ମତୁଆଲି ଗୋଲାପ
ମତୁଆଲି ଗୋଲାପ
ଫୁଲ ତ ଫୁଲ ପୁଣି ଗୋଲାପ ଫୁଲ, ଦେଖିବାକୁ ତଥା ଛୁଇଁବାକୁ ଖୁବ ଲୋଭନୀୟ. ମଣିଷ ମନ ତଳେ ପ୍ରେମ ଓ ପ୍ରଣୟ ଜାଗ୍ରତ କରିବା ସହ ଖୁସି ଓ ଆନନ୍ଦ ଜଗେଇ ପାରେ ଏହି କ୍ଷଣସ୍ଥାୟୀ ଗୋଲାପ. ଗୋଲାପର ଇଛା ସେ ମଧ୍ୟ ଅନ୍ୟମାନଙ୍କ ଭଳି କିଛି ନହେଲେ ଦେବତାଙ୍କ ପାଦ ସ୍ପର୍ଶ କରି ଝରିଯିବାକୁ କିନ୍ତୁ ମଣିଷ ନିଜ ସ୍ୱାର୍ଥ ପାଇଁ ଗୋଲାପକୁ ସବୁଠୁ ବେଶୀ ଭଲପାଇ ନିଜ ଡ୍ରଇଂ ରୁମ ସଜାଉଥାଏ କେବେ ତ କେବେ ବହିରେ ରଖି ସ୍ନେହ ପ୍ରେମ ର ସ୍ମାରକୀ କରାଉଥାଏ. ଗୋଲାପ କିନ୍ତୁ ଦୁଃଖିନୀ ପାଲଟି ଯାଏ. ତାର ମନେପଡେ ଥରେ ରାଧା ଶ୍ରୀକୃଷ୍ଣ ଙ୍କୁ ଭଲପାଅବାର ମାନେ କଣ ପ୍ରଭୁ ବୋଲି ପଚାରି ଉତ୍ତର ପାଇଥିଲେ କି ମଣିଷ ମଣିଷ ଭିତରେ ଗୁଣ ଓ ଖୁଣ ମିଶି ଖୁଣ ଅନେଶତ ଭାଗ ଥିଲେ ବି ଯୋଉ ଗୁଣ ଭଲ ଥାଏ ତାକୁ ହିଁ ଭଲପାଇ ଯିଏ ସେହି ମଣିଷକୁ ଭଲପାଏ ଅନ୍ୟ ସବୁ ଅବିଗୁଣ କୁ ଅଣଦେଖା କରି ସେହି ମଣିଷ ଦ୍ବୟ ମଧ୍ୟରେ ଥିବା ସମ୍ପର୍କ ହିଁ ଭଲପାଇବା. କେହି କାହାକୁ ଛାଡି ଯାଆନ୍ତି ନାହିଁ. ଯେତେ ଦୂରେ ଥିଲେ ମଧ୍ୟ ମନ ମନକୁ ଖୋଜୁଥାଏ ଯେମିତି ଚାନ୍ଦ ଓ କୁମୁଦିନୀ ସେମିତି ତୁମେ ଆଉ ମୁଁ. ମୋ ଭିତରେ ଅନେକ ଚକ୍ରାନ୍ତ ଖେଳିବୁଲୁଥିଲେ ମଧ୍ୟ ମୋ ବଂଶୀ ବାଦନ କୁ ଭଲପାଇ, ଶାଶୁ ନଣନ୍ଦଙ୍କ ଗଞ୍ଜଣାକୁ ପଛରେ ପକେଇ ତମେ ଭଲପାଇଛ ମତେ ରାଧା. ତେଣୁ ଶ୍ରୀକୃଷ୍ଣ ରାଧା ବିନା ଅଧୁରା ଓ ଅଧା. ଗୋଲାପ ସେଦିନ ଭାବିଥିଲା ତାର ଅନେକ ଖରାପ ଗୁଣ ଥିଲେ ବି ସେ ମଧ୍ୟ ଭଲ ପାଏ ଭଗବାନଙ୍କୁ. ତାଙ୍କ ଅଲୌକିକ ଲୀଳାକୁ, କଳାଶ୍ରୀମୁଖକୁ ତଥାପି ସେ ବଞ୍ଚିତ କାହିଁକି ପ୍ରଭୁଙ୍କ ପରଶରୁ!ମତୁଆଲା ହେଲା ଗୋଲାପ. ଚିଠି ଲେଖିବସିଲା ପ୍ରଭୁ ସମସ୍ତଙ୍କ ଅଭିଳାଷ ପୂର୍ଣ୍ଣ କରିବା ପାଇଁ କୋଉ ଜନ୍ମରେ କୋଉ ଠାକୁର ରୂପେ ଜନ୍ମ ଗ୍ରହଣ କରି ତାଙ୍କ ମନୋବାଞ୍ଛା ପୁରଣ କରୁଛ, ଗୋଲାପ ଫୁଲ କି ଅପରାଧ କରିଛି.ଯେମିତି ଷୋଳସହସ୍ର ଗୋପୀମାନଙ୍କ ପାଇଁ ଶ୍ରୀକୃଷ୍ଣ ତାଙ୍କ ବାଲ୍ୟ ଓ କୈଶୋର କାଳ ସମର୍ପିତ କରିଦେଇ ଗୋପ ନାଗରୀରେ ନାଗର ସାଜିଥିଲେ ପୁଣି ଫେରିଆସି କୁବଜା ଉଦ୍ଧାରଣ କେବେ ତ ରୁକ୍ମିଣୀ ହରଣ କେବେ କରୁ କରୁ ଆଉ ଫେରିନଥିଲେ ଗୋପନଗରୀ କିନ୍ତୁ ଭୁଲି ନଥିଲେ ରାଧାଙ୍କୁ. ପ୍ରମାଣ କରିଦେଇ ଥିଲେ ପ୍ରଥମ ପ୍ରେମ ସବୁକାଳେ ଅମର. ଗୋଲାପ ମଧ୍ୟ ପ୍ରେମ ନିବେଦନ କରିଥିଲା ଚିଠିରେ ମନକଥା ସବୁ ଉତ୍ତୁରି ଆସି ବତୁରେଇ ଦେଇ ଥିଲା ଜଗନ୍ନାଥଙ୍କୁ.
ଏବର୍ଷ ରଥଯାତ୍ରାରେ ସବୁ ସୁବ୍ୟବସ୍ଥିତ ଭିତରେ ଭାବଗ୍ରାହୀଙ୍କ ଆଖିରେ ପଡିଛି ଟାହିଆ ନାହିଁ କାଳିଆ ଠାକୁରଙ୍କ ମୁଣ୍ଡରେ. ସମସ୍ତେ ସ୍ତବ୍ଧ, ବିଚଳିତ ତଥା ତସ୍ତ୍ର. ଏମିତି ହୁଏନା କି ହୋଇନଥିବ. ଏସବୁ ମାୟା. ଏସବୁ କରିକାରାଉଥାଆନ୍ତି ହରି... ତାଙ୍କ ବିନା ଵୁଦ୍ଧି ଭ୍ରମିତ ହୁଅଇ ସବୁରି. ପ୍ରଶାସନ ଜନତା, ପଣ୍ଡା ପଡିହାରି, ସେବକ ଦେଖେଣାହାରୀ ସମସ୍ତେ ଭକ୍ତ ମାନେ ସତ୍ୟତା ଖୋଜୁ ଖୋଜୁ ଭାବଗ୍ରାହୀ ନିରଞ୍ଜନ ଭାବୁଥିଲେ ତାଙ୍କ ଗୋଲାପ ଗଛ, ଫୁଲ ଓ ଗୋଲାପ ବଗିଚା କଥା. ପ୍ରେମିକା ଗୋଲାପର ମୃତ୍ୟୁରେ ପୁଅ କରିଛି ଗୋଲାପ ବଗିଚା. ହାତ ମାରିବାକୁ ଦିଏନା ଫୁଲରେ କାହାକୁ. ଏମିତିକି ଭଅଁର କି ପ୍ରଜାପତିଙ୍କୁ ତ ନିରଞ୍ଜନଙ୍କ ମନ ଖୁବ ଦୁଃଖ ହେଲେ ମଧ୍ୟ ମୃତା ପତ୍ନୀ ର ନାମ ସଂଯୋଗ ବଶତଃ ଗୋଲାପ ଥିବାରୁ ପ୍ରତିବାଦ କରନ୍ତି ନାହିଁ. ଭିତରେ ଭିତରେ ଭାବନ୍ତି ପୁତ୍ରବଧୂକୁ ଗୋଲାପ ବୋଲି ଡାକି ପାରିନଥାନ୍ତେ ବୋଲି ଚାଲିଗଲା କି ଅକାଳରେ ବିଚାରି!ପୁଣି ରାମ ରାମ କହି ପୂଜା ଘରେ ପୂଜା କଲାବେଳେ ଗୋଲାପ ଫୁଲ ଦିଟା ତୋଳି ଆଣି ଠାକୁରଙ୍କ ମୁଣ୍ଡ ଉପରେ ରଖିବାକୁ ପୁଅ ସୁଯୋଗ ଦେବନି କି ସେ ନିଜେ ସେକଥା କେବେ ଭାବିନଥିବା ବେଳେ ଆଜି ଅରଣା ମଇଁଷି ଭଳି ଗୋଲାପ ଫୁଲ ତୋଳି ଜଗନ୍ନାଥଙ୍କ ପାଇଁ ଟାହିଆ ନେଇ ସକାଳୁ ସକାଳୁ ବଡଦାଣ୍ଡରେ ରାତି ସାରା ଥିବା ଜଗନ୍ନାଥଙ୍କୁ ଭେଟି ଦେବାକୁ ଚାହିଁ ହତବାକ ଓ ସ୍ପନ୍ଦନହୀନ ହୋଇଗଲେ ନିରଞ୍ଜନ. ବଗିଚାରେ ଗୋଟେ ବି ଫୁଲ ନଥିଲା. ସେ ଭାବୁଥିଲେ କ୍ଷଣସ୍ଥାୟୀ ସୁନ୍ଦରୀ ମତୁଆଲି ଗୋଲାପର ଧର୍ମ ଝରିଯିବା ସତ କିନ୍ତୁ ଫୁଟୁଥିବା କଢି ତ କେବେ ଝରିପାରିବନି. ଭୁଲବୁଝୁଥିବା ନିରଞ୍ଜନ କାଁହୁଁ ଜାଣିବେ ଜଗତର ନାଥ ଜଗନ୍ନାଥ ପୁଅ ରୋହିତକୁ ସ୍ବପ୍ନ ଦେଖାଇ ଚମତ୍କାର କରିଛନ୍ତି. ବାପା ନିରଞ୍ଜନ ଗୋଲାପ ଫୁଲ ବଗିଚାକୁ ଯିବା ପୂର୍ବରୁ ପୁଅ ରୋହିତ ସବୁ ଫୁଲ ତୋଳି ଟାହିଆ ପ୍ରସ୍ତୁତ କରି ରଥଟଣା ପୂର୍ବରୁ ପହଁଞ୍ଚି ଯାଇଛି ଜଗନ୍ନାଥଙ୍କ ଟାହିଆ ଧରି ନନ୍ଦିଘୋଷ ରଥ ପାଖକୁ. ବାପା ଶୁନ୍ୟ ହାତରେ ହାହାକାର ହୃଦୟରେ ରଥଟଣା ପାଖେ ଆଖିରେ ଆଖିଏ ଲୁହ ନେଇ ପହଁଚିଲା ବେଳକୁ ନିଜେ ଜଗତସାଇଁ ଙ୍କ ଚଳନ୍ତି ସାଆନ୍ତ ପୁରୀ ରାଜା ରୋହିତ ମୁଣ୍ଡରେ ଶିରପା ବାନ୍ଧୁଛନ୍ତି. ଜଗନ୍ନାଥଙ୍କ ମୁଣ୍ଡରେ ଗୋଲାପ ଟାହିଆ ମଧ୍ୟରେ ଗୋଲାପମାନେ ମତୁଆଲି ହୋଇ ହସିଲା ବେଳେ ପୁଅ ରୋହିତ ଏତେଦିନ ପରେ ହସୁଛି. ତ୍ୟାଗ ହିଁ ପ୍ରେମର ଅନ୍ୟ ନାମ ବୋଲି ବୁଝିଯାଇଛି ପୁଅ ତ ଏଥର ପୁଅକୁ ବିଭା କରେଇବେ ବୋଲି ଭାବୁ ଭାବୁ ନିରଞ୍ଜନ ହସୁଥିଲେ ଓ ରଥ ଗଡୁଥିଲା ଓ ଜଗନ୍ନାଥଙ୍କ ମୁଣ୍ଡର ଟାହିଆ ହଲି ଦୋହଲି ଶୋଭା ବଢ଼ାଇଚାଲିଥିଲା ନିଜ ସହିତ ସତେଜ ସୁକୋମଳ ଗୋଲାପମାନଙ୍କର.
