#ଗଳ୍ପ: ପିଙ୍କ୍, ଗ୍ରେ ଆଣ୍ଡ ଡାର୍କ
#ଗଳ୍ପ: ପିଙ୍କ୍, ଗ୍ରେ ଆଣ୍ଡ ଡାର୍କ


ମୁଁ ଅନିମେଶ୍ ।ଅନିମେଶ୍ ଚୌଧୁରୀ ।
ଇଏ ମୋ ବାପା ,ଶ୍ରୀକାନ୍ତ ଚୌଧୁରୀ ।ସମସ୍ତେ କୁହନ୍ତି ମୁଁ କାଳେ ତାଙ୍କ ବାପାଙ୍କ ପରି, ସଂପୂର୍ଣ୍ଣ ।ମାନେ ଚେହେରା ,ରୁଚି ଆଉ ଥାଟରେ ।ମୋ ଦାଦୁଙ୍କୁ ଦେଖିବା ମୋର ମନେ ନାହିଁ, କିନ୍ତୁ ଏଇ କଥା ଶୁଣି ଶୁଣି ମୁଁ ଆପେ ଢଳିଗଲି ସେଇ ତାଙ୍କରି ପରି ଆଉ ମୋ ବାପାଙ୍କୁ ମୋ ପୁଅ କରିଦେଲି ଅଜାଣତେ ସମୟ ସାଥେ ତାଙ୍କ ବାପାଙ୍କ ପରି ମୁଣ୍ଡ ର ଭାଙ୍ଗ,ଚସମା ଓ ଧୋତି ପିନ୍ଧା ଶୈଳୀ ସହ ଯୋଡିନେଇ ।ଦେଖିଲି ଅତିଶୟ ଶାନ୍ତ ଓ ବହି ପଢାରେ ଦିନକର ଅଠରଘଣ୍ଟା ସାରୁଥିବା ବାପା ବି ତୃପ୍ତ ଥିଲେ ....ସୁନା ପରି ମୋର ସବୁ କଥାକୁ ମାନିନଉଥିଲେ ଏ ବୟସରେ ।
ମଣିଷ ଖାଲି ତା' ମଝି ବୟସ ଟିରେ ଯାହା ଦର୍ପ ରେ ଜୀଏଁ ନା ,ନହେଲେ ଆରମ୍ଭ ଶେଷ କୁ ତ ମା,ବାପା ର ହାତ ପରସ ଖୋଜେ ହି ।ଚଉରାଅଶି କଣ କମ ଲେଉଟା ଫରଦ ସବୁ କି ! ସେ ଏବେ ମାନି ନେଇଥିଲେ ମୁଁ ହି ସେଇ ....ପୁନର୍ଜନ୍ମ ତାଙ୍କ ପିତାଙ୍କର ।ତାଙ୍କ ଆଖି ର ଶବ୍ଦ ସବୁ କଥା କୁହେ ।କୁହନ୍ତି ନା , ମନର ସୂଚୀ ପତ୍ର ମୁହଁ ରେ ।
ପଢିବା ସମୟ ଛଡା ମତେ ଦେଖିବା ତାଙ୍କର ରୁଟିନ୍ ବନ୍ଧା କାମ ।ଆଜିକାଲି ଆଉ ଶରୀର ଉପରେ ନିଜର ଜୋର ରହେନି .....ତିନି ବରଷର ସଫଳତା ନିଜେ ବାଥରୁମ୍ ପାଇଁ କହିପାରିବା, ପାଖାପାଖି ଅଶି ରେ ବି ସେୟା ହି ସଫଳତା ରେ ଯାଏ ।
ଯା' ହଉ ପାଦହାତର ଦମ୍ଭ ଏ ଯାଏଁ ଦଇବ ହରିନି, ଯାଆନ୍ତି, ଆସନ୍ତି, ଖୋଇଦେଲେ ଖାଇଦିଅନ୍ତି, ମୁହଁ ଧୋଇପୋଛି ଦେଲେ ଶୋଇଯାନ୍ତି ।ଧଡପଡ ଉଠି ପଡି ଅଧାପଢା ବହି ସାରନ୍ତି ।ମା' ଥିଲେ ବି ମତେ ହି ଖୋଜନ୍ତି ସବୁ କଥାରେ .....ମୁଁ କଲେଜ ରେ କ୍ଲାସ୍ ନେଇ ଆସିବା ଯାଏ ।
************
ମା' ।ହଁ ଆଉ ଇଏ ମୋ ମା ।ବାପାଙ୍କୁ ଆଉ ମତେ ଦେଖେ ।ଦେଖୁଥାଏ ।ତା ' ଆଖି ଧାରା ବିବରଣୀ ବଖାଣେ ....... ବାପା କେମିତି ଓଠ ଦିଟା ଭିତର ପଟକୁ ଲେଉଟେଇ ଜୋର୍ ଚାପି ଧରି ବସିଲେ ଖାଇବେନି ବୋଲି , ଘର ସାରା ଚାରିଥର ଅସନା କଲେ, ତା' ବୋହୁ କିଲିବିଲି ହେଲା।ମୁଣ୍ଡ କୁଣ୍ଢେଇବାକୁ ନ ଦେଖେଇ ହାତ ଆଉ ପାନିଆଁ ପେଲିଲେ ।କଲମ ପଡିଗଲା ଖଟ ତଳେ ବୋଲି ପଶି ଆଉ ବାହାରିଲି ପାରିଲେନି ।ଗଁ ଗଁ ହେଲେ ।ଟଣା ହେଇ ବାହାରିଲେ .....ଏତେ ଜୋର୍ କାହାର ବଳୁଛି ଯେ ଆଉ ।
ନିତି କିନ୍ତୁ ଦୀପ ଜାଳୁଥାଏ ତେଜି ତେଜି ।ଘିଅ ସରିବାକୁ ଦିଏନା ।ଅଖଣ୍ଡ କରି ଜାଳେ ବାରମାସୀ .... ଛୋଟ ଯଜ୍ଞ ଟେ ପରି ଜଳୁଥାଏ ଶିଖା ତୋଳି ଠିକ୍ ମା'ର ମଥାର ଲାଲି ଟି ପରି ।
ମା' ମାନେ ସିଏ ସମସ୍ତଙ୍କର ମା' ।ଖାଲି ମୋର ଝିଅ ।ସବୁ ଅଳି ଅଝଟ ନ କଲେ ବି ବାପା ଙ୍କୁ ଆଉ ମତେ ନେଇ ସୁଖି ହୁଏ ।କହେ ଏ ଘୋର କଳି କାଳେ ତୁ ମୋର ଶ୍ରବଣ ରେ ଅନିମେଶ୍ ।ନ ହେଲେ ଏ ଲୋକ ର ଏତେ କିଏ ପାରନ୍ତା ।ହଁ, ବେଳେବେଳେ ତା' ବୋଉମା କୁ ବାପା ବେଶୀ କାମ ଲଗଉଛନ୍ତି ବୋଲି ମିଛ ରାଗ ଦେଖାଏ ।ବୋହୁ ପଟିଆ ହୁଏ ।ନିରୂପା ବି ମା,ମା କରୁଥାଏ ଘୋଷା ପରି ।
*****************************************
ମା' ,ବାପା, ଘର ସମସ୍ତଙ୍କୁ ଯତ୍ନ ରେ ସମ୍ଭାଳି ନିଏ ଇଏ ପୋଷା ଶାରୀ ଟେ ପରି ।ମା'ର ଠାକୁର ଘର ,ବାପାଙ୍କ ଚସମା,ଦିହିଁଙ୍କ ଔଷଧପତ୍ର ,ମୋର କଲେଜ ପିଲାଙ୍କ ସରପ୍ରାଇଜ୍ ପରୀକ୍ଷା ଖାତା ,ଲାଲ୍ପି ର ବଲ୍, ମୋଜା, ସ୍କୁଲ ଫ୍ରକ୍, କ୍ରେଅନ୍, ପ୍ରୋଜେକ୍ଟ,ଟିଉସନ୍, ଲଞ୍ଚ ବକ୍ସ, ପିଙ୍କ ହେୟାର ବ୍ଯାଣ୍ଡ, ତା ଫେଭରେଟ ବାର୍ବି ର ସୁଜ୍ ,ରୋଷେଇ ଥାକର ତେଲ,ଲୁଣ,ଶୋରିଷ, ଫୁଟଣା, ମରିଚ ସବୁ କୁ ଗୋଟେ ସୂତା ରେ ଗୁନ୍ଥି ମାଳା କରିଥାଏ ନିରୂପା ।
ନିଜେ ଗୋଟେ ଘିର୍ ଘିର୍ ବୁଲୁଥିବା ଘଣ୍ଟା ପରି ସମୟ କୁ ଟପି କାମ ସବୁ ସାରୁଥାଏ ଶିଘ୍ର ଶିଘ୍ର .....ତା' ଥେସିସ୍ କାମ ,ଲେଖାଲେଖି ପାଇଁ ମିନିଟ୍ କେତୋଟିକୁ ଗୋଟେଇବା ପାଇଁ ।
ତୋଳିନିଏ କୋଳରେ ମୋର ସବୁ ଦାୟିତ୍ୱ, ମୋ ସାଥିରେ ଥାଇ ।
ସେ ଆଜି କାଲି ମୋ ମା ' ଆମ ପିଲା ଦିନେ ଯେମିତି ଥିଲା ସେମିତି ଲାଗେ ।
************************************
ମୋ ଗୋଲାପି ଲାଲ୍ପି .....ଡେଣାଲଗା କଣ୍ଢେଇ ।ହେଇ ତ ....ତା'ଜନ୍ମ କଥା ମୋର ମନେଅଛି ।ଟୁକ୍ ଟୁକ୍ ଚାହୁଁଥିଲା ଠେକୁଆ ପରି ।
ଫୁକ୍ ଫୁକ୍ କି ଡେଉଁଥିଲା ଘର ସାରା ତା ମା 'ର ଓଢଣୀ ଟେ କାନ୍ଧରେ ବାନ୍ଧି ଦେଢ ବର୍ଷ ରେ ।ଉଡିଯାଉଥିଲା ସ୍ବପ୍ନ ସବୁ ସହ ।
ହେଇ ତ ସ୍କୁଲ ଗଲା, ଅ,ଆ ଲେଖିଲା ।କି ଗୋଲ ଗୋଲ ଅକ୍ଷରରେ ତା'ର .....ଠିକ୍ ତାର ଆଖି ପରି ।
ବାସ୍ ଏଇ ଏଇ ବୋଲି ପଞ୍ଚମ ହେଲାଣି ।ଏବେ ପାଠ ପଢେ, ଛବି ଆଙ୍କେ, ଗୀତ ଶିଖେ, ଓଡିଶୀ କରେ ।ବାପ୍ ରେ, କୁନି ପାଦ ଟା .....ରାତିକୁ ଥକା ପଡି ଚୁର୍ ହୋଇ ଶୋଏ .....କହେ ,ବାବା ପାଦେ ଭୀଷଣ ବ୍ଯଥା ।ଆଉଁସି ଆଉଁସି ଉଷୁମ ଶୋରିଷ ତେଲ ରଶୁଣ ଛେଚା ପକା ଘସିଦେଲେ କୁହେ, ଆସ ଦେଖାଅ ତୁମ ପାଦ ତ,ଟିକେ ଘସିଦିଏ ।ତୁମେ ବି ତ ସାରା ଦିନ ଖଟୁଛ ।
ଆଖି ଆପେ ଭରିଯାଏ, ତାର ଏତେ କୁନି ପାପୁଲି ମୋ ପାଦ ଛୁଇଁଲେ ।କହେ ,ଧେତ୍ ଏତେ ବଡ ହେଲଣି, ଏତିକି ଉଷୁମ ତେଲ ଟା ସଜ୍ଯ କରିପାରନା କି ।ମୁଁ ତୁମର ଠାକୁମା' ଜାଣ ତ ? ମୋ ପାଇଁ କାଲିକୁ ଯାହା ବରାଦ ସବୁ ଆଣିବାକୁ ହବ ।
ଆମେ ଦିହେଁ ହସୁ ।ଘର କାନ୍ଥ ବି ।
*****************
ଇଏ ମୋର ଛୋଟୁ ମା' , ସଂଭ୍ରାନ୍ତ ସମ୍ପନ୍ନ ଜମିଦାର ପୁରୁଖା ଘରର ସାନବୋଉମା ।ସାନବାବା ଙ୍କ ପରେ .....ସେ ତପସ୍ବିନୀ ।
ଦିଦି ଦିଦି କରି ମା'ର ଫୁଲା ଆଣ୍ଠୁ ରେ ତେଲ ମାଲିସ ଦବା, ଲାଲ୍ପି କୁ ଲାଲ୍ ପରୀ ଗପ ର ଲାଲ୍ ରଙ୍ଗ ମାଖିବା, ନିରୂପା ର ଆଲୁରା ଲମ୍ବା କେଶରାଶି କୁ ରାଶି ତେଲରେ ଭିଜେଇ ପାତଳେ ଘଷିବା,ବାପା ଙ୍କୁ ଦେଖିଲେ ହାତେ ଓଢଣୀ ଟାଣି ଗୋଟେ କଣ କୁ ଘୁଞ୍ଚିଯିବା ଛଡା ଏକାଦଶୀ ନିର୍ଜଳା, ବଡାଭାତ ରନ୍ଧା, ଆଉ ଦିନ ଦିନ ସାନବାବା ଙ୍କର ବାହାବେଳର କଳାଧଳା ଏକମାତ୍ର ଫଟୋ ଟି ପାଖେ ମନନ କରିବାରେ ତାଙ୍କର ସୂର୍ଯ୍ୟ ଉଦି ଡୁବନ୍ତି ପୂରବ ରୁ ତା'ର ବିପରୀତ ଯାଏ ।
****************
ଏତିକି ଏବେ ।ମୋର ପାଞ୍ଚ ପ୍ରାଣୀର ମୋଟାମୋଟି ଆର୍ଶିବାଦ ଭରା କୁଟୁମ୍ବ ଟି ।ମା,'କହେ ଦୁର୍ଗା ଦୁର୍ଗା ।ସେ ହି ପଣତ ଘୋଡେଇ ରଖିଛି ।
ଭଉଣୀ ଟି ଏ ବି ଅଛି ,ଦୂର ବିଦେଶରେ ।ମା'ପରି ହି ବଡ ଦିଦି ମୋର ।ଗଛର ଡାଳଟି ନା ଅପହନ୍ଚ ଦୂରତାରେ, କିନ୍ତୁ ଫୁଲଟି ତ ଆମର ନା ।ତା'କଥା ନ କହିଲେ ଭରାପୁରା ପରିବାରର ଗୋଟେ କାନି ଟିକେ କଟିଯିବ ଯେ ।ସେଠିକା ତା' ସଂସାର .....ଏଠିକା ତା'ର ଆତ୍ମା ।
***************
ମୁଁ ଅନିମେଶ୍ ।ଅନିମେଶ୍ ଚୌଧୁରୀ ।
ଏଇ ଏଇଠି, ଏଇ ସହର ଗୋଟେ ଘରୋଇ ମହାବିଦ୍ୟାଳୟ ରେ ଅଧ୍ୟାପକ ଚାକିରି ଟେ ସାଙ୍ଗରେ ରହିବାକୁ ଏଇ ଭଡା ଘର ଟି ଆଉ ପାଣି ପବନ ଦେଇଛି ।ଆମେ ୟାକୁ ମା'ଭାବିଛୁ ,ପରିବାର ନେଇ ।
****
ଆଉ ଥରେ ମୂଳରୁ କହେ ,ଚିହ୍ନାଏ ଜଣ ଜଣ କି ସମସ୍ତଙ୍କୁ ।ଠିକ୍ ଏଗାର ଦିନ ତଳୁ ଆଜି ଯାଏ ।
ଇଏ ମୋ ବାପା ,ଶ୍ରୀକାନ୍ତ ଚୌଧୁରୀ ।ସେମିତିରେ ଶାନ୍ତ ......ଏବେ ପାଟି ମୁକ ହେଇଯାଇଛି ।ଖାଇବା, ପିବା ନାହିଁ ।ଘଡିକି ଘଡି ମୁର୍ଛା ଯାଉଛନ୍ତି ବୋଲି ଦି ଦିନରୁ ଆଇ ସି ଇୟୁ ରେ ।ହୋସ୍ ଆସୁଛି ,ଆସୁନି ।
ଆଖି ପଲକ ପଡୁନି, ଆକାଶ କୁ ତାଟକା ହେଇ ଚା ....ହିଁ ....ଛି ଗଲା ଇଏ ମୋ ମା '।ମେଡିକାଲ ଭିତର ବେଞ୍ଚ ରେ ବସିଲାଣି ଦି ଦିନ ଦି ରାତି ହେଲାଣି ।ଦି ଢୋକ ପାଣି ବି ପାଟିକି ନେଇନି, ଜଣକୁ ଅନୁମତି ଦେଇଛନ୍ତି ମେଡିକାଲ ଅଥରିଟି, ରହିବାକୁ ସେ ଅଛି ।ଯିଏ ବାହାରୁଛି ମୁଣ୍ଡ ଟେକି ଚାହିଁ ମୁହଁ ପୋତୁଛି, ନର୍ସ ଟେ ଦିଶିଲେ ଦଉଡି ଯାଇ ହାତ ଯୋଡି କାକୁତି ହେଇ ଫେରି ଆସୁଛି ।ପୁଣି ଦି ତିନି ଘଣ୍ଟା ଯଥା ପୂର୍ବଂ, ତଥା ପରଂ ।ସତୁରୀ ଟପିଲାଣି, ନିଜର ଟିକେ ଯତ୍ନ ନବନି ନା ।ନା' ସେ ଶୁଣେନା ।ବାପା ଙ୍କଠୁ ବାର ବର୍ଷ ରେ ଛୋଟ ସେ ।
ଶହେ ଥର କହିଲିଣି ଯା ଟିକେ କଣ ଖାଇଆ, ମୁଁ ବସିଛି ।ଶୁଣୁନି ।ତା'ମୁହଁ କୁ ଚାହିଁ ହଉନି, ମଥାର ସେ ଲାଲି ଟି ଛଡା ସବୁ ମଉଳି ଖସିଛି ।
ବ୍ଯାଙ୍କ୍ ର ସବୁ ସେଭିଙ୍ଗ୍, ଇନ୍ସୁରାନ୍ସ ଏ ମେଡିକାଲ ଦାଖିଲା କୁ ସେମିତି ରେ ନିଅଣ୍ଟ ତା'ଉପରେ ପୁଣି ଔଷଧ, ଇଂଜେକସନ ଅଛି ।
*****
ଇଏ ନିରୂପା ,ମୋ ରାଣୀ ।ଗୋଟେ କୋଣରେ ଲାଖିଛି ଯେ ଲାଖିଛି ।କୁଆଡେ ଚାହିଁଛି, କଣ ଭାବୁଛି କି କିଛି ଭାବୁନି ମୋ ମୁଣ୍ଡ ବାହାରେ ।
ଆଉ ରାଣୀ ପରି ଦିଶୁନି ମ ,ପାଗଳୀ ପରି ଦିଶୁଛି ।କେଶ ,ବାସ କୁ ହେଜ ନାହିଁ।ପ୍ରତିମା ପରି ପଡିରହିଛି ।
ଏଇ ଏଇ ରେ ,ମୋର କୁନି ମା ଲାଲ୍ପି, କାଇଁ ରେ ଏତେ ଝାଉଁଳା ଝାଉଁଳା ଲାଗୁଛି ......କଣ କିଛି ଖାଇଛି କି ନା ରେ ।କଣ ଯେ କହିବ ଏ ନିରୂପା କୁ ,କି ମା ଟି ଯେ ! ପିଲା ଟି ମଉଳା ଫୁଲ ପରି ଦିଶିଲାଣି, ନିଘା କରିବନି ନା ଟିକେ, ଏ କି ଅଦାଇତ୍ବ କଥା !!କେବେଠୁ ଝିଙ୍କୁଛି ମା ମା କହି, ଇଏ ଯେ ନିଥର ପରି ହଲୁନି ହି ।ଆରେ ନିରୂପା ଉଠ ନା ,ଝିଅ ଡାକୁଛି ପା ।ଉଠ ।ଏ ବି ମା ପରି ଶୁଣୁନି ମୋ କଥା ଆଉ ।
ଏଇ ତ ଛୋଟୁ ମା ,କେତେ ବେଳୁ ଲୁଗାକାନିରେ ସବୁବେଳେ ଝରୁଥିବା ଲୁହକୁ ଲିଭେଇ ଲିଭେଇ ଚଟକା ଥାଳି ଟାରେ ବଢାଭାତ ଦିଟା ଧରି ଲାଲ୍ପି କୁ ଭିଡୁଛନ୍ତି ଖୋଇଦେବା ପାଇଁ ।ନିଜେ ବୋଧେ ପୂଜା ସାରିନାହାନ୍ତି, ଦେଖିଲେ ଇ ଲାଗୁଛି ।
ଛୋଟୁ ମା ତୁମେ ଖାଇଛ ନା ?? ଆରେ ମୋ କଥା ର ଉତ୍ତର କେହି କାଇଁ ଦେଉନି ??
ଏଇ ତ ଦିଦି ର ନାଁ ଟି ଫ୍ଲାସ୍ କରୁଛି ମୋର ଫୋନ୍ ସ୍କିନ୍ ଟା'ରେ ।ଦଶବାର କରୁଛି, କଟୁଛି, ପୁଣି କରିଚାଲିଛି ।ବ୍ଯସ୍ତ ହଉଛି ନିଶ୍ଚେ ।ସେ ବାପା ଙ୍କ କଥା ମୋ କଥା କିଛି ବି ତ ଜାଣେନା ।ଏଗାର ଦିନରୁ କେହି ତ ତା'ଫୋନ ରିସିଭ୍ କରି ହି ପାରୁନୁ ଆମେ ।ବ୍ଯସ୍ତ ହବା ତ ସ୍ବାଭାବିକ ହି ।
***
ହେଇ ତ ,ମୁଁ ସେଦିନ ଟିକେ ଅସୁସ୍ଥତା ,ଦୁର୍ବଳତା କାରଣେ ଡାକ୍ତର ଦେଖେଇ ଆସି ଘରେ ବାପା ଙ୍କ ନିତ୍ଯକର୍ମ ସରେଇ ହାଲିଆ ଲାଗିବାରୁ ଗଡି ପଡିଥିଲି କାଠ ବେଞ୍ଚ ଟିରେ ।ନିରୂପା ପଚାରୁଥିଲା ଖାଇବା କଥା, ତ ତାକୁ ଟିକେ ଲେମ୍ବୁ ସର୍ବତ ପାଇଁ କହିଲି ।ଢୋକେ ପିଇଛି କି ନା ,ଲାଗିଲା ବାସ୍ ଶୋଇଯିବି ।
ପରେ ଉଠି ଦେଖେ ମୋର ଜଣେ ଭଲ ବନ୍ଧୁ ଉଚ୍ଚ ପଦସ୍ଥ ମିଲିଟାରୀ ଚାକିରିଆ ବାବୁ ସେ ,ତାଙ୍କ ପାଖକୁ ଜଣେ ଡାକ୍ତର ବନ୍ଧୁ ତାଙ୍କର ,ମେଡିକାଲ ଷ୍ଟାଫ୍ ପରି ଦିଶୁଥିବା ଦି ଜଣ,ଆମ୍ବୁଲାନ୍ସ ଗାଡି, ଟିକେ ଦୂରକୁ ନିରୂପା ଆଉ ଲାଲ୍ପି ।ଆରେ ଏ କଣ ?? ଲାଲ୍ପି ହାତରେ କଣ ଏ ମସାଲ ପରି ଜିନିଷ ଟା ଧରିଛି?? କି ଯେ ବୁଦ୍ଧି ସବୁ ।କେହି କାଇଁ ରୋକୁନି?? ସାନ ପିଲା ହାତରେ ଏ ସବୁ କିଏ ଦିଏ ଆଗେ??
ଏଇ ତ ଲାଲ୍ପି ଆଗକୁ ଆସୁଛି, ଆରେ ର ହ ମା ର ହ ।ଇସ୍ ...... ମୋ ପରି ସେଠି କିଏ?? ଯାହା ମୁହଁ ରେ ଲାଲ୍ପି ଛୁଏଁଇ ଦେଲା ସେ ଜଳନ୍ତା ମସାଲ ଟା ???ନିରୂପା କୁ କିଏ ଧରରେ, ସେ ଖସିପଡୁଛି ।
ନିରୂପା, ନିରୂପା
ଆରେ ନିରୂପା ଶୁଣ, ଉଠ ।
ମୁଁ କାଇଁ ଧରି ହି ପାରୁନି ଯେ ।
*****************
ସେବେଠୁ ମୁଁ ଘର ମେଡିକାଲ, ମେଡିକାଲ ଘର ହଉଛି ।କେହି ବୁଝୁନାହାନ୍ତି ।
ଆଜି ମୋର ଦଶାହ କର୍ମ ।ମଣିଷ ର ଷୋଳ ସଂସ୍କାର ର ଶେଷ କୃତ୍ଯ ଟି ।।କିନ୍ତୁ ମା' ବାପା ତ ମେଡିକାଲ ରେ......ନିରୂପା, ଲାଲ୍ପି ତ ଜଡ ।
ଏଇତ ଛୋଟୁମା'।କୁନି ଲାଲ୍ପି ହାତରେ ପତ୍ର ରେ କଣ ଦିଟା ବାଢି ବାରିଆଡେ ରଖଉଛନ୍ତି, ହଁ ହାଣ୍ଡିଟେ ଆଣିବାକୁ ଯିବ ବି କିଏ ଯେ ।ଆସିବ କୋଉଠୁ ।
ଆରେ ଆରେ ଆରେ ! ଆଶ୍ଚର୍ଯ୍ୟ ।ମୁଁ ଗୋଟେ ଗୁଣ୍ଡଚି ଦିଟା କାଉ,ଗୋଟେ ବୁଲା କୁକୁର, ଗହଳାଏ ଲାଲି ଢେଗା ପିମ୍ପୁଡି,ରେ ପରିବର୍ତ୍ତିତ ହେଇଯାଉଛି କେମିତି ଆପେ ଆପେ ।ମୋ ଦେହ ବାଣ୍ଟି ହେଇଯାଉଛି ସତ୍ତା ସତ୍ତାରେ ।ହାଲକା ଲାଗୁଛି ।
ମୁଁ ମିଳେଇ ମିଶି ଫିଟି ଯାଉଛି ଲାଲ୍ପି ହାତ ରୁ ପାଣି ପି ,ଯାହା ବାଢିଥିଲା ହଜାର ମୁହଁ ରେ ପାଇ ।ରୁହ ରୁହ ......ଟିକେ ।ବାପା ଡିସ୍ଚାର୍ଜ ହେଇଯାନ୍ତୁ ନା ,ନିରୂପା ଉଠୁ ସେଠୁ ଟିକେ ....ସଜାଡି ହେଉ ।ଦିଦି ର ଫୋନ୍ ଟା ଟିକେ ରିସିଭ୍ କରିନିଅ କିଏ ! ମୋ ଲାଲ୍ପି ଟା ସତ ଲାଲ୍ ପରୀ ହେଇଯାଉ ରେ ।ରୁହ ତ ସେ ଯାଏ ......ରହିପାରିବ କି ????
ଆଉ କିଛି ନ ଥିଲା ,କେହି ନଥିଲେ ........ ମତେ ଖାଲି ମୋରି ଲମ୍ବି ଥିବା ହାତର ଶେଷ ଟି ଦିଶୁଥିଲା ।
ଶେଷକୁ ଆହୁରି
ଶେଷକୁ ।
ସରିଗଲା ।
ଅନିମେଶ୍ ।ଅନିମେଶ୍ ଚୌଧୁରୀ କିଏ ??