ଘରଭଡା
ଘରଭଡା


ସହକର୍ମୀ ଅନିତା ସାମନ୍ତରାଏଙ୍କର ସବୁବେଳେ ସେ ଭଡା ଥିଵା ଘରମାଲିକ ବିଷୟରେ ଆଲୋଚନା ମତେ ଯେତିକି କ୍ଷୁବ୍ଧ କରେ ସେତିକି ମର୍ମାହତ. କୋଉଦିନ ତାଙ୍କ ଘରେ ମାଂସ ତରକାରୀର ବାସ୍ନା ଆସୁଥିଲା ହେଲେ ଏଙ୍କ ପିଲାଟାକୁ ତରକାରୀ ଗିନାଟାଏ ଦେଲେନି ତ କୋଉଦିନ ତାଙ୍କ ବୋହୁଘରୁ ଆସିଥିବା ଭାର ତାଙ୍କୁ ଅଧିକା ଦେଇନଥିଲେ ତ କୋଉଦିନ ପିଲାଟାକୁ ତାଙ୍କର ରଖିବାକୁ ରାଜି ହେଲେନି, ସେ ଟିକେ ବାପଘର ବୁଲିଆସିଥାନ୍ତେ ଗତ ରବିବାର ଇତ୍ୟାଦି.
ଥରେ ଥରେ ମୁଁ ପଚାରିଦିଏ ଆପଣ ମାଂସ କଲେ ତାଙ୍କୁ ଦିଅନ୍ତି??? ତ ତା ଉତ୍ତର ରେ ସେ କୁହନ୍ତି ଆମେ ବାପ ମାଆ ଛୁଆ ତିନି ଜାଣ, ଆମେ କେତେ ମାଂସ ଆଣିଥିବୁ ଯେ ତାଙ୍କୁ ଦବୁ, ସେ ସିନା ବଡ ପରିବାର ଦେବା କଥା !ପୁଣି ମୁଁ ଦିନେ ଦିନେ ପଚାରିଦିଏ ଆପଣଙ୍କ ଛୁଆ ପିଲାଦିନୁ ତାଙ୍କ ଘର ହେପାଜତ ରେ ରୁହେ ତ ଆପଣ ସେଥିପାଇଁ ବିବେକାନୁମୋଦିତ କିଛି ଦିଅନ୍ତି ତାଙ୍କ ପରିବାରର ଝିଅ ବୋହୁ ଙ୍କ ଲାଗି??? ତ ଉତ୍ତର ଦିଅନ୍ତି ଅନିତା ସାମନ୍ତରାଏ, ଏମିତି କଣ କହୁଛନ୍ତି ଯେ ଛୁଆ ଟାର ଗୁଲୁଗୁଲିଆ କଥା ବାର୍ତ୍ତା, କାର୍ଯ୍ୟ କଳାପ ରେ ସେମାନେ କେତେ ଖୁସି ପାଉଥିବେ !
ଆଉ ଅଧିକା କିଛି ପଚାରିବାକୁ ଉଚିତ ମନେ ନକରି ମୁଁ ଚୁପ ରୁହେ ସତ ହେଲେ ନିଜ ଘର ଭଡା ଦେବାକୁ କେବେ ବି ଇଚ୍ଛା କରେନି. ଏଵେ ଝିଅ ତା ଶାଶୁଘରେ, ପୁଅ ବାହା ହୋଇ ବୋହୂକୁ ନେଇ ଚାଲିଗଲା ପରେ ଆମେ ସ୍ୱାମୀ ସ୍ତ୍ରୀ ଦୁଇଜଣ, ଖାଁ ଖାଁ ଲାଗେ ଘର, ଓଳା ପୋଛା କରିବାକୁ କେହି ମିଳୁନାହାଁନ୍ତି ତ ଝଡାସଫା କରିହୁଏନି ତଥାପି ଭଡାଦେବାରୁ ନିବୃତ ରୁହନ୍ତି ସେ, କିନ୍ତୁ ସେଦିନ ହଠାତ ଜଣେ ଗୁରୁମା ଅନୁନୟ ବିନୟ କରି ଘରଭଡା ନେବାକୁ କହିବାରେ ସ୍ୱାମୀ ଅପ୍ରତ୍ୟାଶୀତ ଭାବେ ରାଜି ହୋଇଗଲେ, ଏଇ ଆସନ୍ତା ରବିବାର ସେମାନେ ଘରଦେଖି ଆସିବେ, ପସନ୍ଦ ହେଲେ ରହିବେ.
ରବିବାର ଦିନ ସତକୁ ସତ ସ୍ୱାମୀ ସ୍ତ୍ରୀ ଓ ପିଲାଟିଏ ଧରି ପହଁଚିଲେ, ଧଡପଡ ହୋଇ ଚା ଜଳଖିଆ ପ୍ରସ୍ତୁତ କରି ଦେଇସାରି, ଘର ଦେଖାଇବାକୁ ଚାବି ଆଣିବାକୁ ଚାଲିଲି ମୁଁ ତ ଗୁରୁମା ମୋ ହାତ କୁ ଧରି ବସାଇଦେଲେ, ହଉ ଘର ଦେଖିବାତ ବସନ୍ତୁ ଆଗେ, ତ ମୁଁ ବସିଗଲି ଝିଅ ଟି ତାଙ୍କର ସେତେବେଳକୁ ଆମଘରେ ସାଜସଜ୍ଜା ହୋଇ ଥୁଆ ଯାଇଥିବା କଣ୍ଢେଇ ଓ ଟେଡି ଗୁଡିକ ସବୁ ଏପଟ ସେପଟ କରି ମାମା ଏଟା ନେବି ସେଟା ନେବି କହୁଥାଏ, ଡାଇନିଂ ରେ କାଚ ଯାର ରେ ଥିବା ଜୀବନ୍ତ ମାଛଟିକୁ କାଢ଼ିବାକୁ ଯାଇ ଯାର ଟିକୁ ଭାଙ୍ଗି ସାରିଥାଏ କିନ୍ତୁ ସେଥିପ୍ରତି ବାପା ମାଆ ଙ୍କର କିଛି ବି ପ୍ରତିକ୍ରିୟା ନଥାଏ ତ ମୁଁ ପୁଣି ଧଡପଡ ହୋଇ କାଚ ଗୋଟେଇ ରଖିବାକୁ ଉଦ୍ୟତ ହୁଅନ୍ତେ ତଥାପି ତାଙ୍କ ମାଆ ଜୋର କରି ମତେ ବସାଇ ଦେଉଥାନ୍ତି ଆଉ ପଚାରୁଥାନ୍ତି ଆପଣଙ୍କର ଆଉ କେତେ ବର୍ଷ ଚାକିରୀ ରହିଲା ଗୁରୁମା? ମୁଁ ଥରେ ତାଙ୍କ ଆଡକୁ ଚାହିଁ ହସିଦେଇ କାଚ ଗୋଟାଇବାକୁ ଉଠୁଥିଲି ତ ତଥାପି ସେ ଗୁରୁମା ପଚାରି ଚାଲିଥିଲେ ଝିଅ କେତେ ବର୍ଷ ହେଲା ବାହା ହେଲାଣି?, ପୁଅର କେତେ ଦରମା? କୋଉ କମ୍ପାନୀ ରେ ଅଛି? କଣ ପଢିଛି?, ମୁଁ ସ୍ତବ୍ଧ ହୋଇ ସ୍ବାମୀଙ୍କ ମୁଁହ ଙ୍କୁ ଚାଂହିଥିଲି କେବଳ ଆଉ ମନେ ପକାଉଥିଲି ଅନିତା ସାମନ୍ତରାଏ, ମୋ ସହକର୍ମୀଙ୍କୁ ଆଉ ଜୀବନ୍ତ ଛଟପଟ ମାଛଟିକୁ ଗୋଟେଇବାକୁ ଯାଇ ସ୍ୱଗତୋକ୍ତି କରୁଥିଲି, କରୋନା ସମୟରେ ଘରଭଡା ଦେବାଟା ବୋଧହୁଏ ଠିକ ହେବନାହିଁ.