ଘାସଫୁଲ
ଘାସଫୁଲ


ଘାସଫୁଲ
ବୁଢ଼ା ମଉସା! ଏଇ ନାଁ ରେ ହିଁ ତାଙ୍କୁ ଜାଣନ୍ତି ସମସ୍ତେ ପିଲା ଠାରୁ ବୁଢା ଯାଏଁ। କେହି ବି ଜାଣନ୍ତି ନାହିଁ କି କେବେ ଜାଣିବାକୁ ଚାହିଁ ନାହିଁ ତାଙ୍କ ପ୍ରକୃତ ନାମ, ପରିଚୟ। କିନ୍ତୁ ସଭିଙ୍କର ତାଙ୍କ ଉପରେ ଅତୁଟ ଭରସା। ସାଇକେଲରେ ସେ ଲଗେଇ ଥିଲେ ଗୋଟିଏ ଅଲଗା ପ୍ରକାରର ଘଣ୍ଟି, ଯାହା ତାଙ୍କର ଆସିବାର ସୁଚନା ଦିଏ। ସେ ଆସିବା କ୍ଷଣି ସଭିଏଁ ଗାଁ ଦାଣ୍ଡରେ ରୁଣ୍ଡ ହୁଅନ୍ତି ତାଙ୍କଠାରୁ ଜିନିଷ କିଣିବାକୁ।
ପାଞ୍ଚ ହାତିଆ ଶାବନା ମଣିଷଟିଏ ସେ। ସବୁବେଳେ ପିନ୍ଧିଥିବେ ଧୋତି ଗାମୁଛା। ମୁଣ୍ଡରେ ଗୋଟିଏ ଗାମୁଛା ବାନ୍ଧିଥିବେ ଖରା ଦାଉରୁ ଚନ୍ଦା ମୁଣ୍ଡକୁ ବଞ୍ଚାଇବା ପାଇଁ। ପୁରୁଣା ଅଥଚ ଦମ୍ଭିଲା ଅଟଲାସ୍ ସାଇକେଲଟିରେ ସେ ଲଦିକି ଆଣନ୍ତି ନାନା ରକମର ଖାଇବା ଦରବ। ଖରାଦିନେ ଆଇସ୍କ୍ରିମ୍, ଶୀତଦିନେ ପାଉଁରୁଟି, ବର୍ଷାଦିନେ ଚାନାଚୁର ମିକଶ୍ଚର ତାଙ୍କର ଭଳିକି ଭଳି ଭେରାଇଟି। ତା ସହ ଆହୁରି ଅନେକ କିଛି ଜିନିଷ । ଖାଲି ଟଙ୍କା ପଇସାରେ କାରବାର କରନ୍ତିନି ସେ। ଗାଁ ଗହଳିରେ ଲୋକଙ୍କ ଚଳଣିକୁ ଦେଖି ମୁଗ ବିରି ବାଦାମ ବଦଳରେ ଖାଇବା ଓ ଅନ୍ୟ ଜିନିଷ ବିକନ୍ତି ସେ।
ପାଖ ସହରରେ ତାଙ୍କର ଘର। ବର୍ଷ ତମାମ ଏମିତି ବହୁତ କିଛି ଜିନିଷ ବିକ୍ରିକରନ୍ତି ସେ ଗାଁକୁ ଗାଁ ବୁଲି। ଦୀପାବଳିରେ ବାଣ ଆଉ ଦୀପ, ଗହ୍ମା ପୂର୍ଣ୍ଣିମାରେ ରାଖୀ, ହୋଲିରେ ରଙ୍ଗ ଅବିର, ଧନୁ ସଂକ୍ରାନ୍ତିରେ ମୁହାଁ ଏମିତି ପର୍ବପର୍ବାଣୀ ଅନୁସାରେ ତାଙ୍କ ଜିନିଷର ବ୍ୟବସାୟ ବଦଳେ। କିନ୍ତୁ କେବେ ବି ବଦଳି ନାହିଁ ତରିକା। ସେଇ ସାଇକେଲରେ ମାଲ ବୁହା, ଗରାଖଙ୍କ ଠାରୁ ଯାହା ବି ଟଙ୍କା ପଇସା ମୁଗ ବିରି ଇତ୍ୟାଦି ମିଳେ ସେଥିରେ ଖୁସି।
ମୁଁ ତାଙ୍କୁ ଦେଖୁଛି ମୋ ପିଲାବେଳରୁ, ହେତୁ ପାଇଲା ଦିନରୁ। ଦୀର୍ଘ ତିରିଶ ବର୍ଷ ଧରି ସେ ସେମିତି ସବୁଦିନ ଆସି ବିକ୍ରୀବଟା କରନ୍ତି। କାହା ସହ କେବେ ହିଚ୍ କିଚ୍ ହେବାର ନାହିଁ। ଲୋକେ ମୂଲେଇଲେ ବି ବିରକ୍ତ ହେବାର ନାହିଁ। ଦଶ ଟଙ୍କାର ଜିନିଷକୁ ଲୋକେ ପାଞ୍ଚ ଟଙ୍କାରେ ଦେବା ପାଇଁ ଲୋକେ ଅଡି ବସନ୍ତି, ଝଗଡା ବି କରନ୍ତି, ବୁଢ଼ା ମଉସା କିନ୍ତୁ ହସି ହସି ନିଜ ପକ୍ଷ ରଖି ଦୁଇ ଟଙ୍କା କମରେ ବିକିଦିଅନ୍ତି।
ଆମେ ମଣିଷମାନେ ଗୋଟେ ଅଜବ ଖିଆଲରେ ବଞ୍ଚୁ, ଟିକେ ଶସ୍ତାରେ ଜିନିଷ ପାଇବା ପାଇଁ ସବୁବେଳେ ଯତ୍ନବାନ ଥାଉ। ବଡ ବଡ ଦୋକାନରୁ ଜିନିଷ କିଣିଲା ବେଳେ ଧାର୍ଯ୍ଯ ଦରରେ ହିଁ କିଣୁ, ଯଦିଓ ମନରେ ମୂଲେଇବା ପାଇଁ ପ୍ରବଳ ଇଛା ଥାଏ। ଲୋକ ଲଜ୍ଜାରେ କରିପାରୁନି, କାଳେ କିଏ କଣ ଭାବିବ ବୋଲି। ଦୋକାନୀ ତାର ମନ ଇଛା ଯାହା ଲେଖିଲା କାନମୁଣ୍ଡା ଆଉଁସି ଆଉଁସି କିଣି ଆଣୁ। କିନ୍ତୁ ବୁଲା ବିକାଳୀ ଓ ରାସ୍ତା କଡ଼ର ଉଠା ଦୋକାନୀଙ୍କ ସହ ଜବରଦସ୍ତ ମୂଲଚାଲ କରୁଁ ପୁରା ଶକ୍ତି ଲଗାଇ।
ମୋତେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ ଏମିତି କେମିତି ସମ୍ଭବ ହେବ? ବୁଢ଼ା ମଉସାଙ୍କର ତ ବହୁତ ଲୋକସାନି (କ୍ଷତି) ହେଉଥିବ? ବଜାରରୁ ଜିନିଷ କିଣି ତାକୁ ପୁଣି ବୁଲିବୁଲି ବିକିବା ଦିନସାରା, କେତେ ପରିଶ୍ରମ! ପୁଣି ଏଥିରେ ଆମ ଲୋକ ମୂଲେଇବେ। ବିଚରା ମଉସା!
ମୋ ମନରେ କିନ୍ତୁ ସବୁବେଳେ ତାଙ୍କ ପ୍ରତି ବହୁତ ଦରଦ ଥାଏ ଯେ ଏତେ ବର୍ଷ ଧରି ଏମିତି ବୁଲି ବୁଲି କିଛି ବି କରିପାରିନାହାନ୍ତି ଜୀବନରେ। ସେମିତି ସାଇକେଲରେ ଜୀବନଟା ସାରିଦେଲେ। ଲୁନା ଖଣ୍ଡେ ତ କରି ପାରିଥାନ୍ତେ ଅନ୍ତତଃପକ୍ଷେ।
ଦିନେ ମୁଁ ସାହସ କରି ପଚାରିଲି ତାଙ୍କୁ ଏ ବାବଦରେ। ସେ ପ୍ରତ୍ୟୁତ୍ତରରେ ଯାହା କହିଲେ ଆମ ସମସ୍ତଙ୍କ ପାଇଁ ଶିକ୍ଷା ସଦୃଶ। "ବାବୁ! ଆମ ଜୀବନ ଟା ତ ଘାସ ପରି, ବନ୍ୟା ବାତ୍ୟା ଆସିବ, ଗୋରୁଗାଈ ଛେଳି ମେଣ୍ଢା ଚରିବେ, ମଣିଷମାନେ ଆମ ଉପରେ ବାଟ ଚାଲିବେ, ଖୁରୁପି ଧରି ତାଞ୍ଛି ନେବେ, ତା ସତ୍ତ୍ବେ ମଧ୍ୟ ଆମେ ପୁଣି କଅଁଳି ଉଠିବୁ।କାରଣ ବଞ୍ଚିରହିବା ଟା ଆମର ଅଧିକାର ତା ପାଇଁ ବେଉସା କରିବୁ। କାହାରିକୁ କିଛି କହିବାର ନାହିଁ, ନିଜ ବାଟରେ ନିଜେ ଚାଲିଛି ଆଉ ଜୀବନ ଥିବା ଯାଏଁ ଚାଲୁଥିବି। ସବୁଦିନ ଖଟିଲେ ହିଁ ମୁଁ ଶାନ୍ତିରେ ଖାଇ ପାରିବି ଆଉ ଶୋଇପାରିବି ଘରେ ବସିଲେ ନୁହେଁ। "
ମୁଁ ପୁଣି ପଚାରିଲି,"ଏତିକି ବିକ୍ରୀବଟାରେ କେତେ ଲାଭ ହେଉଛି ଯେ ଆପଣଙ୍କ ପରିବାର ଚଳୁଛି? ଅଧିକାଂଶ ଲୋକ ତ ଉଚିତ୍ ଦାମ୍ ବି ଦେଉନାହାନ୍ତି।"
ବୁଢ଼ା ମଉସା ହସି କହିଲେ," ବିନା ଲାଭରେ କିଏ କଣ କେବେ ବଣିଜ କଲାଣି ନା ମୁଁ କରିବି? "
ତାଙ୍କ ପ୍ରଶ୍ନରେ ହିଁ ତାଙ୍କ ଉତ୍ତର ଲୁଚି ରହିଥିଲା। ମଉସା ଘାସଫୁଲ ପରି ମୁରୁକି ମୁରୁକି ହସି ଚାଲିଗଲେ ଆର ଗାଁ ଆଡ଼କୁ...