ଘର ବାହୁଡ଼ା
ଘର ବାହୁଡ଼ା
ଏକା ଏକା ବାଟରେ ଚାଲୁ ଚାଲୁ ଅମିତ୍ ଦୁଃଖରେ ଭାଙ୍ଗି ପଡ଼ିଛି। ସେ ଘରୁ କାହାକୁ କିଛି ନ କହି ଘର ଛାଡ଼ି ଆସିଯାଇଛି।ଦିଗ ହରା ଓ ଲକ୍ଷ୍ୟ ବିହୀନ ହୋଇ କୁଆଡେ ଯାଉଛି ସେ କିଛି ଜାଣି ନାହିଁ।ତଥାପି କିଶୋର ବୟସର ଗରମ ରକ୍ତ ଭଲ ମନ୍ଦ କିଛି ବୁଝିବା ଆଗରୁ ମନର ଭାଷାକୁ କାମରେ କରି ଦେଖାଇ ଥାଏ।
ପ୍ରକୃତ ମର୍ମ ବୁଝିଲା ବେଳକୁ ନେଡି ଗୁଡ଼ କହୁଣିକୁ ଚାଲି ଯାଇଥାଏ। ପଛକୁ ଫେରି ଅନୁତାପ କରିବାକୁ ଉଷ୍ମ ରକ୍ତ କଣିକା ମୁଣ୍ଡ ନୁଆଇଁବା ଅପମାନ ବୋଲି ଭାବିବା ଛଡା ପରିଣାମର ଚିନ୍ତା କରିନଥାଏ। ଅମିତ୍ ବାପାଙ୍କ କଥାରେ ସହମତ ନ ହୋଇ ସେ ତାଙ୍କର ଉପଦେଶକୁ ଘୃଣା ମନେକରି ରାଗି ଯାଇ ଥିଲା। ତେଣୁ ସେ କାହାକୁ କିଛି ନ କହି ଘରୁ ବାହାରି ଆସିଛି।ହେଲେ ରାସ୍ତାରେ ଚାଲୁ ଥିବା ଅବସ୍ଥାରେ ଘର କଥା ମାଆ କଥା ଓ ସାଙ୍ଗ ସାଥିଙ୍କ ବିଷୟରେ ଭାବି ଅନ୍ତରରେ କାନ୍ଦିଥାଏ। ଘର ଠାରୁ ନିକଟରେ ଥିବାରେଳ ଷ୍ଟେସନକୁ ଯାଇ ଅଜଣା ରେଳରେ ବିନା ଟିକେଟରେ କେଉଁ ଆଡେ ଆସିଛି ଜାଣି ପାରୁନି।ତଥାପି ଫେରିବାକୁ ପଛକୁ ଆଉ ମନ ଡାକୁନି। ଏମିତି ରାସ୍ତାରେ ଗଲା ବେଳେ ଅମିତ୍ ଦେଖିଲା ଗୋଟିଏ ଶାନ୍ତ ପରିବେଶ ।ଗଛ ଲତା ଓ ଗାଈ ବାଛୁରୀଙ୍କ ଗହଳି। ମନୋରମ ପରିବେଶ ସହ ସୁନ୍ଦର୍ ଆଶ୍ରମଟିଏ। ମନ୍ତ୍ର ଧ୍ଵନୀରେ ସେ ଚାଲି ଯାଉଥିବା ପାର୍ଶ୍ବରେ ଚାରି ଆଡେ ମୁଖରିତ ହେଉଥିଲା। ଅମିତ୍ ର ଇଚ୍ଛା ବିରୁଦ୍ଧରେ ତାର ଗୋଡ ବଳେ ସେ ଆଶ୍ରମ ରାସ୍ତାକୁ ଟାଣି ହୋଇ ଗଲା। ଆଶ୍ରମ ଦ୍ଵାର ପାର୍ଶ୍ବକୁ ସେ ଯେତେ ନିକଟତର ହେଉଥାଏ ତାକୁ ସେତେ ପ୍ରଫୁଲ୍ଲ ଓ ଆନନ୍ଦ ଲାଗୁଥାଏ।ଅମିତ୍ ଆଶ୍ରମ ଭିତରକୁ ପ୍ରବେଶ ହୋଇଲା। ସେଠାରେ ଦେଖିଲା ସମସ୍ତେ ଖୁସିରେ ଅଛନ୍ତି।ହସ ହସ ବଦନ ସାଧୁ ସନ୍ୟାସୀ ଓ ତପସ୍ୱୀ ମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ। ଆଶ୍ରମର ପ୍ରଧାନ ମହର୍ଷି ସେତେବେଳେ ପ୍ରବଚନ ଦେଉଥିଲେ ଶିଷ୍ୟ ମାନଙ୍କୁ।
ଅମିତ୍ ସେଠାରେ ଉପସ୍ଥିତ ହୋଇ ସେହି ପ୍ରବଚନ ସଭାରେ ଅଟକି ମହର୍ଷିଙ୍କ ବାଣୀ ଏକାଗ୍ର ଚିତରେ ଶ୍ରବଣ କରିଥିଲା। ପ୍ରବଚନର ଉପାଖ୍ୟାନ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଉପରେ ଆଧାରିତ ଥିଲା। ସାଧୁ ମହାତ୍ମା ବହୁତ୍ ଉପାଦେୟ ତଥ୍ୟ ଓ ପୌରାଣିକ ଉଦାହରଣ ଦେଇ ସମସ୍ତଙ୍କୁ ବୁଝାଇଥିଲେ। ଜଗତ ର ନାଥ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ଲୀଳା ବିଷୟରେ ଏବଂ ରାକ୍ଷୀ ଭଳିରେଶମ ଡୋର ର ମହତ୍ୱ ଅତି ସରଳ ଭାବେ ପିଲା ମାନଙ୍କୁ ପ୍ରେମ, ସ୍ନେହ,ରକ୍ଷା ସହାୟକ ଓ ପ୍ରତିଶ୍ରୁତି ର ଅଦ୍ଭୁତ ପର୍ବ ବ୍ୟାଖ୍ୟାନ କରାଯାଇଥିଲା। ପ୍ରବଚନ ଶେଷରେ ମହର୍ଷି ଅମିତକୁ ଦେଖିଲେ। ପାଖକୁ ଡାକି ସବୁ ପଚାରି ବୁଝିଲେ। ଅମିତ ବି ସେତେବେଳକୁ ମନ ଭିତର ର ଉସ୍ମତାକୁ ଦମନ କରି ସାରି ଥିଲା। ସେ ଭୂଲି ଯାଇଥିଲା ରାକ୍ଷୀ ବନ୍ଧନ ଦିନରେ ଘର ଛାଡ଼ି ଆସିଯାଇଛି। ଏହି ଦିନ ବରଷକୁ ଥରେ ଆସିଥାଏ। ତା ହାତରେ ଗେହ୍ଲା ଭୌଣୀ ରାକ୍ଷୀ ବାନ୍ଧିଥାଏ। ବନ୍ଦା ପନା ଓ ମିଠା,ପିଠା ସହ ଘରେ ଗୋଟେ ଖୁସି ଆନନ୍ଦର ଲହରୀ ଖେଳି ଥାଏ। ଭୁଲ ବଶତଃ ଆଗପଛ ବିଚାର ନ କରି ସେ ଘରୁ ବାହାରି ଆସିଛି।ସାଧୁ ବାବା ଅମିତର ମାନସିକ ଅବସ୍ଥା ଦେଖି ବାପା ମାଆଙ୍କ ଭଳି ଜୀବନ୍ତ ଦେବତାଙ୍କୁ ଉପେକ୍ଷା କରିବା ଭଳି ଗୁରୁତର ଅପରାଧରେ ସେ ଅପରାଧୀ ବୋଲି , ଅମିତକୁ କହୁଥିଲେ। ସେଥିରୁ ଯଦି ନିସ୍ତାର ପାଇବାକୁ ହେବ ତେବେ ଏକାଗ୍ର ଚିତରେ ଘରକୁ ଫେରି ନିଜକୁ ସେହି ଦେବତାଙ୍କ ଚରଣରେ ସମର୍ପଣ କରି କ୍ଷମା ପାଇଲେ ହିଁ ମୁକ୍ତି ମିଳିବ ବୋଲି କହିଥିଲେ। ଅମିତ ବି ଅନୁଭବ କରି ଅନୁତାପ କରୁଥାଏ।ତା ଆଖିରୁ ଅଶ୍ରୁ ନିଗିଡ଼ି ପଡୁଥାଏ।
ତେବେ ଆଶ୍ରମର ପରିବେଶ ଓ ସାଧୁବାବାଙ୍କ ବାଣୀ ତାକୁ ସମସ୍ତ ଅହଙ୍କାର ଓ କୈଶୋରର ଉଷ୍ଣତାରୁ ଖ୍ୟାନ୍ତ୍ କରିଦେଇଥିଲା। ସେ ଏତେ ବ୍ୟସ୍ତ ହେଉଥିଲା ଯେ କେମିତି ପୁଣି ଘରକୁ ଫେରିବ । ପାଖରେ କିଛି ପଇସା ପତ୍ର ନାହିଁ।ଏ ସବୁ କଥା ବାବା ଜାଣି ଅମିତକୁ ଅର୍ଥ ଯୋଗାଇ ଦେଲେ। ଅମିତ୍ ଗ୍ଲାନିର ସହ ସବୁ ଅପରାଧ ସ୍ବୀକାର କରି ସାଧୁ ବାବାଙ୍କୁ ପ୍ରଣାମ ଜଣାଇ ଘରକୁ ଫେରି ଥିଲା। ଘରେ ଅମିତ୍ ଫେରାର ହୋଇଥିବା ଯୋଗୁଁ ବିଷର୍ଣ୍ଣ ପରିବେଶ ହୋଇଯାଇଥିଲା। ପୁଣି ଅମିତ୍କୁ ଦେଖି ବାପା ସମେତ ଗାଆଁରେ ଖୁସି ଖେଳି ଯାଇଥିଲା। ଅମିତ୍ ବାପାଙ୍କ ଚରଣରେ ନିଜକୁ ସମର୍ପି ଭୁଲ ସ୍ୱୀକାର କରିଥିଲା। ଭବିଷ୍ୟତରେ ଏମିତି କୌଣସି ଅପରାଧ କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲା।ଗାଆଁ ଲୋକ ମାନେ ଅମିତ୍ ଠାରୁ ଆଶ୍ରମ ବାବାଙ୍କ କଥା ଶୁଣି ,ବାବାଙ୍କୁ କୋଟି କୋଟି ପ୍ରଣାମ ଦେଇଥିଲା ବେଳେ ଦିଗହରା ଯୁବକକୁ ସତପଥ ଦେଖାଉଥିବା ଯୋଗୁଁ ତାଙ୍କର ଭକ୍ତ ହେବାକୁ ପାଞ୍ଚୁଥିଲେ।