KRUTIBAS NAYAK

Children

3  

KRUTIBAS NAYAK

Children

ଗାଈର ସହର ବୁଲା

ଗାଈର ସହର ବୁଲା

6 mins
167



ଥରେ ଗୋଟିଏ ଗାଆଁର ଗାଈଗୋଠରୁ ଗାଈଟିଏ ବାଟ ଭୁଲିଗଲା । ଭଲ କଅଁଳିଆ ଘାସ ଚରୁଚରୁ ସେ ଜାଣି ପାରିଲା ନାହିଁ ଯେ, ଅନ୍ୟ ଗାଈ-ଗୋରୁମାନେ କେତେବେଳେ ଘରମୁହାଁ ହେଇଗଲେଣି । ଏଣିକି ତେଣିକି ଚାହିଁ ଯେତେ ହମାଳିଲେ ବି କେହି ତା' ଡାକ ଶୁଣିଲେ ନାହିଁ । ଏଣେ ଅନ୍ଧାର ମାଡ଼ି ଆସୁଛି । ସେ ତରବରହେଇ ଖୁବ ଜୋରରେ ଧାଇଁଲା । କିନ୍ତୁ ସେ ଓଲଟା ବାଟରେ ଧାଇଁଥିଲା । ଭୁଲ ବାଟରେ ପୁଣି ଅନ୍ଧାରରେ ଏକା ଏକା ଯାଉଥିବାରୁ ତାକୁ ଭାରି ଡର ଲାଗୁଥିଲା । ତଥାପି ସେ ଜୀବନ ବିକଳେ ସାହସକରି ସାରାରାତି ଚାଲିଚାଲି ଜଙ୍ଗଲ ପାରି ହେଇଗଲା ।


ସକାଳୁ ସକାଳୁ ସେ ଦେଖିବାକୁ ପାଇଲା- ବହୁତ ଗୁଡ଼ାଏ ବଡ଼ବଡ଼ କୋଠାଘର । କଳା ମଚମଚ ଲମ୍ବାଲମ୍ବା ପିଚୁରାସ୍ତା । ଧାଡ଼ି ଧାଡ଼ିହେଇ କେତେ ଗାଡ଼ି-ମୋଟର ଚାଲିଛି । ସେ ଅନୁମାନ କରିନେଲା-"ଏଇଟା ହେଉଛି-ସହର । ଏଠି ବି ଲୋକ ରହନ୍ତି । କିନ୍ତୁ କେହି କାହାରିକୁ କିଛି ମାରଧର କରୁ ନାହାନ୍ତି କି, ତାକୁ ବି କେହି ଗୋଡ଼ାଉ ନାହାନ୍ତି । କିନ୍ତୁ ଏଇଠି ତ ଘାସ-ପତ୍ର କି' ଲତା କିଛିନାହିଁ । ସେ ଏଠି ଏକୁଟିଆ ରହିବ କେମିତି, ଖାଇବ କ'ଣ ?"

ଏମିତି ଚିନ୍ତା କରିକରି ସେ ପିଚୁ ରାସ୍ତାରେ କେତେ ବାଟ ଚାଲିଲା । କିଛି ସମୟ ପରେ ସେ ଦେଖିବାକୁ ପାଇଲା- ପଲେଗାଈ ମେଳି ବାନ୍ଧି ପିଚୁରାସ୍ତା ମଝିରେ ଶୋଇ ପାକୁଳି କରୁଛନ୍ତି । ନିଜ ଜାତିର ଗାଈଙ୍କୁ ଦେଖି ସେ ଖୁସିହେଇ ତାଙ୍କ ପାଖକୁ ଗଲା । କିଛି କହିବା ଆଗରୁ ଗୋଟାଏ ମୁନିଆଁ ଶିଙ୍ଗବାଲି ଗାଈ ଉଠିଆସି ତାକୁ ମାରି ଗୋଡ଼େଇଲା । ସେ ମାଡ଼ ଭୟରେ କିଛି ଦୂରକୁ ଯାଇ ଠିଆହେଲା । ତା'ର ବିକଳ ଚାହାଁଣୀକୁ ଦେଖି ଗୋଟାଏ କୁନି-ବାଛୁରୀ ତା' ପାଖକୁ ଯାଇ ପଚାରିଲା-" ମାଉସୀ ! ତମେ କୋଉଠୁ ଆସିଛ ? ତମେ ତ ଆମ ସହର ଗାଈ ଭଳି ଦିଶୁନା । ଆଗରୁ ରହୁଥିଲ କୋଉଠି, ଆଉ ଏଠିକି ଆସିଛ କାହିଁକି ?"

ଗାଈଟି ତା' ପାଖକୁ ଧୀରେ ଯାଇ ଆଗ ତା' ବେକ ଆଉ ପିଠିକୁ ଚାଟିଦେଇ ଟିକେ ଗେଲ କରିଦେଲା ।

ବାଛୁରୀଟି ପୁଣି ପଚାରିଲା ମାଉସୀ ! ତମର ତ ମୋ ଭଳି ବାଛୁରୀ ଥିବ, ସେ କୋଉଠି ରହୁଛି ? ମୋତେ ତମେ ସାଙ୍ଗରେ ତା' ପାଖକୁ ନେଇଗଲେ, ମୁଁ ତା' ସାଙ୍ଗରେ ଖେଳିବି । ଆଜି ତାକୁ ଟିକେ ସାଙ୍ଗରେ ନେଇ ଆସିଲ ନାହିଁ ? ମୋ ମାଆର ଶିଙ୍ଗ ଭାରି ଗୋଜିଆ । ତା' ପାଖକୁ ମୋଟେ ଯିବନାହିଁ । ନହେଲେ ସେ ତା' ଶିଙ୍ଗରେ ଭୁଷିଦେବ ।"

କୁନି ବାଛୁରୀ କଥା ଗାଈକୁ ଖୁବଭଲ ଲାଗିଲା । ସେ ମଝିରେ ମଝିରେ ତାକୁ ଚାଟି ଦେଉଁଦେଉଁ ସବୁ ସତକଥା କହିଦେଲା । ତା'ର ତିନିଟା ଛୋଟ-ବଡ଼ ବାଛୁରୀ ଅଛନ୍ତି ବୋଲି କହିଦେଲା । ସେମାନେ କେମିତି ବିକଳହେଇ ତାକୁ ଖୋଜୁଥିବେ, ସେ କଥାକହି କାନ୍ଦିଲା ।"

ଗାଈର ସବୁକଥା ଶୁଣି ସାରି ବାଛୁରୀର ମନଦୁଃଖ ହେଇଗଲା । ସେ କହିଲା-" ମାଉସୀ ! ତମେ ତ ଘର ଛାଡ଼ି ବହୁତ ଦୂର ସହରକୁ ଚାଲି ଆସିଛି । ବାଟରେ ଜଙ୍ଗଲରେ ବାଘ-ଭାଲୁ ବି ଥିବେ । ତମେ ତ ଆଉ ଫେରି ପାରିବ ନାହିଁ । ତାଙ୍କ କଥା ସବୁ ଭୁଲି ଯା" । ସେମାନେ ତ ଯେମିତି ହେଲେ ଗାଆଁରେ ପେଜ-ପାଣି, ବିଲରୁ ଘାସଖାଇ ବଞ୍ଚିଯିବେ । ମୁଁ ତମର ଗୋଟିଏ ପୁଅ ବାଛୁରୀ ବୋଲି ଭାବି ଆମ ସାଙ୍ଗରେ ଏଇଠି ରହିଯାଅ । ମୋର ଭାଇ ଭଉଣୀ କେତେ ଅଛନ୍ତି । ସେମାନେ ବି ତମ ସାଙ୍ଗରେ ରହିବେ । ଆମ ସାଙ୍ଗରେ ମିଶି ତମେ ବଜାର ବୁଲିବ । ରାତିହେଲେ ପକ୍କା-ପିଚୁ ରାସ୍ତାରେ ଆମ ମେଳିରେ ଶୋଇବ । ଖୋଲା ପବନ ଖାଇବ । ଆମ ଷଣ୍ଢ ମାଉସା ଏଠିକି ମଝି ମଝିରେ ଆସି ଆମର ଭଲ-ମନ୍ଦ ବୁଝିଯାଏ । କେହି ଆମକୁ ମାରିବାକୁ ଆସିଲେ, ସେ ତାଙ୍କୁ ମାରି ଗୋଡ଼ାଇଦେବ । ଚିନ୍ତା କରନା, ମୁଁ ତମକଥା ସବୁ ଗାଈ-ଗୋରୁଙ୍କୁ ବୁଝେଇ କହିଦେବି । ସେମାନେ କେହି ତମକୁ ଆଉ ମାରିବେ ନାହିଁ । ତମେ ନିଜେ ଟିକେ ହୁସିଆର ହେଇ ଚଳିବ । ନହେଲେ କେଉଁ ପଟରୁ ଗାଡ଼ି ଆସି ତମ ଦେହରେ ପିଟିହେଇ ଯିବ ।"

-"ତୋତେ କୋଟି ପରମାୟୁ ଭଗବାନ ଦିଅନ୍ତୁ କହି, ଗାଈ ସେ କୁନି ବାଛୁରୀକୁ ଆଉଥରେ ଗେଲ କରିଦେଲା । କେତେ ଛୋଟ ବାଛୁରୀ ହେଲେ ବି ତା'ର କେଡ଼େ ସୁନ୍ଦର କଥାଶୁଣି ଗାଈର ମନ ଟିକେ ହାଲୁକା ହେଇଗଲା । ବାଛୁରୀ ସାଙ୍ଗରେ ମିଶି ସେ ଗାଈମେଳି ଭିତରକୁ ଗଲା । ବାଛୁରୀର କଥାଶୁଣି ଅନ୍ୟ ଗାଈମାନେ ଆଉ କେହି ତାକୁ ମାରିବାକୁ ଆସିଲେ ନାହିଁ । ନିଜ ଭାଗ୍ୟକୁ ଆଦରି ସେ ସେଇଠି ରହିଯିବାକୁ ଭାବୁଥିଲା । ସେ ଦେଖିଲା, କିଛି ସମୟ ପରେ ଗାଈ-ବାଛୁରୀ ମିଶି ଅଳିଆ ଗଦାରେ ପଡ଼ିଥିବା ଅପରିଷ୍କାର ଅଇଁଠା ଖାଇବାକୁ ଗଲେ । କୁକୁରମାନଙ୍କ ସହିତ ଲଢ଼ି ସେଇଠି ପଡ଼ିଥିବା ବଳକା ପଚାଖାଦ୍ୟ, କାଗଜ ଆଉ ମସଲା ଲାଗିଥିବା ଛିଣ୍ଡା ଜରିକୁ ଚାଟି ଖାଇବାରେ ଲାଗିଲେ ।

ଦୂରରେ ଠିଆହେଇ ଗାଉଁଲି ଗାଈ ତାଙ୍କୁ ଦେଖୁଥିଲା । କୁନି ବାଛୁରୀ ଯେତେ ଡାକିଲେ ବି ସେ ଅଳିଆ ଭିତରକୁ ଗଲାନାହିଁ । ସେ ପୁଣି ଦେଖିଲା-ଗୋଟାଏ ବେମାରିଆ ଷଣ୍ଢ ସେଇ ବାଟଦେଇ ଗଲା । ତା'ର ଗୋଡ଼ରେ ଫାଟୁଆ ରୋଗ ହେଇଛି । ବିଚରା ଗୋଡ଼କୁ ଘୋଷାଡ଼ି ଘୋଷାଡ଼ି ବଡ଼କଷ୍ଟରେ ଯାଉଛି । ପେଟଟା ତା'ର ଫୁଲି ବେଲୁନ ଭଳି ଦିଶୁଛି । ସେ ଜାଣିଗଲା-ପୁଳାଏ ଖଣ୍ଡ ଜରି ସେ ଖାଇ ଥିବାରୁ ତା' ଅବସ୍ଥା ଏମିତି ହେଇଛି । ଶିଙ୍ଗ ଦୁଇଟା ଯାକ ଭାଙ୍ଗିଯାଇ ବଡ଼ ଅସୁନ୍ଦର ଦେଖା ଯାଉଛି । ସିଏ ବି ସେଇ ଅଳିଆ ଗଦାରେ ପଶି ଜରି ଚାଟିବାରେ ଲାଗିଲା । ଅନ୍ୟଗାଈ ବାଛୁରୀଙ୍କ ଅବସ୍ଥା ବି ସେଇୟା । ଭୋକ ବିକଳରେ ସେମାନେ ଅଇଁଠା ଜରିକୁ ଚାଟୁ ଚାଟୁ ସେ ଜରିକୁ ବି ଗିଳି ଦେଉଛନ୍ତି । ସେ ତା'ର ଥୋମଣିକୁ ବିକୃତ କରି ସେଇଠି ସେମିତି ଠିଆହେଇ ରହିଥିଲା । କୁନି ବାଛୁରୀ ତା' ପାଖକୁ ଆସି କହିଲା- "ମାଉସୀ ! ତମେ ଲାଜକଲେ ବଞ୍ଚି ପାରିବ ନାହିଁ । କାଲିଠାରୁ ତମେ ଉପାସ ରହିଛ । କେତେ ବାଟ ଚାଲିଚାଲି ପୁଣି ଦୌଡ଼ିଦୌଡ଼ି ଆସିଛ । ଥକି ପଡ଼ିଥିବ, ଭୋକ ବି ଲାଗୁଥିବ । ଅନ୍ୟ ଗାଈମାନଙ୍କ ଭଳି କିଛି ଅଇଁଠା କଣ୍ଟା ଟିକେ ଖାଇନିଅ । ଆମ ସହରରେ ଗାଈ-ଗୋରୁମାନେ ଏଇମିତି ବୁଲିବୁଲି ଖାଆନ୍ତି । ତମର ବି ଅଭ୍ୟାସ ହେଇଯିବ । ହଁ, ତମକୁ ପ୍ରଥମେ ପ୍ରଥମେ ଟିକେ ହୁସିଆରହେଇ ଖାଇବାକୁ ପଡ଼ିବ । କାରଣ ସହରୀବାବୁମାନେ ବେଶି ମାଛ-ମାଉଁସ ଖାଆନ୍ତି । ସେମାନେ ହାଡ଼-ଗୋଡ଼, କଣ୍ଟାକୁ ବଳକା ଖାଦ୍ୟ ସହିତ ଜରି ଭିତରେ ପୂରେଇ ଅଳିଆ ଗଦାରେ ପକେଇ ଦିଅନ୍ତି । ବେଳେବେଳେ ଭାରି ସୁଆଦିଆ ଲାଗୁଥିବା ମିଠା-ମିଠା, ଲୁଣିଲୁଣି, ମସଲା ଦିଆ ବଳକା ତରକାରୀ ଆମକୁ ମିଳିଯାଏ । ତା' ସହିତ ସେଇ ହାଡ଼-କଣ୍ଟା ବି ଆମ ପେଟକୁ ଚାଲିଯାଏ । ତମେ ଦେଖି-ଚାହିଁ ଖାଇବ । କୁକୁରମାନେ ତ ସେଇଠି ମାଡ଼ଗୋଳ ଲାଗିଥିବେ । ସେମାନେ ବି କାମୁଡ଼ିଦେଇ ପାରନ୍ତି । ସହର ବାହାରକୁ ଗଲେ, କିଛି ଘାସ ବି ଚରିବାକୁ ମିଳିବ । କିନ୍ତୁ ଥରେ ଯାହା ପାଟିରେ ଲୁଣ ମସଲାଦିଆ ଖାଦ୍ୟ ଲାଗିଛି, ସେ ଆଉ ଘାସ ଖାଇବାକୁ ଇଚ୍ଛା କରିବ ନାହିଁ । ତମେ କିଛିଦିନ ପରେ ସବୁକଥା ନିଜେ ଦେଖି ଶିଖିଯିବ ମାଉସୀ, ଚିନ୍ତା କରନା ।

ବାଛୁରୀର କଥାରୁ ଗାଈ ବୁଝିଗଲା- "ସହରରେ ରହୁଥିବା ଗାଈ-ଗୋରୁମାନେ ଗାଁ'ଗାଈଙ୍କଠାରୁ ଭିନ୍ନ ।

ସେତିକିବେଳେ ଗୋଟାଏ ଗାଈର ଖୁରା ଉପରେ ତା'ର ନଜର ପଡ଼ିଗଲା, ଚାରିଟାଯାକ ଖୁରା ଜୋତା ପିନ୍ଧିଲା ପରି ଦିଶୁଛି । ଆଗକୁ ଏତେ ବଢି ଯାଇଛି ଯେ, ସେ ପାଦ ଠିକ ଭାବରେ ପକେଇ ପାରୁନାହିଁ । ତେଣୁ ବଡ଼ କଷ୍ଟରେ ସେ ଗୋଡ଼ ଟେକିଟେକି ଚାଲୁଛି । ସେ ବାଛୁରୀକୁ ପଚାରିଲା- ଏ' ଗାଈର ଖୁରା ଏତେ ଲମ୍ବି ଯାଇଛି କାହିଁକି ? ଆମର ତ କେବେ କାହାର ଏମିତି ଖୁରା ବଢ଼େନାହିଁ । ବାଛୁରୀ କହିଲା-" ମାଉସୀ ! ତମେ କହିଲ, ଗାଈ-ଗୋରୁମାନଙ୍କର ଗୋଡ଼ ଖୁରାକୁ ଭଗବାନ ତିଆରି କରିଛନ୍ତି- ବିଲବାଡ଼ିରେ, ପାଣି କାଦୁଆରେ କେମିତି ଭଲରେ ଚାଲିବେ । ବଣ-ଜଙ୍ଗଲ ଭିତରେ ପଶି ଆରାମରେ ବୁଲିପାରିବେ । କାଦୁଅ ପାଣିରେ ଗୋଡ଼ ଖସିଯିବ ନାହିଁ ବୋଲି ଆମଖୁରା ଦୁଇଫାଳ ହେଇଛି । କିନ୍ତୁ ସହରର ପକ୍କା ପିଚୁରାସ୍ତାରେ ଆମେ ଚାଲିଲେ ତ ଏମିତି ହେବ ନା ନାହିଁ ? ହେଇ ଦେଖ ଏ' ବୁଢ଼ୀଗାଈର ଅବସ୍ଥା କେମିତି ହେଇଛି । ତା' ଖୁରରୁ ମୁଣ୍ଡାମୁଣ୍ଡା ରକ୍ତ ବାହାରୁଛି । କେହି ତା' କଷ୍ଟକୁ ବୁଝିବାକୁ ଏଠି ନାହାନ୍ତି । ଗାଈର ମାଲିକମାନେ କିଏ କେଉଁଠି ରହୁଛି, କେହି କହିପାରିବେ ନାହିଁ । ତା'ର ଚିକିତ୍ସା କରିବାକୁ କେହିନାହିଁ । ଆଉ କେତେଦିନ ପରେ ତା' ଗୋଡ଼ର ଘାଆ ବଢ଼ିଯିବ । ଖୁରାରେ ପୋକ ସାଲୁବାଲୁ ହେବେ, ଖୁରା ପଚି ବାହାରିଯିବ । ତାପରେ ସେ ବୁଢ଼ୀଗାଈ ରାସ୍ତାରେ ପଡ଼ିପଡ଼ି ମରିଯିବ ।"

ବାଛୁରୀକଥା ଶୁଣିଲାବେଳେ ଗାଈ ଭାବୁଥିଲା- " ତା' ଖାଉନ୍ଦ କେମିତି ତାଙ୍କର ସେବା-ଯତ୍ନ ନିଏ । ଥଣ୍ଡା ଧରିଥିଲେ, ତାଙ୍କ ଖୁରାରେ, ଶିଙ୍ଗରେ ସୋରିଷତେଲ ଲଗେଇଦିଏ । ଗରମ ଗରମ ପେଜ ଭାତ, ଚୁଡ଼ା ମୁଢ଼ି ଖାଇବାକୁ ଦିଏ । ବର୍ଷକୁ ଥରେ ବଳଦେବଙ୍କ ଜନ୍ମଦିନରେ ତାଙ୍କୁ ଫୁଲମାଳ ପିନ୍ଧେଇ ପୂଜାକରି ଜୁହାର ହୁଏ । ମଝିରେ ମଝିରେ ଘଷି ମାଜି ଗାଧୋଇ ଦିଏ । ଦୋଳ ପୂର୍ଣ୍ଣିମାରେ ତାଙ୍କୁ ପିଠା-ପଣା ଖାଇବାକୁ ମିଳେ । କଅଁଳ ଘାସ କାଟି ଆଣି ଆମ ଆଗରେ ପକାଏ । କୁଣ୍ଡରେ ଉଷୁମ ଉଷୁମ କୂର୍ଚି ଆଣି ଭର୍ତ୍ତି କରିଦିଏ । ସେ ସବୁ ସୁଆଦିଆ ଖାଦ୍ୟ ସହରୀ ଗାଈ କେବେ ଚାଖି ନଥିବେ । ଆମେ ଘରକୁ ନ ଫେରିଲେ, ଘର ମାଲିକ ସେଦିନ ଉପବାସ ରହି ଆମକୁ ଖୋଜେ । ଆମେ ତାଙ୍କ ପରିବାର ଲୋକଙ୍କ ଭଳି ଖୁସିରେ ରହୁ । ସତରେ ଏମାନେ ବହୁତ କଷ୍ଟରେ ଅଛନ୍ତି ।"

ବାଛୁରୀର ସବୁକଥା ଶୁଣିସାରି ଗାଈ କହିଲା- " ପୁଅ ! ଏଠି ତ ମୁଁ ମୁହୂର୍ତ୍ତେ ବି ରହି ପାରିବି ନାହିଁ । ମୁଁ ମଲେ ମରିବି ପଛେ ଭୋକ ଉପାସରେ, କିନ୍ତୁ ଏମିତି ଅଇଁଠା ଜରି ଚାଟିବି ନାହିଁ । ସହରରେ ତ ମଣିଷ ଅଛନ୍ତି, ସେମାନେ କ'ଣ ଏ'ସବୁକୁ ଦେଖି ପାରନ୍ତି ନାହିଁ ? ଛି-ଛି- ଧିକ, ସେମାନଙ୍କୁ । ମୁଁ ଯେଉଁ ବାଟେ ଆସିଥିଲି ସେଇ ବାଟଦେଇ ଏବେ ଫେରିଯିବି । ବାଟରେ ବାଘ ଖାଇଲେ ବରଂ ଭଲ କିନ୍ତୁ ତମର ଏ' ଦୟନୀୟ ଜୀବନକୁ ମୁଁ ଆଉ ଦେଖି ରହିପାରିବି ନାହିଁ ।"

ଏତିକି କହି ଗାଈଟି ନିଜ ଲାଙ୍ଗୁଳକୁ ଟେକି ଏକମୁହାଁହେଇ ଜଙ୍ଗଲ ଆଡ଼କୁ ଧାଇଁଲା । ବାଟରେ ସେ ଭାବୁଥିଲା- "ଗାଆଁରେ ପହଞ୍ଚିଲେ, ଆମର ପିଲାମାନଙ୍କୁ ଏଠିକା ଗାଈ-ଗୋରୁଙ୍କ ଅବସ୍ଥା କଥା କହିଦେବି, ଆଉ କହିବି- କେବେ ବି ସହରକୁ ଯିବାକୁ ମନ କରିବ ନାହିଁ ।"


Rate this content
Log in

Similar oriya story from Children