ଜେଜେ ନିଶ୍ଚଳ ହୋଇ ଖଟ ଉପରେ ଶୋଇ ରହିଥିଲେ. ଦାନ୍ତ ବିନ୍ଧୁଛି ଖୁବ. ଘରକୁ ଛୁଟିରେ ବାପା ମାଆ ସଙ୍ଗେ ବୁଲି ଆସିଥିବା ପୁଅର ପୁଅ ବାବା ଗାଁ ବୁଲିବାକୁ ଯିବା ବେଳେ ଦେଖିଥିଲା ଜେଜେ ନିଶ୍ଚଳ ହୋଇ ପଡିରହିଛନ୍ତି. ଗାଁରେ ଉଚ୍ଚା ଉଚ୍ଚା ନଡ଼ିଆ, ତାଳ ଓ ଖଜୁରୀ ଗଛ ଦେଖିବା ସହିତ ଝଙ୍କାଳିଆ ବରଗଛ ଓ ବରଗଛରେ ଓହଳିଥିବା ବାଦୁଡ଼ିମାନଙ୍କୁ ଦେଖି ବାବା ତା ବହିରେ ଦେଖିଥିବା ବାଦୁଡିର ଚିତ୍ର ସହ ଜୀବନ୍ତ ବାଦୁଡ଼ିକୁ ଦେଖି ଚମକୃତ ହେଉ ହେଉ ଭାବୁଥିଲା ଏଇ ନିରୀହ ପକ୍ଷୀ ଯିଏ ଦିନସାରା ଗୋଡ଼ ଉପରକୁ ଓ ମୁଣ୍ଡ ତଳକୁ କରି ଶୋଇ ରହି ରାତିରେ ଦେଖିପାରେ, ସେଇ ନିରୀହ ପକ୍ଷୀ ଭିତରେ ପୁଣି କରୋନା ଭାଇରସ ଥାଇପାରେ!ମନ ମାନୁନଥିଲା ବାବାର. ଆଖି କିନ୍ତୁ ଲାଖି ରହୁଥିଲା ସେଇ ବାଦୁଡ଼ି ମାନଙ୍କ ଝୁଲନ୍ତା ଶରୀରଆଡକୁ. ଏମିତିରେ ଛୋଟ ଛୋଟ ଓ ବଡ଼ ବଡ଼ ମାଙ୍କଡ଼ମାନଙ୍କ ବରଫଳ ଓ କୋଳି ଖାଇ ଡ଼ାଳରେ ଦୋଳି ଖାଇବା ଦୃଶ୍ୟ ମଧ୍ୟ ଖୁବ କୌତୁହଳ ପ୍ରଦ ଥିଲା ବାବା ପାଇଁ. ସେ ପ୍ରଜାପତିକୁ ଦେଖୁଥିଲା ତ ଦେଖୁଥିଲା ନଈରେ ବୁଡି ପଡି ଉଠିଲା ବେଳକୁ ମାଛରଙ୍କା ପକ୍ଷୀ ମାଛ ଧରି ଖାଇବାକୁ ଯାଉଛି ଉଡି. ପୁଣି କୋଉଠି ରାଧୁଆ ଭାଇର ଦାଢୁଆ କାତି ଗଛ ସବୁକୁ କାଟି ପକାଉଥିବା ଦୃଶ୍ୟରେ ଅସହିଷ୍ଣୁ ହେଉଥିଲା ମନ ତ କୋଉଠି ନିଶ୍ଚଳ ହୋଇ ଜମିରେ ଠିଆ ହୋଇଥିବା ପାଳଭୂତ ଦେଖି ଠିଆ ହୋଇ ରହି ବିସ୍ଲେସଣ କରିଚାଲିଥିଲା ବାବା.
ଏମିତି ଦିନେ ନିଶ୍ଚଳ ହୋଇ ଯାଇଥିଲା ତା ଜେଜେମା. ଉପରକୁ ଠିକ ଠାକ ଦେଖାଯାଉଥିଲେ ମଧ୍ୟ ନା ଆଗ ପରି କଥା କହୁଥିଲା ନା ଆଗପରି ଗପ କହୁଥିଲା, ନା ରାଗୁଥିଲା, ନା ଋଷୁଥିଲା, ନା ମାମା ପାପା ଉପରେ ବିରକ୍ତ ହେଉଥିଲା ନା ଜେଜେଙ୍କୁ ଚିଡୁଥିଲା କହିକି ଯେ ମୋ ପୁଅ ବୋହୁ ନାତି ଗାଁକୁ ଆସିବା ପୂର୍ବରୁ ଘର ପଛ ଗାଡିଆରୁ ମାଛ ଧରିବାକୁ ବରାଦ କାହିଁ ଆଗୁଆ ଦେଲନି?କି କହୁନଥିଲା ଗଛରୁ ମୋ ନାତି ପାଇଁ ଆଗୁଆ ପଇଡ଼ ପକାଇବାକୁ କହିନଥିଲ କାହିଁକି ଦାସିଆକୁ. ସେତେବେଳେ ଜେଜେମାଆର ଏଇ ଅବସ୍ଥା କୋଉଠି ଆଲଜାଈମର ଯୋଗୁଁ ହୋଇଥିଲା. ସେ କିଛି ମନେ ରଖି ପାରୁନଥିଲା, ଠିକ ଠାକ ଲୋକ ଚିହ୍ନି ଠିକ ଠାକ କଥା କହୁନଥିଲା. ତେଣୁ ସମ୍ପୂର୍ଣ୍ଣ କଥା କହିବା ଆସ୍ତେ ଆସ୍ତେ ଛାଡ଼ିଦେଇ ହୁଏତ ପାଳଭୂତ ବନିଯାଇଥିଲା. ପାଳଭୂତ ଭଳି ଜଳ ଜଳ ଚାହୁଁଥିଲା. ସେତେବେଳେ ବି ବାବା ଭାବୁଥିଲା ସବୁ ବୁଢା ବୁଢ଼ୀ ମାନେ ବୋଧେ ଦିନେ ଏମିତି ପାଳଭୂତ ବନିଯାଆନ୍ତି . ବାବାର ବାପା କିନ୍ତୁ କହୁଥିଲେ ସମୟ ସହିତ ମଣିଷର ଟ୍ରାନ୍ସଫରମେସନ ହୁଏ. ଜେଜେମାର ଏମିତି ଟ୍ରାନ୍ସଫରମେସନ ହେଲା ଯେ ଶେଷକୁ ଦୁନିଆଁ ଛାଡ଼ି ଆଉ କୋଉ ଦୁନିଆଁକୁ ଚାଲିଗଲେ ଜେଜେମା,ଯୋଉଠୁ ଆଉ କେହି ଫେରେନା. ଅନ୍ତତଃ ସେହି ନିଶ୍ଚଳ ଦେହଟାକୁ ଆଉ ଦେଖିବାକୁ ନଥିଲା କି ନଥିଲା ଜେଜେମାଆ ବୋଲି ମଣିଷଟିକୁ ଜେଜେମାଆ ବୋଲି ଡାକିଦେବାକୁ ଥରେ କି ଦେଖିବାକୁ ଥରେ ଅନ୍ତତଃ ସେଇ ନିଶ୍ଚଳ ଶରୀରଟାକୁ ଥରେ ଦେଖି ମନେପକେଇବାକୁ ସ୍ମୃତି ସବୁକୁ . ସେ ଯିବା ପରେ ଉଚ୍ଚା ସ୍ୱରରେ କଥା କହୁଥିବା, ଜମିଜମା, ବିଲବାରି ବୁଝୁଥିବା, ଗଡିଆ, ପଡିଆ, ବଗିଚା ତଥା ଗାଈ ଛେଳି ଓ ଜେଜେମା ଛାଡିଯାଇଥିବା ପୋଷା ବିଲେଇ ପୁଷି, କୁକୁର ଟମି, ଶୁଆ ମିଠୁ ଗାଈ ନେତ ଇତ୍ୟାଦଙ୍କ କଥା ବୁଝୁଥିବା ଜେଜେଙ୍କୁ ଆଜି ଜ୍ୱର ତ କାଲି କାଶ ତ କେତେବେଳେ ଆଉ କୋଉ ରୋଗ ଲାଗି ନିଶ୍ଚଳ ହୋଇ ପଡିରହିଥିଲେ ଦିନ ସାରା ଠିକ ବାଦୁଡ଼ି ପକ୍ଷୀ ପରି.
ବାବା ଏବେ ଛୋଟ ପିଲାଙ୍କ ଉପରେ ଛୋଟ ଛୋଟ ଗଳ୍ପ ଓ କବିତା ଲେଖୁଥିଲା. ସେସବୁ ଗଳ୍ପ ଓ କବିତା ଥିଲା ଯୋଗ ବିଷୟରେ. ସେଦିନ ନିଛାଟିଆ ନଈ କୂଳେ ଏକୁଟିଆ ବଗ ପକ୍ଷୀଟି ଏକଗୋଡିଆ ଠିଆ ହୋଇ ରହିଥାଏ ନଈକୁ ଚାହିଁ.ବଗକୁ ଦେଖି ବାବାକୁ ଲାଗୁଥିଲା ରୋବୋ ଗୁରୁ ଯୋଗ କରୁଛନ୍ତି. ବଗ ମାଛ ଖାଇବ କେମିତି ଦେଖିବାକୁ ଘଡିଏ ଠିଆ ହେଲା ବାବା. ସତକୁ ସତ ମାଛଟିଏ ଡେଇଁ ପଡିଲା କୂଳକୁ ଓ ଛଟପଟ ହେଉଥିଲା ତ ବାବା ଭାବୁଥିଲା ବିଚରା ବଗ ଥଣ୍ଟରେ ଯିବ ଏଇଲେ. ଦେଖୁ ଦେଖୁ ବଗ ମାଛଟିକୁ ଥଣ୍ଟରେ ଧରିବାକୁ ଚେଷ୍ଟା କଲା କିନ୍ତୁ ମାଛଟି ଖସି ଯିବାକୁ ଚେଷ୍ଟା କରୁଥାଏ. ଶେଷକୁ ବଗ ମାଛଟିକୁ ଧରିଲା ଥଣ୍ଟରେ. ଗଲା ଗଲା କହୁ କହୁ ବଗଟି ମାଛଟିକୁ ନେଇ ପାଣିରେ ଛାଡୁଥିବା ବେଳେ ମାଛଟି ପୁଣି କୂଳକୁ ଚାଲି ଆସୁଥାଏ ତ ବଗଟି ପୁଣି ଚେଷ୍ଟା କରି ତାକୁ ପାଣିର ଗଭୀର ପ୍ରଦେଶ ରେ ଛାଡିବାକୁ ଥରକୁ ଥର ଚେଷ୍ଟା କରୁଥାଏ. ଶେଷକୁ ବଗ ଥଣ୍ଟରେ ମାଛଟିକୁ ଧରି ନଈର ଗଭୀର ପାଣିକୁ ବୁଡିପଡିଲା ତ ବାବା ନିଶ୍ଚଳ ହୋଇ ଚାହିଁଲା ବେଳକୁ ଦେଖିଲା ମାଛଟିକୁ ପାଣି ଭିତରେ ଛାଡ଼ି ବଗଟି ଉଠିଆସିଛି ଗଭୀର ଜଳରୁ ତ ନିଶ୍ଚଳ ହୋଇ ଚାହିଁଥିଲା ବାବା ଆଉ ଭାବୁଥିଲା ବଗଟି ନିଶ୍ଚୟ ପକ୍ଷୀ ରୂପେ ରୋବୋ ଗୁରୁ. ବାବା ବଗକୁ ଦେଖି, ତାକୁ ରୋବୋ ଗୁରୁ ଭାବିବା ସହ ପାଇ ଯାଇଥିଲା ଅନେକ ତଥ୍ୟ ବଗ ଉପରେ, ଯାହାକି ତାକୁ ଶିଶୁ କାହାଣୀ ଲେଖିବାକୁ ସୁବିଧା ହୋଇଥିଲା.ସେତେବେଳକୁ ବାଦୁଡ଼ି ମାନେ ଡେଣା ଫଡ଼ ଫଡ଼ କରି ଉଡୁଥିଲେ ଆକାଶ ସାରା କାରଣ ସନ୍ଧ୍ୟା ଆଗତ ପ୍ରାୟ ଥିଲା. ପକ୍ଷୀ ନୀଡକୁ ଫେରିବା ବେଳେ ବାଦୁଡ଼ି ବାହାରିଥିଲେ ନିଜ ଓହଳା ଅବସ୍ଥାରୁ ଖାଦ୍ୟ ଅନ୍ୱେଷଣରେ.
ପକ୍ଷୀମାନଙ୍କ ଉପରେ କାହାଣୀ ବହିଟି ଖୁବ ଭଲ ହୋଇଥିବ ବୋଲି ବାପା ମାଆ ଯେତେ ନିର୍ଭର ପ୍ରତିଶ୍ରୁତି ଦେଲେ ମଧ୍ୟ ପୁଅ ବାବାର ମନ ମାନୁନଥିଲା. ଜେଜେମା ନାଁହାଁନ୍ତି ଆଉ ତା ସଫଳତା ପାଇଁ ଠାକୁରଙ୍କୁ ମାନସିକ କରିବେ. ଜେଜେ ମଧ୍ୟ ଥାଇ ନଥିଲା ପରି ଅବସ୍ଥା ନଚେତ ବାବାର ଭାବନା ସହିତ କେତେ କଥା ଯୋଡି ନୂଆ ପିଢ଼ି ପାଇଁ ଉତ୍ସାହ ଭରିଦେଉଥାଆନ୍ତେ. ସତରେ ବୁଢା ବୁଢ଼ୀ ଲୋକଙ୍କୁ ବୟସ୍କ ନଭାବି ବରିଷ୍ଠ ଭାବି ତାଙ୍କ ଅନୁଭୂତି ନେଇ ଓ ଆଶୀର୍ବାଦ ପାଇ ଆଗେଇ ଗଲେ ଜୀବନରେ ନିଶ୍ଚୟ ସଫଳତା ମିଳିଥାଏ. ସେଇଥି ପାଇଁ ତ ଜେଜେମା ଠାରୁ ଶୁଣିଥିବା ସେଇ ଗଳ୍ପଟି କଥା ଆଜି ଖୁବ ମନେ ପଡେ ବାବାର. ସେହି ଗଳ୍ପଟିରେ ଗୋଟିଏ ଦେଶର ଜଣେ ରାଜା ରାଜ୍ୟର ସବୁ ବୟସ୍କ ବୁଢା ବୁଢ଼ୀଙ୍କୁ ରାଜ୍ୟ ବାହାରକୁ ବିତାଡିତ କାରିବାକୁ ଆଦେଶ ଦେଇଥିଲେ.ରାଜ୍ୟର ଜଣେ ଚାଷୀ କିନ୍ତୁ ତା ବୃଦ୍ଧ ବୃଦ୍ଧା ବାପା ମାଆଙ୍କୁ ଲୁଚାଇ ରଖିଥିଲା. ରାଜ୍ୟରେ ଯେତେବେଳେ ଦୈବ ଦୁର୍ବିପାକ ଜନିତ ଦୁଃଖ କଷ୍ଟ ହେଉ ବା ଆଭ୍ୟନ୍ତରୀଣ ବ୍ୟାପାରର ସମାଧାନର ସୂତ୍ର ପାଇଁ ହେଉ ବାଟ ମିଳୁନଥିଲା କି ବିଜ୍ଞ ଲୋକ କି ଜ୍ଞାନୀ ଲୋକ କିଛି କହିପାରୁନଥିଲେ ସେତେବେଳେ ରାଜା ହୃଦୟଙ୍ଗମ କାରିଥିଲେ ଅନୁଭବି ଲୋକ ହିଁ ଏହି ପ୍ରକାର ଦୁର୍ଦ୍ଦିନର ସହାୟକ ହୋଇ ପାରିଥାଆନ୍ତେ.ମାତ୍ର ନେଡି ଗୁଡ଼ କହୁଣୀକୁ ବୋହିଗଲେ ଯେମିତି ଚାଟି ହୁଏନା ରାଜା ସେହିପରି ସବୁ ଅଭିଜ୍ଞ ବୁଢା ବୁଢୀଙ୍କୁ ରାଜ୍ୟରୁ ବିତାଡିତ କରି ପସ୍ତେଉଥିଲେ. ନଇଁ ପଡ଼ିଥିବ ଯେତିକି ବେଳେ ବିଧାଏ ମାରିବ ସେତିକି ବେଳେ ନ୍ୟାୟରେ ଚାଷୀ ଏବେ ନିଜ ବାପାଙ୍କୁ ପଚାରି ତାଙ୍କ ଵୁଦ୍ଧି, ବଳ, କୌଶଳ ଦ୍ୱାରା ରାଜ୍ୟରେ ଓ ରାଜ୍ୟକୁ ପଡ଼ିଥିବା ବିପତ୍ତିର ଆଶୁ ପ୍ରତିକାର କହିଦେବା ଦ୍ୱାରା ରାଜା ଓ ରାଜ୍ୟର ସମସ୍ୟା ଚାଲିଯାଇଥିଲା. ରାଜାଙ୍କର ଚାଷୀଙ୍କ ଉପରେ ସନ୍ଦେହ ହୋଇଥିଲା. ଏହା ତୁମ ନିଜ ଵୁଦ୍ଧି ନୁହେଁ କହିବାରୁ ଚାଷୀ ସବୁ ସତ କଥା ମାନି ନିଜ ବୃଦ୍ଧ ବାପା ମାଆ ଙ୍କ ଠାରୁ ବୁଝି ଏସବୁ କରିବାକୁ ଓ କହିବାକୁ ସମର୍ଥ ହୋଇଛନ୍ତି ବୋଲି ସତ ମାନିଯାଇଥିଲେ.ରାଜାଙ୍କ ଦ୍ୱାରା ଏଥର ତାଙ୍କ ମୁଣ୍ଡକାଟ ସୁନିଶ୍ଚିତ ଭାବୁଥିଲେ ସମସ୍ତ ପ୍ରଜା . ରାଜା କିନ୍ତୁ ତାଙ୍କ ମୁଣ୍ଡରେ ଶିରପା ଶାଢ଼ୀ ବାନ୍ଧି ତାଙ୍କୁ ସମ୍ବର୍ଦ୍ଦିତ କରିଥିଲେ. ସବୁ ପୁଅ ମାନେ ନିଜ ବୃଦ୍ଧ ପିତା ମାତାଙ୍କୁ ଏହିଭଳି ସୁରକ୍ଷା ଦେଇପାରିଲେ ଦେଶ, ଜାତି ଓ ରାଜ୍ୟର ଗୌରବ ଫେରିପାରିବ ବୁଝି ନିଜର ଭୁଲକୁ ସୁଧାରିବାକୁ ଯାଇ ନିର୍ବାସିତ ବୃଦ୍ଧ ବୃଦ୍ଧାଙ୍କୁ ଫେରେଇ ଆଣିଥିଲେ ରାଜ୍ୟକୁ. ଏତେ ସବୁ ପରେ କିନ୍ତୁ ରୋଗ ଓ ନିଶ୍ଚଳତାକୁ ହାତ କାହାର ଅଛି ଭାବି ନାତି ବାବା କୌଣସି ସାଧୁବାବାଙ୍କ ପାଖକୁ ଯାଇ ନିଜ ଭବିଷ୍ୟତ ବିଷୟରେ ପରାମର୍ଶ ଲୋଡ଼ିବାକୁ ବାହାରିଲା ବେଳେ ଜେଜେ ତାର ନିଶ୍ଚଳ ଅବସ୍ଥାରୁ କେଇ ମୁହୂର୍ତ୍ତ ଉଠିବସିଲେ ଓ କହିଲେ ତୋ ଜେଜେମା ବଞ୍ଚିଥିଲେ କହିଥାଆନ୍ତା ଯେ ଭଣ୍ଡ ବାବା ଯଦି କହନ୍ତେ ସତ... ଦ୍ୱାରେ ଦ୍ୱାରେ ବୁଲି ମାଗନ୍ତେ ନାହିଁ ଭିକ. ଏଥର ନିଜ ଭୁଲ ବୁଝି ନାତି ଶାନ୍ତିରେ ଓ ସଫଳତା ପାଇବାକୁ ନିଶ୍ଚଳ ନରହି ନିଜ ଉଦ୍ୟମକୁ ଓ ନିଜ କର୍ମକୁ ବୁଝି ଆଗେଇ ଯିବା ଉଚିତ ବୋଲି ବୁଝିଥିଲା. ସତକୁ ସତ ନାତି ବାବାର ଯୋଗ ଉପରେ ଶିଶୁ କାହାଣୀ ପୁସ୍ତକଟି, ଶିଶୁ ରାଇଜରେ ଆଲୋଡନ ସୃଷ୍ଟି କରି ବାବା ସେଥିପାଇଁ ପୁରସ୍କୃତ ହେଲାବେଳକୁ ଜେଜେ କିନ୍ତୁ ବାଦୁଡ଼ି ପରି ଉଡି ଯାଇଥିଲେ ଜେଜେମା ପାଖକୁ. ନିଜର କୃତିତ୍ୱ ଭିତରେ ମଧ୍ୟ ଏହି ଦୁଃଖରେ ନାତି ବାବା ଏକଦମ ନିଶ୍ଚଳ ଥିଲା.
ଯେଉଁଦିନ ସମସ୍ତ ଛାତ୍ରମାନଙ୍କୁ ସେମାନଙ୍କ ଭିର୍ନ୍ନ ଭିର୍ନ୍ନ କ୍ଷେତ୍ରରେ ପ୍ରତିଭା ଓ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଉଥିଲା ସେଦିନ ପ୍ରିନସିପାଲ ଏକ ଅଭିନଵ ଯୋଜନା କରିଥିଲେ. ସେମାନେ ଏଥର ସମସ୍ତ ଛାତ୍ର ଛାତ୍ରୀଙ୍କ ପିତାମାତାଙ୍କ ସହିତ ଗ୍ରାଣ୍ଡ ପିତା ମାତା ବା ଜେଜେ ଓ ଜେଜେମାଆମାନଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ କରିଥିଲେ. ଏଥର ଅଭିଭାଷଣରେ ପ୍ରିନ୍ସିପାଲ କହିଥିଲେ ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କ ଗ୍ରାଣ୍ଡ ଫାଦର ଓ ମଦରଙ୍କ ଜିନରୁ ପରବର୍ତ୍ତୀ ପିଲାମାନଙ୍କ ପାଖକୁ ସୃଜନୀଶୀଳତା ଆସିଥାଏ ଓ ସେମାନେ ଯନ୍ତ୍ର ପରି ରୋବୋ ଗୁରୁ ବନି ନିଜ ନାତି ନାତୁଣୀମାନଙ୍କର ଜନ୍ମ ବେଳୁ କାମ କରି ଆସୁଛନ୍ତି ତେଣୁ ସେହି ବରିଷ୍ଠ ଓ ବୟସ୍କ ତଥା ଅନୁଭୂତିସମ୍ପର୍ଣ୍ଣ ରୋବୋ ଗୁରୁ ଅର୍ଥାତ ଗୁରୁଜନମାନଙ୍କୁ ମିଳିତ ପ୍ରଣାମୀ ଜଣେଇବାକୁ ଆଜିର ଦିବସରେ ଶପଥ ନେବାକୁ ସେମାନଙ୍କୁ ଏହି ମଞ୍ଚକୁ ଡକାଯାଇଛି. ତୁମ ଭିତରୁ ଅଧିକାଂଶ ପିଲାଙ୍କୁ ତାଙ୍କ ଜେଜେ ଜେଜେମାଆ ଯନ୍ତ୍ରଚାଳିତ ରୋବୋ ପରି ସ୍କୁଲକୁ ଛଡା ଅଣା କରିବା ତଥା ତୁମ ପାଇଁ କେତେ ରକମର ପିଠା ପଣା କରି ଟିଫିନ ଭରୁଥିବେ ତେଣୁ ଆସ ସମସ୍ତେ ସମ୍ମିଳିତ ଭାବେ ତାଙ୍କୁ ପ୍ରଣାମ ଜଣେଇ ଯୋଗ କରିବା ତା ପରେ ବିଭିର୍ନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାକୁ ତାଙ୍କ ପିତାମହ ଓ ପିତାମହୀଙ୍କୁ ନିମନ୍ତ୍ରଣ କରିଯିବ ଷ୍ଟେଜ ଉପରକୁ. ସେମାନେ ଆସି ତାଙ୍କ ଉତ୍ତରୋତ୍ତର ଦାୟାଦମାନଙ୍କୁ ନିଜ ହାତରେ ସମ୍ବର୍ଦ୍ଧନା କରିବା ହେବେ. ବାବା ବେଳକୁ ତାର ପିତା ମାତା ଷ୍ଟେଜ ଉପରକୁ ଆସିଥିଲେ ଓ ତାଙ୍କ ହାତରୁ ଟ୍ରଫି ଇତ୍ୟାଦି ଗ୍ରହଣ କରୁ କରୁ ଆଖି ଛଳ ଛଳ ଓ ହୃଦୟ ଭିତରୁ କୋହ ଉଠୁଥିଲା ସ୍ବର୍ଗୀୟ ଜେଜେ ଓ ଜେଜେମାଙ୍କ ପାଇଁ.ବାବାର ଜେଜେ ଓ ଜେଜେମାଆ ବାଦୁଡ଼ି ହେଇ ଉଡି ସାରିଥିଲେ ତାଙ୍କ ବାହୁଡା଼ ନୀଡ଼କୁ ବୋଲି କହି ବାବା କାନ୍ଦିପକେଇ ଥିଲା ତ ନିଜେ ପ୍ରିନ୍ସପାଲ କହୁଥିଲେ କାନ୍ଦନା ବାବା ଆଜିଠୁ ମୁଁ ତୋର ଜେଜେ ଜେଜେମାଆ ନହୋଇପାରିଲେ ମଧ୍ୟ ରୋବୋ ଗୁରୁ ଵନିଯିବି ଫଳରେ ତୁ ବହୁତ ଯୋଗ ଶିଖି ସୁସ୍ଥ ଓ ନିରାମୟ ରହିପାରିବୁ. ମୋର ଏହି ଯୋଗ କ୍ଲାସ ଅଗଷ୍ଟ ପନ୍ଦର ତାରିଖରୁ ଆରମ୍ଭ ହେବାକୁ ଯାଉଛି, ସବୁ ପିଲାଙ୍କ ସହ ତୁ ଯେମିତି ଉପସ୍ଥିତ ରହିବୁ.ଷ୍ଟେଜ ତଳୁ ସମ୍ମିଳିତ କଣ୍ଠରେ ପିଲାଏ କହୁଥିଲେ ଜୟ ରୋବୋ ଗୁରୁ କି ଜୟ.ବାବା ପାଟିରୁ କିନ୍ତୁ ବାହାରିଥିଲା ଜୟ ଭାରତମାତା କି ଜୟ ତଥା ଜୟ ରୋବ ଗୁରୁ କି ଜୟ. ଆଖିରେ ନାଚୁଥିଲା ବଗ ରୋବ ଗୁରୁ.
ଏହାର କିଛି ଦିନ ପରେ ନିଜକୁ ରୋବୋ ଗୁରୁ ବୋଲି ପରିଚୟ ଦେଇ ବାବା ଘର ଗାଁ ରେ ଜଣେ ସାଧୁ ସନ୍ଥଙ୍କର ଆବିର୍ଭାବ ହେଲା.ରୋବୋ ଗୁରୁ ବୋଲି ପରିଚୟ ଦେଇ ଗାଁରେ ଡେରା ପକେଇ ରହୁଥିବା ଗୁରୁଙ୍କ ଯୋଗ ଦେଖି ସମସ୍ତେ ବିସ୍ମିତ ହେଉଥିଲେ. ଯୋଗ ଏକ ଭଲ ବାୟାମ ସତ କିନ୍ତୁ ଦିନ ଦିନ ପ୍ରତିଦିନ ଯୋଗ ବଳରେ ଜଣେ ମୁଣ୍ଡ ତଳକୁ ଓ ଗୋଡ଼ ଉପରକୁ କରି କେତେ ସମୟ ରହିପାରିବ!ସେବେଠାରୁ ଗାଁରୁ ଆଉ ଚୋରୀ ହେଉନଥିଲା. ଗଣ୍ଡଗୋଳ ମାଡପିଟ ଉଭେଇ ଯାଇଥିଲା ଆଉ ଚୋରୀ ନାରୀ ଡକାୟତି ବି ହେଉନଥିଲା. ସେଦିନ ଜାଗୁଲୁ ଜାଗୁଲୁ ଅନ୍ଧାର ଭିତରେ ସେହି ଗାଁର ଝିଅ ଦୁଇଟି ଖୁଦୁରୁକୁଣୀ ପାଇଁ ଫୁଲ ତୋଳୁ ତୋଳୁ, ଟଗର ଗଛ ତଳେ ଥିବା ସପ୍ତଫେଣୀ କଣ୍ଟାରେ ପଡି ଯାଉ ଯାଉ ରୋବୋ ଗୁରୁ ଦଉଡି ଯାଇ ସେ ଦୁହିଁଙ୍କୁ ରକ୍ଷା କରନ୍ତେ ତାଙ୍କ ପାଟି ଶୁଣି ଦୁଇଝିଅଙ୍କ ମାଆ ଡଲି, ଗ୍ରାମବାସୀଙ୍କ ସହ ଦଉଡି ଆସିଥିଲେ. ରୋବୋ ଗୁରୁ ନଥିଲେ ଆଜି ଝିଅ ଦୁହେଁ ସପ୍ତଫେଣୀ କଣ୍ଟାରେ ପଡି ଲହୁଲୁହାଣ ହୋଇଥାଆନ୍ତେ. ଝିଅ ଦୁହିଁଙ୍କୁ ପାଇ ମାଆ ଡଲି ଖୁବ କାନ୍ଦୁଥାଆନ୍ତି ତ ସେ ତାଙ୍କ ପିଲାଦିନର ଗୋଟେ ଅଭୁଲା ସ୍ମୃତି କହିଚାଲିଥାଆନ୍ତି .
ପାଖ ବ୍ଲକ କଲୋନୀରେ ରହୁଥିବା ଝିଲି ଡଲି ସହ ଖୁବ ସାଙ୍ଗ. ସେଦିନ ଏମିତି ଖୁଦୁରୁକୁଣୀ ପାଇଁ ମାଆ ମଙ୍ଗଳାଙ୍କ ପାଇଁ ଫୁଲ ସଂଗ୍ରହ କରୁ କରୁ ଝିଲି ଏମିତି ସପ୍ତଫେଣୀ କଣ୍ଟାରେ ପଡିଯିବା ପରେ ହସ୍ପିଟାଲ ଯିବା ବାଟରେ ତାର ମୃତ୍ୟୁ ହୋଇଥିଲା. ଝିଲିର ମୃତ୍ୟୁ ପାଇଁ ଡ଼ଲି ନିଜକୁ ସବୁବେଳେ ଦୋଷୀ ମାନିଆସୁଥିଲେ କାରଣ ଏପଟେ ଭୋର ଭୋର ଟଗର ଗଛ ମାନଙ୍କରେ ଖୁବ ଟଗର ଫୁଲ ଫୁଟିବା କଥା ଡ଼ଲି ହିଁ ଝିଲିଙ୍କୁ କହିଥିଲେ. ଯୋଗକୁ ଝିଲିର ବାପା ଙ୍କ ବଦଳି ହୋଇଗଲା ପରେ ଡ଼ଲି ଏଇ ପାଖ ଗାଁରେ ବାହା ହୋଇ ଆଜି ତାଙ୍କର ଦୁଇ ଯାଆଁଳା ଝିଅ ସେଇ ଅବସ୍ଥାରେ ପଡ଼ିବାକୁ ଥିଲା. ଯିଏ ଯାହା ଦୋଷ କରିଥିବ, ଶନି କଣ ଛାଡ଼ିବେ କହି ଡ଼ଲି କାନ୍ଦୁଥିବା ବେଳେ ରୋବୋ ଗୁରୁ କହିଲେ ମୁଁ ସେହି ଝିଲିର ଭାଇ. ଭଉଣୀର ମୃତ୍ୟୁ ପରେ ସଂସାର ପ୍ରତି ବିମୁଖ ହୋଇ ମୁଁ ଆଜି ରୋବୋ ଗୁରୁ. ସତକଥା କହିଛନ୍ତି ଡ଼ଲି ଭଉଣୀ, କିଛି ସାଂଯୋଗ ସୂତ୍ର ନଥିଲେ ମୁଁ ଏ ଗାଁକୁ ମୋର କର୍ମସ୍ଥଳୀ ରୂପେ କାହିଁକି ବାଛନ୍ତି!ସମସ୍ତେ ରୋବୋ ଗୁରୁଙ୍କର ଜୟ ଜୟକାର କରୁଥିଲା ବେଳେ ଡଲି ତାଙ୍କ ହାତରେ ସେଇ ଦିନଠାରୁ ରାକ୍ଷୀ ବାନ୍ଧି ସମ୍ପର୍କକୁ ଆହୁରି ମଜଭୂତ କରି ରଖିଛନ୍ତି. ଗାଁଟା ସାରା ଲୋକ ରୋବ ଗୁରୁଙ୍କୁ ଖୁବ ଭଲ ପାଇ କହନ୍ତି ଆପଣଙ୍କ ଯୋଗ ଓ ବା୍ୟାମ ତଥା ପ୍ରାଣାୟାମ ସବୁ ଯନ୍ତ୍ର ରୋବଟ ଷ୍ଟାଇଲ ପରି. ଗାଁରେ ଉପସ୍ଥିତ ଥିବା ବାବା ପାଟିରୁ ବାହାରି ପଡିଥିଲା ପୁରା ବଗ ତ. ନିଜ କଥାରେ ନିଜେ ଚମକି ପଡି ବାବା ନିଜ କଥାକୁ ପୁନରାବୃତ୍ତି କରି କହୁଥିଲା ବକ ପରି ଧ୍ୟାନ କରୁଥିବା ରୋବୋ ଗୁରୁହିଁ କେବଳ ଅନ୍ୟର ଜୀବନ ବଞ୍ଚାଇ ପାରନ୍ତି. ସେତେବେଳେ ବାବା ଆଖିରେ ସେଦିନ ବଗ କିପରି ଜୀବନ୍ତ ମାଛଟିକୁ ଗଭୀର ଜଳରେ ବଞ୍ଚାଇବାକୁ ଚେଷ୍ଟା କରୁଥିଲା ତାର ଚିତ୍ର ତଥା ଚରିତ୍ର ଆଖିରେ ନାଚୁଥିଲା.