ଗାଈ ଅଭିଶାପ ପାଇଲେ କାହିଁକି
ଗାଈ ଅଭିଶାପ ପାଇଲେ କାହିଁକି


ଜେଜେମାଙ୍କ ଶ୍ରାଦ୍ଧ ଦିନ ଘରେ ଭାଲେଣି ପଡିଲା ।
ସେ ବର୍ଷ ନଈ ବଢି ହୋଇଥାଏ । ଘରେ କିଛି ନଥାଏ । ଚାଷ ଜମି ଧୋଇ ହୋଇ ବାଲି ଚରି ଯାଇଥାଏ । ଯୁଆଡେ ଅନାଇଁବ ମରୁଭୂମି ପରି ଖାଲି ବାଲି ଆଉ ବାଲି । ଚାରିଆଡେ ଖାଦ୍ୟ ପାଇଁ ହାହାକାର । ବହୁ କଷ୍ଟରେ ବଞ୍ଚୁଥାନ୍ତି ମଣିଷ ସହ ସକଳ ଜୀଵ ଜନ୍ତୁ । ମୋ ଜେଜେମାଙ୍କର ଶ୍ରାଦ୍ଧ ଦିବସ ନଈ ବଢି ହେବାର ତିନି ମାସ ପରେ ପଡ଼ିଥାଲା । ବାପାଙ୍କ ମନ ଦୁଃଖ । କେମିତି ପିଣ୍ଡ ପଡିବ । ଘରେ କି ବାହାରେ ମୁଠେ ଅରୁଆ ଚାଉଳ ମିଳିବା କଷ୍ଟ । କଣ କରିବେ ଭାରି ଚିନ୍ତାରେ ପଡିଲେ । ପାଖରେ ପଇସା ଥିଲେ ବି ଶ୍ରାଦ୍ଧ ସାମଗ୍ରୀ ମିଳିବା କାଠିକର ପାଠ । ଯେଉଁଠି ଦୋକାନ ନାହିଁ ସେଠି ସାମଗ୍ରୀ କେଉଁଠୁ ଆସିବ! ଭାଲେଣି ପଡିଲା ଏ ବର୍ଷ ଜେଜେମା ଶ୍ରାଦ୍ଧ ବନ୍ଧ ହେବ କି!
ବୋଉ ବାପାଙ୍କୁ କହିଲା, ଯାଅ ଆମ କୁଳ ପୁରୋହିତଙ୍କ ସହ ପରାମର୍ଶ କର । ସେ ଯାହା କହିବେ ଆମେ ସେଇଆ କରିବା । "
କାଳିଆ ନନା,ଆମ କୁଳ ପୁରୋହିତ ଘରକୁ ଆସିଲେ । ବାପାବୋଉଙ୍କ ବ୍ୟସ୍ତ ହେବାର ଦେଖି କହିଲେ ଆରେ ବୃନ୍ଦାବନ,ମୋ ବାପାଙ୍କ ନାଁ ବୃନ୍ଦାବନ! ସମୟ ପ୍ରତି
କୂଳ । ପେଟକୁ ମୁଠେ ଦାନା କି ପିନ୍ଧିବାକୁ ଖଣ୍ଡେ କନା କାହାର ନାହିଁ । ଏ ବିପରୀତ ସମୟରେ ଏତେ ଚିନ୍ତା କଲେ ହେବ ? ଯାହା ଯେମିତି କେବଳ ପିଣ୍ଡଟି ପକେଇ ଦେବ । ଭୋଜିଭାତର ତ ପ୍ରଶ୍ନ ଉଠୁନାହିଁ । ଖାଲି ଯାହା ପିଣ୍ଡ ବନ୍ଦ ନ ହେଉ । "
ବୋଉ କହିଲା,ନନା ଗୋସେଇଁ ଘରେ କିଛି ନାହିଁ ;ତଣ୍ଡୁଳ ବାଢିବାକୁ । କେମିତି ପିଣ୍ଡ ଦିଆଯିବ?
ତୁମେ ଏବେ ଖାଉଛ କଣ?
ମାଣ୍ଡିଆ ଯାଉ ।
ହେଉ ସେଇଆକୁ ଦେଇ ଦେବ ।
ମାଣ୍ଡିଆରେ ପିଣ୍ଡ ପଡି ପାରିବ?
ନନା ବୁଝେଇଲେ ,ଦେଖ ବୋହୁମା ପିଣ୍ଡ ବା ଶ୍ରାଦ୍ଧର ଅର୍ଥ କଣ ଜାଣ ! ଯାହା ଶ୍ରଦ୍ଧାର ସହ କାୟ ମନୋ ବାକ୍ୟରେ ପିତୃପୁରୁଷଙ୍କୁ ଅର୍ପଣ କରାଯାଏ । ତୁମେ ତୁମ ମାଙ୍କ ପିଣ୍ଡ ଦାନ ପାଇଁ ବ୍ୟାକୁଳ ଏଇତକ ହିଁ ଯଥେଷ୍ଟ । କୁହାଯାଏ ପିତୃପୁରୁଷ ସବୁ ଦେଖି ପାରନ୍ତି,ବୁଝି ପାରନ୍ତି । ଯଦି ଏ କଥା ସତ,ତେଵେ ସେ କଣ ବର୍ତ୍ତମାନ ପରିସ୍ଥିତି କଥା ବୁଝି ପାରିବେ ନାହିଁ?
ନନା ! କେଉଁ କାଳୁ ମୁଠାଏ ଅରୁଆ ଚାଉଳ ଅଛି । ଢ଼ିଙ୍କି ଧୁଆ ନୁହଁ । ମାଣ୍ଡିଆ ନ ଦେଇ ସେଇତକ ଧୋଇ ଧାଇ ଦେଲେ ଚଳିବ କି!!
ବହୁତ ବଢ଼ିଆ ହେବ । ତୁମେ ଜାଣିଛ ସୀତା ଦେବୀଙ୍କ କଥା ।
ସୀତା ଦେବୀ!!
ହଁ ଅଯୋଧ୍ୟାର ରାଜା ଦଶରଥଙ୍କ ବୋହୁ । ପୁରୁଷୋତ୍ତମ ରାଜା ଶ୍ରୀରାମଙ୍କ ପତ୍ନୀ,ସୀତା ।
ପିତୃସତ୍ୟ ପାଳି ରାମ ,ଲକ୍ଷ୍ମଣ ଓ ସୀତା ଚଉଦ ବର୍ଷ ବନବାସ କରିଥିଲେ ।
ବୋଉ କହିଲା, ବନବାସ କାହିଁକି ଗୋସେଇଁ !
ସେ ଅନେକ କଥା । ରାମାୟଣ କଥାମୃତ ଇଏ । ମନ୍ଥରା କୁ ମନ୍ତ୍ରଣା ପାଇଁ ଦଶରଥଙ୍କ ରାଣୀ କୈକେୟୀ ରାମ ରାଜା ନ ହୋଇ ଚଉଦ ବର୍ଷ ବନବାସ କରିବେ ଓ ତାଙ୍କ ପୁଅ ଭାରତ ଅଯୋଧ୍ୟାର ରାଜା ହେବେ ଏପରି ସତ୍ୟ କରାଇ ଦୁଇଟି ବର ମାଗିନେଲେ ।
ସେଥିପାଇଁ ରାତି ପାହିଥିଲେ ରାମ ରାଜା ହୋଇ
ଥାନ୍ତେ ;କିନ୍ତୁ ବନବାସୀ ହେଲେ । ସମୟ ଖେଳ ବଡ଼ ବିଚିତ୍ର । କେତେବେଳେ କାହା ସହ କଣ ଘଟାଏ କେହି ଜାଣନ୍ତି ନାହିଁ ।
ରାମ ରାଜା ଦଶରଥଙ୍କର ଜୀବନ ଥିଲେ । ରାମ ବନବାସ ଯିବା ଦୁଃଖ ସହି ନପାରି ଦଶରଥଙ୍କର ମୃତ୍ୟୁ ହେଲା । ମୃତ୍ୟୁ ପରେ ପିଣ୍ଡ ଦାନ ନ କଲେ ଆତ୍ମା ମୋକ୍ଷ୍ୟ ହୁଅନ୍ତି ନାହିଁ ବୋଲି କୁହାଯାଏ । ଦଶରଥଙ୍କ ମୃତ୍ୟୁ ଖବର ରାମ,ଲକ୍ଷ୍ମଣ ଓ ସୀତା ପାଇଁ ବହୁତ କାନ୍ଦିଲେ । ରାମ ନିଜକୁ ଧିକ୍କାର ବି କଲେ । ପୁଅ ହୋଇ ବାପାଙ୍କ ଶେଷ ସମୟରେ ରହି ପାରିଲେ ନାହିଁ ବୋଲି ଖୁବ୍ ମନଦୁଃଖ କରି ଭାଙ୍ଗି ପଡିଲେ । ରାମ ତ ନିଜେ ଅବତାରୀ ପୁରୁଷ । ସେ ଜାଣିଥିଲେ ପିଣ୍ଡ ନ ଦେଲେ ତାଙ୍କ ପିତାଙ୍କ ଆତ୍ମା ମୋକ୍ଷ୍ୟ ପାଇବ ନାହିଁ ।
ତେଣୁ ସେ ଗୟାରେ ପିଣ୍ଡଦାନ ଦେବାକୁ ଗଲେ । ସୀତାଙ୍କୁ ସେଠାରେ ବସାଇ ଦୁଇ ଭାଇ ପାଖରେ ଥିବା ଗ୍ରାମକୁ ପିଣ୍ଡ ସାମଗ୍ରୀ ଯୋଗାଡ଼ କରିବାକୁ ଗଲେ । ସେମାନଙ୍କ ଆସିବା ଡେରି ହେଲା । ସୀତା ଏକୁଟିଆ ବସି କାହିଁକି ଦୁଇ ଭାଇ ଆସିଲେନି ବୋଲି ଭାବୁ ଥାଆନ୍ତି । ପିଣ୍ଡ ବେଳ ଗଡି ଯାଉଛି । କଣ କରିବେ ? ତାଙ୍କୁ କିଛି ବୁଦ୍ଧି ବାଟ ଦିଶୁ ନଥାଏ । ଦୁଇ ଭାଇ ପିଣ୍ଡ ସାମଗ୍ରୀ ଧରି ଶୀଘ୍ର ଆସନ୍ତୁ ବୋଲି କାମନା କରୁଥାନ୍ତି ।
ଏହି ସମୟରେ ଆକାଶରୁ ଶୁନ୍ୟବାଣୀ ଶୁଭିଲା । ଦଶରଥ କହୁଥାନ୍ତି, " ବୋହୁ ପିଣ୍ଡ ବେଳ ଗଡି ଯାଉଛି । ମୁଁ ଖୁବ୍ ଭୋକିଲା । ମୋତେ ପିଣ୍ଡ ଦାନ କରି ମୋ କ୍ଷୁଦାର୍ଥ ପ୍ରାଣକୁ ଶୀତଳ କରାଅ । ପିଣ୍ଡ ଦାନ ଫଳରେ ମୋତେ ମୁକ୍ତି ମିଳୁ ମା । "
ସୀତା ବିନୀତ ଅନୁରୋଧ କରି କହିଲେ ହେ ପିତା ମହାଭାଗ ! ଆପଣଙ୍କ ପୁତ୍ର ପିଣ୍ଡଦାନ ସାମଗ୍ରୀ ସଂଗ୍ରହ ପାଇଁ ଏଇ ନିକଟରେ ଥିବା ଗ୍ରାମକୁ ଯାଇଛନ୍ତି । ଏବେ ଆସୁଥିବେ । ଆଉ ମାତ୍ର କ୍ଷଣେ ଅପେକ୍ଷା କରନ୍ତୁ ।
ଦଶରଥ କହିଲେ, ପୁତ୍ରୀ ବେଳ ଗଡିଗଲେ ପିଣ୍ଡ ଗ୍ରହଣୀୟ ନୁହେଁ । ତୁମେ ମୋତେ ପିଣ୍ଡଦାନ କର ମା ।
କିନ୍ତୁ ମୋ ପାଖେ ପିଣ୍ଡଦାନ ଦେବାକୁ ତ କିଛି ନାହିଁ?କି ଦାନ ଦେବି?
ତୁମେ ବାଲିପିଣ୍ଡ ଦିଅ ମା ।
ବାଲିପିଣ୍ଡ!! ଏ କେମିତି ସମ୍ଭବ!!
ସବୁ ସମ୍ଭବ ମା । ଶ୍ରଦ୍ଧାରେ ଯାହା ଦେବ,ତାହା ଗ୍ରହଣ କରି ମୁଁ ସନ୍ତୁଷ୍ଟ ହେବି ।
ସୀତା ଚିନ୍ତାରେ ପଡିଗଲେ । କଣ କରିବେ ! ଏଣେ ରାମ ଲକ୍ଷ୍ମଣ ଆସୁ ନାହାନ୍ତି । ତେଣେ ପିଣ୍ଡଦାନ ବେଳ ଗଡି ଯାଇଛି ବୋଲି ପିତା ଦଶରଥ ବ୍ୟାକୁଳ । ପିତା ବେଳ ଗଡି ଗଲେ ପିଣ୍ଡ ଗ୍ରହଣୀୟ ନୁହେଁ ବୋଲି କହିଲେଣି?ବାଲିପିଣ୍ଡ କଣ ଦିଆଯାଏ ! ଯଦି ବା ସେ ବାଲି ପିଣ୍ଡଦାନ କରିବେ; ରାମ ଲକ୍ଷ୍ମଣ ଏ କଥାକୁ ସତ ଭାବିବେ ତ !!
ଦଶରଥଙ୍କ ଆତ୍ମା କହୁଥାନ୍ତି ଡେରି କର ନାହିଁ ବୋହୁ ମା ମୋତେ ପିଣ୍ଡଦାନ କର । ଦେବୀ ସୀତା କୁଆଡୁ କିଛି ଉପାୟ ନ ପାଇ ପାଖରେ ଥିବା ଫଲ୍ଗୁ ନଦୀ, ଗାଈ,ବଟ ବୃକ୍ଷ, ତୁଳସୀ ଓ ଜଣେ ବ୍ରାହ୍ମଣଙ୍କୁ ସାକ୍ଷୀ ରଖି ବାଲିରେ ପିଣ୍ଡଦାନ କଲେ । ଦଶରଥ ହାତ ବଢ଼ାଇ ବୋହୁ ସୀତାଙ୍କଠାରୁ ପରମ ତୃପ୍ତିରେ ବାଲି ପିଣ୍ଡ ଗ୍ରହଣ କରି ଅତ୍ୟନ୍ତ ପ୍ରସନ୍ନ ହେଲେ । ସୀତାଙ୍କୁ ଆଶୀର୍ବାଦ କରି ମୋକ୍ଷ୍ୟ ଲାଭ କରିଥିଲେ ।
ସୀତା ବାଲିପିଣ୍ଡ ଦାନ କରିବା ପରେ ରାମଲକ୍ଷ୍ମଣ ପିଣ୍ଡଦାନ ସାମଗ୍ରୀ ଧରି ଫେରି ଆସି ସୀତାଙ୍କୁ ପିଣ୍ଡଦାନ ପାଇଁ ଆୟୋଜନ କରିବାକୁ କହିଲେ । ମାତ୍ର ସୀତା ପିଣ୍ଡଦାନ କରି ସାରିଲେଣି ବୋଲି ଜଣାଇଁଲେ । ରାମଲକ୍ଷ୍ମଣ ଏ କଥା ବିଶ୍ବାସ କଲେ ନାହିଁ । ତେଣୁ ସୀତା ସାକ୍ଷୀ ରଖିଥିବା ଫଲ୍ଗୁ ନଦୀ,ଗାଈ,ବ୍ରାହ୍ମଣ,ତୁଳସୀ, ଓ ବଟ ବୃକ୍ଷକୁ ପିଣ୍ଡଦାନ କଥା ରାମଙ୍କୁ କହିବାକୁ କହିଲେ । ସବୁ କଥା ଜାଣିଥିଲେ ମଧ୍ୟ କେହି କିଛି ନ ଦେଖିଲା ପରି ନୀରବ ରହିଲେ । ଏକମାତ୍ର ବଟ ବୃକ୍ଷ ମା ସୀତା ବାଲି ପିଣ୍ଡଦାନ କରି ଦଶରଥଙ୍କ ଆତ୍ମାକୁ ସନ୍ତୁଷ୍ଟ କରିଛନ୍ତି ବୋଲି ସତ୍ୟ କହିଲେ । ତଥାପି ରାମ ବିଶ୍ବାସ ନ କରିବାରୁ ନିଜେ ଦଶରଥଙ୍କ ଶୁନ୍ୟବାଣୀ ହେଲା ଯେ ପୁତ୍ର ରାମ , ପୁତ୍ରୀ ସୀତା ଯାହା କହୁଛନ୍ତି ତାହା ସତ୍ୟ । ପିଣ୍ଡଦାନ ବେଳ ଉଛୁର ହେବାରୁ ସେ ମୋତେ ବାଲିପିଣ୍ଡ ଦେଇଛନ୍ତି ଏବଂ ମୁଁ ମହାଖୁସିରେ ତାହା ଗ୍ରହଣ କରିଛି ।
ରାମ ସୀତାଙ୍କୁ ଭାଗ୍ୟବତୀ ବୋଲି କହି ଉଚ୍ଚ ପ୍ରଶଂସା କଲେ । ତୁମେ ବୋହୁ ହେଲେ ବି ଆଜି ପୁତ୍ରର କର୍ତ୍ତବ୍ୟ କରି ଜଗତବାସୀଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛ ।
ସୀତା କିନ୍ତୁ ସାକ୍ଷୀ ରଖିଥିବା ଫଲ୍ଗୁ ନଦୀ,ଗାଈ
,ବ୍ରାହ୍ମଣ,ତୁଳସୀକୁ ରାଗି ଅଭିଶାପ ଦେଲେ ।
ଫଲ୍ଗୁ ନଦୀକୁ କହିଲେ ସତ କଥା ଦେଖି ଚୁପ୍ ରହିଥିବାରୁ ତୁମେ ସବୁବେଳେ ଶୁଖିଲା ରହିବ । ତୁମ ଦେହରେ ଟୋପେ ବି ପାଣି ରହିବ ନାହିଁ ।
ଗାଈକୁ କହିଲେ ତୋ ମୁଖ ଅପବିତ୍ର ହେବ ।
ବ୍ରାହ୍ମଣଙ୍କୁ କହିଲେ ତୁମେ ଯେତେ ନେଲେ ବି କେବେ ସନ୍ତୁଷ୍ଟ ହେବ ନାହିଁ ।
ତୁଳସୀ ବୃକ୍ଷକୁ କହିଲେ ଗୟାରେ ତୁଳସୀ ବୃକ୍ଷ ରହିବ ନାହିଁ କି କେହି ପିଣ୍ଡଦାନ କଲାବେଳେ ତୁମକୁ ଲୋଡିବେ ନାହିଁ ।
ବଟବୃକ୍ଷ ସତ କହିଥିବାରୁ ସୀତା ବଟ ବୃକ୍ଷକୁ ଦୀର୍ଘଜୀବୀ ହୁଅ ଓ ଲୋକେ ତୁମକୁ ପୂଜା କରନ୍ତୁ ବୋଲି ଆଶୀର୍ବାଦ ଦେଲେ । ଯେଉଁ ବ୍ୟକ୍ତି ତୁମ ମୂଳେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିବେ ସେମାନେ ଅସୀମ ପୁଣ୍ୟ କମେଇଁବେ ବୋଲି ମଧ୍ୟ କହିଲେ । ସେଥିପାଇଁ ଗୟାରେ ଏବେ ବି ବଟ ବୃକ୍ଷ ତଳେ ପିତୃ ପୁରୁଷଙ୍କୁ ପିଣ୍ଡଦାନ ଦିଆଯାଉଛି ।
ଅଭିଶାପ ପାଇଁ ଫଲ୍ଗୁ ନଦୀ,ଗାଈ,ତୁଳସୀ ଶ୍ରୀରାମଙ୍କ ଶରଣ ପଶି ଅଭିଶାପରୁ ମୁକ୍ତ କର ବୋଲି ଗୁହାରି କଲେ । ପୁରୁଷୋତ୍ତମ ଶ୍ରୀରାମ ଦୟା ପରବଶ ହୋଇ ଫଲ୍ଗୁ ନଦୀକୁ କହିଲେ ତୁମେ ଉପରେ ଶୁଖିଲା ରହିଲେ ବି ତଳେ ପ୍ରବାହିତ ହେବ ।
ଗାଈକୁ କହିଲେ ତୁମ ମୁହଁ ଅପବିତ୍ର ହେଲେ ବି ତୁମ ପଛ ଓ ତୁମ ଗୋବର ଅତି ପବିତ୍ର ହେବ ।
ହିନ୍ଦୁ ମାନେ ଗାଈକୁ ଗୋମାତା ବୋଲି ପୂଜା କରନ୍ତି ।
ପ୍ରତି କାର୍ଯ୍ୟ ଶୁଭ ହେଉ କି ଅଶୁଭ ସବୁଥିରେ ଗାଈ ଗୋବର ଦରକାର ହୁଏ । ଏମାନେ ସବୁବେଳେ ଅନ୍ୟର ଉପକାର କରିଥାନ୍ତି । କ୍ଷୀର ଏପରି ଏକ ଖାଦ୍ୟ ଯେଉଁଥିରେ ସବୁ ଖାଦ୍ୟ ସାର ମହଜୁଦ ଅଛି । କ୍ଷୀର ପ୍ରତ୍ୟେକ ଖାଇବାକୁ ଭଲ ପାଆନ୍ତି । ଶିଶୁ ଓ ରୋଗୀ ମାନଙ୍କର କ୍ଷୀର ଜୀବନ ।
ଏମାନେ କଥା କହି ପାରନ୍ତି ନାହିଁ । ଏଣୁ ଏମାନଙ୍କର ମନ କଥା ବୁଝି ଏମାନଙ୍କୁ ସୁରକ୍ଷା ଓ ଯତ୍ନ ନେବା ନିହାତି ଦରକାର ।