ସ୍ୱାମୀଙ୍କ ଅବସର ଆସିବା ପୂର୍ବରୁ ଭଗବାନଙ୍କ ଦୟାରୁ ପୁଅ ଚାକିରୀ ପାଇ ବାହାଘର ସରିଥିଲା ତ ସୁଜାତା ସବୁବେଳେ ପୁଅ ପାଖେ ରହିବେ ଭାବୁଥିଲେ କିନ୍ତୁ ପୁଅ ପ୍ରତିମାସରେ ବାପା ମାଙ୍କ ପାଖକୁ ଆସୁଥିଲେ ମଧ୍ୟ କେବେବି ତା ସଙ୍ଗେ ଯିବାକୁ ବାପା କି ମାଆଙ୍କୁ କହୁନଥିଲା ବେଳେ ବାପା ଉପରେ ପଡି କହନ୍ତି ମୋର ଆଉ ଅଳ୍ପ ଦିନ ପରେ ଅବସର ଆସିଗଲା ପରେ ମୁଁ ତ ଏକଦମ ଫ୍ରି ହୋଇଯିବି ତ ତୋ ମାଆକୁ ସାଙ୍ଗରେ ନେଇ ତୁ ରହୁଥିବା ସହରକୁ ପ୍ରଥମ ଉଡାଣ କରି ବୋହୁ ହାତ ପରଷା ଖାଇ, ଦିଲ୍ଲୀ ସହର ପରିକ୍ରମା କରି ଆସିବି ବା ମାଆ ତୋର ରାଜି ହେଲେ ସବୁଦିନ ପାଇଁ ରହିଯିବି ତୁ ରହୁଥିବା ଦିଲ୍ଲୀ ସହରରେ. ମାଆ କିନ୍ତୁ ଅଭିମାନରେ ପୁଅକୁ କିଛି କହନ୍ତି ନାହିଁ ବରଂ ନିଜ ଦେହ ଆଉ ଭଲ ରହୁନି କି କାମରେ ମନଲାଗୁନି କହୁଥାନ୍ତି ତ ପୁଅ କହେ ନିଜେ ନିଜ ଶରୀରର ଧ୍ୟାନ ନଦେଲେ ଆସ୍ତେ ଆସ୍ତେ ଦେହ ଖରାପ ହୋଇ ରୋଗ ମାଡିବସିବ. ସୁଜାତାଙ୍କର ଅଭିମାନ ବଢୁଥାଏ. ସ୍ୱାମୀ ନା ଏ କୂଳର ହେବେ ନା ସେ କୂଳର!କହନ୍ତି ତୋ ମାଆ ଯାଉ ନଯାଉ ମୋର କିନ୍ତୁ ପ୍ରଥମ ଉଡାଣ ତୋ ସହର ଦିଲ୍ଲୀକୁ ହିଁ ହେବ. ଏଣେ ଖୋଜୁଥାଆନ୍ତି ଘରଟିଏ. ଶେଷକୁ ଚାକିରୀ ସରିବା ପୂର୍ବରୁ ଭୂତ କୋଠି ଅପବାଦ ନେଇ ଠିଆ ହୋଇଥିବା ଦ୍ବିତଳ କୋଠାଟିକୁ କିଣିନେବାକୁ ସ୍ତ୍ରୀ ସୁଜାତା ରାଜି ହୋଇଗଲେ ଓ ଠାକୁର ଘରେ ଅଖଣ୍ଡ ଦୀପ ଜଳୁଥିଲେ କୋଉ ଭୂତ ପ୍ରେତ ଆଉ ରହିବ ସେ ଘରେ!କହି ଘରଟିକୁ ସ୍ବର୍ଗପୁରୀ ପରି କରିଥିଲେ. ପୁଅ ଏଥର ଏକୁଟିଆ ନଆସି ଆସୁଥିଲା ତା ପରିବାର ସହ. ବୋହୁ ଓ ନାତି ସହ ପ୍ରତିମାସରେ ଥରେ ଆଉ ମାଆ ହାତର ପିଠାପଣା ସହ ଶାଗ ଓ ବଡ଼ିଚୁରା ସହ ପଖାଳ ଲଗେଇ ଖାଉଥିଲା ତ ବାପାଙ୍କ ଗୋଡ଼ ପାଞ୍ଚ ହାତରେ ପଡିଲା ବେଳେ ପୁଅ ସାଙ୍ଗରେ ବନ୍ଧୁଥିଲେ ମାଆ ସୁଜାତା ବଡି, ଅରୁଆଚାଉଳ, ଆରିଶା ପିଠା, ନିମିକି, ଆଚାର ଏମିତି କେତେ କଣ.ବାପାଙ୍କ ଗୋଡ଼ ପାଞ୍ଚ ହାତରେ ପଡି ଘର ଲାଗୁଥାଏ ସରଗପୁରୀ ପରି.
ଏଥର ଗରମ ଦିନେ ଦାର୍ଜିଲିଙ୍ଗ ଯିବାକୁ ଏକାଜିଦ ସୁଜାତାଙ୍କର ତ ସ୍ୱାମୀ ବାଧ୍ୟ ହୋଇ ଟିକେଟ କାଟିଲେ. ପ୍ରଥମ ଉଡାଣ ସୁଜାତାଙ୍କର ପ୍ଲେନରେ ତ ସେ ଖୁବ ଖୁସିରେ ବାହାରୁଥିଲେ ପ୍ଲେନରେ ବସିବାକୁ ତ ଭୁଲିଯାଇଥିଲେ ପ୍ରତିମାସର କୌଣସି ଏକ ଶନି ରବିବାର ଦେଖି ପୁଅ ତା ପରିବାର ନେଇ ଆସି ପହଞ୍ଚିବ. ମନେପକାଇ ଦେବାରୁ ସୁଜାତା କହିଥିଲେ ପୁଅ ଏକୁଟିଆ ଆସୁଥିଲା ବୋଲି ମରିପଡ଼ି, ରୋଗକୁ ବେଖାତିର କରି ରୋଷେଇବାସ କରୁଥିଲି. ଏବେ ତ ସାଙ୍ଗରେ ତା ସ୍ତ୍ରୀ ଆସୁଛି, ବୋହୁ ସବୁ କରିପାରିବ, ଆଉ ଅସୁବିଧା କଣ!ପଡୋଶୀ ଘରୁ ଚାବି ନେଇ ଦୁଇ ଚାରିଦିନ ଚଳିବ କହି ସୁଜାତା ସତକୁ ସତ ପଡୋଶୀଙ୍କୁ ଚାବି ଦେଇ, ତାଙ୍କ ପ୍ରଥମ ଉଡାଣରେ କଲିକତାର ଦର୍ଜିଲିଙ୍ଗ କୁ ଉଡିଗଲେ. ମାଆ କାଳୀଙ୍କୁ ଦେଖି, ସ୍ୱାମୀ ପୁଅଙ୍କ ମଙ୍ଗଳ ମନାସି ଘରକୁ ଫେରି ପଡୋଶୀଙ୍କ ଠାରୁ ଶୁଣିଲେ ପୁଅ ଏଥର ଆସିନି କି ଚାବି କାହାକୁ ଦେବା ଦରକାର ପଡିନି. ମନଟା ଗୋଳେଇ ଘାଣ୍ଟି ହେଲେ ବି ସୁଜାତା କହିଲେ ଏଣିକି ପ୍ରତିମାସରେ ଘରକୁ ନଆସି ନାତିର ପାଠ ପଢ଼ା ଦେଖିବା ଉଚିତ ପୁଅର କିନ୍ତୁ ଘରେ ପଶୁ ପଶୁ ଲେଟରବକ୍ସରେ ହାତ ପୁରେଇ ପାଇଲେ ଚିଠିଟିଏ, ଯୋଉଟା ଥିଲା ପୁଅ ମୁନା ର.
ପୁଅ ଏଇ ପ୍ରଥମ ଲେଖିଥିଲା ଚିଠି, ଯାହା ଦିଲ୍ଲୀରୁ ପ୍ରଥମ ଉଡାଣରେ ଉଡିଆସି ଘରେ ପହଁଞ୍ଚିଥିଲା ତ ଖୁବ ଖୁସିରେ ଚିଠିଟିକୁ ପଢିବସିଲେ ମାଆ ସୁଜାତା. ପୁଅ ଲେଖିଥିଲା. ମାଆ ତୁ ତ ଜାଣୁ ମୁଁ ତତେ କେତେ ଭଲପାଏ. ତୋ ହାତ ରନ୍ଧା ଖାଇବାକୁ ଓ ପଖାଳ ସାଙ୍ଗେ ବଡ଼ିଚୁରା, ଶାଗ ଓ ପାଗ ମୁଁ ଆଉ ପାଏନା ବୋଲି ଥରକୁ ଥର ଉଡାଣ କରି କେତେ କଷ୍ଟରେ ଘରକୁ ଯାଏ. ମୁଁ ତୋର ସେହି ମୁନା, ଯିଏ ଅନ୍ଧାରକୁ ଡରେ ବୋଲି ତୋ ପାଖ ଛାଡେନା. ତୋ ପଣତ ତଳେ ମୋର ସବୁ ସୁଖ ବୋଲି ମୁଁ କଷ୍ଟ କରି ପ୍ରତି ମାସରେ ଘରକୁ ଯାଏ କାରଣ ଆଉ ତୋ ହାତର ସରୁଚକୁଳି, ଛୁଞ୍ଚିପତର, ପୁଳି, ଚିତଉ ପିଠା ସବୁ ଆଉ କାହା ହାତରେ ହୁଏନା କି ଆଶା କରିବା ବୃଥା. ସାମାନ୍ୟ ଅନ୍ଧାରକୁ ଡରୁଥିବା ପୁଅକୁ ତୋର ବାପା ଚାଁହୁଁଥିଲେ ବି ହଷ୍ଟେଲ ଛାଡି ନଥିଲୁ ମତେ , ଆଜି ମୋ ସହ ଆନି ଓ ଟୁକୁନା ମଧ୍ୟ ତୋ ସ୍ପର୍ଶ, ତୋ ଛାଇ ପାଇଁ ବ୍ୟାକୁଳ ମାଆ. ମୁଁ ଜାଣେ ତୁ ଆଉ ପାରୁନୁ କିନ୍ତୁ ତୋ ଠାକୁର ଘର ଏଠି ମୁଁ ତତେ କୋଉଠୁ ଦେବି ମାଆ. ପୁଣି ତୋ ହାତ ବଗିଚାରେ ଫୁଲ, ଶାଗ ଓ ସବୁଜ ପନିପରିବା ଏଠି କୋଉଠୁ ପାଇବୁ ମାଆ. ମାଟି ମୁଠେ ଏଠି କିଣିବାକୁ ମିଳେ. ଆମ ରାଇଜର ଭାଷା, ପର୍ବ ଓ ସଂକୃତି ନପାଇ ତୁ ଏଠି ଯୋଉ କଷ୍ଟ ପାଇବୁ ତାହା ମୁଁ ଦେଖିପାରିବି ନାହିଁ ବୋଲି ତତେ ଡାକେନି ଆସିବାକୁ ମୋ ସହ କିନ୍ତୁ ମତେ କଷ୍ଟ ହୁଏ. ସେ କଷ୍ଟ ଘରେ ପହଁଞ୍ଚି ତୋ ଦୀପ, ଧୂପ ଓ ବନ୍ଦାପନା ଭିତରେ ମତେ ଟିକେ ଶାନ୍ତି ମିଳେ ବୋଲି ମୁଁ ଯାଏ. ସେ ଦୁହିଁଙ୍କୁ ଏ ଅପରିଚିତ ସହରରେ ଏକୁଟିଆ ଛାଡ଼ିବା ଆଉ ସମ୍ଭବ ନୁହେଁ. ମୋ ଯିବା ବେଳେ ଯଦି ତୁ ଓ ବାପା ସେ ଘରେ ନଥିବ କି ଠାକୁର ଘରୁ ଧୂପ, ଦୀପ, ଝୁଣାର ବାସ ଆସୁନଥିବ. ବଗିଚାରେ ଫୁଲ ଗୁଡିକ ମୁଁହଁ ଶୁଖେଇଥିବେ. ଶାଗ ପଟାଳି ଗୁଡିକ ତୋ ହାତର ପାଣି ମୁନ୍ଦେ ପାଇଁ ମତେ ଚାଁହୁଥିଲେ ମୁଁ ହଡବଡେଇ ଯାଉଥିବି. ସେଇଥିପାଇଁ ଶୁନ୍ୟ ଘରେ ଶୂନ୍ୟତାରେ ତୋ ବିନା ଓ ବାପାଙ୍କ ବିନା ଚଳିବାକୁ ମୁଁ ଏଥର ଯାଉନି. ଚିଠିଟିକୁ ପଢି ସ୍ୱାମୀଙ୍କ ହାତକୁ ବଢ଼େଇ ଦେଲା ବେଳକୁ ସୁଜାତାଙ୍କ ଲୁହରେ ଶବ୍ଦ ଗୁଡିକ ଲିଭି ଯାଇଥିଲା ତ ଚିଠିଟିକୁ ପଢି ନପାରି ଚିଠିର ସାରାଂଶ ପଚାରୁଥିଲେ ସ୍ୱାମୀ ତ ସୁଜାତା କହୁଥିଲେ ଦିଲ୍ଲୀକୁ ପ୍ରଥମ ଉଡାଣ ପାଇଁ ଟିକେଟ ବୁକ କରିବାକୁ ହେବ ଆମକୁ.କାରଣ ପୁଅ ଡାକୁଛି.ମୁଁହଁରେ ନୁହେଁ ଚିଠିରେ. ସ୍ୱାମୀ ଫେରିପଡ଼ୁ ପଡ଼ୁ କହୁଥିଲେ ଏତେଦିନ ପରେ ତୁମ ମନ କଥା ପୁଅ ପଢିଛି ତେବେ. ସୁଜାତାଙ୍କ ବାସ୍ପରୁଦ୍ଧ କଣ୍ଠରୁ ବଚନ ସ୍ପୁରୁନଥିଲା.