Ayiswarya Maharana

Romance Tragedy

4  

Ayiswarya Maharana

Romance Tragedy

ଦୂର ଦିଗ୍ ବଳୟ

ଦୂର ଦିଗ୍ ବଳୟ

4 mins
515


ସମୁଦ୍ର ଉପକୂଳବର୍ତ୍ତୀ ଏକ ସହର ର ଉପପ୍ରାନ୍ତରେ ଗୋଟିଏ ମଣ୍ଡପରେ ବିରାଟ ତଥା ଭବ୍ୟ ବିବାହ ର ଆୟୋଜନ ଚାଲିଥାଏ।ଉଭୟ ପରିବାର ର ସଦସ୍ୟ ତଥା ବନ୍ଧୁ ପରିଜନ ଉପସ୍ଥିତ ଥାଆନ୍ତି।ମଣ୍ଡପଟିକୁ ୫ଦିନ ପାଇଁ ବୁକ୍ କରାଯାଇଛି।ମଣ୍ଡପ ଟି କୁ ନବବଧୁ ପରି ସୁସଜ୍ଜିତ କରିବାରେ କିଛି ବ୍ୟସ୍ତ ଥିଲାବେଳେ କେତେକ ହସଖୁସିରେ ବ୍ୟସ୍ତ ଥିଲେ ତ କେତେକ ବିଭିନ୍ନ ଆୟୋଜନ ରେ ବ୍ୟସ୍ତ ଥିଲେ। କହିବାକୁ ଗଲେ ମଣ୍ଡପ ଟି ହସଖୁସି ଆଉ କୋଳାହଳରେ ପୂର୍ଣ୍ଣ ହୋଇଥାଏ। ମଣ୍ଡପ ର ତୋରଣରେ ସୁନ୍ଦର ଭାବେ ଲେଖାଯାଇଥାଏ"ଅମର ୱେଡ୍ସ ଲିପି"। ଆଉ ଗୋଟିଏ ଦିନ ପରେ ପରିବାର ର ସ୍ବୀକୃତି ନେଇ ଅମର ଓ ଲିପି ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଥିଲେ।

                          ଏଇ କୋଳାହଳ ଭିତରେ କିନ୍ତୁ ଚାରୋଟି ଆଖି ଲୁଚକାଳି ଖେଳିବାରେ ଲାଗିଥିଲେ। ଯଦିଓ ଉଭୟ ଉଭୟଙ୍କୁ ବହୁ ଆଗରୁ ଜାଣିଥିଲେ , ତଥାପି ଅମର ଲିପି ସହ ଆହୁରି ମିଶିବାକୁ ଚାହୁଁଥିଲା। ହେଲେ ଲିପି ଜାଣି ଶୁଣି ବିବାହ ପୂର୍ବରୁ କିଛି ମିଠା ଦୂରତା ରଖିବାକୁ ଚାହୁଁଥିଲା। ଅମର ଲିପି କୁ ଫୋନ କରି କହିଲା ଯେ ଆଊ ଗୋଟିଏ ଦିନପରେ ଆମେ ଦୁହେଁ ସ୍ୱାମୀ ସ୍ତ୍ରୀ ହୋଇଯିବା। ତାପରେ ଆମ ଉପରକୁ ବହୁତ୍ ଦାୟିତ୍ଵ, କଟକଣା ସବୁ ଆସିଯିବ। ତେଣୁ ମୁଁ ଭାବୁଚି ବିବାହ ପୂର୍ବରୁ ବେଖୟାଲ ହୋଇ କିଛି ସମୟ ବିତାଇବା। ଲିପି ରାଜି ହୋଇ କହିଲା ଏଠି ଏତେ ଗୁରୁଜନ ଅଛନ୍ତି, ବାହାଘର ପୂର୍ବରୁ ସମସ୍ତଙ୍କ ଆଗରେ ଏମିତି ମିଶିବା ରେ ସହଜ ଲାଗିବନି। ଅମର କହିଲା ତେବେ ଆମେ ଆଜି ସନ୍ଧ୍ୟାରେ ସମୁଦ୍ର କୂଳରେ ଯାଇ କିଛି ସମୟ ବସିବା, ମୁଁ ଘର ଲୋକଙ୍କଠାରୁ ଅନୁମତି ନେଇଆସିବି।

                ଅପରାହ୍ନରେ ଦୁହେଁ କାର୍ ନେଇ ବାହାରିଲେ ସମୁଦ୍ର କୂଳ ଅଭିମୁଖେ। ରାସ୍ତା ରେ ଯିବା ସମୟ ରେ ଅମର ଲିପି ଦୁହେଁ ଖୁବ୍ ପ୍ରଗଲ୍ଭ ହୋଇଯାଇଥିଲେ। କିଛି ସମୟ ପରେ ଅମର ସ୍ଲୋ ମ୍ୟୁଜିକ୍ ଲଗାଇଲା।

   ହମ୍ କୋ ମିଲି ହେ ଆଜ୍ ୟେ ଘଡିୟାଁ ନସିବ୍ ସେ

  ଯି ଭର୍ କେ ଦେଖ୍ ଲିଜିୟେ ହମ୍ କୋ କରିବ୍ ସେ

  ଫିର୍ ଆପ୍ କେ ନସିବ୍ ମେଁ ୟେ ରାତ୍ ହୋ ନା ହୋ

  ସାୟଦ୍ ଇସ୍ ଜନମ୍ ମେଁ ମୁଲାକାତ୍ ହୋ ନା ହୋ

ଏତିକି ଶୁଣି ଲିପି ହସିଉଠି କହିଲା ,"ଆରେ ଏ ସମୟରେ ଏ ଦୁଃଖଭରା ଗୀତ ଟିକୁ କାହିଁକି ଚଲେଇଛ"।ଅମର ବି ହସିଦେଇ ଗୀତ ଟିକୁ ବଦଳାଇ "ସନମ୍ ରେ" ଗୀତ ଟିକୁ ଚଲାଇ କହିଲା,"ସତରେ ଲିପି ଆମେ ଦୁହେଁ ବହୁତ ଭାଗ୍ୟବାନ। ନହେଲେ ସବୁ ପ୍ରେମର ଭାଗ୍ୟରେ ବିବାହ ଲେଖା ନଥାଏ। ଶ୍ରୀ କୃଷ୍ଣ ସ୍ୱୟଂ ଭଗବାନ, ସଂସାରର ସ୍ୱାମୀ ହୋଇ ମଧ୍ୟ ବିଧିର ବିଧାନକୁ ମାନି ସଖି ରାଧାକୁ ବିବାହ କରିନଥିଲେ।"

ଏପରି ଏଣୁତେଣୁ କଥାରେ ଦୁହେଁ ନିମଗ୍ନ ଥିଲେ ଯେ ଆସନ୍ନ ବିପଦକୁ ତାଙ୍କର ଦୃଷ୍ଟି ନଥିଲା। ସାମ୍ନାରୁ ଏକ ମାଲ୍ ବାହି ଟ୍ରକ୍ ତାଙ୍କ କାର ଟିକୁ ଶକ୍ତ ଧକ୍କା ଦେଇ ,ନଅଟକି ଚାଲିଯାଇଥିଲା।ଅମରର ମୁଣ୍ଡ କାର୍ ର ଷ୍ଟିୟରିଙ୍ଗ୍ ରେ ପିଟି ହେଇ ମୁଣ୍ଡ , କାନ ରୁ ରକ୍ତ ଧାର ବାହାରି ତାକୁ ଭିଯାଇ ଚାଲିଥାଏ, ଆଉ ତା ନିଶ୍ବାସର ଗତି ମନ୍ଥର ହେବାରେ ଲାଗିଥାଏ।ସେପଟେ ଲିପି ଦେହରେ କାରର ଭଙ୍ଗା କାଚ ପଡ଼ିବା ସହ ତାର ମୁଣ୍ଡର ବାମ ପଟରୁ ରକ୍ତ ବାହାରି ତାକୁ ରକ୍ତାକ୍ତ କରିଚାଲି ଥାଏ।କାର୍ ର ଡୋର୍ ଖୋଲି ଯାଇ ତାର ଚେତାଶୂନ୍ୟ ଶରୀରଟିର ଅର୍ଦ୍ଧେକ ଅଂଶ ବାହାରକୁ ଝୁଲିରହିଥାଏ। ହଠାତ୍ ଲିପି ଉଠିଆସି ଅମର ପାଖକୁ ଚାଲି ଆସିଲା।ଅମରର ଏ ଅବସ୍ଥା ଦେଖି ସେ କ'ଣ କରିବ କିଛି ବୁଝି ନପାରି କାର୍ ଭିତରେ ସାହାଯ୍ୟ ପାଇଁ ଚିତ୍କାର କରିବାରେ ଲାଗିଲା।ବାହାରେ ବହୁତ ଗହଳି ହୋଇଥିଲେ ମଧ୍ୟ କେହି ସାହାଯ୍ୟ ପାଇଁ ଆସୁନଥାନ୍ତି। ବାହାରକୁ ବାହାରି ସାହାଯ୍ୟ ମାଗିବାକୁ ଉଦ୍ୟତ ହେଲା। ହେଲେ ଏ କ'ଣ ,ତା ଶରୀର ଟି ଯେ ବାହାରକୁ ଝୁଲିରହିଛି ! ସେ ବୁଝି ସାରିଥିଲା ଯେ ସେ ଏବେ ମୃତ। ନାଚାର ଆତ୍ମା ଟି କରୁଣ ହୋଇ ଅମର ଆଉ ତା ନିଃଶ୍ବାସର ଗତିକୁ କେବଳ ଦେଖିବା ବ୍ୟତୀତ ଆଉ କିଛି କରିପାରୁନଥିଲା। ଧୀରେ ଧୀରେ ଅମରର ଶରୀର ଶିଥିଳ ହୋଇଗଲା।ଅମର ଏବେ ଲିପି ଆଉ ତା ଶରୀର କୁ ଦେଖି ବୁଝିଗଲା ଯେ ଲିପି ମଧ୍ୟ ମୃତ। ଦୁହେଁ ଦୁହିଁଙ୍କ ଶରୀରକୁ ଦେଖି ଚାଲିଥିଲେ। ଦୁଇ ଟି ଆତ୍ମାର କରୁଣ ବିଳାପ ଆଉ କାହାକୁ ଶୁଣାଯାଉନଥାଏ।ଏ ସମୟରେ ପୋଲିସ ଆସି ତା କାମ ଆରମ୍ଭ କରିସାରିଥାଏ।ଅମରର ଫୋନ୍ ରୁ ଘର ନମ୍ବର ଆଣି ତାଙ୍କ ଘରେ ଦୁର୍ଘଟଣା ବିଷୟରେ ଜଣାଇଲେ।ଖବର ଟି ଶୁଣି ହସ ଖୁସିର ମଣ୍ଡପଟିରେ ମୃତ୍ୟୁର କାନ୍ଦଣା ଖେଳିଯାଇଥିଲା। ପୋଷ୍ଟମର୍ଟମ ପରେ ମୃତ ଶରୀର ଦୁଇଟିକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ପରିବାରକୁ ସାନ୍ତ୍ୱନା ଦେବାପାଇଁ ଆତ୍ମା ଦୁଇଟି ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହେଉଥିଲେ।ସେହି ରାତିରେ ହିଁ ଗୋଟିଏ ଯୁଇରେ ଦୁହିଁଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ସମସ୍ତେ ହତବାକ ହୋଇଯାଇଥିଲେ। କାହାକୁ ବା ଜଣାଥିଲା ଗୋଟିଏ ବେଦୀରେ ବସି ସାତ ଜନ୍ମ ପାଇଁ ସାଥୀ ହେବାକୁ ଯାଉଥିବା ଆତ୍ମା ଦୁଇଟି ଗୋଟିଏ ଯୁଇରେ ଅନ୍ତିମ ଯାତ୍ରାର ସାଥୀ ହୋଇଯିବେ।ରାତି ବଢି ଚାଲିଥିଲା। ସମସ୍ତଙ୍କ ଆଖି ରୁ ନିଦ ହଜିଯାଇଥିଲା,ଥିଲା କେବଳ ଲୁହ ଆଉ ଲୁହ।ଅମର , ଲିପି ଦୁହେଁ ମୃତ୍ୟୁ କୁ ସ୍ବୀକାର କରିସାରିଥିଲେ ଏବଂ ଅଗ୍ରସର ହେଉଥିଲେ ସେହି ନିର୍ଜନ ବିସ୍ତିର୍ଣ୍ଣ ବେଳାଭୂମିର ଦିଗରେ। ଜନଶୂନ୍ୟ ସେ ବେଳାଭୂମିରେ ସମୁଦ୍ରର ସେ ସୁ ସୁ ଶବ୍ଦ ଚିରି ଛାଇ ଦୁଇଟି ଚାଲିଥିଲେ ବିନା କିଛି ପାଦ ଚିହ୍ନରେ। ଏବେ ସେମାନେ ବସିଥିଲେ ସମୁଦ୍ର କୂଳରେ , ହେଲେ ସମୁଦ୍ର ବି ତାଙ୍କୁ ଭିଜେଇ ପାରୁନଥିଲା।

ଲିପି ଗୁମ୍ ସୁମ୍ ହୋଇ ବସିଥିଲା, ହଠାତ୍ କାନ୍ଦିଉଠି କହିଲା,"ଅମର,ଏ ସବୁ କ'ଣ ଘଟିଗଲା। ଦୁହେଁ ମିଶି ଛୋଟ ନୀଡ ଟିଏ ଗଢ଼ିବାକୁ କେତେ ସ୍ବପ୍ନ ଦେଖିଥିଲେ। ତୁମେ ସତ କହିଥିଲ ସବୁ ପ୍ରେମର ଭାଗ୍ୟ ବିବାହ ନୁହେଁ"।

ଅମର କହିଲା,"ଲିପି, ନିଜର ଦୃଷ୍ଟି କୋଣ ବଦଳାଇ ଦେଖ। ଜୀବିତ ଅବସ୍ଥାରେ ଆମର ମିଳନ ନ ହେଲେ ମଧ୍ୟ ମୃତ୍ୟୁ ପରି ବିଚ୍ଛେଦ ପରେ ଆମେ ଏକାଠି ଅଛୁ,କ'ଣ ସବୁ ପ୍ରେମର ଭାଗ୍ୟ ଏପରି ଥାଏ।"

ଦେଖ ଲିପି ଏକ ନୂତନ ସକାଳର ଆରମ୍ଭ ହେବାକୁ ଯାଉଛି।ସେଇ ଦୂର ଦିଗ୍ ବଳୟରେ ସୂର୍ଯ୍ୟ ଉଠି ଆସୁଛି, ସଂନ୍ଧ୍ୟାରେ ଚାଲି ଯାଉ ଯାଉ ପୁଣି କହିଯିବ ଶରୀର ଜୀର୍ଣ୍ଣ ଶୀର୍ଣ୍ଣ ହୋଇଯିବ, କିନ୍ତୁ ଆତ୍ମା ଚିର ଅମ୍ଳାନ ରହିଥିବ । ଜୀବନର ସକାଳରେ ପ୍ରକଟ ହୋଇ ସଂନ୍ଧ୍ୟାରେ ପୁଣି ବିଦାୟ ନେବାକୁ ହୁଏ। ତେଣୁ ଏ ମୃତ୍ୟୁରେ ଅନୁଶୋଚନା କରିବା ଯଥାର୍ଥ ନୁହେଁ।

ସେଇ ଦୂର ଦିଗ୍ ବଳୟରେ ପୃଥିବୀ ଆଉ ଆକାଶର ମିଳନ ହୋଇଛି।ଏ ସକାଳ ଆମକୁ ଆହ୍ଵାନ କରୁଛି ଲିପି।ଚାଲ ମିଶିଯିବା ସେ ଦୂର ଦିଗ୍ ବଳୟରେ।

ଏକ ନୂଆ ସକାଳରେ ଛାଇ ଦୁଇଟି ଅଗ୍ରସର ହେଉଥିଲେ ସେ ଦୂର ଦିଗ୍ ବଳୟର ଅଭିମୁଖେ ।

           


Rate this content
Log in

Similar oriya story from Romance