ଘାସଫୁଲ
ଘାସଫୁଲ
ଦଶ ଦିନ ହେଲା, ଫୋନ ଆସିନାହିଁ ଝିଅ ପାଖରୁ। ଭାରି ବ୍ୟସ୍ତ ହେଲୁ ଆମେ ଦୁଇ ଜଣ। ଫୋନ ରିଙ୍ଗ ହୁଏ, ଫୋନ କିନ୍ତୁ ଉଠାଉନି ପ୍ରଭାତୀ। ସୂତା ଖିଅ ପରି ମନସ୍ତାତ୍ତ୍ୱିକ ସନ୍ତୁଳନ ହଲିଯାଏ, ସମ୍ପର୍କ ଆହତ ହେବାର ଆଭାସ ମିଳିଲେ। ହାତ ପା'ନ୍ତା ସାରା ଆକାଶ ଝାପସା ଦେଖାଯାଏ। କଣ ହେଲା ପ୍ରଭାତୀର। ସବୁଦିନ ବୋଉ ସାଥିରେ ଅତି କମରେ ଥରେ କଥା ହୁଏ ସେ। ମୁଁ ଭାଙ୍ଗି ପଡିଲି କିଛି କ୍ଷଣ ପାଇଁ....
ଶାଶୁ ଘରକୁ ଝିଅ ବିଦା ହେବା ପରେ ଲାଗେ ଯେମିତି ଏକ ବିଶାଳ କାୟ ସମ୍ପର୍କର ଅଧା ନିର୍ମିତ ପୋଲ ଭୁଷୁଡି ଗଲା। ରାସ୍ତା କିନ୍ତୁ କେବେ ସରେନି। ଶେଷରୁ ଆଉ ଥରେ ଆରମ୍ଭ ହେବାର ଅନେକ ଗଳ୍ପ ସବୁ ମନେ ପଡିଯାଏ। ବିଶେଷ ଏମିତି କେତେ ଜଣଙ୍କୁ ସାରା ଜୀବନ ଜାବୁଡି ରଖିବାର ପ୍ରଥା ବି ନାହିଁ, କାହିଁକି କେଜାଣି !!
ଭଲ ମନ୍ଦ ବୁଝିବା ବାହାନାରେ ତା ଘରକୁ ଯାଇ ତାକୁ ଥରେ ଥରେ ଦେଖିବାକୁ ଇଚ୍ଛା ହୁଏ। ଝିଅକୁ ଯେତେ ଥର ଦେଖିଲେ ବି ଆହୁରି ନୂଆ ଲାଗେ ଆଖିକୁ। ତା ବର୍ଦ୍ଧିତ ବୟସ ତାକୁ ଲୁଚେଇ ରଖି ପାରେନି। ସେଇ ଚପଳମତି, ଅଝଟିଆ ବାଳକୃଷ୍ଣ ପରି ଆଖି ଆଗରେ ନାଚିଯାଏ। କଥା କଥାରେ ଅଭିମାନ, ଭୂଇଁରେ ଗୋଡ କଚାଡିବା କଥା ମନେ ପଡିଲେ ଗମ୍ଭୀର ହେଇଯାଏ ମନଟା।
ତା ଘରଟା ବେଶି ଦୂର ନ ହେଲେ ବି ପଚାଶ ମାଇଲରୁ କମ ହବନି ଆମ ଗାଆଁ ଠୁ।
ତଥାପି ତା ଘର ଆଗ ଦେଇ ମୁହଁ ଲୁଚି ଲୁଚି କେତେ ଥର ଯାଇଛି, ଖାଲି ତାକୁ ଦେଖିବି ବୋଲି। କେତେବେଳେ କୂଅରୁ ପାଣି କାଢୁ ଥାଏ ତ କେତେବେଳେ ବାରଣ୍ଡାରେ ଛିଡା ହେଇ ଓଦା ଚୁଟିକୁ ଶୁଖାଉ ଥାଏ ଖରାରେ। ଆଉ କେତେବେଳେ ଗାଧୁଆ ପାଧୁଆ ସାରି ମୁଣ୍ଡ ଚୁଟିରେ ଗାମୁଛା ବାନ୍ଧି ଟଗର ଗଛରୁ ଫୁଲ ତୋଳୁ ଥାଏ ଗୁଣୁ ଗୁଣୁ କରି ଗୀତ ଗାଇକି। ଇଚ୍ଛା ହୁଏ ବାଡ ପାଖକୁ ହାତ ଠାରି ଡାକି ବି ଝିଅକୁ। ମନ ଭରି ଅଧା ଘଣ୍ଟା ଗପିବି। କିଏ କୁଆଡେ ଦେଖିବ ସେଇ ଭୟରେ କଥା ହେଇ ପାରେନି। ଅନେକ ସମୟ ତାକୁ ଦେଖି ନ ପାରି ସେମିତି ଫେରି ଆସିଛି। କନ୍ୟାଦାନ ପରେ ଏମିତି ବି ଝିଅ ଘରକୁ ଯିବାର ଅଧିକାର ହରେଇବାକୁ ପଡେ ବୋଲି ମୁଁ ଜାଣି ନ ଥିଲି।
ମୁଁ ଅଟୋ ଚଲାଏ, ଜ୍ବାଇଁ କିଛି କରନ୍ତି ନାହିଁ ଜାଣିବା ପରେ ମୁଁ ବିବ୍ରତ ହେଲି। ବାହାଘର ପ୍ରସ୍ତାବକୁ ଭାଙ୍ଗିବା ପାଇଁ ଭାବିଲା ବେଳକୁ ସେମାନେ ଯିଏ ଯାହାକୁ ମନ ଦେଇ ସାରିଥିଲେ, ଚିଠି ପତ୍ରରେ। ମୁଁ ନିରୁପାୟ ହେଇଗଲି। ଆଗରୁ ମୁଁ ଜାଣି ନ ଥିଲି ପ୍ରଥମ ଦେଖାରେ ବି ମନର କିଣା ବିକା ହେଇଯାଏ । ମୋ ବାହାଘର ସମୟରେ ମୋ ସ୍ତ୍ରୀ କୁ ମୁଁ ଦେଖି ନ ଥିଲି। ହାତ ଗଣ୍ଠି ସମୟରେ ହିଁ ରାଧା କୁ ମୁଁ ପ୍ରଥମେ ଦେଖିଲି ବିବାହ ବେଦୀ ରେ।।
କିଛି ଉପାୟ ନ ଥିଲା। ଅଟୋ ଟିଏ କିଣି ଦେଲି ଜ୍ବାଇଁ ପ୍ରଶାନ୍ତ ଙ୍କ ପାଇଁ। ତା ପରେ ଆଉ ଅଭାବ ନ ଥିଲା, ଭାରି ଖୁସିରେ ଥିଲେ ବୋଲି ଶୁଣି ଥିଲି ଝିଅ ପ୍ରଭାତୀ ପାଖରୁ।
ପ୍ରତି ଦୁଇ ତିନି ମାସରେ ପ୍ରଭାତୀ ଆମ ଘରକୁ ଆସେ, ଦିନେ ଦୁଇ ଦିନ ରହେ ଆମ ଘରେ। ବୋଉକୁ ଧରି ଶୋଇ ରହେ ରାତି ସାରା। ଅଜା ଆଈଙ୍କ ଗପର ପୁନରାବୃତ୍ତି ହୁଏ। ନିଘୋଡ ନିଦରେ ଶୋଇ ଯାଏ। ବଡ ତକିଆଟିଏ ଝିଅର ଦୁଇ ବାହୁ ଭିତରେ ରଖିଦେଇ ରାଧା ଉଠି ଯାଏ। ଗାଧୋଇ ପାଧୋଇ ତୁଳସୀ ରେ ପାଣି ଦେବ ବୋଲି। ପ୍ରଭାତୀ ଶୋଇ ରହେ ଆଠଟା ପର୍ଯ୍ୟନ୍ତ। ଅଗଣାରେ ହେ ନା ଫୁଲ ଭୂଇଁ ଉପରେ ଲୋଟିଯାଏ କେତେ ଥର। ସମୟ ଦୁଇ ଚାରିଥର କଡ ବି ଲେଉଟେ ଆମ ଘର ଭିତରେ। ଅଚାନକ ପ୍ରଭାତୀ ନିଦରୁ ଉଠେ। ଫେରିଯିବାକୁ ବାକୁ ଭାରି ବ୍ୟସ୍ତ ହୁଏ, ଅଟୋରେ ବସେଇ ତା ଘର ଗେଟ୍ ପାଖରେ ଛାଡି ଦେଇ ଆସେ ମୁଁ।
ପ୍ରତିଦିନ କ୍ଳାନ୍ତ ଶ୍ରାନ୍ତ ହେଇ ଘରକୁ ଫେରି ସ୍ତ୍ରୀ କୁ ପଚାରେ, ଫୋନ ଆସିଥିଲା କି ପ୍ରଭାତୀ ପାଖରୁ। ପ୍ରାୟ ପ୍ରତିଦିନ ଥରେ ସେ ତା ବୋଉ ସାଥିରେ କଥା ହେଇଥାଏ। ମୋ ସାଥିରେ ସେ କଥା ହୁଏନି। ପ୍ରଭାତୀ ତା ବୋଉ କୁ କହେ, ଅସଂଖ୍ୟ ପାଦ ତଳେ ଦଳି ଚକଟି ବି ଘାସଫୁଲ ଟି ମୁଣ୍ଡ ଉପରକୁ କରି ଆକାଶକୁ ଅନାଏ, ଗର୍ବରେ। ଠିକ୍ ମୋ ବାପାଙ୍କ ପରି। ମୁଁ ବି ଗର୍ବରେ ଫାଟିପଡେ। ଝିଅର ଏମିତି ମନ୍ତବ୍ୟ ଏକ ଅସହାୟ ବାପାର ବହୁ ଅର୍ଜିତ ସମ୍ପତ୍ତି ପରି ଲାଗେ, ପୁରା ନିଆରା। ଖୁସିରେ ଆଖି ଓଦା ହେଇଯାଏ। ମୁଁ କୁଆଡେ ଅଧିକ ଭାବପ୍ରବଣ ହେଇଯାଏ ବୋଲି ତା ବୋଉକୁ ସେ କହେ। ମୁଁ କଥା ହୁଏନି ପ୍ରଭାତୀ ସାଥିରେ। ଦେହସୁହା ହେଇ ଗଲାଣି, କଥା ନ ହେଲେ ବି ଚଳେ। ଗଛ ଡାଳରେ ଫୁଲ ସତେଜ ଥିଲେ ହେଲା, ଜରୁରୀ ନୁହେଁ ଯେ ତା ସହ ବସି ଗପିବାକୁ ହେବ। ହଁ, ନିୟମିତ ପାଣି ଦେବାକୁ ହୁଏ ଗଛ ମୂଳରେ। ଫୁଲର ବାସ୍ନା କିନ୍ତୁ ବିମୋହିତ କରେ ସମସ୍ତଙ୍କୁ। ପ୍ରଭାତୀ ଖାଲି ଭଲରେ ଥାଉ, ଭଗବାନଙ୍କୁ ମୁଁ ସବୁଦିନ କହେ।
ଦିନେ ହଠାତ୍ ଖୁସି ଖବର ଶୁଣି ମୁଁ ପାଗଳ ହେଇଗଲି। ମୁଁ ତାଗିଦ୍ କରି କହିଲି ବର୍ଷେ ଆସିବୁ ନାହିଁ। ଦରକାର ହେଲେ ତୋ ବୋଉ ଯାଇ ତୋତେ ଦେଖି ଆସିବ। ସବୁ ସୁରୁଖୁରୁରେ ହେଇ ଯାଉ। ଗାଆଁ ଶିବ ମନ୍ଦିରରେ ଯାଇ ପୂଜା ଦେଇ ଆସିଲି। ସବୁ ମଙ୍ଗଳ ହେଉ।
ସାତ ଆଠ ମାସ ବିତି ଗଲାଣି ଏହା ଭିତରେ। ବୋଉ ସାଥିରେ ପ୍ରାୟ ପ୍ରତିଦିନ କଥା ହେଇ କଣ, କେମିତି, କେତେବେଳେ ଖାଇବ ବୁଝି ନିଏ।
କେତେଦିନ ହେଲା ଫୋନ ଉଠାଉନି। ପ୍ରଥମେ ପ୍ରଥମେ ଭାବୁଥିଲି, ଫୋନ ଖରାପ ଅଛି ବୋଧେ.. ଆଜି କିନ୍ତୁ ମନ ବୁଝୁ ନାହିଁ।
କାମକୁ ନ ଯାଇ ବାର ବାର ଫୋନ କଲି ପ୍ରଭାତୀ କୁ। ଶେଷରେ କେହି ଜଣେ ଫୋନ ଉଠେଇ କହିଲା ମୁଁ ତାଙ୍କ ନଣନ୍ଦ କହୁଛି। ଛ ସାତ ଦିନ ଆଗରୁ ହଠାତ୍ ଭାଉଜଙ୍କ ଅବସ୍ଥା ସାଙ୍ଘାତିକ ହେଲା। ଅପର୍ଯ୍ୟାପ୍ତ ବ୍ଲିଡିଂ ପରେ ପ୍ରେସର୍ କମିଗଲା। ଆମେ ହସ୍ପିଟାଲ ନେଇ ଆସିଥିଲୁ। ଏବେ ବିପଦମୁକ୍ତ। ୩୫ ହଜାର ଜମା କଲେ ଡାକ୍ତର ଛାଡ଼ିବେ ବୋଲି କହିଛନ୍ତି। ଭାଇ ବୋଧେ ପଇସା ଯୋଗାଡ କରୁଛି । ଆମେ ଦୁଇ ଜଣ ହସ୍ପିଟାଲ ଭିତରେ ଅଛୁ। ପେଟ ଭିତରେ ଛୁଆଟା ସୁସ୍ଥ ଅଛି । ମାସେ ପରେ ନର୍ମାଲ ଡେଲି ଭରି ହେବ ବୋଲି ଡାକ୍ତର କହୁଛନ୍ତି।
ଫୋନ ମୋ ହାତରୁ ଖସି ପଡିଲା।
ହସ୍ପିଟାଲରେ ପହଞ୍ଚିଲୁ ଆମେ ଦୁଇ ଜଣ।
ରୁମ ଭିତରେ ଝିଅ ପାଖକୁ ଯିବା ପୂର୍ବରୁ କାଉଣ୍ଟରକୁ ଯାଇ ୩୫ ହଜାର ଜମା କରି କହିଲି ସିଷ୍ଟର ! ଡିସଚାର୍ଜ ବ୍ୟବସ୍ଥା କର।
କବାଟ ଖୋଲି ରାଧା ଆନେଇଲା ଭିତରକୁ, ସବୁ ଠିକ୍ ତ। ବାହାରେ ଛିଡା ହେଇ ରାଧାର ମୁହଁକୁ ଦେଖୁଥାଏ। ରାଧା ମୁହଁରେ କ୍ଷୀଣ ହସ ଦେଖି ବୁଝିଗଲି ସବୁ ଠିକ୍ ବୋଲି । ସୂର୍ଯ୍ୟାସ୍ତ ଆକାଶରେ ନାଲିଛିଟା, କିଛି ନ କହି ବି ଅନେକ କହିଯାଏ। ରାତି ରେ ଝଡ ତୋଫାନର ଆଶଙ୍କା ନାହିଁ। ବର୍ଷା ବୋଧେ ହେବନି !!
ଲାଗୁଥାଏ ଯେମିତି ମୁଁ ନୂଆ ଜୀବନ ପାଇଲି।
ଭିତରକୁ ପଶି ଯାଇ ଭୋ ଭୋ ହେଇ କାନ୍ଦିଲି, ପ୍ରଭାତୀକୁ କୋଳେଇ ଧରି।
ଅସ୍ପଷ୍ଟ ଭାବେ ପଚାରିଲି, ଫୋନ କରିଲୁଣି କାହିଁକି। ?
କେମିତି ଫୋନ କରିଥାନ୍ତି କହିଲ ବାପା, ମୋ ବାହାଘର ପାଇଁ ପ୍ରାୟ ସବୁ ବିକି ସାରିଛ। କିଛି କହିଥିଲେ, ଆଉ ଯାହାଥିଲା ସବୁ ବିକି ଦେଇ ମୋତେ ଦେଖିବାକୁ ଆସି ଥାଆନ୍ତା ନା ...
ରାଧା କହିଲା ଅଟୋ ବିକି ଦେଇଛନ୍ତି ତୋ ବାପା କାଲି ରାତିରେ, ହସ୍ପିଟାଲ ବିଲ ମଧ୍ୟ ଭରି ଦେଇଛନ୍ତି ସେ। ଆଉ ଅଧିକ କିଛି କହିବା ଆଗରୁ ଚିମୁଟି ଦେଲି ମୁଁ ରାଧାକୁ। ପ୍ରଭାତୀ ମୋତେ ଜାବୁଡି ଧରି ଭୋ ଭୋ କରି କାନ୍ଦି ଉଠିଲା, ସେଇଥି ପାଇଁ ବୋଧେ ତା ପାଇଁ ମୁଁ ମୋର ସର୍ବସ୍ବ ବିକି ଦେଇଛି, ଏଥର ସଂପୂର୍ଣ୍ଣ ଦଳି ଚକଟି ଯାଇଛି ମୁଁ ଘାସଫୁଲ ପରି, ଆଉ ଉଠି ବସିବାର ଶକ୍ତି ନାହିଁ। ଭାବୁଥିଲି, ବିକିବି ନାହିଁ କେମିତି.. ସିଏ ପରା ମୋ ଝିଅ !!....
