ଏ ମନ ତୁମରି ପାଦେ
ଏ ମନ ତୁମରି ପାଦେ
ହେ ବିଶ୍ଵ ମୋହିନୀ ମା' ଜଗଦମ୍ବେ ଯୁଗ ପରେ ଯୁଗ ତୋର ଅଭୟ ବର ପାଇ ଭକ୍ତମାନେ ମୁକ୍ତିଲାଭ କରିଛନ୍ତି । ଘୋର ଅପମାନେ ଜର୍ଜରିତ କୁନ୍ତୀ, ଘଞ୍ଚ ଅରଣ୍ୟ ଅଟବୀରେ ଦୀର୍ଘ ଦିନ ଅତିବାହିତ ପରେ ତୋର ପୂଜା, ଉପାସନା କରିବାକୁ ମନସ୍ଥ କଲେ । ପାଞ୍ଚ ପୁତ୍ରଙ୍କ ଶୁଭ ମନାସି ତୋର
ଶରଣାଗତ ହେଲେ ।
ପୂଜାରେ ସନ୍ତୁଷ୍ଟ ହୋଇ ମନୋବାଂଛା ପୂର୍ଣ୍ଣକଲୁ । ସମଗ୍ର ଜଗତ ମହିଷାସୁର ଉତ୍ପାତେ ଯେତେବେଳେ ଭୟରେ ଥରହରରେ ହୋଇ ପ୍ରକମ୍ପିତ ହେଉ ଥିଲା, ତୁହି ତ ବିପଦ ମୁକ୍ତକରି ତ୍ରିଭୂବନ ରକ୍ଷା କରି ଥିଲୁ । ଦେବ ଦେବ ମହାଦେବ, ତ୍ରିଦେବ କିବା ଇନ୍ଦ୍ର ବରୁଣ କୁବେର ତୋ ପାଶେ ଶରଣାପନ୍ନ । ମୁଁ ତ ଛାର ମୁଢ ମତି ଦୀନ ହୀନ ଅବଳା। କ'ଣ ବା ମାଗିବି ମା'.... ଦଶାନନ ବିନାଶ କାଳେ ପ୍ରଭୁ ରାମଚନ୍ଦ୍ର କରଯୋଡ଼ି ତୋ ପାଦ ତଳେ ପ୍ରାର୍ଥନା କରି ସଫଳ ହୋଇଥିଲେ । ଯାର ପାଦେ ସ୍ଵୟଂ ବିଶ୍ଵ ଚିନ୍ତାମଣି ଆଶ୍ରିତ, ମୁଁ କିଏ, ମୁଁ ତ
ରକ୍ତ ମାଂସ ଗଢା ଏକ ସାମାନ୍ୟ ଜୀବ ଯାହାର କିଛି ବର୍ଷ ପୂର୍ବେ ସୃଷ୍ଟି ହୋଇ ଥିଲା ପୁଣି ପ୍ରାଣ ପକ୍ଷୀ ଉଡି ଯିବାର କୌଣସି ତିଥି ନକ୍ଷେତ୍ର କି କାଳ ବେଳ ନାହିଁ । ତେଣୁ ଏତିକି ମାଗୁଣି ରଖିବୁ ମା' ଅସନ୍ନକାଳେ ତୋର ମନ୍ଦାର ମାଳିନୀ ମୂର୍ତ୍ତିରୁ ଯେମିତି ଆଶିଷ ଝରିପଡୁଥିବ । ଏ ଜୀବନେ ଆଉ କିଛି ଲୋଡା ନାହିଁ ।
ହେ ଈଶ୍ଵରୀ କରୁଣା କରି ଚିରଦିନ ପାଇଁ ଚରଣ ତଳେ ରଖ । ଦଶଭୁଜା ବଳେ ଶତୃ ସଂହାରି ଭକ୍ତ ମନୋବଳ ତ ତୁହି ବଢାଉ ଥାଉ । ତୁହି ତ ଲଲାଟରେ ଟାଣି ଦେଉ ଦୀର୍ଘଜୀବିର ଲମ୍ବା ରେଖା । ଅପାର କରୁଣା ତୋର ।
ଦୟା କ୍ଷମାର ଅସରନ୍ତି ଭଣ୍ଡାରର ଅଧିକାରିଣୀ, ତେଣୁ ତୁ ଭକ୍ତମାନଙ୍କର ଛୋଟ ଛୋଟ ଦୋଷକୁ ସହଜରେ ମାଫ କରି ଦେଉ । ତୋ ବିନା ତ ଏ ସଂସାର ଅଧୁରା।
"ତୁହି ତ ପାର୍ବତୀ ଗୌରୀ
ଉମା ଭଗବତୀ
କାହିଁ ପାଇଁ ମୋ ମନରେ
ଉପୁଜିବ ଭୀତି" ।