STORYMIRROR

Sambit Srikumar

Drama Tragedy Others

4  

Sambit Srikumar

Drama Tragedy Others

ଗଙ୍ଗା ସ୍ନାନ

ଗଙ୍ଗା ସ୍ନାନ

2 mins
58

ସେଦିନ ସନ୍ଧ୍ୟାରେ ରାଜଧାନୀ ଦିଲ୍ଲୀର ସବୁ ରାସ୍ତା ମୁହାଁଇଥାନ୍ତି ରାମଲୀଳା ମଇଦାନ ଆଡ଼େ। କହିବା ବାହୁଲ୍ୟ ମାତ୍ର ଯେ, ଜନସମୁଦ୍ର ପୋଲୋଟି ଯାଇଥିଲା ମଇଦାନ ସ୍ୱାମୀଜୀଙ୍କ ଦର୍ଶନ କରିବା ଓ ପ୍ରବଚନ ଶୁଣିବା ସକାଶେ। ଆନ୍ତର୍ଜାତୀୟ ଧର୍ମ ସମ୍ମେଳନରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଜାହିର କରୁଥାଏ ସ୍ୱାମୀଜୀଙ୍କ ସମ୍ମୋହନୀ ବ୍ଯକ୍ତିତ୍ବର ଚମତ୍କାରିତାକୁ।


ପରିଣତ ବୟସରେ ବି ନିଜର ଯୁବ ସୁଲଭ ଚଞ୍ଚଳତା ପାଇଁ ବେଶ୍ ପ୍ରସିଦ୍ଧି ଲାଭ କରିଛନ୍ତି ସ୍ବାମୀଜୀ! ଦେଶ ବିଦେଶର କେଣ ଅନୁକୋଣରେ ସ୍ବାମୀଜୀଙ୍କ ଆଶ୍ରମ ଆଉ ଅଗଣିତ ଅନୁରକ୍ତ ଭକ୍ତ, ଯେଉଁମାନେ ତାଙ୍କୁ ଅବତାରୀ ପୁରୁଷ ମଣିଥାନ୍ତି! ସ୍ୱାମୀଜୀଙ୍କ ଭକ୍ତଙ୍କ ତାଲିକାରେ ଯେହେତୁ ବହୁ କ୍ଷମତାସୀନ ବ୍ୟକ୍ତି ଥାଆନ୍ତି, ସାଧାରଣ ଲୋକଙ୍କ ପାଇଁ ତାଙ୍କ ଦର୍ଶନ କରିବା ଓ ଆଶୀର୍ବାଦ ପାଇବା ବଡ଼ ଦୁରୂହ ବ୍ୟାପାର। ସେଥିରେ ପୁଣି ଲୋଡ଼ା ମୋଟା ଅଙ୍କର ପ୍ରଣାମୀ!

ମୋର ଜନୈକ ପ୍ରଭାବଶାଳୀ ବନ୍ଧୁ, ସ୍ୱାମୀଜୀଙ୍କ ଆଗ ଧାଡ଼ିର ଭକ୍ତ। ସେଥିପାଇଁ ତାଙ୍କର ସୁପାରିଶରେ ମୋର ସ୍ବାମୀଜୀଙ୍କ ସାନିଧ୍ୟ ଲାଭର ସୁଯୋଗ ସହଜରେ ମିଳିଗଲା ସେହି ସମ୍ମେଳନରେ। ବର୍ଣ୍ଣାଢ୍ୟ ଉତ୍ସବରେ ଗୁରୁ ବନ୍ଦନା ପର୍ବର ସମାପନାନ୍ତେ ଆରମ୍ଭ ହେଲା ସ୍ବାମୀଜୀଙ୍କ ଓଜସ୍ବିନୀ ସାରଗର୍ଭକ ପ୍ରବଚନ! ସମବେତ ଅଗଣିତ ନର ନାରୀ ମନ୍ତ୍ରମୁଗ୍ଧ ହୋଇ ପ୍ରବଚନାମୃତ ଶ୍ରବଣରେ ତଲ୍ଲୀନ ହୋଇଯାଇଥାନ୍ତି।


ସ୍ବାମୀଜୀ ତାଙ୍କର ଭକ୍ତମାନଙ୍କୁ ଅତ୍ୟନ୍ତ ସରଳ ସାବଲୀଳ ଭାଷାରେ ବୁଝାଉଥାନ୍ତି: "ଗଙ୍ଗା ସ୍ନାନ ଦ୍ଵାରା ଶରୀର ପବିତ୍ର ହୋଇପାରେ, ମାତ୍ର ପାପ କ୍ଷୟ ହୁଏ ନାହିଁ। ପାପ, ଆମର ବିଚାର କରିଥାଏ, ଶରୀର ତ ବାହକ ମାତ୍ର। ପତିତପାବନୀ ଗଙ୍ଗା ଶରୀରକୁ ପୂତ କରିଥାନ୍ତି, ବିଚାରକୁ ପବିତ୍ର କରିବା କାମ ଆମର ହେବା ଉଚିତ୍ । ଶୁଦ୍ଧ ବିଚାର ବିନା ଶରୀର ଶୁଦ୍ଧ ହୋଇପାରିବ ନାହିଁ। ସାତ୍ତ୍ୱିକ ଭୋଜନ, ସାତ୍ତ୍ୱିକ ବିଚାରକୁ ଜନ୍ମ ଦେଇଥାଏ। ଏହା ସତ୍ତ୍ୱେ ସ୍ଥଳବିଶେଷରେ ପାପାଚାର ହୋଇଥାଏ। ଅତଃ ଆହାର ବିହାର ବିଚାର ଠାରୁ ଶୁଦ୍ଧ ଅନ୍ତଃକରଣର ଆବଶ୍ୟକତା ରହିଛି, ଯାହା ବାହ୍ୟ ଆଡ଼ମ୍ବର ବିହୀନ ହେବା ଜରୁରୀ..."

ମୋ ପରି ନାସ୍ତିକ ଏଥିରୁ ବିନ୍ଦୁ ବିସର୍ଗ ବି ବୁଝି ପାରୁନଥିଲା, ଅଗତ୍ୟା ବିରକ୍ତିରେ ବସାକୁ ଫେରିଗଲି କାର୍ଯ୍ୟକ୍ରମ ଅଧାରୁ। କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ମୋ ମନର ନିଭୃତ କୋଣରେ ସ୍ବାମୀଜୀଙ୍କ ସେହି ଗୁରୁ ଗମ୍ଭୀର ଅମୃତବାଣୀ ଅନବରତ ଗୁଞ୍ଜରିତ ହେଉଥିଲା। ସ୍ୱାମୀଜୀଙ୍କ ପ୍ରତି ମୋର ପ୍ରଗାଢ଼ ଭକ୍ତି ଓ ସମ୍ମାନ ସ୍ଵତଃ ଜାତ ହେଉଥିଲା।

କିଛି ଦିନ ଅନ୍ତରରେ ଦିନେ ସକାଳେ ଏକ ବହୁଳ ପ୍ରଚାରିତ ଇଂରାଜୀ ଖବରକାଗଜର ପ୍ରଥମ ପୃଷ୍ଠାର ଶିରୋନାମା ଦେଖି ମୁଁ ଆକାଶରୁ ଖସି ପଡୁଥିବା ପରି ଅନୁଭବ କରୁଥିଲି। ସ୍ବାମୀଜୀଙ୍କ ଉପରେ ଥିବା ମୋର ସମସ୍ତ ଆସ୍ଥା ତୁଟିବାରେ ଲାଗିଥିଲା। ତଥାକଥିତ ସ୍ବଘୋଷିତ ଧାର୍ମିକ ବ୍ଯକ୍ତି ବିଶେଷଙ୍କ ଉଚ୍ଚାରଣ ଓ ଆଚ୍ଚରଣର ପାର୍ଥକ୍ୟ ଅନୁଭବ ହେଉଥିଲା ପ୍ରାଞ୍ଜଳ ଭାବେ। ମୋ ଆସ୍ଥା ସହ ବିଶ୍ୱାସଘାତ ହେଲା ପରି ଲାଗୁଥିଲା ମୋତେ...

ଦୁଃସମ୍ବାଦର ମର୍ମାନୁବାଦ - "ସ୍ୱାମୀଜୀଙ୍କ ପାତାଳୀ ବିଜେ!!!" ନ୍ୟୁୟର୍କରେ ଥିବା ନିଜ ଆଶ୍ରମର ଅନ୍ତେବାସୀଙ୍କ ସହ ଅସଦାଚରଣ ଓ ଶାରୀରିକ ନିର୍ଯାତନା ଦେବାର ସଙ୍ଗୀନ୍ ଅଭିଯୋଗରେ ସ୍ବାମୀଜୀଙ୍କ ନାମରେ ରେଡ୍ କର୍ଣ୍ଣର୍ ନୋଟିସ୍ ଜାରି କରିଛି ଇଣ୍ଟରପୋଲ୍ ଆଉ ସ୍ବାମୀଜୀ ହୋଇଯାଇଛନ୍ତି ଅନ୍ତର୍ଦ୍ଧାନ ।



Rate this content
Log in

Similar oriya story from Drama