Sambit Srikumar

Classics Inspirational Others

4.3  

Sambit Srikumar

Classics Inspirational Others

ଗାନ୍ଧିଜୀ

ଗାନ୍ଧିଜୀ

5 mins
294



ଏ ଦେଶରେ ଏମିତି କେହି ଜଣେ ହେଲେ ବି ନଥିବେ ଯିଏ କି ଗାନ୍ଧିଜୀଙ୍କ ବିଷୟରେ ଜାଣି ନ ଥିବେ! ଅଳ୍ପ ବହୁତ ସଭିଏଁ ମହାତ୍ମା ଗାନ୍ଧୀଙ୍କ ବିଷୟରେ ଅବଗତ। ତାଙ୍କର ଅନୁଗାମୀ, ଅନୁଗତମାନେ ଗାନ୍ଧିବାଦୀ ଭାବେ ପରିଗଣିତ। ଏକ ନୂତନ ଏବଂ ଅନନ୍ୟ ଭାବଧାରା ଏହି ଗାନ୍ଧିବାଦ। ବେଳେ ବେଳେ ବଡ଼ ବିଚିତ୍ର ଲାଗେ ଏହି ଗାନ୍ଧିବାଦର ତର୍କ! ମୁଁ ବହୁବାର ଦ୍ୱିଧାରେ ପଡ଼ିଯାଏ। କେମିତି ଜଣେ ଗାନ୍ଧୀଜୀଙ୍କ ସମସ୍ତ ନୀତିକୁ ମାନି ଚଳି ପାରିବ ତାହା ପୁଣି ଆଜିର ଦିନରେ?

ଗୋଟିଏ ଗାଲରେ ଚାପୁଡ଼ା ବାଜିଲେ, ଆର ଗାଲ ଦେଖାଇବା ହୁଏତଃ ଆମ୍ଭମାନଙ୍କ ପାଇଁ ସ୍ପୃହଣୀୟ ହୋଇ ନପାରେ କିନ୍ତୁ ଆଖିର ପ୍ରତି ବଦଳରେ ଆଖି ସାରା ଦୁନିଆଁକୁ ଅନ୍ଧ ବନାଇ ଦେବାର ତର୍କ ନିଶ୍ଚିତ ଭାବରେ ଗଭୀର ଆତ୍ମ ଚିନ୍ତନର ବିଷୟ। ଅହିଂସା ପରମ ଧର୍ମର ବାର୍ତ୍ତା ପ୍ରଚାର କରେ ଗାନ୍ଧିବାଦ। ଆଜିର ସମୟରେ ମଧ୍ୟ ଏହାର ପ୍ରାସଙ୍ଗିକତା ରହିଛି ଏବଂ ଆଗାମୀ ଦିନରେ ରହିଥିବ ମଧ୍ୟ। ତାଙ୍କ ପରି ହାଡ଼ ମାଂସର ଶରୀରଧାରୀ ମହାମାନବ ଯେ ଦିନେ ଏଇ ଧରା ବକ୍ଷରେ ଜୀଇଁଥିଲେ ଏହାକୁ ହୁଏତଃ ଆଗାମୀ ଦିନର ବଂଶଧରମାନଙ୍କ ପାଇଁ ଅବିଶ୍ୱସନୀୟ ମନେ ହୋଇପାରେ।

ଆମ ଗାଁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଆବକ୍ଷ ପ୍ରତିମୂର୍ତ୍ତିରେ ମୁଁ ଦେଖିଛି ମହାତ୍ମା ଗାନ୍ଧୀଙ୍କୁ ମୋର ହେତୁ ହେବା ଦିନଠାରୁ। ଏହିଠାରୁ ହିଁ ମୋର ଗାନ୍ଧିଜୀଙ୍କ ସହ ପ୍ରଥମ ସାକ୍ଷାତ, ପରେ ପରିଚୟ। ସଭିଙ୍କ ପାଇଁ ଏହି ସ୍ଥାନ ଗାନ୍ଧୀ ମଣ୍ଡପ ଭାବେ ପରିଚିତ। ସେତେବେଳେ କିନ୍ତୁ କିଛି ବି ଜାଣି ନ ଥିଲି ତାଙ୍କର ବ୍ଯକ୍ତିତ୍ବର ମହାନତା ଏବଂ ଚମତ୍କାରିତା ବାବଦରେ। ଯେବେ ଅକ୍ଷର ଚିହ୍ନିବା ସହ ବହି ପଢିବା ଆରମ୍ଭ କଲି ସେବେଠୁ ଜାଣିବାକୁ ପାଇଲି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି କେବଳ ଏକ ମହାମାନବର ପ୍ରତିକୃତି ନୁହେଁ ବରଂ ଦେବତାଙ୍କ ମୂର୍ତ୍ତି। ଯାହାଙ୍କ ପାଇଁ ପ୍ରସଂଶା କିମ୍ବା ନିନ୍ଦା କୌଣସି ବିଶେଷ ପ୍ରାସଙ୍ଗିକତା ଥିବା ମନେ ହୁଏ ନାହିଁ। ସମସ୍ତ ଆଲୋଚନା ଏବଂ ସମାଲୋଚନାର ଉର୍ଦ୍ଧ୍ବରେ ତାଙ୍କର ଅମଳିନ ବ୍ୟକ୍ତିତ୍ବ।

ଆମ ଗାଁର ନୀରିହ ଖଟିଖିଆ ଲୋକମାନେ ସେହି ବାଟରେ ଯିବା ଆସିବା କରିବା ସମୟରେ ସେହି ପ୍ରତିମୂର୍ତ୍ତି ପାଖରେ ଦଣ୍ଡେ ରହି ଯାଆନ୍ତି ସ୍ବତଃ ପ୍ରବୃତ୍ତ ଭାବେ। ଯୋଡ଼ ହସ୍ତ ହୋଇ ମଥାନତ କରି ସାଷ୍ଟାଙ୍ଗ ପ୍ରଣିପାତ ହୁଅନ୍ତି, ଭକ୍ତିପୂତ ଅଭିବାଦନ ଜଣାନ୍ତି। ଯିଏ ଅଗଣିତ ବିଶ୍ବବାସୀଙ୍କ ପାଇଁ ଚିର ନମସ୍ଯ, ଅଗଣିତ ମଣିଷମାନଙ୍କ ପାଇଁ ପ୍ରେରଣାର ଉତ୍ସ, ଆମ ଗାଁର ଲୋକଙ୍କ ପାଇଁ ନିଃସନ୍ଦେହରେ ଦେବତା ତୁଲ୍ୟ। ଗାନ୍ଧୀ ମଣ୍ଡପ ଆମ ଗାଁର ଏକ ପୁଣ୍ଯ ସ୍ଥଳୀ, ଏଥିରେ କାହାରି ଦ୍ବିମତ ନାହିଁ।

ଅଗଷ୍ଟ ପନ୍ଦର, ଜାନୁଆରୀ ଛବିଶି, ଅକ୍ଟୋବର ଦୁଇ ପରି ବିଶେଷ ତିଥିମାନଙ୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭଲ ଭାବରେ ପରିଷ୍କାର କରାଯାଇ ପୁଷ୍ପମାଲ୍ଯ ଅର୍ପଣ କରାଯାଏ ସରକାରୀ ସ୍ତରରେ ଗ୍ରାମ ପଞ୍ଚାୟତର କର୍ମକର୍ତ୍ତାମାନଙ୍କ ଦ୍ବାରା। ଅନ୍ଯାନ୍ଯ ଦିନମାନଙ୍କରେ ଖରା ବର୍ଷା ଶୀତ କାକର ସହି ଧୂଳି ଧୂସରିତ ହୋଇ ସହାସ୍ଯ ଦଣ୍ଡାୟମାନ ହୋଇ ରହିଥାଏ ଗାନ୍ଧୀ ମହାତ୍ମାଙ୍କ ଆବକ୍ଷ ପ୍ରତିମୂର୍ତ୍ତି ବିନା କୌଣସି ପ୍ରତିବାଦ ଅବା ପ୍ରତିକ୍ରିୟାରେ ଏକବାରକେ ତାଙ୍କର ଉତ୍ତୁଙ୍ଗ ବ୍ଯକ୍ତିତ୍ବ ପରି ଉଦାତ୍ତ ଚିତ୍ତରେ।

ଗାଁ ସ୍କୁଲରେ ପଢିବା ବେଳେ ପ୍ରତି ବର୍ଷ ଅଗଷ୍ଟ ପନ୍ଦର ତାରିଖ ଦିନ ସକାଳୁ ସକାଳୁ ପ୍ରଭାତ ଫେରିରେ ହାତରେ ତ୍ରିରଙ୍ଗା ପତାକା ଧରି ଦେଶାତ୍ମବୋଧକ ସଙ୍ଗୀତ ଗାଇ ଗାଇ ଗଗନ ପବନ ପ୍ରକମ୍ପିତ କରି ଆମେ ସବୁ କୁନି କୁନି ପିଲାମାନେ ଆସି ଏଇ ଗାନ୍ଧୀ ମଣ୍ଡପରେ ଥିବା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ପାଖରେ ଏକତ୍ରୀତ ହୋଇ ଦେଶ ଗଠନ କରିବାକୁ ଦୃଢ଼ ସଂକଳ୍ପ ନେଉଥିଲୁ। ସ୍ବାଧୀନତା ଦିବସରେ ବଣ୍ଟନ କରାଯାଉଥିବା ଲଡୁ ଖାଇ ସ୍ବାଧୀନ ହେବାର ସ୍ବାଦ ଆସ୍ବାଦନ କରୁଥିଲୁ। ଗାନ୍ଧୀ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଶପଥ ନେଉଥିଲୁ। ଦେଶ ପାଇଁ ଜୀବନ ସମର୍ପଣ କରିବା ପାଇଁ ଇଚ୍ଛା ଜାଗି ଉଠୁଥିଲା ସ୍ବତଃ ମନରେ। ବକ୍ତୃତା ପ୍ରତିଯୋଗିତାରେ ଗଭୀର ଆତ୍ମପ୍ରତ୍ୟୟର ସହ ଓଜସ୍ବିନୀ ଭାଷଣ ଭାଷୁଥିଲୁ। ଦେଶର ଗୌରବମୟ ଅତୀତରୁ ନେଇ ଏକ ସୁନେଲି ଭବିଷ୍ୟତ ଗଠନ କରିବାର କାର୍ଯ୍ୟପନ୍ଥାର ସୁଦୀର୍ଘ କଥା କହୁଥିଲୁ। କ୍ଷୁଧା ମୁକ୍ତ ଭାରତବର୍ଷର ସ୍ବପ୍ନ ଦେଖୁଥିଲୁ ସେତେବେଳେ। ସମୃଦ୍ଧ ସାର୍ବଭୌମ ଶକ୍ତିଶାଳୀ ଭାରତବର୍ଷର କଥା ତ ସଭିଏଁ ଆମେ କହୁଥିଲୁ ଜାତି ଧର୍ମ ବର୍ଣ୍ଣ ଲିଙ୍ଗ ବିଚାର ପନ୍ଥ ପ୍ରତିପତ୍ତିର ନିର୍ବିଶେଷରେ। ପର ଆପଣା ଭେଦଭାବକୁ ଦୂରେଇ ଦେଇ ଐକ୍ଯ ବଦ୍ଧ ଭାବେ ମହାଭାରତୀୟତାର ମନ୍ତ୍ରରେ ଦୀକ୍ଷିତ ହେଉଥିଲୁ ଏହି ଗାନ୍ଧି ମଣ୍ଡପ ଠାରେ ଆମର ପୂର୍ବସୂରୀମାନଙ୍କୁ ସାକ୍ଷୀ ରଖି।

ଆଜି ବି ସେଇ ପିଲା ଦିନର କଥା ମନେ ପଡ଼ିଗଲେ ମନ ପ୍ରାଣରେ ଖେଳି ଯାଏ ଶିହରଣ। ଉଦବେଳନ ତୀବ୍ରତର ହୋଇ ଝରି ପଡେ ଆଖିରୁ ଅବାରିତ ଲୁହ ଧାର। କେତେ ପାଇଛୁ କେତେ ହରେଇଛୁ ତାହାର ହିସାବ ରଖିବାକୁ କାହାକୁ ତର ସହୁନି ଆଜି। ସମୟର ସୁଅରେ ବଦଳି ଯାଏ ସବୁ କିଛି। ପରିବର୍ତ୍ତନ ହିଁ ସୃଷ୍ଟିର ଅପରିବର୍ତ୍ତନୀୟ ନିୟମ। ଆମେ କେହି ବି ଏହାର ବ୍ଯତିକ୍ରମ ନୁହଁନ୍ତି। ପିଲାଦିନର ଚରିତ୍ର ସବୁ ପରିବର୍ତ୍ତିତ ପରିସ୍ଥିତିରେ କେମିତି ଅପରିଚିତ ଲାଗନ୍ତି। ଏଇ ଯେମିତି ଆଜି ଏଇ ଦେଶରେ ଗାନ୍ଧୀଜୀଙ୍କୁ ନେଇ ଚାଲିଥିବା ଚର୍ଚ୍ଚା। କିଏ, କେବେ, କିପରି, କାହିଁକି ତାଙ୍କୁ ମହାତ୍ମା ଅବା ଜାତିର ଜନକ ବୋଲି ଆଖ୍ୟା ଦେଇଛନ୍ତି ସେସବୁକୁ ନେଇ ଆଜିକାଲି ଅନେକ ଆଲୋଚନା ଏବଂ ପର୍ଯ୍ୟାଲୋଚନା ହେଉଛି।

ସତ୍ଯ ଓ ଅହିଂସାର ନିରହଂକାରୀ ପୂଜାରୀ ଗାନ୍ଧୀଜୀ ନିଜ ଜୀବନର ତମାମ କଥାକୁ ଆତ୍ମଜୀବନୀରେ ଲିପିବଦ୍ଧ କରିଯାଇଛନ୍ତି ବେଶ୍ ସଚ୍ଚୋଟ, ନିର୍ଭିକ ଓ ନିଷ୍କପଟ ଭାବେ। ବିଲାତ ଫେରନ୍ତା ଅଧିବକ୍ତାରୁ ସାବରମତୀର ସନ୍ଥ ବନିବା ପର୍ଯ୍ୟନ୍ତ ଜୀବନ ଇତିହାସର ପ୍ରତିଟି ମୂହୁର୍ତ୍ତର ସଂଗୋପିତ ତଥ୍ୟ ସେଥିରେ ସଂକଳିତ। ବୋଧହୁଏ ଏପରି ସ୍ପଷ୍ଟବାଦୀ ଏବଂ ସତ୍ଯ ଉପରେ ଆଧାରିତ ଆତ୍ମଜୀବନୀ ସମଗ୍ର ବିଶ୍ୱରେ ବିରଳ। ସେଥିପାଇଁ ମୋର ଗାନ୍ଧିଜୀ ସବୁଠାରୁ ଅଧିକ ପ୍ରୀୟ ବ୍ଯକ୍ତିତ୍ବ। ସାଧାରଣତଃ ମଣିଷ ଚନ୍ଦ୍ରମା ସମ ନିଜର କଳଙ୍କିତ ଅନ୍ଧକାରମୟ ଚରିତ୍ରକୁ ଜନମାନସ ତଥା ଦୁନିଆଁ ଠାରୁ ଦୂରେଇ ରଖିବା ପାଇଁ ଶତତ ଚେଷ୍ଟିତ ହୋଇଥାଏ।

ଯୁଗେ ଯୁଗେ ସତ୍ୟ ଧର୍ମ ନ୍ୟାୟର ପଥରେ ଏକନିଷ୍ଠ ହୋଇ ଚାଲୁଥିବା ମହାମାନବମାନେ ଶୀକାର ହୋଇଥାନ୍ତି ଅସୂୟାର। ଏହା ହିଁ ନିର୍ବିବାଦୀୟ ସତ୍ଯ। ଇତିହାସ ସାକ୍ଷୀ ଅଛି, ଯିଶୁଖ୍ରୀଷ୍ଟଙ୍କୁ କୃଶ ବିଦ୍ଧ କରାଯାଇଥିଲା, ସେହିପରି ସକ୍ରେଟିସ୍ ଗାଲିଲିଓଙ୍କ ସହ କ୍ରୁର ବ୍ୟବହାର କରାଯାଇଥିଲା। ମହାତ୍ମାଗାନ୍ଧୀ ବା ଏହି ରୀତିରୁ ବ୍ଯତିକ୍ରମ ହୋଇ ପାରିଥାଆନ୍ତେ କିପରି? ଜୀବନ ବ୍ୟାପି ଅବଦାନ ଓ ସାଧନାର ଫଳ ସ୍ବରୂପ କିଛି ଉନ୍ମାଦ ବ୍ଯକ୍ତି ବିଶେଷଙ୍କ ରୋଷର ଶିକାର ହେଲେ। ନଶ୍ଵର ଶରୀରରେ ସିନା ଆଉ ଗାନ୍ଧିଜୀ ଆଉ ଏଇ ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କର ଅମର କୀର୍ତ୍ତି ସଦା ଉତ୍ତର ପୀଢ଼ିକୁ ଦିଗଦର୍ଶନ ଦେଉଥିବ ଚିରକାଳ।

କିନ୍ତୁ ବିଡ଼ମ୍ବନାର ବିଷୟ ଏହା ଯେ, ଆଜିର ସମୟରେ ଯୋଜନାବଦ୍ଧ ଭାବେ ଗାନ୍ଧୀବାଦୀ ଦର୍ଶନକୁ ଉପହାସ କରାଯାଉଛି। କେହି ବି ଜଣେ ତାଙ୍କର ଆତ୍ମଜୀବନୀ ପଢିବାକୁ ଆଗ୍ରହୀ ନୁହଁନ୍ତି ବରଂ ଅସମର୍ଥିତ ସୂତ୍ରରୁ ଅବାନ୍ତର ଏବଂ ବିଭ୍ରାନ୍ତିକର ପ୍ରସଙ୍ଗ ଉତ୍ଥାପନ କରି ଗଣମାଧ୍ୟମର ଶିରୋନାମା ମଣ୍ଡନ କରିବା ପାଇଁ ସଭିଏଁ ଅନବରତ ଭାବେ ଉଦ୍ଯମରତ । ରାଜନୀତିର ପଶାପାଲିରେ ବଳି ପଡିଛି ଗାନ୍ଧିଜୀଙ୍କ ନୀତି ଆଦର୍ଶ, ଗାନ୍ଧିବାଦ। କିଛି ଗୋଷ୍ଠୀ ଗାନ୍ଧୀଜୀଙ୍କୁ ମାଧ୍ୟମ କରି ଭୋଟ୍ ବ୍ୟାଙ୍କ୍ ରାଜନୀତିରେ ବ୍ଯସ୍ତ ତ ଆଉ ଗୋଷ୍ଠୀଏ ନାନାଦି ପ୍ରକାରର କୁତ୍ସାରଟନାରେ ନିମଗ୍ନ। ଅବିଶ୍ଵାସ ଓ ଅସହିଷ୍ଣୁତାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଗାନ୍ଧୀବାଦ ହିଁ ସଠିକ୍ ଭାବେ ମାର୍ଗଦର୍ଶନ କରିପାରିବ ବୋଲି ଆମର ଦୃଢ଼ ବିଶ୍ବାସ ରହିଛି।

ଏମିତି ଏକ ବିତର୍କିତ ସମୟରେ ଗତବର୍ଷ ଗାଁକୁ ଯାଇଥିଲି ମୁଁ ଅନେକ ଦିନର ବ୍ଯବଧାନ ପରେ ଟିକେ ଶାନ୍ତିରେ ସମୟ ବିତାଇବା ପାଇଁ, ବିଶୁଦ୍ଧ ବାୟୁରେ ନିଶ୍ୱାସ ପ୍ରଶ୍ୱାସ ନେବାକୁ। ଗ୍ରାମ ସ୍ଵରାଜକୁ ଅଗ୍ରାଧିକାର ଦେଉଥିବା ଗାନ୍ଧୀଜୀଙ୍କୁ ସମ୍ମାନ ଜଣାଇ ସବୁ କ୍ଷେତ୍ରରେ ଅଗ୍ରଗତି କରିଛି ଆମ ଗାଁ ଆଜିର ଦିନରେ। ପଙ୍କ କାଦୁଅ ଭରା ସଡ଼କ ଆଜି ପକ୍କା ହୋଇ ଯାଇଛି, ବିଜୁଳି ଆଲୁଅରେ ଝଲସି ଉଠୁଛି ଗାଁଟା ସାରା। ସ୍ଵଜଳ ଧାରା ବହୁଛି ସଭିଙ୍କ ଘରକୁ, ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା ଢେର୍ ଆଗେଇଛି। କୃଷି ଓ କୃଷକର ବି ଉନ୍ନତି ହୋଇଛି। ଗ୍ରାମ୍ୟ ଜୀବନର ସର୍ବାଙ୍ଗୀନ ବିକାଶ ସାଧିତ ହୋଇଛି ଏଇ କିଛି ଦଶନ୍ଧି ମଧ୍ୟରେ। ମନ ପୁରି ଉଠୁଥିଲା ଗାଁର ବିକାଶ ନକ୍ସା ଦେଖି। ଲାଗୁଥିଲା ଯେମିତିକି ଗାନ୍ଧୀଜୀଙ୍କ ସ୍ବପ୍ନ ସାକାର ରୂପ ନେଇଛି ଅନ୍ତତଃପକ୍ଷେ ଗ୍ରାମ୍ଯ ସ୍ବରାଜକୁ ନେଇ।

ଇଛା ହେଲା ଘେରାଏ ବୁଲି ଆସିବାକୁ ପଞ୍ଚାୟତ କାର୍ଯ୍ୟାଳୟ ଆଡ଼େ। ପିଲାଟି ଦିନରୁ ପରିଚିତ ଗାନ୍ଧୀଜୀଙ୍କ ସେହି ପ୍ରତିମୂର୍ତ୍ତି ପାଖରେ ମଥାନତ କରି ଜୁହାର ହେବା ପାଇଁ। ସମୃଦ୍ଧି ନିମନ୍ତେ ଆଭାର ବ୍ଯକ୍ତ କରିବା ପାଇଁ। ଘରୁ ବାହାରି ଚାଲି ଚାଲି ଗଲି ଗାନ୍ଧୀ ମଣ୍ଡପ ପାଖକୁ। ବଜାର ପୂର୍ବରୁ ହାଇସ୍କୁଲ ଠାରୁ ଅନତି ଦୂରରେ ଖୋଲିଛି ଠିପି ବନ୍ଦ ବିଦେଶୀ ମଦ ଦୋକାନଟିଏ। ଅସମ୍ଭବ ଗହଳି ଲାଗିଥାଏ ସେଠାରେ। ପିଲାଠାରୁ ବୁଢ଼ା ଯାଏଁ ସଭିଙ୍କର ଭିଡ଼। ବୟସ ଓ ସମ୍ମାନର ବାଛ ବିଚାର ନାହିଁ ଏଇ ଦୋକାନ ଦୁଆରେ।

ଗାନ୍ଧୀ ମଣ୍ଡପ ଠାରେ ପହଞ୍ଚି ଯାହା ଦେଖିଲି ମୁଁ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ଚାରିଆଡ଼େ ଭଙ୍ଗା କାଚ ବୋତଲ ଇତସ୍ତତଃ ଭାବେ ପଡ଼ି ରହିଥାଏ। ନିଶାଖୋରଙ୍କ ଆଡ୍ଡା ପାଲଟିଛି ଏଇ ପୂଣ୍ୟ ସ୍ଥଳୀ। ନିଶା ନିବାରଣ ନିମନ୍ତେ ଜୀବନ ବ୍ୟାପି ସଂଗ୍ରାମ କରିଥିବା ମହାତ୍ମାଗାନ୍ଧୀ ତଥାପି ପୂର୍ବ ପରି ନିର୍ବିକାର ଭାବେ ସହାସ୍ଯ ବଦନରେ ଦଣ୍ଡାୟମାନ ବିକାଶର ନୂତନ ପରିଭାଷାକୁ ଉପଲକ୍ଷ୍ଯ କରି। କାଳ ବିଳମ୍ବ ନ କରି ସେଠାରେ ଗାନ୍ଧିଜୀଙ୍କୁ ଦଣ୍ଡବତ ହୋଇ ଭଗ୍ନ ମନୋରଥ ନେଇ ଛାତିରେ ଅସହ୍ୟ କୋହ ଧରି ମୁଁ ଫେରି ଆସିଲି ମୋ କର୍ମଭୂମି ଦୂର ସହରକୁ ପେଟପାଟଣା ଦାୟରେ...

©ସମ୍ବିତ୍ ଶ୍ରୀକୁମାର



Rate this content
Log in

Similar oriya story from Classics