Sanuja Meghamala

Drama

3  

Sanuja Meghamala

Drama

ଅଫେରା ଅତୀତ

ଅଫେରା ଅତୀତ

6 mins
280



 ସକାଳୁ ସକାଳୁ ହାତରେ ଚା କପ୍ ଟା ପିଉ ପିଉ ଖବର କାଗଜ ଟାକୁ ଦିଥର ଏ ମୁଣ୍ଡ ରୁ ସେ ମୁଣ୍ଡ ଓଲଟେଇ ହେଡିଂ ଗୁଡା ପଢି ପକାଏ ସୌରଭ । ତା ପରେ ପୁରା ପେପର ଟା ପଢା ହେବ ନିଜ ସୁବିଧା ଅନୁଯାୟୀ। ଆଜି ପେପର ଓଲଟାଉ ଓଲାଟାଉ ଆଖି ଟା ଅଟକି ଗଲା ଶ୍ରଦ୍ଧା ସୁମନରେ ଥିବା ଫଟୋ ଟା ଉପରେ। ନିଜକୁ ବିଶ୍ଵାସ ନ ହେଲେ ବି ଫଟୋ ତଳେ ମୌସୁମୀ ମହାନ୍ତି ଲେଖା ଅଛି। ଏକା ଚେହରା ପୁଣି ଏକା ନାଆଁ କେମିତି ଦୋହଲେଇ ଦେଉଥିଲା ତା ବର୍ତ୍ତମାନ କୁ। 

 

  ନିଜ ଲୁହ ଆଉ କୋହ କୁ ସମ୍ଭାଳି ପାରୁ ନ ଥିଲା  ସୌରଭ। ଆଜିକୁ ଦଶ ଦିନ ହେଇଗଲଣି।। ଅଥଚ କେଉଁଠୁ ଟିକିଏ ଖବର ପାଇ ପାରିଲାନି। ମାଆ କି ଭାଇ କେହି ଆଜି ଯାଏଁ ମାମି ଚାଲିଯିବା କଥା ତାକୁ ଜଣାଇ ନାହାନ୍ତି । ସେମାନେ ଜାଣନ୍ତି ନା ନାହିଁ। କାହାକୁ ପଚାରି ବୁଝିବ ମାମି କଥା ସ୍ଥିର କରି ପାରୁ ନ ଥିଲା ସେ । କିଛି ଦେହ ଖରାପ ଥିଲା କି ମାମିର !। କ'ଣ ହେଇଥିଲା ! ଏମିତି ଅବେଳ ରେ ସଂସାର ରୁ ବିଦାୟ ନେଲା  ଜୀବନ ଯୁଦ୍ଧ ରେ ହାରି ଯାଇ ଶେଷରେ।  ଅନେକ ଅସମାଧିତ ପ୍ରଶ୍ନର ଭଉଁରୀ ଭିତରେ ଉବୁଟୁବୁ ହେଲା ସୌରଭ। ଖବରପାଇଥିଲେ ଅନ୍ତତଃ ଟିକେ ଦେଖା କରି ଥାଆନ୍ତା। ଏତେ ଅଭିମାନ ମାମି ଭିତରେ ଖୁନ୍ଦି ହୋଇ ରହିଥିଲା ଯେ ଅନେକ ଦିନ  ହେଲାଣି ଥରୁଟିଏ କଥା ହେଇନି । ଯେବେ ଦେଖା ହୁଏ ଆଡେଇ ହୋଇ ମୋଡ଼ ବଦଳେଇ ନିଏ।  ଯେତେ ଚେଷ୍ଟା କରି ମଧ୍ୟ କଥା ପଦେ ହେଇ ପାରିନି ତା ସହିତ ସୌରଭ। ନିଜ କୁ କ୍ଷମା କରି ପାରୁନଥିଲା ଏବେ ସେ ନିମଗ୍ନ ହୋଇଗଲା ସେଇ ସୁଦୂର ଅତୀତ ରେ। ଯେଉଁଠି ମାମି ସହିତ ହସି ଉଠୁଥିଲେ  ତାର ସମସ୍ତ ମଧୁର  ସମ୍ପର୍କର ମୁହୂର୍ତ୍ତ ମାନେ। ପିଲା ଦିନର ସେଇ ମିଛି ମିଛିକା ବାଲି ଘର କଣ୍ଢେଇ ବାହାଘର,ସଢ଼େଇ ରେ ଭାତ ରାନ୍ଧି ଖାଇବା ର ଅଫେରା ଦିନଗୁଡାକ ବର୍ତ୍ତମାନ କୁ ଖିନଭିଁନ୍ କରୁଥିଲେ । ।ଖେଳରେ  କେତେ କଳି କଜିଆ ରାଗ ୠଷା ଅଭିମାନ। ତା ପରଦିନ କିଛି ମନେ ନ ଥାଏ। ଆଜି ବି ସେମିତି ହୁଅନ୍ତା କି ସଂସାର ଉପରେ ଅଭିମାନ କରି ମୁହଁ ଫେରେଇ ନେଇଥିବା ମାମି ପୁଣି ଫେରି ଆସି ତାକୁ କହନ୍ତା ଡରି ଗଲୁ ନା ,ଦେଖିଲୁ ମୁଁ ତତେ କେମିତି ଡରେ଼ଇ ଦେଲି।


   ପିଲା ଦିନ ର ବନ୍ଧୁତ୍ୱ ଟା ସତରେ ବଡ ଅନାବିଳ। କଥା କୁ ଗଣ୍ଠି ପକେଇ ମାଜିବା ଆବଶ୍ୟକ ପଡ଼େନି। ନା ହିଂସା ଥାଏ ନା ଅଭିମାନ, ମନରେ ଖାଲି ଭର୍ତ୍ତି ହୋଇ ରହିଥାଏ ମହଣ ମହଣ ବିଶ୍ୱାସ ମୁଠାଏ ଭଲ ପାଇବା। କେତେ ଆନ୍ତରିକତା ଓ ସ୍ନେହ ମମତା ଭଲ ପାଇବା ଭରି ରହିଥିଲା ମାମି ମନରେ।ଅସରନ୍ତି...ଜମା ସରେନି। ଚାରି ଭାଇରେ ଗୋଟେ ଭଉଣୀ ବୋଲି ପରିବାର ରେ ସେ ସମସ୍ତଙ୍କର ନୟନ ତାରା ଥିଲା।ତା କଥାକୁ ଭାଇମାନେ ତଳେ ପକେଇ ଦେଉ ନ ଥିଲେ। ଏତେ ଗେହ୍ଲା ହୋଇଥିଲେ ବି କାହା ମନରେ କଷ୍ଟ ଦେବା ପରି ଖରାପ୍ ବ୍ୟବହାର କରୁ ନ ଥିଲା ସେ। ଯେମିତି ଖିଲି ଖିଲି ହସ ସେମିତି ଛୋଟ କଥାରେ କଇଁ କଇଁ କାନ୍ଦ। ଢଳ ଢଳ ଲୁହ ଗୁଡା ଅପେକ୍ଷା କରି ରହିଥାନ୍ତି ତା ମେଘୁଆ ଆଖିରୁ ଝରି ପଡିବାକୁ ଝର ଝର ବର୍ଷା ର ବିନ୍ଦୁ ପରି।

 

ପିଲା ଦିନେ ସ୍କୁଲ୍ ଯିବାକୁ ଜମା ରାଜି ହୁଏନି ସୌରଭ। ପ୍ରତିଦିନ ମାମି ତାକୁ ବାଡ଼ିର ପିଜୁଳି, କିଣା ଖଟା ପ୍ୟାକେଟ ସହିତ ବାଟି(ଗୁଲି) ଲାଞ୍ଚ ଦେଇ ସ୍କୁଲ୍ କୁ ଜବରଦସ୍ତ ସାଙ୍ଗରେ ନେଇ ଯାଉଥିଲା। ଆଉ କେବେ କେବେ ବାଟ ରେ ଗଲାବେଳେ ବୁଝେଇ ଦେଉଥିଲା ଦେଖ ତୁ ସ୍କୁଲ୍ ନ ଗଲେ ସଞ୍ଜବେଳେ ମଉସା ଅଫିସ ରୁ ଫେରି ତୋତେ ପିଟିବେ ନ ହେଲେ ବସ ଉଠୁ କରେଇବେ ମୋତେ ଭଲ ଲାଗିବନି। ଘର ପାଠ କରି ନ ଥିଲେ ନିଜେ ବସି ତା ଖାତା ରେ ଲେଖି ଦେଉଥିଲା। ଯେମିତି ସାର୍ ଙ୍କ ଠାରୁ ମାଡ଼ ନ ଖାଇବ। କେତେ ଯତ୍ନ ନେଉଥିଲା ସତରେ। ମାମି ଯେତିକି ଯତ୍ନ ନେଉଥିଲା ସୌରଭ ର ତା ଉପରେ ନିର୍ଭର କରିବା ସେତିକି ବଢ଼ି ବଢ଼ି ଯାଉଥିଲା। ବୁଝି ପାରେନି ସୈାରଭ ତାକୁ କାହିଁକି ଏତେ ଭଲ ଲାଗେ ମାମିର ମିଠା ତାଗିଦ୍।  ସେ ଜାଣିଜାଣି ଭୁଲ୍ କରୁଥିଲା। ମାମି ତାକୁ ମିଛିମିଚ୍ଛିକା ରାଗିଲେ କିମ୍ବା ବ୍ୟସ୍ତ ହେଲେ ମନେ ମନେ ଖୁସି ହେଉଥିଲା ସେ । ଗୋଟେ ତୃପ୍ତି ରେ ମନ ଭରିଯାଇଥିଲା। କେବେ କେବେ ମାମି ରାଗି ଯାଇ କୁହେ ତୋର ଯାହା ଇଚ୍ଛା ହେଉଛି ତୁ କର । ତୋତେ ମନା କରିବାକୁ ମୁଁ କିଏ ଯେ। ଆଜି ଠୁ ତୋର ମୋର କଟି।କଥା ହୁଏନି ସୈାରଭ ସହିତ। ସୌରଭ ତାକୁ ମନେଇବାକୁ ବାରମ୍ବାର ଚେଷ୍ଟା କରେ । ମାମି ବିନା ତାକୁ କିଛି ଭଲ ଲାଗେନା। ମାମି ମଧ୍ୟ ରହି ପାରେନି ସୌରଭ ସହ କଥା ନ ହୋଇ। ପୁଣି ଗୋଟେ ବୁଝାମଣା ହୋଇଯାଏ ନୀରବ ରେ।

 ସବୁ ଦିନ ସମାନ ଯାଏନି।ସେମାନେ ପାଠପଢ଼ା ପରେ ଅଲଗା ଅଲଗା ସହର ରେ ଚାକିରୀ କଲେ।ଦୂରତା ସିନା ବଢ଼ିଗଲା ମନ ର ଦୂରତା କମି ନ ଥିଲା। କେଜାଣି କାହିଁକି ସାହାସ କରି କେହି ନିଜ ମନ ତଳର ଗୋପନ କଥା କୁ କିନ୍ତୁ ଠିକ୍ ସମୟ ରେ ପ୍ରକାଶ କରି ପାରିଲେନି । ଯେଉଁ ଦିନ ମାମି ର ବାହା ଘର ପ୍ରସ୍ତାବ ଆଗେଇ ଗଲା ସେ ନିଜ ମନ କଥା କୁ ଗୋପନ ରଖି ଚିଠିରେ ଲେଖି ଜଣାଈଲା ସୌରଭ କୁ ଏଇ ଆଶା ରେ ଯେ ହୁଏ ତ ସୌରଭ ତାର ଭାବ ଓ ଭାଵନା କୁ ବୁଝି ପାରିବ ।ନା ସେମିତି କିଛି ହେଲାନି ସୌରଭ ଠାରୁ ଉତ୍ତର ଟେ ପାଇଲାନି। ମାମି ର ବାହାଘର ଫାଇନାଲ ହୋଇଗଲା ପରେ ଦିନେ ସୌରଭ ଆସି ନିଜ ମନ ତଳେ ଥିବା ଭଲ ପାଇବାର ଗୋପନ କଥାକୁ ପ୍ରକାଶ କରିଦେଲା। ସେତେବେଳ ମାମି କହିଲା କେବେ ଠାରୁ ମୁଁ ତୋ ମୁହଁ ରୁ ଏଇ ପଦେ କଥା ଶୁଣିବି ଅପେକ୍ଷା ରେ ଥିଲି। ଏବେ ତୁ କହିଲୁ ସତ କିନ୍ତୁ  ବହୁତ୍ ଡେରି କରିଦେଲୁ। ଆଗରୁ ଥରେ ଯଦି ମିଛ ହେଉ ପଛେ କହି ଥାଆନ୍ତୁ ମୋ ପ୍ରତି ତୋର ଭଲ ପାଇବା ଅଛି ମୁଁ ସାରା ଜୀବନ ଅପେକ୍ଷା କରିଥାଆନ୍ତି ।ସବୁ ଠିକ୍ ହୋଇ ସାରିଲା ପରେ ମୁଁ ଆଉ କ'ଣ କରି ପାରିବି କହ,?ଯାହା ହେଲେ ଏବେ ମୋ ବାପା ଓ ଭାଇମାନ ଙ୍କ ସମ୍ମାନ ର କଥା। ଥରେ ବାହାଘର ଭାଙ୍ଗି ଗଲେ ସେମାନଙ୍କ ଇଜ୍ଜତ ମାଟି ରେ ମିଶି ଯିବ। ଜାଣି ଜାଣି ସେମିତି ହେବାକୁ ଦେବିନି।ବରଂ ତୋ ପ୍ରତି ଥିବା ମୋର ଦୁର୍ବଳତା କୁ ଛାତି ତଳେ ସବୁଦିନ ପାଇଁ ସାଇତି ରଖିବି। 

 ସେଦିନ ସୌରଭ ରାଗ ରେ କହୁଥିଲା ମୁଁ ଜାଣେ ତୁ ଏନ୍ ଆର ଆଇ ପଇସା ବାଲା ପାଇ ସବୁ ସମ୍ପର୍କ କୁ ଭୁଲି ଗଲୁ ଠିକ୍ ଅଛି ମୁଁ କିନ୍ତୁ ଭଗବାନ ଙ୍କୁ ପ୍ରାର୍ଥନା କରିବି ତୁ ଖୁସି ରେ ରହ। ଫେରି ଯାଇଥିଲା ସୌରଭ ତା ଭଙ୍ଗା ମନ ଓ ହୃଦୟ ନେଇ।

 ନା ମାମି ର ସେ ଖୁସି କିନ୍ତୁ ବେଶୀଦିନ ରହିଲାନି ।ବାହାଘର ର ଦୁଇ ମାସ ପରେ ଫେରି ଆସିଲା ବାପା ଙ୍କ ଘର କୁ ଯେ ଆଉ କେବେ ଶାଶୁ ଘର କୁ ଯାଇନି ଯିଏ ଯେତେ ଯାହା କହିଲେ ମଧ୍ୟ ସେ ଶୁଣିଲା ନାହିଁ । ସ୍ବାମୀ ତାର ବିଦେଶ ଫେରିଗଲେ । ଲୋକେ କୁହା କୁହି ହେଲେ ସୌରଭ ସହିତ ଥିବା ତାର ପ୍ରେମ ସମ୍ପର୍କ କୁ ତା ସ୍ବାମୀ ଜାଣି ପାରିଛନ୍ତି..,ସେଥିପାଇଁ ଫେରିଗଲେ ତାକୁ ସାଥୀରେ ନ ନେଇ । କେହି କହିଲା ଅଣ୍ଡିରି ଚଣ୍ଡୀ ଟା ଘର କରଣା ଜଣା ଥିଲେ ତ କାମ ଦାମ କାଇଦା କାନୁନ୍ କିଛି ଜାଣିଲାନି କିଏ ଚଲେଇବ। କେହି କହିଲେ ବଡ଼ ଘର ଝିଅ ବୋଲି ଯେଉଁ ବେଖାତିର୍ କଲା ତାକୁ ମହଙ୍ଗା ପଡ଼ିଗଲା।ସବୁ ଶୁଣିଲା ମାମି ନୀରବ ରହିଲା..।ମା ବାପା ଭାଇ ଭାଉଜ ସବୁ ପଚାରି ପଚାରି ଥକିଗଲେ ବି କିଛି ଉତ୍ତର ଦେଲାନି ସେ। ଆଶ୍ଚର୍ଯ୍ୟ ହୋଇଥିଲା କେହି ତ ଥରେ ତା ସ୍ବାମୀ ଶାଶୁ ଶଶୁର ଙ୍କୁ ପଚାରି ପାରନ୍ତେ... ନା ଯେହେତୁ ଝିଅ ଟେ ସବୁ ଦୋଷ ତାର ସବୁ ସମସ୍ୟା ର ମୂଳ ସେ ଥକି ଯାଉଥିଲା ମାମି ଅପମାନ ଓ ଅଭିମାନ ରେ ।ବିନା ପ୍ରତିବାଦ ରେ ସବୁ ସହିଲା ନୀରବ ରେ। ଦିନେ ସୌରଭ ତାକୁ ସତ କଣ୍ ବୋଲି ପଚାରି ଦେଲା। କହିଲା ଯାହା ଶୁଣିବାକୁ ମିଳୁଛି ତାହା ସତ ନୁହେଁ ମୁଁ ତୋତେ ତୋ ଠାରୁ ବେଶୀ ଜାଣେ ।ତୁ କମ୍ ସେ କମ୍ ତୋ ସାଙ୍ଗ ହିସାବ ରେ ମୋତେ ସତ କହିବୁ ବୋଲି ମୋର ବିଶ୍ବାସ।

 ସେଦିନ ସତ କହିଥିଲା ମାମି। ବାହାଘର ପରେ ଜାଣିଲି ଯେ ମୋ ସ୍ବାମୀ ଙ୍କ ର ସ୍ତ୍ରୀ ଓ ଝିଅ କୁ ନେଇ ସମ୍ପୁର୍ଣ୍ଣ ପରିବାର ଅଛି କାନାଡା ରେ।  

ବାପା ମା ଙ୍କ ଜିଦ୍ ପାଇଁ ସେ ମୋତେ ବାହା ହେଲେ। ମୁଁ ତାଙ୍କ ସହିତ କାନାଡା ଯାଇ ପାରିବିନି।ଏଇଠି ସବୁଦିନ ତାଙ୍କ ବାପା ମା ଙ୍କ ପାଖରେ ରହିବି ଏବଂ ସେ ସୁବିଧା ଦେଖି ମଝିରେ ଆସିବେ। ତୁ କହ ମୁଁ କଣ୍ ପାଇଁ କେଉଁ ଆଶା ରେ ସେ ଘରେ ପଡ଼ି ରହିବି। ବାପା ଜାଣିଲେ ତାଙ୍କୁ କଷ୍ଟ ହୋଇଥାନ୍ତା ଯେ ସେ ତାଙ୍କ ସାଙ୍ଗ ର ପୁଅ ସହିତ ଝିଅ ର ବାହାଘର କରି ତା ପାଇଁ ଦୁର୍ଦ୍ଦିନ ଡାକି ଆଣିଛନ୍ତି ବୋଲି । ଠକି ଯାଇଛନ୍ତି ଜାଣିଲେ ତାଙ୍କୁ ବହୁତ୍ କଷ୍ଟ ହେବ ସୁଖ ତ ଦେଇ ପାରୁନି ଦୁଃଖ କାହିଁକି ଦେବି ଯେ । ସେଥିପାଇଁ ନୀରବ ରହିଲି।ମୁଁ ଚଳି ପାରିନି ବୋଲି ଗୋଟେ ଆଶ୍ୱାସନା ତାଙ୍କୁ ମିଳିଛି ଯେ ତାଙ୍କ ଝିଅ ସେ ଘରେ ଆଡ଼ଜଷ୍ଟ୍ କରି ପାରିଲାନି।

ସୌରଭ ଉତ୍ତେଜିତ ହୋଇ କହିଲା ତୁ ସେ ଇଡିଅଟ୍ କୁ divorce କରି ଦେ। ମୁଁ ତତେ ବାହା ହେଇ ସବୁ ସମ୍ମାନ ଦେବି ..ଦୁନିଆ ର ଯେତେ ଖୁସି ସବୁ ତୋ ଜୀବନରେ ରେ ଭରି ଦେବି। ହସିଲା ମାମି ତୁ ଭୁଲ୍ ବୁଝିଚୁ. ମୋ ଭାଗ୍ୟ ରେ ଯାହା ନାହିଁ କେହି ଚାହିଁଲେ ମୋତେ ଦେଇ ପାରିବନି।. ମୁଁ ଏତେ ଦୁର୍ବଳ ନୁହେଁ ,କାହା ଦୟା ସହାନୁଭୂତି ର ଆବଶ୍ୟକତା ମୋ ପାଇଁ ଦରକାର ନାହିଁ।ମୁଁ ହିନ୍ଦୁ ନାରୀ ଥରେ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଛି ।ଯାହା ନାଆଁ ରେ ମଥାରେ ସିଦୁର ପିନ୍ଧୁଚି ସେ ହିଁ ମୋର ସବୁ କିଛି।  ସାରା ଜୀବନ ତାଙ୍କରି ପ୍ରତୀକ୍ଷା ରେ କାଟି ଦେବି। ପତ୍ର ଝଡା ଦେଲା ପରେ ଗଛଟା ପୁଣି ନୂତନ ପଲ୍ଲବ ରେ ପଲ୍ଲବିତ ହେବାକୁ ସମୟ ଲାଗେ।ସେଇ ସମୟ କୁ ଧୈର୍ଯ୍ୟ ର ସହ ଅପେକ୍ଷା କରିବାକୁ ପଡ଼ିବ। ତୁ ମୋର ସବୁଠାରୁ ପ୍ରିୟ ବନ୍ଧୁ ମୋ ପାଇଁ ପ୍ରାର୍ଥନା କରିବୁ ଯେ ମୁଁ ଯେମିତି ମୋ ତପସ୍ୟା ର ମାର୍ଗ ରୁ ବିଚ୍ୟୁତ ନ ହୁଏ । ତୋ ପ୍ରସ୍ତାବ କୁ ବାରମ୍ବାର ଅଣଦେଖା କରି ଆସିଛି।। ଇଚ୍ଛାକୃତ ଭାବେ ନୁହେଁ ଏହା ଇଶ୍ୱରଙ୍କ ଇଚ୍ଛା ବୋଲି ଭାବି ନେବୁ। ମୋ ର ଛୋଟ ଅନୁରୋଧ ମୋ ସାମନା ରେ ରହି ତୁ କେବେ ମୋତେ ଦୁର୍ବଳ କରିବୁନି ବରଂ ପଛରେ ରହି ସବୁବେଳେ ମୋତେ ପ୍ରେରଣା ଦେଉ ଥିବୁ। ତୋତେ ଦେଖିଲେ ମୁଁ ଦୁର୍ବଳ ହେଇଯିବି ରେ । ଭାବି ନେ ଆଜି ତୋର ମୋର ଶେଷ ଦେଖା।

 ସେଇ ଦିନ ଠାରୁ କେବେ ସୌରଭ ଚେଷ୍ଟା କରିନି ମାମି କୁ ଦୁର୍ବଳ କରିବାକୁ। ବରଂ ଜାଣି କାଣି ଦୂରେଇ ରହିଛି ତା ଠାରୁ ତା ମତକୁ ସମ୍ମାନ ଜଣାଇ। କିନ୍ତୁ ଏମିତି ଦିନେ ମାମି ଦୁରେଇଯିବ ସେ ଆଶା କରି ନ ଥିଲା। ତା ଫଟୋ ଟା ଉପରେ ହାତ ବୁଲେଇ ଆଣି ମନେ ମନେ କହୁଥିଲା ତୁ ଯେତେ ଦୂର କୁ ଯାଉଛୁ ଯା କିନ୍ତୁ ସବୁଦିନ ମୋ ଛାତି ତଳେ ଥିଲୁ ଆଉ ମୁଁ ବଞ୍ଚି ଥିବା ଯାଏଁ ମୋ ଛାତି ଭିତରେ ସେମିତି ରହିଥିବୁ ।


 


Rate this content
Log in

Similar oriya story from Drama