STORYMIRROR

Arjuni charan Behera

Classics Inspirational Others

3  

Arjuni charan Behera

Classics Inspirational Others

ଏକଲବ୍ୟର ଗୁରୁଭକ୍ତି

ଏକଲବ୍ୟର ଗୁରୁଭକ୍ତି

3 mins
139


ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଗୁରୁକୁଳରେ ହସ୍ତିନା ରାଜ ପୁତ୍ର ମାନେ ଅସ୍ତ୍ର ଚାଳନା ଓ ସମର ବିଦ୍ୟା ଶିକ୍ଷା କରୁଥାନ୍ତି l ଅର୍ଜୁନଙ୍କ ବିଦ୍ୟା ଶିକ୍ଷାରେ ଏକାଗ୍ରତା ଲକ୍ଷ୍ୟ କରି, ଆଚାର୍ଯ୍ୟ ଦ୍ରୋଣ ତାଙ୍କୁ ଜଣେ ମହା ଧନୁର୍ଦ୍ଧରରେ ପରିଣତ କରିବାର ଇଚ୍ଛା ରଖିଥାନ୍ତି ଓ ତଦନୁଯାୟୀ ତାଙ୍କୁ ତିଆରି କରୁଥାନ୍ତି l

ଦିନେ ତାଙ୍କ ଗୁରୁକୁଳରେ ଆସି ପହଁଚିଲା ଶବର ବାଳକଟିଏ l ବାଳକ ଗୁରୁଙ୍କୁ କହିଲା, ମୁଁ ନିଷାଦ ରାଜ ହିରଣ୍ୟ ଅନୁଙ୍କ ପୁତ୍ର ଏକଲବ୍ୟ l ଆପଣଙ୍କ ଶିଷ୍ୟ ହେବାପାଇଁ ଆସିଛି l ଧନୁର୍ବିଦ୍ୟା ଶିଖିବାକୁ ମୋର ପ୍ରବଳ ଇଚ୍ଛା l ମୋତେ ଦୟା କରି ଗ୍ରହଣ କରନ୍ତୁ ଓ ଧନୁର୍ବିଦ୍ୟା ଶିକ୍ଷା ଦିଅନ୍ତୁ l

ନୀଚ୍ଚକୁଳ ସମ୍ଭୂତ ନିଷାଦପୁତ୍ର ଏକଲବ୍ୟକୁ ଦେଖି ଦ୍ରୋଣାଚାର୍ଯ୍ୟ କହିଲେ," ତୁମେ ଏଠାରେ କିପରି ବିଦ୍ୟା ଶିକ୍ଷାକରିବ l ମୋର ଏ ଗୁରୁକୁଳ କେବଳ ରାଜ ପୁତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ "l ନିରାଶ ହୋଇ ଏକଲବ୍ୟ, ଦ୍ରୋଣାଚାର୍ଯ୍ୟଙ୍କୁ ଆଭୂମ ପ୍ରଣାମ କରି ବନକୁ ଚାଲିଗଲା l

ଧନୁର୍ବିଦ୍ୟା ଶିକ୍ଷା କରିବାକୁ ମନରେ ତା'ର ପ୍ରବଳ ଉତ୍କଣ୍ଠା l ଏଣୁ ସେ ଗୁରୁ ଦ୍ରୋଣଙ୍କର ଏକ ମୃଣ୍ମୟ ପ୍ରତିମା ସ୍ଥାପନ କଲା ଓ ତାଙ୍କୁ ଗୁରୁରୂପେ ବରଣ କଲା l ଗୁରୁଙ୍କ ସେହି ପ୍ରତିମା ପାଦ ପଦ୍ମରେ ଏକ ଲୟରେ ଧ୍ୟାନଲଗାଇ ଧନୁର୍ବିଦ୍ୟା ଅଭ୍ୟାସ ଆରମ୍ଭ କରିଦେଲା l ଗୁରୁ କୃପାରୁ, କ୍ରମେ ସେ ଧନୁର୍ବିଦ୍ୟା ଓ ଅସ୍ତ୍ରବିଦ୍ୟାରେ ନିପୁଣ ହୋଇ ଉଠିଲେ l

ଦିନକର କଥା, ଗୁରୁଙ୍କ ଅନୁମତି ନେଇ କୌରବ ଏବଂ ପାଣ୍ଡଵ ଭାଇମାନେ ମୃଗୟାନିମନ୍ତେ ବନକୁ ଗଲେ l ତାଙ୍କ ସହିତ ଶିକାର ଉପକରଣ ଓ ଏକ କୁକୁରକୁ ଧରି, ଜଣେ ଅନୁଚର ମଧ୍ୟ ଯାଉଥିଲା l କୁକୁରଟି ବୁଲୁବୁଲୁ ଯାଇ ଏକଲବ୍ୟର ଅସ୍ତ୍ର ଶିକ୍ଷା କରୁଥିବା ଯାଗାରେ ପହଞ୍ଚିଲା l ମୁଣ୍ଡରେ ପକ୍ଷୀର ଟୋପୀ, ମୃଗଚର୍ମ ବସନ,କୃଷ୍ଣବର୍ଣ୍ଣ ଅପରଛନିଆ ଏକଲବ୍ୟକୁ ଦେଖି ସେ କୁକୁରଟି ବଡ଼ ପାଟି କରି ଭୁକିବାକୁ ଲାଗିଲା l ଏକଲବ୍ୟ ତତ୍କ୍ଷଣାତ ସାତ ଗୋଟି ଶର ନିକ୍ଷେପ କରି କୁକୁରର ମୁହଁକୁ ବାନ୍ଧିଦେଲେ l କୁକୁରଟି ଯନ୍ତ୍ରଣାରେ ଛାଟିପିଟି ହୋଇ ଯାଇ ରାଜପୁତ୍ରମାନଙ୍କ ପାଖରେ ପହଞ୍ଚିଲା l

ଶର ଜାଲରେ ମୁହଁବନ୍ଦ ହୋଇ ଥିବା କୁକୁରଟିକୁ ଦେଖି ରାଜପୁତ୍ର ମାନେ ଆଶ୍ଚର୍ଯ୍ୟ ହୋଇ ଗଲେ l କିଏ ଏଭଳି ବିଦ୍ୟା ଜାଣିଛି, ଜାଣିବାକୁ ଇଛାକରି ସେମାନେ ଏକଲବ୍ୟର କୁଡ଼ିଆ ନିକଟରେ ଯାଇ ପହଞ୍ଚି ତା'ର ପରିଚୟ ମାଗିଲେ ଓ କିଏ ତାହାର ଗୁରୁବୋଲି ପଚାରିଲେ l ଏକଲବ୍ୟ କହିଲେ,"ମୁଁ ନିଷାଦ ରାଜ, ହିରଣ୍ୟ ଅନୁଙ୍କ ପୁତ୍ର, ଏକଲବ୍ୟ l ଏଠାରେ ଆଚାର୍ଯ୍ୟ ଦ୍ରୋଣଙ୍କୁ ଗୁରୁ ରୂପେ ବରଣ କରି ମୁଁ ଏ ଧନୁର୍ବିଦ୍ୟା ଶିକ୍ଷା କରିଛି l ଆଚାର୍ଯ୍ୟଙ୍କ ଏଇ ପ୍ରତିମୂର୍ତ୍ତି ଦେଖନ୍ତୁ l ତାଙ୍କରି ପାଦ ତଳେ ମୁଁ ନିଜକୁ ସମର୍ପି ଦେଇଛି "l

ରାଜକୁମାର ମାନେ ଫେରିଆସି ଆଚାର୍ଯ୍ୟଙ୍କୁ ସବୁ କଥା କହିଲେ l ଗୁରୁଦ୍ରୋଣ ସେମାନଙ୍କୁ ଧରି ପୁଣି ଏକଲବ୍ୟ କୁଡ଼ିଆ ପାଖକୁ ଗଲେ l ଆଚାର୍ଯ୍ୟଙ୍କୁ ଦେଖି ଏକଲବ୍ୟ ତାଙ୍କ ପାଦ ତଳେ ପଡ଼ିଗଲେ ଓ ହାତଯୋଡ଼ି, ଠିଆହୋଇ ରହିଲେ l ସେ ଗୁରୁଙ୍କୁ ପୂର୍ବକଥା ସ୍ମରଣ କରାଇ ଦେଇ କହିଲେ, ସେଦିନ ମୁଁ ଆପଣଙ୍କ ପାଖରୁ ଫେରିଆସି ଆପଣଙ୍କ ଏହି ପ୍ରତିମୂର୍ତ୍ତି ସ୍ଥାପନ କରି ଅସ୍ତ୍ର ବିଦ୍ୟା ଶିକ୍ଷା କରୁଛି l ଆପଣ ହିଁ ମୋର ଗୁରୁ "l

ଦ୍ରୋଣାଚାର୍ଯ୍ୟ ଦେଖିଲେ ମୋ ପ୍ରତିମା ପୂଜା କରି ଏ ନିଷାଦ ବାଳକ ଯେଉଁ ବିଦ୍ୟା ହାସଲ କଲାଣି ମୋର ଅର୍ଜ୍ଜୁନକୁ ଶ୍ରେଷ୍ଠ ଧନୁର୍ଦ୍ଧର କରାଇବା ସ୍ବପ୍ନ କସ୍ମିନ କାଳେ ସାକାର ହେବନାହିଁ l ଦ୍ରୋଣାଚାର୍ଯ୍ୟ ଏହା ଚିନ୍ତାକରି ଏକଲବ୍ୟକୁ କହିଲେ, ଠିକ ଅଛି, ତୁମେ ଯଦି ମୋର ଏକାନ୍ତଅନୁଗତ ଶିଷ୍ୟ ତେବେ ମୋତେ ଗୁରୁ ଦକ୍ଷିଣା ଦିଅ "l ଏକଲବ୍ୟ ତ୍ରିବାର ସତ୍ୟ କରି କହିଲା,"ନିଶ୍ଚୟ ଦେବି l ଯାହା ମାଗିବେ ମୁଁ ତାହା ଦେବାକୁ ପ୍ରସ୍ତୁତ l ଆପଣଙ୍କୁ ମୋର କିଛି ଅଦେୟ ନାହିଁ l"

ସରଳ ସତ୍ୟଭାଷୀ ଧର୍ମନିଷ୍ଠ ଏକଲବ୍ୟଠାରୁ ଏହା ଶୁଣି ଆଚାର୍ଯ୍ୟ କହିଲେ :-

         "ତ୍ବମ୍ ବ୍ରବୀତ ତ୍ବୟାଙ୍ଗୁଷ୍ଠୌ

              ଦକ୍ଷିନୌ ଦିୟତାମିତି "

ଅର୍ଥାତ ତୁମ ପ୍ରତିଜ୍ଞା ଅନୁସାରେ ମୁଁ ତୁମକୁ ତୁମର ଡାହାଣ ହସ୍ତର ବୃଦ୍ଧାଙ୍ଗୁଷ୍ଠିଟି ମାଗୁଛି ତାହା ତୁମେ ମୋତେ ଅର୍ପଣ କର l ଏକଲବ୍ୟ ଏହା ଶୁଣି ଆଉ କାଳ ବିଳମ୍ବ ନ କରି, ଏକ ତୀକ୍ଷ୍ଣ ଶରରେ ନିଜର ଦକ୍ଷିଣହାତ ବୃଦ୍ଧାଙ୍ଗୁଷ୍ଠିକୁ କର୍ତ୍ତନ କରି ଆଚାର୍ଯ୍ୟଙ୍କ ପାଦ ତଳେ ଥୋଇ ଦେଲେ l ହାତରୁ ବୋହି ପଡୁ ଥାଏ ଝର ଝର ରକ୍ତ ଓ ଏକଲବ୍ୟ ଠିଆ ହୋଇ ଥାନ୍ତି ନିର୍ବିକାର ଚିତ୍ତରେ l ହସ୍ତିନା ରାଜପୁତ୍ର ଗଣ ଠିଆ ହୋଇ ଦେଖୁଥାନ୍ତି ନିଷାଦ ଏକଲବ୍ୟର ସେ ଅପୂର୍ଵ ଗୁରୁଭକ୍ତିକୁ l

ମହାକାବ୍ୟ ମହାଭାରତର ଏହି ଅମର କାହାଣୀ ଆମର ଭାରତୀୟ ଗୁରୁ ଶିଷ୍ୟ ପରମ୍ପରାର ଗାଥା ବଖାଣେ l ଏକଲବ୍ୟର କାହାଣୀ ଯୁଗ ଯୁଗ ପାଇଁ ଗୁରୁଭକ୍ତିର ଅମର ଗାଥା ବଖାଣୁ ଥିବ l

                 


Rate this content
Log in

Similar oriya story from Classics