STORYMIRROR

Rabinarayan Senapati

Abstract Action Children

3  

Rabinarayan Senapati

Abstract Action Children

ଦୁର୍ବଳ

ଦୁର୍ବଳ

2 mins
170


ଏମିତି କେବେ ଦେଖିନଥିଲି ଆଗରୁ। ଧାରଣା ବଦଳିଗଲା ଆଜି ସକାଳର ଏକ ଦୃଶ୍ୟ ଦେଖି। ପ୍ରାତଃ ଭ୍ରମଣ ସାରି ଫେରୁଥାଏ। ରାସ୍ତା ତଥାପି ଜନବିରଳ। ମୋ ଆଗରେ ଚାଲୁଛି କୁକୁରଟିଏ। ସମ୍ପୂର୍ଣ୍ଣ ରୋଗୀଣା। ଦେହରେ ନାହିଁ ଗୋଟିଏ ମଧ୍ୟ ଲୋମ। ତା ଘା ଘାଉଡ ମୁର୍ଦ୍ଦାରିଆ ଦେହରୁ ବୟସ ଆକଳନ କରିବା ସମ୍ଭବ ନୁହେଁ। ଭାବିଲି ଛୁଆଟିଏ ହୋଇଥିବ, ପୁଣି ଭାବିଲି ନା ବଡ କୁକୁରଟା ଦୁର୍ବଳ ହୋଇ ଆକାର କମି ଯାଇଛି। ସେ ଆଗରେ ଓ ମୁଁ ପଛେ ପଛେ।

ସମ୍ମୁଖରୁ ଆସୁଥିଲେ ଚାରୋଟି କୁକୁର ଜଣେ ଜେମା ଓ ତିନି କୁମାର। ସେମାନେ ସଡକର ଜୀବ ହେଲେ ମଧ୍ୟ ଆପାତତଃ ଡଉଲ ଡାଉଲ। ସମ୍ଭବତଃ ସେମାନଙ୍କ ରାତି ଠିକଣାଟିଏ ଅଛି, ଯେଉଁଠି ମୁଠାଏ ଭଲ ଖାଆନ୍ତି ଓ ବିଶ୍ରାମ ନିଅନ୍ତି। ଗଲା ଆଇଲା ଖସଖାସ ଶବ୍ଦର ଜବାବ ଦିଅନ୍ତି। ତାଙ୍କ ନାମମାତ୍ର ମୁନିବ ଖୁସ୍, ବୁଲା କୁକୁର ମଧ୍ୟ ଖୁସ୍। ସକାଳ ହେଲେ ସେମାନେ ବୁଲା। ସାଥୀ ହୋଇ ଆସୁଛନ୍ତି ମାନେ ଗୋଟିଏ ସାହିର। ଏଇ ଆଗ ସାହି ହୋଇଥିବ। 

ସେମାନେ ଏ ରୋଗୀଣା କୁକୁର ଆଡକୁ ଚାହିଁଲେ। ସମ୍ମିଳିତ ଭୋ ଭୋ ରଡି ଛାଡି ଗୋଡେଇ ନେବାକୁ ବା ଆକ୍ରମଣ କରିବାକୁ ମାଡିଗଲେ। ମନେହେଲା ସେମାନଙ୍କ ନିଜ ନିଜ ମଧ୍ୟରେ ଆଗରୁ କେବେ ଝଗଡା ନାହିଁ। ମିଳିମିଶି ବାହ୍ୟଶତ୍ରୁକୁ ଖେଦୁଛନ୍ତି। ତେବେ, ଏ ରୋଗୀଣା କୁକୁରଟା କଣ ବିଦେଶୀ ହୋଇଥିବ? ଏମିତି ଦୁର୍ବଳ ଶରୀର ଧରି ଦୂରାନ୍ତରୁ କିଏ କଣ ଆସେ? ଏଣୁ ସେ ମଧ୍ୟ ସ୍ଥାନୀୟ ହୋଇଥିବ। ତା'ର କେହି ମାଲିକ ବା ଅର୍ଦ୍ଧ ମାଲିକ ନାହାନ୍ତି। ଥିଲେ କଣ ସେ ଏତେ ସରି ହୋଇଥାନ୍ତା? ଯଦି ବା ଥିବେ ତା ଏ ଅବସ୍ଥା ପରେ କିଏ କଣ ଆଉ ମାନିବେ ଯେ ଏଇଟା ମୋ କୁକୁର? ବଡ ବେଜିତ କଥା ହେବନି ସେମିତି ମାନିଲେ ।

ମୁଁ କିନ୍ତୁ ମତ ବଦଳାଇଲି ନାହିଁ। ଏଇଟି ନିଶ୍ଚିତ ସ୍ଥାନୀୟ। ଦିନେ ସୁନ୍ଦର ଦିଶୁଥିବ। ଆଜି ଶିରି ଛାଡି ଯାଇଛି। ରୋଗକୁ କାହାର ଅବା ବଳ ଅଛି? ଯଦି ସ୍ଥାନୀୟ ତାହେଲେ ଏ

ପହ୍ଲଟି ତାକୁ ଖେଦୁଛନ୍ତି କାହିଁକି? ପାଗଳା ମଣିଷକୁ ଭଲ ମଣିଷ ଏମିତି କି ନିଜର ମଣିଷ ମାନେ ଘଉଡ଼ାଇବା ଭଳି ଏ ଶ୍ରୀହୀନ ଜୀବଟିକୁ ତା ନିଜ ଜାତିଭାଇ ଖେଦୁଛନ୍ତି ବୋଧହୁଏ। ତୁମେ ବାବୁ ତୁମ ବାଟରେ ତୁମ ଜେମାକୁ ଧରି ବିଜେ ହୋଇଛ ସେ ବିଚରାଟିକୁ ନାଲିଆଖି ଦେଖାଇବା କିବା ଦରକାର! ସେ କଣ ତୁମ ସମାସ୍କନ୍ଦ? ଯଦି ଖେଦିବ ଜଣେ ଯାଇ ଖେଦ। ଏମିତି ଦୁର୍ବଳ ଉପରେ ମିଳିମିଶି ଆକ୍ରମଣ କିଆଁ?

ମୁଁ ବିଚଳିତ ହେଲି। ମନେହେଲା ମୋର କିଛି କର୍ତ୍ତବ୍ୟ ଅଛି। ବାଡିଗୋଟେ ଧରି ଗୋଡେଇ ଦେଲେ ଯିଏ ଯୁଆଡେ ପଳାଇବେ। ମୁଁ ଭାବୁଥିଲି କେଉଁଠୁ ପାଇବି ଡାଙ୍ଗଟିଏ। ଇଆଡେ ସିଆଡେ ଅନାଇଲି। ପାଇଲି ନାହିଁ। ପୁଣି ଭାବିଲି ତଳୁ ଢେଲାଟିଏ ଉଠାଇ ଫିଙ୍ଗିବି। ନା, ଅସନା ଲାଗିଲା। ଖାଲି ହାତଟା ଉଠାଇଲି ଯେ ଡର ଲାଗିଲା; ଏମାନେ ଆପଣା ଗଳିର ସିଂହ। ମୋର କିଏ କାଦୁଅକୁ ଯିବ ଗୋଡ ଧୋଇବ!

ହଁ ତାଙ୍କର ଯାହା ହେଉଛନ୍ତି ହୁଅନ୍ତୁ ମୋର କି ଯାଏ ?

ମୁଁ ଅବିବେକି ହୋଇ ପୂର୍ବବତ ଚାଲିଲି। 

ହଠାତ ଦେଖିଲି ଘଟଣା ବଦଳିଗଲା। ରୋଗା କୁକୁର ତା ଦାନ୍ତ ଦେଖାଇ ବିକୃତ ଶବ୍ଦ କରି ମାଡିଆସିଲା ଦଳପତି ଆଡେ। ସେ ପଛଘୁଞ୍ଚା ଦେଲା। ତାପରେ ଗୋଟି ଗୋଟି ସମସ୍ତଙ୍କୁ ଖେଦିଲା। ସେମାନେ ବୀରଦର୍ପରେ ଆଗେଇ ଆସିଥିଲେ ସିନା ଏବେ ଦେଲେ ଛତ୍ରଭଙ୍ଗ। ମୋର ମନେହେଲା, ପାଗଳା ମଣିଷ ଢେଲା ଉଠାଇଲେ ତାକୁ ଖେଦୁଥିବା ପିଲାଏ ଯେମିତି ଦୌଡନ୍ତି ଏ ହେଲା ସେମିତି କଥା। ସବୁକିଛି ହରାଇ ସାରିଥିବା ଜୀବଟି ଆଉ ଡରିବ କାହାକୁ? କେବଳ ଜୀବନଟି ଯାହା ସୁକୁ ସୁକୁ ହେଉଛି, ସେଇଟି ବି ଯିବ ଯଦି ଯାଉ। ସମ୍ମାନର ସହ ଯାଉ। ମଲେ ପଛେ ମରିବ ପାନେ ଦେଇକି ମରିବ! ଏମାନେ କେବଳ ତଟସ୍ଥ ହୋଇ ଦୂରେଇ ଗଲେ ନାହିଁ ବରଂ ତାଙ୍କ ମଧ୍ୟରୁ ଜଣେ ଏ ରୋଗୀଣା କୁକୁର ଦିଗରେ ସାଥିରେ ଚାଲିଲା !

ଶେଷୋକ୍ତ ଆଚରଣ ସୃଷ୍ଟି କରୁଥିଲା ପ୍ରହେଳିକା। 



Rate this content
Log in

Similar oriya story from Abstract