବନ୍ଦ ଭିତରେ ସେ ବ୍ଯତିବ୍ଯସ୍ତ। ଠିକ୍ ଏତିକି ବେଳେ ଡାକବାଲା ଚିଠିଟିଏ ଆଣି ଦେଇଗଲା। ଚିଠିଟି ତା ସାଙ୍ଗ ମୁନା ଗାଆଁରୁ ତା ପାଇଁ ଲେଖିଛି। ଚୈତ୍ର ମାସର ଶେଷ ବୈଶାଖର ପ୍ରାରମ୍ଭ। ଏହି ସମୟରେ ଗାଆଁରେ ଅନେକ ପର୍ବ ପର୍ବାଣୀ ପଡିଥାଏ। ହିନ୍ଦୁ ନବବର୍ଷ, ହନୁମାନ ଜୟନ୍ତୀ, ଓଡିଆ ନୂଆବର୍ଷ, ପଣା ସଂକ୍ରାନ୍ତି, ପାଟୁଆ ଯାତ୍ରା, ବିଷୁବମିଳନ, ସୁଦଶା ବ୍ରତ ଏମିତି ଅନେକ କିଛି। ଏଥର ଗାଆଁକୁ ଆସିଲେ ଦୁହେଁ ଛୁଟି ବିତେଇବା ପାଇଁ ପିକନିକ ଚିଲିକାରେ କରିବେ ବୋଲି ସେ ଲେଖିଛି। ତା ସହିତ ଏଥର ସୁଦଶା ବ୍ରତ କିପରି ପାଳନ କରିଛି ଗାଆଁରେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଲେଖିଛି ଚିଠିରେ -
ଓଡିଶା ଐତିହ୍ଯ ସମ୍ପର୍ଣ୍ଣ ସଂସ୍କୃତି ଓ ପରମ୍ପରାର ରାଜ୍ଯ। ଏଠାରେ ବାରମାସରେ ତେର ପର୍ବ ପାଳିତ ହୋଇଥାଏ। ଶୁକ୍ଳ ପକ୍ଷ ଦଶମୀ ତିଥି ଗୁରୁବାର ଦିନ ସୁଦଶା ବ୍ରତ ପାଳନ କରାଯାଏ। ଏହି ବ୍ରତ ଉପାସନାରେ ଦଶ ପାଖୁଡ଼ା ପଦ୍ମ, ଦଶବର୍ଣ୍ଣ ମୁରୁଜ, ଦଶମୁଖୀ ଦୀପ, ଦଶମୁଠି ଚାଉଳ, ଦଶଗୋଟି କଦଳୀ, ଦଶଗୋଟି ମଣ୍ଡା ପିଠା ସହିତ ଲକ୍ଷ୍ମୀଙ୍କ ପ୍ରତୀକ ରୂପେ ଲକ୍ଷ୍ମୀଙ୍କ ଦଶନାମ ଯଥା - ଲକ୍ଷ୍ମୀନାରାୟଣୀ, କମଳିନୀ, ଶ୍ରୀହରିପ୍ରିୟା, ପଦ୍ମାଳୟା, କମଳା, ଚଞ୍ଚଳା, ସିନ୍ଧୁର ଦୁଲ୍ଲଣୀ, ଦୁର୍ଗତି, ବିଷ୍ଣୁ ପାଟରାଣୀ, ବିଘ୍ନସେନୀ, ସ୍ମରଣ କରି ବ୍ରତ ପାଳନ କରାଯାଏ। ଏଥି ସହିତ ଦଶଖିଅ "ଧଳାସୁତାର ବ୍ରତ" ଆସନ୍ତା ସୁଦଶା ବ୍ରତ ପର୍ଯ୍ୟନ୍ତ ନାରୀମାନେ ବାହୁରେ ଧାରଣ କରିଥାନ୍ତି। ଏହି ବ୍ରତ ବାନ୍ଧିବା ସମୟରେ ଦଶଟି ଗଣ୍ଠି ମାଆ ଲକ୍ଷ୍ମୀଙ୍କୁ ସ୍ମରଣ କରି ପକାଯାଇଥାଏ। ସୁଦଶାବ୍ରତ କଥାରେ ଏହି ଦଶଟି ଗଣ୍ଠି ସମ୍ବନ୍ଧୀତ ସୁନ୍ଦର ବର୍ଣନା କରାଯାଇଛି :-
ପ୍ରଥମ ଗଣ୍ଠିର ନାମ ଲକ୍ଷ୍ମୀନାରାୟଣୀ।
ଦ୍ୱିତୀୟ ଗଣ୍ଠିର ନାମ ହେଲା କମଳିନୀ।।
ତୃତୀୟ ଗଣ୍ଠିର ନାମ ଶ୍ରୀହରିପ୍ରିୟା।
ଚତୁର୍ଥ ଗଣ୍ଠିର ନାମ ଅଟେ ପଦ୍ମାଳୟା।।
ପଞ୍ଚମ ଗଣ୍ଠିର ନାମ ଅଟଇ କମଳା।
ଷଷ୍ଠ ଗଣ୍ଠିର ନାମ ହୋଇଲା ଚଞ୍ଚଳା।।
ସପ୍ତମ ଗଣ୍ଠିର ନାମ ଅଟେ ବିଘ୍ନସେନୀ।
ଅଷ୍ଟମ ଗଣ୍ଠିର ନାମ ସିନ୍ଧୁର ଦୁଲଣୀ।।
ନବମ ଗଣ୍ଠିର ନାମ ଦୁର୍ଗତିନାଶିନୀ।
ଦଶମ ଗଣ୍ଠିର ନାମ ବିଷ୍ଣୁପାଟରାଣୀ।।
ଏହି ଦିନ ସକାଳୁ ନାରୀମାନେ ଘର ଦ୍ୱାର ଗୋବରରେ ଲିପା ପୋଛା କରି ଓ ଝୋଟି ଚିତା ପକାଇଥାନ୍ତି। ମାଆ ଲକ୍ଷ୍ମୀ ଶୁଦ୍ଧ ପରିବେଶ ସହିତ ଶ୍ରଦ୍ଧାବାନ ବ୍ଯକ୍ତିତ୍ବକୁ ଭଲ ପାଆନ୍ତି। ପୁରାଣରେ ଲିଖିତ ଅଛି, ଶାନ୍ତ ସରଳ ସ୍ଵଭାବର ଗାଈମାନଙ୍କୁ ମାଆ ଲକ୍ଷ୍ମୀ ବରଦାନ କରିଥିଲେ। ଗାଈମାନଙ୍କର ଗୋବର ପବିତ୍ର ଓ ସମୃଦ୍ଧିବନ୍ତ। ଯେଉଁ ସ୍ଥାନ ଗୋବରରେ ଲିପା ପୋଛା ହୋଇଥାଏ, ତାହା ପ୍ଶୁରଦୂଷଣ ମୁକ୍ତ ହେବା ସହିତ କୀଟ ପତଙ୍ଗ ସେଠାକୁ ଆସନ୍ଚିତି ନାହିଁ ଓ ସେ ସ୍ଥାନ ଶୁଚିବନ୍ତ ଏବଂ ସେଠାରେ ମାଆ ମହାଲକ୍ଷ୍ମୀ ବିଜେ ହୁଅନ୍ତି। ଶ୍ରୀୟା ଚଣ୍ଡାଳୁଣୀର ପରିସ୍କାର ପରିଚ୍ଛନ୍ନତା ଓ ଶୁଚିମନ୍ତ ଆଚରଣରେ ମାଆ ମହାଲକ୍ଷ୍ମୀ ଅତ୍ୟନ୍ତ ପ୍ରୀତ ହୋଇ ଆଶୀର୍ବାଦ ପ୍ରଦାନ କରିଥିଲେ।
ପୁରାଣ ଅନୁସାର, ଜଣେ ବିଧବା ବ୍ରାହ୍ମଣୀ ନଦୀରୁ ଜଳ ଆଣିବା ସମୟରେ ନିଜ ବ୍ରତଟିକୁ ହରାଇ ବିକଳ ଭାବେ କ୍ରନ୍ଦନ କରୁଥିବା ବେଳେ ନଳ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବଦ୍ଧ ହୋଇ ନିଜ ରାଣୀଙ୍କଠାରୁ ବ୍ରତ ଆଣି ବ୍ରାହ୍ମଣୀଙ୍କୁ ଦେଛନ୍ତି । ବ୍ରତଟି ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥିବାରୁ ବ୍ରତଦାନ କଲେ ଲକ୍ଷ୍ମୀଛଡ଼ା ହେବାର କଥିତ ଥିବାରୁ ରାଣୀ ଅତ୍ୟନ୍ତ କୁଣ୍ଠାର ସହ ବ୍ରତଟିକୁ ଦେଇଥିଲେ। ବ୍ରତଦାନ ପରେ ତାଙ୍କର ସବୁ ସମ୍ପଦ, ସୁଖ, ଐଶ୍ୱର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀଛଡ଼ା ଓ ଶ୍ରୀହୀନ ହୋଇ ପଡ଼ିଛନ୍ତି। ଅନେକ ଦୁଃଖ ଦୁର୍ଦ୍ଦଶା ଭୋଗ କଲାପରେ ରାଣୀ ପୁନଶ୍ଚ ଯଥାବିଧି ଅନୁସାର ସୁଦଶା ବ୍ରତ ପାଳନ କରିବାପରେ ସେମାନଙ୍କର ସମସ୍ତ ଅପହୃତ ସୁଖ ସୌଭାଗ୍ୟ ଫେରି ଆସିଛି। ଏହାହିଁ ବ୍ରତ ପାଳନ କରିବା ଦ୍ବାରା ସମ୍ଭବ ହୋଇପାରିଛି। ମାତା ଲକ୍ଷ୍ମୀ ହେଉଛନ୍ତି ଧନ, ସମ୍ପତ୍ତି, ସୁଖ ସମୃଦ୍ଧିର ଦେବୀ; ମାଆ ଲକ୍ଷ୍ମୀଙ୍କୁ ସଶ୍ରଦ୍ଧ ପୂଜା ଆରାଧନା କଲେ ଐଶ୍ଵର୍ଯ୍ୟ ପ୍ରାପ୍ତ ହୁଏ।
ଓଡ଼ିଶାର ସୁନାମଧନ୍ଯ ଋଷି ପ୍ରତିମ ପଞ୍ଚସଖା - ବଳରାମ, ଜଗନ୍ନାଥ, ଯଶୋବନ୍ତ, ଅଚ୍ଯୁତ, ଅନନ୍ତଙ୍କ ମଧ୍ଯରୁ ଜ୍ଯୋଷ୍ଠ ବଳରାମ ଦାସଙ୍କ ଦ୍ବାରା ରଚିତ ମହାଲକ୍ଷ୍ମୀ ପୁରାଣରେ ସେ ସମୟରେ ଉଚ୍ଚ ନୀଚ୍ଚ, ଛୋଟ ବଡ, ଜାତିଆଣ ଭାବକୁ ବିରୁଦ୍ଧାଚରଣ କରି ହେଉ ଅଥବା ଏକ ସୁସ୍ଥ ସବଳ ସମାଜ ଗଠନ ପାଇଁ ଆମର କର୍ତ୍ତବ୍ଯନିଷ୍ଠ ପଣିଆକୁ ଆଖିଆଗରେ ରଖି ଦେବା ଦେବୀଙ୍କ ଆରାଧନା ଦ୍ବାରା ମନସ୍ତାତ୍ଵିକ, ଶାରୀରିକ, ଭୌତିକ, ସାମାଜିକ, ଅର୍ଥନୈତିକ ଉନ୍ନତି ତଥା ଶାନ୍ତି ପାଇବାର ପ୍ରଚେଷ୍ଟା ହିଁ ଦର୍ଶାଇଯାଇଛି। ରିଙ୍କୁ ଚିଠିଟି ପଢି ଆନନ୍ଦରେ କାନ୍ଦି ପକାଇଲା। ତାର ମନ ଅଥୟ ହେଉଥାଏ ଗାଆଁକୁ ଯିବାପାଇଁ।
