Satyabati Swain

Inspirational Drama

2  

Satyabati Swain

Inspirational Drama

ଗୋଟିଏ କଅଁଳ ଯୁବ ପ୍ରାଣ

ଗୋଟିଏ କଅଁଳ ଯୁବ ପ୍ରାଣ

6 mins
628


ବିକାଶ ତୁ ଘରକୁ ଯିବୁନି କାଲି ବା ରାକ୍ଷୀ, ପୁଣି ଅଗଷ୍ଟ ପନ୍ଦର,କ୍ଲାସ ସସପେଣ୍ଡ ? ସାଙ୍ଗ ଶକ୍ତିର  ପ୍ରଶ୍ନ ବିଚଳିତ କରୁ ନଥିଲା ତାକୁ----।ଶକ୍ତି ସମେରେନ୍ଦ୍ର ଚୌଧୁରୀଙ୍କ ପୁଅ।ତା ଘର ଏଇ ସି ଡ଼ି ଏ ରେ । ବାପା ତାର ମେୟର। ସେ ଓ ବିକାଶ ଇଷ୍ଟ ହଷ୍ଟେଲ ର୍ ଗୋଟିଏ ରୁମରେ ରୁହନ୍ତି।ଶକ୍ତି ସବୁବେଳେ ଲାଗିଥିବ ବିକାଶ ସଂଗେ। ଓହୋ ତୁ ଏନ ସି ସି ଛାତ୍ର ପରା । କେମିତି ଯିବୁ ଘରକୁ । ଦେଖୁନୁ ମୋ ଘର ଏଇ କଟକରେ ବାଦମାସୀ କଲି ବୋଲି ବାବା ହଷ୍ଟେଲରେ ରଖିଦେଇଛନ୍ତି । ଆମ ହଷ୍ଟେଲ ସୁପରିଟେଣ୍ଡ ବାବାଙ୍କ ସାଙ୍ଗ ମୋତେ ଗୋଡେ ଗୋଟେ ଜଗିଛି । ଟିକିଏ କୁଆଡେ ଗଲେ ଚୁପ୍ କି ଫୋନ୍ କରି ଦେଉଛି ବାବାଙ୍କୁ । ସାଙ୍ଗ ତୋ ଘର ଦୂର ବୋଲି ସିନା ଯାଇ ପାରୁନୁ;ମୋ ଘର ଏଇଠି ହୋଇ ବି ମୁଁ ଯାଇ ପାରୁନି । ମୋ ଭଉଣୀ ଆସିବ ମୋତେ ରାକ୍ଷୀ ବାନ୍ଧିବାକୁ।


   ବିକାଶ ଟା ଭାରି ଚୁପ୍ ଚାପ୍ । କାହା ସଙ୍ଗେ ଏତେ ମିଶେନି । ଏକା ଏକା ରହିବାକୁ ଭଲ ପାଏ । କିନ୍ତୁ ବିଚକ୍ଷଣ ମେଧା ଶକ୍ତି । ପାଠ ସହ ଶାଠରେ ବି ଧୁରନ୍ଧର । ଏଣୁ ପ୍ରେତ୍ୟେକ ପିଲା ତାକୁ ଭଲ ପାଆନ୍ତି,ତା ସହ ସାଙ୍ଗ ହେବାକୁ ଚାହାନ୍ତି । ଅଧ୍ୟାପକ ମାନଙ୍କର ଅତି ଆଦରର ଆଜ୍ଞାବହ ଛାତ୍ର ।


   ଏକ୍ସ ମାସ ଛୁଟିରେ ବି ବିକାଶ ଘରକୁ ଯାଏନା । ଏକା ଏକା ହଷ୍ଟେଲରେ ରହି ଯାଏ । ଯିଏ ଯେତେ ପଚାରିଲେ ବି କିଛି ଉତ୍ତର ଦିଏନି । କେବଳ କୁହେ ଘରକୁ ଗଲେ ପଢାରେ ବାଧା ସୃଷ୍ଟି ହେବ।


     କିନ୍ତୁ ସେ ବାଧାଟି କଣ କେହି ଏଯାଏ ଜାଣିନି । ଘର ପ୍ରତି ତାର ଆସକ୍ତି ସମ୍ପୂର୍ଣ୍ଣ କମ୍ । ବିକାଶ ମନେ ମନେ ହସେ । ତାର କଣ ଘର ଅଛି ସତରେ ? ଅଛନ୍ତି ତାର କେହି ? ବାବା ମା, ଭାଇ ଭଉଣୀ ଆତ୍ମୀୟ ! କେହି ଅଛନ୍ତି କି ! କେଉଁଠିକୁ ଯିବ ସେ ! କାହିଁକି ଯିବ ? ତା ଯିବାକୁ ଘରେ କେହି ଜଣେ ଅପେକ୍ଷା କରେ କି ? ନ ଗଲେ କେହି କଣ ଅଛି ପଚାରିବ ନା ଫୋନ୍ ପରେ ଫୋନ୍ କରିବ ? ସେ ତ ସମସ୍ତେ ଥାଇ ବି ଜଣେ ଅନାଥ । ପାଠ ଛଡା ତାର ଆଉ ବା ଏତେ ନିଜର କିଏ?


ମା....

ଝାପ୍ସା ଦିଶିଲାଣି ତା ମୁହଁ । ଯାହା ମୁହଁ ମନେ ଅଛି ସେ ମା ନୁହେଁ ।

ବାବା....

କେବଳ ଯିଏ ପଇସା ପଠାନ୍ତି ମାସ ଶେଷରେ ।

ଭାଇ ଭଉଣୀ....

ଈର୍ଷା କରନ୍ତି। ଘୃଣା କରନ୍ତି ତାକୁ । ତେବେ ସେ ଯିବ କେଉଁଠିକୁ,କାହା ପାଖକୁ ?


     ଷୋହଳ ବର୍ଷର ବିକାଶ ଆଖି କଣେ ଜକେଇ ଆସିଲା ଲୁହ । ସାତ ବର୍ଷରୁ ତ ହଷ୍ଟେଲ ତା ଘର । କେବଳ ଗ୍ରୀଷ୍ମ ଛୁଟିରେ ମାମୁଁ ମାଇଁ ଆସି ନେଇ ଯାଆନ୍ତି ତାଙ୍କ ପାଖକୁ । ବର୍ଷକେ ଥରେ ବିକାଶ ଘର ସୁଖ ପାଏ । ମାମୁଁ ମାଇଁ ସିଙ୍ଗାପୁରରେ ଚାକିରୀ କରିଛନ୍ତି । ଖାସ୍ ବିକାଶ ପାଇଁ ପ୍ରତି ବର୍ଷ ସେ ଓଡିଶା ଆସନ୍ତି ଓ ଗାଁରେ ରୁହନ୍ତି ଦେଢ଼ ମାସ ।


      ଇଲୁ,ମିଷ୍ଟି ମାମୁଁ ମାଇଁଙ୍କ ପୁଅ ଝିଅ ଯେତେ ବେଳେ ଗେହ୍ଲା ହୁଅନ୍ତି,ବିକାଶ ବେଶୀ ଚୁପ୍ ହୋଇଯାଏ । ଭାବେ ତା ବାବା ମା ଏମିତି ତାକୁ ଗେଲ କରନ୍ତେ ନାହିଁ ! କିନ୍ତୁ ତା ବାବା ମା ତ ସବୁବେଳେ ଝଗଡା କରିବାରେ ବ୍ୟସ୍ତ !


       ବାବାମାଙ୍କ ସବୁବେଳେ ଝଗଡା ଲାଗିଲେ ସେମାନଙ୍କ ପିଲା ଉପରେ କି ପ୍ରଭାବ ପଡେ ସେ କଥା ବୁଝିବାକୁ କାହାର ତର ନଥାଏ । ହେଲେ ପିଲା ମାନେ ? ସେମାନଙ୍କ କଥା କଣ ! କାହାର ଶୈଶବ ନଷ୍ଟ ହୋଇ ହତାଶ ଭରିଦିଏ । କିଏ ସମ୍ପର୍କ ମାନେ ବୁଝି ପାରେନା । କିଏ ବା ଜୀବନ,ସଂସାର ପ୍ରତି ବୀତସ୍ପୃହ ହୋଇ ଅସାମାଜିକ କାର୍ଯ୍ୟରେ ଲିପ୍ତ ରୁହେ । କିଏ ପୁଣି ନିଶା,ବେଶ୍ୟା,କୁସଙ୍ଗରେ ପଡି ନିଜ ଜୀବନକୁ ବିପଥଗାମୀ କରିବା ସହ,ସମାଜର ଗୋଟିଏ ଗୋଟିଏ କଳଙ୍କ ହୋଇ ଯାଆନ୍ତି ।

 

      ଲେଡିଗୁଡ଼ କହୁଣୀକୁ ବୋହି ଗଲା ପରେ ବାବା ମାଙ୍କ ଚେତନା ଜାଗ୍ରତ ହୁଏ । କୁହନ୍ତି ହେ.. ପିଲାଟା ସମ୍ପୂର୍ଣ୍ଣ ବିଗିଡି ଗଲା । କୁଳଙ୍ଗାର...ନାଁ ଗାଁ ପକାଇଲା । ଜୀବନରେ କିଛି କରି ପାରିବନି । ସେ ଅମୁକ ପୁଅ ଆ. ଇ. ଏ ସ୍. ହେଲା,ସେ ସମୁକ ଝିଅ ଡାକ୍ତର ହେଲା । ଆମ ତଳ ସାହି ଯୋଗିଆ ପୁଅଟା ହୋ ବାପା ମୂଲ ଲାଗେ--- ଦେଖିବ ଯା ପୁଅ ତାର ବଡ଼ ଅଫିସରଟିଏ ହୋଇଛି ।


     ସେମାନେ ସବୁ ଭାତ ଖାଉଥିଲେ.....ଆମ ବାବୁ ପରା ଖାଲି ପେଜ ପିଉଥିଲେ । ଛି ମୁହଁକୁ ଲାଜ ନାହିଁ ଯାହା । କଣ ଅଭାବ ରଖିଥିଲୁ ? ଯେତେବେଳେ ଯାହା ଦରକାର ଦିଆ ହୋଇଛି କି ନାହିଁ । କେତେ ଟିଉସନ,କେତେ କୋଚିଂ । ସବୁ ବୃଥା । ନିକମା ।


    କିନ୍ତୁ ବାବା ମା କେମିତି ବୁଝି ପାରନ୍ତି ନାହିଁ କେବଳ ପଇସା ଅପର୍ଯ୍ୟାପ୍ତ ଖର୍ଚ୍ଚ କରିଦେଲେ,ଆୟା ରଖିଦେଲେ ଯଦି ମା କୋଳ, ସ୍ନେହ ମିଳି ଯାଉ ଥାନ୍ତା;ଟିଉସନ ମାଷ୍ଟର ରଖିଦେଲେ ପାଠ ଯଦି ପିଇ ହୁଅନ୍ତା,ଘର କାମଧନ୍ଦା ବୁଝୁ ଥିବା ମାଗା ଦାଦାଙ୍କ କାନ୍ଧ ଯଦି ବାବାଙ୍କ କାନ୍ଧ ସୁଖ ଦିଅନ୍ତା, ତେବେ ପିଲା ମାନେ ଅବାଟକୁ ଯାଆନ୍ତେ କି ! ମୂର୍ଖ ହୁଅନ୍ତେ କି ? ନା ବାବା ମା ସ୍ନେହ ଆଦରକୁ ଖୋଜନ୍ତେ ! ଝୁରନ୍ତେ... ! ସବୁ ତ ଭଡାରେ ପଇସା ଦେଇ ହୋଇଯାଅନ୍ତା.......

ବେଳେବେଳେ ଆତ୍ମହତ୍ୟା ବି ପିଲାମାନେ କରିବାକୁ ପଛାନ୍ତିନି ବାବାମାଙ୍କ ଏମିତି ଆଚରଣ ଓ ଖିଆଲ ନେଇ ।

     

          ଅନ୍ତତଃ ବାବା ମା ଏତିକି ବୁଝିବା ନିହାତି ଆବଶ୍ୟକ ଗୋଟିଏ ପିଲା ପାଇଁ ପଇସା ଅପେକ୍ଷା ସମୟ,ସ୍ନେହ,ଆଦର,ଯତ୍ନ,ସର୍ବପରେ ସୁସ୍ଥ ପରିବେଶ ଆବଶ୍ୟକ ବୋଲି ! ପ୍ରତ୍ୟେକ ବାବା ମା ସବୁ କଥା ପଛ କରି ଆଗ ପିଲାଙ୍କୁ ବୁଝନ୍ତୁ, ପଢନ୍ତୁ ସେମାନଙ୍କ ମନ । ପ୍ରାଧାନ୍ୟ ଦିଅନ୍ତୁ ପିଲାର ଇଚ୍ଛା, ଅନିଚ୍ଛା, ପସନ୍ଦ ନାପସନ୍ଦ ଉପରେ । ଯେଉଁଦିନ ପ୍ରତ୍ୟେକ ବାବାମା ସେମାନଙ୍କ କର୍ତ୍ତବ୍ୟ ପ୍ରତି ସଚେତନ ହେବେ,ପିଲାକୁ ଗୁରୁତ୍ୱ ଦେବେ,ପିଲାମାନେ ଜୀବନର ଶ୍ରେଷ୍ଠ ସମ୍ପଦ ବୋଲି ବୁଝିବେ ବୋଧେ ସେଇଦିନ ପିଲାମାନେ ଅସାମାଜିକ କାର୍ଯ୍ୟ କରିବାରୁ ନିବୃତ୍ତ ହେବେ ।


     ହୁଏତ ସେଦିନ 'ବିକାଶ' ମାନେ ଇଛା କରିବେ ଘରକୁ ଯିବାକୁ । ବାହାର ଅପେକ୍ଷା ଘର ଆସକ୍ତି ସେମାନଙ୍କୁ ଟାଣିବ । ବିକାଶ କଣ ଏ ସବୁ ଚାହେଁନି କି!!କିନ୍ତୁ ସମସ୍ତଙ୍କର ସବୁ ଚାହିଁବା ସବୁବେଳେ ପୁରଣ କଣ ହୁଏ!


     ବିକାଶ ଆଖି କ୍ୟାମେରାରେ ଦିଶିଗଲା ଝାପ୍ସା କାନ୍ଦୁରା ମା ମୁହଁ । ମା ବାବାଙ୍କ ଯୁକ୍ତିତର୍କ । ବାବା ଆଠ, ପନ୍ଦର ଦିନ ଚାଲି ଯାଆନ୍ତି କୁଆଡେ । ଆସିଲେ ମା କଥା ହୁଏନି। ଚିଡ଼୍ ଚିଡ଼୍ ବିର୍ ବିର୍ ହୁଏ । ଏମିତି ଦିନେ ଦିନେ ହୁଏ ଯେ ବାବମାଙ୍କୁ ହାତ ଉଠାନ୍ତି । ମୋର ଯାହା ଇଚ୍ଛା ତା କରିବି କୁହନ୍ତି । ତୁମକୁ କେଉଁଥିରେ ଅଭାବରେ ରଖିଛି କି ? ଓଲଟି ପ୍ରଶ୍ନ କରନ୍ତି ବାବା।


   ମା ଆଖିରେ ବନ୍ୟା।ହୃଦୟରେ ଘଡ଼ ଘଡି ମାରିଲା ପରି କୋହ । ଯଦିଓ ସେତେବେଳେ ସେ ବୁଝିପାରୁ ନଥିଲା ଏବେ କିନ୍ତୁ ହେତୁ ହେଲା ଦିନୁ ସେ ବୁଝିପାରିଛି ତା ମା ତା ପରି ନାଇଁବା, ଖାଇବା ରାଣୀ ସୁଖ ଅପେକ୍ଷା ଟିକେ ସ୍ନେହ ଖୋଜୁଥିଲା । ଖୋଜୁଥିଲା ତା ଅସ୍ତିତ୍ୱ ବାବାଙ୍କ ଜୀବନରେ । ଯାହା କେବେ ବି ସେ ପାଇନଥିଲା । ସେଇଥିପାଇଁ ତ ସ୍ଲିପିଂ ଟାବେଲ୍ଟ ଖାଇ ମା ତାର ସବୁଦିନ ଝଗଡ଼ାରୁ ମୁକ୍ତ ହୋଇଗଲା.... । ମା ବି ଭାରି ସ୍ୱାର୍ଥ ପର--- । ଟିକେ ଭାବିଲା ନାହିଁ ତା କଥା । ବାବା ସୁଖ ନ ହେଉ ପଛେ ମା କୋଳ, ଆଦର ତ ସେ ପାଉଥିଲା ! କିନ୍ତୁ ସେତକ ବି ନିଷ୍ଠୁର ହୋଇ ତା ଭାଗ୍ୟରୁ ଛଡାଇ ନେଲା କେହି ।


     ତାପରେ ମାତ୍ର କେଇଟା ଦିନ ଯାଇନି ବାବା ବିକାଶ ହାତ ଧରି ଆଉ ଗୋଟେ ଘରକୁ ନେଇଗଲେ । ସେଠି ଲୁଲୁ,ପିକୁ ଥିଲେ । ତାକୁ ଦେଖି ସେ ଘର ସ୍ତ୍ରୀ ଲୋକଟି ଗର୍ଜିଲା; ଯାହାକୁ ମା ଡାକିବ ବୋଲି ବାଟ ସାରା ବାବା ତାକୁ ଶିଖାଇ ଶିଖାଇ ଆଣିଥିଲେ ।


      ସେତେବେଳେ ବିକାଶ ବୟସ ସାତରୁ ହଠାତ୍ ଯେମିତି ସତର ହୋଇଗଲା । ସେ ସବୁ ନ ହେଲେ ବି କିଛି ବୁଝିଗଲା ତା ମାର ଦୁଃଖ,ଓ ମରିବା କାରଣ । ସେ ସ୍ପଷ୍ଟ କହିଲା ଏ ଘରେ ନା ସେ ରହିବ ନା ସେ ସ୍ତ୍ରୀ ଲୋକକୁ ମା ଡାକିବ ।


     ସେବେଠୁ ହଷ୍ଟେଲ ତାର ଘର । ଛୁଟିରେ ସେ କେଉଁ ଘରକୁ ଯିବ ! ଏ କଥା ଭାବୁ ଭାବୁ ବିକାଶ ଗାଲରୁ ଆସି କିଛି ଗୋଟେ ଲୁଣିଆ ସ୍ୱାଦ ତା ପାଟିରେ ବାଜିଲା । ଷୋହଳ ବର୍ଷର କଅଁଳ ଯୁବ ପ୍ରାଣଟି ଭାରି ହୋଇଗଲା । ପାଟିରୁ ବାହାରି ପଡ଼ିଲା ମା !


      ତା ଆଖି ଲୁହ ପୋଛି 'ଖୁସି' ବିକାଶ ସାଙ୍ଗ ଶକ୍ତି ଭଉଣୀ କହିଲା କାନ୍ଦେ ନା ମୁଁ ଅଛି ! ସେ ହଷ୍ଟେଲକୁ ଆସିଥିଲା ତା ଭାଇ ପାଇଁ ରାକ୍ଷୀ ଆଣି ରାକ୍ଷୀ ପୂର୍ବ ଦିନ। କାରଣ ଷ୍ଟାଡିୟମରେ ପ୍ୟାରେଡ଼ରେ ଭାଗ ନେବା ପାଇଁ ସେ ବଛା ଯାଇଛି ପ୍ୟାରେଡ଼ ସାରି ଆସିବା ଡେରି ହେବ । ଖୁସି କି ସମ୍ଭାଳିବି ! ତା ଭାଇ ସବୁଠାରୁ ଆଗ ରାକ୍ଷୀ । ବିକାଶ ଏନ. ସି. ସି. କମାଣ୍ଡର । ନଅ ବର୍ଷର ଛୁଆ ଭଉଣୀଟି ଶକ୍ତିର । ମୋଲ ଦିଟା ଭାଇ । ଖୁସିର ଟିକେ ପାଟି ଲାଗେ । ଭାରି ଗେହ୍ଲେଇ କଥା ତାର। କହିଲା ସକାଲୁ ଉଠି ଆଗ ମି ଲାକ୍ଷୀ ନାଇବ । ତାପଲେ ପ୍ୟାରେଡ଼ କଲିବାକୁ ଯିବ । ଶକ୍ତି କହିଲା କଣ ଭାବୁଛୁ ତୁ ମୋ ସାଙ୍ଗ ନୁହଁ ଆଜିଠୁ ଆମେ ଭାଇ ଭାଇ। ଭାରି ଭଲ ଲାଗିଲା ସେ । ଏମିତି ଭଉଣୀଟିଏ ସେ ଖୋଜୁଥିଲା । ଖୁସି କହିଲା ଶୁନୁ ବିକି ଭାଇ ତୁ ହେଲୁ ମୋଲ ଗେହ୍ଲା ଭାଇ ହେଲା । ଖୁସିରେ ଗଦ ଗଦ ହୋଇ ମୁଣ୍ଡ ଟୁଙ୍ଗାରିଲା ବିକାଶ।ବିକାଶ ଖୁସି ମୁଣ୍ଡ ସାଉଁଲେଇ କହିଲା ଖୁସି ଟା ମୋ ଛୁନା ଭଉଣୀ।


     ଆଜି ଅଗଷ୍ଟ ପନ୍ଦର।ବାରବାଟୀ ଷ୍ଟାଡିୟମରେ ମାର୍ଚ୍ଚ ଫାଷ୍ଟ କରୁଥିଲେ ବିକାଶ ଓ ଶକ୍ତି ଜାତୀୟ ପତାକାକୁ ସାଲୁଟ୍ ମାରି। ହାତରେ ବାନ୍ଧି ଥିଲେ ଖୁସିର ରାକ୍ଷୀ । ଖୁସି ପ୍ୟାରେଡ଼ ଦେଖୁଥିଲା ତା ବାବା କଟକ ମେୟର ସମରେନ୍ଦ୍ର ଚୌଧୁରୀଙ୍କ ସହ ଗ୍ୟାଲେରିରେ ବସି । ବିକାଶକୁ ଚାହିଁ ଟିକେ ହସୁଥିଲା ମୂର୍କି ମୂର୍କି। କହୁଥିଲା ଭାଇ... ଭାଇ । ଜାତୀୟ ପତାକା ହସୁଥିଲା ଭାଇ ଭଉଣୀଙ୍କ ଖୁସିରେ ଖୁସି ହୋଇ।



Rate this content
Log in

Similar oriya story from Inspirational