ଗଙ୍ଗାଜଳ
ଗଙ୍ଗାଜଳ
ସେଦିନ ଗୟା ଶ୍ରାଦ୍ଧ କରି ଘରକୁ ଫେରିଆସିଥିବା ଦୁଇ ପୁଅ ବୋହୁ ବ୍ରାହ୍ମଣ ଭୋଜନର ଆୟୋଜନ ସହ ବନ୍ଧୁମିଳନର ଆୟୋଜନ କାରିଥିଲେ ପୁରୀ ସହରର ନିଜ ପୈତୃକ ବାସଭବନରେ. ବାପା ବୋଉଙ୍କ ଫଟୋ ଦୁଇଟି ଉପରେ ସଜ ଫୁଲ ମାଳ ଚଢେଇ ସାରି ବ୍ରହ୍ମଣଖିଆ ପର୍ଯ୍ୟନ୍ତ ଅପେକ୍ଷା ସମୟରେ ଭାଇ ଭଉଣୀମାନଙ୍କ ଭିତରେ ଦୁଃଖ ସୁଖ କେତେ ଜମିଥିଲା ତ ଦୁଇ ଭାଇ ଭାଉଜ ସେମାନଙ୍କ ଗୟା ଶ୍ରାଦ୍ଧକୁ ଯିବାର ଅନୁଭୂତି କହିବା ସହ ଚାରିଭଉଣୀଙ୍କୁ ବଢ଼େଇ ଦେଇଥିଲେ ଉପହାର ଚାରି ପ୍ୟାକେଟ।ଉପହାର ପାଇଲେ କିଏ ଵା ଖୁସି ନହୁଏ! ଉପହାର ପ୍ୟାକେଟରେ ଶାଢ଼ୀ ଓ ମିଠା ସହ ଆଉ ଯାହା ଥିଲା ଗୋଟେ ଗୋଟେ ସୁନ୍ଦର ସୁନ୍ଦର ଜାରକିନ। ସେଥିରେ କଣ ଅଛି ର ଆଗ୍ରହକୁ ଏଡି ନପାରି ଏହା କଣ ବୋଲି ପ୍ରଶ୍ନର ଉତ୍ତରରେ ଏହା ଗଙ୍ଗାଜଳ ଜାଣି ସମସ୍ତେ ଖୁସି ହେଉଥିବା ବେଳେ ଆପାଙ୍କ ପ୍ୟାକେଟରେ ନଥିଲା ବୋଲି ସେ ମନଦୁଃଖ କରୁଥିଲା ବେଳେ କିଏ ଗୋଟେ ପ୍ଲାଷ୍ଟିକ ବୋତଲ ଖୋଜି ଆଣି ଅନ୍ୟ ତିନି ଭଉଣୀଙ୍କ ଜାରକିନରୁ ଗଙ୍ଗାଜଳ ଭରି ପ୍ଲାଷ୍ଟିକ ବୋତଲ ଭରି କରି ଅପା ପାଖେ ଥୋଇଲାବେଳେ ଅପା ମୁହଁରେ ପ୍ରସନ୍ନତା ଖେଳି ଯାଇଥିଲା କାରଣ ଗଙ୍ଗାଜଳ ତାର ପ୍ରଥମ ପସନ୍ଦ।ସକାଳୁ ଘରଦ୍ୱାର ପରିଷ୍କାର କରି ଆଗ ଏମୁଣ୍ଡୁ ସେମୁଣ୍ଡୁ ଗଙ୍ଗାଜଳ ନପାକାଇଲେ ତା ମନ ଶାନ୍ତି ପାଏ ନାହିଁ। ଏତେବାଟରୁ ଆଣିଥିବା ଗଙ୍ଗାଜଳର ସମାପ୍ତି ଵା ପର୍ଯ୍ୟାପ୍ତ ପରିମାଣ ପାଇଁ ଗଙ୍ଗାଜଳରେ ସ୍ଥାନୀୟ ଜଳ ଵା ନିଜ ଘରର ପାଣି ମିଶାଇ ଗଙ୍ଗାଜଳ ବୋଲି ଭାବି ପ୍ରୟୋଗ କରିବାକୁ ହୁଏତ ପୁଣି କିଛି ଖାଣ୍ଟି ଗଙ୍ଗାଜଳ ପାଇ ଅପା ଖୁବ ଖୁସି ଥିଲା।
ବ୍ରାହ୍ମଣ ଆସିଲେ। ଅବଢ଼ା ମଧ୍ୟ ଆସିଲା। ବନ୍ଧୁବାନ୍ଧବ ଏକାଠି ହୋଇ ଅବଢ଼ା ଖାଇସାରିବା ପରେ କିଛି ସମୟପରେ ପାଣି ପିଇବାକୁ ଯାଇ ବଡ଼ଭାଇ ଢକ ଢକ କରି ଅପା ପାଇଁ ରଖା ଯାଇଥିବା ଗଙ୍ଗାଜଳ ଥିବା ପ୍ଲାଷ୍ଟିକ ବୋତଲ ପାଟିକୁ ଟେକି ଢକ ଢକ ପିଉଥିଲା ତ ଅପା କହିଲା ଗଲା ମୋ ଗଙ୍ଗାଜଳ ସବୁ ପିଇଦେଲୁ!କିଏ କହୁଥିଲା ଏହେ ତ କିଏ କହୁଥିଲା ସବୁ ଜୀବାଣୁ ପେଟକୁ ଗଲା ତ କିଏ କହୁଥିଲା କାହାର ଏ ଅସାବଧାନତା!ପୁଣି କିଏ କହୁଥିଲା ଏତେ ବାଟ ଯାଇ ବାପା ମାଆଙ୍କ ଅସ୍ଥି ବିସର୍ଜ୍ଜନ କରି ଫେରିଥିବା ଦୁଇ ପୁଅଙ୍କର ବାଟରେ କିଛି ମଧ୍ୟ ଅସୁବିଧା ହୋଇନଥିଲେ ମଧ୍ୟ ଏଇଠି ସେ ଅପରିସ୍କାର ଗଙ୍ଗାଜଳ ପିଇ ସବୁ ଅସୁବିଧା ହୋଇଗଲା।କିଏ କୋଉ ପ୍ରକାର ପ୍ରତିକ୍ରିୟା ଦେଇ ଆହା ଚୁ ଚୁ କରି କଥା ବଢ଼େଇଚାଲିଥିଲେ ତ ଅପା କହିଲେ ଚୁପ ରୁହ ।
ଅପା କହିଚାଲିଥିଲେ ଭୁବନେଶ୍ୱରରେ ଥିବା କେଦାରଗୌରୀ ମନ୍ଦିରରେ ଥିବା ଚାରିଗୋଟି କୁଣ୍ଡର ପାଣି ଭିତରୁ ଦୁଗ୍ଧକୁଣ୍ଡର ପାଣି ନିୟମିତ ଦୁଇମାସ ଯାଏଁ ବ୍ୟବହାର କଲେ ରୋଗୀ ପେଟର ସମସ୍ତପ୍ରକାର ଦୁରାରୋଗକଷ୍ଟରୁ ମୁକ୍ତି ପାଏ।ପୁଣି ଗୌରୀକୁଣ୍ଡରେ ସ୍ନାନକଲେ ବିଭିର୍ନ୍ନ ପ୍ରକାର ଚର୍ମରୋଗରୁ ଉପଶମ ମିଳୁଥିଲା। ଉଣେଇଶଶହ ମସିହା ବେଳକୁ କେଦାରଗୌରୀ କୁଣ୍ଡର ଜଳରେ ଔଷଧୀୟ ଗୁଣ ରହିଛି ବୋଲି ଏକପ୍ରକାର ପ୍ରମାଣିତ ହେବା ପରେ ଓଡିଶା ସମେତ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ଛତିଶଗଡ, ମଧ୍ୟପ୍ରଦେଶ ଓ ଅନ୍ୟରାଜ୍ୟର ଲୋକେ ଏଠାରୁ ପାଣି ନେଉଥିଲେ। କଠିନ ରୋଗରେ ପଡ଼ିଥିବା ରୋଗୀ ପ୍ରତିଦିନ ଏହି ଜଳ ବ୍ୟବହାର କରିବାଲାଗି ଏଠାରେ ମାସେ କି ଦୁଇମାସ ଧରି ରହୁଥିଲେ। ସେଥିପାଇଁ ମନ୍ଦିରଠାରୁ ମାତ୍ର ତିନିଶହ କି ଚାରିଶହ ମିଟର ଦୂରତାରେ ସାନାଟୋରିୟମ ଖୋଲିଥିଲେ। ଏଥିପାଇଁ ଜଣେ ବଙ୍ଗୀୟ ଡାକ୍ତରଙ୍କ ସହ ଜଣେ ବ୍ରିଟିଶ ଭଦ୍ରଲୋକଙ୍କ ହାତ ରହିଥିବା ଜଣାପଡେ। ବିଶିଷ୍ଠ ଐତିହାସିକ ଅନୀଲ ଧୀର ମଧ୍ୟ ଇତିହାସରେ ଉଲ୍ଲେଖ କରିଛନ୍ତି ଯେ ମ୍ୟାଲେରିଆ, ଟିବି ଵା କୌଣସି ପେଟରୋଗ ପାଇଁ ବଙ୍ଗବାସୀମାନେ, କଲିକତାର ଡାକ୍ତରଙ୍କ ପରାମର୍ଶକ୍ରମେ ଏହି ସାନିଟୋରିୟମରେ ରହି ଆରୋଗ୍ୟ ଲାଭ କରୁଥିଲେ। ଇଂରେଜମାନେ ମଧ୍ୟ ଏହି ଦୁଇମହଲା ବିଶିଷ୍ଟ ସାନିଟୋରିୟମର ତଳ ମହଲାରେ ରହି କୁଣ୍ଡରେ ଥିବା ଦେହି କୂପର ପାଣି ନିୟମିତ ପିଇବାରେ ବ୍ୟବହାର କରି ଭଲ ହୋଇଯାଉଥିଲେ। କାଳକ୍ରମେ ଅତ୍ୟାଧୁନିକ ଚିକିତ୍ସା ବିଜ୍ଞାନ ଯୁଗରେ କେଦାର ଗୌରୀ ପାଣି କେହି ପିଉନଥିଲେ ମଧ୍ୟ ପୁରୁଣା ଭୁବନେଶ୍ଵରରେ ସାନିଟୋରିୟମ ଛକ ଏହାର ମୂକସାକ୍ଷୀ। ଆପାଙ୍କ ଏସବୁ କଥା ଶୁଣି ବନ୍ଧୁବାନ୍ଧବ ସ୍ତ୍ରୀ ପୁରୁଷ କେହି କେହି ମୁହଁମୋଡି ଫେରି ପଡ଼ୁ ପଡ଼ୁ ଚୁପି ଚୁପି କହୁଥିଲେ ଭାଇଟା ଅପରିସ୍କାର ଗଙ୍ଗାଜଳ ପିଇଦେଇ ମାନସିକ ସ୍ତରରେ ଦୁର୍ବଳ ହେଲାବେଳେ ଇଏ କେଦାରଗୌରୀ ମନ୍ଦିର ଓ ତାର କୁଣ୍ଡ ପୁଣି ତା ମଧ୍ୟରେ ଜଳର ଔଷଧୀୟ ଗୁଣ ବଖାଣିବା କଣ ଦରକାର କେଜାଣି!
ଅପା ସେଆଡୁ କାନ ଫେରାଇ ପାଟି ଖୋଲିଲେ କହିକି ଯେ ଗଙ୍ଗାଜଳ କଥା କଣ କହିବି!ଏହାର ପାଣି ପଚେ ନାହିଁ କି ଗନ୍ଧାଏ ନାହିଁ। ଯେତେ ଅପରିସ୍କାର ହେଲେ ବି ସ୍ୱୟଂକ୍ରିୟ ପ୍ରକ୍ରିୟାରେ ସ୍ୱଚ୍ଛ ହୋଇଯାଏ। ନବେ ବର୍ଷରୁ ଉର୍ଦ୍ଧ ସମୟଧରି ଚିକିତ୍ସା ବିଜ୍ଞାନରେ ଆଣ୍ଟିବାୟୋଟିସ୍କିର ବିକଳ୍ପ ଭାବେ ବ୍ୟାକ୍ଟୋରିଓଫେଜ ଭୁତାଣୁକୁ ସଂକ୍ରମିତ ଉପଚାର ପାଇଁ ବ୍ୟବହାର କରାଯାଉଥିଲା। ନ୍ୟାସନାଲ ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଗବେଷଣା କରିବା ପରେ ବୈଜ୍ଞାନିକ କ୍ରିଷ୍ନା ଖୈରନାର କହିଛନ୍ତି ଯେ ଗଙ୍ଗାନଦୀରେ ଏହି ଭୁତାଣୁର ଅତ୍ୟଧିକ ଉପସ୍ଥିତିର କାରଣ ଏବେବି ଅଜଣାଥିବାରୁ ଗଙ୍ଗାନଦୀରେ ବ୍ୟାକ୍ଟ୍ରୋରିଓଫେଜ ଭୁତାଣୁ ଅବସ୍ଥିତିର କାରଣ ଜାଣିବାକୁ ଗବେଷଣା ଜାରି ରହିଥିଲା ବେଳେ କରୋନା କାଳରେ ଯମୁନା ଓ ନର୍ମଦା ନଦୀର ଜଳ ତୁଳନାରେ ଗଙ୍ଗାଜଳରେ ସଂକ୍ରମକରୋଗ ଜୀବାଣୁ ନଷ୍ଟକାରୀ ତତ୍ତ୍ୱ ଅଧିକ ରହିଛି ବୋଲି ପ୍ରମାଣ ହେବା ସହ ଗଙ୍ଗାନଦୀ ଜଳ ପ୍ରବାହିତ ଅଠତିରିଶିଟି ସ୍ଥାନରୁ ପ୍ରବାହିତ ଗଙ୍ଗାନଦୀଜଳନମୁନା ସଂଗ୍ରହ କରି ଏହା ପ୍ରମାଣିତ ହୋଇସାରିଥିବାରୁ ତୋର ଗଙ୍ଗାଜଳ ପିଇ ଦ୍ୟୁରୁକ୍ତି ପ୍ରକାଶ କରିବା ଅନୁଚିତ. ଭାଇ ଭଉଣୀମାନେ ତଟସ୍ଥ ହୋଇ ଅପା କଥା ଶୁଣୁଥିଲା ବେଳେ ଭାଇ କହୁଥିଲା ହଉ ତୁମମାନଙ୍କୁ ଭୁବନେଶ୍ୱରକୁ ନିମନ୍ତ୍ରଣ ରହିଲା।ମକର ସଂକ୍ରାନ୍ତି ଦିନ କେଦାରଗୌରୀରେ ବୁଡ଼ ପକେଇ ମକର ଚାଉଳ ଖାଇବା। ପ୍ରସ୍ତାବଟି ଛାଏଁ ଛାଏଁ ଅନୁମୋଦିତ ହୋଇଯାଇଥିଲା। ସମସ୍ତେ କହୁଥିଲେ ଜୟ ମାଆ ଗଙ୍ଗାଦେବୀ କି ଜୟ. ଅପା କିନ୍ତୁ ଗଙ୍ଗାଜଳ ସଂଗ୍ରହ କରିବାରେ ବ୍ୟସ୍ତ ଥିଲାବେଳେ ବର୍ଷା ହେଉଥିଲା ପ୍ରବଳ।
